ସାମାଜିକ ନ୍ୟାୟ ନେଇ ଶିଳ୍ପର ଦୁର୍ବଳ ରେକର୍ଡ

ଅରୁଣ ସିହ୍ନା

ଉଦାରୀକରଣ ବ୍ୟବସ୍ଥାର ପରବର୍ତ୍ତୀ ସମୟରେ ନିଯୁକ୍ତି ସଂକୁଚିତ ହୋଇଯାଇଛି। ସରକାର ଧୀରେ ଧୀରେ ଲାଇସେନ୍‌ସ-ପରମିଟ୍‌ ରାଜ୍‌ କାଳରେ ପ୍ରାପ୍ତ କ୍ଷମତାଗୁଡ଼ିକୁ ହରାଇବାରେ ଲାଗିଛନ୍ତି, ତେଣୁ ତାହାକୁ ଲାଗୁ କରିବା ଲାଗି ଏତେ ସଂଖ୍ୟକ ଲୋକଙ୍କର ଆଉ ଆବଶ୍ୟକତା ନାହିଁ। ମାନବ ସମ୍ବଳ ହ୍ରାସ କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବିନିଯୋଗ ହେଉଛି। ସରକାର ନିଜର ଉଦ୍ୟୋଗଗୁଡ଼ିକୁ ବିକି ଚାଲିଛନ୍ତି। ଘରୋଇ କ୍ଷେତ୍ରର ପ୍ରସାରଣ ଫଳରେ ଅଧିକରୁ ଅଧିକ ନିଯୁକ୍ତି ସେଠାକୁ ଚାଲିଯାଇଛି। ଏ ପରିପ୍ରେକ୍ଷୀରେ ଭାରତ ଭଳି ରାଷ୍ଟ୍ର ପାଇଁ ଏକ ସମସ୍ୟା ଉଭା ହୋଇଛି: ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଆଶାୟୀମାନେ କୋଉଠି ସ୍ଥାନ ପାଇବେ? ବ୍ୟାବସାୟିକ ସଂଗଠନ ‘ଫିକ୍କି’ର କହିବା ଅନୁସାରେ, ଘରୋଇ କ୍ଷେତ୍ରରେ ଆରକ୍ଷଣକୁ ଅନୁମତି ଦିଆଯାଉନାହିଁ, କାରଣ ଏଭ​ଳି କଲେ ଭାରତୀୟ ଉଦ୍ୟୋଗରେ ‘ଯୋଗ୍ୟତା ଓ ପ୍ରତିସ୍ପର୍ଦ୍ଧା’ ସହିତ ସାଲିସ ହେବ। ସେହି ଉଦ୍ୟୋଗ ଶୀର୍ଷ ନେତୃତ୍ବ ପାଇଁ ପୃଷ୍ଠପୋଷକଙ୍କ ପୁଅ କି ଝିଅକୁ ଚୟନ କଲାବେଳେ ଯୋଗ୍ୟତାକୁ ଉପେକ୍ଷା କରିବା ହେଉଛି ତାହାର ଘୋର ଛଳନାର ଏକ ପ୍ରମାଣ, ମାତ୍ର ସେକଥାକୁ ଆମେ ଏଇଠି ଛାଡ଼ିଦେବା। ସମାଜରେ ନିମ୍ନ ବର୍ଗ ଭୋଗିଥିବା ଐତିହାସିକ ତ୍ରୁଟିକୁ ସୁଧାରିବା ଲାଗି ଉଦ୍ୟୋଗ କ୍ଷେତ୍ର କ’ଣ କରି ଆସୁଛି, ତାହା ଉପରେ ଧ୍ୟାନ ଦିଆଯାଉ। ଆମେ ସାମାଜିକ ଅନ୍ୟାୟର କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିବା।

ଏକ ସମତାମୂଳକ ସମାଜ ନିର୍ମାଣ କରିବା କ’ଣ ଘରୋଇ କ୍ଷେତ୍ରର କର୍ତ୍ତବ୍ୟ ନୁହେଁ? ସମାବେଶୀ ଅଭିବୃଦ୍ଧି ପାଇଁ ଏହା କ’ଣ ପ୍ରତିଶ୍ରୁତିବଦ୍ଧ ରହିବା ଉଚିତ ନୁହେଁ? ଏହା ସରକାରୀ ପାଣ୍ଠିରୁ କମ୍‌ ମୂଲ୍ୟରେ ଜମି, ସବ୍‌ସିଡି, ପ୍ରୋତ୍ସାହନ ଓ କର ରିହାତି ଆଦି ଭାରୀ ଲାଭ ଉଠାଉଥିବା ବେଳେ ତଳ ପାହାଚରେ ଥିବା ଲୋକଙ୍କ ସମୃଦ୍ଧି ବିନା ଏହା କ’ଣ କେବଳ ନିଜ ସମୃଦ୍ଧି କଥା ଚିନ୍ତା କରିବା ଉଚିତ?

