ମୁଦ୍ରାସ୍ଫୀତି, ବେକାରି, ଦାରୁଣ ଲିଙ୍ଗଗତ ବୈଷମ୍ୟ, ଦୁର୍ନୀତି ଭଳି ଭାବଗମ୍ଭୀର ଓ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଆକ୍ରାନ୍ତ କରୁଥିବା ଭଳି ମୂଳ ସମସ୍ୟାମାନ ବିଶେଷ ଆଲୋଡ଼ନ ସୃଷ୍ଟି କରୁ ନ ଥିବାବେଳେ ବାବାସାହେବ ଆମ୍ବେଦକରଙ୍କ ଉତ୍ତରାଧିକାର ଦଖଲ ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବତା, ଆକ୍ଷେପ-ପ୍ରତ୍ୟାକ୍ଷେପ ଏବଂ ସମୟେ ସମୟେ ଧସ୍ତାଧସ୍ତି ମଧ୍ୟ ହୋଇପାରେ। ଅଥଚ ସମସ୍ତେ ପାସୋରି ଯାଆନ୍ତି ଯେ ବାବାସାହେବ ଜୀବିତ ଥିଲେ ଦେଶ ଭୋଗୁଥିବା ଉପର ବର୍ଣ୍ଣିତ ମୂଳ ସମସ୍ୟାମାନ ନେଇ ସୁନିଶ୍ଚିତ ଭାବେ ଅଧିକ ବିଚଳିତ ହେଉଥାଆନ୍ତେ।
ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ପରେ ସଂସଦ ଗୃହରେ ସୃଷ୍ଟ ହଟ୍ଟଗୋଳ ଓ ତଜ୍ଜନିତ ଅସ୍ବାଭାବିକ ପରିସ୍ଥିତି ଗଲା ଗୁରୁବାର ଦିନ ଏଭଳି ଏକ ‘କ୍ଲାଇମାକ୍ସ’ରେ ପହଞ୍ଚିଲା, ଯାହା ଅଗତ୍ୟା ଅଚିନ୍ତନୀୟ ଥିଲା ଏବଂ ଭାରତର ସଂସଦୀୟ ଇତିହାସରେ ସ୍ବାଭାବିକ ଭାବେ ଅଭୂତପୂର୍ବ ଥିଲା। ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ସଂସଦର ପ୍ରବେଶ ଦ୍ବାର ନିକଟରେ ଧସ୍ତାଧସ୍ତିେର ପ୍ରମତ୍ତ ହେବା, ସେହି ଗଣ୍ଡଗୋଳରେ ଶାସକ ଦଳର ଜଣେ ସାଂସଦ ଭୂପତିତ ହୋଇ ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନାର ‘ଆଇସିୟୁ’ରେ ଭର୍ତ୍ତି ହେବା ଓ ଏଥି ସକାଶେ ସଂସଦର ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗରେ ଥାନାରେ ଏଫ.ଆଇ.ଆର. ଦାଖଲ କରାଯିବା ହେଉଛି ଏହି ଅତ୍ୟନ୍ତ ଅଭାବନୀୟ ଘଟଣାକ୍ରମ। ଅବଶ୍ୟ, ବିରୋଧୀ ଦଳ ପକ୍ଷରୁ ମଧ୍ୟ ପ୍ରାୟ ଅନୁରୂପ ପାଲଟା ଆରୋପ କରାଯାଇଛି ଏବଂ ଉଭୟ ପକ୍ଷ ତୀବ୍ର ପାରସ୍ପରିକ ଦୋଷାରୋପରେ ବ୍ୟାପୃତ। କିନ୍ତୁ, ଏ ପରିପ୍ରେକ୍ଷୀରେ ଦଳ ନିର୍ବିଶେଷରେ ସାଂସଦମାନଙ୍କ ଗରିମାଶୂନ୍ୟ ଓ ସଦା ସଂଘର୍ଷ-ଉଦ୍ୟତ ପଦାତିକ ସୁଲଭ ଆଚରଣ, ଛଳନାପୂର୍ଣ୍ଣ ଅଭିନୟ ଓ ଅଙ୍ଗୀକାର ବର୍ଜିତ ରାଜନୀତି ଇତ୍ୟାଦି ବିଷୟ ଲୋକକ୍ଷେତ୍ରରେ କଟୁ ସମାଲୋଚନାର ଶରବ୍ୟ ହେବାରେ ଲାଗିଛି। ଭାରତୀୟ ରାଜନୀତିର ଚରିତ୍ରରେ ସଂପ୍ରତି ଘଟିଥିବା ପରିବର୍ତ୍ତନ ମଧ୍ୟ ଆଲୋଚନାର ବିଷୟବସ୍ତୁ ହୋଇଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅନୁସାରେ ବିବାଦର ସୂତ୍ରପାତ ଘଟାଇଥିବା ମନ୍ତବ୍ୟକୁ କଂଗ୍ରେସ ପକ୍ଷରୁ ଉପଯୁକ୍ତ ସଂଦର୍ଭରୁ ବିଚ୍ଛିନ୍ନ କରି ଉପସ୍ଥାପନ କରାଯାଇଛି; ଯେଉଁ କାରଣରୁ ତାହା ଅପବ୍ୟାଖ୍ୟା ଓ ଭୁଲ୍ ବୁଝାମଣାର ଶିକାର ହୋଇଛି। ଅମିତ ଶାହଙ୍କ ସେହି ବିବାଦୀୟ ମନ୍ତବ୍ୟଟି ହେଲା, “ଆମ୍ବେଦକରଙ୍କ ନାମ ସଂକୀର୍ତ୍ତନ ସଂପ୍ରତି ଏକ ‘ଫେସନ’ରେ ପରିଣତ ହୋଇଛି। ଏହା ପରବର୍ତ୍ତେ ଯଦି ଈଶ୍ବରଙ୍କ ନାମ ଜପ କରନ୍ତେ, ତେବେ ସାତ ଜନ୍ମ ଲାଗି ବୈକୁଣ୍ଠ ପ୍ରାପ୍ତି ସମ୍ଭବ ହୋଇଯାଆନ୍ତା।’’ କହିବା ଅନାବଶ୍ୟକ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ଆକ୍ଷେପ କଂଗ୍ରେସ ସକାଶେ ଉଦ୍ଦିଷ୍ଟ, ଯାହା ମଧ୍ୟ ଥିଲା ଏକ ଦୀର୍ଘ ଅଭିବ୍ୟକ୍ତିର ଅଂଶ, ଯହିଁରେ ସେ ଆମ୍ବେଦକରଙ୍କ ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ଅବଜ୍ଞା ଓ ଅସମ୍ମାନବୋଧକୁ ରେଖାଙ୍କିତ କରିବାକୁ ଚାହିଥିଲେ। ଆମ୍ବେଦକରଙ୍କ ପ୍ରତି ନେହରୁଙ୍କ ବୈମାତୃକପୂର୍ଣ୍ଣ ମନୋଭାବର କେତେକ ଉଦାହରଣ ଦେବା ସହିତ ଭାଷଣ ଛଳରେ ଅମିତ ଶାହ କହିଥିଲେ ଯେ ନେହରୁଙ୍କ କ୍ୟାାବିନେଟ୍ରୁ ଅାମ୍ବେଦକରଙ୍କ ଇସ୍ତଫା ପଛରେ ମୁଖ୍ୟ କାରଣ ଥିଲା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଆରକ୍ଷଣ ବ୍ୟବସ୍ଥାର କେତେକ ଦିଗ ଏବଂ ଧାରା ୩୭୦ର ପ୍ରବର୍ତ୍ତନ ସଂକ୍ରାନ୍ତରେ ନେହରୁଙ୍କ ସହିତ ମତଭେଦ। ଅମିତ ଶାହଙ୍କ ଅନୁସାରେ ଏହି ଇସ୍ତଫା ନେଇ ନେହରୁ କୁଆଡ଼େ ଆଦୌ ବ୍ୟସ୍ତ ହୋଇ ନଥିଲେ, ଯାହାର ପ୍ରମାଣ ହେଉଛି ବିଧାନ ଚନ୍ଦ୍ର ରାୟଙ୍କୁ ଏ ସଂକ୍ରାନ୍ତରେ ନେହରୁ ଲେଖିଥିବା ଏକ ପତ୍ର, ଯହିଁରୁ ଧାଡ଼ିଏ ହେଲା ‘ଆମ୍ବେଦକର ଚାଲି ଗଲେ ବିଶେଷ କୌଣସି ଫରକ ପଡ଼ିବ ନାହିଁ।’ ଏ ସବୁ ତଥ୍ୟ ଦେଇ ଅମିତ ଶାହ କହିବାକୁ ଚାହିଥିଲେ ଯେ ସଂପ୍ରତି ଆମ୍ବେଦକରଙ୍କୁ ଗଳାମାଳି କରିଥିଲେ ହେଁ କଂଗ୍ରେସ ବାସ୍ତବରେ ଆମ୍ବେଦକରଙ୍କ ଉତ୍ତରାଧିକାରୀ ହେବାକୁ ଅଯୋଗ୍ୟ।
ତେବେ, ଅମିତ ଶାହଙ୍କ ମତ କେତେ ଦୂର ଯଥାର୍ଥ ବା ନୁହେଁ, ତାହା ସାବ୍ୟସ୍ତ କରିବା ଆମ ଆଲୋଚନାର ଉଦ୍ଦେଶ୍ୟ ନୁହେଁ। ଏହି ଆଲୋଚନା ସାଂପ୍ରତିକ ରାଜନୀତିର ସେହି ଚରିତ୍ରକୁ ଉଜାଗର କରିବାକୁ ଉଦ୍ୟମୀ, ଯହିଁରେ ‘ଖଣ୍ଡିତ ସତ୍ୟ’କୁ ଆପଣାକୁ ସୁହାଇଲା ଭଳି ତଥ୍ୟ ଭାବେ ପରିବେଷଣ କରାଯିବାର ପ୍ରବୃତ୍ତି ଦୃଶ୍ୟମାନ ହୋଇଥାଏ। ଅମିତ ଶାହଙ୍କ ଅଭିଯୋଗ ଅନୁସାରେ କଂଗ୍ରେସ ତାଙ୍କର ଯେଉଁ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି କରିଛି, ତାହା ଏକ ‘ଖଣ୍ଡିତ ସତ୍ୟ’। କିନ୍ତୁ କଥା ହେଲା ସ୍ବୟଂ ଅମିତ ଶାହ ତାଙ୍କ ଭାଷଣରେ କଂଗ୍ରେସ ଓ ନେହରୁଙ୍କ ସଂଦର୍ଭରେ ସେଭଳି ହିଁ କରିଛନ୍ତି। କାରଣ ଆମ୍ବେଦକର ତାଙ୍କ ଇସ୍ତଫା ପତ୍ରରେ ଯେଉଁ କାରଣ ଦର୍ଶାଇଥିଲେ, ତାହା ହେଉଛି ତାଙ୍କ ଦ୍ବାରା ପ୍ରସ୍ତୁତ ସଂସ୍କାରଧର୍ମୀ ‘ହିନ୍ଦୁ କୋଡ୍ ବିଲ୍’ ସଂସଦରେ ଉପସ୍ଥାପିତ ହୋଇ ନ ପାରିବା। ପ୍ରକାଶ ଥାଉ କି ନେହରୁ ‘ହିନ୍ଦୁ କୋଡ୍ ବିଲ୍’ର ବିରୋଧୀ ନ ଥିଲେ, କିନ୍ତୁ ତାଙ୍କ ମତରେ ସେହି ସମୟ ଏଭଳି ବିଲ୍ ସଂସଦରେ ଗୃହୀତ କରାଇବା ଲାଗି ଉପଯୁକ୍ତ ନ ଥିଲା। କାରଣ ହିନ୍ଦୁ ମହାସଭା ଓ ରାଷ୍ଟୀୟ ସ୍ବୟଂ ସେବକ ସଂଘ ଏହାର ତୀବ୍ର ବିରୋଧ କରି ଜନ ଆନ୍ଦୋଳନମାନ ସୃଷ୍ଟି କରିବାରେ ଲାଗିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଏହି ଅଂଶକୁ ନିଜ ଭାଷଣରେ କହି ନ ଥିଲେ, ଅର୍ଥାତ୍ ନିଜକୁ ସୁହାଇବା ଭଳି ‘ଖଣ୍ଡିତ ସତ୍ୟ’ ହିଁ ପ୍ରକାଶ କରିଥିଲେ। ସେମିତି ଏହି ଇସ୍ତଫା ପରିପ୍ରେକ୍ଷୀରେ ଆମ୍ବେଦକରଙ୍କ ନିକଟକୁ ନେହରୁ ଲେଖିଥିବା ପତ୍ର ମଧ୍ୟ ଏ ସଂଦର୍ଭରେ ଆଲୋଚନା ପରିସରକୁ ଆସିବା ଉଚିତ, ଯହିଁରେ ଆମ୍ବେଦକରଙ୍କ ପ୍ରତି ନେହରୁଙ୍କ ସମ୍ମାନବୋଧର ସଂକେତ ମିଳିଥାଏ। କହିବାର ତାତ୍ପର୍ଯ୍ୟ ହେଲା, ‘ଖଣ୍ଡିତ ସତ୍ୟ’ ପରିବେଷଣ କରିବାର ପ୍ରକରଣରେ ଯେଉଁ ଭ୍ରାନ୍ତ ଧାରଣାମାନ ସୃଷ୍ଟି ହେବାରେ ଲାଗିଛି, ତହିଁରେ ରାଜନୈତିକ ଧ୍ରୁବୀକରଣ ତୀବ୍ର ହେଉଛି ଏବଂ ଅବଲୀଳା କ୍ରମେ ରାଜନୈତିକ ବିରୋଧ ବୈରୀରେ ରୂପାନ୍ତରିତ ହେଉଛି। ତାହା ହୋଇ ନ ଥିଲେ ସଂସଦରେ ଜଣେ ବରିଷ୍ଠ ମାନ୍ୟବର ସାଂସଦଙ୍କ ରକ୍ତ କ୍ଷୟ ଘଟି ନ ଥାଆନ୍ତା!
ଆମ ରାଜନୀତିର ସାଂପ୍ରତିକ ବିଡ଼ମ୍ବନାଟି ହେଲା ଦେଶର େଯ େକୗଣସି ସମସ୍ୟା ବା ପ୍ରସଙ୍ଗ ବା ପରିସ୍ଥିତି ନେଇ ବିଚାର ଆଲୋଚନା କାଳରେ ମହାତ୍ମା ଗାନ୍ଧୀ ବା ଜୱାହରଲାଲ ନେହରୁ ବା ଇନ୍ଦିରା ଗାନ୍ଧୀ ଅଥବା ବୀର ସବରକର ଇତ୍ୟାଦି ଓ ସେମାନଙ୍କ ତ୍ରୁଟି ବିଚ୍ୟୁତି ସଂଦର୍ଭ ଧସେଇ ପଶିଥାଏ, ସତେ ଯେମିତି ଭାରତୀୟ ରାଜନୈତିକ ବ୍ୟାପାର ପୁରୁଣା କବର ଉତ୍ଖନନ ଓ ପ୍ରେତାତ୍ମା ଆବାହନ ଭଳି ନିରର୍ଥକ ପ୍ରକରଣରେ ସୀମିତ ହୋଇ ରହିଯିବାକୁ ଉଦ୍ଗ୍ରୀବ। କିନ୍ତୁ ଏହା କ’ଣ ସତ ନୁହେଁ କି ଯେ ବ୍ରିଟିସ କବଳରୁ ମୁକ୍ତ ହେବାରେ ଏହି ଦେଶର ଜନସାଧାରଣ ଓ ସେମାନଙ୍କୁ ବିଭିନ୍ନ ସ୍ତରରେ ନେତୃତ୍ବ ପ୍ରଦାନ କରିଥିବା ବ୍ୟକ୍ତିତ୍ବଗଣ ସମଗ୍ର ପୃଥିବୀ ଲାଗି ଅଦ୍ବିତୀୟ ସଫଳତାର ଦୃଷ୍ଟାନ୍ତଟିଏ ରଖି ଯାଇଛନ୍ତି? ଏହା ମଧ୍ୟ କ’ଣ ସତ ନୁହେଁ କି ଯେ ୧୯୪୭ ମସିହାରେ ସ୍ବାଧୀନତା ଲାଭ କରିଥିବା ଏହି ଦରିଦ୍ର, ଅତ୍ୟନ୍ତ ଜନାକୀର୍ଣ୍ଣ ତଥା ତୀବ୍ର ସାଂପ୍ରଦାୟିକ, ଜାତିଗତ ଓ ଲିଙ୍ଗୀୟ ବିଦ୍ବେଷ ଦ୍ବାରା ଜର୍ଜର ରାଷ୍ଟ୍ରଟି ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଳବତ୍ତର ରଖି ସଂପ୍ରତି ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପଛରେ ଶାସନ କ୍ଷମତାରେ ଆରୂଢ଼ ହୋଇଥିବା ସମସ୍ତ ଦଳ ଓ ତା’ର ନେତାମାନଙ୍କ ଅବଦାନ ରହିଛି! େତଣୁ ଗାନ୍ଧୀ ହୁଅନ୍ତୁ ବା ନେହରୁ ଅଥବା ସବରକର; ସେମାନଙ୍କୁ ଏହି ଏକବିଂଶ ଶତାବ୍ଦୀରେ କାଠଗଡ଼ାରେ ଛିଡ଼ା କରାଇଲାବେଳେ ସଚେତନ ହେବାକୁ ପଡ଼ିବ ଯେ ସେମାନଙ୍କ ସମୟରେ ପରିସ୍ଥିତି ଓ ବିଭିନ୍ନ ସମୀକରଣ ଭିନ୍ନ ଥିଲା ଏବଂ ଦ୍ବିତୀୟ କଥା ହେଲା ନିଜ ପକ୍ଷ ରଖିବାକୁ ଏବେ ସେମାନେ ସଶରୀର ଉପସ୍ଥିତ ନାହାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସାମାଜିକ ଗଣମାଧ୍ୟମରେ ‘କବର ଉତ୍ଖନନ’ ରାଜନୀତି ଆଗ୍ରହର କେନ୍ଦ୍ରବିନ୍ଦୁ ହୋଇଥାଏ, କାରଣ ତଦ୍ଦ୍ବାରା ରାଜନୈତିକ ଉତ୍ତାପ ବୃଦ୍ଧି ପାଇଥାଏ; ‘ଖଣ୍ଡିତ ସତ୍ୟ’ମାନ ଭାଇରାଲ ହୋଇ ଉଚ୍ଚାଟଭରା ବ୍ୟାଖ୍ୟାନ ଏପରିକି ‘ଭୋଟ ବ୍ୟାଙ୍କ’ମାନ ମଧ୍ୟ ସୃଷ୍ଟି କରନ୍ତି। ତେଣୁ ମୁଦ୍ରାସ୍ଫୀତି, ବେକାରି, ଦାରୁଣ ଲିଙ୍ଗଗତ ବୈଷମ୍ୟ, ଦୁର୍ନୀତି ଭଳି ଭାବଗମ୍ଭୀର ଓ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଆକ୍ରାନ୍ତ କରୁଥିବା ଭଳି ମୂଳ ସମସ୍ୟାମାନ ବିଶେଷ ଆଲୋଡ଼ନ ସୃଷ୍ଟି କରୁ ନ ଥିବାବେଳେ ବାବାସାହେବ ଆମ୍ବେଦକରଙ୍କ ଉତ୍ତରାଧିକାର ଦଖଲ ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବତା, ଆକ୍ଷେପ-ପ୍ରତ୍ୟାକ୍ଷେପ ଏବଂ ସମୟେ ସମୟେ ଧସ୍ତାଧସ୍ତି ମଧ୍ୟ ହୋଇପାରେ। ଅଥଚ ସମସ୍ତେ ପାସୋରି ଯାଆନ୍ତି ଯେ ବାବାସାହେବ ଜୀବିତ ଥିଲେ ଦେଶ ଭୋଗୁଥିବା ଉପର ବର୍ଣ୍ଣିତ ମୂଳ ସମସ୍ୟାମାନ ନେଇ ସୁନିଶ୍ଚିତ ଭାବେ ଅଧିକ ବିଚଳିତ ହେଉଥାଆନ୍ତେ।