ଗତ କିଛି ଦିନ ହେଲା ଶୁଣିବାକୁ ମିଳୁଛି ଯେ ଗୁଜୁରାଟର ଅଦାନୀ କମ୍ପାନିର କିଛି ଅଫିସର ଆନ୍ଧ୍ର ସରକାରଙ୍କ ସହାୟତରେ କୋରାପୁଟର ଗଲିଗବଦର ଜଳପ୍ରପାତ ନିକଟକୁ ଆସି ସେଠାରେ ଏକ ବୃହତ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାର ଅଭିପ୍ରାୟ ନେଇ ସେ ଅଞ୍ଚଳରେ ମାଟି ପରୀକ୍ଷା ଆରମ୍ଭ କରିଛନ୍ତି। ଗଲିଗବଦର ଜଳପ୍ରପାତ ଯଦିଓ ବର୍ତ୍ତମାନର ଆନ୍ଧ୍ର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅଛି କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଓଡ଼ିଶାର କୋରାପୁଟ ଜିଲ୍ଲା ଭିତରେ ଅବସ୍ଥିତ। ଅଦାନୀ ଯେଉଁ ଗଲିଗବଦର ଠାରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବାକୁ ସ୍ଥିର କରିଛନ୍ତି ସେ ପ୍ରକଳ୍ପ ଶତପ୍ରତିଶତ ଓଡ଼ିଶା ଭିତରେ ଅବସ୍ଥିତ। ଯଦିଓ କୁହାଯାଉଛି ଏହି ପ୍ରକଳ୍ପ ଦ୍ବାରା ଯେଉଁ ଅଞ୍ଚଳ ସବୁ ପ୍ରଭାବିତ ହେବ ତାହାର କିଛି ଭାଗ ରହିବ ଓଡ଼ିଶା ଭିତରେ ଏବଂ ଆନ୍ଧ୍ରର କିଛି ଅଞ୍ଚଳ ପ୍ରଭାବିତ ହେବ, କିନ୍ତୁ ଏହା ସତ୍ୟର ଅପଳାପ। ସତ ହେଉଛି ଯେ ଯେଉଁ ଅଞ୍ଚଳ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବ ସେ ସମସ୍ତ ଅଞ୍ଚଳ ଓଡ଼ିଶାର। ଯେଉଁ ୧୦ ଭାଗ ଅଞ୍ଚଳ ଆନ୍ଧ୍ରର ବୋଲି କୁହାଯାଉଛି ସେ ଅଞ୍ଚଳ ପୂର୍ବରୁ ଓଡ଼ିଶା ଭିତରେ ଥିଲା ଏବଂ ଗତ କିଛି ବର୍ଷ ଧରି ଆନ୍ଧ୍ର ସେ ଅଞ୍ଚଳକୁ ମାଡ଼ି ବସି ନିଜର ଅଞ୍ଚଳ ବୋଲି ପରିଚୟ ଦେଇଚାଲିଛି।
ଯାହା ଶୁଣିବାକୁ ଏବଂ ଜାଣିବାକୁ ମିଳେ ଆନ୍ଧ୍ର ସରକାର ବଳପୂର୍ବକ ଓଡ଼ିଶା ଭିତରକୁ ଆସି ପ୍ରଥମେ ଗଲିଗବଦର ଠାରେ ନିଜସ୍ବ ଚେଷ୍ଟାରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବାକୁ ସ୍ଥିର କରିଥିଲେ ଏବଂ ସେଥି ପାଇଁ ସେ ଅଞ୍ଚଳର ମାଟି ପରୀକ୍ଷା ଓ ଅନ୍ୟ ସମସ୍ତ ତଥ୍ୟ ସଂଗ୍ରହ କରି ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବା ଦିଗରେ ଆଗଭର ଥିଲେ। ଏହି ସମୟରେ ଓଡ଼ିଶାବାସୀଙ୍କ ତରଫରୁ ଆନ୍ଧ୍ର ସରକାରଙ୍କ ପ୍ରତି ପ୍ରବଳ ବିରୋଧ ସୃଷ୍ଟି ହେଲା ଏବଂ ଏହି ବିରୋଧକୁ ସାମନା କରିନପାରି ଏବଂ ବିରୋଧକୁ ଅସଫଳ କରିବା ସକାଶେ ଆନ୍ଧ୍ର ସରକାର ଅଦାନୀ ସଂସ୍ଥାକୁ ଏଥିପାଇଁ ନିମନ୍ତ୍ରଣ କରି ଆଣିଲେ। ଅଦାନୀ ସଂସ୍ଥା ମଧ୍ୟ ଅତି ଆଦରରେ ଏହାକୁ ଗ୍ରହଣ କରିନେଲେ। ଅଦାନୀ ସଂସ୍ଥାର ଧାରଣା ଥିଲା ଯେ ଏହି ଅଞ୍ଚଳ ସଂପୂର୍ଣ୍ଣ ରୂପେ ଆନ୍ଧ୍ରପ୍ରଦେଶ ଭିତରେ ଅବସ୍ଥିତ, ତେଣୁ ପ୍ରକଳ୍ପ ପ୍ରସ୍ତାବକୁ ଗ୍ରହଣ କରି ଗଲିଗବଦର ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗେଇ ଆସିଲେ।
ବିଗତ କିଛି ମାସ ଧରି ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆ ଏବଂ ଗଲିଗବଦର ଅଞ୍ଚଳକୁ ଅବାଧ ପ୍ରବେଶ ଜାରି ରହିଛି। ଆନ୍ଧ୍ର ଅଧିକାରୀଙ୍କ ଦୃଢ଼ ଧାରଣା ଯେ ଓଡ଼ିଶାର ସରକାର ଯେଉଁ ପରିମାଣରେ ନିର୍ବିକାର ଓଡ଼ିଶାର ଲୋକମାନେ ମଧ୍ୟ ସେହି ପରିମାଣରେ ନିଷ୍କ୍ରିୟ। ଦେଖିବାକୁ ମିଳୁଛି ଯେ ଆନ୍ଧ୍ରର ମନ୍ତ୍ରୀ ଓ ସରକାରୀ କର୍ମଚାରୀମାନେ ବାରମ୍ବାର ଓଡ଼ିଶାର କୋଟିଆ ଅଞ୍ଚଳକୁ ପ୍ରବେଶ କରୁଛନ୍ତି। କୋଟିଆ ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଦେଇ ସେମାନଙ୍କର ଆନୁଗତ୍ୟ ହାସଲ କରୁଛନ୍ତି ଏବଂ ଓଡ଼ିଶା ମାଟିରେ ନାନା ପ୍ରକଳ୍ପ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଓଡ଼ିଶା ମାଟିରେ ସେମାନଙ୍କର ପ୍ରବେଶ ଏବଂ ପ୍ରତିଷ୍ଠା ପାଇଁ ସଂକଳ୍ପ ସମସ୍ତଙ୍କ ଆଖି ଆଗରେ ଏବଂ ସମସ୍ତଙ୍କ ଜାଣତରେ ନିରନ୍ତର ଘଟିଚାଲିଛି। ଓଡ଼ିଶା ସରକାର ଏବଂ ଓଡ଼ିଶାର ଜନସାଧାରଣଙ୍କର ସ୍ଥାଣୁତା, ନିରବତା ଓ ନିଷ୍କ୍ରିୟତାର ସୁଯୋଗ ନେଇ ଓଡ଼ିଶା ମାଟିରେ ଆନ୍ଧ୍ର ତାର ପ୍ରତିଷ୍ଠା ସମୃଦ୍ଧ କରିଚାଲିଛି। ଏହି ପ୍ରତିଷ୍ଠାର ଆଳରେ ପ୍ରଭାବିତ ହୋଇ ଅଦାନୀ ସଂସ୍ଥା ସଂପୂର୍ଣ୍ଣ ରୂପେ ଧରି ନେଇଥିଲା ଯେ ଗାଳିଗବଦର ଜଳ ପ୍ରପାତ ଆନ୍ଧ୍ର ଅଞ୍ଚଳ ଭିତରେ ଅବସ୍ଥିତ। କିନ୍ତୁ କ୍ଷେତ୍ର ଉପରକୁ ଆସି ଯେତେବେଳେ ଅଦାନୀ ସଂସ୍ଥା ଦେଖିଲା ଓ ଅନୁଭବ କଲା ଯେ ଗଲିଗବଦର ଅଞ୍ଚଳ ଆନ୍ଧ୍ରର ନୁହେଁ, ପ୍ରକୃତରେ ଓଡ଼ିଶାର ସୀମା ଭିତରେ ଅବସ୍ଥିତ, ସେତେବେଳେ ସେମାନେ ଓଡ଼ିଶା ସରକାରୀ କର୍ତ୍ତୃପକ୍ଷଙ୍କୁ ସହଯୋଗ ମାଗିଲେ। ବର୍ତ୍ତମାନ ଓଡ଼ିଶାର ସରକାରୀ କର୍ତ୍ତୃପକ୍ଷ ଗଲିଗବଦର ଠାରେ ଅଦାନୀ ସଂସ୍ଥା ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଅଦାନୀ ସଂସ୍ଥାକୁ ଗଲିଗବଦର ଠାରେ ଏକ ବୃହତ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବାକୁ ଓଡ଼ିଶା ସରକାର ନୀତିଗତ ନିଷ୍ପତ୍ତି ବୋଧ ହୁଏ ନେଇ ସାରିଛନ୍ତି।
ଗଲିଗବଦର ଜଳ ପ୍ରପାତ ପରିସ୍ଥିତି ଯାହା ସେଠାରେ ଏକ ଅତି ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ହୋଇପାରିବ, କିନ୍ତୁ ସେଥିପାଇଁ ସେ ଅଞ୍ଚଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଯାହା ଶୁଣିବାକୁ ମିଳେ, ଅଦାନୀ ସଂସ୍ଥା ଏକ ୨୪୦୦ ମେଗାୱାଟର ବୃହତ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବ ଯେଉଁ ଠାରେ ଅତ୍ୟାଧୁନିକ ବୈଷୟକ ଜ୍ଞାନର ଉପଯୋଗ ହେବ ଏବଂ ଫଳସ୍ବରୂପ ଅତି ଅଳ୍ପ ସଂଖ୍ୟକ ଉଚ୍ଚ ବୈଷୟକ ଜ୍ଞାନ ସଂପନ୍ନ ବ୍ୟକ୍ତିମାନଙ୍କର ସହାୟତାରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଫଳରେ ଏହା ଏକ ଅତି ଉତ୍କୃଷ୍ଟ ଜଳ ବିଦ୍ୟୁତ୍ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭକରିବ।
କିନ୍ତୁ ଏଇଠି ଦେଖିବାର କଥା ଯେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଓଡ଼ିଶା ପାଇବ କେତେ ଏବଂ ହରାଇବ କେତେ? ଯେହେତୁ ଏହି ପ୍ରକଳ୍ପ ଓଡ଼ିଶା ମାଟିରେ ସ୍ଥାପିତ ହେବ ସେହି ସକାଶେ ଓଡ଼ିଶା ସରକାର ୟୁନଟି ପିଛା ରୟାଲ୍ଟି ବାବଦରେ ୨୫ ପଇସା ବା ୫୦ ପଇସା ହାରରେ କିଛି ଟଙ୍କା ପାଇପାରିବେ। କିନ୍ତୁ ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଯାହା ହରାଇବ ତାହା ଅସୀମ ଏବଂ ଯାହା ପାଇବ ତାହା ଅତି ସୀମିତ ମାତ୍ର। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା କ’ଣ ହରାଇବ ତା ଉପରେ ବିସ୍ତୃତ ଆଲୋଚନା ହେବା ଉଚିତ।
