ଗୌରହରି ଦାସ
ପଦ୍ମଶ୍ରୀ ରତନ ଥିୟାମ (୨୦ ଜାନୁଆରି ୧୯୪୮-୨୩ ଜୁଲାଇ ୨୦୨୫)ଙ୍କ ପରଲୋକ ସହିତ ଭାରତର ଉତ୍ତରପୂର୍ବ ଆକାଶର ଦୁଇ ଉଜ୍ଜ୍ବଳ ନକ୍ଷତ୍ର ବିଦାୟ ନେଇଛନ୍ତି। ପ୍ରଥମ ହେଲେ ଭାରତରତ୍ନ ଭୂପେନ ହଜାରିକା (୮ ସେପ୍ଟେମ୍ବର ୧୯୨୬-୫ ନଭେମ୍ବର ୨୦୧୧) ଏବଂ ଦ୍ବିତୀୟ ପଦ୍ମଶ୍ରୀ ରତନ ଥିୟାମ। ରତନ ଥିୟାମ ଥିଲେ ମଣିପୁରର ବିଖ୍ୟାତ ମଞ୍ଚ ନିର୍ଦ୍ଦେଶକ-ଅଭିନେତା। ଭୂପେନ ହଜାରିକା ଥିଲେ ଆସାମର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ-ଗାୟକ। ରତନ ମଣିପୁରର ବରାକ ଓ ହଜାରିକା ଆସାମର ବିଶାଳ ବ୍ରହ୍ମପୁତ୍ର। ନିଜର ସିଦ୍ଧି ଓ ସାଧନା ଲାଗି ଭୂପେନ ହଜାରିକା ଜୀବିତ ଥିବାବେଳେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ଏବଂ ପରଲୋକ ପରେ ପଦ୍ମବିଭୂଷଣ ଏବଂ ଭାରତରତ୍ନ ଉପାଧିରେ ଭୂଷିତ ହୋଇଥିଲେ। ରତନ ଥିୟାମଙ୍କୁ ଭାରତ ସରକାର ୧୯୮୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
ଉଭୟ ହଜାରିକା ଏବଂ ରତନ ଥିୟାମଙ୍କ ମଧ୍ୟରେ କେତୋଟି ସାମ୍ୟ ପରିଲକ୍ଷିତ ହୁଏ। ସିନେମା ନିର୍ଦ୍ଦେଶକ ଜାହ୍ନୁ ବରୁଆଙ୍କ ମତରେ ଉଭୟେ କଳା ଓ ସଂସ୍କୃତିକୁ ଗୋଟିଏ ସେତୁ ଭାବେ ଗ୍ରହଣ କରିଥିଲେ, ପାଚେରି ନୁହେଁ। ଉଭୟ ପାଶ୍ଚାତ୍ୟ କଳାସଂସ୍କୃତି ସହ ପରିଚିତ ଥିଲେ ସୁଦ୍ଧା ଭାରତୀୟତାକୁ ସର୍ବାଧିକ ସମ୍ମାନ ଦେଇଥିଲେ ଏବଂ ଉଭୟେ ସାଧାରଣ ମଣିଷଙ୍କର ପ୍ରତିନିଧି ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଉଭୟେ ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଥିଲେ ଏବଂ ଫେଲୋସିପ୍ ଲାଭ କରିଥିଲେ। ଏହି ଦୃଷ୍ଟିରୁ, ହଜାରିକାଙ୍କ ସ୍ମୃତିରେ ପ୍ରତିଷ୍ଠିତ ୨୦୧୩ର ଭୂପେନ ହଜାରିକା ଫାଉଣ୍ଡେସନ ଆୱାର୍ଡ ରତନ ଥିୟାମଙ୍କୁ ମିଳିବା କେବଳ କାକତାଳୀୟ ନୁହେଁ ବରଂ ମହତ ଉଦ୍ଦେଶ୍ୟ ଅଭିପ୍ରେତ।
