ତାଳି ମାରିବାର କ୍ଷଣ

ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ପୂର୍ବତନ ଟେଷ୍ଟ୍ କ୍ରିକେଟର‌୍‌ ତଥା ବର୍ତ୍ତମାନର କ˚ଗ୍ରେସ ନେତା ନବଜ୍ୟୋତ ସି˚ହ ସିଦ୍ଧୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦଣ୍ତାଦେଶର ପ୍ରତିକ୍ରିୟାରେ ‘ପଞ୍ଜାବ ଲୋକ କ˚ଗ୍ରେସ’ ଦଳ ଦ୍ବାରା ପ୍ରଦତ୍ତ ଟ୍ବିଟର୍‌ ମନ୍ତବ୍ୟଟି ହେଉଛି :‘ଠୋକୋ ତାଲି’। ଏହା ନିଃସନ୍ଦେହ ଯେ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଉପରୋକ୍ତ ଅଭିବ୍ୟକ୍ତି ସହିତ ପରିଚିତ ଥିବେ, ଯାହାର ସ୍ରଷ୍ଟା ସ୍ବୟ˚ ସିଦ୍ଧୁ ଏବ˚ ସେ ମଧୢ ତାକୁ ଲୋକପ୍ରିୟତା ପ୍ରଦାନ କରିଛନ୍ତି। ତେବେ, କ୍ୟାପ୍‌ଟେନ ଅମରିନ୍ଦର ସି˚ହଙ୍କ ସହିତ ସିଦ୍ଧୁଙ୍କ ମନୋମାଳିନ୍ୟ କାରଣରୁ ଅମରିନ୍ଦର ସି˚ହଙ୍କ ନବ ଗଠିତ ଏହି ଦଳ ଦ୍ବାରା କରାଯାଇଥିବା ଏହି ଟ୍ବିଟ୍‌ରେ ବିଦ୍ରୂପର ସ୍ବର ଶୁଭିଥାଏ। କିନ୍ତୁ ପ୍ରକୃତ ପକ୍ଷରେ ଏହି ଦଣ୍ତାଦେଶ ଏଭଳି ହାଲୁକା ପ୍ରତିକ୍ରିୟାକୁ ଅତିକ୍ରମ କରି ଏକ ଗମ୍ଭୀର ଆଲୋଚନା ଲାଗି ଅବକାଶ ମଧୢ ସୃଷ୍ଟି କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ଯେଉଁ ଘଟଣା ଲାଗି ସିଦ୍ଧୁ ଦଣ୍ତିତ ହୋଇଛନ୍ତି, ତାହା ଘଟିଥିଲା ୩୪ ବର୍ଷ ତଳେ ଅର୍ଥାତ୍‌ ୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ, ଯେତେବେଳକୁ ସିଦ୍ଧୁଙ୍କ ବୟସ ଥିଲା ମାତ୍ର ୨୨ ବର୍ଷ। ପାତିଆଲା ସହରର ଏକ ଛକ ନିକଟରେ ସଡ଼କ ମଝିରେ ଅତି ବେପରୁଆ ଭାବେ ନିଜ ଗାଡ଼ିକୁ ରଖିଥିବା ସିଦ୍ଧୁଙ୍କ ସହିତ ଅନ୍ୟ ଯେଉଁ ଗାଡ଼ିଚାଳକଙ୍କ ବଚସା କ୍ରମେ କଳହର ରୂପ ଧାରଣ କରି ପରିଶେଷରେ ସିଦ୍ଧୁଙ୍କ ଦ୍ବାରା ଏକ ଶକ୍ତ ଚପେଟାଘାତରେ ସମାପ୍ତ ହୋଇଥିଲା, ତାଙ୍କ ବୟସ ଥିଲା ୬୫ ବର୍ଷ। ସିଦ୍ଧୁଙ୍କ ଘାତକ ପ୍ରହାର ଗୁରନାମ ସି˚ହ ନାମକ ସେହି ଗାଡ଼ି ଚାଳକଙ୍କ ମୁଣ୍ତରେ ପଡ଼ି କିଛି ସମୟ ପରେ ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ତେବେ, ଏହି ପ୍ରହାର ହତ୍ୟା ଲାଗି ନୁହେଁ, କେବଳ ଆଘାତ ପହଞ୍ଚାଇବା ଲଶଗି ଉଦ୍ଦିଷ୍ଟ ହୋଇଥିବା ବିଷୟ ସ୍ପଷ୍ଟ ହେବା ପ‌ରେ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୨୩ ଅନୁସାରେ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଥିଲା, ଯହିଁରେ ତଳ କୋର୍ଟ ସିଦ୍ଧୁଙ୍କ ସକାଶେ ମାତ୍ର ଏକ ହଜାର ଟଙ୍କାର ଜରିମାନା ଦଣ୍ଡ ଲଗାଇଥିଲେ। ପ୍ରକାଶ ଥାଉ କି ୩୨୩ ଦଫାରେ ଥିବା ପ୍ରାବଧାନ ଅନୁଯାୟୀ ଦଣ୍ତର ପରିମାଣ ଏକ ବର୍ଷର ସଶ୍ରମ କାରାଦଣ୍ତ ବା ୧୦୦୦ ଟଙ୍କାର ଜରିମାନା ବା ଉଭୟ ହୋଇପାରେ। ସ୍ବାଭାବିକ ଭାବେ ଏଭଳି ଏକ ହାଲୁକା ଦଣ୍ତକୁ ଗ୍ରହଣ କରି ନ ପାରି ଗୁରନାମଙ୍କ ପରିବାର ପକ୍ଷରୁ ଉଚ୍ଚ ଅଦାଲତଙ୍କ ଆଶ୍ରୟ ନିଆଯାଇଥିଲା।

ତେବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଏହି ନିର୍ଣ୍ଣାୟକ ରାୟରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା କୌଣସି ବ୍ୟକ୍ତି ଏବ˚ ତାଙ୍କ ଆଚରଣ ସ˚ଦର୍ଭରେ ତହିଁରେ ଥିବା କେତେକ ପ୍ରାଜ୍ଞ ଅନୁଶୀଳନ। ପ୍ରକାଶ ଥାଉ କି ଏହି ମାମଲାର ଶୁଣାଣି ବେଳେ ୨୦୧୮ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଯେଉଁ ନୋଟିସ୍‌ ଜାରି କରାଯାଇଥିଲା, ତାହାର ଉତ୍ତର ଦେଇ ସିଦ୍ଧୁଙ୍କ ପକ୍ଷରୁ ତାଙ୍କୁ କାରାଦଣ୍ତରୁ ମୁକ୍ତି ଦେବା ସକାଶେ ମୁଖ୍ୟତଃ ଦୁଇଟି ଯୁକ୍ତି ପ୍ରଦାନ କରାଯାଇଥିଲା: ତହିଁରୁ ଗୋଟିଏ ବିଗତ ତିନି ଦଶନ୍ଧି ମଧୢରେ ରାଷ୍ଟ୍ରର କ୍ରୀଡ଼ା ଏବ˚ ରାଜନୀତି କ୍ଷେତ୍ରରେ ସେ ଲାଭ କରିଥିବା ଚମକପ୍ରଦ ସଫଳତା ଓ ଯଶ ଏବ˚ ଦ୍ବିତୀୟଟି ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟରେ ତାଙ୍କର ସ˚ପୃକ୍ତି। ସୁତରା˚, ଏହି ପରିପ୍ରେକ୍ଷୀରେ ମାନ୍ୟବର ଅଦାଲତଙ୍କ ରାୟ ଏହା ସ୍ପଷ୍ଟ କରିଛି ଯେ ନ୍ୟାୟ ବ୍ୟବସ୍ଥାରେ ଅପରାଧକୁ ନିଷ୍କ୍ରିୟ କରିବା ଲାଗି ପରବର୍ତ୍ତୀ ସମୟର ମହତ୍‌ କାର୍ଯ୍ୟ ବା ଉପଲବ୍‌ଧିର କୌଣସି ଭୂମିକା ନ ଥାଏ; କେବଳ ଏକ ନ୍ୟାୟୋଚିତ ଦଣ୍ତ ହିଁ ଅପରାଧକୁ ବାତିଲ କରିପାରେ। ଏହି ରାୟରେ ତରୁଣ ସିଦ୍ଧୁଙ୍କ ଦ୍ବାରା ତାଙ୍କ ପିତୃତୁଲ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଶାରୀରିକ ଆକ୍ରମଣକୁ ଏକ ଅକ୍ଷମଣୀୟ ଧୃଷ୍ଟତା ରୂପେ ଗଣନା କରାଯାଇଛି ଏବ˚ କ୍ରୋଧ ଜର୍ଜର ହିତାହିତ ଜ୍ଞାନ ଶୂନ୍ୟତାକୁ ସେ ପର୍ଯ୍ୟନ୍ତ ଚଳନୀୟ ବୋଲି କୁହାଯାଇଛି, ଯେ ପର୍ଯ୍ୟନ୍ତ ତଦ୍ଦ୍ବାରା ସୃଷ୍ଟ ପରିଣାମ ଏକ ଦଣ୍ତନୀୟ ଅପରାଧକୁ ଜନ୍ମ ଦେଇନାହିଁ। କହିବା ଅନାବଶ୍ୟକ ଯେ ନ୍ୟାୟ ପାଇବା ଲାଗି ଦୀର୍ଘ ୩୪ ବର୍ଷ କାଳ ଅପେକ୍ଷା କରିଥିବା ଗୁରନାମ ସି˚ହଙ୍କ ପରିବାରକୁ ଏହା ନିଶ୍ଚିତ ରୂପେ ସନ୍ତୋଷ ପ୍ରଦାନ କରିଥିବ।

ଏହି ବିଚାର ପୃଷ୍ଠଭୂମିରେ ନବଜ୍ୟୋତ ସି˚ହ ସିଦ୍ଧୁଙ୍କ ବ୍ୟକ୍ତିତ୍ବ ଉପରେ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ଜଣେ ସଫଳ କ୍ରିକେଟ୍‌ ଖେଳାଳି ଏବ˚ ପରେ ଜଣେ ରାଜନେତା ଭାବେ ସିଦ୍ଧୁ ସାରା ଦେଶରେ ପରିଚିତି ହାସଲ କରିଥିବା କାରଣରୁ ତାଙ୍କ ଚରିତ୍ରର କେତେକ ଅପଗୁଣ ଆଉ ଅଳ୍ପ-ଜ୍ଞାତ ହୋଇ ରହିନାହିଁ। ତନ୍ମଧୢରୁ ଗୋଟିଏ ହେଲା, ତାଙ୍କ ମନଃସ୍ଥିତି ବା ‘ମୁଡ୍‌’ର ସହସା, ଦ୍ରୁତ ଏବ˚ ଘନଘନ ପରିବର୍ତ୍ତନ ଏବ˚ ଦ୍ବିତୀୟଟି ହେଲା ତାଙ୍କର କ୍ଷଣକୋପୀ ସ୍ବଭାବ। ଏହାର ଅନେକ ଉଦାହରଣ ରହିଛି, ଯହିଁରୁ ଦୃଷ୍ଟାନ୍ତମୂଳକଟି ହେଲା ୧୯୯୬ ମସିହାରେ ଇ˚ଲାଣ୍ତରେ ଚାଲିଥିବା ଏକ କ୍ରିକେଟ୍‌ ସିରିଜ୍‌ ମଝିରେ ଦଳର କ୍ୟାପ୍‌ଟେନ୍‌ ମହମ୍ମଦ ଆଜାରୁଦ୍ଦିନଙ୍କ ସହିତ ମନୋମାଳିନ୍ୟ ହେତୁ ଟିମ୍‌ର ଶୃଙ୍ଖଳାକୁ ଭ୍ରୂକ୍ଷେପ ନ କରି ତାଙ୍କର ସ୍ବଦେଶ ପ୍ରତ୍ୟାବର୍ତ୍ତନ। ତାଙ୍କ ଅଠର ବର୍ଷର ରାଜନୈତିକ କ୍ୟାରିଅର୍‌ରେ ମଧୢ ଏଭଳି ଉଦାହରଣ ମିଳିଥାଏ, ଯାହାର ନିଦର୍ଶନ ସ୍ବରୂପ ସେ ଏ ଯାବତ୍‌ ତିନିଟି ଦଳ ବଦଳାଇ ସାରିଛନ୍ତି (ବିଜେପି, ଆପ୍‌ ଏବ˚ କ˚ଗ୍ରେସ) ଏବ˚ ଅତ୍ୟନ୍ତ ଅଳ୍ପ କାଳ ଲାଗି ନିଜର ଏକ ରାଜନୈତିକ ଦଳ ମଧୢ ଗଠନ କରିଛନ୍ତି। ପ୍ରକାଶ ଥାଉ କି ବିଜେପିରେ ଯୋଗ ଦେବା ପରେ ଦୁଇ ଥର ବିଧାୟକ ଏବ˚ ଥରେ ରାଜ୍ୟସଭା ସା˚ସଦ ହୋଇଥିବା ସିଦ୍ଧୁ ସେହି ଦଳ ଛାଡ଼ିବା ପଛରେ ମୁଖ୍ୟ କାରଣ ଥିଲା ସେ ଆଶା କରିଥିବା ଭଳି ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ତଳରେ ସ୍ଥାନ ପ୍ରଦାନ କରା ନ ଯିବା। ସେହିଭଳି ଗଲା ଫେବ୍ରୁଆରି ମାସରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ରାଜ୍ୟ ନିର୍ବାଚନରେ କ˚ଗ୍ରେସ ଧରାଶାୟୀ ହେବା ପଛରେ ସିଦ୍ଧୁଙ୍କ ଭୂମିକାକୁ ସର୍ବାଧିକ ଦାୟୀ କରା ଯାଇଥାଏ। କାରଣ ପଞ୍ଜାବରେ କ˚ଗ୍ରେସ ଦଳର ଶୀର୍ଷ ନେତୃତ୍ବ ସହିତ ମୁଖ୍ୟମନ୍ତ୍ରୀ ଆସନାରୂଢ଼ ହେବା ଲାଗି ସେ ଯୋଗ୍ୟତମ ବୋଲି ତାଙ୍କ ମନରେ ସୃଷ୍ଟ ଧାରଣା ଓ ତଜ୍ଜନିତ ଜିଦ୍‌ ପୁରୁଖା ଏବ˚ ପ୍ରଭାବୀ ନେତା ତଥା ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସି˚ହଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ପଦ ଓ କଂଗ୍ରେସ ଦଳ ଛାଡ଼ିବାକୁ ବାଧୢ କରିଥିଲା। ତା’ ସତ୍ତ୍ବେ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଫଳବତୀ ହୋଇ ନ ପାରିବାରୁ କ˚ଗ୍ରେସରେ ଦଳୀୟ କନ୍ଦଳକୁ ସେ ପ୍ରଶ୍ରୟ ଦେଇ ପରିଣାମ ସ୍ବରୂପ ଦଳର ମୂଳୋତ୍ପାଟନ ଲାଗି ମାର୍ଗ ପ୍ରଶସ୍ତ କରିଥିଲେ।

ତେବେ, ଏ ସବୁଥିରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ ଏ ପର୍ଯ୍ୟନ୍ତ ଯାହା ସିଦ୍ଧୁଙ୍କ ଲାଗି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି, ତାହା ହେଲା ତାଙ୍କୁ ଯଥାର୍ଥ ଭଳି ଲାଗୁଥିବା ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ତାଙ୍କର ମାତ୍ରାଧିକ ଆଗ୍ରହ। ସେହି ଆଗ୍ରହ ରାଜନୀତିରେ ତାଙ୍କୁ ଜଣେ ଅତ୍ୟନ୍ତ ପଦଲୋଭୀ ରାଜନେତାର ପରିଚିତି ପ୍ରଦାନ କରିଛି, ଏହା ତାଙ୍କୁ କ୍ରିକେଟ୍‌ ଭଳି କ୍ରୀଡ଼ାରେ ଅଣ ଖେଳାଳିସୁଲଭ ମନୋବୃତ୍ତି ପ୍ରଦର୍ଶନ କରିବାକୁ ପ୍ରରୋଚିତ କରିଛି ଏବ˚ ତାହା ହିଁ ତାଙ୍କୁ ସଡ଼କ ମଝିରେ ଅନଧିକାର ଭାବେ ଗାଡ଼ି ରଖିଥିବା ସତ୍ତ୍ବେ ପ୍ରତିବାଦକାରୀଙ୍କୁ ଘାତକ ଆକ୍ରମଣ କରିବାର ଦୁଃସାହସ ଯୋଗାଇଛି।

