କୃଷକଟିଏ ହଳ କଲାବେଳେ କିମ୍ବା ଶଗଡ଼ ଚଳାଇବା ବେଳେ ଡାହାଣ ପାର୍ଶ୍ବରେ ଯୋଚିଥିବା ବଳଦକୁ ବେଶି ପାହାର ଦେଇଥାଏ। ଯଦିଓ ଡାହାଣ ବଳଦଟି ଅଧିକ ସକ୍ରିୟ, କର୍ମଠ ଓ ବିଶ୍ବସ୍ତ ହୋଇଥାଏ, ତଥାପି ସେ ତା’ର ମାଲିକ ଠାରୁ ଅଧିକ ପାହାର ଖାଇଥାଏ ଓ କୃଷକ ମଧ୍ୟ ତା’ଠାରୁ ଅଧିକ କିଛି ଆଶା ରଖିଥାଏ। ସେ ଡାହାଣ ପାର୍ଶ୍ବରେ ଥିବାରୁ ଯେ ଅଧିକ ପାହାର ସହୁଥାଏ ତାହା ନୁହେଁ, ବରଂ ତା’ର କର୍ମ ପ୍ରବଣତା, ବିଶ୍ୱସନୀୟତା ଓ ସମର୍ପିତ ଭାବନା ହିଁ ତାକୁ ବାମରୁ ଡାହାଣ ପାର୍ଶ୍ୱକୁ ନେଇ ଆସିଥାଏ ଓ ସବୁକିଛି ସହିବାକୁ ବାଧ୍ୟ କରିଥାଏ।
ମଣିଷ ଜୀବନ ମଧ୍ୟ ଠିକ୍ ସେହିଭଳି। ଘରେ, କାର୍ଯ୍ୟ ସ୍ଥଳୀରେ ପ୍ରାୟତଃ ସବୁ ସ୍ଥାନରେ ସଚ୍ଚୋଟତାର ସହ କାର୍ଯ୍ୟ କରିବାରେ ସିଦ୍ଧହସ୍ତ ଓ କର୍ମତତ୍ପର ବ୍ୟକ୍ତିକୁ ହିଁ ଅଧିକ କାର୍ଯ୍ୟ କରିବାକୁ ପଡ଼େ, ଅଧିକ କଷ୍ଟ ସହିବାକୁ ମଧ୍ୟ ପଡ଼ିଥାଏ। ସମସ୍ତେ ତା’ ଠାରୁ ଅଧିକ କିଛି ଆଶା ରଖିଥାନ୍ତି, କିନ୍ତୁ ସେ ଅସଫଳ ହେଲେ ତା’ ଉପରେ ବିରକ୍ତ ହୁଅନ୍ତି। ପରିବାରରେ ମଧ୍ୟ ସମସ୍ତେ ତା’ ଠାରୁ ଅଧିକ ସମର୍ପିତ ଭାବନା, ସାହାଯ୍ୟ, ସହାୟତା ଆଶା କରନ୍ତି। କେବେ କେବେ ତା’ ଦକ୍ଷତା ଉପରେ ପ୍ରଶ୍ନ ବି ଉଠାନ୍ତି। କାର୍ଯ୍ୟାଳୟରେ ମଧ୍ୟ ସେଇ ସମାନ ଅବସ୍ଥା। କର୍ମତତ୍ପର ଓ ବିଶ୍ବସ୍ତ କର୍ମଚାରୀ ଉପରେ ଅଫିସର ଠାରୁ ଆରମ୍ଭ କରି ସହକର୍ମୀ ଓ ଅଧସ୍ତନ କର୍ମଚାରୀ ସମସ୍ତେ ଅଧିକାଂଶ ସମୟରେ ଚାପ ଦେଇଥାନ୍ତି। ଭଲ ଶ୍ରମିକଟିଏ ନିଜର ଦୈନନ୍ଦିନ କାମ ସରିବା ପରେ ବି ମାଲିକଙ୍କର ଆଉ କିଛି କାମ ପାଇଁ ଖୋଜା ପଡ଼େ। ମିସ୍ତ୍ରୀ ଭଲ ମୂଲିଆଟିକୁ ବାରମ୍ବାର ଡାକ ଛାଡୁଥାଏ।
କାମ କରୁଥିବା ଲୋକର କିଛି ନା କିଛି ଭୁଲ୍ ହୁଏ। କିଛି କରୁନଥିବା ଲୋକର କିଛି ଭୁଲ୍ ହେବାର ସମ୍ଭାବନା ନଥାଏ। କିନ୍ତୁ କିଛି କରୁନଥିବା ଲୋକ ବା ଅପେକ୍ଷାକୃତ କମ୍ କାମ କରୁଥିବା ଲୋକ ଅଧିକ କାମ କରୁଥିବା ଲୋକର ଭୁଲ୍ ବାଛିବାକୁ ବାହାରି ପଡ଼େ। ଗାଁ ଗହଳିରେ ଏକ କଥା ପ୍ରଚଳିତ ଅଛି- ‘ଅସୁନ୍ଦରୀ ଜନ୍ମ ହୋଇଛି କାହିଁକି ନା ସୁନ୍ଦରୀକି ବାହୁନିବା ପାଇଁକି’। ସମାଜରେ ଦେଖାଯାଏ ଯେ, ଯେଉଁ ଲୋକ ନିକମା ହୋଇ ବସି ରହେ, କିଛି କାମ କରେ ନାହିଁ, ସେ କେବଳ ଅନ୍ୟର ଭୁଲ୍ ବାଛିବାରେ ବ୍ୟସ୍ତ ରହେ। କାମ କରୁଥିବା ଲୋକର ସର୍ବଦା କାମରେ ମନ ଥାଏ। ବ୍ୟକ୍ତିର କର୍ମ ତତ୍ପରତା ହିଁ ତାକୁ ବାମରୁ ଆଣି ଡାହାଣରେ ବସାଇ ଦେଇଥାଏ। କର୍ମ ଚାପରେ ରହିବା ବି ବେଳେ ବେଳେ ମନୁଷ୍ୟକୁ ଖୁସି ଦେଇଥାଏ, ଗୌରବ ଆଣି ଦିଏ। ଅନ୍ୟର ବିଶ୍ୱାସଭାଜନ ହେବା କିଛି କମ୍ କଥା ନୁହେଁ। କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼େ। ସାଧୁ, ସଚ୍ଚୋଟ ଓ କର୍ମକୁ ଭଲ ପାଉଥିବା ଲୋକଟି ହିଁ ସବୁବେଳେ ଡାହାଣ ବଳଦର ଭୂମିକା ନିର୍ବାହ କରେ ଏବଂ ସେଥିରୁ ଆତ୍ମତୃପ୍ତି ଲାଭ କରେ। ସମାଜକୁ ଦିଗଦର୍ଶନ ଦିଏ। ସମସ୍ତେ ତାକୁ ଶ୍ରଦ୍ଧା, ସମ୍ମାନ କରିବା ଆବଶ୍ୟକ। ସମାଜକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଡାହାଣ ବଳଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମୋ: ୭୦୦୮୨୪୩୬୭୨