ବିଗତ କିଛିଦିନ ହେଲା ଓଡ଼ିଶାର ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମଗୁଡ଼ିକରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ଅନେକ ଚର୍ଚ୍ଚା ଓ ତର୍କ ବିତର୍କ ହେଉଛି। ଏହି ମହାନ୍ ଅନୁଷ୍ଠାନରେ କିଛି ଦଶନ୍ଧି ଧରି ଘଟିଥିବା ଅବକ୍ଷୟ ଏବଂ ସେ ଅବକ୍ଷୟର ଧାରାକୁ ଓଲଟାଇବାର ଆବଶ୍ୟକତା ବିଷୟରେ ସେପରି କିଛି ଚର୍ଚ୍ଚା ହେବାର ମୋର ମନେ ପଡୁନାହିଁ। ବର୍ତ୍ତମାନର ଚର୍ଚ୍ଚା ହେଉଛି ରେଭେନ୍ସାର ପୁନର୍ନାମକରଣକୁ ନେଇ।
ଆମ ରାଜ୍ୟର ସୁପୁତ୍ର ଓ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଠାତ୍ ମତପ୍ରକାଶ କରିଥିଲେ ଯେ ଯେଉଁ ଟି.ଇ. ରେଭେନ୍ସାଙ୍କ ନାମରେ ରେଭେନ୍ସା ବିଶ୍ବବିଦ୍ୟାଳୟ (ପୂର୍ବର ରେଭେନ୍ସା କଲେଜ)ର ନାମକରଣ ହୋଇଛି, ତାଙ୍କ ଦୋଷରୁ ଓଡ଼ିଶା ନ’ଅଙ୍କ ଦୁର୍ଭିକ୍ଷର ଭୟାବହତା ଭୋଗିଥିଲା, ଏବଂ ସେ ଦୃଷ୍ଟିରୁ ଏହି ମହାନ୍ ବିଶ୍ବବିଦ୍ୟାଳୟର ପରିଚିତିରୁ ତାଙ୍କ ନାମକୁ ହଠାଇ ଦେବା ଉଚିତ ହେବ। ଅବଶ୍ୟ ସେ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ େଯ ତାଙ୍କର ଏ ମତଟି ସଂପୂର୍ଣ୍ଣ ରୂପେ ବ୍ୟକ୍ତିଗତ, ଏବଂ ଏହା ସେ ଶିକ୍ଷାମନ୍ତ୍ରୀ ରୂପେ ବା ଅନ୍ୟ କୌଣସି ଆଧିକାରିକ ଦୃଷ୍ଟିରୁ କହି ନାହାନ୍ତି। ବରଂ ଏ ବିଷୟରେ ଗୋଟିଏ ବିତର୍କ ବା ଆଲୋଚନା ହେବା ସେ ଚାହିଥିଲେ। ଏଣୁ ମାନନୀୟ ମନ୍ତ୍ରୀଙ୍କର ଏହି ବକ୍ତବ୍ୟକୁ ଊର୍ଦ୍ଧ୍ବସ୍ବରରେ ଚିନ୍ତନ ଭାବରେ ଗ୍ରହଣ କରିବା ହିଁ ବୋଧହୁଏ ସମୀଚୀନ ହେବ। ସାଧାରଣ ଭାଷାରେ କହିବାକୁ ଗଲେ ତାଙ୍କ ମନରେ ଗୋଟିଏ ଖିଆଲ ଆସିଲା ଏବଂ ସେ ତାହା ହିଁ ପ୍ରକାଶ କରିଥିଲେ।
ରେଭେନ୍ସା କଲେଜର ପ୍ରାକ୍ତନ ଛାତ୍ରମାନଙ୍କର ଗୋଟିଏ ବିଶାଳ ଅଂଶ କିନ୍ତୁ ଏହି ପ୍ରସ୍ତାବନା ଦ୍ବାରା ଚକିତ ଓ ମର୍ମାହତ ହୋଇପଡ଼ିଛନ୍ତି ଏବଂ ତାଙ୍କର ପ୍ରିୟ ଅନୁଷ୍ଠାନର ଯେପରି କୌଣସି ପରିବର୍ତ୍ତନ ନ ହୁଏ ସେଥିପାଇଁ ସଭାସମିତି କରି ମତପ୍ରକାଶ କରିବା ସହିତ ଅନ୍ୟ ପଦକ୍ଷେପ ବିଷୟରେ ଚିନ୍ତା ମଧ୍ୟ କରୁଛନ୍ତି। ଏହା ସ୍ବାଭାବିକ। କାରଣ ରେଭେନ୍ସା ନାମଟି ସେମାନଙ୍କର ଅନ୍ତସ୍କରଣରେ ଏପରି ଗଭୀର ରୂେପ ସନ୍ନିହିତ ଯେ, ଏହି ନାମଟିର ସତ୍ତା ନ ରହିବା, ସେମାନଙ୍କର ନିଜର ବ୍ୟକ୍ତିତ୍ବର ସତ୍ତା ହରାଇବା ସଙ୍ଗେ ସମାନ। ଶିକ୍ଷାନୁଷ୍ଠାନମାନେ ସମୟାନୁକ୍ରମେ ନିଜର ଗୋଟିଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ଏବଂ ଗୋଟିଏ ଅନୁଷ୍ଠାନର ଛାତ୍ରମାନଙ୍କର ବାହାର ଜଗତରେ ପରିଚୟ ସେ ଅନୁଷ୍ଠାନର ପରିଚୟ ଉପରେ ହିଁ ନିର୍ଭର କରିଥାଏ। ରେଭେନ୍ସାର ନାମ ବଦଳାଇ ଯଦି ଆଉ ଗୋଟିଏ କ’ଣ ନାମ ରଖାଯିବ, ବିଗତ ଦେଢ଼ ଶତବ୍ଦୀରୁ ଅଧିକ ସମୟର ଅକ୍ଳାନ୍ତ ପ୍ରଚେଷ୍ଟାରେ ଗଢ଼ିଉଠିଥିବା ଏହି ଶ୍ରେଷ୍ଠ ଅନୁଷ୍ଠାନଟିର ପରିଚୟ କ୍ଷଣକରେ ହଜିଯିବ।
ମୁଁ ମୋର ନିଜର ଜୀବନରୁ ଗୋଟିଏ ଘଟଣା ଉଲ୍ଲେଖ କରିବାକୁ ଚାହୁଛି। ଆମ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ (ରେଭେନ୍ସା କଲେଜ ଉତ୍କଳ ଅଧୀନରେ ଥିଲା)ର ଫଳ ବାହାରିବାରେ ଡେରି ହେଉଥିଲା। ମୁଁ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନମିକ୍ସରେ ଏମ୍.ଏ. ପଢ଼ିବାକୁ ମନ ବଳାଇଥାଏ। କିନ୍ତୁ ତାଙ୍କର ଏଡ୍ମିସନ୍ ଆମ ବିଶ୍ବବିଦ୍ୟାଳୟର ଫଳ ବାହାରିବାର ବହୁ ପୂର୍ବରୁ ସରିଯାଏ। ମୁଁ ଅର୍ଥନୀତି ବିଭାଗର ମୁଖ୍ୟଙ୍କ ଠାରୁ ଗୋଟିଏ ଚିଠି ଲେଖାଇ ନେଲି ଯେ ମୁଁ ଜଣେ ଭଲ ଛାତ୍ର ଏବଂ ମୋର ସମ୍ମାନ ସହ ବି.ଏ. ପାଶ୍ କରିବାର ଯୋଗ୍ୟତା ଅଛି। ମୁଁ ଯେତେବେଳେ ଏହି ଚିଠିଟି ନେଇ ଦିଲ୍ଲୀ ସ୍କୁଲ୍ର ଡାଇରେକ୍ଟରଙ୍କ ପାଖରେ ଉପସ୍ଥିତ ହେଲି, ସେ ସାଙ୍ଗେ ସାଙ୍ଗେ କହିଲେ, ତମେ ରେଭେନ୍ସାରୁ ତ କୌଣସି ଅସୁବିଧା ନାହିଁ। କଲିକତା ବିଶ୍ବବିଦ୍ୟାଳୟର ଏହିପରି ଫଳ ପ୍ରକାଶରେ ବିଳମ୍ବ ହୁଏ ବୋଲି ଆମେ ପ୍ରେସିଡେନ୍ସି କଲେଜର ପିଲାଙ୍କୁ ପ୍ରୋଭିଜନାଲ୍ ଏଡ୍ମିସନ୍ ଦେଇଥାଉ। ତୁମକୁ ମଧ୍ୟ ସେ ପ୍ରକାର ପ୍ରୋଭିଜନାଲ୍ ଏଡ୍ମିସନ୍ ଦେବୁ, ଯେଣୁ ତୁମେ ରେଭେନ୍ସାରୁ ଆସିଚ। ଫଳ ପ୍ରକାଶ ହୋଇ ନ ଥିଲେ ମଧ୍ୟ ମୋତେ ଏଡ୍ମିସନ୍ ମିଳିଲା, ଏବଂ ଫଳ ବାହାରିଲା ପରେ ପରେ ରେଗୁଲାରାଇଜ୍ କରାଗଲା। ଏହା ଥିଲା ଏହି ଅନୁଷ୍ଠାନର ଦେଢ଼ ଶତାବ୍ଦୀ ଧରି ଗଢ଼ିଉଠିଥିବା ପରିଚୟର ଆଶୀର୍ବାଦ। ଏହି ପରିଚୟ ଅନୁଷ୍ଠାନର ନାମ ସହିତ ହିଁ ସଂପୃକ୍ତ। ଗୋଟିଏ ନୂଆ ନାମ ନେଇ ଏହି ପରିଚୟ ଗଢ଼ିବାକୁ ଅନେକ ଦଶନ୍ଧି ଲାଗିଯିବ।
ଯେତେବେଳେ ଆଞ୍ଚଳିକତାବାଦୀ ଡିଏମ୍କେ ନେତାମାନେ ମାଡ୍ରାସ୍ ସହରର ନଁା ବଦଳାଇ ଚେନ୍ନାଇ କଲେ, ମାଡ୍ରାସ୍ ଆଇ.ଆଇ.ଟି. ତା’ର ନଁା ବଦଳାଇଲା କି? ସେହିପରି ଯେତେବେଳେ ବମ୍ବେ ସହରର ନଁା ମୁମ୍ବାଇ ହେଲା, ଆଇ.ଆଇ.ଟି. ବମ୍ବେ ତା’ର ନଁା ବଦଳାଇଲା ନାହିଁ ଏବଂ ଆଇ.ଆଇ.ଟି. ବମ୍ବେ ହିଁ ରଖିଲା। ସେମାନେ ଅର୍ଦ୍ଧଶତାବ୍ଦୀ ଧରି ଗଢ଼ିଉଠିଥିବା ପରିଚୟ ସହିତ ସଂଶ୍ଳିଷ୍ଟ ନାମରେ ଗୋଟିଏ ଦୁଇଟା ଅକ୍ଷର ମଧ୍ୟ ବଦଳାଇଲେ ନାହିଁ; କାରଣ ସେପରି ହେଲେ ତାଙ୍କର ମୂଳ ପରିଚୟର ମୂଲ୍ୟ ହରାଇ ବସିବେ। ସେହିପରି ଆଇ.ଆଇ.ଏମ୍. ବାଙ୍ଗାଲୋର ଏବଂ ଆଇ.ଆଇ.ଏମ୍. କ୍ୟାଲ୍କାଟା, ସେ ସହରଗୁଡ଼ିକର ନାମୋଚ୍ଚାରଣରେ ପରିବର୍ତ୍ତନ ହେଲେ ମଧ୍ୟ ନିଜର ପୂର୍ବ ନାମ ଅପରିବର୍ତ୍ତିତ ରଖିଛନ୍ତି। ଏ ଅନୁଷ୍ଠାନଗୁଡ଼ିକ ମାନନୀୟ ଶିକ୍ଷାମନ୍ତ୍ରୀଙ୍କର ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ହିଁ ପ୍ରଶାସିତ।
ଆଇ.ଆଇ.ଟି. ମାଡ୍ରାସ୍, ଆଇ.ଆଇ.ଟି. ବମ୍ବେ, ପ୍ରେସିଡେନ୍ସି, ସେଣ୍ଟ୍ ଷ୍ଟିଫେନ୍ସ ପରି ରେଭେନ୍ସା ମଧ୍ୟ ଗୋଟିଏ ପ୍ରତିଷ୍ଠିତ ବ୍ରାଣ୍ଡ୍ ଏବଂ ରାଜ୍ୟ ବାହାରେ ଏହାର ସୁଉଚ୍ଚ ମର୍ଯ୍ୟାଦା ରହିଛି। ଏହି ନାମ ସହିତ ସଂଶ୍ଳିଷ୍ଟ ଥିବାରୁ ଅଗଣିତ ପ୍ରାକ୍ତନ ଛାତ୍ର ରାଜ୍ୟ ବାହାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ, ପ୍ରାଥମିକତା ଓ ସମ୍ମାନ ପାଇଛନ୍ତି। ମୋର ନିଜ ଜୀବନରୁ ଉପରୋକ୍ତ ଘଟଣାଟି ଗୋଟିଏ ଛୋଟ ଉଦାହରଣ। ଭବିଷ୍ୟତ୍ରେ ମଧ୍ୟ ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଯୁବକଯୁବତୀମାନେ ଏହି ପରିଚୟ ବଳରେ ଅନେକ କ୍ଷେତ୍ରରେ ପ୍ରାଥମିକତା ଓ ସମ୍ମାନ ପାଇବେ। ଏଣୁ ଏ ପରିଚୟକୁ ବିଲୁପ୍ତ ନ କରି ଏହାକୁ ଆହୁରି ସମ୍ମାନଜନକ ଓ ଶକ୍ତିଶାଳୀ କରି ଜାତୀୟ ସ୍ତରରେ ଓ ଦେଶ ବାହାରେ ମଧ୍ୟ ଏହାକୁ ଗୋଟିଏ ସର୍ବଶ୍ରେଷ୍ଠ ବ୍ରାଣ୍ଡ୍ରେ ପରିଣତ କରିବା ପାଇଁ ରାଜ୍ୟବାସୀ ଚେଷ୍ଟା କରିବା ଉଚିତ। ବିଶ୍ବବିଦ୍ୟାଳୟକୁ ରୂପାନ୍ତରଣ କରାଯିବା ଏଥିପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ରାଜ୍ୟବାସୀଙ୍କର ଏହି ଚେଷ୍ଟା ଯେ ମାନନୀୟ ଶିକ୍ଷାମନ୍ତ୍ରୀଙ୍କର ଆଶୀର୍ବାଦ ଓ ସମର୍ଥନ ଲାଭ କରିବ, ଏଥିରେ ମୋର କୌଣସି ସନ୍ଦେହ ନାହିଁ। ଏଠାରେ କହି ରଖିବା ସମୀଚୀନ ହେବ ଯେ ଆଜି ‘ରେଭେନ୍ସା’ ଶବ୍ଦଟି ଗୋଟିଏ ସଂପୂର୍ଣ୍ଣ ଓଡ଼ିଆ ଶବ୍ଦ ଏବଂ ‘ରେଭେନ୍ସା’ ଅନୁଷ୍ଠାନଟି ଗୋଟିଏ ସଂପୂର୍ଣ୍ଣ ଉତ୍କଳୀୟ ଅନୁଷ୍ଠାନର ପରିଚିତ ଲାଭ କରିଛି। ଇଂଲାଣ୍ଡ୍ରେ ଦିନକରେ ରେଭେନ୍ସା ଶବ୍ଦଟି ଯେତେଥର ଉଚ୍ଚାରିତ ହେଉଥିବ ଓଡ଼ିଶାର ପୁରପଲ୍ଲୀ, ଗଳିକନ୍ଦିରେ ତା’ର ସହସ୍ର ଗୁଣ ଉଚ୍ଚାରିତ ହେଉଥିବ। ଯେଉଁମାନେ ଦିନରାତି ରେଭେନ୍ସା ଶବ୍ଦ ଉଚ୍ଚାରଣ କରନ୍ତି ସେମାନେ ରେଭେନ୍ସା କିଏ ଥିଲେ, କ’ଣ କରିଥିଲେ କି ନ କରିଥିଲେ ଏ ବିଷୟରେ ହୁଏତ ଜାଣି ନ ଥିବେ, ବା ପରୱା ବି କରୁ ନ ଥିବେ। ତାଙ୍କ ପାଇଁ ରେଭେନ୍ସା ଗୋଟିଏ ଶିକ୍ଷାନୁଷ୍ଠାନ, ଏବଂ ଏହା ତାଙ୍କର ଅନୁଷ୍ଠାନ।
