ଅବଶ ପରିଡ଼ା
କଳ୍ପନା କରନ୍ତୁ, ଆପଣ ନିଜ ବନ୍ଧୁଙ୍କ ସହ କଥା ହେଉଛନ୍ତି। କିନ୍ତୁ ବାର୍ତ୍ତାଳାପ ମଧ୍ୟରେ ଆପଣଙ୍କ ବନ୍ଧୁ ବାରମ୍ବାର ଫୋନ୍ ଦେଖୁଛନ୍ତି ଏବଂ ଆପଣଙ୍କ କଥାକୁ ଧ୍ୟାନ ଦେଉନାହାନ୍ତି। ସ୍ୱାଭାବିକ ଭାବେ ଆପଣ ପ୍ରଥମେ ଚିନ୍ତା କରିବେ ଯେ ତାଙ୍କର ଫୋନ୍ରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥାଇପାରେ। କିନ୍ତୁ ଯଦି ଏହି ଭଳି ଆଚରଣ ନିୟମିତ ହୁଏ ତେବେ ଏହା ନିଶ୍ଚିତ ଯେ ଆପଣ ନିଜକୁ ଅଣଦେଖା ଅନୁଭବ କରିବେ। ଏଭଳି ଆଚରଣ ଏବେ ବ୍ୟାପକ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କଠାରୁ ମିଟିଂରେ ବସିଥିବା ଶ୍ରୋତା ଯାଏ ଏବଂ ଦମ୍ପତିଙ୍କଠାରୁ ଆରମ୍ଭ କରି ଛୋଟପିଲା ଯାଏ, ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଅଧିକାଂଶ ବ୍ୟକ୍ତିବିଶେଷ ଏହାଦ୍ୱାରା ଆକ୍ରାନ୍ତ। ଏହାର ନାଁ ହେଉଛି ‘ଫବିଂ’, ଇଂରେଜୀ ଶବ୍ଦ ‘ଫୋନ୍’ ଓ ‘ସ୍ନବ୍’ର ମିଶ୍ରଣ। ଏହାର ଅର୍ଥ ହେଉଛି ସ୍ମାର୍ଟଫୋନ୍ ଉପରେ ଅଧିକ ଧ୍ୟାନ ଦେଉଥିବା ସମୟରେ ନିଜ ସାମାଜିକ ପରିବେଶ, ସାଙ୍ଗସାଥୀ ଏପରିକି ନିଜ ଜୀବନସାଥୀଙ୍କ ଉପସ୍ଥିତିକୁ ଅଣଦେଖା କରିବା।
ଏକ ପ୍ରସିଦ୍ଧ ମନୋବିଜ୍ଞାନ ପତ୍ରିକାରେ ଉଲ୍ଲେଖ ଅଛି ଯେ ସୋସିଆଲ୍ ମିଡିଆର ନିଶା, କୌଣସି ଘଟଣାରୁ ବାଦ୍ ପଡ଼ିଯିବାର ଭୟ (ଫୋମୋ), ବ୍ୟକ୍ତିତ୍ୱର ଗୁଣ ଓ ମାନସିକ ଦୁଃଖ ସହିତ ଫବିଂ ଆଚରଣ ସକାରାତ୍ମକ ଭାବରେ ସମ୍ବନ୍ଧିତ। ଅନ୍ୟପଟେ ଜୀବନ ସନ୍ତୋଷ ସହ ଏହା ପ୍ରତିକୂଳ ଭାବେ ଜଡ଼ିତ। ବ୍ୟକ୍ତିଗତ ଓ ସାମାଜିକ ସମ୍ପର୍କ ଉପରେ ଏହି ଆଚରଣର ନକାରାତ୍ମକ ପ୍ରଭାବ କାରଣରୁ ଏହା ଏବେ ସମାଜବିଜ୍ଞନୀଙ୍କ ଦୃଷ୍ଟି ଆକର୍ଷଣ କରିଛି। କେତେକ ଗବେଷଣାରେ ଫବିଂକୁ ‘ସମ୍ପର୍କ ଭଞ୍ଜକ’ ବୋଲି ଆଖ୍ୟା ମଧ୍ୟ ଦିଆଯାଉଛି।
ବୋଷ୍ଟନ କନ୍ସଲ୍ଟିଂ ଗ୍ରୁପ୍ (ବିସିଜି)ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟମାନେ ପ୍ରତିଦିନ ୨୯୪ ମିନିଟ୍ ବା ପାଖାପାଖି ୫ ଘଣ୍ଟା ସ୍ମାର୍ଟଫୋନ୍ରେ ବିତାଉଛନ୍ତି। ସମୁଦାୟ ଭାବରେ ଯଦି ଆମେ ଦେଖିବା ଏହା ସପ୍ତାହକୁ ଗୋଟିଏ ଦିନ, ମାସକୁ ୬ ଦିନ ଓ ବର୍ଷକୁ ୭୦ ଦିନରୁ ଅଧିକ ହେବ। ସେହିପରି ସ୍ମାର୍ଟଫୋନ୍ଧାରୀ ଭାରତୀୟମାନେ ଦିନକୁ ହାରାହାରି ୮୦ ଥର ନିଜ ଫୋନ୍ ଯାଞ୍ଚ କରନ୍ତି।
ବ୍ୟକ୍ତିଗତ ଭିତ୍ତିକ ଏହି ବ୍ୟୟ ସମୟ ଆହୁରି ଅଧିକ ହୋଇପାରେ। ଯଦି ଆମେ ଦାମ୍ପତ୍ୟ ସମ୍ପର୍କରେ ସ୍ମାର୍ଟଫୋନ୍ର ବ୍ୟବହାରକୁ ବିଚାର କରିବା ତେବେ ଜାଣିବା ଯେ ସମ୍ପର୍କର ସନ୍ତୁଷ୍ଟି ମଧ୍ୟ ଫବିଂ ଆଚରଣ ଦ୍ୱାରା ଦିନକୁ ଦିନ ହ୍ରାସ ପାଉଛି। ଏଭଳି ଆଚରଣ ଜୀବନସାଥୀମାନଙ୍କୁ ଗୁରୁତ୍ବହୀନ ଓ ଅବହେଳିତ ଅନୁଭବ କରାଇବା ସହ ଭାବନାତ୍ମକ ଦୂରତା ମଧ୍ୟ ସୃଷ୍ଟି କରୁଛି। ସମୟ କ୍ରମେ, ଏହା ଜୀବନସାଥୀମାନଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ଅନ୍ତରଙ୍ଗତାର ଭିତ୍ତିଭୂମିକୁ ନଷ୍ଟ କରୁଛି ବୋଲି ପରିବାର ପରାମର୍ଶଦାତାମାନେ ମତ ରଖୁଛନ୍ତି। ଏହାବ୍ୟତୀତ ଅନେକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ବାପା ଓ ମା’ ଉଭୟ ଫୋନ୍ ଭିତରେ ମଜ୍ଜିଯାଇ ନିଜ ପିଲାକୁ ମଧ୍ୟ ଅଣଦେଖା କରିଛନ୍ତି।
ବୈଷୟିକ ଜ୍ଞାନକୌଶଳ ସହିତ ଆମର ନିବିଡ଼ତା ହିଁ ଫବିଂର ଜନକ। ସୋସିଆଲ ମିଡିଆରେ ଖୁବ୍ ପ୍ରଚଳିତ ରିଲ୍ ଓ ସର୍ଟସ୍ ଭଳି କମ୍ ଅବଧିର ଭିଡିଓ ଉଭୟ ସମୟ ଓ ଧ୍ୟାନ ଆକର୍ଷଣ କରିବା ପାଇଁ ଡିଜାଇନ୍ କରାଯାଇଛି, ଏଥିରେ ସନ୍ଦେହ ନାହିଁ। ଇନ୍ଷ୍ଟାଗ୍ରାମ୍ କିମ୍ବା ଫେସବୁକ୍ର ଲାଇକ୍ ମିଳିବାର ‘ନୋଟିଫିକେସନ୍’ ହେଉ ବା ହ୍ବାଟ୍ସଆପ୍ ମେସେଜ୍ର ଶବ୍ଦ, ଏସବୁ ଆମର ମସ୍ତିଷ୍କର ‘ଡୋପାମାଇନ୍’ ନାମକ ଖୁସି ହର୍ମୋନ୍କୁ ସକ୍ରିୟ କରିଥାଏ। ବୋଧ ହୁଏ ସେଥିପାଇଁ ଆମେ ସାମାଜିକ ପରିବେଶରେ ଥିଲେ ମଧ୍ୟ ଫୋନକୁ ବାରମ୍ବାର ଯାଞ୍ଚ କରିବାକୁ ଦ୍ବିଧା ପ୍ରକାଶ କରୁନାହୁଁ। ଅନ୍ୟ ଦିଗରେ ବାସ୍ତବତାରୁ ବର୍ତ୍ତିବା ପାଇଁ ସ୍ମାର୍ଟଫୋନ୍ ଏକ ଅଭିନବ ଉପକରଣ ଭାବେ ବିନିଯୋଗ କରାଯାଉଛି। ଉଦାହରଣ ସ୍ୱରୂପ, ଯେତେବେଳେ କଥାବାର୍ତ୍ତା ଆମ ପାଇଁ ଏତେ ଆକର୍ଷଣୀୟ ହେଉ ନାହିଁ, ସେ ସମୟରେ ଫୋନ୍ ଆମକୁ ଅସହଜ ମୁହୂର୍ତ୍ତ ଏଡ଼ାଇବାରେ ସାହାଯ୍ୟ କରୁଛି। ଉଭୟ ଜାଣତରେ ବା ଅଜାଣତରେ ଆମ ସମ୍ପର୍କର ମୂଲ୍ୟ ଫୋନ୍ ପାଇଁ ବାଜିରେ ଲାଗୁଛି।
ଲୋକଙ୍କ ସହ କଥାବାର୍ତ୍ତା ପରିବର୍ତ୍ତେ ବାରମ୍ବାର ଫୋନ୍ରେ ସମୟ ଉପଯୋଗ କରିବା ଦ୍ୱାରା ସାମାଜିକ ଦକ୍ଷତା ହ୍ରାସ ପାଉଛି। ଏଠି ଜାଣିବା ଉଚିତ ଯେ ସହାନୁଭୂତି ବିକଶିତ କରିବା, ଅଣ-ମୌଖିକ ସଙ୍କେତକୁ ବୁଝିବା ଓ ଗଭୀର ସମ୍ପର୍କ ସୃଷ୍ଟି କରିବା ପାଇଁ ମୁହାଁମୁହିଁ ବାର୍ତ୍ତାଳାପ ଅପରିହାର୍ଯ୍ୟ।
ଫବିଂ ଆଚରଣକୁ ନେଇ ‘ହେଲ୍ଥଲାଇନ୍’ ୱେବ୍ସାଇଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୩୨% ଲୋକ ଦିନକୁ ଦୁଇରୁ ତିନି ଥର ଫୋନ୍ ପାଇଁ ଅନ୍ୟଜଣକୁ ଅଣଦେଖା କରନ୍ତି। ଏହି ଆଚରଣ ସାମାଜିକ ସମ୍ପର୍କ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ସହିତ ଅବହେଳାର ଭାବନା ଓ ଭାବନାତ୍ମକ ଅସୁସ୍ଥତା ବୃଦ୍ଧି କରିପାରେ।
ଫବିଂ ହେଉଛି ଆଧୁନିକ ସମାଜର ଏକ ପ୍ରତୀକାତ୍ମକ ସଂକେତ ଯେ ଆମେ ଡିଜିଟାଲ ଭାବରେ ସଂଯୁକ୍ତ କିନ୍ତୁ ମାନବିକ ଭାବରେ ପରସ୍ପର ଠାରୁ ଦୂରେଇ ଯାଉଛୁ। ଏହାର ମୁକାବିଲା କରିବାର ଅର୍ଥ ହେଉଛି ପ୍ରାମାଣିକ ସମ୍ପର୍କ ଓ ମାନବିକ ସମ୍ପର୍କ ପୁନଃଆବିଷ୍କାର କରିବା। ଫବିଂ ଆଚରଣ କିପରି ସମ୍ପର୍କ ସନ୍ତୋଷକୁ ପ୍ରଭାବିତ କରେ ସେ ବିଷୟବସ୍ତୁକୁ ନେଇ ଏକ ସର୍ଭେର ଅଂଶଗ୍ରହଣକାରୀମାନେ ସେମାନଙ୍କ ଜୀବନ ସନ୍ତୋଷ, ସମ୍ପର୍କ ସନ୍ତୋଷ, ସମ୍ପର୍କର ଗୁଣବତ୍ତା ଓ ଫବିଂର ପ୍ରଭାବ ବିଷୟରେ ମତ ବାଢ଼ିଥିଲେ। ସେମାନଙ୍କ ଅନୁଯାୟୀ ସମ୍ପର୍କରେ ସନ୍ତୋଷ ପାଇଁ କଥାକୁ ସକ୍ରିୟ ହୋଇ ଶୁଣିବା ଆବଶ୍ୟକ। ଏହା ସହ ଉଭୟ ଉଭୟଙ୍କୁ ଦେଖିବା ଓ ବୁଝିବା ଜରୁରି। କିନ୍ତୁ ଯେତେବେଳେ ଆମ ପାଖେ ଫୋନ ଥାଏ ସେତେବେଳେ କେଉଁଠି ନାଁ କେଉଁଠି ଏସବୁ ସମ୍ଭବ ହୁଏ ନାହିଁ।
ନିର୍ଦ୍ଧାରିତ ଫୋନ୍-ମୁକ୍ତ ସମୟ ହିଁ ଏକ ପ୍ରକାର ସମାଧାନ। ଅନେକ ଖେଳାଳି, ଅଭିନେତା ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱ ‘ତିନି-ଦୁଇ-ଏକ’ ଫର୍ମୁଲା ବ୍ୟବହାର କରନ୍ତି। ଏହାର ଅର୍ଥ ରାତିରେ ଶୋଇବାର ତିନି ଘଣ୍ଟା ଆଗରୁ ଖାଦ୍ୟ ଖାଇବା, ଦୁଇ ଘଣ୍ଟା ଆଗରୁ ଫୋନ୍ଠାରୁ ଦୂରେଇ ରହିବା ଓ ଏକ ଘଣ୍ଟା ଆଗରୁ ବିଛଣାକୁ ଯିବା। ଏହାବ୍ୟତୀତ ସକ୍ରିୟ ଭାବେ ଶୁଣିବାର ଅଭ୍ୟାସ କରିବା ମଧ୍ୟ ସାମାଜିକ ଅନୁଭୂତିକୁ ଯଥେଷ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରେ।
ପରିଶେଷରେ, ମନେ ରଖିବାକୁ ହେବ ଯେ ଫବିଂ ଆମ ସମ୍ପର୍କର ଗୁଣବତ୍ତା ଓ ସାମଗ୍ରିକ ସୁସ୍ଥତାକୁ ଦୁର୍ବଳ କରିବାର କ୍ଷମତା ରଖିଛି। ଏହାର ପଞ୍ଝାରୁ ମୁକ୍ତ ହେବାର ଉପାୟ ମଧ୍ୟ ଆମ ହାତରେ ଅଛି- ଉପସ୍ଥିତ ମୁହୂର୍ତ୍ତକୁ ଅନୁଭବ କରିବା, ଅର୍ଥପୂର୍ଣ୍ଣ ବାର୍ତ୍ତାଳାପରେ ନିୟୋଜିତ ହେବା ଓ ଡିଜିଟାଲ ଅନ୍ୟମନସ୍କତା ଅପେକ୍ଷା ମାନବ ସମ୍ପର୍କକୁ ପ୍ରାଥମିକତା ଦେବା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୪୫୬୮୭୯୫୨୨