ଲକ୍ଷ୍ମୀ ପୁରାଣର ପ୍ରଗତିଶୀଳ ଚେତନା

ଅଜୟ କୁମାର ନାୟକ

ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସଙ୍କ ଦ୍ବାରା ରଚିତ ‘ମହାଲକ୍ଷ୍ମୀ ପୁରାଣ’ ପାଠ କଲା ବେଳେ ବିସ୍ମିତ ହେବାକୁ ପଡ଼େ ଯେ ସେ ଯୁଗର ପୁରୁଷ-ପ୍ରଧାନ ବ୍ୟବସ୍ଥା ବିରୋଧରେ ଯାଇ ନାରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବା ପାଇଁ ସାହିତ୍ୟିକ, ସାମାଜିକ ଓ ଧର୍ମୀୟ ସ୍ତରରେ ଚେତନାର ଏଭଳି ଉତ୍ତରଣ ଘଟିବା ସମ୍ଭବ ହୋଇପାରିଥିଲା। ତାହା ହୋଇ ନ ଥିଲେ ‘ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ, ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ’ ଭଳି ଆଭିମୁଖ୍ୟ ବହନକାରୀ ଚେତନା ଏବଂ ଧାରଣା ‘ମହାଲକ୍ଷ୍ମୀ ପୁରାଣ’ରେ ସମାଧି ଲାଭ କରି ନ ଥାଆନ୍ତା!

‘ମହାଲକ୍ଷ୍ମୀ ପୁରାଣ’ କଥାବସ୍ତୁର ନାୟକ ସ୍ବୟଂ ମହାପ୍ରଭୁ ଜଗନ୍ନାଥ ଏବଂ ତାଙ୍କର ପ୍ରଚଣ୍ଡ ପ୍ରତାପୀ ଜ୍ୟେଷ୍ଠ ଭ୍ରାତା ହଳାୟୁଧଧାରୀ ପ୍ରଭୁ ବଳରାମ। ଏ ଦୁହିଁଙ୍କ ଅପର ପାର୍ଶ୍ବରେ ବିଦ୍ରୋହିଣୀ ଭୂମିକାରେ ଅବତୀର୍ଣ୍ଣ ମହାପ୍ରଭୁଙ୍କ ପତ୍ନୀ ମା’ ଲକ୍ଷ୍ମୀ ଯିଏ ଶ୍ରୀୟା ଚଣ୍ଡାଳୁଣୀ ଭଳି ସମାଜର ଜଣେ ସୀମାନ୍ତରିତ ଓ ଅକିଂଚନ ମନୁଷ୍ୟ ଲାଗି ସମସ୍ତ ତ୍ୟାଗ କରିବାକୁ ପ୍ରସ୍ତୁତ। ଏଭଳି କଥାବସ୍ତୁକୁ ନେଇ ରଚିତ ‘ମହାଲକ୍ଷ୍ମୀ ପୁରାଣ’ ଯେଉଁ ଅନନ୍ୟ ପ୍ରଗତିଶୀଳ ଚେତନା ଦ୍ବାରା ରସାଣିତ, ତା’ର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ। ‘ମହାଲକ୍ଷ୍ମୀ ପୁରାଣ’ରେ ଦେଖିବାକୁ ମିଳେ ଯେ ଏକ ପରିଚ୍ଛନ୍ନ ପରିବେଶରେ ଅତ୍ୟନ୍ତ ନିଷ୍ଠାର ସହିତ ମା’ ଲକ୍ଷ୍ମୀଙ୍କ ପୂଜା କରୁଥିବା ଅସ୍ପୃଶ୍ୟା ଶ୍ରୀୟା ଚଣ୍ଡାଳୁଣୀର ଗୃହକୁ ମା’ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ପ୍ରବେଶ କରନ୍ତି, ଯାହା ମହାପ୍ରଭୁ ଜଗନ୍ନାଥ ଏବଂ ଜ୍ୟେଷ୍ଠ ଭ୍ରାତାଙ୍କୁ କ୍ରୋଧାନ୍ବିତ କରେ। ଏହାର କାରଣ ଉତ୍କଟ ଜାତିଆଣ ଭାବ। ସୁତରାଂ, ଦୁଇ ଭାଇ ମା’ ଲକ୍ଷ୍ମୀଙ୍କୁ ଘରୁ ବାହାର କରି ଦିଅନ୍ତି। ଏହି କ୍ରମରେ ପତ୍ନୀକୁ ‘ପାଦର ପାଣ୍ଡୋଇ’ ସଦୃଶ ଅତ୍ୟନ୍ତ ପରିତ୍ୟାଜ୍ୟ ବୋଲି ବର୍ଣ୍ଣନା କରାଯାଇଛି ସତ; କିନ୍ତୁ ପରିଶେଷରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ମା’ ଲକ୍ଷ୍ମୀ ଗୃହ ତ୍ୟାଗ କଲା ପରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁ ବଳଭଦ୍ର ମଧ୍ୟ ଲକ୍ଷ୍ମୀଛଡ଼ା ହୋଇ କ୍ଷୁଧା ଏବଂ ଦାରିଦ୍ର୍ୟ ମଧ୍ୟ ଦେଇ ଯାଇଛନ୍ତି ଓ ସେତିକି ବେଳେ ନିଜର ଭୁଲ୍‌କୁ ହୃଦୟଙ୍ଗମ କରିଛନ୍ତି। ଲକ୍ଷ୍ମୀ ପୁରାଣରେ ଦିଶିଥାଏ କିଭଳି ଜଗଜ୍ଜନନୀ ଭାବେ ଅଭିହିତା ମା’ ଲକ୍ଷ୍ମୀଙ୍କୁ ଜଣେ ଇତର ନାରୀ ଭଳି ପତିଙ୍କ ଆଦେଶରେ ଗୃହ ତ୍ୟାଗ କରିବାକୁ ପଡ଼ିଛି ଏବଂ ମହାପ୍ରଭୁ ଦ୍ବୟ ସାଧାରଣ ମନୁଷ୍ୟ ଭଳି ଦହଗଂଜ ହୋଇଛନ୍ତି।

‘ମହାଲକ୍ଷ୍ମୀ ପୁରାଣ’ରେ ମା’ ଲକ୍ଷ୍ମୀ ସର୍ବଦା ତାଙ୍କ ନାରୀ ସୁଲଭ ଗରିମାକୁ ବଜାୟ ରଖିଛନ୍ତି। ମହାପ୍ରଭୁ ଦ୍ବୟଙ୍କ ଠାରୁ ଯାବତୀୟ କଟୁ ଏବଂ ଇତର ଭାଷାର ଭର୍ତ୍ସନା ସତ୍ତ୍ୱେ ପ୍ରଭୁଙ୍କୁ ଅଭିଶାପ ଦେଲା ବେଳେ ସେ ଅତ୍ୟନ୍ତ ସୁସଂସ୍କୃତ ଭାଷାର ବ୍ୟବହାର କରିଛନ୍ତି:

‘ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ …’
‘ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ,
ଭୋଜନ କରିବ ତେବେ କାଳୀୟ ଗଞ୍ଜନ।’

ଶ୍ରୀମନ୍ଦିର ତ୍ୟାଗ କଲା ବେଳେ ମା’ ଲକ୍ଷ୍ମୀ କ୍ଷୁଦ୍ର ଅଳଙ୍କାରଟିଏ ମଧ୍ୟ ନିଜ ସହ ନେଇନାହାନ୍ତି, ନିଜ ପିତୃ ଆଳୟକୁ ମଧ୍ୟ ଗମନ କରି ନାହାନ୍ତି, କେଉଁଠାରେ ହେଲେ ନିଜକୁ ବିଷ୍ଣୁ-ପତ୍ନୀ ବା ଜଗନ୍ନାଥଙ୍କ ସହଧର୍ମିଣୀ ବୋଲି ପରିଚୟ ଦେଇ ନାହାନ୍ତି କି କାହାର ଅନୁକଂପା ଲୋଡ଼ି ନାହାନ୍ତି। ଏହା ଦ୍ବାରା ସେ ଦର୍ଶାଇ ଦେଇଛନ୍ତି ଯେ ନାରୀ ଅବଳା ନୁହେଁ; ଅଶେଷ ଶକ୍ତିମୟୀ। ସୁତରାଂ, ‘ମହାଲକ୍ଷ୍ମୀ ପୁରାଣ’ ହେଉଛି ଲିଙ୍ଗଗତ ବିଦ୍ବେଷ ବା ଅସମାନତାକୁ ବିଲୋପ କରିଥିବା ଏକ ଆଖ୍ୟାୟନ। ‘ମହାଲକ୍ଷ୍ମୀ ପୁରାଣ’ରେ ଦେଖିବାକୁ ମିଳେ ଯେ ମହାଲକ୍ଷ୍ମୀ ନିଜକୁ ବାରମ୍ବାର ‘ଚଣ୍ଡାଳୁଣୀ’ ଭାବେ ଅଭିହିତ କରିଛନ୍ତି। ତାହାର କାରଣ ଶ୍ରୀୟା ଚଣ୍ଡାଳୁଣୀର ଗୃହ ପ୍ରବେଶ ଓ ସ୍ପର୍ଶ ଦ୍ବାରା ସେ ଜାତି ହରାଇ ସ୍ବୟଂ ଚଣ୍ଡାଳୁଣୀରେ ପରିଣତ ହୋଇଛନ୍ତି। ଏହା ‘ମହାଲକ୍ଷ୍ମୀ ପୁରାଣ’ ରଚନା କାଳୀନ ସମାଜରେ ପ୍ରଚଳିତ ଜାତି ବ୍ୟବସ୍ଥାର ଏକ ଚିତ୍ର। ତେଣୁ ‘ମହାଲକ୍ଷ୍ମୀ ପୁରାଣ’ର ଶେଷ ଭାଗ ବେଳକୁ ବର୍ଣ୍ଣିତ ଅଛି ଯେ ଯେତେବେଳେ କ୍ଷୁଧା ଓ ଦାରିଦ୍ର୍ୟ ଜର୍ଜର ଦୁଇଭାଇ ଲକ୍ଷ୍ମୀ ରହୁଥିବା ଆଳୟରେ ଭିକ୍ଷା ମାଗିଛନ୍ତି, ଲକ୍ଷ୍ମୀ କଟାକ୍ଷ ପୂର୍ବକ ପଚାରିଛନ୍ତି, ‘ଚଣ୍ଡାଳୁଣୀ ଘରେ ଖାଇବେ କି ଦୁଇ ଭାଇ?’ ଦୁଇ ଭାଇ କିନ୍ତୁ ଜାତି ପ୍ରଥାର ପ୍ରଭାବକୁ ଭ୍ରୂକ୍ଷେପ ନ କରି ସେଠାରେ ଭୋଜନ କରି କ୍ଷୁଧା ନିବାରଣ କରିଛନ୍ତି। ନିଜକୁ ବାରମ୍ବାର ‘ଚଣ୍ଡାଳୁଣୀ’ ରୂପେ ପରିଚିତ କରାଉଥିବା ମା’ ଲକ୍ଷ୍ମୀଙ୍କ ମାଧ୍ୟମରେ ‘ମହାଲକ୍ଷ୍ମୀ ପୁରାଣ’ ସମାଜର ନିମ୍ନତମ ସୋପାନରେ ଥିବା ଦଳିତ ବର୍ଗକୁ ଯେଉଁ ମର୍ଯ୍ୟାଦା ପ୍ରଦାନ କରିଛି ତାହା ଯେ ପ୍ରଶ୍ନାତୀତ ଭାବେ ପ୍ରଗତିଶୀଳ ତହିଁରେ ଦ୍ବିରୁକ୍ତି ନାହିଁ। ଏହି ପୁରାଣରେ ଲିଙ୍ଗଗତ ବୈଷମ୍ୟ ସହିତ ଜାତିଗତ ତାରତମ୍ୟ ମଧ୍ୟ ଧରାଶାୟୀ ହୋଇଛି। ବଡ଼ ଦେଉଳକୁ ଫେରିବା ପୁର୍ବରୁ ମଧ୍ୟ ମା’ ଲକ୍ଷ୍ମୀ ଜଗନ୍ନାଥଙ୍କୁ ସତ୍ୟ କରାଇଛନ୍ତି ‌େଯ ଏ ପ୍ରକାର ଘୃଣ୍ୟ ଅସ୍ପୃଶ୍ୟ ପ୍ରଥା ଯେମିତି ଦୂର ହୋଇ ଏକ ସାମ୍ୟବାଦୀ ସମାଜର ପ୍ରତିଷ୍ଠା ହେଉ, ଯହିଁରେ ‘ଚଣ୍ଡାଳ ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ମାରିବେ।’

