ଆରକ୍ଷଣ ନୁହେଁ, ଜାତିର ଉତ୍‌ଥାନ ଜରୁରୀ

ରାଜେନ୍ଦ୍ର ପ୍ରସାଦ ସାମଲ

ଦକ୍ଷିଣ ଆଫ୍ରିକାରୁ ଶ୍ବେତାଙ୍ଗ ଶାସନର ଅବସାନ ପରେ ନେଲ୍‌ସନ୍‌ ମାଣ୍ଡେଲା ନିଜ ସମର୍ଥକମାନଙ୍କ ଦ୍ବାରା ହେଉଥିବା ଆରକ୍ଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ନାଗରିକମାନଙ୍କର ମୂଲ୍ୟବୋଧକୁ ନ୍ୟୂନ କରିଦେବ, ଯାହା ରାଷ୍ଟ୍ର ଗଠନ ପାଇଁ କ୍ଷତିକାରକ ହେବ ବୋଲି କହିଥିଲେ। ଜାତିବାଦ ପରି ଦୁର୍ଭାଗ୍ୟଜନକ ବିକୃତି ଦ୍ବାରା ହିଁ ଦଳିତମାନେ ସଂକ୍ରମିତ। କୌଣସି ସୁସ୍ଥ ସମାଜ କେବେ ନିଜ ଲୋକମାନଙ୍କର ଅନ୍ତର୍ନିହିତ ଜ୍ଞାନର ପରିପ୍ରକାଶକୁ ବାଧା ପହଞ୍ଚାଉ ଥିବା ଭଳି ନୀତି-ନିୟମ ନିର୍ଦ୍ଧାରଣ କରିବ ନାହିଁ। ସେହି ଦୃଷ୍ଟିରୁ ଆମ ସରକାର ଆରକ୍ଷଣ ପ୍ରଥାକୁ ଅଧିକ ବିସ୍ତାର କରି ଏକ ବ୍ୟର୍ଥତାର ବ୍ୟାୟାମ ଚାଲୁ ରଖିଛନ୍ତି ବୋଲି କୁହାଯାଇପାରେ। କାରଣ, ଏହା ଦଳିତମାନଙ୍କର ଦାସତ୍ବର ଅତୀତକୁ ବାରମ୍ବାର ମନେ ପକାଇ ଦେଉଛି। ସେମାନେ ସମ୍ମାନବୋଧରୁ ବଞ୍ଚିତ ହୋଇଥିବା ନାଗରିକ। ଆରକ୍ଷଣ ଦ୍ବାରା ଯେଉଁ ଦଳିତମାନେ ସଫଳ ହୋଇଛନ୍ତି, ସେମାନେ କେବଳ ମର୍ଯାଦାହୀନ ବିଶିଷ୍ଟ ଦଳିତରେ ପରିଣତ ହୋଇଛନ୍ତି। ସେମାନଙ୍କ ଜୀବନରୁ ସେମାନଙ୍କର ବିମର୍ଷକର ଭିନ୍ନତା ଆରକ୍ଷଣ ବ୍ୟବସ୍ଥା ଦ୍ବାରା ଦୂର ହେବନାହିଁ। ଏପରିକି ଦେଶର ଶୀର୍ଷ ସ୍ଥାନ ଦଖଲ କରୁଥିବା ପ୍ରାର୍ଥୀ କିମ୍ବା ସ୍ବର୍ଣ୍ଣ ପଦକ ବିଜେତାମାନେ ମଧ୍ୟ ଏହାର ଶରବ୍ୟ।

