୨୦୧୮-୧୯ ମସିହାର ଆକଳନ ଅନୁଯାୟୀ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ସମୁଦାୟ ଖର୍ଚ୍ଚ ଅଟକଳ ହେଉଛି ପ୍ରାୟ ୩,୭୯୧ କୋଟି ୬୬ ଲକ୍ଷ ଟଙ୍କା। ଏ ବର୍ଷର ବଜେଟରେ ଏହି ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଓଡ଼ିଶାର ବିଭିନ୍ନ ‌େରଳବାଇ କାର୍ଯ୍ୟ ଲାଗି ଯାହା ବ୍ୟୟ ବରାଦ କରାଯାଇଛି, ତନ୍ମଧ୍ୟରୁ ଏହି ରେଳ ପ୍ରକଳ୍ପ ସର୍ବାଧିକ ଅନୁଦାନ ପାଇଛି। ଗତ ବର୍ଷ ଏହି ରେଳପଥ ପାଇଁ ୧,୦୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ବିଡ଼ମ୍ବନା ହେଲା ଏହି ଅର୍ଥ ସଂପୂର୍ଣ୍ଣ ଭାବେ ବ୍ୟୟ କରାଯାଇପାରୁନାହିଁ। ଯଦି ସେତକ ସମ୍ଭବ ହୁଅନ୍ତା, ତେବେ କାର୍ଯ୍ୟ ଦ୍ରୁତ ବେଗରେ ଅଗ୍ରଗତି ଲାଭ କରି ସମାପ୍ତ ହେବାକୁ ବସନ୍ତାଣି।

Advertisment

ଏହି ୨୮୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥ ୨୮ ବର୍ଷ ତଳେ ମଂଜୁରି ଲାଭ କରିଥିଲା। ମାତ୍ର ଏ ଯାବତ୍‌ କେବଳ ୧୦୬ କିଲୋମିଟର ଅଂଶ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ରହିଛି ୧୫.୮ କିଲୋମିଟର ଓ ଖୋର୍ଦ୍ଧା ରୋଡ ପଟୁ ନୂଆଗାଁ ପର୍ଯ୍ୟନ୍ତ ୯୧ କିଲୋମିଟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରି ୧୫ ତାରିଖରେ ବଲାଙ୍ଗୀର-ବିଛୁପାଲି ଟ୍ରେନର ଲୋକାର୍ପଣ କରିଥିଲେ। ତା’ ପର ଠାରୁ ତିନି ବର୍ଷ ପୂରିଗଲାଣି, କିନ୍ତୁ ବିଛୁପାଲି ଠାରୁ ପରବର୍ତ୍ତୀ ଷ୍ଟେସନ ଝାରତରଭା ପର୍ଯ୍ୟନ୍ତ ମାତ୍ର ୧୦ କିଲୋମିଟର ବାଟକୁ ରେଳ ଗଡ଼ି ପାରିନାହିଁ। ଏଣେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ବଲାଙ୍ଗୀର ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳପଥ ୨୦୨୧ ମସିହା ସୁଦ୍ଧା ସରି ଯାଇ ରେଳ ଚଳାଚଳ ଆରମ୍ଭ ହୋଇଯିବା କଥା।
ରେଳ ବିଭାଗ ଅନୁସାରେ ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ କାମ ଏବଂ ଏଥିରେ ବିଳମ୍ବ ଘଟିବା ପ୍ରକଳ୍ପ କାର୍ଯ୍ୟର ମନ୍ଥରତାର କାରଣ; ପାଣ୍ଠିର କୌଣସି ସମସ୍ୟା ନାହିଁ। ଏହା ସତ କଥା। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଜମି ଅଧିଗ୍ରହଣରେ ରହୁଥିବା ସମସ୍ୟା ଦୂରୀଭୂତ ହେଉନାହିଁ କାହିଁକି? ଏହି କାରଣରୁ ପ୍ରତି ବର୍ଷ ପ୍ରଦତ୍ତ ପାଣ୍ଠିର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ। ସୂଚନା ଅଧିକାର ଆଇନ ଯୋଗେ ପ୍ରାପ୍ତ ତଥ୍ୟରୁ ଜଣା ପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ମାତ୍ର ୨୯୫ କୋଟି ୪୨ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ସେମିତି ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୪୯ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା। ଗତ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୦୨୨-୨୩ ବର୍ଷର ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ମାତ୍ର ୧,୬୭୩ କୋଟି ୯୭ ଲକ୍ଷ ଟଙ୍କା। ସୁତରାଂ, ବଜେଟ୍‌ରେ କେବଳ ବିପୁଳ ଅର୍ଥର ଘୋଷଣା କରାଯାଇ ମନ ବହଲାଇବା ଭଳି କାର୍ଯ୍ୟ କରାଯାଉଛି ସିନା, ବସ୍ତୁ ସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।

