ବର୍ତ୍ତମାନ ଜରିଆରେ ଅତୀତର ଭବିଷ୍ୟତ ସହ ନିରବଚ୍ଛିନ୍ନ ସମ୍ପର୍କ ଓ ଅନବରତ ଆଳାପକୁ ଇତିହାସ କୁହାଯାଇଥାଏ। ଇତିହାସ ପୁଣି ସମୟର ଏକ ମହାଖଣ୍ଡ, ବିଶାଳ ସଂସ୍କରଣ ଯାହା କରୁଣ, ମନୋରମ, ବୀଭତ୍ସ ଲାଗିପାରେ ଏବଂ ଏପରିକି ଟ୍ରାଜେଡି କିମ୍ବା କମେଡି ଅଥବା ଫାର୍ସ ନଚେତ୍ ଆଶ୍ଚର୍ଯ୍ୟ କି ଯଥା- ପ୍ରତ୍ୟାଶିତ ଅବତାରାଦିରେ ଉଭା ହୋଇପାରେ। ସମୟ ତେବେ କ’ଣ? ଅନ୍ୟ କିଛି ଘଟୁ ନ ଥିଲା ବେଳେ ଯାହା ସର୍ବଦା ଘଟି ଚାଲିଥାଏ, ତାହା ସମୟ ଏବଂ ଦୁଇଟି ଘଟଣା ଭିତରର ବ୍ୟବଧାନ ହେଉଛି ସମୟ। ଘଣ୍ଟାର ପେଣ୍ଡୁଲମ୍ ଏପଟରୁ ଯାଇ ସେପଟେ ପହଞ୍ଚିବା ଭିତରେ ସମୟ ଯେମିତି ବଦଳିଯାଇଥାଏ ଇତିହାସର ପେଣ୍ଡୁଲମ୍ର ଗତି ଓ ଦୋଳନ ଯୋଗୁଁ ପୃଥିବୀ କେତେ ନା କେତେ ମୋଡ଼ ସାମ୍ନା କରେ, ଅନୁଭବ ପ୍ରତ୍ୟକ୍ଷ କରେ। ସେ ମୋଡ଼, ସେ ଅନୁଭବ ବାବଦରେ ଆମେ ଶୁଣୁ ଓ ପଢୁ ଘଟଣା, ଦୁର୍ଘଟଣା ଓ ଅଘଟଣର ବର୍ଣ୍ଣନା ତଥା ବିଶ୍ଳେଷଣରୁ।
ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଓ ସମ୍ପୃକ୍ତ ଦୁଇ ଦେଶ ଭିତରେ ଲଢ଼େଇକୁ ଛଅ ମାସରୁ ଅଧିକ ପୂରି ଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ରୁଷିଆର ଯୁକ୍ତି ୟୁକ୍ରେନ୍ର ‘‘ନାଟୋ’’ ମନସ୍କତା ଓ ବ୍ୟାପାରଟିରେ ଆମେରିକାର ଅଯଥା ତଥା ମାତ୍ରାଧିକ ଆଗ୍ରହ ରୁଷିଆର ନିରାପତ୍ତା ପ୍ରତି ବିପଦ। ୟୁକ୍ରେନ୍ର କହିବା କଥା ରୁଷୀୟ ଆକ୍ରମଣ ୟୁକ୍ରେନ୍ର ସାର୍ବଭୌମତ୍ବ ଉପର ଆକ୍ରମଣ ଓ ମାନବିକ ଅଧିକାରର ଉଲ୍ଲଂଘନ। ଯୁଦ୍ଧର ଅନ୍ତିମ ଭୟାବହ ପରିଣତି ସଂପର୍କରେ ଅବଗତ ଥାଇ ସୁଦ୍ଧା ଦୁଇ ଦେଶ ବଡ଼ିମା ଦେଖେଇ ନିଜେ ଅନ୍ୟ ଦେଶର