ସମାଜ ଏକ ମୁକୁର ସଦୃଶ। ଯିଏ ଅସୁନ୍ଦର ହେବ ସମାଜ ସେମାନଙ୍କ କୁରୂପତାକୁ ପ୍ରତିଫଳିତ କରିବ। ଆରକ୍ଷଣ ନାମରେ ଯାହା ପ୍ରଦାନ କରାଯାଉଛି, ତାହା ଦାସତ୍ବକୁ ଆଲିଙ୍ଗନ କରିବା ସହିତ ସମାନ; ସୁତରାଂ, ସେମାନଙ୍କ ପାଇଁ ନିର୍ବୋଧତା। ଆରକ୍ଷଣ ମାଧ୍ୟମରେ ଅନ୍ୟମାନଙ୍କ ଠାରୁ ଚାକିରି ଛଡ଼ାଇ ନେବା ଦ୍ବାରା ସେମାନଙ୍କର ସମାନତାର ଅଧିକାର ଯେ ଧରାଶାୟୀ ହେଉଛି ଏହା ସେମାନେ ବୁଝିବା କଥା, ଯାହା ସେମାନଙ୍କୁ ତଳିତଳାନ୍ତ କରି ପକାଉଛି। ସେମାନଙ୍କର କୃତିତ୍ବ ଯେତେ ମହାନ୍‌ ହେଉ ପଛକେ, ସେମାନଙ୍କ ଦକ୍ଷତା ଉତ୍କୃଷ୍ଟ ହେବା ସତ୍ତ୍ବେ ତହିଁରୁ ଦାସତ୍ବର ଦୁର୍ଗନ୍ଧ ବାହାରି ଚାଲିଛି। ଜଣେ ପରାଜିତ ସୈନିକ ଭଳି ଦଳିତମାନେ ଉଭୟ ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ଏହି ବର୍ଗର ଅତି ପ୍ରତିଭାଶାଳୀମାନେ ଅସହ୍ୟ ଉତ୍ପୀଡ଼ନର ଶିକାର ହୋଇ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖା‌ଯାଉଛି। ଏହା ସେମାନଙ୍କ ବୁଦ୍ଧିମତ୍ତାକୁ ଗୌଣ କରୁଛି। ଏଭଳି ଜୀବନରେ ସେମାନେ ଦେଖୁଥିବା ସ୍ବପ୍ନ ମୃତପ୍ରାୟ ହୋଇ ରହିଯାଉଛି। ଶୂଦ୍ରମାନଙ୍କ ଜାତିର ଉତ୍‌ଥାନ ହେଲେ ସମସ୍ତ ହିନ୍ଦୁ ଜାତିଆଣ ଭାବନା ଦ୍ବାରା ଗ୍ରସ୍ତ ହେବାରୁ ମୁକ୍ତ ହେବେ। ସେମାନଙ୍କୁ ଏକ ସୁନ୍ଦର ଓ ସମସ୍କନ୍ଧ ଜୀବନ ମିଳିଯିବ।

ଗୋଟିଏ ସଁବାଳୁଆ ଯଦି ନିଜ କୋଷକୁ ଜାବୁଡ଼ି ରହେ, ତେବେ ସେ ପ୍ରଜାପତିଟିଏ ହୋଇ ପାରିବ କି? ତେଣୁ ତିରସ୍କାରରୁ ପ୍ରକୃତରେ ମୁକ୍ତ ହେବା ଲାଗି ଦଳିତମାନଙ୍କୁ ଏକ ନିଷ୍ପତ୍ତି ନେବାକୁ ହେବ; ଅନ୍ୟଥା ସେମାନେ କେବେ ବି ମୁକ୍ତ ହୋଇ ପାରିବେ ନାହିଁ। ରଚନାତ୍ମକ ବୁଦ୍ଧିରେ ସବର୍ଣ୍ଣମାନଙ୍କର କେବେ ବି ଏକାଧିପତ୍ୟ ନ ଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କି ହୋଲକରମାନେ କେହି କ୍ଷତ୍ରିୟ ନ ଥିଲେ। ମାତ୍ର