ଗୌରଚନ୍ଦ୍ର ତ୍ରିପାଠୀ
ରାଜା ଭୋଜଙ୍କ ପୁଅ ଦିନେ ଶିକାର ପାଇଁ ଯାଇ ଜଙ୍ଗଲରେ ବୁଲୁବୁଲୁ ଦଳରୁ ଅଲଗା ହୋଇଗଲେ ଏବଂ ଫେରିବାର ବାଟ ପାଇଲେନି। ସନ୍ଧ୍ୟାରେ ଗଛରେ ବସିଥିବା ଏକ ଭାଲୁକୁ ପାଇ ତା’ ସହିତ ପାଳି କରି ଶୋଇବାକୁ ଚୁକ୍ତି କଲେ। ରାଜକୁମାର ଶୋଇବା ସମୟରେ, ଗୋଟିଏ ସିଂହ ଆସି ଗଛ ତଳେ ବସିପଡ଼ିଲା ଏବଂ ଆଶା କଲା ଯେ କେହି ଜଣେ ବି ଯଦି ଖସିପଡ଼ନ୍ତି, ସେ ଖାଇଯିବ। ଭାଲୁ ଶୋଇଥିବା ରାଜକୁମାରଙ୍କର କୌଣସି କ୍ଷତି ହେବାକୁ ଦେଇ ନଥିଲା। କିନ୍ତୁ ଯେତେବେଳେ ଭାଲୁ ଶୋଇବାକୁ ଆସିଲା ରାଜକୁମାର ଭାବିଲେ, ‘ଯଦି ମୁଁ ଏହି ଭାଲୁଟିକୁ ଛାଡ଼ିଦିଏ, ତେବେ ସିଂହ ତାକୁ ଧରି ଚାଲିଯିବ’ ଏବଂ ଭାଲୁକୁ ତଳେ ପକାଇବା ପାଇଁ ସେ ଧକ୍କା ଦେଲେ। କିନ୍ତୁ ଶୋଇଥିବା ଅବସ୍ଥାରେ ବି ଗୋଟିଏ ଡାଳକୁ ଦୃଢ଼ ଭାବରେ ଧରିଥିବାରୁ ଭାଲୁ ବଞ୍ଚି ଯାଇଥିଲା। ଏହି ବିଶ୍ୱାସଘାତକ କାର୍ଯ୍ୟର ଦଣ୍ଡ ସ୍ବରୂପ ଭାଲୁ ରାଜକୁମାରଙ୍କ ଜିଭରେ ତା’ ନଖ ସାହାଯ୍ୟରେ ଲେଖିଦେଲା, ‘ସସେମିରା’। ପ୍ରଭାତରେ ପ୍ରହରୀମାନେ ଯେତେବେଳେ ରାଜକୁମାରଙ୍କୁ ଗଛରୁ ତଳକୁ ଓହ୍ଲାଇଲେ, ତାଙ୍କ ମୁହଁରେ କେବଳ ଗୋଟିଏ କଥା ଥିଲା, ‘ସସେମିରା’। କାଳିଦାସ ଯେଉଁ ମନ୍ତ୍ରଚିକିତ୍ସା ବଳରେ ରାଜକୁମାରଙ୍କୁ ଏହି ବିକାରରୁ ଠିକ୍ କରିଥିଲେ ତା’ର ଶେଷ ପଦ ଥିଲା- ‘ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯଶ୍ଚ ବିଶ୍ୱାସଘାତକଃ, ତ୍ରୟସ୍ତେ ନରକଂ ଯାନ୍ତି, ଯାବତ୍ଚନ୍ଦ୍ର-ଦିବାକରୌ।’ ଅର୍ଥାତ୍ ମିତ୍ରଦ୍ରୋହୀ, କୃତଘ୍ନ ଓ ବିଶ୍ୱାସଘାତକର ନର୍କ ଗତି ହୁଏ।
ବିଶ୍ୱାସଘାତକତା ଏକ ପ୍ରବୃତ୍ତି ଯାହା ବିଶ୍ବାସକୁ ବିଷମୟ କରେ। ସ୍ବିସ୍ ମନୋବିଜ୍ଞାନୀ କାର୍ଲ ୟୁଙ୍ଗ କହନ୍ତି, ମାନବ ଅନୁଭୂତିର ସବୁଠାରୁ ଯନ୍ତ୍ରଣାଦାୟକ ଓ ଜଟିଳ ଦିଗମାନଙ୍କ ମଧ୍ୟରୁ ଏହା ଗୋଟିଏ। ଜଣେ ବିଶ୍ୱସ୍ତ ବନ୍ଧୁ, ସମ୍ପର୍କୀୟ, ସହକର୍ମୀ କିମ୍ବା ନିକଟତମ ବ୍ୟକ୍ତିଙ୍କ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଦ୍ୱାରା କ୍ଷତିଗ୍ରସ୍ତ ହେବାର ଏହା ଏମିତି ଏକ ଭାବନା ଯାହା ଫଳରେ ବିଶ୍ୱାସ ତୁଟିଯାଏ, ସମ୍ପର୍କରେ ଶୂନ୍ୟତା ଭରିଯାଏ ଏବଂ ହୃଦୟରେ ଗଭୀର କ୍ଷତ ସୃଷ୍ଟି ହୁଏ। ଏହି ଭାବନାକୁ ମନସ୍ତତ୍ତ୍ୱବିତ୍ ଜେନିଫର ଫ୍ରେଡ୍ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ‘ବିଶ୍ୱାସଘାତ ଆଘାତ’ ଭାବେ ନାମିତ କରିଥିଲେ। ପ୍ରାଚୀନ ଭାରତୀୟ ଦର୍ଶନ ବିଶ୍ୱାସଘାତକତାକୁ ଏକ ଅଧାର୍ମିକ କାର୍ଯ୍ୟ ଭାବରେ ବିବେଚନା କରେ। ପାଶ୍ଚାତ୍ୟ ଦର୍ଶନରେ, ନ୍ୟାୟ ଓ ନୈତିକତାର ଦୃଷ୍ଟିଭଙ୍ଗୀରେ ଏହାର ବିଶ୍ଳେଷଣ କରାଯାଇଥାଏ। ପ୍ଲାଟୋ ବିଶ୍ୱାସଘାତକତାକୁ ନ୍ୟାୟର ପରିପନ୍ଥୀ ଭାବେ ବର୍ଣ୍ଣନା କରିଥିବା ବେଳେ ସାର୍ତ୍ତ୍ରଙ୍କ ମତରେ ଏହା ଏକ ନୈତିକ ବିଫଳତା, ଯାହା କାପୁରୁଷତା, ମହତ୍ତ୍ୱାକାଂକ୍ଷା ଓ ଆତ୍ମ-ପ୍ରତାରଣାର ପରିପ୍ରକାଶ।
କର୍ଣ୍ଣଙ୍କ ପ୍ରତି ମାତା କୁନ୍ତୀଙ୍କର ଏବଂ ରାବଣଙ୍କ ପ୍ରତି ବିଭୀଷଣଙ୍କ ଆଚରଣ ଭାରତୀୟ ପୁରାଣ ଶାସ୍ତ୍ରରେ ବିଶ୍ୱାସଘାତକତାର ଦୁଇଟି ଜ୍ବଳନ୍ତ ଉଦାହରଣ। ପାଶ୍ଚାତ୍ୟ ଧାର୍ମିକ ପରମ୍ପରାରେ ସବୁଠାରୁ ଘୃଣ୍ୟ ବ୍ୟକ୍ତି ହେଉଛନ୍ତି ଜୁଡାସ୍, ଯିଏ ତିରିଶଟି ରୁପା ମୁଦ୍ରା ପାଇଁ ପ୍ରଭୁ ଯୀଶୁଙ୍କ ସହ ବିଶ୍ୱାସଘାତକତା କରିଥିଲେ। ଦାର୍ଶନିକ ମାର୍କୋସ ଅରେଲିଅସ ପତ୍ନୀ ଓ ଘନିଷ୍ଠ ଜେନେରାଲଙ୍କ ବିଶ୍ୱାସଘାତକତାର ସମ୍ମୁଖୀନ ହୋଇଥିଲେ। ଜୁଲିଅସ୍ ସିଜାରଙ୍କ ପ୍ରତି ବ୍ରୁଟସ, ପଲାସି ଯୁଦ୍ଧରେ ସିରାଜ-ଉଦ୍-ଦୌଲାଙ୍କ ପ୍ରତି ମୀର ଜାଫର, ତରାଇ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କ ପ୍ରତି ଜୟଚାନ୍ଦ ଓ ଆମେରିକୀୟ କ୍ରାନ୍ତିଯୁଦ୍ଧରେ କଣ୍ଟିନେଣ୍ଟାଲ୍ ସେନା ପ୍ରତି ବେନେଡିକ୍ଟ ଆର୍ନଲ୍ଡ କରିଥିବା ବିଶ୍ୱାସଘାତକତାକୁ ବିଶ୍ୱ ଇତିହାସର ସବୁଠାରୁ ନିନ୍ଦନୀୟ ରାଜନୈତିକ ବିଶ୍ୱାସଘାତକତାର ଉଦାହରଣ ଭାବେ ଗଣାଯାଏ।
