ବିଶ୍ବରେ ଗଣତନ୍ତ୍ରର ସ୍ଥିତି ଓ ଦୁର୍ଗତି

ପାବକ କାନୁନ୍‌ଗୋ

ବିଶ୍ବରେ, ବିଶେଷତଃ ଏସିଆରେ ଗଣତନ୍ତ୍ରର ସ୍ଥିତି ସ˚ପର୍କରେ ଆଲୋଚନା ହେଲା ବେଳେ ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର ଭାରତରେ ଏହା କିପରି କାର୍ଯ୍ୟ କରୁଛି, ତାହାର ଉଲ୍ଲେଖ କରାଯାଉଛି। ଭାରତ ଭଳି ଏକ ଲୋକତନ୍ତ୍ରର ଜୟଯାତ୍ରା ପ୍ରାୟ ସାତ ଦଶକ ଧରି ଅବ୍ୟାହତ ରହିଛି ନା ମଝିରେ ମଝିରେ ଏହା ଝୁଣ୍ଟିପଡ଼ି ଗଣତାନ୍ତ୍ରିକ ମୂଲ୍ୟବୋଧର ମାପକାଠିରେ ତଳକୁ ଚାଲିଯାଉଛି!; ସେ ସ˚ପର୍କରେ ନାନା ଦିଗରୁ ତର୍ଜମା ହେଉଛି। ଏସିଆ ମହାଦେଶରେ ଗଣତନ୍ତ୍ରର ଅଭ୍ୟୁଦୟରେ ଭାରତର ଭୂମିକା ଆଦର୍ଶ ସ୍ଥାନୀୟ ବୋଲି ଯେଉଁମାନେ ଦିନେ ଜୋର ଦେଇ କହୁଥିଲେ, ଆଜି ସେମାନେ ମୁକ୍ତ କଣ୍ଠରେ ଏହା କହିବାକୁ କୁଣ୍ଠିତ ହେଉଛନ୍ତି। ଗୋଟିଏ ଉଦାହରଣ କଥାଟିକୁ ସ୍ପଷ୍ଟ କରିଦେବ। ଗଣତନ୍ତ୍ର ଶାସନର ସଫଳତା ଓ ବିଫଳତା ସ˚ପର୍କରେ ତାଙ୍କ ଦେଶର ସ˚ସଦରେ ହେଉଥିବା ଆଲୋଚନାରେ ଭାଗ ନେଇ କିଛି ଦିନ ତଳେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଭାରତର ସା˚ସଦମାନଙ୍କ ଭିତରେ ବୃଦ୍ଧି ପାଉଥିବା ଅପରାଧ ପ୍ରବଣତା କଥାର ଉଲ୍ଲେଖ କରିଥିଲେ। ଏହି ପ୍ରସଙ୍ଗରେ ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିବା ଦିଗରେ ନେହରୁଙ୍କ ଅବଦାନ କଥାର ଉଲ୍ଲେଖ କରି ସେ ଏହି ମହାନ ରାଷ୍ଟ୍ରନୀତିଜ୍ଞଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମର ସମ୍ମାନିତ ସା˚ସଦମାନଙ୍କ ସ˚ପର୍କରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରିପ୍ରେକ୍ଷୀରେ ଭାରତ ସରକାର ପ୍ରତିବାଦ କଲେ ଏବ˚ ଏହା ଆମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଲେ।
ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା କିପରି କାର୍ଯ୍ୟ କରୁଛି; ସେ ସମ୍ପର୍କରେ ଲଣ୍ତନରୁ ପ୍ରକାଶିତ ‘ଦି ଇକନମିଷ୍ଟ’ ପତ୍ରିକାରେ ଗୋଟିଏ ଆଲେଖ୍ୟ ନିକଟରେ ପ୍ରକାଶିତ ହୋଇଛି। ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅନୁଷ୍ଠିତ ନିର୍ବାଚନ ଜରିଆରେ ଭାରତରେ ଗଣତନ୍ତ୍ରର ପର୍ବ ବା ଉତ୍ସବ ପାଳିତ ହେଉଥିଲେ ମଧୢ ଏହା କ୍ଷୟପ୍ରାପ୍ତ ହୋଇ କ୍ରମେ କ୍ରମେ ବିବାଦ ଘେରକୁ ଚାଲିଯାଉଛି ବୋଲି ପତ୍ରିକା ମତ ଦେଇଛି। ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ସା˚ସଦମାନଙ୍କ ଭିତରୁ ଶତକଡ଼ା ୪୩ ଜଣଙ୍କ ବିରୋଧରେ କୌଣସି ନା କୌଣସି ଅାପରାଧିକ ମାମଲା ରହିଛି। ଶତକଡ଼ା ୨୯ ଜଣଙ୍କ ବିରୋଧରେ ହତ୍ୟାକାଣ୍ତ ବା ଧର୍ଷଣ ଭଳି ସା˚ଘାତିକ ଅଭିଯୋଗ ରହିଛି। ସ˚ସଦରେ ଆଗତ ପ୍ରସ୍ତାବିତ ଆଇନ ସ˚ପର୍କରେ ବିତର୍କ ବେଳେ ଏପରି ସା˚ସଦମାନେ ସ˚ପୂର୍ଣ୍ଣ ମନୋନିବେଶ କରି ପାରୁନାହାନ୍ତି। କିଛି ମାସ ତଳେ ଭାରତର ପ୍ରଧାନ ବିଚାରପତି ଏହି ଦିଗଟି ପ୍ରତି ଦୃଷ୍ଟି ଆକର୍ଷଣ କରାଇ କହିଥିଲେ ଯେ ଆଇନଟିଏ ସ˚ସଦରେ ଗୃହୀତ ହେଲା ବେଳେ ଏହାର ଟିକିନିଖି ଆଲୋଚନା ହେଉ ନ ଥିବାରୁ ବିଚାର ବିଭାଗକୁ ଯେତେବେଳେ ଏହାର ବୈଧତା ସ˚ପର୍କୀୟ ପ୍ରଶ୍ନ ବିଚାର ପାଇଁ ଆସୁଛି, ଅଦାଲତ ଉପରେ ଅଧିକ ବୋଝ ପଡୁଛି।

ଆମ ନିର୍ବାଚନ ବ୍ୟବସ୍ଥାର ସ୍ବଚ୍ଛତା ଓ ନିରପେକ୍ଷତା ସ˚ପର୍କରେ ମଧୢ ପ୍ରଶ୍ନ ଉଠା ଯାଉଛି। ଗଲା କେତେ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତନ ନିର୍ବାଚନୀ ବଣ୍ତ୍‌ ବ୍ୟବସ୍ଥା ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରୁଥିଲେ ମଧୢ ଏବ˚ ଏହାର ବୈଧତା ସ˚ପର୍କରେ ସର୍ବୋଚ୍ଚ ବିଚାରାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଉଭୟ ସରକାର ଓ ଅଦାଲତ ନିରବ ବା ନିଷ୍କ୍ରିୟ ରହିଛନ୍ତି। ଗୋଟିଏ ସୁସ୍ଥ ଗଣତନ୍ତ୍ରରେ ରାଜନୈତିକ ଦଳମାନେ କେଉଁ ସୂତ୍ରରୁ ପାଣ୍ଠି ସ˚ଗ୍ରହ କରୁଛନ୍ତି, ତାହା ଜାଣିବାର ଅଧିକାର ଭୋଟରମାନଙ୍କର ରହିଛି। ଏହି ବ୍ୟବସ୍ଥାରେ କିନ୍ତୁ ସ˚ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଉଛି। କୁହାଯାଉଛି ଯେ ଆଦାୟ ହେଉଥିବା ପାଣ୍ଠିର ଚାରି ଭାଗରୁ ତିନି ଭାଗ କେନ୍ଦ୍ରରେ ଶାସନ କରୁଥିବା ଦଳ ନିକଟକୁ ଯାଉଛି। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଅଦାଲତ କେବଳ ଯେ ନିରବ ରହୁଛି, ତାହା ନୁହେଁ; ଆମ ସମ୍ବିଧାନ ବ୍ୟବସ୍ଥାର ଅନେକ ମହତ୍ତ୍ବପୂର୍ଣ୍ଣ ଦିଗ ସ˚ପର୍କରେ ସକ୍ରିୟତା ପ୍ରକାଶ କରୁନାହିଁ। ଜାମ୍ମୁ-କାଶ୍ମୀରର ବିଭାଜନ ତଥା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର ସ˚ପର୍କୀୟ ନିଷ୍ପତ୍ତି ସ˚ପର୍କରେ ଏ ପର୍ଯ୍ୟନ୍ତ ଶୁଣାଣି ହୋଇ ପାରିନାହିଁ।

