ବିଭୂତି ପତି

Advertisment

ସମୁଦ୍ର ହେଉଛି ସମଗ୍ର ମାନବ ଜାତିର ଏକ ଅମୂଲ୍ୟ ସଂପଦ। କିନ୍ତୁ ଏହି ସମ୍ପଦର ନିରବଚ୍ଛିନ୍ନ ଶୋଷଣ ଓ ପ୍ରଦୂଷଣ ହେତୁ ସ୍ଥିତି ବିପନ୍ନ ହୋଇ ପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ସାମୁଦ୍ରିକ ପରିବେଶରେ ବିଭିନ୍ନ ପ୍ରକାର ବ୍ୟତିକ୍ରମମାନ ପରିଲକ୍ଷିତ ହେଉଛି, ସାମୁଦ୍ରିକ ଝଡ଼ର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ପ୍ଲାଷ୍ଟିକ ପ୍ରଦୂଷଣ ହେତୁ ସାମୁଦ୍ରିକ ଜୈବମଣ୍ଡଳ ଏକ ଶ୍ବାସରୁଦ୍ଧ ଅବସ୍ଥା ମଧ୍ୟକୁ ଠେଲି ହୋଇ ଯାଉଛି। ଏବଂ ତା’ ସହିତ ଆଉ ଯେଉଁ ନୂତନ ଉପଦ୍ରବ ଦେଖିବାକୁ ମିଳୁଛି ତାହା ହେଲା ସାଗର ବକ୍ଷରେ ସାମରିକ ପେଶୀ ସଂଚାଳନ କ୍ରମେ ଅଧିକରୁ ଅଧିକ ହେବାରେ ଲାଗିଛି। ଓଡ଼ିଶାର ଚାନ୍ଦିପୁର ଭଳି କ୍ଷେପଣାସ୍ତ୍ର ଘାଟିଗୁଡ଼ିକ ସାଧାରଣତଃ ସମୁଦ୍ର ତଟବର୍ତ୍ତୀ ହୋଇଥାଆନ୍ତି, ଯାହା ଫଳରେ ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପିତ କ୍ଷେପଣାସ୍ତ୍ରଗୁଡ଼ିକ ସମୁଦ୍ର ଗର୍ଭରେ ପଡ଼ିବ। ଏହା ଦ୍ବାରା ମଧ୍ୟ ସମୁଦ୍ର କ୍ଷତିଗ୍ରସ୍ତ ହେଉଛି।
ସମୁଦ୍ର ସୁରକ୍ଷା ଉପରେ ମିଳିତ ଜାତିସଂଘ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ସମୁଦ୍ର ଓ ଏହା ଅନ୍ତର୍ଗତ ଜୀବଜଗତକୁ ସୁରକ୍ଷା ଦେବାକୁ ଜାତିସଂଘ ପକ୍ଷରୁ ଜୁନ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଫ୍ରାନ୍‌ସ ଠାରେ ବିଶ୍ୱ ମହାସାଗର ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ବିଶ୍ୱ ନେତୃମଣ୍ଡଳୀ ଓ ଜନସାଧାରଣଙ୍କୁ ସଚେତନ କରାଇ ସମୁଦ୍ରର ସୁରକ୍ଷା ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯିବ। ଏଥିରେ ସମୁଦ୍ରର ହିତ ସାଧନ ସକାଶେ ଚିନ୍ତନ କରାଯିବା ବେଳେ ସମୁଦ୍ର ଉପରେ ନିର୍ଭର କରି ବଞ୍ଚୁଥିବା ମନୁଷ୍ୟମାନଙ୍କ ସ୍ବାର୍ଥରକ୍ଷା ବିଷୟ ମଧ୍ୟ ବିଚାର୍ଯ୍ୟ ହେବ। ସାମୁଦ୍ରିକ ସଙ୍କଟର ସମାଧାନ ପାଇଁ ୧୦୦ ବିଲିଅନ ଡଲାରର ଏକ ନୂତନ ପାଣ୍ଠି ଯୋଗାଇ ଦିଆଯିବ। ଗଭୀର ସମୁଦ୍ରରେ ଜୈବବିବିଧତାର ସୁରକ୍ଷା ପାଇଁ ୬୦ଟି ଅନୁମୋଦନ ସଂବଳିତ ଚୁକ୍ତିକୁ କାର୍ଯ୍ୟକାରୀ କରିବାର ପ୍ରୟାସ କରାଯିବ। ସମୁଦ୍ରରେ ସ୍ଥାୟୀ ମତ୍ସ୍ୟ ଚାଷ କରିବା, ମାତ୍ରାଧିକ ସାମରିକ କାର୍ଯ୍ୟକଳାପରେ ହ୍ରାସ ଘଟାଇବା, ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଏବଂ ସାମୁଦ୍ରିକ ପରିବହନ ଜନିତ କାର୍ବନ ପ୍ରଦୂଷଣରେ ହ୍ରାସ ଘଟାଇବା ଭଳି ଲକ୍ଷ୍ୟମାନ ଧାର୍ଯ୍ୟ କାରାଯିବ।
ସଂପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟ ତିକ୍ତତା ହେତୁ ଭାରତ ମହାସାଗର ଓ ଆରବ ସାଗର ବିଶେଷ ଭାବେ ଆକ୍ରାନ୍ତ ହେବାର ଭୟ ରହିଛି। କାରଣ ବିଶାଳ ରଣତରୀ ବା ନୌଭେଳା ଆଦି ଏ ଅଞ୍ଚଳରେ ଲଗାତାର ପଇଁତରା ମାରି ସାଗରରେ କାର୍ବନ ପ୍ରଦୂଷଣକୁ ବୃଦ୍ଧି କରି‌େବ। ଚୀନ ତ ଫିଲିପାଇନ୍‌ସ, ମାଲେସିଆ ଓ ଜାପାନ ପର୍ଯ୍ୟନ୍ତ ଦେଶକୁ ଲାଗି ରହିଥିବା ସାଗରର ଏକ ବିଶାଳ ଅଂଶରେ ତା’ର ସାମରିକ ଉପସ୍ଥିତି ଜାହିର କରି ଚାଲିଛି। ସମୁଦ୍ରକୁ ସୁରକ୍ଷା ଦେବାକୁ ହେଲେ ଚୀନ ଭଳି ଅମଣିଅା ଦେଶକୁ ମଧ୍ୟ ଏ ବ୍ୟା‌ପାରରେ ପ୍ରଭାବିତ କରିବାକୁ ହେବ। ସତ କହିଳେ ଜାତିସଂଘ ଲାଗି ଏହା ହେବ ଏକ ବଡ଼ ଆହ୍ବାନ।
କେବଳ ସେତିକି ନୁହେଁ, ବାଣିଜ୍ୟ କାରବାର ଲାଗି ସମୁଦ୍ର ପଥରେ ଜାହାଜର ଭିଡ଼ ବଢ଼ିଥିବା ବେଳେ ଜାହାଜର ଦୁର୍ଘଟଣା ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଏଭଳି ଦୁର୍ଘଟଣାଗ୍ରସ୍ତ ଜାହାଜରୁ ତେଲ ଲିକ୍‌ ହୋଇ ସମୁଦ୍ର ଉପରେ ତେଲର ଏକ ମୋଟା ଓ ବିଶାଳ ଆୟତନର ଆସ୍ତରଣ ସୃଷ୍ଟି କରିବା ଘଟଣା ବହୁ ସ୍ଥାନରେ ହେଉଛି। ଓଡ଼ିଶା ଉପକୂଳରେ ବ୍ଲାକ ରୋଜ ଜାହାଜରୁ ତେଲ ଲିକ ହେବା ଘଟଣା ଏବେ ବି ଆମମାନଙ୍କ ସ୍ମୃତିରେ ରହିଛି। ଏହା ଦ୍ବାରା ସମୁଦ୍ରର ଜୀବ ଜଗତ୍‌ ଅଶେଷ କ୍ଷତି ସହିଥିଲେ।
ସମୁଦ୍ର କେବଳ ପୃଥିବୀର ପରିବେଶକୁ ନିୟନ୍ତ୍ରଣ କରି ନ ଥାଏ, ଏହା ବିଶ୍ୱର ଖାଦ୍ୟ ଯୋଗାଣ‌େର ପ୍ରାୟ ୨% ସ୍ଥାନ ଅଧିକାର କରିଥାଏ। ସମୁଦ୍ର ଠାରୁ ୨୦ରୁ ୨୫ ପ୍ରତିଶତ ପୁଷ୍ଟିସାରଯୁକ୍ତ ଖାଦ୍ୟ ମିଳିଥାଏ। ବିଶ୍ୱରେ ୩ ବିଲିଅନରୁ ଅଧିକ ଲୋକଙ୍କ ପାଇଁ ସାମୁଦ୍ରିକ ଖାଦ୍ୟ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ। ଏଣୁ ସମୁଦ୍ରକୁ ସୁରକ୍ଷା ଦେବା ପ୍ରତ୍ୟେକ ମନୁଷ୍ୟ ଲାଗି କୃତଜ୍ଞତା ଜ୍ଞାପନର ପରିଚାୟକ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୧୦୭୪୦୮୩୯