ସତ୍ୟନାରାୟଣ ଗନ୍ତାୟତ
‘ସରଳ ଜୀବନ, ଉଚ୍ଚ ଚିନ୍ତନ’ ଭଳି କଥାଟି ଯେଡ଼େ ସରଳ ଓ ସହଜ ଲାଗୁଥିଲେ ହେଁ ଅସଲରେ ସେମିତି ନୁହଁଇ! ଜିଇବାକୁ ହେଲେ ତ ନିହାତି ଆବଶ୍ୟକ ଅନ୍ନ-ବସ୍ତ୍ର-ବାସ। ତେଣିକି ଆଉ ସବୁ କଥା!
ଆଉ ସବୁ କଥା ଭୁଲି ଯାଆନ୍ତୁ; କେବଳ ଅନ୍ନ-ବସ୍ତ୍ର-ବାସ କଥା ବିଚାରକୁ ନେବା। ଏ ପ୍ରସଙ୍ଗରେ ଆମର ଜନୈକ ସାଙ୍ଗର ବାପା ମନେ ପଡୁଛନ୍ତି। ଦେଖିବାକୁ ବପୁବନ୍ତ ଓ ଚାକିରିରେ ପୁଲିସ ବିଭାଗର ବଡ଼ ଅଧିକାରୀ, ହେଲେ ତାଙ୍କ ଖାଦ୍ୟାଭାସ ବୋଇଲେ ଶୁଦ୍ଧ ଶାକାହାରୀ, ପୁଣି ରୁଟି ବା ପରଟା ଓ ସନ୍ତୁଳା। ପର୍ବପର୍ବାଣିଜନିତ ଓ ଦାପ୍ତରିକ ବାଧ୍ୟବାଧକତାକୁ ବାଦ ଦେଲେ ବାରମାସୀ ଅଷ୍ଟକାଳି ଦିବାନିଶି ତାହା ହିଁ ଖାଦ୍ୟ। ଅବଶ୍ୟ ଏ ନେଇ ପରିବାର ଜନ, ବିଶେଷ କରି ଆଦରଣୀୟା ମାଉସୀଙ୍କ ପ୍ରବଳ ଜିଦ ଜିଗରାଦି ଆଗରେ ନଇଁ ଯାଇ ମଉସା ସାଲାଡ୍, ପାଚିଲା ଫଳ ଓ ଦେଶୀ ଗାଈର କ୍ଷୀର ଗ୍ରହଣ କରିବାକୁ କୁଆଡ଼େ ବାଧ୍ୟ ହୋଇଥିଲେ।
ଅବସର ଗ୍ରହଣ କରିବାର ଠିକ୍ ପୂର୍ବରୁ ମଉସା ସ୍ଥାନୀୟ ସ୍ତରରେ ଆୟୋଜିତ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ବିଗତ ବର୍ଷର ଚମ୍ପିଆନ ତାଙ୍କ ନାତି ବୟସର କଲେଜ ପଢୁଆ ଟୋକାଟି ସହ ଫାଇନାଲରେ ଦମଦାର ଖେଳି କଡ଼ା ଟକ୍କର ଦେଇ ସଭିଁଙ୍କୁ ଚମକାଇ ଦେଇଥିଲେ। ମଉସା ପାଇଥିଲେ ରନର୍ସ ଅପ ଟ୍ରଫି। ଏବଂ ଦର୍ଶକଙ୍କ ଘନ ଘନ କରତାଳି ମଧ୍ୟରେ ବିଜେତା ଟୋକାଟି ଆସି ତାଙ୍କ ପାଦ ଛୁଇଁ ସର୍ବସମ୍ମୁଖରେ ଘୋଷଣା କରିଥିଲା- ‘ଆମ ମଉସା ହିଁ ଅସଲ ବିଜେତା!’ ଏହାର କାରଣ ମଉସାଙ୍କ ସରଳ ଖାଦ୍ୟ ଓ ତଜ୍ଜନିତ ଉତ୍ତମ ସ୍ବାସ୍ଥ୍ୟ। ଆପଣ କହି ପାରନ୍ତି ‘ଆପଣା ରୁଚି ଅନୁସାରେ ଭୋଜନ!’ ଏବଂ ଏଇ ରୁଚିବା କଥାଟି ଖାଦ୍ୟ ସହ ଯୋଡ଼ି ହୋଇ ଯା’ନ୍ତେ ତେଣିକି ଜିଇବା ପାଇଁ ଖାଇବା ନା ଖାଇବା ପାଇଁ ଜିଇବା ଭଳି ବିତର୍କଟି ଆଗକୁ ଚାଲିଆସେ। ଆଉ ଯେଉଁ ପ୍ରାଣୀମାନେ ଖାଇବାରେ ଜିଇବାର ରସ ପାଆନ୍ତି ସେମାନେ ଚବ୍ୟ ଚୋଷ୍ୟ ଲେହ୍ୟାଦି ସମ୍ବଳିତ ଭୋଜ୍ୟ ଅହର୍ନିଶ ଗ୍ରହଶ କରି ଲାଳୁଆ ଜିଭ ଓ ପାପୀ ପେଟ ଉପରେ ଧ୍ୟାନ ଦେଇ ଶେଷରେ ସ୍ୱାସ୍ଥ୍ୟକୁ ବିଗାଡ଼ି ପକାନ୍ତିି।
