ପ୍ରଫୁଲ୍ଲ କୁମାର ସାହୁ
‘ସମ୍ବାଦ’ର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତି। ସେ ଥିଲେ ଜଣେ ବେସାଲିସ୍ ରାଜନେତା ଓ ବୋୖଦ୍ଧିକ ସାମ୍ବାଦିକତାର ପ୍ରବର୍ତ୍ତକ। ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ ମଧ୍ୟ ମୂଳତଃ ସେ ଜଣେ ସାହିତ୍ୟିକ ଓ ସେହିଭଳି ଭାବରେ ପରିଚିତ ହେବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ। ଓଡ଼ିଆ ଜାତିର ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ ଚେତନାରେ ଯେ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଧିଷ୍ଠିତ ଥିବେ, ସେ ପର୍ଯ୍ୟନ୍ତ ମହାଗୋୖରବରେ ସ୍ମରଣ ହେଉଥିବ ଐତିହାସିକ ଉପନ୍ୟାସ ‘ନୀଳଶୈଳ’ ଓ ତା’ର ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି।
ରାଜନୀତିଜ୍ଞ ସୁରେନ୍ଦ୍ର ତାଙ୍କର ଆଉ ଏକ ସଂଜ୍ଞା। ଛାତ୍ର ଜୀବନରୁ ରାଜନୀତିର ଅର୍ଥ ସେ ବୁଝିଥିଲେ ରାଷ୍ଟ୍ର ଓ ସମାଜ ପ୍ରତି ଏକ କ୍ରିୟାଶୀଳ ଦାୟବଦ୍ଧତା; ଗୋଟେ ସ୍ବପ୍ନ ଓ ଆଦର୍ଶ ପ୍ରତିଷ୍ଠା ନିମନ୍ତେ ବେସାଲିସ୍ ସଂଗ୍ରାମ। ସାମ୍ପ୍ରତିକ ରାଜନୀତିରେ ଯିଏ ନିଜ ବିଚାର ଓ ବିବେକ ସହିତ ଯେତେ ବେଶୀ ସାଲିସ୍ କରିପାରେ, ସିଏ ସେତେ ସଫଳ ରାଜନେତା। ତାଙ୍କ ମତରେ ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ବ ଓ ବୈରୀ ଚଲାମେଘ ପରି ଅସ୍ଥିର। ରାଜନୀତିର ଏହି ପ୍ରବଞ୍ଚନା ତତ୍ତ୍ବକୁ ବିରୋଧ କରି ସେ ରାଜନୀତି ଛାଡ଼ିଛନ୍ତି, କିନ୍ତୁ କୋୖଣସି ନୀତିଗତ ନିଷ୍ପତ୍ତି ନେବାବେଳେ ନିଜ ବିଚାର ଓ ବିବେକକୁ କେବେ ହତ୍ୟା କରିନାହାନ୍ତି କାହାରି ଚାପ ବା କ୍ଷମତା ଲୋଭରେ।
ସାହିତ୍ୟ ଓ ରାଜନୀତି ତାଙ୍କ ପାଇଁ ପରସ୍ପର ପରିପୂରକ ହୋଇଥିଲେ ହେଁ ଯୋୖବନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୃତ୍ତିଗତ ଭାବେ ସେ ଥିଲେ ଜଣେ ସାମ୍ବାଦିକ। ଇଂରେଜୀ ସମ୍ବାଦପତ୍ର ‘ନିଉ ଓଡ଼ିଶା’ରୁ ଆରମ୍ଭ ହୋଇଥିଲା ତାଙ୍କ ସାମ୍ବାଦିକତାର ଖଡ଼ିପାଠ। ପରବର୍ତ୍ତୀ ସମୟରେ ‘ଜନତା’ (୧୯୪୫-୧୮୫୨), ‘ଗଣତନ୍ତ୍ର’ (୧୯୫୩-୧୯୬୦), ‘କଳିଙ୍ଗ’ (୧୯୬୨-୧୯୭୦) ‘ସମ୍ବାଦ’ (୧୯୮୪-୧୯୮୭)ର ସମ୍ପାଦକ ଭାବରେ ସେ ବୋୖଦ୍ଧିକ ସାମ୍ବାଦିକତାର ଯେଉଁ ଉଦାହରଣ ସୃଷ୍ଟି କରିିଛନ୍ତି, ତାହା ଏ ପର୍ଯ୍ୟନ୍ତ ଦିଗବାରେଣି ହୋଇ ରହିଛି ସାମ୍ବାଦିକତା ଇତିହାସରେ। ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ବାଦିକତା ହେଉଛି ଜୀବନଧର୍ମୀ ଆଭିମୁଖ୍ୟର ବିଶ୍ବସ୍ତ ପ୍ରତିଲିପି। ତାଙ୍କ ମତରେ ସମ୍ବାଦ କେବଳ ଘର ପୋଡ଼ିଯିବା ବା କ୍ଷେତ୍ର ଉଜୁଡ଼ିଯିବା ନୁହେଁ, ତା’ ସହିତ ଆଷାଢ଼ ଆସିବା ଓ କଦମ୍ବ ବିକଶିତ ହେବା ମଧ୍ୟ ସମ୍ବାଦ। ‘କୃଷ୍ଣଚୂଡ଼ା’ ଗଳ୍ପରେ କଳାଘୂମର ମେଘଢଙ୍କା ଆକାଶ ତଳେ ପୁଷ୍ପିତ କୃଷ୍ଣଚୂଡ଼ାର ଶୋଭା ଦେଖି ସାମ୍ବାଦିକ ସଦାନନ୍ଦ ନିଜକୁ ନିଜେ ପ୍ରଶ୍ନ କରିଥିଲେ- ଏଇ ପୁଷ୍ପିତ କୃଷ୍ଣଚୂଡ଼ା ଆଜି ଦିନର ଶ୍ରେଷ୍ଠ ସମ୍ବାଦ ନ ହେବ କାହିଁକି? ଏହି ଦୃଷ୍ଟିଭଙ୍ଗୀ ନେଇ ସାହିତ୍ୟକୁ ସାମ୍ବାଦିକତା ଓ ସାମ୍ବାଦିକତାକୁ ସାହିତ୍ୟର ନିକଟବର୍ତ୍ତୀ କରାଇବା ପାଇଁ ସେ ‘ଗଣତନ୍ତ୍ର’ର ‘ସାହିତ୍ୟ ଓ ସମାଜ’ ସ୍ତମ୍ଭରେ ଯେଉଁ ଅନୁଶୀଳନ ଆରମ୍ଭ କରିଥିଲେ ତାହା ପରିପୂର୍ଣ୍ଣତା ଲାଭ କରିଥିଲା ‘ସମ୍ବାଦ’ର ‘ଶେଷସ୍ତମ୍ଭ’ରେ।
ସାମ୍ବାଦିକତା କ୍ଷେତ୍ରରେ ନିତ୍ୟ ନୂତନତା ଆଣିବାର ନିରନ୍ତର ପ୍ରୟାସ ଯୋଗୁଁ ସେ ଆୟତ୍ତ କରିନେଇଥିଲେ ଛୋଟ ଛୋଟ କଥାକୁ ସମୁନ୍ନତ ଶୈଳୀରେ ବର୍ଣ୍ଣନା କରିବାର କୋୖଶଳ ଏବଂ କୋୖଣସି ଗଦ୍ୟମୟ ବିଷୟକୁ କାବ୍ୟିକ ସ୍ତରକୁ ନେଇଯିବାର ପାରଦର୍ଶିତା। ତାଙ୍କର ପ୍ରତ୍ୟେକ ଲେଖା ଅନ୍ତରାଳରେ ଥାଏ ଜଣେ ସାମ୍ବାଦିକର ତୀକ୍ଷ୍ଣ ପର୍ଯ୍ୟବେକ୍ଷଣ ଓ ଓସ୍ତାଦ ଶିଳ୍ପୀର ପରିବେଷଣ କୋୖଶଳ। ଶବ୍ଦଯୁଗ୍ମ ନିର୍ମାଣ, ନୂଆ ନୂଆ ଶବ୍ଦ ପ୍ରୟୋଗର ଅନୁଶୀଳନ ଓ ସଂଳାପଧର୍ମୀ ଶୈଳୀ ସୃଷ୍ଟି କରିବାରେ ସେ ଥିଲେ ଅନନ୍ୟ ଓ ଅସାଧାରଣ। ସେଥିପାଇଁ ତାଙ୍କ ଲେଖାସବୁ ଏତେ ରସସିକ୍ତ ଓ ଭାବଧର୍ମୀ, ଯାହାର ଦୃଷ୍ଟାନ୍ତ ହେଉଛି ‘ସମ୍ବାଦ’ ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ସେ ନିୟମିତ ଲେଖୁଥିବା ‘ଶେଷସ୍ତମ୍ଭ’। ‘ସମ୍ବାଦ’ର ଜନ୍ମଲଗ୍ନରୁ ଏକ ବିଶେଷ ପ୍ରୟୋଜନରୁ ଆରମ୍ଭ ହୋଇଥିବା ‘ଶେଷସ୍ତମ୍ଭ’ର ଅନ୍ତର୍ନିହିତ ବକ୍ତବ୍ୟ ହେଉଛି ତାଙ୍କ ଆତ୍ମାର ଉଚ୍ଚାରଣ, ଯାହା ସୃଷ୍ଟିଧର୍ମୀ ଓ ଉଚ୍ଚାଙ୍ଗ ସାହିତ୍ୟର ନିଦର୍ଶନ।
