ଦେଶ ନାୟକ, ଜାତିର ଜନକ

ହିରଣ୍ୟ ମହାନ୍ତି

ହୁଏ’ତ ତାଙ୍କୁ ସେତେବେଳେ ପନ୍ଦର ବର୍ଷ ବୟସ ହୋଇଥିବ। ଓଡ଼ିଶାର ତତ୍‌କାଳୀନ ରାଜଧାନୀ କଟକ ନଗରୀର ରେଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ର ସେ ଛାତ୍ର ଥାଆନ୍ତି। କଲିକତା ମହାନଗରୀରେ ରହୁଥିବା ଜନ୍ମଦାତ୍ରୀ ମାଆଙ୍କ ପାଖକୁ ସେ ଲେଖିଥିଲେ ଖଣ୍ତିଏ ଚିଠି। ଚିଠିଟି ଆରମ୍ଭ ହୋଇଥିଲା ଏହିପରି: ‘ମାଆ, ଇଣ୍ତିଆ ଇଜ୍‌ ଗଡ୍‌’ସ ବିଲଭ୍‌ଡ ଲ୍ୟାଣ୍ତ୍‌’(ଭାରତ ହେଉଛି ଈଶ୍ବରଙ୍କ ସ୍ନେହର ଭୂଖଣ୍ଡ)। ପୁଣି, ସେଇ ବାଳକ ଏହି ଚିଠିଟି ଲେଖିଥିବାର ତେତିଶ ବର୍ଷ ଉପରାନ୍ତ ଅର୍ଥାତ୍‌ ଅଠଚାଳିଶ ବର୍ଷ ବୟସର ହୋଇଥିବା ବେଳେ, ନିଜର ପ୍ରିୟ ସେନା ଆଇ.ଏନ୍‌.ଏ (ଇଣ୍ତିଆନ ନେସ୍‌ନାଲ ଆର୍ମି)କୁ ଏକ ଅଟଳ ସ˚କଳ୍ପ ପାଇଁ ଆହ୍ବାନ ଦେଲା ବେଳେ କହିଥିଲେ: ‘ନେଭର୍‌ ଫଲ୍‌ଟର ଫର୍‌ ଏ ମୋମେଣ୍ଟ ଇନ୍‌ ୟୁଅର୍‌ ଫେଥ୍‌ ଇନ୍‌ ଇଣ୍ତିଆସ୍‌ ଡେଷ୍ଟିନି (ଭାରତର ଭାଗ୍ୟ ନେଇ ତୁମେ କ୍ଷଣିକ ଲାଗି ମଧ୍ୟ ବିଶ୍ବାସ ହରାଅ ନାହିଁ।) ପୃଥିବୀରେ ଏପରି କୌଣସି ଶକ୍ତି ନାହିଁ, ଯାହା ଭାରତକୁ ଆଉ ଅଧିକ କାଳ ଦାସତ୍ବ ବନ୍ଧନରେ ରଖି ପାରିବ। ମୁଁ ଦେଖିପାରୁଛି, ସମ୍ମୁଖରେ ଉଷାର ଆଗମନ।’ କାହା ହୃଦୟରୁ ନିଃସୃତ ହୋଇଥିଲା ଏଭଳି ବାଣୀ, ଯାହା ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ଆଲୋଡ଼ିତ କରୁଛି? ସେ ଥିଲେ ଏ ଜାତିର ଅନ୍ୟତମ ସର୍ବଶ୍ରେଷ୍ଠ ନେତା ସୁଭାଷ ଚନ୍ଦ୍ର ବୋଷ, ସଂକ୍ଷେପରେ କେବଳ ନେତାଜୀ। ଆଜିକାଲି ବେଳେ ବେଳେ ଉତ୍ତର ପ୍ରଦେଶରେ ନେତାଜୀ ଶବ୍ଦଟି ଶୁଣିବାକୁ ମିଳିଥାଏ ମୁଲାୟମ ସିଂହ ଯାଦବଙ୍କ ଲାଗି! କିନ୍ତୁ ‘ନେତାଜୀ’ ସଂବୋଧନ ଯାହାର ମେଟାଫର୍‌ ସେ କେବଳ ସୁଭାଷ ଚନ୍ଦ୍ର ବୋଷ।