ସେମାନଙ୍କ ଦକ୍ଷତା ଦ୍ବାରା ସେମାନେ କଷ୍ଟସାଧ୍ୟ ଯୁଦ୍ଧମାନ ଜୟ କରିଥିଲେ ଏବଂ ମହାନ୍‌ ସମ୍ରାଟରେ ପରିଣତ ହୋଇଥିଲେ। ରସମଣିଙ୍କର ପ୍ରାଶାସନିକ ଦକ୍ଷତା ଏବଂ ହତ୍ୟା ଅପରାଧରେ ନିଜର ଏକମାତ୍ର ପୁଅକୁ ମୃତ୍ୟୁଦଣ୍ଡ ଦେଇଥିବା ରାଣୀ ଅହଲ୍ୟା ବାଈଙ୍କ ନ୍ୟାୟ ବିଚାର ହୋଲକରମାନଙ୍କ ସମ୍ମାନକୁ ଅତ୍ୟନ୍ତ ଉଚ୍ଚ ସ୍ତରକୁ ନେଇଥିଲା। ରାଜ ଦରବାରରେ ନିଜର ଅଗାଧ ଜ୍ଞାନ ପ୍ରଦର୍ଶନ କରି ଗାଈ ଚରାଳି କାଳିଦାସ ଶ୍ରେଷ୍ଠ ପଣ୍ଡିତ ଓ ବିରଳ କବି ଭାବେ ଅପୂର୍ବ ସମ୍ମାନର ଅଧିକାରୀ ହୋଇଥିଲେ। ନିଜର ରାଜକୁମାରୀ ପ୍ରେମିକାକୁ ଭେଟିବା ଲାଗି ଭାରତ ଜନ୍ମିତ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆ ଦୀର୍ଘ ତିନି ମାସ କାଳ ସାଇକେଲ ଚଳାଇ ସାତ ହଜାର କିଲୋମିଟର ଅତିକ୍ରମ କରି ସ୍ବେଡେନ୍‌ ପହଞ୍ଚିଥିଲେ ଏବଂ ନିଜର ପ୍ରଣୟକୁ ଉଚ୍ଚ କୋଟୀ ସ୍ପର୍ଶ କରାଇ ପାରିଥିଲେ। କର୍ଣ୍ଣ ଓ ଏକଲବ୍ୟ ଯୁଗେ ଯୁଗେ ପ୍ରେରଣାଦାୟୀ ଉଦାହରଣ ହୋଇ ରହି ଆସିଛନ୍ତି। ସଂପ୍ରତି ଅନେକ ବୈଜ୍ଞାନିକ ଓ କ୍ରୀଡ଼ାବିତ୍‌ ନିଜର ଅସବର୍ଣ୍ଣ ଜାତି ପରିଚୟ ସତ୍ତ୍ବେ ବିଶ୍ବରେ ଶ୍ରେଷ୍ଠ ହୋଇପାରିଛନ୍ତି। ଏମିତି ଲକ୍ଷ ଲକ୍ଷ ସବର୍ଣ୍ଣ ବି ଅଛନ୍ତି ଯେଉଁମାନଙ୍କ ଠାରେ କୌଣସି ଉଚ୍ଚତା ଛୁଇଁବାର ସମ୍ଭାବନା ନ ଥିଲେ ମଧ୍ୟ ସେମାନେ ନିଜ ଜାତି ହେତୁ ସମାଜର ଉଚ୍ଚ ସ୍ଥାନରେ ରହିଥିବାର ବୃଥା ଗର୍ବ ଦ୍ବାରା ଫାଟି ପଡୁଛନ୍ତି। ନିକଟରେ ହୋଇଥିବା ୟୁପିଏସ୍‌ସି ପରୀକ୍ଷାର ଚୟନ କମିଟିରେ ପାଞ୍ଚରୁ ଚାରି ଜଣ ସଦସ୍ୟ ସବର୍ଣ୍ଣ ହୋଇଥିବା ସତ୍ତ୍ବେ ଶୂଦ୍ରମାନେ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ହଜାର ହଜାର ସବର୍ଣ୍ଣ ଯୋଗ୍ୟ ବିବେଚିତ ମଧ୍ୟ ହୋଇ ପାରିନାହାନ୍ତି।