ତାଙ୍କ ମତରେ ‘ନିଷ୍କମ୍ପ ଭାବରେ କଲମ ଚଳାଇବା ହେଉଛି ସାମ୍ବାଦିକତାର କର୍ମ ଓ ଧର୍ମ। ସେହି ବୃତ୍ତିଧର୍ମ ପାଳନ କରିବାକୁ ଯାଇ ସେ ବାରମ୍ବାର ଆଙ୍ଗୁଳି ପୋଡ଼ିଛନ୍ତି ପଛେ ସରକାରଙ୍କ ଜନବିରୋଧୀ ନୀତିକୁ ବରଦାସ୍ତ କରିନାହାନ୍ତି ଭୀରୁ ଓ କାପୁରୁଷ ପରି। ମୁଖ୍ୟମନ୍ତ୍ରୀ ମହତାବଙ୍କୁ କଳିଙ୍ଗ ନିରୋ କହି ଗିରଫ ହୋଇଛନ୍ତି ଡିଫେନ୍ସ ଅଫ୍ ଓଡ଼ିଶା ରୁଲ୍ ଅନୁସାରେ। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ କେ ବର୍ମନଙ୍କ ଆଭିମୁଖ୍ୟ ଆଡ଼କୁ ଆଙ୍ଗୁଳି ଉଠେଇ ଛନ୍ଦି ହୋଇଛନ୍ତି ଅଦାଲତ ଅବମାନନା ମାମଲାରେ। ମାତ୍ର ଏଥିରେ ସେ ଦବିଯିବା ପରିବର୍ତ୍ତେ ଅଧିକ ଶାଣିତ ହୋଇଛି ତାଙ୍କ ଅନ୍ୟାୟ ବିରୋଧୀ ସ୍ବର। ସାମ୍ବାଦିକତାର ଧର୍ମ ପାଳନ କରିବା ନିମନ୍ତେ ତରୁଣ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇ ସେ କହନ୍ତି, ପ୍ରବୀଣମାନଙ୍କ ପରି ସେମାନେ ପ୍ରଶସ୍ତି ନିମନ୍ତେ ଲାଳାୟିତ ନ ହୋଇ ଅଭିସମ୍ପାଦ ଶୁଣିଲେ ବରଂ ଅଧିକ ତୀକ୍ଷ୍ଣ ଓ ଶାଣିତ ହେବା ଉଚିତ୍। କାରଣ ଜୀବନର ତୃଷ୍ଣା ଯଦି କେଇ ବିନ୍ଦୁ ଜଳରେ ତୃପ୍ତ ହୁଏ, ତେବେ ସମୁଦ୍ରକୁ ଶୋଷିବ କିଏ? କିଏ ବୋଲାଇବ ଅଗସ୍ତିର ବଂଶଧର?
ଏକ ବ୍ୟକ୍ତିଗତ ଚିଠିରେ ସେ ଲେଖିଥିଲେ ପଥ ହିଁ ସତ୍ୟ ଓ ଚାଲିବା ହିଁ ଧର୍ମ। ରୌଦ୍ରଦଗ୍ଧ ପଥରେ ଛାଇ ଟିକିଏ ନ ପାଇ ପଥକୁ ଅସ୍ବୀକାର କରୁଥିବା ବ୍ୟକ୍ତି କେବେ ପଥିକ ନୁହେଁ, ବରଂ ଜଣେ କ୍ଳାନ୍ତ ପଦାତିକ। ତେଣୁ ସେ ପଦାତିକ ହେବା ପରିବର୍ତ୍ତେ ପଥିକ ପରି ଚାଲିଛନ୍ତି ଜୀବନର ଶେଷ ପର୍ଯ୍ୟନ୍ତ। ସଂସାରରୁ ବିଦାୟ ନେବାର ଛଅ ଦିନ ପୂର୍ବରୁ (୧୫-୧୨-୧୯୯୦) ‘ଶେଷସ୍ତମ୍ଭ’ରେ ସେ ଲେଖିଥିଲେ ତାଙ୍କର ଶେଷ ଆଲେଖ୍ୟ ‘ଲାଇଟ୍ ହାଉସରେ ଶାଳଭଞ୍ଜିକା’।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୬୩୭୧୬୪୨୪୬୪
‘ସମ୍ବାଦ’ର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ଉପଲକ୍ଷେ