ଘରୋଇ ଉଦ୍ୟୋଗ ଆରକ୍ଷଣ ଦେଇ ନ ପାରନ୍ତି। ମାତ୍ର ପଛୁଆ ବର୍ଗଙ୍କୁ ସୁଯୋଗ ଦେବା ଲାଗି ‘ସକାରାତ୍ମକ ଭେଦଭାବ’ ଓ ସମାନ ସୁଯୋଗ ଭଳି ନୀତି ସେମାନେ ଅନୁସରଣ କରୁଛନ୍ତି କି? ସକାରାତ୍ମକ ଭେଦଭାବ ଏପରି ଏକ ନୀତି ଯାହାକୁ ଅନୁସରଣ କରି ପାଶ୍ଚାତ୍ୟ ରାଷ୍ଟ୍ରର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଜାତିଗତ ଅଳ୍ପସଂଖ୍ୟକଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଉଛି। ପାଶ୍ଚାତ୍ୟ ବ୍ୟବସାୟ କ୍ଷେତ୍ରରେ ଶ୍ବେତାଙ୍ଗ ପରି ପ୍ରମୁଖ ସମୁଦାୟଙ୍କ ସପକ୍ଷରେ ପୂର୍ବାଗ୍ରହ ପ୍ରଦର୍ଶନ କରାଯାଉଥିଲା। ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଜାତି ସପକ୍ଷରେ ପୂର୍ବାଗ୍ରହ ଦେଖାଯାଉଛି। ତେଣୁ ସେମାନେ ନିଜେ ସଂସ୍କାର ଆଣିବା ଆବଶ୍ୟକ।
ଭାରତୀୟ ଘରୋଇ କ୍ଷେତ୍ରରେ ଉଦ୍ୟୋଗୀ ଏବଂ ଶୀର୍ଷ କାର୍ଯ୍ୟନିର୍ବାହୀମାନେ ମୁଖ୍ୟତଃ ସବର୍ଣ୍ଣ ଶ୍ରେଣୀର ହୋଇଥିବା ଦେଖିବାକୁ ମିଳେ। ଉଚ୍ଚ ସ୍ଥାନରେ ଆସୀନ ହେବା ପାଇଁ ସେମାନେ ଐତିହାସିକ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି। ସେମାନଙ୍କୁ ସାହାଯ୍ୟ ଓ ସୁପାରିସ କରିବା ଲାଗି ପ୍ରତି ସ୍ଥାନରେ ଲୋକ ରହିଥିବାର ଲାଭ ମଧ୍ୟ ସେମାନେ ଉଠାଉଛନ୍ତି। ଏହା ଦ୍ବାରା ଶୁଦ୍ରମାନେ କ୍ଷତିଗ୍ରସ୍ତ ହେଉଛନ୍ତି; କାରଣ ଶୈକ୍ଷିକ, ପାରିବାରିକ ଓ ସାଂସ୍କୃତିକ ପୃଷ୍ଠଭୂମିର ଅଭାବ ସାଙ୍ଗକୁ ସବର୍ଣ୍ଣମାନଙ୍କ ପ୍ରତି ଉଚ୍ଚ ସ୍ତରର ଅଧିକାରୀଙ୍କ ସୁପାରିସ ମଧ୍ୟ ସେମାନଙ୍କ ଲାଗି ବାଧକ ସାଜୁଛି।