ଏହି ରେଳପଥ ପାଇଁ ତିନି କିସମର ଜମି ବ୍ୟବହୃତ ହେବ। ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି। ରେଳପଥ ମଂଜୁରି ପାଇବା ପରେ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ତିନି କିସମ ଜମିରୁ କୌଣସି ଗୋଟିଏ କିସମ ଜମିର ଶହେ ପ୍ରତିଶତ ଆଜି ପର୍ଯ୍ୟନ୍ତ ଅଧିଗ୍ରହଣ କରାଯାଇ ପାରିଲା ନାହିଁ। ଆବଶ୍ୟକ ଥିବା ୧୨୮୪.୭୭ ଏକର ସରକାରୀ ଜମିରୁ ୨୭୩.୧୫ ଏକର, ୪୯୦୬.୬୯ ଏକର ବେସରକାରୀ ଜମିରୁ ୯୭.୨୨ ଏକର ବର୍ତ୍ତମାନ ପର୍ଯ୍ୟନ୍ତ ଅଧିଗୃହୀତ ହୋଇ ପାରି ନ ଥିବା ବେଳେ ଆବଶ୍ୟକ ଥିବା ୧୮୪୪.୪୦ ଏକର ଜଙ୍ଗଲ ଜମିରୁ ୧୬୭୪.୩୭ ଏକର ଜମିକୁ ଷ୍ଟେଜ-୨ ଅନୁମୋଦନ ମିଳିନାହିଁ। ମାତ୍ର ୧୭୦.୦୩ ଏକର ଜଙ୍ଗଲ ଜମିକୁ ଷ୍ଟେଜ-୨ ଅନୁମତି ମିଳିଥିବା ବେଳେ ୨୦୫.୦୪ ଏକର ଜମିକୁ ଷ୍ଟେଜ-୧ ଅନୁମତି ମିଳିଛି। ଝାରତରଭାକୁ ରେଳ ପରୀକ୍ଷାମୂଳକ ଭାବେ ଏହି ଅକ୍ଟୋବରରେ ଚାଲିବ ବୋଲି ରେଳବାଇର ତଥ୍ୟରେ କୁହାଯାଇଛି, ହେଲେ ତାହାର କୌଣସି ସମ୍ଭାବନା ନାହିଁ।

ନିକଟରେ ରେଳ ମନ୍ତ୍ରୀ ଖୋର୍ଦ୍ଧା ରୋଡ-ବଲାଙ୍ଗୀରକୁ ନେଇ କହିଥିଲେ ଯେ ଆବଶ୍ୟକ ସ୍ଥଳେ ସେ ନିଜେ ସମ୍ପୃକ୍ତ ତହସିଲଦାରମାନଙ୍କ ପର୍ଯ୍ୟନ୍ତ ଯାଇ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅନୁରୋଧ କରିବାକୁ କୁଣ୍ଠାବୋଧ କରିବେ ନାହିଁ। କିନ୍ତୁ ସେଭଳି ଆଗ୍ରହ ଏ ଯାବତ୍‌ କ୍ଷେତ୍ର ସ୍ତରରେ ଦେଖିବାକୁ ମିଳୁନାହିଁ। କେବଳ ଯାହା ବାକ୍ୟ ବାଣରେ ସବୁ ସୀମିତ ରହିଛି। ଏଣେ ଏହି ବିଳମ୍ବ ସାଧାରଣ ଲୋକଙ୍କ ମଧ୍ୟରେ ହତାଶା ଓ ଅସନ୍ତୋଷକୁ ତୀବ୍ରତର କଲାଣି। ଅନେକ ଲୋକ କ୍ଷୋଭର ସହିତ କହନ୍ତି ଯେ ବର୍ଷକୁ ମାତ୍ର ଦଶ କିଲୋମିଟର ହାରରେ ପ୍ରଗତି କରିଥିଲେ ଏତେ ବେଳକୁ ଏହି ପ୍ରକଳ୍ପ କାର୍ଯ୍ୟ ସରନ୍ତାଣି। ତେଣୁ ସେମାନଙ୍କର ଏହି ସ୍ବପ୍ନର ପ୍ରକଳ୍ପ ଯେ କେବେ ସତ୍ୟରେ ପରିଣତ ହେବ; ଏ ନେଇ ସେମାନେ ସନ୍ଦିହାନ ମଧ୍ୟ ହୋଇ ଉଠିଲେଣି।
ମୋ: ୯୪୩୭୩୬୭୯୯୯