ପୁଷ୍ପ ଓ ଫଳ ଯେପରି ବୃକ୍ଷକୁ ଭରି ଦେଇଥା’ନ୍ତି, ସମଗ୍ର ମନୁଷ୍ୟ ଜାତି ଭିତରେ ଈଶ୍ବରଙ୍କ ସତ୍ତା ଭରି ରହିଛି। ତେଣୁ, ଶୂଦ୍ରମାନେ ଅପାରଗ, ମୂଢ଼ ବୋଲି ବିଚାର କରିବା ଭ୍ରମାତ୍ମକ। ସେମାନଙ୍କ ଠା‌େର ମଧ୍ୟ ଈଶ୍ବରଙ୍କ ସତ୍ତାର ବ୍ୟାପ୍ତି ରହିଛି ଏବଂ ଅଗ୍ରଗଣ୍ୟ ହେବାର କ୍ଷମତା ସେମାନଙ୍କର ମଧ୍ୟ ରହିଛି। କେବଳ କଥା ହେଲା, ସେମାନେ ଭୁଲ୍‌ ଦିଗରେ ଚାଲୁଛନ୍ତି। ସବୁ ଜାତି ସେମାନଙ୍କ ଦକ୍ଷତା ଓ ଉପଲବ୍‌ଧିରେ ଅସୀମ ଏବଂ ବାୟୁ ଓ ସୂର୍ଯ୍ୟାଲୋକ ପରି ସେମାନେ ମୁକ୍ତ। ମାତ୍ର ସେମାନଙ୍କ ଜାତି ସେମାନଙ୍କୁ କୁରୂପ କରିଛି; ସେମାନଙ୍କ ଠାରୁ ଆତ୍ମସମ୍ମାନ ଲୁଣ୍ଠନ କରିଛି। ଜୀବନର ଏହି ବିକୃତ ସଂସ୍କରଣ କେବଳ ସରକାରଙ୍କ ଦ୍ବାରା ହିଁ ସଂଶୋଧିତ ହୋଇପାରିବ। ଶିକ୍ଷାଗତ ନିପୁଣତା ସତ୍ତ୍ବେ ଆରକ୍ଷଣର ଆଶ୍ରୟ ନ ନେଇ ନିଜ ଗରିମାକୁ ଅକ୍ଷୁଣ୍ଣ ରଖିବା ଭଳି ଅନ୍ତର୍ଦୃଷ୍ଟିସଂପନ୍ନ ସେମାନେ ହୁଏ’ତ ନୁହନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ଜାତି ପଞ୍ଜୁରିରେ ଆବଦ୍ଧ ହୋଇ ରହିଥିବାରୁ ଜାତି ହିଁ ସେମାନଙ୍କର ପ୍ରକୃତ ପରିଚୟ ବୋଲି ସେମାନେ ଧରି ନେଇଛନ୍ତି। ସେମାନଙ୍କ ଭିତରୁ ଅନେକ ସଫଳ ଡାକ୍ତର, ଯନ୍ତ୍ରୀ, ଚିନ୍ତାନାୟକ, ଅଧ୍ୟାପକ, କବି, ବୈଜ୍ଞାନିକ, ଶିଳ୍ପପତି ଓ ପ୍ରଶାସକ ହୋଇ ପାରିଛନ୍ତି। ଏମାନେ ସମସ୍ତେ ହୃଦୟଙ୍ଗମ କରିବା ଦରକାର ଯେ ସେମାନଙ୍କ ପୂର୍ବ-ପୁରୁଷ ଜାତିବାଦ ଭଳି ଯେଉଁ ଆଦିମ ଆଦର୍ଶ ଦ୍ବାରା ଅମାନୁଷିକ ବ୍ୟବହାରର ଶିକାର ହୋଇ ଆସୁଥିଲେ, ତାହା ଏକ ଭୟଙ୍କର ତ୍ରୁଟି