ଏଥିରେ ଦ୍ବିଧା ନାହିଁ େଯ ଭାରତର ସରକାର ଓ ସାମରିକ ବାହିନୀ ନିକଟରେ ପ୍ରତ୍ୟକ୍ଷ ଯୁଦ୍ଧ ବ୍ୟତୀତ ଆହୁରି ଅନେକ ବିକଳ୍ପ ବିଦ୍ୟମାନ: ଉଦାହରଣ ସ୍ବରୂପ କେବଳ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରି ଓ ତାକୁ କାଏମ ରଖି ପାକିସ୍ତାନ ସେନା ବାହିନୀକୁ ନିରନ୍ତର ଯୁଦ୍ଧ ପ୍ରସ୍ତୁତିରେ ବ୍ୟାପୃତ ରଖାଯାଇପାରେ, ଯଦ୍ଦ୍ବାରା ତାହା ଅଚିରେ ଅବସନ୍ନ ଓ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଅଧିକ ଦୋଦୁଲ୍ୟମାନ ହୋଇଯାଇପାରେ। କହିବାର ଉଦ୍ଦେଶ୍ୟ ହେଲା ଧୈର୍ଯ୍ୟର ସହିତ ଉପଯୁକ୍ତ ମାର୍ଗ ନିର୍ଣ୍ଣୟ ହିଁ ହେଉଛି ଗୁରୁତ୍ବପୂର୍ଣ୍ଣ।
ପାକିସ୍ତାନ ଉପରେ ଶୀଘ୍ରାତିଶୀଘ୍ର ଏକ ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ସକାଶେ ଅଧିକାଂଶ ଭାରତୀୟ କ୍ରମେ ଧୈର୍ଯ୍ୟହରା ହୋଇ ଉଠୁଥିବା ବେଳେ ଭାରତୀୟ ସାମରିକ ବାହିନୀ ଏଭଳି ଚାପରୁ ଦୂରରେ ରହି ଏବଂ ବିଭିନ୍ନ ଦିଗରୁ ବିବେଚନା କରି ଯେ କୌଣସି ଏକ ନିଷ୍ପତ୍ତି ଗ୍ରହଣ କରିବ, ତାହା କହିବା ବାହୁଲ୍ୟ ମାତ୍ର। ଏହା ମଧ୍ୟ ସତ ଯେ ଏ ଯାବତ୍ ସେମିତି ଅଧିକ କିଛି ବିଳମ୍ବ ଘଟିନାହିଁ, କାରଣ ପୁଲୱାମା ଅଘଟଣର ୧୨ ଦିନ ଅତିକ୍ରାନ୍ତ ହେବା ପରେ ଯାଇ ଭାରତୀୟ ସେନା ବାହିନୀ ପକ୍ଷରୁ ‘ବାଲାକୋଟ’ ଆକ୍ରମଣ ରଚନା କରାଯାଇଥିଲା। କିନ୍ତୁ ଏହା ମଧ୍ୟ ପାସୋରି ଗଲେ ହେବ ନାହିଁ ଯେ ‘୨୦୧୯’ (ବାଲାକୋଟ ଆକ୍ରମଣ)ର ସ୍ଥିତି ‘୨୦୨୫’ରେ ନାହିଁ ଏବଂ ଅତର୍କିତ ଆକ୍ରମଣ କେବଳ ଥରେ ମାତ୍ର କରାଯାଇପାରେ; କାରଣ ତା’ ପରେ ପ୍ରତିପକ୍ଷର ଅନୁମାନ ଓ ଦୃଷ୍ଟି ଶାଣିତ ଓ ସତର୍କ ହୋଇଯାଇଥାଏ। ତେବେ, ସେ ଯାହା ହେଉ, ସଂପ୍ରତି ଘନ ଘନ ବଦଳି ଚାଲିଥିବା ଦୃଶ୍ୟପଟରେ ଯଦିଓ ପ୍ରତ୍ୟେକ କ୍ଷଣ ତା’ ଗର୍ଭରେ କୌଣସି ନା କୌଣସି କାର୍ଯ୍ୟାନୁଷ୍ଠାନର ସମ୍ଭାବନାକୁ ଧାରଣ କରିଥାଏ, ଏହା ଲେଖା ହେବା ବେଳକୁ ଅନ୍ତତଃ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ବାଦ ପହଞ୍ଚି ନ ଥିଲା।