କେତେ ଅଧିକ କ୍ଷୟକ୍ଷତି ସମ୍ଭବ କରାଇ ପାରିଲେ ସେ ନେଇ ପରିସଂଖ୍ୟାନ ବାଢୁଛନ୍ତି। ହେଲେ ହାତୀ ଲଢ଼ି ଚାଲିଲେ ଅସୁବିଧା ପିମ୍ଫୁଡ଼ିଙ୍କର ଓ ଘାସର। ତଥାପି ରୁଷିଆ ଓ ୟୁକ୍ରେନ୍ ସମରବିମୁଖ ହେଉନାହାନ୍ତି। ପ୍ରଖ୍ୟାତ ଯୁଦ୍ଧତତ୍ତ୍ବବିତ୍ କାର୍ଲ କ୍ଲଜ୍ଉଇଜ୍ ଥରେ କହିଥିଲେ- ଯୁଦ୍ଧ ମାନେ ରାଜନୀତିକୁ ଅନ୍ୟ ବାଟେ ବଳବତ୍ତର ରଖିବା। ଆଲୋଚ୍ୟ ଦୁଇ ଦେଶ ଜାଣିଥିବେ ନିଶ୍ଚୟ ଯେ ସବୁ ଯୁଦ୍ଧ ଭଳି ଏ ଯୁଦ୍ଧଟି ବି ଅବଶ୍ୟ ଶାନ୍ତିରେ ସରିବ।
ଇତ୍ୟବସରରେ ଯେଉଁ ଖବରଟି ୟୁକ୍ରେନ୍ ଓ ରୁଷିଆରେ ଯୁଦ୍ଧ ଅପେକ୍ଷା ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ତାହା ହେଲା ମିଖାଇଲ୍ ଗୋର୍ବାଚେଭ୍ଙ୍କ (୨.୩.୧୯୩୧-୩୦.୮.୨୦୨୨) ତିରୋଧାନ। ଗୋର୍ବାେଚଭ୍ ଥିଲେ ସୋଭିଏତ୍ କମ୍ୟୁନିଷ୍ଟ ଦଳର ଶେଷ ସାଧାରଣ ସଂପାଦକ ଏବଂ ସୋଭିଏତ୍ ଦେଶର ପ୍ରଥମ ଓ ଶେଷ ରାଷ୍ଟ୍ରପତି। ତଥାପି ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହୋଇନାହିଁ। ଏପରିକି ସେ ପ୍ରକ୍ରିୟାରେ ସୌଜନ୍ୟ ଦୃଷ୍ଟିରୁ ରୁଷିଆର ଏବେକାର ରାଷ୍ଟ୍ରପତି ପୁଟିନ୍ ସଶରୀର ସାମିଲ ହୋଇନଥିବା ବିବରଣୀ ପ୍ରକାଶିତ ହୋଇଛି। ପୁଟିନ୍ ଏକଦା ସୋଭିଏତ୍ ଦେଶର ବିଘଟନ ଓ ବିଲୟକୁ ବିଂଶ ଶତାବ୍ଦୀର ସବୁଠୁ ବଡ଼ ଜିଓ-ପଲିଟିକାଲ୍ ବା ଭୂ-ରାଜନୀତିକ ବିଭୀଷିକା ବୋଲି ବିବେଚନା କରିଥିଲେ ଏବଂ ସେଥିପାଇଁ ମୁଖ୍ୟତଃ ଗୋର୍ବାଚେଭ୍ ଦାୟୀ ବୋଲି ସୂଚେଇ ଥିଲେ। ପୁଣି କେହି କେହି- ଅନେକ ରୁଷୀୟ ଓ କେତେକ ୟୁକ୍ରେନୀୟ- କହୁଛନ୍ତି ଗୋର୍ବାଚେଭ୍ ସୋଭିଏତ୍ ଦେଶର ରାଷ୍ଟ୍ରପତି ଥିଲେ, ରୁଷିଆର ନୁହେଁ ଏବଂ ସୋଭିଏତ୍ ଦେଶ ଓ ରୁଷିଆ ଅଲଗା ଅଲଗା ସତ୍ତା; ତାଙ୍କର କେତେକ ପଦକ୍ଷେପ ଯୋଗୁଁ ରୁଷିଆ ଓ ୟୁକ୍ରେନ୍ ଭିନ୍ନ ଭିନ୍ନ ଦେଶ ହୋଇଗଲେ ଓ ପରିସ୍ଥିତିରେ ପଡ଼ି ଏବେ ଲଢୁଛନ୍ତି।