ଦୀର୍ଘ ୩୪ ବର୍ଷ ପରେ ସିଦ୍ଧୁଙ୍କ ଦଣ୍ତାଦେଶ ସହିତ ନ୍ୟାୟ ମିଳିଛି ବୋଲି ପ୍ରାୟ ସମସ୍ତେ ଏକମତ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ରୁଷୀୟ ଉପନ୍ୟାସକାର ଫାଇଡୋର ଦସ୍ତୋୟେଭସ୍କିଙ୍କ ରଚିତ କାଳଜୟୀ ଉପନ୍ୟାସ ‘କ୍ରାଇମ୍‌ ଏଣ୍ତ୍‌ ପନିସ୍‌ମେଣ୍ଟ’ (ଅପରାଧ ଓ ଦଣ୍ତ) ମନକୁ ଆସିଥାଏ। ତହିଁରେ ଯେଉଁ ଦୁଇଟି ଭାବନା ଉପନ୍ୟାସର କେନ୍ଦ୍ର ବିନ୍ଦୁ ତାହା ହେଲା ଯେ କୌଣସି ଅପରାଧ ଘଟାଇବା ସପକ୍ଷରେ ଯେତେ ବଡ଼ କାରଣ ଥାଉ ନା କାହିଁକି, ତାହା ଅପରାଧଟିକୁ କୌଣସି ପ୍ରକାରେ ଯଥାର୍ଥତା ପ୍ରଦାନ କରି ନ ଥାଏ ଏବ˚ ଦ୍ବିତୀୟଟି ହେଲା ବିଚାରପତିଙ୍କ ଦ୍ବାରା ପ୍ରଦତ୍ତ ଦଣ୍ତ ତୁଳନାରେ ଅଧିକ ପ୍ରଭାବୀ ଦଣ୍ତ ହେଉଛି ଅପରାଧୀ ମନରେ ସେ ଘଟାଇଥିବା ଅପରାଧ ନେଇ ସୃଷ୍ଟ ଅସହ୍ୟ ବିବେକ ଦ˚ଶନ, ଯାହା ତାକୁ ଗଭୀର ଭାବେ ଅନୁତପ୍ତ କରି ଈଶ୍ବର ଏବ˚ ମାନବ ଜାତି ନିକଟରେ କ୍ଷମାଭିକ୍ଷୁ କରାଇଥାଏ। ଏବେ ନବଜ୍ୟୋତ ସି˚ହ ସିଦ୍ଧୁ ଗୋଟିଏ ବର୍ଷ ଲାଗି କାରାବାସର ନିଃସଙ୍ଗତା ମଧୢକୁ ଅପସରି ଯିବେ। ସେ ଜଣେ ବୁଦ୍ଧିମାନ ବ୍ୟକ୍ତି। ଯଦି ଏହି ନିଃସଙ୍ଗତା ତାଙ୍କୁ ନିଜ ସହିତ କଥାବାର୍ତ୍ତା କରିବାକୁ ପ୍ରବର୍ତ୍ତାଏ, ତେବେ ଖୁବ୍‌ ସମ୍ଭବ ତାଙ୍କ ବିବେକବୋଧ ଜାଗ୍ରତ ହୋଇ ତାଙ୍କୁ ଏ କାରାବାସ ଲାଗି ମୁହ୍ୟମାନ ହେବାକୁ ଦେବ ନାହିଁ; ନିଜର ଯଶ ଓ ସଫଳତା ସତ୍ତ୍ବେ ତାଙ୍କୁ ଦଣ୍ତମୁକ୍ତ କରାଯାଇ ନ ଥିବା ଜନିତ ଗ୍ଳାନି ତାଙ୍କୁ ଜର୍ଜର କରିବ ନାହିଁ; ପରିଶେଷରେ ଏହା ଦ୍ବାରା ସେ ମାନସିକ ଶାନ୍ତି ମଧୢ ଲାଭ କରିପାରନ୍ତି। ଏଭଳି ହେଲେ, ତାହା ହେବ ତାଙ୍କ ଲାଗି ‘ତାଳି ମାରିବାର କ୍ଷଣ’।

ସମ୍ବନ୍ଧିତ ଖବର