ପ୍ରଥମତଃ ଏହି ପ୍ରକଳ୍ପ ଫଳରେ ଓଡ଼ିଶାର କୋଟିଆ ଅଞ୍ଚଳ ସହିତ ଦେଓମାଳିର ବିସ୍ତୃତ ଅଞ୍ଚଳ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପର ଜଳ ଭଣ୍ଡାର ଭିତରେ ବିଲୀନ ହୋଇଯିବ। ଫଳତଃ ହଜାର ହଜାର ପରିବାର ବାସହରା ହେବା ସହିତ ସେମାନଙ୍କର ଚାଷ ଜମି ମଧ୍ୟ ଏହି ଜଳ ଭଣ୍ଡାର ଭିତରେ ସବୁ ଦିନ ପାଇଁ ହଜିଯିବ। ଯେଉଁ ପରିବାର ସେ ଅଞ୍ଚଳରେ ନିଜର ଚାଷ ଜମି ଫଳରେ ଖୁସିରେ କାଳତିପାତ କରୁଛନ୍ତି, କାଲି ସେମାନଙ୍କର ଜୀବିକା ସବୁଦିନ ଲାଗି ଚାଲିଯିବ। ଏଠାରେ ଏକ ପୁନର୍ବାସ ସମସ୍ୟା ଆରମ୍ଭ ହେବ ଯାହା ସମାଧାନ ଅତି କଷ୍ଟକର ବ୍ୟାପାର। ୬୦ ବର୍ଷ ତଳର ହୀରାକୁଦ ପୁନର୍ବାସ ସମସ୍ୟା ଆଜି ମଧ୍ୟ ଅସମାହିତ ହୋଇ ରହିଛି। ତେଣୁ ଆଜିର ଗଲିଗବଦର ସମସ୍ୟା ଯେ ୨୩୦୦ ମସିହାକୁ ନଥିବ ତାହା କିଏ କହିବ? ପୁନଶ୍ଚ ଦୀର୍ଘ ୨୦୦ ବର୍ଷ ତଳେ ଏହି ଅଞ୍ଚଳରକୁ ଯିବା ଆସିବା ପାଇଁ ଏକ ରାସ୍ତା ତିଆରି ହୋଇଥିଲା।
ବର୍ତ୍ତମାନ ଓଡ଼ିଶା ସରକାର ଏହି ରାସ୍ତାର ଉନ୍ନତୀକରଣ କରି ଏହାର ନାମ ରଖିଛନ୍ତି ହେରିଟେଜ ରୋଡ୍। ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ଫଳରେ ଏହି ରାସ୍ତାଟି ସଂପୂର୍ଣ୍ଣ ରୂପେ ଜଳ ଭଣ୍ଡାର ଗର୍ଭରେ ଲୀନ ହୋଇଯିବ। ବିଗତ ଅଳ୍ପ ଦିନ ଭିତରେ ଓଡ଼ିଶା ସରକାର କୋଟିଆ ଅଞ୍ଚଳରେ ଶହ ଶହ କୋଟି ଖର୍ଚ୍ଚ କରି ବିଭିନ୍ନ ରାସ୍ତାର ଏବଂ ଅନୁଷ୍ଠାନର ଉନ୍ନତୀକରଣ କରିଛନ୍ତି। ଏ ସମସ୍ତ ରାସ୍ତା ଏବଂ ଅନୁଷ୍ଠାନ ଗଲିଗବଦର ପ୍ରକଳ୍ପ ଗର୍ଭରେ ଲୀନ ହେଇଯିବ। ଏହା ଦେଓମାଳିର ତଳ ଅଞ୍ଚଳକୁ ମଧ୍ୟ ବୁଡ଼ାଇ ଦେବ। ଏହା ବ୍ୟତୀତ ଯେହେତୁ ଅଦାନୀ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଅତି ଉନ୍ନତ ବୈଷୟକ ଜ୍ଞାନ କୌଶଳ ମାଧ୍ୟମରେ କରିବାକୁ ଯାଉଅଛି ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଅତି ଅଳ୍ପ ସଂଖ୍ୟକ ଉଚ୍ଚ ବୈଷୟକ ଜ୍ଞାନ ସଂପନ୍ନ ବ୍ୟକ୍ତିକୁ ହିଁ ଚାକିରି ମିଳିବ। ସାଧାରଣ ଲୋକଙ୍କୁ ଏହି ପ୍ରକଳ୍ପରେ ନିଯୁକ୍ତିର ସମ୍ଭାବନା ଆଦୌ ନାହିଁ କହିଲେ ଠିକ୍ ହେବ। ତେଣୁ ସେହି ଅଞ୍ଚଳର ଯେଉଁ ମାନେ ନିଜର ଭିଟାମାଟି ହରାଇବେ ସେମାନେ ସେହି ପ୍ରକଳ୍ପରେ ନିଯୁକ୍ତି ପାଇବାର ସମ୍ଭାବନା ଆଦୌ ନାହିଁ କି ଅନ୍ୟ କୌଣସି ଉପାୟରେ ସେଠାରେ ନିଯୁକ୍ତ ହେବାର ସମ୍ଭାବନା ମଧ୍ୟ ନାହିଁ। ଏହା ହିଁ ବାସ୍ତବତା।
ଚଳିତ ବର୍ଷ ଭାରତ ସରକାର ଦେଓମାଳି ଅଞ୍ଚଳର ପାଙ୍ଗୀ ମହାଶୟଙ୍କୁ ତାଙ୍କର ଦେଶୀୟ ଚେର ମୂଳି ଔଷଧର ଉଦ୍ଭାବନ, ଅନୁଧ୍ୟାନ ଏବଂ ପ୍ରକରଣ ପାଇଁ ସମ୍ମାନିତ କରିଛନ୍ତି। ଏହି ଦେଶୀୟ ଚେର ମୂଳି ଔଷଧ ସବୁ ସେ ଅଞ୍ଚଳରେ ବହୁଳ ଭାବରେ ବ୍ୟବହୃତ ହୁଏ ଏବଂ ସେ ଅଞ୍ଚଳବାସୀ ଏହି ଦେଶୀୟ ଔଷଧ ବ୍ୟବହାର କରି ନିରାମୟ ଜୀବନଯାପନ କରନ୍ତି। ଏହି ଚେର ମୂଳି ସବୁ ଦେଓମାଳିର ପାଦଦେଶ ଏବଂ ନିମ୍ନ ଅଞ୍ଚଳରେ ବହୁଳ ଭାବେ ଦେଖାଯାଏ। ଦେଓମାଳିର ତଳ ଅଞ୍ଚଳ ବୁଡ଼ିଯିବା ଫଳରେ ଏହି ଔଷଧୀୟ ବୃକ୍ଷରାଜି ସବୁଦିନ ପାଇଁ ଲୋପ ପାଇଯିବ। ତେଣୁ ଗୋଟିଏ ପଟରେ ସେ ଅଞ୍ଚଳବାସୀ ବାସହରା ହେବା ସହିତ ଓଡ଼ିଶା ଏକ ଦୁର୍ମୂଲ୍ୟ ବିସ୍ତୀର୍ଣ୍ଣ ଅଞ୍ଚଳକୁ ହରାଇ ବସିବ। ଏଥିରୁ ଅଦାନୀ କମ୍ପାନି ହୁଏତ ହଜାର ହଜାର କୋଟି ଅଥବା ଲକ୍ଷ ଲକ୍ଷ କୋଟି ଲାଭ ପାଇପାରେ, ମାତ୍ର ଓଡ଼ିଶା ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ହରାଇବା ସହିତ ଏହାର ଲକ୍ଷ ଲକ୍ଷ ଅଧିବାସୀ ବେଘର ହୋଇ ସବୁ ଦିନ ପାଇଁ ଯାଯାବରରେ ପରିଣତ ହେବେ, ଯାହାକି ଓଡ଼ିଆ ଜାତି ପାଇଁ ଆଦୌ ଗ୍ରହଣୀୟ ନୁହେଁ।
ପୂର୍ବରୁ ଦେଓମାଳି ଅଞ୍ଚଳରେ ବିଶେଷତଃ ତଳ ଅଞ୍ଚଳରେ କେଉଁସବୁ ଖଣିଜ ପଦାର୍ଥ ରହିଛି ତାହାର ଏକ ସର୍ଭେ ହୋଇଥିଲା। ଏହି ସର୍ଭେରୁ ଜଣା ପଡ଼ିଥିଲା ଯେ ଦେଓମାଳି ଅଞ୍ଚଳରେ ବିପୁଳ ପରିମାଣରେ ବକ୍ସାଇଟ ରହିଛି। ଏହା ବ୍ୟତୀତ ଏଠାରେ ବହୁ ଦୁର୍ମୂଲ୍ୟ ଖଣିଜ ଦ୍ରବ୍ୟ ଅନେକ ପରିମାଣରେ ଅଛି। ଏଠାରେ ମାଟି ତଳେ ହୀରା ମଧ୍ୟ ଅଛି ଯାହା ଉତ୍ତୋଳନ ହେଲେ ଏହି ଅଞ୍ଚଳ ସମେତ ଓଡ଼ିଶାର ଅର୍ଥନୀତି ବେଶ୍ ଲାଭବାନ ହେବ। ଉତ୍ଖନନ ଦ୍ବାରା କୌଣସି ଅଞ୍ଚଳ ବୁଡ଼ିଯିବାର ନାହିଁ କି କୌଣସି ବ୍ୟକ୍ତି ତା’ର ଘର ଜମି ହରାଇବାର ସାମାନ୍ୟତମ ସମ୍ଭାବନା ନାହିଁ। ତେଣୁ ଓଡ଼ିଶା ଏହି ଅଞ୍ଚଳରେ ଉତ୍ଖନନ ସପକ୍ଷରେ ନ ଯାଇ ଅଞ୍ଚଳବାସୀଙ୍କ କ୍ଷତି ହେଲା ଭଳି ଏକ ବୃହତ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବାର ଆବଶ୍ୟକତା କ’ଣ ରହିଛି ତାହା ଏକ ବଡ଼ ପ୍ରଶ୍ନ। ଅଦାନୀକୁ ଲାଭ ଦେବା ନିମିତ୍ତ ଓଡ଼ିଶାବାସୀଙ୍କ ଭବିଷ୍ୟତ୍କୁ ଜଳଞ୍ଜଳି ଦିଆ ନ ଯାଉ। ଅବଶ୍ୟ ଜଳ ବିଦ୍ୟୁତ୍ ପ୍ରକଳ୍ପ ସେହି ଆକାରରେ ହେଉ ଯାହା କୌଣସି ଜନବସତି, ଗ୍ରାମ, ଚାଷଜମି ଇତ୍ୟାଦିକୁ ନବୁଡ଼ାଇ କାର୍ଯ୍ୟକାରୀ ହୋଇପାରିବ ଏବଂ ଅଞ୍ଚଳ ପ୍ରତି କୌଣସି ବିପଦ ଆଣିବ ନାହିଁ। ଦ୍ବିତୀୟତଃ ଏହା କୌଣସି ଘରୋଇ କମ୍ପାନିର ମାଲିକାନାରେ ନ ରହୁ। ଯେଉଁ ଜଳ ବିଦ୍ୟୁତ୍ ପ୍ରକଳ୍ପ ହେବ ତାହା ସଂପୂର୍ଣ୍ଣ ରୂପେ ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଉ ଯେପରିକି ଏହି ପ୍ରକଳ୍ପର ସମସ୍ତ ଲାଭ ଓଡ଼ିଶାବାସୀ ପାଇବେ।
ତେଣୁ ଅଦାନୀ ସଂସ୍ଥା ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଗଲିଗବଦରର ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଗ୍ରହଣ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ। ଓଡ଼ିଶାବାସୀ ଅଦାନୀ ସଂସ୍ଥାକୁ ଲାଭ ଦେବା ପାଇଁ ନିଜ ଗୋଡ଼ରେ ନିଜେ ଚୋଟ ମାରିପାରିବେ ନାହିଁ। ଯଦି ଓଡ଼ିଶାବାସୀ ବର୍ତ୍ତମାନ ଠାରୁ ଅଦାନୀ ସଂସ୍ଥା ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଗଲିଗବଦର ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ବିରୋଧ ନ କରନ୍ତି, ତା ହେଲେ ଏହି ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଆ ଜାତିର ଆଖିରୁ ଲୁହ ଝରାଇବ, ଏଥିରେ କୌଣସି ସନ୍ଦେହ ନାହିଁ। ସାଧୁ ସାବଧାନ।
ମୋ: ୯୪୩୭୦୧୩୪୬୬