ପ୍ରଥମ ସନ୍ତାନ ଜନ୍ମ ଗ୍ରହଣ କରିବା ପରେ ମୋନିକାର ଅହରହ ଚିନ୍ତା ହେଲା ଯେ, ସେ ତା’ର ସନ୍ତାନର କ୍ଷତି କରି ବସିବ। ପିଲାଟିର ତଣ୍ଟି ଚିପିଦେବ ବା ଉଚ୍ଚ ସ୍ଥାନରୁ ତାକୁ ପକେଇ ଦେବ। ଏହି ଭଳି ଅପ୍ରୀତିକର ଏବଂ ଅବାନ୍ତର ଭାବନା ବାରମ୍ବାର ତା’ର ମନକୁ ଆସି ତାକୁ ବିରକ୍ତ କଲା। ଏହିପରି ଭାବନା ପାଇଁ ସେ ନିଜକୁ ଅପରାଧୀ ମନେ କଲା ଏବଂ ନିଜ ପିଲା ସହ ଏକୁଟିଆ ରହିବାକୁ ଭୟ ମଧ୍ୟ କଲା। ପିଲାର ଲାଳନପାଳନ ସମ୍ବନ୍ଧୀୟ ଦାୟିତ୍ବ ଅଧିକ ନେବା ପାଇଁ ସେ ସ୍ବାମୀଙ୍କୁ ଅନୁରୋଧ କଲା। ପିଲାର କିଛି କ୍ଷତି ନ ହେଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା; ଅଥଚ ନିଜ ଭାବନାକୁ ଆଦୌ ନିୟନ୍ତ୍ରଣ କରିପାରିଲା ନାହିଁ। କିଛି ଦିନ ହେବ ଶୋଭନା ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମାତ୍ରାଧିକ ଗୁରୁତ୍ବ ଦେବା ଆରମ୍ଭ କରିଛି। ହାତରେ ମଇଳା ଲାଗିଯାଉଛି ବୋଲି ଭାବି ବାରମ୍ବାର ହାତ ଧୋଉଛି। ଘଣ୍ଟା ଘଣ୍ଟା ଧରି ଗାଧୋଉଛି। ଘର ଲୋକ ବାହାରକୁ ଯାଇ ଆସିଲେ ସେମାନଙ୍କୁ ପ୍ୟାଣ୍ଟ, ସାର୍ଟ, ଜୋତା ଆଦି ଖୋଲିବା ପାଇଁ ତାଗିଦ କରିବା ସହିତ ଘରକୁ ବାରମ୍ବାର ସଫା କରୁଛି। ଜୀବାଣୁ ଦ୍ବାରା ସଂକ୍ରମିତ ହୋଇଯିବା ଆଶଙ୍କାରେ ସେ ଚିଠିପତ୍ର ଓ ଟଙ୍କା ପଇସା ଧରିବାକୁ ଚାହୁଁନାହିଁ। ବାଧ୍ୟ କଲେ ଧୋଇ କରି ସେ ସବୁକୁ ରଖୁଛି। ବାହାରକୁ ବାହାରିଲେ ଅପରିଷ୍କାର ଜିନିଷ ଲାଗିଯିବା ଭୟରେ ଗ୍ଲୋଭ୍‌ସ ପିନ୍ଧୁଛି। ସେଇଥିପାଇଁ ବାହାରକୁ ଯିବା ପାଇଁ ଆଜିକାଲି ସେ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ।

Advertisment