ଥିଲା। ସେମାନଙ୍କ ପର ପିଢ଼ି ପାଇଁ ଏଭଳି ଘୃଣା ଜାରି ରହୁ ବୋଲି ସେମାନେ ପ୍ରଶ୍ରୟ ଦେବା ଅନୁଚିତ। ତେବେ, ଏହି ଜାତିଗୁଡ଼ିକର ଉତ୍‌ଥାନ ପାଇଁ ସରକାରଙ୍କ ପ୍ରସ୍ତାବ ବୁଦ୍ଧିମତ୍ତାର ପ୍ରଥମ ପାହାଚ ହେବା ଉଚିତ। ମାତ୍ର ମହାନ୍‌ ଜାତିଗତ ଏକୀକରଣକୁ ସଫଳ କରିବା ପାଇଁ ସେମାନଙ୍କୁ ହିଁ ପ୍ରଥମ ପଦକ୍ଷେପ ନେବାକୁ ହେବ।

କୌଣସି ସମାଜ ନିଜ କାର୍ଯ୍ୟକଳାପରେ ପକ୍ଷପାତୀ ଓ ଅବିବେକୀ ହୋଇପାରେ; ମାତ୍ର ସରକାର ବିବେକୀ ହେବା ଆବଶ୍ୟକ। ଆରକ୍ଷଣ ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଅପରାଧ; କାରଣ ଏହା ନିଜର ନାଗରିକଙ୍କୁ ଅମାନବୀୟ ଭାବେ ନ୍ୟୂନ କରିଦେଇଛି। ଏହାର କାରଣ ଭିତରକୁ ପଶି ଏହାର ଉପଶମର ବାଟ ସରକାରଙ୍କୁ ହିଁ ବାହାର କରିବାକୁ ହେବ। କିନ୍ତୁ କହିବା ବାହୁଲ୍ୟ ଯେ କାରଣଟିକୁ ନଷ୍ଟ କରିଦେଲେ ହିଁ ଉପଶମ ମିଳିଯିବ। ଜାତିର ଉତ୍‌ଥାନ ପାଇଁ ଯାହା ଆବଶ୍ୟକ, ସେ ସବୁ ସେମାନଙ୍କ ପାଖରେ ରହିଛି। କେବଳ କଦର୍ଯ୍ୟ ଭେଦଭାବ ହଟାଇବା ପାଇଁ ସେମାନଙ୍କ ଉପରେ ଥିବା ଜାତିର ଛାପକୁ ବଦଳାଇବାକୁ ପଡ଼ିବ। ହିନ୍ଦୁମାନଙ୍କ ଭିତରେ ବିଭେଦ ଆଣି ସେମାନଙ୍କ ମନକୁ ପରସ୍ପର ବିରୋଧରେ କଳୁଷିତ କରୁଥିବା ଭଳି ନିର୍ବୋଧ ଧାରଣା ଏକ ସାର ନ ଥିବା ମନର ଉତ୍ପାଦ। ଶୂଦ୍ର ଓ ସବର୍ଣ୍ଣମାନଙ୍କ ଭିତରେ ଥିବା ବିଦ୍ବେ‌ଷରେ ବନ୍ଧା ସମାଜ ପାଇଁ ସମ୍ପର୍କର ସେତୁକୁ ପୁନଃ ସଂଯୋଗ କରିବା ଏକ ସୁଧାରକ ପଦକ୍ଷେପ ହେବ।

ଆମେ ଯେତେ ସଂଯୋଜିତ ହୋଇ ରହିବା, ସେତେ ଜୀବନ୍ତ ହୋଇପାରିବା। ଏଥିପାଇଁ ସଂପ୍ରୀତି ମହତ୍ତ୍ବପୂର୍ଣ୍ଣ। ଅଜ୍ଞତା ଓ ଅଶିକ୍ଷା ଦୂର କରିବା ପାଇଁ ସରକାର କେତେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପନ କରିଛନ୍ତି। ଅଜ୍ଞାନର ତମସା ଦୂର କରିବା ପାଇଁ ଏହା ଶକ୍ତି ଯୋଗାଉଛି। ରୋଗ ଭଲ କରିବା ପାଇଁ କେତେ ଡାକ୍ତରଖାନା ସ୍ଥାପିତ ହୋଇଛି। ଗମନାଗମନରେ ଉନ୍ନତି ଆଣିବା ପାଇଁ ସରକାର କେତେ ରାସ୍ତା ଓ ପୋଲ ଗଢ଼ିଛନ୍ତି। ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସରକାର ଶୌଚାଳୟ ବିପ୍ଳବ ଆରମ୍ଭ କରିଛନ୍ତି। ମାତ୍ର, ଏହା ସତ୍ତ୍ବେ ଜାତିବାଦ ଭଳି ଏକ ଦମନକାରୀ ଘୃଣା ହିନ୍ଦୁମାନଙ୍କ ହୃଦୟରେ ରହି ଆସିଥିଲେ ସୁଦ୍ଧା ତାକୁ ଦୂର କରାଯାଇ ପାରିନାହିଁ।
ଏହି ମର୍ମରେ ଏକ ପରାମର୍ଶ ହେଲା, ଐତିହାସିକ ତ୍ରୁଟିକୁ ସଂଶୋଧନ କରି ସରକାର ଜାତି ସଂଶୋଧନ ପ୍ରମାଣପତ୍ର ଜାରି କରିବା ଦରକାର। ଆରକ୍ଷଣ ଦ୍ବାରା ଲୋକଙ୍କ ଜାତି ଶୁଦ୍ଧୀକରଣ ହେଉଛି କି? ଜାତି-ଉତ୍‌ଥାନ ପ୍ରମାଣପତ୍ର ୧୨ କୋଟି ଦଳିତଙ୍କ ଜୀବନକୁ ଆଲୋକିତ କରିବ। ଏହା ସେମାନଙ୍କ ଜୀବନକୁ ସକାରାତ୍ମକ କରିବା ସହିତ ଜାତି ପ୍ରଥାର କଠୋରତା ବିରୋଧରେ ଏକ ଶାଣିତ ଉଦ୍ୟମ ହେବ। ଧର୍ମ ପରିବର୍ତ୍ତନ ପାଇଁ ସେମାନଙ୍କୁ ମିଳୁଥିବା ଲୋଭନୀୟ ପ୍ରସ୍ତାବ ଏହି ପ୍ରମାଣପତ୍ର ଦ୍ବାରା କମ୍‌ ଆକର୍ଷଣୀୟ ଲାଗିବ। ଏହା ସେମାନଙ୍କ ମନୋବଳକୁ ଦୃଢ଼ କରିବ, ଗରିମାକୁ ଫେରାଇ ଆଣିବ ଏବଂ ସେମାନେ ପ୍ରକୃତରେ କ’ଣ ତାହା ଜାଣିବା ଲାଗି ସେମାନଙ୍କ ମଧ୍ୟରେ ଜାଗୃତି ଆସିବ। ସେମାନଙ୍କ ବିରୋଧରେ ଚାଲିଥିବା ଜାତି-ଭିତ୍ତିକ ଆରକ୍ଷଣର ଦୁରୁପଯୋଗର ଅଭିଯୋଗ ଓ ଅପପ୍ରଚାରର ଅନ୍ତ ଘଟିବ। ବାସ୍ତବରେ ଏକ ସ୍ବଚ୍ଛ ଭାରତ ପ୍ରଭାନ୍ବିତ ହୋଇ ଉଭା ହେବ ଏବଂ ଉଦିତ ଭାନୁଙ୍କ ଭଳି ଅପରିବର୍ତ୍ତନୀୟ ଅସମାନତାର ଅନ୍ଧକାରକୁ ପୋଛି ଦେଇ ପାରିବ।