ନେତାଜୀ ଉଠାଇଥିବା ଏହି ଜାତୀୟ ଚେତନା ଓ ଜାଗରଣ ପାଇଁ ଗାନ୍ଧୀଜୀ ପ୍ରଥମ କରି କହିଥିଲେ: ସୁଭାଷ ଯଥାର୍ଥରେ ‘ଦି ପ୍ରିନ୍‌ସ ଏମଙ୍ଗ ଦ ପାଟ୍ରିଏଟ୍‌ସ’ ବା ‌େଦଶପ୍ରେମୀଙ୍କ ମଧ୍ୟରେ ରାଜକୁମାର। ସୁଭାଷ ମଧ୍ୟ ଗାନ୍ଧୀଙ୍କୁ ସମ୍ମାନ ଓ ଭକ୍ତି କରୁଥିଲେ। ପ୍ରଥମ କରି ସର୍ବସାଧାରଣରେ ସେ କହିଥିଲେ, ଯେ ଗାନ୍ଧୀଜୀ ହେଉଛନ୍ତି ‘ଦ ଫାଦର‌୍‌ ଅଫ୍‌ ଦି ନେସନ୍‌’ ବା ଜାତିର ଜନକ।

ଆମ ରାଜ୍ୟ ଥିଲା ତାଙ୍କ ଅନ୍ତୁଡ଼ିଶାଳ। ୧୮୯୭ ମସିହାରେ ତାଙ୍କ ଜନ୍ମ; ମେଲାଣି ମାଗୁଥିବା ଗୋଟିଏ ଶତାବ୍ଦୀର ସଞ୍ଜ ବେଳାରେ। ତାଙ୍କର ଯୁବକ ବୟସ ବେଳକୁ ବେଙ୍ଗଲରେ ସା˚ସ୍କୃତିକ ଭାବନା ଓ ଭାବାବେଗର ସଘନ ସ୍ଫୁରଣ ଆରମ୍ଭ ହୋଇ ଯାଇଥାଏ। ସୁଭାଷ ରେଭେନ୍‌ସା କଲିଜିଏଟ୍‌ରେ ସ୍କୁଲ୍‌ ଶିକ୍ଷା ଶେଷ କରି କଲିକତାରେ ସ୍ନାତକ ହୁଅନ୍ତି। ‘ଦର୍ଶନ’ରେ ଅଧିକ ପଢ଼ିବା ପାଇଁ ‘କେମ୍ବ୍ରିଜ ବିଶ୍ବବିଦ୍ୟାଳୟ’କୁ ଯାଆନ୍ତି। ସ୍ନାତକୋତ୍ତର ପାଠ୍ୟ ଶେଷ କରିବା ପୂର୍ବରୁ ‘ଇଣ୍ତିଆନ ସିଭିଲ ସର୍ଭିସ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି। ତଦାନୀନ୍ତନ ବ୍ୟବସ୍ଥାରେ ‘ଆଇ.ସି.ଏସ୍’ ପଦକୁ ଇନ୍ଦ୍ର ପଦ ଭାବରେ ବିଚାର କରାଯାଉଥିଲା। ମାତ୍ର ତାହାକୁ ସେ ଗୋଟିଏ କାରଣ ପାଇଁ ପାଦରେ ଏଡ଼ାଇ ଦିଅନ୍ତି। ତାହା ହେଲା ସେତେବେଳେ ଯେଉଁ ଭାରତୀୟମାନେ ‘ଆଇ.ସି.