କହିବା ଅନାବଶ୍ୟକ ଯେ ସମାରିକ ଶକ୍ତି ଆଧାରରେ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଭାରସାମ୍ୟହୀନତାକୁ ଦୃଷ୍ଟିରେ ରଖି ଅସଂଖ୍ୟ ଭାରତୀୟ ଏକ ପୂର୍ଣ୍ଣ ସାମରିକ କାର୍ଯ୍ୟାନୁଷ୍ଠାନ ଚାହି ଥାଆନ୍ତି। ସେମାନେ କହନ୍ତି ଯେ ‘ଗ୍ଲୋବାଲ ଫାୟାର ପାୱାର ଇନଡେକ୍ସ’ ଅନୁସାରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ ହୋଇଥିବା ବେଳେ ପାକିସ୍ତାନର ସ୍ଥାନ ଦ୍ବାଦଶ; ଭାରତର ବାର୍ଷିକ ପ୍ରତିରକ୍ଷା ବ୍ୟୟ ପାକିସ୍ତାନର ୮ ଗୁଣ; ଭାରତୀୟ ସୈନ୍ୟଙ୍କ ସଂଖ୍ୟା ୧୪.୫ ଲକ୍ଷ ହୋଇଥିବା ବେଳେ ପାକିସ୍ତାନର ତାହା ହେଉଛି ୬.୫ ଲକ୍ଷ; ବନ୍ଧୁକ ଠାରୁ ବୁଡ଼ା ଜାହାଜ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସମର ସରଂଜାମରେ ପାକିସ୍ତାନ ଭାରତ ଠାରୁ ପଛୁଆ, ଯେମିତିକି ଭାରତର ଲଢୁଆ ବିମାନ ସଂଖ୍ୟା ୫୦୦ରୁ ଅଧିକ ହୋଇଥିବା ବେଳେ ପାକିସ୍ତାନରେ ତାହା ହେଉଛି ୩୦୦ ବା ଭାରତର ବୁଡ଼ାଜାହାଜ ସଂଖ୍ୟା ୧୮ ହୋଇଥିବା ବେଳେ ପାକିସ୍ତାନର ୮ ଅଥବା ଭାରତ ସମୀପରେ ଦୁଇଟି ବିଶାଳ ବିମାନବାହୀ ନୌଭେଳା ଥିବା ବେଳେ ପାକିସ୍ତାନରେ ସେହି ସଂଖ୍ୟା ହେଉଛି ଶୂନ। କିନ୍ତୁ ଏହି ପ୍ରତିପାଦ୍ୟରୁ ଯୁଦ୍ଧର ପରିଣାମ ନେଇ କୌଣସି ସହଜ ନିଷ୍କର୍ଷ ମିଳି ନ ପାରେ; କାରଣ ପୃଥିବୀର ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି ରୁୁଷିଆ ଏବଂ ଚତୁର୍ବିଂଶତମ ସ୍ଥାନରେ ଥିବା ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅସରନ୍ତି ଭଳି ମନେ ହୋଇ ବିଗତ ତିନି ବର୍ଷ ଧରି ଅବ୍ୟାହତ ରହିଛି। ପାସୋରି ଗଲେ ହେବ ନାହିଁ ଯେ ମାତ୍ର ସପ୍ତାହକ ମଧ୍ୟରେ ୟୁକ୍ରେନକୁ ଭୂଲୁଣ୍ଠିତ କରିବାର ସ୍ବପ୍ନ ନେଇ ରୁଷିଆ ସେହି ଦୁର୍ବଳ ରାଷ୍ଟ୍ର ଉପରେ ଆକ୍ରମଣ କରିଥିଲା। ସମ୍ଭବତଃ, ଏହି କାରଣକୁ ହୃଦବୋଧ କରି ଭାରତ ସରକାରଙ୍କ ପକ୍ଷରୁ ସାମରିକ ବାହିନୀକୁ ଆକ୍ରମଣର ସ୍ଥାନ, କାଳ, ପାତ୍ର ଓ ପ୍ରକାର ଇତ୍ୟାଦି ନିର୍ଣ୍ଣୟ କରିବାର ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।