ବିଶ୍ୱାସଘାତକତା ପଛରେ ଥିବା ଉଦ୍ଦେଶ୍ୟଗୁଡ଼ିକ ପ୍ରାୟତଃ ବ୍ୟକ୍ତିଗତ, ଭାବପ୍ରବଣ ଓ ପରିସ୍ଥିତିଗତ ହୋଇଥାଏ, ଯେମିତିକି ଲୋଭ, ଭୟ, ଅହଂସର୍ବସ୍ବ ଚିନ୍ତାଧାରା, ଆଦର୍ଶଗତ ଦ୍ୱନ୍ଦ୍ୱ, ଈର୍ଷା ଓ ଅସନ୍ତୋଷ ମନୋଭାବ। ଏକ ଆଫ୍ରିକୀୟ ପ୍ରବାଦ ଅନୁସାରେ, ‘କୁରାଢ଼ି ଭୁଲିଯାଏ; ଗଛ ମନେ ରଖେ।’ ବିଶ୍ୱାସଘାତକ ଆଗକୁ ବଢ଼ିଯାଏ, କିନ୍ତୁ ବିଶ୍ୱାସଘାତକତାର ଶିକାର ବ୍ୟକ୍ତି ଚିରକାଳ ପାଇଁ ମାନସିକ ଆଘାତର କ୍ଷତକୁ ବହନ କରନ୍ତି। ମନସ୍ତତ୍ତ୍ୱବିତ୍ ଡକ୍ଟର କାର୍ମେନ୍ ହାରାଙ୍କ ମତରେ, ‘ଭାବନାକୁ ନିୟନ୍ତ୍ରଣ କରିବା ହେଉଛି ବିଶ୍ୱାସଘାତକତାର କଷ୍ଟକୁ ଦୂର କରିବାର ଚାବିକାଠି। ବିଶ୍ୱାସଘାତକତାକୁ ସ୍ୱୀକାର କରିବା ଓ ମୁକାବିଲା କରିବା, କ୍ଷତିକାରକ ଆଚରଣର ସ୍ପଷ୍ଟ ସୀମା ସ୍ଥିର କରିବା, ନିଜର ଯତ୍ନ ନେବା ଏବଂ ବନ୍ଧୁ, ପରିବାର ଓ ଚିକିତ୍ସକଙ୍କୁ ନେଇ ଏକ ସହାୟକ ଗୋଷ୍ଠୀ ଗଠନ କରିବା ହେଉଛି ସେହି ଭିତ୍ତିଭୂମି ଯାହା ଉପରେ ବିଶ୍ୱାସର ପୁନଃପ୍ରତିଷ୍ଠା କରାଯାଇପାରିବ।
ବିଶ୍ୱାସଘାତକତା ଦୁଇ ଧାରଯୁକ୍ତ ଏକ ଶାଣିତ ଖଡ୍ଗ ପରି। ‘ଦ୍ରୋହିଣାଂ ନ’ତୁ ବିଶ୍ରାନ୍ତିଃ’, ଅର୍ଥାତ୍ ବିଶ୍ୱାସଘାତକ ଶାନ୍ତି ହରାଏ। ଲଜ୍ଜା, ଆତ୍ମଗ୍ଳାନି, ଅପରାଧବୋଧ ଭାବନାର ବୋଝରେ ଶାରୀରିକ, ନୈତିକ ଓ ଅସ୍ତିତ୍ୱ ସଙ୍କଟ ସୃଷ୍ଟି ହୁଏ। ବିଶ୍ୱାସଘାତକତା ଏକ ବ୍ୟାଧି। ଏହି ସତ୍ୟକୁ ଗ୍ରହଣ କରି ଏହାର ପ୍ରଭାବ ବିଷୟରେ ଖୋଲା ଆଲୋଚନା କରିବା ଏବଂ ନିରାକରଣ ପାଇଁ ବିନା ଦ୍ବିଧାରେ ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତା ନେବା ଅପରିହାର୍ଯ୍ୟ। ତା’ହେଲେ ହିଁ ବିଶ୍ବାସ ଉପରେ ବିଶ୍ବାସର ପୁନଃସ୍ଥାପନ ସମ୍ଭବ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