ରତନ ଥିୟାମଙ୍କ ଥିଏଟରକୁ ‘ଥିଏଟର ଅଫ ରୁଟ୍ସ’ ବୋଲି ଅଭିହିତ କରାଯାଇଥାଏ। ହିନ୍ଦୁ କଳ୍ପନାର ଓଲଟବୃକ୍ଷର ମୂଳ ଭାଗ ଉପରକୁ ରହିବା ପରି ଥିୟାମ ଭାରତୀୟ ପରମ୍ପରାର ମୂଳ ଆଦର୍ଶକୁ ଅଧିକ ପ୍ରଚାରିତ ଏବଂ ଆଲୋକିତ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ଭରତମୁନିଙ୍କ ନାଟ୍ୟଶାସ୍ତ୍ରକୁ ସର୍ବୋଚ୍ଚ ଆସନ ଦେଇଥିଲେ ଓ ତାଙ୍କ ନାଟକରେ ମହାକାବ୍ୟଗୁଡ଼ିକର ଅବଦାନ ଅଧିକ ଲକ୍ଷ୍ୟ କରାଯାଉଥିଲା।
ରତନ ଥିୟାମ କହୁଥିଲେ କଳାକାର କିମ୍ବା ରଙ୍ଗକର୍ମୀ କାରଖାନାର ଉତ୍ପାଦ ନୁହେଁ, ଫାକ୍ଟ୍ରିର ସାବୁନ ପରି। ସେ ପରମ୍ପରାର ବାହକ, ଧାରକ ଓ ପ୍ରଚାରକ। ଆମେରିକା ଓ ୟୁରୋପ ପାଖେ ବହୁତ ସମ୍ବଳ ଅଛି, ଚାକଚକ୍ୟପୂର୍ଣ୍ଣ ମଞ୍ଚ ଓ ବେଶପୋଷାକ ଅଛି, ମାତ୍ର ତାଙ୍କ ପାଖେ ଭାରତୀୟ ନାଟ୍ୟକଳାର ସମୃଦ୍ଧ ଐତିହ୍ୟ ନାହିଁ। ଭାରତ ଏକ ଐଶ୍ବର୍ଯ୍ୟମଣ୍ଡିତ ଦେଶ। ଏହାର ପରମ୍ପରା, ଦର୍ଶନ, ଲୋକକଳା ଓ ପ୍ରକୃତି ସବୁଠି ରଙ୍ଗକର୍ମୀ ପାଇଁ ପ୍ରେରଣା ରହିଛି। ପ୍ରକୃତିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରତନ ଥିୟାମ କହୁଥିଲେ- ପ୍ରକୃତି ବିନା ମଣିଷର ଅସ୍ତିତ୍ବ ଅସମ୍ଭବ। ସେହିପରି କଳା ଲାଗି ସୌନ୍ଦର୍ଯ୍ୟବୋଧ ଅନିବାର୍ଯ୍ୟ ବୋଲି ଅନୁଭବ କରୁଥିବା ରତନଙ୍କ ମତରେ ସୌନ୍ଦର୍ଯ୍ୟବୋଧ ବିନା କଳା ରସହୀନ, ଶୁଖିଲା କାଠ।
ନାଟ୍ୟ ନିର୍ଦ୍ଦେଶକର ଭୂମିକା କ’ଣ? ଏଭଳି ଏକ ପ୍ରଶ୍ନ ଥରେ ତାଙ୍କୁ ଗ୍ବାଲିଅରରେ ପଚରା ଯାଇଥିଲା। ରତନ ଥିୟାମ ଏହାର ଏକ ସୁନ୍ଦର ଉତ୍ତର ଦେଇଥିଲେ। ସେ କହିଥିଲେ ସମାଜ ହେଉଛି ରାମାୟଣର ଶ୍ରୀରାମଚନ୍ଦ୍ର, କଳା ହେଉଛି ଅରଣ୍ୟର କୋଳି। ତେବେ କେଉଁ କୋଳି ଖଟା ଓ ମିଠା ତାହା ପରଖି ସମାଜ ରୂପକ ଶ୍ରୀରାମଚନ୍ଦ୍ରଙ୍କୁ ମିଠାକୋଳି ପରଶିବା