ଷ୍ଟାଲିନ୍ ସୃଷ୍ଟ ଆତଙ୍କ, ବ୍ରେଜ୍ନେଭ୍କୃତ ସ୍ଥାଣୁତ୍ବ ଓ ସଂପୂର୍ଣ୍ଣ ରାଷ୍ଟ୍ର ନିୟନ୍ତ୍ରିତ ମତାଦର୍ଶର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟ ମିଶି ସୋଭିଏତ୍ ଦେଶରେ ଯେଉଁ ମଇଳାମୟ ଜଳବାୟୁ ସୃଷ୍ଟି କରିଥିଲେ ଗୋର୍ବାଚେଭ୍ ନିଜ ଦେଶକୁ ସେଥିରୁ ଉଦ୍ଧାର କରି ବଞ୍ଚେଇବା ପାଇଁ ଗ୍ଲାସ୍ନସ୍ତ (ରାଜନୀତିକ ଖୋଲାପଣ) ଓ ପେରେସ୍ତ୍ରୋଇକା (ଅର୍ଥନୀତିକ ପୁନଃଗଠନ) ଭଳି ସଂସ୍କାର ଓ ପରିବର୍ତ୍ତନ ପ୍ରୟାସ ହାତକୁ ନେଇଥିଲେ। ସୋଭିଏତ୍ ସହରମାନଙ୍କରେ ବହୁଦଳୀୟ ନିର୍ବାଚନ ଅନୁଷ୍ଠିତ ହେଲା; ଆଗରୁ ନିଷିଦ୍ଧ ଅନେକ ସିନେମା ଲୋକେ ଦେଖିବାକୁ ପାଇଲେ ଓ ବହି ପଢ଼ି ପାରିଲେ ଏବଂ ନିର୍ବାସନରେ ସେେବକାର ଗର୍କି ସହରରେ ଅଟକ ରଖାଯାଇଥିବା ନୋବେଲ୍ ବିଜେତା, ବୈଜ୍ଞାନିକ ଓ ଭିନ୍ନମତାବଲମ୍ବୀ ଆନ୍ଦ୍ରେ ସାଖାରୋଭ୍ ମୁକୁଳି ମସ୍କୋ ଫେରିପାରିଲେ।
ଗୋର୍ବାଚେଭ୍ଙ୍କ ନବ ପ୍ରୟୋଗ ଦ୍ବୟ ଆହୁରି କିଛି ସୁଫଳ ବି ସମ୍ଭବ କରେଇଥିଲା। ହେଲେ, ଅନେକ କଥା ତାଙ୍କୁ ସୁହାଇଲା ନାହିଁ। ତେଲ ଦର ନିୟମିତ କମି ଚାଲିଲା; ଆର୍ମେନିଆରେ ବଡ଼ ଧରଣର ଭୂକମ୍ପ ହେଲା; ଚେର୍ଣ୍ଣୋବିଲ୍ରେ ଘଟିଥିବା ଆଣବିକ ଦୁର୍ବିପାକ ଅଛପା ରହିଲାନି; ଖଣି ଶ୍ରମିକ ଧର୍ମଘଟରେ ବସିଲେ; କ୍ଷୁବ୍ଧ ଉପଭୋକ୍ତା କ୍ଷୋଭ ପ୍ରକାଶ କରି ଚାଲିଲେ ଓ ଆଫଗାନିସ୍ତାନରୁ ସୋଭିଏତ୍ ସୈନ୍ୟ ଅପସାରଣ କରିବାକୁ ପଡ଼ିଲା। ପୁଣି ତାଙ୍କରି ସମୟରେ ‘ୱାର୍ସ’ ଚୁକ୍ତି ବାତିଲ୍ ହେବା ସାଙ୍ଗକୁ ‘ନାଟୋ’ର ସଂପ୍ରସାରଣ ଘଟି ଚାଲିଥିଲା, ଦୁଇ ଜର୍ମାନୀ ଏକାଠି ହେଲେ ଓ ଶୀତଳ ଯୁଦ୍ଧର ଅନ୍ତ ଘଟିଲା। ବିଦେଶରେ ତାଳି, ନିଜ ଦେଶରେ ଗାଳି- ଏଭଳି ବାସ୍ତବତାର ସମ୍ମୁଖୀନ ହେବାକୁ ପଡ଼ିଲା ଗୋର୍ବାଚେଭ୍ଙ୍କୁ।
ସିଏ ଅନୁସରଣ କରିଥିବା ନୂଆ ନୂଆ ପନ୍ଥା ଦେଶର ଦରକାର ଥିଲା; କିନ୍ତୁ ଦେଶରେ ସେସବୁ ଗ୍ରହଣୀୟ ହେଲାନି। ନିଜ ଦେଶର ଲୋକେ ତାଙ୍କ ନୀତି ନିଷ୍ପତ୍ତିକୁ ସେତେଟା ଭଲ ପାଇଲେନି; ସେପଟେ ଆମେରିକା-ଇଂଲଣ୍ଡ-ଫ୍ରାନ୍ସର ନେତାନେତ୍ରୀ ଯଥାକ୍ରମେ ରୋନାଲଡ୍ ରେଗାନ୍ ଓ ଜର୍ଜ ବୁଶ୍, ମାର୍ଗାରେଟ୍ ଥାଚର୍ ଏବଂ ଫ୍ରାସୁଆଁ ମିତରାଁ ଅଲିଖିତ ପ୍ରତିଶ୍ରୁତି ମୁତାବକ ସମର୍ଥନ କଲେନି, ଠିକଣା ସମୟରେ ଧରାଛୁଆଁ ଦେଲେନି। ଅନ୍ୟତମ ବୃହତ୍ ଶକ୍ତି ଭାବେ ସାରା ପୃଥିବୀକୁ ଥରହର କରୁଥିବା ସୋଭିଏତ୍ ଦେଶ ଆର୍ଥିକ ସାହାଯ୍ୟ ପାଇଁ ଆମେରିକାର ଦ୍ବାରସ୍ଥ ହୋଇ ଅପଦସ୍ତ ହେଲା। ନିନ୍ଦୁକ ଓ ସମାଲୋଚକମାନେ ମତ ମନ୍ତବ୍ୟରେ କହିଲେ- କମ୍ରେଡ୍ ଗୋର୍ବାଚେଭ୍ ଶେଷରେ ଏଇଆ କଲେ! ମାର୍କ୍ସବାଦ-ଲେନିନ୍ବାଦକୁ ଛାଡ଼ି ସାମାଜିକ ଗଣତନ୍ତ୍ର ମୁହାଁ ହେଲେ! ଇତିହାସର ପେଣ୍ଡୁଲମ୍ର ଦୋଳନ ଏମିତି ହେଲା ଯେ ଗୋର୍ବାଚେଭ୍ ଇସ୍ତଫା ଦେଲେ ଓ ସୋଭିଏତ୍ ଦେଶ ଖଣ୍ଡ ବିଖଣ୍ଡିତ ହୋଇଗଲା।
ଯେଉଁ ଗୋର୍ବାଚେଭ୍ ଇତିହାସର ଗତିପଥ ବଦଳେଇବାକୁ ଚାହିଁଥିଲେ ଶେଷରେ ତାଙ୍କ ଐତିହ୍ୟକୁ ଇତିହାସ ଖତେଇ ହେଲା ଏବଂ ଏବେ ଆବର୍ଜନା ଗଦାରେ ପୋତି ଦେବା ଉପରେ। ଏପରିକି ୧୯୭୪ ମସିହାରେ ସୋଭିଏତ୍ ଦେଶରୁ ବହିଷ୍କୃତ ହୋଇ ନିର୍ବାସନରେ ଥିବା ନୋବେଲ୍ ବିଜେତା ବିଖ୍ୟାତ ଲେଖକ ଆଲେକ୍ଜାଣ୍ଡର୍ ସୋଲ୍ଝେନ୍ସ୍ତିନ୍ ୧୯୯୪ରେ ରୁଷିଆକୁ ଫେରିବା ପରେ କହିଥିଲେ ଗ୍ଲାସ୍ନସ୍ତ ଯୋଗୁଁ ଦେଶରେ ଦୁର୍ନୀତି, ଅପରାଧ ଓ ସାଂସ୍କୃତିକ ଉଚ୍ଛୃଙ୍ଖଳତା ବଢ଼ିଗଲା। ଉତ୍ତରରେ ଗୋର୍ବାଚେଭ୍, ଯିଏ ମଧ୍ୟ ଜଣେ ନୋବେଲ୍ ବିଜେତା କହିଥିଲେ- ‘‘ଗୁଲାଗ ଆାର୍କିପାଲେଗୋ’’ର ସ୍ରଷ୍ଟା ସୋଲ୍ଝେନ୍ସ୍ତିନ୍ ଜଣେ ମହାନ୍ ଲେଖକ। କିନ୍ତୁ ଗ୍ଲାସ୍ନସ୍ତ ଆସି ନ ଥିଲେ ସିଏ ସେମିତି ନିର୍ବାସନରେ ଥାଇ ଭର୍ମୋଣ୍ଟ୍ରେ କାଠ କାଟୁଥାନ୍ତେ। କହିବା ବାହୁଲ୍ୟ ଭର୍ମୋଣ୍ଟ୍ ଆମେରିକାର ଏକ ଅରଣ୍ୟାଞ୍ଚଳ।
ସେପଟେ ଇଂଲଣ୍ଡରେ ସଦ୍ୟ ସମାପ୍ତ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲିଜ୍ ଟ୍ରସ୍ଙ୍କ ବିଜୟ ଅପେକ୍ଷା ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ଙ୍କ ପରାଜୟ ଗଣମାଧ୍ୟମର ପୃଷ୍ଠା ଓ ପରଦା ମଣ୍ଡନ କରି ଚାଲିଥିଲା ଟିକେ ଅଧିକ। ବର୍ଣ୍ଣ, ଧର୍ମ, ପ୍ରଜାତିକତା, ଲିଙ୍ଗ କାରଣରୁ ସିଏ ହାରିଗଲେ କି? ଇଂଲଣ୍ଡ ଏକାଧିକ ପ୍ରାୟଶ୍ଚିତ୍ତର ସୁଯୋଗ ହାତଛଡ଼ା କରିଦେଲାନି ତ? ଏଇ ଯେମିତି ଔପନିବେଶିକ ଉତ୍ପୀଡ଼ନ, କୋହିନୂର ନ ଫେରେଇବା ଓ ଜାଲିଆଁୱାଲାବାଗ ଗଣସଂହାର ସହ ଯୋଡ଼ା ଐତିହାସିକ ମହାତ୍ରୁଟିର କିଛିଟା ସଂଶୋଧନ ଓ ଭରଣା କରିବାର ସୁଯୋଗ! ସେତିକି ବେଳେ ମହାରାଣୀ ଏଲିଜାବେଥ୍ ଦ୍ବିତୀୟ (୨୧.୪.୧୯୨୬- ୮.୯.୨୦୨୨)ଙ୍କ ପରଲୋକ ଗମନ ଖବର ଇଂଲଣ୍ଡର ଅନ୍ୟ ଅନେକ ଖବରକୁ ଢାଙ୍କି ଦେଲା।
ସାତ ଦଶନ୍ଧି ଧରି ଏଲିଜାବେଥ୍ ମହାରାଣୀ ଥିଲା ବେଳେ ୧୫ ଜଣ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କ ସଂପର୍କେର ଆସିଥିଲେ- ଚର୍ଚ୍ଚିଲ୍ଙ୍କ ଠାରୁ ଏବେକାର ପ୍ରଧାନମନ୍ତ୍ରୀଙ୍କ ଯାଏ। ସିଏ ୧୯୫୨ ମସିହାରେ ସିଂହାସନ ଆରୋହଣ କଲା ବେଳକୁ ବିଶ୍ବଯୁଦ୍ଧାକ୍ରାନ୍ତ ଇଂଲଣ୍ଡରେ ଅବସ୍ଥା ସେମିତି ଭଲ ନ ଥିଲା। ସମୟକ୍ରମେ ନିଜ ଦେଶ ଏକ ସାମ୍ରାଜ୍ୟବାଦୀ ଶକ୍ତିରୁ ବିଶ୍ବ ମଞ୍ଚରେ ସେତେଟା ଅସାଧାରଣ ପ୍ରଭାବ ବିସ୍ତାର କରି ପାରୁ ନ ଥିବା ଦେଶରେ ପରିଣତ ହେବାରେ ଲାଗିଲା। ଇଂଲଣ୍ଡ ୟୁରୋପୀୟ ୟୁନିୟନରେ ମିଶିଥିଲା ଓ ତା’ ଭିତରୁ ବାହାରି ଆସିଥିଲା। ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧର ପ୍ରଥମ ୪୦ ବର୍ଷ ବିଶ୍ବ ରାଜନୀତିରେ ଆମେରିକା ଓ ସୋଭିଏତ୍ ଦେଶ ରାଜୁତି କରୁଥିଲେ।
ଇଂଲଣ୍ଡରେ ବି ବିତର୍କ ହେଉଥିଲା- ଏକ ସଂସଦୀୟ ଗଣତନ୍ତ୍ରରେ ରାଜତନ୍ତ୍ରର ଔପଚାରିକ ଓ ଆଳଙ୍କାରିକ ପ୍ରତୀକଟିଏ ଲୋଡ଼ା କି? ପ୍ରତୀକ କ’ଣ ପରଂପରା? ନିଜ ଜୀବନର ଶେଷ ଭାଗରେ କୋଭିଡ୍ ଭୋଗିଥିବା ମହାରାଣୀ ଏଲିଜାବେଥ୍ ଆଗରୁ ପାରିବାରିକ ଜୀବନରେ ଅନେକ ସମସ୍ୟା ଓ ସଂକଟର ସମ୍ମୁଖୀନ ହୋଇଥିଲେ ଯାହା ଭିତରେ ଅନ୍ତର୍ଭୁକ୍ତ ତାଙ୍କର ଜଣେ ଝିଅ ତଥା ଦୁଇ ପୁଅଙ୍କ ବିବାହ ବିଚ୍ଛେଦ। ଏହା ସର୍ବଜନବିଦିତ ଯେ ଇଂଲଣ୍ଡର ସାଂପ୍ରତିକ ରାଜା ଚାର୍ଲସ ତୃତୀୟ ନିଜ ବ୍ୟକ୍ତିଗତ ଜୀବନ ପାଇଁ ବହୁଚର୍ଚ୍ଚିତ ଥିଲେ; କିନ୍ତୁ ଧୀରେ ଧୀରେ ସିଏ ଗ୍ରହଣୀୟ ଓ ବେଶ୍ ଲୋକପ୍ରିୟ ହେବାକୁ ଲାଗିଲେ। ଇଂଲଣ୍ଡରେ ଏକା ସାଙ୍ଗରେ ପୁରୁଣା ଓ ନୂଆକୁ ଭଲ ପାଉଥିବା ଲୋକଙ୍କ ସଂଖ୍ୟା କାହିଁରେ କେତେ। ଏବେ ବି ସେଠି ଦେଶବାସୀ କହନ୍ତି- ସମ୍ରାଟ୍/ମହାରାଣୀ ଚାଲିଗଲେ; କିନ୍ତୁ ରାଜତନ୍ତ୍ର ଦୀର୍ଘଜୀବୀ ହେଉ ଓ ନୂଆ ରାଜାଙ୍କୁ ଈଶ୍ବର ଆଶୀର୍ବାଦ କରନ୍ତୁ!
କୁହାଯାଏ କମ୍ରେଡ୍ ଗୋର୍ବାଚେଭ୍ ଓ ମହାରାଣୀ ଏଲିଜାବେଥ୍ ମୋଟାମୋଟି ଭଲ ମଣିଷ ଥିଲେ। ଗୋର୍ବାଚେଭ୍ଙ୍କ ଛବି ମନେ ପକାଇଲେ ସାଙ୍ଗେ ସାଙ୍ଗେ ଉଙ୍କି ମାରେ ତାଙ୍କ ମୁଣ୍ଡର ତଳ ଭାଗରେ ମାନଚିତ୍ର ପ୍ରାୟ ଦିଶୁଥିବା ଅମଳିନ ଦାଗ। ଆଉ ମହାରାଣୀଙ୍କ ଚିତ୍ର ସହ ଯୋଡ଼ା ସବୁ ବେଳେ ତାଙ୍କ ମଥାର ମୁକୁଟ। ଦୁହିଁଙ୍କୁ ୯୦ ବର୍ଷରୁ ଅଧିକ ବୟସ ହୋଇଥିଲା। ସେମାନେ ଜୀବନର ଅନେକ ଝଡ଼ଝଞ୍ଜା ଆଦିକୁ ସାମ୍ନା ଓ ଅତିକ୍ରମ କରି ପାରିଥିବାର ଅନ୍ୟତମ କାରଣ ଥିଲା ସେମାନଙ୍କ ସଫଳ ଦାଂପତ୍ୟ ଜୀବନ- ଗୋର୍ବାଚେଭ୍ଙ୍କ କ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ଓ ଏଲିଜାବେଥଙ୍କ କ୍ଷେତ୍ରରେ ସ୍ବାମୀଙ୍କ ସାହଚର୍ଯ୍ୟ। ଗୋର୍ବାଚେଭ୍ ଓ ଏଲିଜାବେଥ୍ ସଂପ୍ରତି ଯେଉଁଠି ଥିବେ, ସେଠି ବୋଧହୁଏ ଏକ ବଡ଼ ଘଣ୍ଟାର, ଇତିହାସର ପେଣ୍ଡୁଲମ୍କୁ ଦେଖୁଥିବେ, ଯାହାର ଗୋଟିଏ ପାଖରେ ଜନ୍ମ ଲେଖା ହୋଇଥିଲା ବେଳେ ଅନ୍ୟ ପାଖରେ ମୃତ୍ୟୁ ଲେଖା ହୋଇଥିବ। ଆଉ ସେହି ଦେଖିବା ପ୍ରକ୍ରିୟାରେ ପେଣ୍ଡୁଲମ୍ ପୁଣି ଗୋଟିଏ ପଟୁ ଅନ୍ୟ ପଟକୁ ଯାଇ ସାରିଥିବ।
ମୋ: ୯୪୩୭୩୦୭୦୭୯