ଅକ୍ସଫୋର୍ଡ ଭ୍ୟାକ୍‍ସିନ୍, ୭୦% ଫଳପ୍ରଦ ଭାରତ ପାଇଁ ଭଲ

ନିକଟ ଅତୀତରେ ଫାଇଜର୍ ଓ ମଡର୍ଣ୍ଣା ଦ୍ବାରା ପରୀକ୍ଷିତ ଭ୍ୟାକ୍‍ସିନ୍‍ର ଫଳପ୍ରଦତା ୯୫% ରହିଥିବା ବେଳେ ଏହା ପରେ ଆସିଥିବା ଅକ୍ସଫୋର୍ଡ ଭ୍ୟାକ୍‍ସିନ୍‍ର ଫଳପ୍ରଦତା ୭୦% ବୋଲି ଜଣାପଡ଼ିଛି। ଏହା ସତ୍ତ୍ବେ ଅକ୍ସଫୋର୍ଡ-ଆଷ୍ଟ୍ରାଜିନେକା ମିଳିତ ଭାବେ ବିକାଶ କରିଥିବା ଏହି ‘କୋଭିସିଲ୍‍ଡ’ ଟିକା ନେଇ ଭାରତରେ ଅଧିକ ଉତ୍ସାହ ଦେଖା ଦେଇଛି। ଏହା ପଛରେ କେତୋଟି ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ଫାଇଜର୍ ଓ ମଡେର୍ଣ୍ଣା ଭଳି ସଂସ୍ଥା ସର୍ବପ୍ରଥମେ ଟିକାଗୁଡ଼ିକର ପ୍ରାଥମିକ ପରୀକ୍ଷଣ ଶେଷ କରିବାକୁ ସକ୍ଷମ ହୋଇଥିଲେ ହେଁ ଅପେକ୍ଷାକୃତ ବିଳମ୍ବରେ ଆସିଥିବା ଅକ୍ସଫୋର୍ଡ ଟିକାର ମୂଲ୍ୟ ସହିତ ଭଣ୍ଡାରଣ, ପରିବହନର ଖର୍ଚ୍ଚ ମଧ୍ୟ କମ୍।

ତା’ସହିତ ପୁନେସ୍ଥିତ ସିରମ୍ ଇନ୍‍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (‘ଏସ୍‌.ଆଇ.ଆଇ.’) ପୂର୍ବରୁ ଅକ୍ସଫୋର୍ଡ ସହ ଚୁକ୍ତି କରି ଏହି ଟିକାର ଉତ୍ପାଦନ ଆରମ୍ଭ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଚାରି କୋଟି ଡୋଜ୍ ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ଏବଂ ଆସନ୍ତା ବର୍ଷ ଜାନୁଆରି ସୁଦ୍ଧା ଦଶ କୋଟି ଡୋଜ୍ ପ୍ରସ୍ତୁତ ହୋଇସାରିଥିବ। ‘ଏସ୍‌.ଆଇ.ଆଇ.’ ଜରୁରୀକାଳୀନ ଅନୁମୋଦନ ପାଇଁ ଆବେଦନ କରି ଏ ବର୍ଷ ଶେଷ ସୁଦ୍ଧା ତାହା ହାସଲ କରିବାର ଲକ୍ଷ୍ୟ ରଖିଛି। ଇଣ୍ଡିଆନ୍ ଡ୍ରଗ୍‍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପ୍ରାଥମିକ ପରୀକ୍ଷଣରେ ୫୦% ଫଳପ୍ରଦତା ହାସଲ କରୁଥିବା ଟିକାଗୁଡ଼ିକୁ ସ୍ବୀକୃତି ଦିଆଯାଇଥାଏ, ତେଣୁ ଅକ୍ସଫୋର୍ଡ ଟିକାର ୭୦% ଫଳପ୍ରଦତା ଦୃଢ଼ ଆଶା ସଂଚାର କରୁଛି। ‘କୋଭିସିଲ୍‍ଡ’ର ଗୋଟିଏ ଡୋଜ୍‍ର ବଜାର ମୂଲ୍ୟ ୫୦୦-୬୦୦ ଟଙ୍କା ରଖାଯିବ ଏବଂ ସରକାରଙ୍କୁ ଏହା ୨୨୦-୩୦୦ ଟଙ୍କାରେ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ତେବେ ଏକ ମାସ ବ୍ୟବଧାନରେ ଏହି ଟିକାର ଦ୍ବିତୀୟ ଡୋଜ୍ ନେବାକୁ ପଡ଼ିବ। ତାହା ସତ୍ତ୍ବେ ଏହାର ମୂଲ୍ୟ ଫାଇଜର୍ ଓ ମଡେର୍ଣ୍ଣା ଟିକା ଠାରୁ କମ୍‌ ରହିବ।

ଅନ୍ୟ ଟିକାଗୁଡ଼ିକୁ ସବ୍-ଜିରୋ ବା ଶୂନ ଡିଗ୍ରି ସେଲ୍‌ସିୟସ୍ ଠାରୁ କମ୍ ତାପମାତ୍ରାରେ ରଖିବାକୁ ପଡୁଥିବାରୁ ସେଗୁଡ଼ିକୁ ଭାରତର ଅପହଞ୍ଚ ଇଲାକା ଯାଏଁ ପହଞ୍ଚାଇବା ପ୍ରାୟ ଅସମ୍ଭବ। କିନ୍ତୁ ଅକ୍ସଫୋର୍ଡ ଟିକାକୁ ୨-୮ ସେଲ୍‌ସିୟସ୍ ତାପମାତ୍ରାରେ ରଖି ହେଉଥିବାରୁ ଏହାର ଭଣ୍ଡାରଣ ଓ ସ୍ଥାନାନ୍ତରଣ ସହଜରେ ହୋଇପାରିବ। ଟିକା ବିକାଶ ଦୌଡ଼ରେ ଭାରତର ଆପଣା କୋଭାକ୍ସିନ୍ ମଧ୍ୟ ସାମିଲ ଅଛି। ତେବେ ସବୁ ଦିଗରୁ କେଉଁ ଟିକା ଭାରତ ପାଇଁ ସର୍ବୋତ୍କୃଷ୍ଟ, ସେ ନିଷ୍ପତ୍ତି ସରକାର ହିଁ ନେବେ।

ସମ୍ବନ୍ଧିତ ଖବର