ଏ ତ ଗଲା ଅନ୍ନ କଥା, ବସ୍ତ୍ର ନେଇ ଠିକ୍ ସେମିତି କହନ୍ତି ପର ରୁଚି ଅନୁସାରେ ଆଭୂଷଣ! ଏହି କଥାରେ ପଡ଼ି ଆପଣ ଯଦି ପର ରୁଚି କି ଯୁଗ ରୁଚି ଅନୁସାରେ ପୋଷାକପତ୍ର ଆପଣାଇ ଚାଲିଲେ ତେବେ ଜୀବନ ଜଟିଳ ହୋଇଯିବା ଥୟ। କିନ୍ତୁ ଆମ ସରଳ ମଉସା ପୁଲିସ ୟୁନିଫର୍ମ ଛଡ଼ା ବାକି ସମୟ ତକ ଖଦଡ଼ ହାଫ୍ ବୁସ୍ ସାର୍ଟ ଓ ପାଇଜାମା ଭିତରେ ଆପଣାକୁ ଗଳାଇ ଜୀବନ କାଟିଦେଲେ। କଥାଟା ସମସ୍ତଙ୍କ ମନେ ରହିଯିବା ଭଳି ଓ ପରେ ଟୁପରୁଟାପର ହେବା ଭଳି ହୋଇଗଲା ଯେତେବେଳେ ମଉସା ତାଙ୍କ ପୁତୁରାର ବାହାଘର ରିସେପସନରେ ବି ସେଇଆ ପିନ୍ଧି ସଭିଙ୍କୁ ପାଛୋଟି ନେବାକୁ ଲାଗିଥିଲେ।
ଆଉ ରହିଲା ବାସ କଥା। ଚାକିରି ଜୀବନ ସାରା ସହର ଓ ସରକାରୀ କ୍ୱାଟର୍ସରେ ରହିବା ପରେ ଏବେ ସେ ନିଜ ଗାଁକୁ ଚାଲି ଯାଇଛନ୍ତି ସିନା, ନିଜ ଭାଗର ଘରଟିକୁ ତାଙ୍କ ସ୍ୱଳ୍ପ ସମ୍ବଳଧାରୀ ବଡ଼ଭାଇଙ୍କୁ ଦାନ କରି ଦେଇଥିଲେ। ତାଙ୍କ ଉଦ୍ଦେଶ୍ୟ ଥିଲା ତାହାକୁ ଭଡ଼ାରେ ଲଗାଇଲେ ବଡ଼ ଭାଇ କିଛି ଟଙ୍କା ଫି’ ମାସ ପାଇଯିବେ! ନିଜେ ବରଂ ବଡ଼ ଭାଇଙ୍କ ଭାଗରେ ପଡ଼ିଥିବା ଗାଁ ଶେଷ ମୁଣ୍ଡରେ ଥିବା ପାରିବାରିକ ତୋଟାର କିଛି ଅଂଶ କିଣି ସେଠି ଛୋଟିଆ ଘର ଓ ବାଡ଼ିବଗିଚା କରି ରହିଲେ। ଏବେ ମଉସା ମାଉସୀଙ୍କ ସହ ମିଶି ଫୁଲ, ପରିବା ଓ ଗାଈମାନଙ୍କ ଭିତରେ ଆନନ୍ଦରେ ଦିନ କାଟୁଛନ୍ତି। ଗାଁର ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି, ଗାଁ ଲୋକଙ୍କୁ ବୁଝାଇ ବୃକ୍ଷ ରୋପଣ କରୁଛନ୍ତି!
ତାହା ହେଲେ, ‘ସରଳ ଜୀବନ, ଉଚ୍ଚ ଚିନ୍ତନ’ ଭଳି କଥାଟିକୁ ଏମିତି ଭାବେ ଆମ ସାମନାରେ ସରଳ ମଉସା ଏକ ମୂର୍ତ୍ତିମନ୍ତ ଉଦାହରଣ ଭାବେ ପ୍ରମାଣ କରିଦେଲେ। ଆମେ ମୂଳରୁ କହିଛୁ ଯେ ଏହା କିନ୍ତୁ ସହଜ କଥା ନୁହଁଇ! ଶୁଣିବାକୁ ଭାରି ଭଲ ଲାଗୁଥିଲେ ବି ଭାବନ୍ତୁ ତ, ସବୁ କିଛି କରି ପାରିବାର ସାମର୍ଥ୍ୟ ଥିବା ସତ୍ତ୍ବେ ରୁଟି ସନ୍ତୁଳା ଖାଇ, ଖଦଡ଼ ପିନ୍ଧି ଏବଂ ଗାଁରେ ଘରଟିଏ କରି ଜୀବନ କାଟିଦେବା କ’ଣ ସହଜ ବ୍ୟାପାର! ଏଥି ଲାଗି ମଉସା ବି କମ୍ ଶୁଣି ନ ଥିବେ! କୃପଣ ଠାରୁ ଆରମ୍ଭ କରି ଅପଦାର୍ଥ ପର୍ଯ୍ୟନ୍ତ କେତେ ବିଶେଷଣ ଦ୍ବାରା ସେ ଭୂଷିତ ହୋଇ ନ ଥିବେ! କିନ୍ତୁ ଲାଗେ ମଉସା ସତେ ଯେମିତି ‘ସରଳ ଜୀବନ, ଉଚ୍ଚ ଚିନ୍ତନ’ ଭଳି ବାକ୍ୟଟିର ଟେକ ରଖିବା ଲାଗି ଧରାପୃଷ୍ଠରେ ଜନ୍ମିଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/31/sfhfshhfxvbbv-2025-07-31-00-23-54.jpg)