୨୦୧୮ରେ ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସ୍ଥାୟୀ ବିକାଶ କେନ୍ଦ୍ର ଦ୍ବାରା ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଵାର୍କିଂ ଇଣ୍ଡିଆ’ ଅନୁସାରେ, ଉଚ୍ଚ ବେତନର ପଦ (ବୃତ୍ତିଧାରୀ ଓ ବରିଷ୍ଠ ପ୍ରବନ୍ଧକ)ରେ ଉଚ୍ଚ ଜାତିର ଅଧିକ ପ୍ରତିନିଧିତ୍ବ ରହି ଆସିଛି ଏବଂ ନିମ୍ନ ବେତନର ପଦ (ପ୍ରାରମ୍ଭିକ ବ୍ୟବସାୟ)ରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ଅଧିକ ପ୍ରତିନିଧିତ୍ବ ରହିଛି। ଏହାକୁ ସମାବେଶୀ ବିକାଶ ବୋଲି କଦାପି କୁହାଯାଇପାରିବ ନାହିଁ। “ସକାରାତ୍ମକ ଭେଦଭାବ’ ନୀତି ଲାଗୁ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ଦ୍ବାରା ଶିଳ୍ପ କ୍ଷେତ୍ରର ହିଁ କ୍ଷତି ହେବ। ସାର୍ବଜନୀନ ଚାକିରି ଓ ମହାବିଦ୍ୟାଳୟ ନାମଲେଖାରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ରଖିବାର କାରଣ ହେଲା, ସେହି ସବୁ ଜାତିର ସାମୂହିକ ଅସନ୍ତୋଷକୁ ବିସ୍ଫୋରଣ ହେବାରୁ ରୋକିବା। ଅନ୍ୟଥା ଏହା ଦେଶର ସ୍ଥିରତା ଓ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ।

କଂଗ୍ରେସ ଦ୍ବାରା ଅର୍ଥବ୍ୟବସ୍ଥାକୁ ମୁକ୍ତ କରିବାର ପ୍ରାୟ ଏକ ଦଶନ୍ଧି ପରେ ଦଳ ନିମ୍ନ ଜାତିମାନଙ୍କରେ ଏହି କ୍ରମବର୍ଦ୍ଧିଷ୍ଣୁ ଅସନ୍ତୋଷକୁ ଅନୁଭବ କରିଥିଲା ଯେ ସାର୍ବଜନୀନ କ୍ଷେତ୍ରର ସଂକୋଚନ ଓ ଘରୋଇ କ୍ଷେତ୍ରର ବିସ୍ତାର ଯୋଗୁଁ ନିମ୍ନ ବର୍ଗମାନେ ରୋଜଗାର ମାମଲାରେ କ୍ଷତିଗ୍ରସ୍ତ ହେଉଛନ୍ତି। ‘ଉଦାରୀକରଣରେ ଆମ ପାଇଁ କ’ଣ କେବଳ ବହିଷ୍କାର ରହିଛି?’ ଏହି ପ୍ରଶ୍ନ ସେହି ବର୍ଗର ପ୍ରମୁଖ ସ୍ବର ହେବା ସହ ସେତେବେଳେ ଘରୋଇ କ୍ଷେତ୍ରରେ ଆରକ୍ଷଣ ପାଇଁ ଦାବି କରାଯାଇଥିଲା। ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ୨୦୦୬ରେ ମନମୋହନ ସିଂହଙ୍କ ସରକାର ଘରୋଇ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ‘ସକାରାତ୍ମକ ଭେଦଭାବ’ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକ ସମନ୍ବୟ ସମିତି ଗଠନ କରିଥିଲେ। ଉଭୟ ପୀଡ଼ିତ ବର୍ଗ ଓ ଘରୋଇ ଶିଳ୍ପକୁ ଖୁସି କରିବା ଲାଗି ସରକାର ‘ସକାରାତ୍ମକ ଭେଦଭାବ’ ରୂପରେ ଏକ ମଧ୍ୟବର୍ତ୍ତୀ ରାସ୍ତା ବାଛିଥିଲେ। ପୀଡ଼ିତ ବର୍ଗଙ୍କ ଅସନ୍ତୋଷକୁ ହ୍ରାସ କରିବା ଲାଗି ଏହା ବ୍ୟବସାୟୀ ବର୍ଗଙ୍କ ପାଇଁ ଏକପ୍ରକାର ମାର୍ଗଦର୍ଶନ ଥିଲା, ମାତ୍ର ବାଧ୍ୟବାଧକତା ନୁହେଁ। ‘ଫିକ୍କି’, ‘ଆସୋଚାମ୍‌’ ଓ ‘ସିଆଇଆଇ’ ପରି ବ୍ୟବସାୟ ସଂଗଠନର ଶୀର୍ଷ ନେତାମାନେ ଏହି ସମିତିରେ ଯୋଗ ଦେଇଥିଲେ। ଏହି ସମିତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ କାମ କରୁଥିଲା ଏବଂ ସ୍ବେଚ୍ଛାରେ ‘ସକାରାତ୍ମକ ଭେଦଭାବ’ ଲାଗୁ କରିବା ପାଇଁ ସହମତ ଥିଲା। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଶିକ୍ଷା, ରୋଜଗାର କ୍ଷମତା, ରୋଜଗାର ଓ ଉଦ୍ୟମିତା ଆଦି ୪ଟି ‘ଇ’ ଦିଗରେ କାମ କରିବା ଲାଗି ସଦସ୍ୟମାନଙ୍କ ପ୍ରତିବଦ୍ଧତା ଉଦ୍ଦେଶ୍ୟରେ ଏକ ସ୍ବେଚ୍ଛାକୃତ ଆଚାର ସଂହିତା (ଭିସିସି) ପ୍ରସ୍ତୁତ କରାଯାଇଥିଲା।
ତେବେ ଶିଳ୍ପ କ୍ଷେତ୍ର ଦ୍ବାରା ଗୃହୀତ ‘ସକାରାତ୍ମକ ଭେଦଭାବ’ ନୀତିର ପ୍ରଗତି କ୍ବଚିତ ଉଲ୍ଲେଖନୀୟ ହୋଇପାରିଛି। ଉକ୍ତ ସମିତି ଗଠନର ୧୩ ବର୍ଷ ପରେ ୨୦୧୯ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତିନିଟି ଯାକ ବ୍ୟବସାୟ ସଂଗଠନ ଅଧୀନ ମୋଟ ୧୭,୭୮୮ ସଦସ୍ୟ ପ୍ରତିଷ୍ଠାନ ମଧ୍ୟରୁ କେବଳ ୧୯ ପ୍ରତିଶତ ହିଁ ଭିସିସିକୁ ଆପଣେଇଛନ୍ତି। ଏପରିକି ଏହି କମ୍ପାନିମାନେ ଶିକ୍ଷା, ରୋଜଗାର କ୍ଷମତା ଓ ଉଦ୍ୟମିତା ପ୍ରତି ଗୁରୁତ୍ବ ଦେଇଥିଲେ ହେଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ରୋଜଗାର ଦିଗକୁ ଅଣଦେଖା କରିଛନ୍ତି।