ଏସ୍’ ଚାକିରିରେ ପ୍ରବେଶ କରୁଥିଲେ, ସେମାନଙ୍କ ପୋଷାକ ଉପରେ ଗୋଟିଏ ତାମ୍ର ଫଳକ ଲଗା ଯାଉଥିଲା, ଯହିଁରେ ଲେଖା ରହୁଥିଲା ‘ଏମ୍ବେଲମ୍‌ ଅଫ୍‌ ସର୍ଭିଚ୍ୟୁଡ୍‌’ ଯାହାର ସିଧା ଓଡ଼ିଆ ହେବ ‘ଗୋଲାମିର ଫଳକ’। ସୁଭାଷ ଏହାର ପ୍ରତିବାଦ କରି ଚାକିରି କଲେ ନାହିଁ; ବରଂ ଅସହଯୋଗ ଆନ୍ଦୋଳନ ଓ ଖିଲାପତ ଆନ୍ଦୋଳନରେ ଯୋଗ ଦେଲେ। ହିନ୍ଦୁ-ମୁସ୍‌ଲିମ ଏକତା ଆନ୍ଦୋଳନରେ ଝାସ ଦେଲେ।

ଏହି କାଳରେ ସୁଭାଷଙ୍କ ଗୁରୁ ଥିଲେ ଚିତ୍ତରଂଜନ ବୋଷ। ଜଵାହରଲାଲଙ୍କୁ ମଧ୍ୟ ସେ ଆଉ ଜ‌ଣେ ଗୁରୁ ଓ ବଡ଼ ଭାଇର ମାନ୍ୟତା ଦେଉଥିଲେ। ଔପନିବେଶିକ ଶାସନ ବିରୋଧରେ ଯୁବକ ଓ ଛାତ୍ରମାନଙ୍କୁ ଧରି ପ୍ରତିବାଦ ପ୍ରଦର୍ଶନ କରିଥିବା ହେତୁ ତାଙ୍କୁ କାରାବାସ ଭୋଗ କରିବାକୁ ପଡ଼ିଥିଲା, କଲିକତା ଠାରେ। ସେ ବେଳର କଲିକତା ଥିଲା ତତ୍କାଳୀନ ଭାରତର ରାଜନୀତି-ଚିନ୍ତନର ପାଠଶାଳା। ସେହିଠାରେ ଯୁବକ ସୁଭାଷ ଚନ୍ଦ୍ର ସାମ୍ରାଜ୍ୟବାଦର ଚିହ୍ନ ରୂପେ ସଦର୍ପେ ଦଣ୍ଡାୟମାନ ଇଡେନ୍‌, ଫୋର୍ଟ ଉଇଲିୟମ୍‌, ଭିକ୍‌ଟୋରିଆ ସ୍କୋୟାର୍‌ ଇତ୍ୟାଦିଙ୍କୁ ଦେଖି ସେ ସବୁର ଦର୍ପ ଚୂର୍ଣ୍ଣ କରିବାର ସ୍ବପ୍ନ ଦେଖୁଥିଲେ। ସୁଭାଷ ତତ୍କାଳୀନ ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନକାରୀଙ୍କ ଜମିଦାରିଆ ଶୈଳୀକୁ ସତର୍କ କରାଇ କହିଥିଲେ ଯେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ମଧୢରେ ପାର୍ଥକ୍ୟ ନ ରହୁ। ସାମାଜିକ ପୃଷ୍ଠଭୂମିରେ ନିଜକୁ ଗଣତନ୍ତ୍ରବାଦୀ ବୋଲାଇ ବ୍ୟକ୍ତିଗତ ଜୀବନରେ ତା’ର ବ୍ୟତିକ୍ରମ କଲେ, ଜନସାଧାରଣଙ୍କ ପାଖକୁ ପ୍ରତାରଣାର ବାର୍ତ୍ତା ଯିବ। ୧୯୨୮ ମସିହାରେ ସୁଭାଷ ହିଁ ପ୍ରଥମେ ଉଠାଇଥିଲେ ‘କ˚ଗ୍ରେସର ଲକ୍ଷ୍ୟ ହେଉ ସ˚ପୂର୍ଣ୍ଣ ସ୍ବାଧୀନତା’। ‘ଡୋମିନିଅନ’ ସ୍ବାଧୀନତା ନୁହେ। ପ୍ରଥମ କରି ଜାତୀୟ ଆନ୍ଦୋଳନର ସଭା ମଞ୍ଚମାନଙ୍କରେ ସେ ମହିଳା, ଅବହେଳିତ, ଶ୍ରମିକ ଓ ସୀମାନ୍ତରିତ ବର୍ଗଙ୍କ ପାଇଁ ସ୍ବର ଉଠାଇଥିଲେ। ଏମାନେ ସମସ୍ତେ ଆନ୍ଦୋଳନରେ ସାମିଲ ନ ହେଲେ ଭାରତୀୟ ସମାଜର ଖଣ୍ତେ ବଡ଼ ଅ˚ଶ ସଂଗ୍ରାମ ପରିଧିର ବାହାରେ ରହିଯିବ ବୋଲି ତାଙ୍କର ଯୁକ୍ତି ଥିଲା। ୧୯୩୨ ମସିହାରେ ଯେତେବେଳେ ଆଇନ ଅମାନ୍ୟ ଆନ୍ଦୋଳନ ବ୍ୟାପକ ଓ ଉତ୍ତାଳ ହୋଇଥିଲା, ସୁଭାଷଙ୍କୁ ବ୍ରିଟିସ୍‌ ସରକାର ବନ୍ଦୀଶାଳାରେ ନିକ୍ଷେପ କଲେ। ସେହି ବର୍ଷ ଅର୍ଥାତ୍‌ ୧୯୩୨ ମସିହାରେ କଲିକତା ମହାନଗରୀ ପାଇଁ ଅନୁଷ୍ଠିତ ହେବାକୁ ଥିଲା ‘ମେୟର ନିର୍ବାଚନ’। ମହାନଗରୀର ଜନସାଧାରଣ ତାଙ୍କ ପାଇଁ ପ୍ରଚାରର ଦାୟିତ୍ବ ନେଲେ। ବନ୍ଦୀଶାଳାରେ ଥାଇ ବି ସୁଭାଷ ନିର୍ବାଚନ ଜିତିଥିଲେ ଏବଂ ବିତ୍ତଶାଳୀ ତଥା ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ହାରି ଯାଇଥିଲେ। ଏହା ପ୍ରମାଣିତ କରିଥିଲା ଯେ, ମହାନଗରୀ କଲିକତାର ସେ ଥିଲେ ସର୍ବାଧିକ ଆଦରଣୀୟ ‘ରାଜପୁତ୍ର’। ଜଵାହର ସେଥିପାଇଁ ତାଙ୍କୁ ଶ୍ରଦ୍ଧାରେ ସମ୍ବୋଧନ କରୁଥିଲେ- ‘ଦି ପ୍ରିନ୍‌ସ ଏମଙ୍ଗ ଦି ଲିଡର୍‌ସ’।

ସୁଭାଷ ଭାରତୀୟ ସ୍ବାଧୀନତା ଆନ୍ଦୋଳନକୁ ନବ ଦିଗନ୍ତର ସନ୍ଧାନ ଦେଇଥିଲେ। ସେ ପ୍ରଥମ କରି କ˚ଗ୍ରେସ ଅଧିବେଶନରେ କହିଥିଲେ ଯେ ଭାରତ ପାଇଁ ୟୁରୋପୀୟ ମଡେଲ୍‌ର ସମାଜବାଦ ଯୁକ୍ତିଯୁକ୍ତ ନୁହେ। ଏଥିପାଇଁ ନବ ଭାରତୀୟ ସମାଜବାଦ ଜରୁରୀ। ବ୍ରିଟିସ୍‌ ସରକାରଙ୍କ ରୋଷର ବାରମ୍ବାର ଶରବ୍ୟ ହେବାରୁ ସେ ୧୯୩୩ ମସିହା ଫେବ୍ରୁଆରି ମାସରେ ଇଉରୋପ ପଳାଇ ଯିବାକୁ ବାଧୢ ହୋଇଥିଲେ। ବ୍ରିଟିସ୍‌ ସରକାର ତାଙ୍କ ପିଛା ସେ ପର୍ଯ୍ୟନ୍ତ କରିଥିଲେ। ମାତ୍ର, ଇଉରୋପରେ ତାଙ୍କର ଗ୍ରହଣୀୟତା ଦେଖି ତହିଁରୁ କ୍ଷାନ୍ତ ହୋଇଥିଲେ। ଇଉରୋପରେ ସୁଭାଷ ଦେଶର ସ୍ବାଧୀନତା ପାଇଁ ଏକ ଶକ୍ତିଶାଳୀ ଜନମତ ଗଢ଼ି ତୋଳିଥିଲେ। ଭଗ୍ନ ସ୍ବାସ୍ଥ୍ୟ ସତ୍ତ୍ବେ ଅବିଶ୍ରାନ୍ତ ଭାବେ ଭାରତୀୟ ଜନ ଆନ୍ଦୋଳନର ବୁନିଆଦ ଓ ବାର୍ତ୍ତାକୁ ସେ ସାରା ଇଉରୋପରେ ଏବଂ ଉତ୍ତର-ଆଫ୍ରିକାର ସବୁ କୋଣରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ସାରା ପୃଥିବୀ ଏହି ଅବଧିରେ ଭାରତର ଅବସ୍ଥା ସଂପର୍କରେ ଜ୍ଞାତ ହେବା ସହିତ ଜଣେ ଅମିତପ୍ରଭ ରାଷ୍ଟ୍ର ନାୟକଙ୍କ ପରିଚୟ ଲାଭ କରିଥିଲା। ସେଠାରୁ ଫେରି ଜାତୀୟ କ˚ଗ୍ରେସ ସମ୍ମିଳନୀରେ ସେ ବ୍ରିଟିସ୍‌ ସାମ୍ରାଜ୍ୟବାଦର ସାମର୍ଥ୍ୟ ଓ ଦୌର୍ବଲ୍ୟ ଉପରେ ଗୋଟିଏ ବିଶ୍ଳେଷଣାତ୍ମକ ସନ୍ଦର୍ଭ ରଖିଥିଲେ। ବ୍ରିଟିସ୍‌ ଶାସନ ଓ ସାମ୍ରାଜ୍ୟବାଦ ପ୍ରତି ବିଶ୍ବ ଜନମତର ଗୋଟିଏ ସ୍ପଷ୍ଟ ଓ ବିଶ୍ଳେଷଣାତ୍ମକ ଚିତ୍ର ସେ ପ୍ରଦାନ କରିଛନ୍ତି ବୋଲି ଖବର ଭାରତର ବ୍ରିଟିସ୍‌ ସରକାରଙ୍କ ପାଖରେ ପହଞ୍ଚିଥିଲା, ଯାହା ସେମାନଙ୍କୁ ଛାନିଆ କରିଥିଲା। ଏହି ସମୟରେ କ˚ଗ୍ରେସରେ ଥିବା ଦକ୍ଷିଣପନ୍ଥୀଙ୍କ ସହିତ ସୁଭାଷଙ୍କର ଅନେକ କ୍ଷେତ୍ରରେ ମତ-ବୈଷମ୍ୟ ଘଟୁଥିଲା। ବିଡ଼ମ୍ବନା ଯେ ସେମାନେ ଗାନ୍ଧୀଜୀଙ୍କର ପ୍ରିୟ ଲୋକ ଥିଲେ। ଅପର ପକ୍ଷରେ ଜଵାହର ଗାନ୍ଧୀଜୀଙ୍କର ସର୍ବାଧିକ ଅନୁଗତ ଥିଲେ। ‘ତେଣୁ ସୁଭାଷ ଓ ଗାନ୍ଧୀଜୀଙ୍କ ମଧ୍ୟରେ ମତଦ୍ବୈଧ ଥିଲା, ଅଥଚ ସେ ଗାନ୍ଧୀଜୀଙ୍କୁ ଭକ୍ତି କରୁଥିଲେ। ଏହି ସମୟରେ ୧୯୩୯ ମସିହାରେ କ˚ଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେଲା। କ˚ଗ୍ରେସର ତରୁଣ ଗୋଷ୍ଠୀ ସୁଭାଷଙ୍କୁ ସଭାପତି ପଦ ପାଇଁ ପ୍ରାର୍ଥୀ କଲେ। ଗାନ୍ଧୀଜୀ କ˚ଗ୍ରେସର ଜଣେ ଦକ୍ଷିଣପନ୍ଥୀ ନେତା ପଟ୍ଟାଭି ସୀତାରାମାୟାଙ୍କୁ ତାଙ୍କର ସମର୍ଥନ ଦେଲେ। ପଟ୍ଟାଭି ସୀତାରାମାୟା ହାରି ଯାଇଥିଲେ। ଶୁଣିବାକୁ ମିଳିଥିଲା ଯେ ପଟ୍ଟାଭିଙ୍କ ପରାଜୟକୁ ଗାନ୍ଧୀଜୀ ନିଜର ପରାଜୟ ରୂପେ ଦେଖିଥିଲେ। ଗାନ୍ଧୀଜୀ ତଥା ତାଙ୍କ ଅନୁଗାମୀମାନଙ୍କ ଅସହଯୋଗ ଲକ୍ଷ୍ୟ କରି ସୁଭାଷ ଏହାର ଏକ ମାସ ପରେ କ˚ଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ବିଶ୍ବ କବି ରବୀନ୍ଦ୍ରନାଥ ତାଙ୍କୁ ‘ଦେଶ ନାୟକ’ ବୋଲି ସମ୍ବୋଧନ କରୁଥିଲେ। ୧୯୪୦ ମସିହା, ଜୁଲାଇ ୨ ତାରିଖ ଦିନ ସୁଭାଷଙ୍କୁ ବନ୍ଦୀ କରାଯାଇଥିଲା ଏକାଦଶ ବାର ପାଇଁ। ଦଶ ଦିନ ବ୍ୟାପୀ ତାଙ୍କର ଅନଶନ ପରେ ଡିସେମ୍ବର ୫ ତାରିଖ ଦିନ ତାଙ୍କୁ ଛାଡ଼ି ଦିଆଗଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ଥିଲା ‌େବାଲି। ସେ ଜାଣିବାକୁ ପାଇଥିଲେ ଯେ ପୁନଶ୍ଚ ତାଙ୍କୁ ବନ୍ଦୀ କରିବାକୁ ବ୍ରିଟିସ୍‌ ସରକାର ଯୋଜନା କରୁଛନ୍ତି। ଏହା ଜାଣି ସୁଭାଷ ଏକ ଚରମ ନିଷ୍ପତ୍ତି ନେଲେ। ୧୯୪୧ ମସିହା, ଜାନୁଆରି ମାସର ୧୬-୧୭ ତାରିଖ ରାତି। କୌଶଳ କ୍ରମେ ବ୍ରିଟିସ୍‌ ପୁଲିସ୍‌ ଆଖିରେ ଧୂଳି ଦେଇ କଲିକତା ଠାରେ, ଏଲଜିନ ରୋଡ୍‌ରେ ଥିବା ତାଙ୍କର ଗୋଟିଏ ଛୋଟ ବାସଭବନରୁ ସୁଭାଷ ଅନ୍ତର୍ଦ୍ଧାନ ହୋଇଗଲେ। ପ୍ରଥମେ ସେ ଗଲେ ବିହାର; ତା’ ପରେ ସେଠାରୁ ପେଶଵାର ଦେଇ ଜର୍ମାନିରେ ପହଞ୍ଚିଗଲେ। ସୁଭାଷ ସେଠାରେ ବ୍ରିଟିସ୍‌-ଇଣ୍ତିଆ ଆର୍ମିର ସୈନ୍ୟମାନଙ୍କୁ ଭେଟିଲେ। ସେମାନଙ୍କୁ ଯୁଦ୍ଧବନ୍ଦୀ ଭାବରେ ସେଠାକୁ ନେଇଥିଲା ଜର୍ମାନି। ଠିକ୍‌, ଏହି ସମୟରେ ଜର୍ମାନି ଦ୍ବାରା ସୋଭିଏତ୍‌ ଉପରେ ହୋଇଥିବା ଆକ୍ରମଣ ତାଙ୍କ ଯୋଜନାକୁ ପଣ୍ତ କରିଦେଲା। ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ଭାଗରେ ପକ୍ଷଭୁକ୍ତ ରାଷ୍ଟ୍ରମାନଙ୍କ ଠାରୁ ସହାୟତା ମିଳିବାର ଆଶା ମଉଳି ଗଲା। ତଥାପି, ଦୁର୍ବଳ ସ୍ବାସ୍ଥ୍ୟ ସତ୍ତ୍ବେ ସୁଭାଷ ୯୦ ଦିନ ବ୍ୟାପୀ ଦୁରୂହ ବୁଡ଼ାଜାହାଜ ଯାତ୍ରାର କଷ୍ଟ ଉଠାଇ ଦକ୍ଷିଣ-ପୂର୍ବ ଏସିଆରେ ପହଞ୍ଚିଲେ। ତାଙ୍କର ଆକର୍ଷଣୀୟ ଆବେଦନ ଓ ନିର୍ଭୀକ ସ˚କଳ୍ପର ଓଜସ୍ବିନୀ ଆହ୍ବାନରେ ଉଦ୍‌ବୁଦ୍ଧ ହୋଇ ସେଠାରେ ବାସ କରୁଥିବା ଅନେକ ଭାରତୀୟ ସୁଭାଷଙ୍କ ‘ଇଣ୍ତିଆନ ନେସ୍‌ନାଲ ଆର୍ମି’ (I.N.A) ବା ଆଜାଦ ହିନ୍ଦ ଫୌଜରେ ସାମିଲ ହେଲେ। ସେହି ସେନାରେ ଥିଲେ ପଞ୍ଜାବୀ, ମୁସ୍‌ଲିମ୍‌, ଶିଖ୍‌ ଏବ˚ ପଠାନ। ସେଠାରେ ଥିବା ତାମିଲ ଓ ମାଳୟ ଦ୍ବୀପର ଲୋକମାନେ ମଧୢ ସେନାରେ ଯୋଗ ଦେଲେ। ବ୍ରିଟିସ୍‌ କମ୍ପାନିମାନେ ସେମାନଙ୍କୁ ନେଇ ରବର ବଗିଚାରେ କାମ କରାଉଥିଲେ ଚୁକ୍ତିବଦ୍ଧ ଶ୍ରମିକ ଭାବରେ। ଇଣ୍ତିଆ ବର୍ମାର ସୀମା ଅତିକ୍ରମ କରି ଆଇ.ଏନ୍‌.ଏ. ନେତାଜୀଙ୍କ ସ˚କଳ୍ପିତ ‘ଦିଲ୍ଲୀ ଚଲୋ’ ଯାତ୍ରାରେ ବାହାରି ଥିଲା ବେଳେ ବିବ୍ରତ ବ୍ରିଟିସ୍‌ ସେନା ସେମାନଙ୍କୁ ଇମ୍ଫାଲ ଠାରେ ପ୍ରତିରୋଧ କରିଥିଲେ। ସେହିଠାରୁ ନେତାଜୀଙ୍କ ସେନା ମାଳୟକୁ ଫେରିବାକୁ ବାଧୢ ହୋଇଥିଲେ। ସେଠାରୁ ନେତାଜୀ ତାଙ୍କ ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ବ୍ରିଟିସ୍‌ ସରକାରଙ୍କୁ ଶୁଣାଇଲା ପରି ଆହ୍ବାନ ଦେଇଥିଲେ: ‘ଅାମର ଲକ୍ଷ୍ୟସ୍ଥଳ ହେଉଛି ଦିଲ୍ଲୀ ଏବଂ ଦିଲ୍ଲୀକୁ ପହଞ୍ଚିବାକୁ ରହିଛି ଅନେକ ରାସ୍ତା।’

