ଅଦ୍ବିତୀୟ ନେତା ହରିଶ୍ଚନ୍ଦ୍ର ବକ୍‌ସିପାତ୍ର

ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ସହରରେ ସନ ୧୯୩୩, ନଭେମ୍ବର ୧୭ ତାରିଖରେ ମାତା ଶଶୀରେଖା ଦେବୀ ଓ ପିତା ଗୋପୀନାଥ ବକ୍‌ସିପାତ୍ରଙ୍କ ପରିବାରରେ ଓଡ଼ିଶା ଅଦ୍ବିତୀୟ ନେତା ହରିଶ୍ଚନ୍ଦ୍ର ବକ୍‌ସିପାତ୍ରଙ୍କର ଆବିର୍ଭାବ ହୋଇଥିଲା। ରାୟଗଡ଼ାର ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲର ଛାତ୍ର ଥିଲେ। ତତ୍‌ପରେ ପାରଳାଖେମୁଣ୍ତିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜରେ ଉଚ୍ଚଶିକ୍ଷା ଗ୍ରହଣ ବେଳେ ହରିଶ୍‌ବାବୁ ଥିଲେ ଛାତ୍ର ସ˚ସଦର ସଭାପତି। କଟକରେ ସ୍ନାତକୋତ୍ତର ଶିକ୍ଷା ପାଉଥିବା ବେଳେ ସେ ଓଡ଼ିଆ ଭାଷା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରି ବେଶ ପରିଚିତ ହୋଇଥିଲେ। ନେତୃତ୍ବ ବଳରେ ସେ ହୋଇଥିଲେ ରେଭେନ୍‌ସା କଲେଜର ଛାତ୍ରସ˚ଘର ସଭାପତି। ତାଙ୍କ ନେତୃତ୍ବରେ ୧୯୫୬ର ଐତିହାସିକ ସୀମା ଆନ୍ଦୋଳନ ସକ୍ରିୟ ହୋଇଉଠିଥିଲା। ତା’ ପରବର୍ଷ ସେ ବ୍ରହ୍ମପୁର ଠାରେ ଅଖିଳ ଭାରତ ଛାତ୍ରସ˚ଘର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସ˚ସଦର ସଭାପତି ହୋଇଥିଲେ। ସାମ୍ୟବାଦୀ ଚିନ୍ତନ ତାଙ୍କୁ ବହୁ ପରିଚିତି ଦେଇଥିଲା। ସେଥିରୁ ସେ ସାମ୍ୟବାଦୀ ନେତା ତଥା ଆଇନଜୀବୀ ରାମଚନ୍ଦ୍ର ମିଶ୍ରଙ୍କ ଏକମାତ୍ର କନ୍ୟା ବନଲତାଙ୍କ ପାଣିଗ୍ରହଣ କରିଥିଲେ।

ଜୟପୁର ସହରରେ ଓକିଲାତି କରି ହରିଶ୍‌ବାବୁ ବହୁ ଲୋକହିତକର କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ଚାଷୀ ଆନ୍ଦୋଳନକୁ କାର୍ଯ୍ୟକ୍ଷମ କରାଇବାକୁ ଯାଇ ସେ ‘ରୟତସଭା’ ପ୍ରତିଷ୍ଠା କରିଥିଲେ। ଲୋକ ସଚେତନତା ପାଇଁ ସେ ‘ଲୋକନୀତି’ ପାକ୍ଷିକ ପତ୍ରିକା (୧୯୬୫) ପ୍ରତିଷ୍ଠା କରି ଚଳାଇ ରଖିଥିଲେ।

ହରିଶ୍‌ବାବୁ ୧୯୭୦-୧୯୯୦ ମଧ୍ୟରେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୩-୭୫ରେ ସେ ବିଧାନସଭାର ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ କାର୍ଯ୍ୟ କରିଥିଲେ। ୧୯୭୫-୭୭ରେ ସେ ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ମିସା ଆଇନରେ ୧୯ ମାସ କାରାରୁଦ୍ଧ ଥିଲେ। ୧୯୭୭-୧୯୮୦ ବେଳେ ସେ ମନ୍ତ୍ରୀ ହୋଇଥିଲେ। ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତାଙ୍କ ହାତରେ ଥିଲା; ଯଥା-ଶିଳ୍ପ, ଖଣି-ଭୂ-ତତ୍ତ୍ବ, ଗ୍ରାମ୍ୟବିକାଶ, ଅରଣ୍ୟ ସମ୍ପଦ ଓ ପରିବେଶ ସୁରକ୍ଷା, ବାଣିଜ୍ୟ, ପରିବହନ, ପର୍ଯ୍ୟଟନ ଓ ସ˚ସ୍କୃତି ଆଦି।

ଅନ୍ୟାୟ ବିରୋଧରେ ଲଢ଼ିବା, ଲୋକକଲ୍ୟାଣ ପାଇଁ ଗଢ଼ିବା ଥିଲା ହରିଶବାବୁଙ୍କ ଚିନ୍ତନର ମାନଚିତ୍ର। ସେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିବାବେଳେ ଆଗ୍ରହ ପ୍ରକାଶ କରିବାକୁ ମୁଁ ଇକୋ ଟୁରିଜିମ୍‍ର ବିକାଶ ନେଇ ନୋଟ ଦେଇଥିଲି। ପରବର୍ତ୍ତୀ କାଳରେ ତାହା କାର୍ଯ୍ୟକାରୀ ହୋଇଥିଲା।