ପିଢ଼ି ପରେ ପିଢ଼ି ଦଳିତମାନେ ଜାତିବାଦ ବିପତ୍ତି ସହ ଅଭ୍ୟସ୍ତ ହୋଇ ରହିଥିବାରୁ ପ୍ରାରମ୍ଭରୁ ସେମାନେ ଏହି ପ୍ରସ୍ତାବର ବିରୋଧ କରିପାରନ୍ତି। ମାତ୍ର ଏକ ଶ୍ରେୟସ୍କର ଜୀବନ ବାଛିବା ପାଇଁ ଏହାକୁ ଏକ ଅଧିକାର ବୋଲି ମଣି ସେମାନେ ଏହାକୁ ଧୀରେ ଧୀରେ ଗ୍ରହଣ କରିବେ। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଏହା ଉତ୍‌ପ୍ରେରକ ସାଜିବ ଯାହା ପରିଶେଷରେ ପ୍ରତ୍ୟେକ ହିନ୍ଦୁ ଅନ୍ୟକୁ ଉଷ୍ମ ଆଲିଙ୍ଗନ କରିବାରେ ପ୍ରବୃତ୍ତ ହେବ। ଜାତି-ଉତ୍‌ଥାନ ହେଉଛି ସକାରାତ୍ମକ ଜୀବନ। ଏହା ସେମାନଙ୍କୁ ଧର୍ମାନ୍ତରୀକରଣର ପ୍ରଲୋଭନରୁ ମୁକ୍ତି ଦେବ। ଜାତି-ଉତ୍‌ଥାନର ସଫଳତା ଜାତିବାଦକୁ ଅପ୍ରାସଙ୍ଗିକ କଲା ପର୍ଯ୍ୟନ୍ତ ଏହି ଆରକ୍ଷଣ କେବଳ ଏକ ବିକଳ୍ପ ହୋଇ ରହିଥାଉ। ଏବଂ ଏହା ମଧ୍ୟ ମନେ ରଖିବାକୁ ‌େହବ ଯେ ଜାତି ଉତ୍‌ଥାନକୁ ବାସ୍ତବ ରୂପରେଖ ଦେବା ପାଇଁ ଦଳିତମାନଙ୍କ ପ୍ରଥମ ପଦକ୍ଷେପ ସହିତ ସମ୍ଭ୍ରାନ୍ତ ସମାଜର ଏ ଦିଗରେ କୃତଜ୍ଞତାଭରା ଆଗ୍ରହ ଓ ସରକାରଙ୍କ ପ୍ରାଥମିକତାର ଆବଶ୍ୟକତା ରହିଛି। ଆମ ଧ୍ବଂସକାରୀ ଅତୀତରୁ ଆମ ଭିତରେ ଅନେକ ବିଶ୍ବାସଘାତକ ଟ୍ରୋଜାନ ଅଶ୍ବ ଜନ୍ମ ନେଇଛନ୍ତି। ତେଣୁ ଆମ ସମାଜର ଏକୀକରଣ ନିହାତି ଜରୁରୀ। ତାହା ନ ହେଲେ ଏହି ଶ୍ରେଷ୍ଠ ସଭ୍ୟତା ବିଲୁପ୍ତ ହେବାର ପଥ ଉନ୍ମୁକ୍ତ ହୋଇଯିବ। ଏହା ସତ ଯେ ଜାତିବାଦ ଦଳିତମାନଙ୍କ ପ୍ରତି ଦୟାମାୟାଶୂନ୍ୟ ଓ ବିପଜ୍ଜନକ ହୋଇ ରହିଆସିଛି, ମାତ୍ର ଏହା ଯେ ସମସ୍ତ ହିନ୍ଦୁଙ୍କ ପାଇଁ ‘ଵାଟରଲୁ’ ହୋଇଯିବ, ଏଥିରେ ସନ୍ଦେହ ନାହିଁ।
[email protected]

ସମ୍ବନ୍ଧିତ ଖବର