ନୂତନ ଶିକ୍ଷାନୀତିର ସଫଳ ରୂପାୟନ, ଦେଶର ଉଚ୍ଚଶିକ୍ଷାକୁ ଅନ୍ତର୍ଜାତୀୟ ମାନ ପ୍ରଦାନ, ସ୍କୁଲ ଶିକ୍ଷାର ମାନରେ ଉନ୍ନତୀକରଣ ଆଦି ଅତି ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ମାନନୀୟ ଶିକ୍ଷାମନ୍ତ୍ରୀଙ୍କୁ ସତତ ବ୍ୟସ୍ତ ଓ ଚିନ୍ତିତ ରଖୁଥିବ। କୌଣସି ଅନୁଷ୍ଠାନର ନାମ ପରିବର୍ତ୍ତନ ପରି ଗୋଟିଏ ବିଷୟ ଯେ ତାଙ୍କର କାର୍ଯ୍ୟାବଳୀରେ ପ୍ରାଥମିକତା ବା ବିଶେଷ ଗୁରୁତ୍ବ ବହନ କରୁଥିବ, ମୁଁ ସେପରି ଭାବି ପାରୁନି। ମାନନୀୟ ମନ୍ତ୍ରୀ ଗୋଟିଏ ବୌଦ୍ଧିକ ବିତର୍କର କଳ୍ପନା କରିଥିଲେ। ମାତ୍ର ତାଙ୍କର ଏ ବିଷୟରେ କେବଳ ମାତ୍ର ଊର୍ଦ୍ଧ୍ବସ୍ବରରେ ଚିନ୍ତନ ଦ୍ବାରା ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ସେଥିରୁ ନିଜ ସ୍ବାର୍ଥ ସାଧନରେ ଲାଗିପଡ଼ିଛନ୍ତି, ଏହା ହିଁ ଚିନ୍ତାଜନକ। ଗୋଟିଏ ଗୋଷ୍ଠୀ ନାମ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ି, ଏପରିକି ପ୍ରଦର୍ଶନ ଇତ୍ୟାଦି କରି ନିଜର ରାଜନୈତିକ ପରିଚୟ ସୃଷ୍ଟି କରିବାକୁ ବା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଶାସକ ଦଳରେ ନିଜର ପତିଆରା ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି। ଆଉ କେତେକ ନିଜ ବାପ ଅଜାଙ୍କ ନାମରେ ଏହି ମହାନ ଅନୁଷ୍ଠାନକୁ ନାମିତ କରି, ଏହି ଅନୁଷ୍ଠାନ ବା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କର କୌଣସି ଅବଦାନ ନ ଥାଇ ମଧ୍ୟ, ସେମାନଙ୍କୁ ଚିର ସ୍ମରଣୀୟ କରିବାର ଗୋଟିଏ ଅପୂର୍ବ ସୁଯୋଗ ବୋଲି ଭାବି ନେଇଛନ୍ତି; ଏବଂ ବିଭିନ୍ନ ଏ ଦିଗରେ ଅପଚେଷ୍ଟା ଚଳାଇଛନ୍ତି।
ବିତର୍କର ଆଢୁଆଳରେ ନିଜ ଏଜେଣ୍ଡା ଉପଲବ୍ଧି ପାଇଁ ଲାଗିପଡ଼ିଥିବା ଏହି ସ୍ବାର୍ଥ-ସର୍ବସ୍ବ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଗୋଟିଏ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛି, ଯାହା ଅବାଞ୍ଛନୀୟ ଏବଂ ଅନାବଶ୍ୟକ ମଧ୍ୟ। ସ୍ବଭାବତଃ ଆବେଗପୂର୍ଣ୍ଣ ଯୁବାଶିକ୍ଷାର୍ଥୀମାନେ ଏଥିରେ ପ୍ରଭାବିତ ହୋଇ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ଓ ନେବେ ଏବଂ ଏହାଦ୍ବାରା ଅଧ୍ୟୟନ ବ୍ୟାହତ ହେବ। ଏ ପ୍ରକାର ପରିସ୍ଥିତି ଯେ ରେଭେନ୍ସା ବାହାରେ କଟକର ତଥା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କୁ ବ୍ୟାପିବ ନାହିଁ, କେହି ତା’ର ଗ୍ୟାରେଣ୍ଟି ବି ଦେଇପାରିବେ ନାହିଁ। ଜଣେ ଶିକ୍ଷାପ୍ରେମୀ ବୟୋଜ୍ୟେଷ୍ଠ ନାଗରିକ ଭାବେ ମୋର ସମସ୍ତଙ୍କୁ ନିବେଦନ, ଏ ସବୁର ଅନ୍ତ ହେଉ ଏବଂ ଛାତ୍ରଛାତ୍ରୀମାନେ ଉଦ୍ବିଗ୍ନ ନ ହୋଇ ପାଠପଢ଼ାରେ ମନୋନିବେଶ କରନ୍ତୁ।
ଆଉ ଯେଉଁମାନେ ତର୍କ ବିତର୍କରେ ବିଶେଷ ଆଗ୍ରହୀ ସେମାନେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷାଦାନରେ କ’ଣ ଉନ୍ନତି କରାଯାଇପାରିବ ସେ ବିଷୟରେ ଗଣମାଧ୍ୟମ ଓ ସଭାସମିତିରେ ଆଲୋଚନା କରନ୍ତୁ (‘ସମ୍ବାଦ’ ଏଥିରେ ଯେ ସହଯୋଗ କରିବ, ସେଥିରେ ମୋର କୌଣସି ସନ୍ଦେହ ନାହିଁ)। ଏହି ଆଲୋଚନାର ନିର୍ଯ୍ୟାସରୁ ଗୋଟିଏ କାର୍ଯ୍ୟକାରୀ ହୋଇପାରିଲା ପରି ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଓ ମାନ୍ୟବର ମନ୍ତ୍ରୀଙ୍କୁ ଅର୍ପଣ କରାଯାଉ। ଯେଉଁମାନେ ଆଲୋଚନା ଓ ବିତର୍କ ପାଇଁ ଆହୁରି ଆଗ୍ରହୀ ସେମାନେ ରାଜ୍ୟେର ଶିକ୍ଷାରେ ବିକାଶ, ସ୍ବାସ୍ଥ୍ୟସେବାର ଉନ୍ନତୀକରଣ, କୃଷିକର୍ମଣ, ଶିଳ୍ପାୟନ, କର୍ମକୌଶଳର ଅଭିବୃଦ୍ଧି ଆଦି ଆଲୋଚନା ପାଇଁ ତୃଷାର୍ତ୍ତ ବିଷୟମାନଙ୍କ ଉପରେ ମନଭରି ଆଲୋଚନା କରନ୍ତୁ। ଏଥିରେ ରାଜ୍ୟର ମଙ୍ଗଳ େହବ।
ମୋ: ୮୯୧୭୫୭୯୦୭୫
ରେଭେନ୍ସା ବିତର୍କ: ଜଣେ ଅନାମଧେୟ ରେଭେନ୍ସାଭିଆନ୍ର ଅନୁଚିନ୍ତା
ବିଗତ କିଛିଦିନ ହେଲା ଓଡ଼ିଶାର ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମଗୁଡ଼ିକରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନେଇ ଅନେକ ଚର୍ଚ୍ଚା ଓ ତର୍କ ବିତର୍କ ହେଉଛି। ଏହି ମହାନ୍ ଅନୁଷ୍ଠାନରେ କିଛି ଦଶନ୍ଧି ଧରି ଘଟିଥିବା...