୧୯୪୫ ମସିହାରେ ବନ୍ଦୀ ଆଇ.ଏନ୍‌.ଏ ସୈନ୍ୟମାନଙ୍କୁ ବିଚାର ପାଇଁ ଦିଲ୍ଲୀର ରେଡ୍‌ଫୋର୍ଟ ବା ଲାଲକିଲ୍ଲାକୁ ଅଣାଯାଇଥିଲା। ଏହି ଖବର ସମଗ୍ର ଭାରତରେ ଏକ ଅଦ୍ଭୁତ ଜାତୀୟ ଜାଗରଣର ପରିବେଶ ସୃଷ୍ଟି କଲା। ସ୍ବୟ˚ ଗାନ୍ଧୀଜୀ ତାହା ଅନୁଭବ କରି ଉନ୍ମାଦିତ ହୋଇଥିଲେ। ନେତାଜୀ ଉଠାଇଥିବା ଏହି ଜାତୀୟ ଚେତନା ଓ ଜାଗରଣ ପାଇଁ ଗାନ୍ଧୀଜୀ ପ୍ରଥମ କରି କହିଥିଲେ: ସୁଭାଷ ଯଥାର୍ଥରେ ‘ଦି ପ୍ରିନ୍‌ସ ଏମଙ୍ଗ ଦ ପାଟ୍ରିଏଟ୍‌ସ’ ବା ‌େଦଶପ୍ରେମୀଙ୍କ ମଧ୍ୟରେ ରାଜକୁମାର। ସୁଭାଷ ମଧ୍ୟ ଗାନ୍ଧୀଙ୍କୁ ସମ୍ମାନ ଓ ଭକ୍ତି କରୁଥିଲେ। ପ୍ରଥମ କରି ସର୍ବସାଧାରଣରେ ସେ କହିଥିଲେ, ଯେ ଗାନ୍ଧୀଜୀ ହେଉଛନ୍ତି ‘ଦ ଫାଦର‌୍‌ ଅଫ୍‌ ଦି ନେସନ୍‌’ ବା ଜାତିର ଜନକ। ତେବେ ଏକ ବିଜୁଳି ଭଳି ସୁଭାଷ ହଠାତ୍‌ ଅନ୍ତର୍ହିତ ହୋଇଗଲେ। ଯାତ୍ରା କରୁଥିବା ବିମାନର ଦୁର୍ଘଟଣା ଘଟିଲା, ଯହିଁରେ ସେ ନିଖୋଜ ହୋଇଗଲେ। ମାତୃଭୂମି ପାଇଁ ସେ ଦେଖିଥିବା ସ୍ବପ୍ନ ସବୁ ଅଧାରେ ରହିଗଲା। ତାଙ୍କ ବ୍ୟକ୍ତିତ୍ବର ଅନେକ ଅନୁଦ୍‌ଘାଟିତ ସମ୍ଭାବନା ଓ ସାମର୍ଥ୍ୟ ପୂର୍ଣ୍ଣ ରୂପ ପାଇ ପାରିଲା ନାହିଁ। ନେତାଜୀ ଥିଲେ ସେହିଭଳି ଦୁଃସାହସୀ ଯୋଦ୍ଧା, ଯେ ମୃତ୍ୟୁ ସହିତ ଖେଳୁଥିଲେ। ତେଣୁ ତାଙ୍କ ମରଣଶୀଳ ଜୀବନର ବହୁ ବର୍ଷ ପରେ ଆଜି ମଧୢ ସେ ଅମର; ପ୍ରକୃତରେ ସେ ‘ଡେଥ୍‌୍‌ଲେସ୍‌’।
ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର