ବ୍ୟାଙ୍କ୍ ଅଫିସର୍‌ ସତ୍ୟେନ୍ଦୁ ଚାକିରିରୁ ଅବସର ନେବା ପରେ ଯେଉଁ କାମଟିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ ପୂର୍ବକ ଆପଣେଇଲା ତା’ ହେଲା ପ୍ରତିଦିନ ସକାଳୁ ଉଠିବା ମାତ୍ରେ ମୋବାଇଲ୍ ଧରି ତଥାକଥିତ ଗୁଡ୍‌ମର୍ଣ୍ଣିଂ ମେସେଜ୍‌ମାନ ପଠାଇବା। ଚିହ୍ନା ଓ ଅଳ୍ପ ଚିହ୍ନା ଅନେକଙ୍କୁ ନିଜର ଭାବି ସକାଳୁ ସକାଳୁ ଶୁଭ ମନାସି ମେସେଜ୍ ପଠାଇବା ଆରମ୍ଭ କଲା ସେ। ଚାକିରି କାଳରେ କେବଳ କିଛି ସହକର୍ମୀ ଓ ଉପରିସ୍ଥଙ୍କୁ ହିଁ ମେସେଜ୍ କରିବା ବି କାଠିକର ପାଠ ଥିଲା ତା’ ପାଇଁ। ଏଣିକି ସେ ଠିକ୍‌ କଲା ଯେ ଏହା ମାଧ୍ୟମରେ ସଂପର୍କର ସରହଦକୁ ବଢ଼ାଇବ, ସଭିଙ୍କୁ ଆପଣାଇବ, ସଭିଙ୍କ ପ୍ରିୟ ହେବ। ତ’ ନିୟମିତ ମେସେଜ୍‌ମାନ ପଠାଇ ଚାଲିଲା ସତ୍ୟେନ୍ଦୁ। କେବେ କେବେ ସକାଳେ ପଠାଇ ନ ପାରିଲେ ତାକୁ ଲାଗୁଥିଲା ସତେ ଅବା କିଛି ଗୋଟେ ଭୁଲ୍ କରି ପକାଇଛି ସେ। ତ’ ମଉକା ଉଣ୍ଡି ଶୁଭାପରାହ୍‌ଣ, ଶୁଭ ସଂଧ୍ୟାଦି ସାଙ୍ଗକୁ ଧୀରେ ଧୀରେ ଶୁଭରାତ୍ରି ଯାଏ ମେସେଜ୍ ବି ତା’ ଭିତରକୁ ପଶି ଆସିଲେ। 
ଅନେକ ଅବଶ୍ୟ ତା’ ମେସେଜ୍ ପାଇ ପ୍ରତ୍ୟୁତ୍ତର ମେସେଜ୍ ଦିଅନ୍ତି। ଅନେକ ନାନା କାରଣରୁ ମେସେଜ୍ ଦେଇ ପାରନ୍ତି ନାହିଁ ମଧ୍ୟ! ଧୀରେ ଧୀରେ ସତ୍ୟେନ୍ଦୁ ଲକ୍ଷ୍ୟ କଲା ଯେ କେତେକ ଲୋକ ତା’ ଶୁଭ ସକାଳ ମେସେଜ୍‌ମାନଙ୍କୁ ଦେଖୁ ନାହାନ୍ତି; ଯେମିତି ତା’ ବାଲ୍ୟ ବନ୍ଧୁ ନାଗା ନନା। ଭଲ ମଣିଷ ଓ ସହରର ଜଣେ ନାମଜାଦା ବ୍ୟବସାୟୀ। ସେ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଆଦି ଠୁ ତ ଦୂରରେ; ହ୍ୱାଟସ୍‌ଆପ୍ ଉପରେ ବି ତା’ର ନିଘା ନଥାଏ। ଏ କଥା ଜାଣିବା ପରଠୁ କିଛି ମାସ ଧରି ତାକୁ ମେସେଜ୍ ଦେବା ବି ବନ୍ଦ କରି ଦେଇଥିଲା ସତ୍ୟେନ୍ଦୁ। 
ଏମିତି ଦିନ ଗଡ଼ି ଚାଲିଥିବା ଭିତରେ ସତ୍ୟେନ୍ଦୁ ଥରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲା। ସପ୍ତାହେ କାଳ ତାକୁ ରହିବାକୁ ପଡ଼ିଲା ଗୋଟେ ନର୍ସିଂ ହୋମ୍‌ରେ। କାହାକୁ ମେସେଜ୍ ଦେଇ ପାରିଲାନି ସେ। ହେଲେ, ଲଗାତାର ମେସେଜ୍ ନ ପାଇଲେ ବି କେହି ଜଣେ ସୁଦ୍ଧା ଫୋନ୍ କରି ବୁଝିଲେନି ଯେ ହଠାତ୍ କାହିଁକି ସତ୍ୟେନ୍ଦୁଠୁ ଦିନ ଦିନ ଧରି ମେସେଜ୍‌ ଆସୁନି! ତେବେ ସତ୍ୟେନ୍ଦୁର ସେଇ ବାଲ୍ୟ ବନ୍ଧୁ ନାଗା ନନା ହଠାତ୍ ଆଉ ଜଣେ ବାଲ୍ୟ ବନ୍ଧୁ ସଦାନନ୍ଦକୁ ସାଙ୍ଗରେ ନେଇ ଆସି ପହଞ୍ଚିଗଲା ସେହି ନର୍ସିଂ‌ ହୋମ୍‌ରେ, ଠିକ୍‌ ସେତିକିବେଳେ, ଯେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବାକୁ ବାହାରିଥିଲା! ସତେ ଯେମିତି ଆକାଶରୁ ଖସି ପଡ଼ିଲା ସତ୍ୟେନ୍ଦୁ! ନାଗା ନନା ହାତରେ ଥିଲା ତାଜା ଫୁଲର ତୋଡ଼ାଟିଏ। ତା’କୁ ସତ୍ୟେନ୍ଦୁକୁ ଧରାଇ ଦେଇ ଶୁଭେଚ୍ଛା ଜଣାଇ ଗଦଗଦ ହୋଇଗଲା ନାଗା ନନା। ସତ୍ୟେନ୍ଦୁ ଚକିତ ହୋଇଗଲା ସିନା, ତାକୁ ମନରେ ଚାପି ରଖି ଅଭିମାନ କଲା: କେମିତି ଜାଣିଲୁ ନନା? 
ନାଗା ନନା କିଛି କହିବା ପୂର୍ବରୁ ପାଖରେ ଥିବା ସତ୍ୟେନ୍ଦୁର ପତ୍ନୀ ସୁରମା କହିଉଠିଲେ: ତୁମେ ଅଚାନକ ଅସୁସ୍ଥ ହେବା ପରେ ମୁଁ ହିଁ ନନାଙ୍କୁ ଜଣାଇଥିଲି। ସେ ହିଁ ଏହି ନର୍ସିଂ ହୋମ୍‌ରେ ତୁମ ଚିକିତ୍ସାର ସବୁ ବ୍ୟବସ୍ଥା କରାଇଦେଲେ। ତୁମ ଚିକିତ୍ସାର ତଦାରଖ କିଏ କରୁଥିଲେ ଜାଣିଛ? ନନାଙ୍କ ଡାକ୍ତର ଜ୍ୱାଇଁ! 
ନାଗା ନନା ସଂଭ୍ରମତାର ସହିତ କହି ଉଠିଲା: ହେଲା ଭାଉଜ ହେଲା, ନନା ହୋଇ ଯଦି ଭାଇର କାମରେ ଆସିବନି ତ ଆଉ କିଏ ଆସିବ?
ସତ୍ୟେନ୍ଦୁ ସେତିକିବେଳେ ବୁଝି ପାରିଥିଲା ଯେ ସୁରମା ଠିକ୍‌ ମଣିଷ ଚିହ୍ନନ୍ତି। ତାହା ହୋଇ ନ ଥିଲେ ହ୍ବାଟ୍‌ସଆପ୍‌ରେ ସବୁ ଦିନ ମେସେଜ୍‌ର ଉତ୍ତର ଦେଉଥିବା କେତେ କେତେ ବନ୍ଧୁଙ୍କୁ ଛାଡ଼ି ସେ ଦିନ ସେ ନଗା ନନାର ସାହାଯ୍ୟ ଲୋଡ଼ିଥିଲେ କାହିଁକି?
ସତ୍ୟେନ୍ଦୁ ଭାବୁଥିଲା: ସବୁ ଦିନ ସକାଳେ ମେସେଜ୍‌ ଦେଉଥିବା ଓ ପାଉଥିବା ଲୋକେ କ’ଣ ଏଇ ଭିତରେ ମେସିନ୍‌ ପାଲଟି ଯାଇଛନ୍ତି? ହୋଇଥିବ ଅବା! ହଠାତ୍‌ ସତ୍ୟେନ୍ଦୁ ଆତ୍ମସଚେତନ ହୋଇ ଉଠିଥିଲା! ସେ ନିଜେ ଆଉ କ’ଣ କି? ଏମିତି ଅ‌େନକ ମେସେଜ ସିଏ ପାଏ, ସେ ସବୁକୁ ଖୋଲେ, କିନ୍ତୁ ଭିତରକୁ ପଶେ କି? କେବଳ ଖୋଲି ଦେଲେ କାମ ଶେଷ!
ତା’ ପାଖରେ ପଡ଼ିଥିବା ଚଉକିରେ ବସି ପଡ଼ି ନାଗା ନନା କହିଲା- ଶୁଣିଲି ଯେ ତୁ କୁଆଡ଼େ ସକାଳୁ ଉଠି ପଡ଼ି ଗୁଡ୍‌ମର୍ଣ୍ଣିଂ ମେସେଜ୍ ଦେବା ଓ ନେବାରେ ସମୟ ବିତାଉଛୁ! ଦେଖ, ନନା, ମୋ ସାନ କଥା ମାନ। କାଲି ଠୁ ସେ ସବୁ ଛାଡ଼, ସକାଳ ହେଉ ହେଉ ମୋତେ କଲ୍ କର, ମୁଁ ଓ ଆମ ବ୍ୟାଚ୍‌ର କଲେଜ ସାଙ୍ଗମାନେ ଆସି ପହଞ୍ଚିଯିବୁ ତୋ ପାଖରେ ଆଉ ତୁ ବି ଏଣିକି ଆମ ସହ ମିଶି ସାଇକ୍ଲିଂ କରିବୁ। ପ୍ରତି ଦିନ ଆମେ ଯାଉ ସହର ଶେଷରେ ଥିବା ‘ପ୍ରେମ ପାହାଡ଼’କୁ! ସେଠି ଘୋରାଏ ଚଲାବୁଲା ସାରି ଓ ବସି ଗପସପ କରି ଘରକୁ ଫେରୁ। ଫେରିଲା ବେଳେ ବାଟରେ ପିଉ ହର୍ବାଲ୍‌ ଚା’। ଘରେ ପହଞ୍ଚିଲା ବେଳକୁ ମନ ପୂରା ଖୋଲି ଯାଇଥାଏ। କହିଲୁ ନନା, ୟାଠାରୁ ସୁଖକର କଥା ଆଉ କିଛି ଅଛି କି?
ସ‌ତେ ଯେମିତି ସତ୍ୟେନ୍ଦୁ ମନରେ କେହି ଜଣେ ପରମ ଆନନ୍ଦର ଆଲୋକଟିଏ ଜଳାଇ ଦେଇଥିଲା। ସେ କହିଲା: ସତ କହିଛୁ ନନା, କାଲି ଠୁ ତାହା ହିଁ ହେବ! 
ସୁରମା ଏହା ଶୁଣି ସ୍ମିତ ହାସ୍ୟ ଦେଲେ। କାରଣ ସକାଳୁ ଉଠି ଟିକିଏ କସରତ କରିବାକୁ ବା ବୁଲାଚଲା କରିବାକୁ ସତ୍ୟେନ୍ଦୁକୁ କହି କହି ସେ ଥକି ଯାଇଥିଲେ ବି ସତ୍ୟେନ୍ଦୁ ତାହା ଶୁଣୁ ନ ଥିଲା। ସକାଳୁ ଉଠି ମୋବାଇଲ ଭିତରେ ବୁଡ଼ି ଯିବା ଥିଲା ତା’ର ପ୍ରଥମ କାମ।
ଏଣେ ସତ୍ୟେନ୍ଦୁ ଭାବୁଥିଲା ଯେ ହ୍ବାଟ୍‌ସଆପ୍‌ ହେଉ ବା ଫେସ୍‌ବୁକ୍‌, ତା’ ଜରିଆରେ କେତେ କେତେ ଲୋକଙ୍କ ସହିତ ସେ ଯୋଡ଼ି ହୋଇ ଯାଇନାହିଁ ସତେ? କିନ୍ତୁ ତା’ ସହାଯ୍ୟରେ ନିରୁତା ଓ ନିଦା ସଂପର୍କଟିଏ ଗଢ଼ି ପାରିଛି କି? ନାଗା ନନା ସେ ସବୁରୁ ଦୂରେଇ ରହି ବେଶ୍‌ ବୁଦ୍ଧିମାନର କାମଟିଏ କରିଛି। 
ପର ଦିନ ସକାଳେ ସତ୍ୟେନ୍ଦୁ ସାଇକେଲ ଧରି ବନ୍ଧୁମାନଙ୍କ ସାଙ୍ଗେ ବାହାରିଗଲା। ଦେଢ଼ ଘଣ୍ଟା ପରେ ଘରକୁ ଫେରିଲା। ଓଃ, କି ଫୂର୍ତ୍ତି, କି ତାଜାପଣ! ଗାଧୋଇପଡ଼ି ଜଳଖିଆ ଖାଇ ସାରି ବହି ଥାକରୁ ବାହାର କଲା ବହିଟିଏ ଓ ତା’ର ପୁରୁଣା ଲେଖା ଡାଇରି। ଏବେ ସେ ଆଉ ମୋବାଇଲ ଖୋଲିବ ନାହିଁ, କବିତା ଲେଖିବ! ବନ୍ଧୁମାନଙ୍କ ଫର୍ମାଇସ୍‌ ଅଛି ଆସନ୍ତା କାଲି ପ୍ରେମ ପାହାଡ଼ ତଳେ ସେମାନେ ସତ୍ୟେନ୍ଦୁ ହାତ ଲେଖା ପ୍ରେମ କବିତାଟିଏ ଶୁଣିବେ!
ମୋ: ୯୪୩୭୯୦୯୬୭୫