‘ମହାଲକ୍ଷ୍ମୀ ପୁରାଣ’ରେ ଦେଖିବାକୁ ମିଳେ ଯେ ମା’ ଲକ୍ଷ୍ମୀ ନଗର ପରିକ୍ରମା କଲା ବେଳେ ପରିଷ୍କୃତ ଏବଂ ପରିମାର୍ଜିତ ଗୃହ ମଧ୍ୟକୁ ବିଜେ କରୁଛନ୍ତି ଓ ସେହି ସ୍ଥାନକୁ ଧନଧାନ୍ୟରେ ପୂର୍ଣ୍ଣ କରି ଦେଉଛନ୍ତି। କେବଳ ସୁନ୍ଦର ପରିବେଶ ନୁହେଁ ସ୍ବାସ୍ଥ୍ୟପ୍ରଦ ଓ ସଂଯମୀ ଜୀବନଚର୍ଯ୍ୟା ଉପରେ ମଧ୍ୟ ଏଥିରେ ଗୁରୁତ୍ବ ଆରୋପ କରାଯାଇଛି। ଶୀଘ୍ର ଶଯ୍ୟା ତ୍ୟାଗ କରିବା, ଉଠିବା ମାତ୍ରକେ ମୁଖ ପ୍ରକ୍ଷାଳନ କରିବା, ଆସନ ଉପରେ ବସି ଭୋଜନ କରିବା, ଖାଇ ସାରିବା ପରେ ମୁଖ ଶୋଧନ କରିବା, ଭୋଜନ ସମୟରେ ଅନ୍ନ ଭୂମିରେ ନ ପକାଇବା ଅଥବା ଅନ୍ନ ନ ଫୋପାଡ଼ିବା ଭଳି ସୁସଂସ୍କୃତ କାର୍ଯ୍ୟ କରିବା ଉପରେ ମହତ୍ତ୍ବ ପ୍ରଦାନ କରାଯାଇଛି, ଯଦ୍ଦ୍ବାରା ଦୈନନ୍ଦିନ ଜୀବନ ଶୃଙ୍ଖଳିତ ହୋଇପାରିବ। ଏଥିରେ ଯେ ଏକ ଅତ୍ୟନ୍ତ ପ୍ରଗତିଶୀଳ ଚେତନାର ଧାରା ପ୍ରବାହିତ ତାହା ଯେ କେହି ଦେଖି ପାରିବେ। ଆଜି ଠାରୁ ପାଞ୍ଚ ଶହ ବର୍ଷ ତଳେ ରଚିତ ସନ୍ଥ ବଳରାମ ଦାସଙ୍କ ‘ମହାଲକ୍ଷ୍ମୀ ପୁରାଣ’ ଯେଉଁ ପ୍ରଗତିଶୀଳ ଆଭିମୁଖ୍ୟର ପରିପ୍ରକାଶ କରିଥିଲା, ସେଭଳି ଆଭିମୁଖ୍ୟ ଆଜି ମଧ୍ୟ ଅନେକ ତଥାକଥିତ ଆଧୁନିକ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ଯେ ନ ଥାଇପାରେ, ତାହା କହିବା ବାହୁଲ୍ୟ ମାତ୍ର।
ମୋ: ୯୪୩୭୦୫୧୦୦୦

ସମ୍ବନ୍ଧିତ ଖବର