ଉପରୋକ୍ତ ଲକ୍ଷଣ ପ୍ରକାଶ କରୁଥିବା ବ୍ୟକ୍ତିମାନଙ୍କୁ ‘ଓବ୍‌ସେସିଭ୍ କମ୍ପଲ୍‌ସିଭ୍ ଡିଜ୍‌ଅର୍ଡର୍’ (ଓସିଡି)ରେ ପୀଡ଼ିତ ବୋଲି କୁହାଯାଏ, ଯାହା ଏକ ବିକୃତି ଯହିଁରେ ମନୁଷ୍ୟ ଏଭଳି ଅସଂଗତ ଭାବନା ବା କାର୍ଯ୍ୟରୁ ନିଜକୁ କୌଣସିମତେ ଦୂରେଇ ରଖିପାରେ ନାହିଁ। ମୋନିକାର ବିକୃତି ଭାବନା ସ୍ତରରେ ରହୁଥିବାରୁ ତାହାକୁ ଆବେଗାତିଶଯ୍ୟ ବା ‘ଓବ୍‌ସେସନ୍’ ଏବଂ ଶୋଭନା ଠାରେ ଏଭଳି ଭାବନା କାର୍ଯ୍ୟରେ ପରିଣତ ହେଉଥିବାରୁ ତାହାକୁ ବାଧ୍ୟବାଧକତା ବା ‘କମ୍ପଲ୍‌ସନ୍’ ବୋଲି କୁହାଯାଏ। ଏଭଳି ବିକୃତିର ଶିକାର ହେଲେ ନିଜ ମା’ଙ୍କ ସହିତ ଶିଡ଼ି ଚଢ଼ିଲା ବେଳେ ମା’ଙ୍କୁ ପେଲି ଦେଲେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି କନ୍ୟା ଆତଙ୍କିତ ହୋଇ ଯାଇପାରେ ବା ଅତ୍ୟନ୍ତ ଭଲ ପାଉଥିବା ସ୍ବାମୀଙ୍କୁ ଖାଦ୍ୟ ପରଷିଦେବା ବେଳେ ଖାଦ୍ୟରେ ବିଷ ମିଶାଇ ଦେଲେ ସ୍ବାମୀଙ୍କର ଅବସ୍ଥା ସଂକଟାପନ୍ନ ହୋଇଯିବ ବୋଲି ଚିନ୍ତା କରି ସ୍ତ୍ରୀ ଭୟଭୀତ ହୋଇଯାଇପାରେ। ସେମିତି ଭଗବାନଙ୍କ ମୂର୍ତ୍ତି ବା ଫଟୋ ଦେଖିଲେ ଅଶ୍ରାବ୍ୟ ଗାଳି ଓ ମୌନ ସମ୍ବନ୍ଧୀୟ ଭବନା ଆସିବା, ନିଜ ଆତ୍ମୀୟସ୍ବଜନଙ୍କୁ ନେଇ ଆକ୍ରମଣାତ୍ମକ, ଅଶ୍ଳୀଳ ବା ମୃତ୍ୟୁର ଦୃଶ୍ୟ ମନ ମଧ୍ୟକୁ ଜବରଦସ୍ତ ପଶି ଆସିବା, ଭଗବାନଙ୍କ ଅସ୍ତିତ୍ବ, ସତ୍ୟର ଯଥାର୍ଥତା, ପିତାମାତାଙ୍କର ଜନ୍ମିତ ସନ୍ତାନ କି ନୁହେଁ ସେ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ଇତ୍ୟାଦି ଏଭଳି ବିକୃତିର ପରିଣାମ। ଏହାର ଶିକାର ଅନେକ ଲୋକ ନିଜର ନାକ ସାମାନ୍ୟ ବଙ୍କା ଦିଶୁଛି ବା ଗୋଟିଏ କାନ ସାମାନ୍ୟ ବଡ଼ ଦିଶୁଛି ବୋଲି ଭାବି ବ୍ୟସ୍ତ ହୋଇ ପଡ଼ନ୍ତି।

‘ଓ.ସି.ଡି.’ ଦ୍ବାରା ଗ୍ରସ୍ତ ବ୍ୟକ୍ତି ଏଭଳି ବିରକ୍ତିକର ଏବଂ ଅଯୌକ୍ତିକର ଭାବନାର ଶିକାର ହେବା ସହିତ ଅବାନ୍ତର ଏବଂ ଅର୍ଥହୀନ କାର୍ଯ୍ୟ ମଧ୍ୟ କରିଥାଏ। ଏଭଳି ବ୍ୟକ୍ତି ସଡ଼କରେ ତାହାକୁ ଅତିକ୍ରମ କରୁଥିବା ଗାଡ଼ି, କୋଠରିରେ ଲାଗିଥିବା ଟାଇଲ୍‌, ଶିଡ଼ିର ପାହାଚ, ଚାଲିଲା ବେଳେ ନିଜ ପାହୁଣ୍ଡକୁ ବାରମ୍ବାର ଗଣିପାରେ; ରାସ୍ତାର ପ୍ରତ୍ୟେକ ବତି ଖୁଣ୍ଟକୁ ଛୁଇଁବା, ଘରେ ଆମିଷ ଖାଇଲେ କାନ୍ଥ, ବାଡ଼, କବାଟ ଆଦି ଧୋଇବା, ଠାକୁରଙ୍କ ନାମ ଶହ ଶହ ଜପିବା ବା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶହେ ଯାଏଁ ଗଣିବା, ଭୁଲ୍ ହୋଇଗଲେ ପୁଣି ଥରେ ଆରମ୍ଭରୁ ଗଣିବା ଆଦି ଭଳି କାର୍ଯ୍ୟ ମଧ୍ୟ ଏହି ବିକାରର ଲକ୍ଷଣ। କେହି କେହି ପ୍ରତ୍ୟେକ ଜିନିଷକୁ ଯଥା ସ୍ଥାନରେ ରଖିବା ବିଷୟରେ ମାତ୍ରାଧିକ ଗୁରୁତ୍ବ ଦିଅନ୍ତି। ଦରକାରୀ କାଗଜପତ୍ରକୁ ବ୍ୟବସ୍ଥିତ ଭାବରେ ରଖିବା ଏବଂ ବାରମ୍ବାର ତଦାରଖ କରିବା, ବୈଠକଖାନା ଓ ସେଠାରେ ରହିଥିବା ପ୍ରତ୍ୟେକ ଆସବାବପତ୍ରକୁ ନିର୍ଦ୍ଦିଷ୍ଟ ଭଙ୍ଗୀରେ ସଜାଇବା, ଲୁଗାଗୁଡ଼ିକ ନିର୍ଦ୍ଦିଷ୍ଟ ଢଙ୍ଗରେ ଛୋଟରୁ ବଡ଼ ଭାବରେ ଶୁଖାଇବା, ବିଛା ଯାଇଥିବା ଚାଦରରେ ଭାଙ୍ଗ ନ ପଡ଼ିବା ପାଇଁ ମାତ୍ରାଧିକ ସଚେତନ ହେବା ଏବଂ ଏ ସବୁ ବିଷୟରେ ବ୍ୟତିକ୍ରମ ଘଟିଲେ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିବା ମଧ୍ୟ ଏମାନଙ୍କ ଠାରେ ଦେଖାଯାଏ। ଘରୁ ବାହାରିବା ବେଳେ କମ୍ପ୍ୟୁଟରକୁ ଲଗ୍‌ଆଉଟ୍‌ କରିବା, ଗ୍ୟାସ୍‌, ଲାଇଟ୍‌, ଫ୍ୟାନ୍‌ ଓ କବାଟ ବନ୍ଦ କରିବା ବା ଠିକ୍‌ ଭାବରେ ତାଲା ଲଗାଇବା ବିଷୟରେ ସେମାନଙ୍କର ବାରମ୍ବାର ସନ୍ଦେହ ଜାତ ହୁଏ ଏବଂ ଫେରି ଆସି ସେମାନେ ତଦାରଖ କରନ୍ତି। ଅବଶ୍ୟ ସେହି ବ୍ୟକ୍ତି ଏ ସବୁ ଅବାନ୍ତର କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଦୃଢ଼ ନିଷ୍ପତ୍ତି ନିଏ, କିନ୍ତୁ କାର୍ଯ୍ୟଟି ନ କରିବା ପର୍ଯ୍ୟନ୍ତ ସେ ଅଧିକରୁ ଅଧିକ ଉଦ୍‌ବିଗ୍ନ ହୋଇଯାଏ। ଉଦ୍‌ବେଗରୁ ମୁକ୍ତି ପାଇବା ସକାଶେ ଶେଷ ଥର ପାଇଁ ସେ ଏହି କାର୍ଯ୍ୟଟି କରିଦେବ ବୋଲି ମନକୁ ବୁଝାଇ ଦିଏ ସିନା ସେଥିରୁ ଆଦୌ ମୁକ୍ତି ପାଇପାରେନାହିଁ। ସାରା ଦିନ ଏ ପ୍ରକାର କାର୍ଯ୍ୟର ପୁନରାବୃତ୍ତି କରି ସେ ହାଲିଆ ହୋଇପଡ଼େ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାକୁ ଅସମର୍ଥ ହୁଏ। ତା’ର ବ୍ୟକ୍ତିଗତ, ବୃତ୍ତିଗତ ଏବଂ ପାରିବାରିକ ସଂପର୍କ ବାଧାପ୍ରାପ୍ତ ହୁଏ।

ଜନ୍‌ ନାସ୍‌, ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ଆଇଜାକ ନିଉଟନ୍‌, ଥମାସ ଏଡିସନ୍‌ଙ୍କ ପରି ବିଶ୍ବବିଖ୍ୟାତ ବୈଜ୍ଞାନିକମାନେ ‘‌ଓ.ସି.ଡି.’ ଦ୍ବାରା ଆକ୍ରାନ୍ତ ଥିଲେ ବୋଲି କୁହାଯାଏ। ଆଇନ୍‌ଷ୍ଟାଇନ୍‌ ଓ ନିଟଉନ ବାରମ୍ବାର ହାତ ଧୋଉଥିଲେ। ମାଇକ୍ରୋସଫ୍‌ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ନିଜର ଗୁରୁତ୍ବପୂର୍ଣ୍ଣ କାଗଜ ଏବଂ ଆସବାବପତ୍ର ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ‌ବିଷୟରେ ବିଶେଷ ଧ୍ୟାନ ଦିଅନ୍ତି। ଆମେରିକାର ପ୍ରସିଦ୍ଧ ଅଭିନେତା ଲିଓନାର୍ଡୋ ଡି କାପ୍ରିଓ ଏଗାର ବର୍ଷ ବୟସରୁ ଏହି ବିକାରର ଶିକାର ହୋଇଥିଲେ ବୋଲି କୁହନ୍ତି। ସେ କୌଣସି କୋଠରିରେ ପଶିବା ଆଗରୁ ନିର୍ଦ୍ଦିଷ୍ଟ ଥର ପାଇଁ କବାଟରେ କରାଘାତ କରନ୍ତି। ବିଶ୍ବପ୍ରସିଦ୍ଧ ଇଂରେଜ ଫୁଟ୍‌ବଲ୍‌ ଖେଳାଳି ଡେଭିଡ ବେକହାମ ପରିଷ୍କାର ପରିଚ୍ଛନ୍ନତା ଓ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ବ୍ୟବସ୍ଥିତ ଭାବରେ ରଖିବା ଉପରେ ଗୁରୁତ୍ବ ଦେଇଥାନ୍ତି। ରାତିରେ ପରିବାରର ସଦସ୍ୟମାନେ ଶୋଇ ପଡ଼ିବା ପରେ ସବୁ କୋଠରି ସଫା କରି, ପ୍ରତ୍ୟେକ ଜିନିଷକୁ ଉଚିତ ସ୍ଥାନରେ ରଖି ସେ ଶୁଅନ୍ତି। ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ୍‌, ବିଦ୍ୟା ବାଲନ, ଅଭିନେତା ଫରହାନ୍‌ ଅଖତର ଏବଂ ଅ‌ାୟୁଷ୍ମାନ ଖୁରାନା ପରିଷ୍କାର ପରିଚ୍ଛନ୍ନତା ଓ ବ୍ୟବସ୍ଥିତ ଢଙ୍ଗରେ ଜିନିଷ ରଖିବାରେ ମାତ୍ରାଧିକ ଗୁରୁତ୍ବ ଦିଅନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସବୁ ଊଣାଅଧିକେ ‘ଓ.ସି.ଡି.’ର ଲକ୍ଷଣ।

ତାଲା ବା କବାଟକୁ ବାରମ୍ବାର ତଦାରଖ କରିବା ବ୍ୟକ୍ତିର ବିସ୍ମୃତିର ଲକ୍ଷଣ ନୁହେଁ, ବରଂ ଏହା ତାର ମନ ଭିତରେ ଅବଦମିତ ହୋଇ ରହିଥିବା ବହୁ ଅସମାହିତ ମାନସିକ ସଂଘର୍ଷର ପରିପ୍ରକାଶ। ସେହିପରି ବ୍ୟକ୍ତିର ଅଚେତନ ମନ ମଧ୍ୟରେ ଲୁକ୍‌କାୟିତ ହୋଇ ରହିଥିବା ପୁଞ୍ଜିଭୂତ ଘୃଣା ଓ କ୍ରୋଧ ଏବଂ ତାକୁ ପ୍ରକାଶ କରି ନ ପାରିବାର ଅସହାୟତା ଓ ଅସାମର୍ଥ୍ୟ ଆକ୍ରମଣାତ୍ମକ ଭାବନା ରୂପରେ ବାରମ୍ବାର ମୁଣ୍ଡ ଟେକିପାରେ। କୌଣସି ଭୟଙ୍କର ଘଟଣା ବ୍ୟକ୍ତି ଠାରେ ଚାପ, ଉଦ୍‌ବେଗ ଓ ଅସୁରକ୍ଷା ଭାବନା ସୃଷ୍ଟି କରୁଥିଲେ ସେ ସେହି ଭୟଙ୍କର ଅନୁଭବକୁ ଏଡ଼ାଇବାକୁ ଯାଇ ବତିଖୁଣ୍ଟକୁ ଛୁଇଁବା, ପାହୁଣ୍ଡକୁ ଗଣିବା ଆଦି ଅନାବଶ୍ୟକ କାର୍ଯ୍ୟରେ ବ୍ୟସ୍ତ ରହେ। ସୁତରାଂ, ଏହି ଅଯଥା କାର୍ଯ୍ୟଗୁଡ଼ିକ ତା’ ମନକୁ ଉଦ୍‌ବେଗମୁକ୍ତ ରଖିବାର ରକ୍ଷାକବଚ ପରି କାମ କରେ। ତା’ ଛଡ଼ା ଦେଖାଯାଇଛି ଯେ କୌଣସି ମଣିଷ ଯେତେବେଳେ ଭୟଙ୍କର ଅଘଟଣକୁ ସାମନା କରେ ଏବଂ ପରିସ୍ଥିତି ତା’ର ନିୟନ୍ତ୍ରଣାଧୀନ ନ ଥାଏ, ସେ କୌଣସି ଅଲୌକିକ ଅଦୃଶ୍ୟ ଶକ୍ତି ଓ ଚମତ୍କାରିତା ଉପରେ ଭରସା କରିବାକୁ ବାଧ୍ୟ ହୁଏ। ଏଭଳି ଉପାୟରେ ସେ ବିପଦକୁ ଖଣ୍ଡନ କରିପାରିବ ବୋଲି ଏକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୁଏ। ବିକଟ ରୋଗାକ୍ରାନ୍ତ ସ୍ବାମୀର ମୃତ୍ୟୁ ନିଶ୍ଚିତ ବୋଲି ଜାଣି ସାରିଥିବା ପତ୍ନୀ ଅହରହ ମାଳା ଜପି, ମନ୍ତ୍ର ପଢ଼ି ଭୟଙ୍କର ‌ବାସ୍ତବତା ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିପାରେ। ମୋଟାମୋଟି ଭାବରେ ଏହି ବିକାର ଜନିତ ଅତ୍ୟଧିକ ଚାପ, ଉଦ୍‌ବେଗର କାରଣ ମସ୍ତିଷ୍କରେ ପ୍ରବାହିତ ହେଉଥିବା ‘ସେରୋଟୋନିନ୍’ ଓ ‘ଡୋପାମିନ୍‌’ ଆଦି ଜୈବ ରାସାୟନିକ ପଦାର୍ଥର ଅସନ୍ତୁଳନ, ଜିନ୍‌ଗତ ତ୍ରୁଟି ଓ ତ୍ରୁଟିପୂର୍ଣ୍ଣ ବ୍ୟବହାର ଅନୁକରଣର ଏକ ମିଶ୍ରିତ ପ୍ରତିକ୍ରିୟା ହୋଇପାରେ।
ବର୍ତ୍ତମାନ ଆହୁରି ବହୁତ ଗୁଡ଼ିଏ ବିକାରକୁ ‘ଓ.ସି.ଡି.’ ସମ୍ବନ୍ଧୀୟ ବିକାର ଭାବରେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ‘ସ୍କିନ୍ ପିକିଙ୍ଗ୍ ଡିସଅର୍ଡର’ ବା ‘ଏକ୍ସକୋରିଏସନ୍’, ଯହିଁରେ ବ୍ୟକ୍ତି ଜଣକ ଚମକୁ ଟାଣି ଟାଣି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଓ ସଂକ୍ରମଣ ସୃଷ୍ଟି କରିଥାଏ। ସେମିତି ‘ହେଆର୍ ପୁଲିଙ୍ଗ୍ ଡିସ୍‌ଅର୍ଡର’ ବା ‘ଟ୍ରିୟେଟିଲୋମାନିଆ’ରେ ମୁଣ୍ଡ ଓ ଭ୍ରୂଲତାରେ ଥିବା କେଶକୁ ଟାଣି ଟାଣି ଛିଣ୍ଡେଇବା, ‘ବଡି ଡିସ୍‌ମୋର୍‌ଫିକ୍ ଡିସ୍‌ଅର୍ଡର’ରେ ନିଜ ଶରୀର ବା ମୁଖମଣ୍ଡଳରେ କୌଣସି ତ୍ରୁଟି ନ ଥିଲେ ମଧ୍ୟ ତ୍ରୁଟି ଅଛି ବୋଲି କଳ୍ପନା କରି ବାରମ୍ବାର ଦର୍ପଣ ଦେଖିବା ବା ଅନ୍ୟ ସହିତ ନିଜକୁ ତୁଳନା କରି ବିବ୍ରତ ରହିବା, ମସ୍‌ଲ ଡିସ୍‌ମୋର୍ଫିଆରେ ନିଜ ଶରୀର ଅନ୍ୟମାନଙ୍କ ତୁଳନାରେ ଛୋଟ ବୋଲି ଭାବି ବ୍ୟସ୍ତ ହେବା, ହୋର୍ଡିଙ୍ଗ୍ ଡିସ୍‌ଅର୍ଡରରେ ମୂଲ୍ୟ ନ ଥିବା ଅଦରକାରୀ ଜିନିଷ ପ୍ରତି ମାତ୍ରାଧିକ ଆସକ୍ତ ହୋଇପଡ଼ିବା ଭଳି କଥାମାନ ଦେଖିବାକୁ ମିଳୁଛି।