ସେମାନେ ୩,୧୧,୨୧୮ ଜଣ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ମାଗଣା ଶିକ୍ଷା, କୋଚିଂ ଓ ବୃତ୍ତି ବ୍ୟବସ୍ଥା କରିଛନ୍ତି, ୬,୫୩,୩୪୭ ଜଣଙ୍କୁ ବୈଷୟିକ ତାଲିମ, ୧୮,୯୦୧ ଜଣଙ୍କୁ ଉଦ୍ୟମିତା ପ୍ରଶିକ୍ଷଣ ଏବଂ ୧,୨୭,୯୭୩ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏଇ ୧୩ ବର୍ଷର ସମୟଖଣ୍ଡକୁ ବିଚାର କଲେ ସେମାନେ ବାର୍ଷିକ ୯,୮୪୪ ଜଣ ଏସ୍‌ସି/ଏସ୍‌ଟି ଆଶାୟୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା କ’ଣ ଏକ ଗରିମାମୟ ସଂଖ୍ୟା? ଶିଳ୍ପ, ସମାଜରେ ସଂରଚନାତ୍ମକ ପରିବର୍ତ୍ତନକୁ ଆଗେଇ ନେଉଛି ବୋଲି ଏହା ପ୍ରମାଣିତ କରୁଛି କି? ଉଦ୍ୟୋଗ ପକ୍ଷରୁ ବାର୍ଷିକ ନିଯୁକ୍ତି ପାଇଥିବା ସେହି ୯,୮୪୪ ଜଣ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରଘଟ କରାଯାଇନାହିଁ। ସେମାନେ କ’ଣ ବାର୍ଷିକ ଶିକ୍ଷା ଓ ପ୍ରଶିକ୍ଷଣ ପାଇଥିବା ୯୩,୦୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି? ନା ସେମାନେ ସ୍ବାଭାବିକ ଭାବେ ସ୍ବଳ୍ପ ବେତନଯୁକ୍ତ ଚାକିରିରେ ରଖାଯାଇଥିବା ଏସ୍‌ସି/ଏସ୍‌ଟି ଆଶାୟୀ, ଯେଉଁମାନଙ୍କୁ ‘ସକାରାତ୍ମକ ଭେଦଭାବ’ ନୀତି ଅଧୀନରେ ପରିଗଣିତ କରାଯାଇଛି? ସେଥିରେ ଠିକାଦାରଙ୍କ ସଂଖ୍ୟା ମଧ୍ୟ ଯୋଡ଼ାଯାଇଛି କି?