ତେବେ କୌଣସି ‘ସୀମିତ’ ସଂଘର୍ଷ ବା ‘ପୂର୍ଣ୍ଣ’ ସମର ଭଳି ପରିସ୍ଥିତିରେ ଯୁଦ୍ଧ ତ ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିବ, କିନ୍ତୁ ତାହା ପ୍ରକାରାନ୍ତରେ ପାକିସ୍ତାନ ସେନାବାହିନୀ ଓ ବିଶେଷ କରି ସେନାଧ୍ୟକ୍ଷ ଅସିମ ମୁନୀରଙ୍କ ହିତ ସାଧନ କରିବ। ଏଭଳି ମତ ପ୍ରଦାନ କରୁଥିବା ବିଶେଷଜ୍ଞମାନେ କହନ୍ତି େଯ ପାକିସ୍ତାନର ସର୍ବାଧିକ ଅପ୍ରିୟ ସେନାଧ୍ୟକ୍ଷ ରୂପେ ମୁନୀର ହିଁ ପରିଗଣିତ ହୋଇଥାଆନ୍ତି। ଗଲା ବର୍ଷ ଏହାର ନିଦର୍ଶନ ମିଳିଥିଲା, ଯେତେବେଳେ ଇମରାନ ଖାଁଙ୍କ ହଜାର ହଜାର ସମର୍ଥକ ପାକ୍ ସେନାବାହିନୀର ବିିଭିନ୍ନ ଦପ୍ତର ଉପରେ ଆକ୍ରମଣ କରିଥିଲେ। କହିବା ବାହୁଲ୍ୟ ଯେ ପାକିସ୍ତାନ ପରିପ୍ରେକ୍ଷୀରେ ଏଭଳି ଘଟିବା କଳ୍ପନାତୀତ। ତେବେ, ଏ ଜନ ଆକ୍ରୋଶ ସ୍ବାଭାବିକ। କାରଣ କୌଣସି ପାକିସ୍ତାନୀ ନାଗରିକ ଠାରୁ ଏହା ଅଛପା ନାହିଁ ଯେ ପାକିସ୍ତାନ ସେନାବାହିନୀ ସେଠାକାର ସର୍ବଶକ୍ତିମାନ ଅନୁଷ୍ଠାନ ହେବା ସହିତ ସେ ଦେଶର କୃଷି ଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ଅକ୍ତିଆର କରିବା ସହିତ ବ୍ୟବସାୟ କରି ପ୍ରକାରାନ୍ତରେ ସେଠାକାର ବୃହତ୍ତମ ‘କର୍ପୋରେଟ୍ ସେକ୍ଟର’ରେ ପରିଣତ ହୋଇଛି; ସେଠାକାର ରାଜନୈତିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ କରାୟତ୍ତ କରି ତାକୁ ଏକ ସଖୀ କଣ୍ଢେଇରେ ପରିଣତ କରିଛି। ପ୍ରକାଶ ଥାଉ କି ପାକିସ୍ତାନର ସମଗ୍ର ଭୂସଂପତ୍ତିର ୧୨% ସାମରିକ ବାହିନୀର ମାଲିକାନା ଅନ୍ତର୍ଭୁକ୍ତ। ଏଭଳି ସ୍ଥିତିରେ ଭାରତ ପକ୍ଷରୁ ଏକ ଆକ୍ରମଣ ପାକିସ୍ତାନ ସାମରିକ ବାହିନୀ ସକାଶେ ସ୍ଫୃହଣୀୟ ମଧ୍ୟ ହୋଇପାରେ, କାରଣ ତଦ୍ଦ୍ବାରା ରାଷ୍ଟ୍ର ଓ ରାଷ୍ଟ୍ରବାସୀଙ୍କ ମଧ୍ୟରେ ଧାରଣା ଦୃଢ଼ ହେବ ଯେ ସାମରିକ ବାହିନୀ ହେଉଛି ଏକମାତ୍ର ତ୍ରାଣକର୍ତ୍ତା। ସେହି କାରଣରୁ ସନ୍ଦେହ ସୃଷ୍ଟି ହୋଇଥାଏ ଯେ ଗଲା ଏପ୍ରିଲ ୨୦ ତାରିଖରେ ମୁନୀରଙ୍କ ଦ୍ବାରା ପ୍ରଦତ୍ତ ସେହି ଅପଖ୍ୟାତ ଅଭିଭାଷଣ ପଛରେ ଉଦ୍ଦେଶ୍ୟ ଥିଲା ଏଭଳି ଏକ ସଂଘର୍ଷମୂଳକ ସ୍ଥିତି ସୃଷ୍ଟି କରିବା, ଯାହା ଗୋଟିଏ ଦୃଷ୍ଟିରୁ ସଫଳ ହୋଇଛି ମଧ୍ୟ। ଏଭଳି ସ୍ଥଳେ ଭାରତର ପ୍ରତିକ୍ରିୟା ଯେ ନିତାନ୍ତ ବିବେଚନାପୂର୍ଣ୍ଣ ହେବା ଆବଶ୍ୟକ, ତହିଁରେ ଦ୍ବିରୁକ୍ତି ନାହିଁ।
ଅଧିକାଂଶ ପାଠକପାଠିକାଙ୍କ ସ୍ମରଣରେ ଥିବ ଯେ ୨୦୨୧ ମସିହାରେ ଗଲୱାନ ଠାରେ ଚୀନ ପକ୍ଷରୁ ସୀମା ଅତିକ୍ରମଣର ଉଦ୍ୟମ ଏବଂ ତଜ୍ଜନିତ ଯୁଦ୍ଧପ୍ରାୟ ପରିସ୍ଥିତିରେ ଭାରତ ତା’ର ପୂର୍ବ ଓ ପଶ୍ଚିମ ସୀମାନ୍ତରୁ ଏକ ବିଶାଳ ସଂଖ୍ୟକ ସୈନ୍ୟ ବଳ ଅପସାରଣ କରି ଲଦାଖରେ ମୁତୟନ କରିଥିଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ତା’ ପରଠାରୁ ଚୀନ ବିପକ୍ଷରେ ଭାରତ ତା’ର ସାମରିକ ସଂଗଠନକୁ ଅଧିକ ସୁଦୃଢ଼ କରିବାରେ ବ୍ରତୀ ଥିବା ବେଳେ ପାକିସ୍ତାନ ସୀମା ସାମାନ୍ୟ ଦୃଷ୍ଟିପଥଚ୍ୟୁତ ହୋଇଛି, ଯାହା ସାଂପ୍ରତିକ ପରିସ୍ଥିତିରେ ପାକିସ୍ତାନ ଲାଗି ଏକ ଅଧିକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ସେମାନେ ଆହୁରି କହନ୍ତି ଯେ ପାକିସ୍ତାନ ବିପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ଭାରତ ପ୍ରତି ବୈରୀ ଭାବ ପୋଷଣ କରୁଥିବା ଚୀନ ଓ ବାଂଲାଦେଶର ଆଚରଣ ହସ୍ତୀର କର୍ଣ୍ଣ କୁହରରେ ଅନବରତ ଗୁଂଜରଣ ସୃଷ୍ଟି କରୁଥିବା ଭ୍ରମର ତୁଲ୍ୟ ଅତି ବ୍ୟତିବ୍ୟସ୍ତକର ମଧ୍ୟ ହୋଇପାରେ; ଯାହାର ପ୍ରମାଣ ବାଂଲାଦେଶ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଠାରୁ ମିଳି ସାରିଲାଣି, ଯିଏ କହିଛନ୍ତି ଯେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ ବାଂଲାଦେଶ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟ ଉପରେ ଆକ୍ରମଣ କରିବ। ଏଭଳି ଉପଦ୍ରବକାରୀମାନେ କେବଳ ଅଯଥା ମୁଣ୍ଡ ବ୍ୟଥା ହିଁ ଜାତ କରନ୍ତି। ଦ୍ବିତୀୟ କଥା ହେଲା, ଯଦି ଯୁଦ୍ଧ ହୁଏ, ତେବେ ସ୍ବାଭାବିକ ଭାବେ ଦରିଦ୍ର ପାକିସ୍ତାନ ତୁଳନାର ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥଶକ୍ତିି ଭାରତର ଅଧିକ କିଛି ବାଜିରେ ଲାଗିବାର ସମ୍ଭାବନା ରହିଛି। ଏଥିରେ ଦ୍ବିଧା ନାହିଁ େଯ ଭାରତର ସରକାର ଓ ସାମରିକ ବାହିନୀ ନିକଟରେ ପ୍ରତ୍ୟକ୍ଷ ଯୁଦ୍ଧ ବ୍ୟତୀତ ଆହୁରି ଅନେକ ବିକଳ୍ପ ବିଦ୍ୟମାନ: ଉଦାହରଣ ସ୍ବରୂପ କେବଳ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରି ଓ ତାକୁ କାଏମ ରଖି ପାକିସ୍ତାନ ସେନା ବାହିନୀକୁ ନିରନ୍ତର ଯୁଦ୍ଧ ପ୍ରସ୍ତୁତିରେ ବ୍ୟାପୃତ ରଖାଯାଇପାରେ, ଯଦ୍ଦ୍ବାରା ତାହା ଅଚିରେ ଅବସନ୍ନ ଓ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଅଧିକ ଦୋଦୁଲ୍ୟମାନ ହୋଇଯାଇପାରେ। କହିବାର ଉଦ୍ଦେଶ୍ୟ ହେଲା ଧୈର୍ଯ୍ୟର ସହିତ ଉପଯୁକ୍ତ ମାର୍ଗ ନିର୍ଣ୍ଣୟ ହିଁ ହେଉଛି ଗୁରୁତ୍ବପୂର୍ଣ୍ଣ।
ଏଭଳି ସ୍ଥିତିରେ ପାକିସ୍ତାନ ଭଳି କୁହାଟ ସୃଷ୍ଟି କରୁ ନ ଥିବା ଭାରତୀୟ ସେନାବାହିନୀର ନିରବତା ଅନେକ ଭାରତୀୟଙ୍କ ଠାରେ ଅସ୍ବସ୍ତି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ସେମାନେ ହୁଏତ ଏହାକୁ ‘ଭୟ’ ବା ‘ଦ୍ବନ୍ଦ୍ବ’ର ଚିହ୍ନ ରୂପେ ଦେଖନ୍ତି। ସୁତରାଂ, ସେମାନଙ୍କ ସକାଶେ ଏହି ଆଫ୍ରିକୀୟ ଲୋକକଥା। ଶିକାର ଶିଖୁଥିବା ଚିଲ ଛୁଆଟିଏ ଏକ ବତକ ଛୁଆ ଉଠାଇ ଆଣିବା ପରେ ଚିଲ ମା’ ପ୍ରଶ୍ନ କରିଥିଲା, ‘ତୁ ଶିକାର କଲା ବେଳେ ମା’ ବତକର ପ୍ରତିକ୍ରିୟା କିଭଳି ଥିଲା?’ ଚିଲ ଛୁଆର ଉତ୍ତର ଥିଲା, ‘ଭୟଙ୍କର! ସେ ଚିତ୍କାର କରି ଗାଳିଗୁଲଜ କରିବା ସହିତ ଧମକ ଦେଇଛି ଯେ ଦେଖି ନେବ।’ ଚିଲ ମା’ ଏହା ଶୁଣି କହିଥିଲା, ‘ଭୟ ନାହିଁ, ଭୋଜନ କର।’ କିଛି ଦିନ ପରେ ଏକ କୁକୁଡ଼ା ଛୁଆକୁ ନେଇ ଆସିବା ପରେ ଚିଲ ମା’ର ସେହି ସମାନ ପ୍ରଶ୍ନରେ ଚିଲ ଛୁଆ କହିଥିଲା, ‘ଭୟ ନାହିଁ; କୁକୁଡ଼ା ମା’ କେବଳ କିଛି କ୍ଷଣ ନିରବରେ ଚାହିଁ ରହି ଚାଲିଗଲା।’ ଚିଲ ମା’ ଏହା ଶୁଣି ଚିନ୍ତିତ କଣ୍ଠରେ କହିଥିଲା, ‘ଏବେ ଯାଇ କୁକୁଡ଼ା ଛୁଆକୁ ଯଥା ସ୍ଥାନରେ ରଖି େଦଇ ଆ।’ କହିବାର ତାତ୍ପର୍ଯ୍ୟ ହେଲା ପ୍ରତିକ୍ରିୟାରେ ନିରବତା ମଧ୍ୟ ଏକ ଭୀତିସଂଚାରକାରୀ ଇଙ୍ଗିତ ହୋଇପାରେ, ଏକ ଅଦମ୍ୟ ଦୃଢ଼ ନିଶ୍ଚୟକୁ ମଧ୍ୟ ଏହା ସୂଚାଉ ଥାଇପାରେ।