ଏହିସବୁ ଲକ୍ଷଣ ଅଳ୍ପ ପରିମାଣରେ ଥିଲେ ବିଶେଷ ସମସ୍ୟା ସୃଷ୍ଟି ହୁଏ ନାହିଁ। ଛୋଟ ଛୋଟ ବିବରଣୀକୁ ଧ୍ୟାନ ଦେବା, ନିଖୁଣତା ପ୍ରୟାସୀ ହେବା, ସବୁ ଜିନିଷକୁ ସଜ୍ଜିତ ଓ ସଂଗଠିତ କରି ରଖିବା, ଦୃଢ଼ ପ୍ରତିଜ୍ଞ ରହିବା ଆଦି ଗୁଣଗୁଡ଼ିକ ଅନେକ ସମୟରେ ବ୍ୟକ୍ତିକୁ ସଫଳ କରିବାରେ ସହାୟକ ହୁଏ। ଅଧିକାଂଶ ସ୍ବାଭାବିକ ବ୍ୟକ୍ତି ମଧ୍ୟ ସମୟ ଅସମୟରେ ଏହିଭଳି କେତେଗୁଡ଼ିଏ ଲକ୍ଷଣ ପ୍ରକାଶ କରିଥାନ୍ତି। କିନ୍ତୁ ଲକ୍ଷଣଗୁଡ଼ିକ ଅତ୍ୟନ୍ତ ତୀବ୍ର ଓ ଗମ୍ଭୀର ହୋଇଗଲେ, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିପର୍ଯ୍ୟସ୍ତ ହୋଇଯାଏ। ଏଭଳି ସ୍ଥଳେ ବ୍ୟକ୍ତିକୁ ମାନସିକ ରୋଗ ବିଶେଷଜ୍ଞଙ୍କର ସାହାଯ୍ୟ ନେବାକୁ ପଡ଼େ। ଏହି ବିକାର ପାଇଁ ବହୁବିଧ ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଏ। ଅବସାଦ ବା ବିଷାଦ ପ୍ରତିହତ କଲା ଭଳି ଔଷଧ ସହିତ ମନୋବିଶ୍ଳେଷଣାତ୍ମକ ଓ ବ୍ୟାବହାରିକ ଚିକିତ୍ସା ଲୋଡ଼ା ପଡ଼ିଥାଏ। ସ୍ଥଳ ବିଶେଷରେ ପ୍ଲାବନ କୌଶଳ ବା ‘ଫ୍ଲଡିଙ୍ଗ୍‌’, ଅନାବରଣ ଅନୁକ୍ରିୟା ନିବାରଣ ବା ‘ଏକ୍ସପୋଜର୍ ଆଣ୍ଡ୍ ରେସ୍‌ପନ୍‌ସ ପ୍ରିଭେନ୍‌ସନ୍’, ସଜ୍ଞାନତ୍ମକ ବ୍ୟବହାର ଚିକିତ୍ସା ବା ‘କଗ୍ନିଟିଭ୍ ବିହେଭିଅର୍ ଥେରାପି’ ଅାଦି ଚିକିତ୍ସା ପଦ୍ଧତି ମଧ୍ୟ ପ୍ରୟୋଗ କରାଯାଏ। ରୋଗ ଅତି ପୁରୁଣା ହେଲେ ଏବଂ ଉପରୋକ୍ତ କୌଣସି ଚିକିତ୍ସା ପଦ୍ଧତି ଫଳପ୍ରଦ ନ ହେଲେ କେବେ କେବେ ମସ୍ତିଷ୍କରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥାଏ। ଯଦିଓ ସଂପ୍ରତି ଏହି ବିକୃତି କ୍ରମେ ଅଧିକ ଦୃଶ୍ୟମାନ ହେବାରେ ଲାଗିଛି, ଏହାର ଚିକିତ୍ସା କ୍ଷେତ୍ରରେ ମଧ୍ୟ ବିପୁଳ ଉନ୍ନତି ‌େହଲାଣି, ଯାହା ଆଶ୍ବାସନାର ବିଷୟ।
ମୋ: ୯୪୩୭୫୭୭୨୧୧