ଏ କଥା ସ୍ପଷ୍ଟ ଯେ, ‘ସକାରାତ୍ମକ ଭେଦଭାବ’ ନାଁରେ ଶିଳ୍ପ କ୍ଷେତ୍ରରେ ଯାହା କରାଯାଉଛି, ତାହା ସମାଜକୁ ପରିବର୍ତ୍ତନ କରିବା ପାଇଁ ନୁହେଁ, ବରଂ ତାହା ବଦାନ୍ୟତାର ଅନ୍ୟ ଏକ ରୂପ ମାତ୍ର। ନବଉଦାରବାଦୀ ଅର୍ଥବ୍ୟବସ୍ଥାରେ ସେମାନେ ହେଉଛନ୍ତି ରୋଜଗାର ସୃଷ୍ଟିକାରୀ; ସେମାନେ ବର୍ଷ ବର୍ଷ ଧରି ପିନ୍ଧିଥିବା କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ବର ପ୍ରତୀକକୁ ଅତିକ୍ରମ କରିବାକୁ ହେବ। ବଦାନ୍ୟତାର ଯୁଗ ସମାପ୍ତ ହୋଇଗଲାଣି। ଏବେ ହେଉଛି ସାମାଜିକ ନ୍ୟାୟର ଯୁଗ। ସାମାଜିକ ବର୍ଣ୍ଣବୈଷମ୍ୟ ଦୂର କରିବା ଲାଗି ସେମାନଙ୍କୁ ସରକାରଙ୍କ ଭାଗୀଦାର ହେବାକୁ ପଡ଼ିବ।

ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇବା ଲାଗି ନିମ୍ନ ଜାତିର ପ୍ରାର୍ଥୀଙ୍କୁ ଦୁଇ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମଟି ହେଉଛି ବହିଷ୍କରଣ; ନିଯୁକ୍ତି ଓ ଠିକା ଆଦି ଉଚ୍ଚ ଜାତି ଦ୍ବାରା ନିୟନ୍ତ୍ରିତ ହେଉଛି। ଶିଳ୍ପକ୍ଷେତ୍ରକୁ ସେହି ପ୍ରଥାରେ ପରିବର୍ତ୍ତନ ଆଣିବାକୁ ହେବ। ଏହାର ନିଯୁକ୍ତି ଓ ବାହ୍ୟଉତ୍ସରୁ ଆହରଣ (ଆଉଟ୍‌ସୋର୍ସିଂ) ନୀତି ସାମାଜିକ ସମାନତାର ସିଦ୍ଧାନ୍ତ ଦ୍ବାରା ସଚେତ ରୂପରେ ଦିଗ୍‌ଦର୍ଶିତ ହେଉଛି ବୋଲି ସୁନିଶ୍ଚିତ କରିବାକୁ ହେବ। ଦ୍ବିତୀୟ ସମସ୍ୟାଟି ହେଉଛି ସ୍ବଳ୍ପ-ବେତନ ନିଯୁକ୍ତିରେ ନିମ୍ନ ଜାତିର ପ୍ରାର୍ଥୀଙ୍କ ‘ମାତ୍ରାଧିକ ପ୍ରତିନିଧିତ୍ବ’। ଶିଳ୍ପରେ ଉଚ୍ଚ ବେତନଯୁକ୍ତ ନିଯୁକ୍ତିରେ ନିମ୍ନ ଜାତିର ପ୍ରାର୍ଥୀଙ୍କୁ ଗ୍ରହଣ କରିବା ଦରକାର। ଉଚ୍ଚ ପଦ ପାଇଁ ନିମ୍ନ ଜାତିର କର୍ମଚାରୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ କରିବା ଜରୁରୀ ଏବଂ ତାହା ଏପରି ସଂଖ୍ୟାରେ ହେବା ଦରକାର ଯେପରି ସବର୍ଣ୍ଣଙ୍କର ପ୍ରଭୁତ୍ବ ଶେଷ ହୋଇଯିବ। ତାହା ହିଁ ଭାରତୀୟ ଉଦ୍ୟୋଗକୁ ‘ପରୋପକାର’ରୁ ‘ସାମାଜିକ ନ୍ୟାୟ’ ଆଡ଼କୁ ଅଗ୍ରସର କରାଇବ।
[email protected]

ସମ୍ବନ୍ଧିତ ଖବର