ନିକଟରେ ଇଣ୍ତୋନେସିଆରେ ହେବାକୁ ଥିବା ନିର୍ବାଚନ ନିରପେକ୍ଷ ହେବ ବୋଲି ଆଶା କରାଯାଉଛି। ୨୦୨୨ରେ ମାଲେସିଆରେ ପରିବର୍ତ୍ତନ ଆସନ୍ନ ବୋଲି କୁହାଯାଉଛି। ନିର୍ଚାଚନ ଆଇନର ସ˚ସ୍କାର ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଗଣତନ୍ତ୍ରର ଜୟଯାତ୍ରାରେ ଦିନେ ସକ୍ରିୟ ହୋଇ ଭାରତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ପୁଣି କେବେ ଏ ଦିଗରେ କାର୍ଯ୍ୟ କରିବ, ତାହାକୁ ସାରା ବିଶ୍ବ ଆଗ୍ରହର ସହିତ ଅପେକ୍ଷା କରୁଛି।

ଭାରତବର୍ଷ ବିଶ୍ବର ବୃହତ୍ତମ ଗଣତନ୍ତ୍ର ହୋଇଥିବାରୁ ବିଶ୍ବର ଯେଉଁ ଅ˚ଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି, ତାହାର ପ୍ରତିବାଦ କରିବାକୁ ଏ ଦେଶ ଆଗେଇ ଆସିବା ଉଚିତ ବୋଲି ବିଶ୍ବ ସମୁଦାୟ ଆଶା କରିବା ସ୍ବାଭାବିକ। କିନ୍ତୁ ବାସ୍ତବରେ ତାହା ହେଇନାହିଁ। ଆମ ପଡ଼ୋଶୀ ମିଆଁମାରରେ ନଗ୍ନ ଏକଛତ୍ରବାଦ ମୁଣ୍ତ ଟେକି ନାଗରିକ ଅଧିକାର ପଦଦଳିତ ହେଉଥିବା ବେଳେ ଆମେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହୁଁ। ଗୋଟିଏ କ୍ଷୁଦ୍ର ଦେଶ ୟୁକ୍ରେନ୍‌କୁ ଦଖଲ କରି ନେବାକୁ ରୁଷ୍‌ର ଭୟାବହ ଆକ୍ରମଣକୁ ନିନ୍ଦା କରିବାକୁ ଆମେ କୁଣ୍ଠିତ ହେଉଛୁ ଏବ˚ ଏକଛତ୍ରବାଦର ପ୍ରତୀକ ଚୀନ୍‌ ସହିତ ଏକାଠି ମିଶି ରୁଷିଆକୁ ପରୋକ୍ଷରେ ସମର୍ଥନ କରୁଛୁ। ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ପୁରୁଣା ଗଣତନ୍ତ୍ର ଇ˚ଲାଣ୍ତ ବା ଲୋକସ˚ଖ୍ୟା ଦୃଷ୍ଟିରୁ ସର୍ବବୃହତ୍‌ ଗଣତନ୍ତ୍ର ଭାରତ ପକ୍ଷରୁ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆଦର୍ଶ ପ୍ରତିଷ୍ଠା କରାଯିବାରେ ବିଫଳତା ଦେଖିବାକୁ ମିଳୁଥିବା ବେଳେ ଶକ୍ତି, ସାମର୍ଥ୍ୟ ବା ଲୋକସ˚ଖ୍ୟା ଦୃଷ୍ଟିରୁ ଅତି ନଗଣ୍ୟ ବୋଲି ମନେ ହେଉଥିବା କେତେକ କ୍ଷୁଦ୍ର ଦେଶ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଯାଇଛନ୍ତି। ୨୦୨୧ରେ ଗଣତାନ୍ତ୍ରିକ ମାନଦଣ୍ତ ଆଧାରରେ ଯେଉଁ ଅଳ୍ପ କେତେକ ଦେଶଙ୍କର ପ୍ରଦର୍ଶନ ଉତ୍ସାହଜନକ ଥିଲା ସେମାନଙ୍କ ସ˚ପର୍କରେ ଆଲୋଚନା ଅପ୍ରାସଙ୍ଗିକ ହେବ ନାହିଁ। ପୂର୍ବ ବର୍ଷ ତୁଳନାରେ ଏମାନେ ଗଣତନ୍ତ୍ର ଶିଡ଼ିରେ ଉପରକୁ ଉପରକୁ ଉଠି ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଗତ ଦିନରେ ସଫଳତା ହାସଲ କରିଥିବା ଦେଶମାନଙ୍କ ଭିତରେ ଉଜ୍‌ବେକିସ୍ତାନ (ଦାସପ୍ରଥାର ବିଲୋପ), କଲମ୍ବିଆ (ଶାନ୍ତି ପ୍ରତିଷ୍ଠା) ଓ ଟିଉନିସିଆ (ଗଣତନ୍ତ୍ର ଶାସନକୁ ଆବୋରି ନେବା)ଙ୍କ ନାମର ଉଲ୍ଲେଖ କରାଯାଇପାରେ।

ଅନେକ ଦୃଷ୍ଟିରୁ ବିଚାର କଲେ ୨୦୨୧ରେ ବିଶ୍ବ ଏକ ଅସ୍ବସ୍ତିକର ପରିସ୍ଥିତି ଦେଇ ଗତି କରିଥିଲା। ଅନେକ ସମୃଦ୍ଧ ଦେଶ ମଧୢ କୋଭିଡ୍‌ ମହାମାରୀର ଶିକାର ହୋଇଥିଲେ। ବହୁ ଦେଶରେ ମାନବିକ ଅଧିକାର ଓ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଉପରକୁ ବିପଦ ମାଡ଼ି ଆସିଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟଲ୍ ହିଲ୍‌ ଉପରେ ହି˚ସାତ୍ମକ ଆକ୍ରମଣ କରିଥିଲେ। ରୁଷିଆର ମୁଖ୍ୟ ବିରୋଧୀ ନେତାଙ୍କୁ କାରାଗାରରେ ବନ୍ଦୀ କରାଯାଇଥିଲା। ଇଥିଓପିଆ ଓ ମିଆଁମାରରେ ଗୃହଯୁଦ୍ଧ ଘଟି ଘୋର ଅରାଜକତା ଓ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏପରି ପ୍ରତିକୂଳ ପରିବେଶ ସତ୍ତ୍ବେ କେତେଗୁଡ଼ିଏ କ୍ଷୁଦ୍ର ଦେଶ ନିଜସ୍ବ ଢଙ୍ଗରେ ଲୋକତନ୍ତ୍ର ବ୍ୟବସ୍ଥାକୁ ଆଗେଇ ନେଇଥିଲେ। ସାମୋଆର ସ୍ବାଧୀନ ଓ ନିରପେକ୍ଷ ବିଚାର ବିଭାଗର ହସ୍ତକ୍ଷେପ ଫଳରେ ଦେଶ ସାମ୍ବିଧାନିକ ସଙ୍କଟରୁ ଉଦ୍ଧାର ପାଇଲା। ଦୀର୍ଘ ୩୩ ବର୍ଷ ଧରି ଶାସନ କରିଥିବା ଦଳକୁ ଲୋକେ ପ୍ରତ୍ୟାଖାନ କରିଦେଲେ। ଏହାର ପ୍ରଧାନମନ୍ତ୍ରୀ ଦିନେ ଦାବି କରୁଥିଲେ ଯେ ‘ଈଶ୍ବରଙ୍କ ଦୂତ’ ଭାବରେ ସେ ଦେଶକୁ ଚଳାଉଛନ୍ତି। ତାଙ୍କ ସ୍ଥାନରେ ସ˚ସ୍କାରରେ ବିଶ୍ବାସ କରୁଥିବା ଜଣେ ସାହସୀ ମହିଳା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେଲେ। ଇଉରୋପର ସବୁଠାରୁ ଦରିଦ୍ର ଦେଶ ଭାବରେ ପରିଗଣିତ ହେଉଥିବା ମୋଲ୍‌ଡଭା ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନର ପଙ୍କ ଭିତରେ ଉବୁଟୁବୁ ହେଉଥିଲା। ଏହାର ଆର୍ଥିକ ବ୍ୟବସ୍ଥାକୁ ରୁଷିଆ ନିୟନ୍ତ୍ରଣ କରୁଥିଲା। ସେ ଦେଶର ଲୋକେ ସଚେତନ ହୋଇ ଦୁର୍ନୀତି ସହିତ ଲଢ଼େଇ କରୁଥିବା ଜଣେ ନେତାଙ୍କୁ ବାଛି ପାର୍ଲାମେଣ୍ଟ୍‌ର ନିୟନ୍ତ୍ରଣ ମଧୢ ତାଙ୍କ ହାତରେ ଦେଇଦେଲେ। ଏହା ପରେ ଦେଶରେ ସ୍ବାଭାବିକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା। ଆଫ୍ରିକାର ଜାମ୍ବିଆର ଲୋକେ ସେ ଦେଶରେ କ୍ଷତବିକ୍ଷତ ହୋଇଥିବା ଭ୍ରଷ୍ଟାଚାର- ଆଧାରିତ ଶାସନର ଅନ୍ତ ଘଟାଇ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା କଲେ। ଶାସକମାନେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ (ରିଗିଙ୍ଗ)। ଏହାର ପ୍ରତିରୋଧ କରାଗଲା। ଜଣେ ଉଦାରପନ୍ଥୀ ବ୍ୟବସାୟୀ ହିଚିଲେମା ବହୁ ଭୋଟ ବ୍ୟବଧାନରେ ନିର୍ବାଚିତ ହେବା ପରେ ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କଲେ। ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଷ୍ଠା ଦିଗରେ ଲିଥୁଆନିଆର ପଦକ୍ଷେପକୁ କେବଳ ପ୍ରଶ˚ସାଯୋଗ୍ୟ ବୋଲି କହିଲେ ଯଥେଷ୍ଟ ହେବନାହିଁ; ଏହା ସାହସିକ ମଧୢ। ରାଜଧାନୀ ଭିଲିଅନସ୍‌ରେ ତାଇଵାନର ପ୍ରତିନିଧି କାର୍ଯ୍ୟାଳୟ ଖୋଲିବାକୁ ଦେଇ ବିଶାଳ ଚୀନ୍‌ ବିରୋଧରେ ସେମାନେ ଛିଡ଼ା ହୋଇପାରିଲେ।

ଏହି ସବୁ ଦେଶ ଗଣତନ୍ତ୍ରର ସପକ୍ଷ-ସ୍ରୋତରେ ଚାଲିଥିଲା ବେଳେ ଅନେକ ଦେଶ ଗଣତନ୍ତ୍ରର ବିପରୀତ ସ୍ରୋତରେ ଚାଲିଛନ୍ତି। ଫିଲିପାଇନ୍‌ସ, ଇଣ୍ତୋନେସିଆ ଓ ମାଲେସିଆକୁ କୌଣସି ବିଚାରରେ ଗଣତନ୍ତ୍ର-ରାଷ୍ଟ୍ର ବୋଲି କୁହାଯାଇ ପାରିବ ନାହିଁ। ଏହା ସତ୍ତ୍ବେ ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତା ଭଳି ଆଦର୍ଶର ପ୍ରସାର କରୁଛନ୍ତି। ନିକଟରେ ଇଣ୍ତୋନେସିଆରେ ହେବାକୁ ଥିବା ନିର୍ବାଚନ ନିରପେକ୍ଷ ହେବ ବୋଲି ଆଶା କରାଯାଉଛି। ୨୦୨୨ରେ ମାଲେସିଆରେ ପରିବର୍ତ୍ତନ ଆସନ୍ନ ବୋଲି କୁହାଯାଉଛି। ନିର୍ଚାଚନ ଆଇନର ସ˚ସ୍କାର ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଗଣତନ୍ତ୍ରର ଜୟଯାତ୍ରାରେ ଦିନେ ସକ୍ରିୟ ହୋଇ ଭାରତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ପୁଣି କେବେ ଏ ଦିଗରେ କାର୍ଯ୍ୟ କରିବ, ତାହାକୁ ସାରା ବିଶ୍ବ ଆଗ୍ରହର ସହିତ ଅପେକ୍ଷା କରୁଛି।
ମୋ: ୯୭୭୬୦୪୪୭୩୬

ସମ୍ବନ୍ଧିତ ଖବର