କର୍ମଯୋଗୀନ ହରିଶବାବୁଙ୍କ ମନ୍ତ୍ରିତ୍ବବେଳେ ନାଲକୋ, କୋଣାର୍କ ଝୋଟକଳ, ଓଡ଼ିଶା ସ୍ପିନି˚ମିଲ୍‌, କୋଣାର୍କ ଘଣ୍ଟା କାରଖାନା, ଚିଲିକା ବିକାଶ କର୍ତ୍ତୃପକ୍ଷ, ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠା, ଗୋପାଳପୁର ବନ୍ଦରର କାର୍ଯ୍ୟ ହୋଇଥିଲା।

ହରିଶବାବୁ ମୃଦୁଭାଷୀ ନେତା ଥିଲେ। ଦେଶ-ଜାତି-ଭାଷା-ସ˚ସ୍କୃତି-ସ˚ଗଠନ ପ୍ରତି ତାଙ୍କର ଆନ୍ତରିକତା ଅକଳନୀୟ। କବି ରବି ସି˚ ସ୍ବୀକାର କରିଛନ୍ତି ଯେ ୧୯୫୫ ଗୋଆ ମୁକ୍ତି ଆନ୍ଦୋଳନରେ ଯୋଗଦେବାକୁ ସେ (ରବି ସି˚) ଯାଉଥିବାବେଳେ ହରିଶବାବୁ ତାଙ୍କ ପାଖକୁ ଉତ୍ସାହଜନକ ଚିଠି ସହ ପାଞ୍ଚଶହ ଟଙ୍କା ପଠାଇଥିଲେ। ମୁକ୍ତି ସ˚ଗ୍ରାମୀଙ୍କ ପାଇଁ ତାହା ଥିଲା ପାଥେୟର ପ୍ରତୀକ। ବିଚ୍ଛିନ୍ନାଞ୍ଚଳର ମିଶ୍ରଣ, ସମ୍ବଲପୁର, ଗଂଜାମ, କୋରାପୁଟ, ବାଲେଶ୍ବର ଜିଲ୍ଲାରେ ପଡ଼ୋଶୀ ରାଜ୍ୟମାନଙ୍କର ଭାଷାର ଅନୁପ୍ରବେଶ ତାଙ୍କୁ ମର୍ମାହତ କରିଥିଲା। ସେ ଉତ୍କଳ ସମ୍ମିଳନୀ ଜରିଆରେ ଭାଷା-ଭୂମିର ସୁରକ୍ଷା ପାଇଁ ତାଙ୍କର ସମୟ-ସାମର୍ଥ୍ୟ ସହଯୋଗ କରିଥିଲେ। ୧୯୯୪ ମସିହା ବେଳକୁ ସେ ହୋଇଥିଲେ ଉତ୍କଳ ସମ୍ମିଳନୀର ସଭାପତି। ତାଙ୍କର ସା˚ଗଠନିକ ପ୍ରତିଭାର ଆଲୋକରେ ଉତ୍କଳ ସମ୍ମିଳନୀରେ ବ୍ୟାପ୍ତି-ଦ୍ୟୁତି ପରିବ୍ୟାପ୍ତ ହୋଇଥିଲା। ସାମ୍ୟବାଦୀ ହରିଶ୍‌ବାବୁ ଏଇ ପରିପ୍ରେକ୍ଷୀରେ ରୁଷିଆ, ଚାଇନା, ପୂର୍ବ-ଇଉରୋପର କିଛି ଅ˚ଶ ଭ୍ରମଣ କରିଥିଲେ। ଚାଷୀ, ମୂଲିଆ, ଖଟିଖିଆଙ୍କ ପାଇଁ ହରିଶ୍‌ବାବୁ ବହୁବାର ଆନ୍ଦୋଳନ ଓ ପଦଯାତ୍ରା କରିଥିଲେ। ବିଜୁବାବୁ ମନ୍ତ୍ରୀମଣ୍ତଳରେ ସେ ଜଙ୍ଗଲ, ପରିବେଶ, ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଥିବାବେଳେ ସେ ବହୁକାର୍ଯ୍ୟ କରିଥିଲେ ଯହିଁରେ ତୃଣମୂଳ ସ୍ତରୀୟ ଲୋକଙ୍କର ବିକାଶ ହୋଇପାରିବ। ସେ ଥିଲେ ଏକାଧାରରେ ପ୍ରଗତିଶୀଳ ଶିଳ୍ପମନ୍ତ୍ରୀ ଓ ଦକ୍ଷ ଶ୍ରମିକ ନେତା।

ହରିଶ୍‌ବାବୁଙ୍କର ଦେହାନ୍ତ ହୁଏ ୨୦୦୦ ଅକ୍େ‌ଟାବର ୨୭ ତାରିଖରେ। ତାଙ୍କର ପୁତ୍ରକନ୍ୟାମାନେ ସମସ୍ତେ ରାଜ୍ୟ-ଦେଶ-ବିଶ୍ବର କଲ୍ୟାଣ କାମନାରେ ଉତ୍ସର୍ଗୀକୃତ। ସେମାନଙ୍କ ଭିତରେ ମୁଁ ଦେଖୁଛି ହରିଶ୍ଚନ୍ଦ୍ର ବକ୍‌ସିପାତ୍ରଙ୍କ ବିପ୍ଳବର ଆର୍ଷବାଣୀ।

ବିମଳେନ୍ଦୁ ମହାନ୍ତି

ସମ୍ବନ୍ଧିତ ଖବର