ଶବରୀ ରୂପକ ନିର୍ଦ୍ଦେଶକର ଦାୟିତ୍ବ। ନାଟକର ଆଭିମୁଖ୍ୟ କ’ଣ? ଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘‘ନାଟକ ହେଉଛି ସାମାଜିକ ବ୍ୟବସ୍ଥା ବିରୋଧରେ ଅହିଂସ ଓ କଳାତ୍ମକ ପ୍ରତିବାଦ। ଏହା ମଧ୍ୟ ସମାଜକୁ ସୁନ୍ଦର ଦେଖିବାକୁ ଚାହେଁ ଯେପରି ଫୁଲ, ଦୀପ, ତୁଳସୀ ଇତ୍ୟାଦି ମନ୍ଦିରକୁ ପବିତ୍ର ସୁନ୍ଦର ସ୍ଥାନରେ ସଜାଇ ଥାଆନ୍ତି। ତାଙ୍କ ଭାଷାରେ- “ଥିଏଟର ଇଜ୍ ଅଲ୍ ଏବାଉଟ୍ ପ୍ରୋଟେଷ୍ଟ ଵିଥ ଦି ହାୟେଷ୍ଟ ଇନ୍ଭଲ୍ଭମେଣ୍ଟ ଅଫ ଆସ୍ଥେଟିକ।’’
ରତନ ଥିୟାମ ୧୯୭୪ରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ପଢ଼ା ଶେଷ କରିବା ପରେ ୧୯୭୬ରେ କୋରସ ରିପୋଟେରି ଥିଏଟର ପ୍ରତିଷ୍ଠା କରିଥିଲେ। ଦୁଇ ଏକର ଜମିରେ ଏବଂ ସଂପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ମଣିପୁରର ଏକ ସଂଭ୍ରାନ୍ତ ଠିକଣା। ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଆୟୋଜିତ ୧୯୯୯ର ପ୍ରଥମ ଭାରତୀୟ ରଙ୍ଗ ମହୋତ୍ସବରେ ରତନ ଥିୟାମ କାଳିଦାସଙ୍କ ଋତୁସଂହାରମ୍ ଉପରେ ଆଧାରିତ ନାଟକ ପରିବେଷଣ କରି ସଭିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଅଦ୍ୟାବଧି ଏହି ନାଟକଟି ଭାରତ ସହିତ ବିଦେଶର ବହୁ ମଞ୍ଚରେ ମଞ୍ଚସ୍ଥ ହୋଇସାରିଛି। ତାଙ୍କର ଅନ୍ୟାନ୍ୟ ପ୍ରସିଦ୍ଧ ନାଟକଗୁଡ଼ିକ ହେଲା କର୍ଣ୍ଣଭାରମ୍, ଇମ୍ଫାଲ ଇମ୍ଫାଲ, ଚକ୍ରବ୍ୟୂହ, ଲେଙ୍ଗସୋନେଲ (ଅଡିପସ୍ଙ୍କ ଭଉଣୀ ଆନ୍ତିଜୋନ ଚରିତ୍ର ଉପରେ ଆଧାରିତ), ଉତ୍ତର ପ୍ରିୟଦର୍ଶୀ, ଅନ୍ଧଯୁଗ (ଧର୍ମବୀର ଭାରତୀଙ୍କ ରଚନା), ରାଜା (ରବୀନ୍ଦ୍ରନାଥ ଟାଗୋରଙ୍କ ରଚନା) ପ୍ରଭୃତି। ନାଟକର ପ୍ରସଙ୍ଗ ନିର୍ବାଚନ ଭିନ୍ନ ମଞ୍ଚସଜ୍ଜା, ନିର୍ଦ୍ଦେଶନା, ସଂଳାପ ଏବଂ ପାରମ୍ପରିକ କଳାତ୍ମକ ସ୍ପର୍ଶ ଏହି ନାଟକଗୁଡ଼ିକୁ ଲୋକପ୍ରିୟତାର ଶିଖରକୁ ନେଇଯାଇଅଛି। ଏଥିପାଇଁ ସେ ଇଣ୍ଡୋ-ଗ୍ରୀକ୍ ଫ୍ରେଣ୍ଡସିପ୍ ଆୱାର୍ଡ, ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଏଡିନବର୍ଗ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଆୱାର୍ଡ, ପଦ୍ମଶ୍ରୀ, ମେକ୍ସିକୋର ଆନ୍ତର୍ଜାତିକ ନାଟ୍ୟ ନିର୍ଦ୍ଦେଶକ ପୁରସ୍କାର, କାଳିଦାସ ସମ୍ମାନ, ଜନ୍ ଡି ରକ୍ଫେଲର ଆୱାର୍ଡ, ଭରତମୁନି ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ଭୂପେନ ହଜାରିକାଙ୍କ ଗୀତ ପରି ଥିୟାମଙ୍କର ନାଟକ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ, ବିଶ୍ବଶାନ୍ତି, ସମାନୁଭୂତି ଓ ନ୍ୟାୟର କଥା କହିଥାଏ। ସେଥିପାଇଁ ୧୯୯୪ ଅଗଷ୍ଟ ୫ ତାରିଖ, ହିରୋସୀମା ପରମାଣୁ ବିସ୍ଫୋରଣର ଅବ୍ୟବହିତ ପୂର୍ବରୁ ରତନ ଥିୟାମଙ୍କୁ ଜାପାନର ତୋଙ୍ଗାଠାରେ ସମ୍ରାଟ ଅଶୋକଙ୍କ ଜୀବନ ଆଧାରିତ ‘ଉତ୍ତର ପ୍ରିୟଦର୍ଶୀ’ ନାଟକର ମଞ୍ଚାୟନ ପାଇଁ ଆମନ୍ତ୍ରଣ କରାଯାଇଥିଲା। ତାହା ପରେ ପରେ ସେ ଏହି ନାଟକ ଦକ୍ଷିଣ ଏସିଆର ବିଭିନ୍ନ ଦେଶ ସହିତ ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ମଞ୍ଚସ୍ଥ କରିଥିଲେ। ଏହି ନାଟକଟି ବିଖ୍ୟାତ ହିନ୍ଦୀ କବି ଅଜ୍ଞେୟଙ୍କ କାବ୍ୟର ନାଟ୍ୟରୂପ।
ରତନ ଥିୟାମ: ଏକ ଶ୍ରଦ୍ଧାଞ୍ଜଳି
ରତନ ଥିୟାମ ଏକାଧିକ ବାର ଓଡ଼ିଶା ଆସିଛନ୍ତି। ତା’ ଭିତରୁ ଗୋଟିଏ ଥର ଭୁବନେଶ୍ବର ଆସିଥିବାବେଳେ ସେ ଏହି ଲେଖକ ସଂପୃକ୍ତ ଥିବା ‘ଶତାବ୍ଦୀର କଳାକାର’ର ନୂତନ ଗୃହ ଉଦ୍ଘାଟନ କରିଥିଲେ। ତାହା ଥିଲା ୨୦୧୬ ମସିହା ଅକ୍ଟୋବର ୧୬ ତାରିଖ। ସେହି ଅବସରରେ ଭାଷଣ ଦେଇ ରତନ ଥିୟାମ କହିଥିଲେ, ଭାରତୀୟମାନେ ପରମ୍ପରାକୁ ଛାଡ଼ିଦେଲେ ଛିନ୍ନମୂୂଳ ହୋଇଯିବେ। ଭାରତୀୟ ପରମ୍ପରା କାହିଁକି ହଜାର ହଜାର ବର୍ଷ ଧରି ଏ ମାଟିରେ ବଞ୍ଚିରହିଛି ତାହାର କାରଣ ଅନୁସନ୍ଧାନ କରିବାକୁ ପଡ଼ିବ। ନିଜେ ରତନ ଥିୟାମ ଭାରତୀୟ ଦର୍ଶନର ଉପାସକ, ଜଣେ ଲେଖକ ଏବଂ ସଫଳ ଚିତ୍ରକର। ସେଥିପାଇଁ ତାଙ୍କ ନାଟକରେ ଏସବୁର ସମନ୍ବୟ ଦେଖିବାକୁ ମିଳେ। ସେ ଜଣେ ସଫଳ ଚିତ୍ରଶିଳ୍ପୀ ହୋଇଥିବାରୁ ଲାଲ ଓ କଳା ପରି ଶକ୍ତିଶାଳୀ ରଙ୍ଗର ପ୍ରୟୋଗରେ ମଞ୍ଚର ବକ୍ତବ୍ୟକୁ ଦୃଢ଼ କରିଥାଆନ୍ତି। ମଣିପୁର ସାମରିକ କଳା ଥାଙ୍ଗ୍- ତା’ର ସୁଫଳ ପ୍ରୟୋଗ ସେ କରିଛନ୍ତି ‘ଉରୁଭଙ୍ଗ’ ପରି ନାଟକରେ।
ରତନ ଥିୟାମ ସବୁବେଳେ କହୁଥିଲେ, ଅନ୍ୟକୁ ସନ୍ତୋଷ ଦେବା ଭଲ କଥା, ମାତ୍ର ତାହା ଏତେ ମହତ୍ତ୍ବପୂର୍ଣ୍ଣ ନୁହେଁ। ନିଜକୁ ନିଜର କଳା କେତେ ସନ୍ତୋଷ ଦେଇପାରିଛି ସେହି ବିଚାରରେ ସଫଳତାର ମୂଲ୍ୟାୟନ କରାଯିବା ମହତ୍ତ୍ବପୂର୍ଣ୍ଣ। ତାଙ୍କରି ଅବଦାନ ଯୋଗୁଁ ମଣିପୁର ଭାରତୀୟ ନାଟ୍ୟ ମାନଚିତ୍ରରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା। ଥିୟାମଙ୍କ ନାଟକରେ ସନ୍ନିହିତ ସାଂପ୍ରତିକ ରାଜନୀତି ସମ୍ବନ୍ଧୀୟ ସନ୍ଦେଶ ସେହି ପାରମ୍ପରିକ ବିଷୟ ଆଧାରିକ ନାଟକଗୁଡ଼ିକୁ ଅଧିକ ପ୍ରାସଙ୍ଗିକ କରୁଥିଲା।
ମଣିପୁର ନାଟ୍ୟ ନିର୍ଦ୍ଦେଶନାର ପ୍ରୟୋଗଶାଳା। ସେଠାରେ କେତେବେଳେ କଳ୍ପନାର ମଞ୍ଚ ବାସ୍ତବର ଉପାସନା ପୀଠ ହୋଇପଡ଼େ ତାହା ଜାଣି ହୁଏ ନାହିଁ। ଏହି ପ୍ରକ୍ରିୟାଟି ଅବଲୀଳାକ୍ରମେ ସଂପାଦିତ ହୋଇଥାଏ। ଏକଦା ସେଠାକାର ଏକ ନାଟକର ଶେଷ ଦୃଶ୍ୟରେ ଏହି ଲେଖକ ଅଭିନବ କଥାଟିଏ ଲକ୍ଷ୍ୟ କରିଥିଲା। ରାଧା ଓ କୃଷ୍ଣଙ୍କ ମିଳନରେ ନାଟକଟି ଶେଷ ହେବାର ଥିଲା। ମଞ୍ଚର ମଝିରେ ଦୁଇ ଚରିତ୍ର ପାଖାପାଖି ଉଭା ହେବା ପରେ କେହି ଜଣେ ଚାମର ଓ ଛତ୍ରି ତୋଳି ଧରିଥିଲା। ତାହା ପରେ ଯାହାହେଲା ତାହା ଲକ୍ଷ୍ୟ କରିବା କଥା। ସେହି ମଞ୍ଚଟି ପାଲଟିଗଲା ଏକ ମନ୍ଦିର ଓ ଦୁଇ ଚରିତ୍ର ରାଧାକୃଷ୍ଣ ମୂର୍ତ୍ତି। ତାଙ୍କ ସାମ୍ନାରେ ଧୂପ, ଦୀପ ଓ କର୍ପୂରର ଆଳତୀ ସହ ସାନ୍ଧ୍ୟ ବାଜଣା ବାଜିଥିଲା। ଦର୍ଶକମାନଙ୍କ ମଧ୍ୟରୁ ଅନେକ ଉଠି ମଞ୍ଚର ରାଧାକୃଷ୍ଣଙ୍କୁ ପ୍ରଣାମ ଜଣାଇଥିଲେ ଓ ପ୍ରେକ୍ଷାଳୟର ସେହି ମଞ୍ଚ ସତକୁ ସତ ଏକ ମନ୍ଦିରରେ ରୂପାନ୍ତରିତ ହୋଇପଡ଼ିଥିଲା। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ମଣିପୁରରେ ବୈଷ୍ଣବୀୟ ଧର୍ମର ପ୍ରଭାବ ବେଶ ପରିଲକ୍ଷିତ ହୋଇଥାଏ ଏବଂ ରାସଲୀଳା ଏଠାରେ ଏକ ଲୋକପ୍ରିୟ ନୃତ୍ୟ।
ରତନ ଥିୟାମ ପଶ୍ଚିମବଙ୍ଗର ନବଦ୍ବୀପରେ ଜନ୍ମ ହୋଇଥିଲେ, ବିଦାୟ ନେଲେ ଇମ୍ଫାଲରେ। ୧୯୭୪ରୁ ୨୦୨୪ ଦୀର୍ଘ ୫୦ ବର୍ଷ ସେ ନାଟକ, ମଞ୍ଚ, ଅଭିନୟ ଏବଂ ନିର୍ଦ୍ଦେଶନାରେ ବିତେଇଛନ୍ତି। ସେ ତାଙ୍କ ରାଜ୍ୟର ପ୍ରଥମ ଯୁବକ ଥିଲେ, ଯିଏ ନୂଆଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ୧୯୭୪ରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ନିଜର ସାଧନା ବଳରେ ସେ ଏହି ସଂସ୍ଥାର ସର୍ବୋଚ୍ଚ ଅଧ୍ୟକ୍ଷ ପଦ ପୁଣି ମଣ୍ଡନ କରିଥିଲେ। ଏହା ଭିତରେ ସେ ମଣିପୁରକୁ କଦାପି ଭୁଲି ନ ଥିଲେ, ସେଇଥିପାଇଁ ପ୍ରତିଷ୍ଠା କରିଥିଲେ କୋରସ ଥିଏଥର। ଭାରତର ବିଭିନ୍ନ ପ୍ରଦେଶରୁ ବହୁ ଯୁବକ ଏନ୍ଏସ୍ଡିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ସେମାନଙ୍କ ଭିତରୁ କ୍ବଚିତ୍ କେହି ଏ ପ୍ରକାର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ରତନଙ୍କର ପିତାମାତା ମଣିପୁରୀ ନର୍ତ୍ତକ ଓ ନର୍ତ୍ତକୀ ଥିଲେ। ପିଲାଦିନେ ବାପାମା’ଙ୍କର ବେଶଭୂଷା ହେବା ଦୃଶ୍ୟ ରତନଙ୍କୁ ମୁଗ୍ଧ କରୁଥିଲା ଓ ସେ ମୁହଁରେ ରଙ୍ଗ ଲଗେଇବାକୁ ଜିଦ୍ କରୁଥିଲେ। ଅଧିକାଂଶ ସମୟରେ ସେ ମୁହଁରୁ ରଙ୍ଗ ନ ଛଡ଼େଇ ବିଛଣାରେ ଶୋଇଯାଉଥିଲେ। ପିଲାଦିନୁ ବାପାମା’ ଏବଂ ନାଟ୍ୟକର୍ମୀମାନଙ୍କ ସହ ରହଣି ତାଙ୍କୁ ଭିତରେ ଭିତରେ ମଞ୍ଚ ପ୍ରତି ଆକୃଷ୍ଟ କଳାକାରରେ ପରିଣତ କରିଥିଲା।
ଥିୟାମ ଜଣେ କଳାକାର ହେଲେ ମଧ୍ୟ ଅନ୍ୟ ଅନେକଙ୍କ ପରି ସେ ନିଜ ରାଜ୍ୟର ରାଜନୈତିକ-ସାମାଜିକ ସମସ୍ୟା ପାଖରୁ ଦୃଷ୍ଟି ହଟାଇ ନେଇ ନ ଥିଲେ। ପରଲୋକର କିଛି ମାସ ଆଗରୁ ସାମ୍ବାଦିକ କରନ ଥାପରଙ୍କ ସହ ଏକ ସାକ୍ଷାତ୍କାର ସମୟରେ ସେ ମଣିପୁରର ଶାନ୍ତି ପାଇଁ ଆକୁଳ ଅନୁରୋଧ ଜଣାଇଥିଲେ। ସେ ଅବଶ୍ୟ ଏକ ବିଶାଳ ବୃକ୍ଷ ଥିଲେ, ଯାହାଙ୍କର ମାଟି ସହ ସମ୍ବନ୍ଧ ଅନ୍ୟମାନଙ୍କ ଠାରୁ ଦୃଢ଼ ଥିଲା। ସେ ମୂଳ ବା ପରମ୍ପରାକୁ ବେଶୀ ଗୁରୁତ୍ବ ଦେଉଥିଲେ। ତେଣୁ ୨୦୦୩ରେ ତାଙ୍କ ଉପରେ ନିର୍ମିତ କବିତା ଯୋଶୀଙ୍କ ଡକ୍ୟୁମେଣ୍ଟାରିର ଶିରୋନାମା ଥିଲା- ‘‘ସମ୍ ରୁଟ୍ସ ଗ୍ରୋ ଅପୱାର୍ଡସ୍’’ (କିଛି ଗଛର ଚେର ଆକାଶମୁହଁା ବଢ଼ିଥାଆନ୍ତି)।
ନିଜର ସଂଗୀତ ବଳରେ ଭୂପେନ ହଜାରିକା ଯେପରି ସମଗ୍ର ମଣିଷ ଜାତିକୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ, ଯେଉଁଠି ରାଜା, ପ୍ରଜା, ସାମନ୍ତ, ସଂଗ୍ରାମୀ ସବୁ ଏକାଠି ହେଉଥିବେ; ରତନ ଥିୟାମ ସେହିପରି ଗୋଟିଏ ଗୋଟିଏ ମଞ୍ଚରେ ପରମ୍ପରା ଓ ସମକାଳକୁ ଏକାଠି ଧରି ରଖିବାକୁ ଚେଷ୍ଟା କରୁଥିଲେ। ସେ ତାଙ୍କ ମଞ୍ଚରେ ସଭ୍ୟତାର ଉତ୍ଥାନ ଓ ପତନ ଉଭୟର ଚିତ୍ର ଦର୍ଶକଙ୍କ ସମ୍ମୁଖରେ ତୋଳୁ ଧରୁଥିଲେ। ସେ କହୁଥିଲେ, ମାନବିକତା ତାଙ୍କର ଧର୍ମ ଓ ଏ ବିଶ୍ବ ତାଙ୍କର ବାସସ୍ଥାନ। ଏହାକୁ ସେ ଯେପରି ଭାବରେ ଦେଖିଛନ୍ତି ତାହାଠାରୁ ଅଧିକ ଭଲ ଭାବରେ ଛାଡ଼ିଯିବାକୁ ଚାହାନ୍ତି- ଯାହା ଫଳରେ ଭବିଷ୍ୟତର ଉତ୍ତରାଧିକାରୀମାନେ ତାଙ୍କ ଆଡ଼େ ଆଙ୍ଗୁଳି ଦେଖେଇ କହିବେ ନାହିଁ େଯ, ରତନ ତୁମେ କିଛି କରି ନ ଥିଲ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/02/sfssfxcxcxc-2025-08-02-02-39-37.jpg)