ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଦ୍ଧା, କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା, ପ୍ରଗତିଶୀଳ ସାହିତ୍ୟିକ, ଶିକ୍ଷା ବିକାଶର ବିନ୍ଧାଣି ରୂପେ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ରାଜ୍ୟର ଦରିଦ୍ର, ନିଷ୍ପେଷିତ, ଶୋଷିତ ଜନସାଧାରଣଙ୍କ ହୃଦୟରେ ଆଜି ମଧ୍ୟ ବଞ୍ଚି ରହିଛନ୍ତି। ଯିଏ ଥରେ ତାଙ୍କୁ ଦେଖିଛି, ତାଙ୍କ ସହିତ ମିଶିଛି, ସେ ଜୀବନରେ ତାଙ୍କୁ ଭୁଲିପାରିବ ନାହିଁ। 
ମୁକ୍ତି ସଂଗ୍ରାମରେ ଯେଉଁମାନେ ପ୍ରବାଦ ପୁରୁଷ ରୂପେ ଗଣ୍ୟ ହେଉଛନ୍ତି, ପ୍ରାଣନାଥ ସେମାନଙ୍କ ମଧ୍ୟରେ ଅନ୍ୟତମ। ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ସେ ସରକାରୀ ଚାକିରି ପ୍ରତି ମନ ନ ବଳାଇ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଓଡ଼ିଶାର ବୀରଭୂମି ରୂପେ ପରିଚିତ ଖୋର୍ଦ୍ଧାକୁ ନିଜର କର୍ମସ୍ଥଳୀ ରୂପେ ବାଛି ନେଇଥିଲେ। ଇତିହାସ କହେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସ୍ୱର ଖୋର୍ଦ୍ଧା ମାଟିର ପାଇକମାନଙ୍କର ପ୍ରତିରୋଧ ସଂଗ୍ରାମ ଜରିଆରେ ଶୁଣାଯାଇଥିଲା। ଏହି ପୁରାତନ ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରାଣନାଥ ବାବୁ ଖୋର୍ଦ୍ଧାର ପାଇକମାନଙ୍କୁ ମେଳି କରାଇ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ପାଇକମାନେ ନିଜର ପାରମ୍ପରିକ ଖଣ୍ଡା, ଢାଲ, ତରବାରି ହାତରେ ଧରି ଖୋର୍ଦ୍ଧାର ରାଜରାସ୍ତା ଉପରେ ପଟୁଆର କରି ଗଲାବେଳେ ସେମାନଙ୍କ ମନରେ ବ୍ରିଟିସ୍‌ ସରକାର ପ୍ରତି ରହିଥିବା ଭୟ ସମ୍ପୂର୍ଣ୍ଣ ଦୂର ହୋଇଯାଇଥିଲା। ଏହା ହିଁ ଥିଲା ସଂଗ୍ରାମୀ ପ୍ରାଣନାଥଙ୍କର ରାଜନୀତି କ୍ଷେତ୍ରରେ ପ୍ରଥମ ପରିଚୟ। ବ୍ରିଟିସ୍‌ ସରକାରର ଆଖିରେ ସେ ହୋଇଥିଲେ ପ୍ରଥମ ରାଜଦ୍ରୋହୀ। ଗୋରା ସରକାର ତାଙ୍କ ଉପରେ ଦମନଲୀଳା ଚଳାଇଥିଲେ। ବିଭିନ୍ନ ସମୟରେ ତାଙ୍କୁ ବନ୍ଦୀ କରି ଦୀର୍ଘ ବର୍ଷ ଜେଲ୍‌ରେ ରଖିଥିଲେ। ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ସେ ଥିଲେ ଅନ୍ୟତମ ପ୍ରେରଣାଦାତା ଓ ପୁରୋଧା। ବ୍ରିଟିସ୍‌ ପଲିଟିକାଲ୍ ଏଜେଣ୍ଟ ବେଜେଲ୍‌ଗେଟ୍ ହତ୍ୟା ମାମଲାରେ ତାଙ୍କୁ ଯୋଡ଼ିବାର ଷଡ୍‌ଯନ୍ତ୍ର ହୋଇଥିଲା, କିନ୍ତୁ ତାହା ସଫଳ ହୋଇନଥିଲା। ସେହି ମାମଲାକୁ ପରିଚାଳନା କରିବା ପାଇଁ ଯେଉଁ ଡିଫେନ୍‌ସ କମିଟି ଗଠିତ ହୋଇଥିଲା, ସେ ଥିଲେ ତାହାର ପ୍ରତିଷ୍ଠାତା ଓ ମୁଖ୍ୟ ଉଦ୍ୟୋକ୍ତା। କଟକରୁ ପ୍ରତିଷ୍ଠିତ ଆଇନ୍‌ଜୀବୀମାନଙ୍କୁ ନେଇ ସେ ମାମଲା ପରିଚାଳନା କରିଥିଲେ। ଜାତୀୟ ମୁକ୍ତି ଆନ୍ଦୋଳନ, କୃଷକ ଆନ୍ଦୋଳନ, ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ, ଜମିଦାରୀ ପ୍ରଥା ବିରୋଧରେ ଲଢ଼େଇ କରି ସେ ସମୁଦାୟ ଦଶ ଥର କାରାବରଣ କରିଥିଲେ। ଭାଗଚାଷୀ ଆନ୍ଦୋଳନ ଯୋଗୁଁ ତାଙ୍କୁ ଲଙ୍ଗଳ ଚୋରି ମାମଲାରେ ଅଭିଯୁକ୍ତ କରାଯାଇଥିଲା। ଓଡ଼ିଶାରେ ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମାଳତୀ ଚୌଧୁରୀ, ମୋହନ ଦାସ, ସୁରେନ୍ଦ୍ର ଦ୍ୱିବେଦୀ ପ୍ରମୁଖଙ୍କ ସହ ମିଳିତ ହୋଇ ସେ କଂଗ୍ରେସ-ସୋସାଲିଷ୍ଟ ପାର୍ଟି ଗଠନ କରିଥିଲେ ଏବଂ ଏହି ସଂଗଠନର ପ୍ରଥମ ସଭାପତି ଥିଲେ। 
ପ୍ରସିଦ୍ଧ ଜାତୀୟ ଶିକ୍ଷାନୁଷ୍ଠାନ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କଲାବେଳେ ସେ ସମାଜବାଦ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ଏବଂ ତାଙ୍କର ଗୁରୁ ଥିଲେ ଆଚାର୍ଯ୍ୟ ନରେନ୍ଦ୍ର ଦେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ କାଶୀ ବିଦ୍ୟାପୀଠରେ ପ୍ରାଣନାଥଙ୍କ ସହପାଠୀ ଥିଲେ। ଗଡ଼ଜାତ ରାଜାମାନଙ୍କ ବିରୋଧରେ ଆନ୍ଦୋଳନ ଓ ମୋଗଲବନ୍ଦୀ ଅଞ୍ଚଳରେ ଜମିଦାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ନେଇଥିଲା। ୧୯୩୬ରେ ଓଡ଼ିଶାରେ କୃଷକ ସଂଗଠନ ବିଧିବଦ୍ଧ ଭାବରେ ଗଠିତ ହୋଇଥିଲା। ଏହାର ମୁଖ୍ୟ କର୍ତ୍ତା ଭାବରେ ପ୍ରାଣନାଥ ଦୀର୍ଘ ବର୍ଷ ଧରି କୃଷକ ସଭାର ସଭାପତି ଥିଲେ। ମାର୍କ୍ସବାଦର ବୈଜ୍ଞାନିକ ସାମ୍ୟବାଦ ତତ୍ତ୍ୱରେ ଅନୁପ୍ରାଣିତ ହୋଇ କଲିକତାରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ପଦ ଗ୍ରହଣ କରିଥିଲେ। ପରେ ପରେ ପ୍ରାଣନାଥ, ଗୁରୁଚରଣ ଓ ଭଗବତୀ ପାଣିଗ୍ରାହୀଙ୍କୁ ନେଇ ଓଡ଼ିଶାରେ ଗୁପ୍ତ କମ୍ୟୁନିଷ୍ଟ ପାର୍ଟି ଗଠିତ ହୋଇଥିଲା। ସେହି ଦୃଷ୍ଟିରୁ ରାଜ୍ୟରେ କମ୍ୟୁନିଷ୍ଟ ଆନ୍ଦୋଳନର ସେ ଥିଲେ ଅନ୍ୟତମ ଆଦ୍ୟ ସ୍ରଷ୍ଟା। ସ୍ୱାଧୀନତା ପରେ ମଧ୍ୟ ସେ ଦୀର୍ଘଦିନ ଆତ୍ମଗୋପନ କରି ରହିବା ପରେ ୧୯୪୮ରୁ ୧୯୫୨ ମସିହା ପର୍ଯ୍ୟନ୍ତ ଅଟକବନ୍ଦୀ ଥିଲେ ା 
ପ୍ରାଣନାଥ ଥିଲେ ଜଣେ ଉଚ୍ଚକୋଟୀର ପ୍ରଗତିଶୀଳ ଲେଖକ ଓ ଚିନ୍ତାନାୟକ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ସେହି କ୍ରାନ୍ତିର ଭାବଧାରାକୁ ବିଶ୍ଳେଷଣ କରି ରଚନା କରିଥିଲେ ‘ଆସନ୍ତାକାଲିର ସାହିତ୍ୟ’। ଶିକ୍ଷାର ବିକାଶ ନ ଘଟିଲେ ସ୍ୱାଧୀନତା ମୂଲ୍ୟହୀନ, ଏହା ଉପଲବ୍‌ଧି କରି ଶିକ୍ଷାର ପ୍ରସାର ପାଇଁ ସେ ଦୁଇ ଦୁଇଟି ହାଇସ୍କୁଲ୍ ପ୍ରତିଷ୍ଠା ସହ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପ୍ରତିଷ୍ଠା କରିଥିଲେ ବିଶାଳ କଲେଜ, ଯାହା ତାଙ୍କ ମୃତ୍ୟୁ ପରେ ପ୍ରାଣନାଥ ସ୍ୱୟଂଶାସିତ କଲେଜ ନାମରେ ନାମିତ ହୋଇ ‘ନାକ୍’ ଟିମ୍ ଦ୍ୱାରା ‘ଏ’ ଗ୍ରେଡ୍ କଲେଜର ମାନ୍ୟତା ହାସଲ କରିଛି। ଜୀବଦ୍ଦଶାରେ ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାର ସ୍ୱପ୍ନ ଦେଖୁଥିବା ଅବସ୍ଥାରେ ଆଜିକୁ ୫୪ ବର୍ଷ ପୂର୍ବେ କଲିକତାରେ ତାଙ୍କର ଦେହାନ୍ତ ସେହି ସ୍ୱପ୍ନକୁ ଅଧୁରା ରଖିଦେଲା। ପ୍ରାଣନାଥ ପଟ୍ଟନାୟକ କେବଳ ଏକ ନାମ ନୁହେଁ, ଏହା ଏକ କ୍ରାନ୍ତିକାରୀ ସଂଗଠନ, ଏକ କ୍ରାନ୍ତିକାରୀ ତତ୍ତ୍ୱ, କ୍ରାନ୍ତିକାରୀ ଇତିହାସ, ଆଗକୁ ଆଲୋକ ଦେଖାଉଥିବା ଏକ ଉଜ୍ଜ୍ୱଳ ନକ୍ଷତ୍ର। 
(ବିପ୍ଳବୀ ପ୍ରାଣନାଥଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)
ପୂର୍ବତନ ମନ୍ତ୍ରୀ