ଶ୍ୟାମସୁନ୍ଦର ଅଗ୍ରୱାଲା

ରଘୁ ମଉସା ଚାଲିଗଲେ। ରଘୁ ମଉସା କୌଣସି ଶିକ୍ଷାବିତ୍ ନ ଥିଲେ କି କ୍ରୀଡ଼ାବିତ୍ ନ ଥିଲେ, ସାମ୍ବାଦିକ ନ ଥିଲେ କି ସାହିତ୍ୟିକ ନ ଥିଲେ, ଡାକ୍ତର ନ ଥିଲେ କି ଇଂଜିନିଅର ନ ଥିଲେ, ବୈଜ୍ଞାନିକ ନ ଥିଲେ କି କଳାକାର ନ ଥିଲେ। ସେ ପଦ୍ମଶ୍ରୀ ଉପାଧି ପାଇ ନ ଥିଲେ। ସଭାସମିତିକୁ ବକ୍ତୃତା ଦେବାକୁ ଯାଉ ନ ଥିଲେ କି ରାଜ୍ୟପାଳଙ୍କ ଆଟ୍ ହୋମ୍ ପାର୍ଟିରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଉ ନ ଥିଲେ, କିନ୍ତୁ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ ଏହି ବଡ଼ବଡ଼ିଆଙ୍କ ଠାରୁ ଅଧିକ ହେବେ ସିନା କୌଣସି ଗୁଣରେ କମ୍ ନ ଥିଲେ। 
ରଘୁ ମଉସା ମାର୍କା ଦହିବରା ଓ ଆଳୁଦମ ଦେଶ ବିଦେଶରେ ପ୍ରଶଂସିତ। ଆଜି ସମସ୍ତେ ମାନିବେ ଯେ ଭାରତବର୍ଷର ରନ୍ଧନକଳାରେ ରଘୁ ମଉସାଙ୍କ ନିଆରା ଦହିବରା ଆଳୁଦମ ଓଡ଼ିଶା ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି। ଦେଶ ବିଦେଶରେ କେଉଁଠି ଦହିବରା ସହିତ ଆଳୁଦମର ସଙ୍ଗତ ନ ଥାଏ। ଏମିତି ଏକ ନଁା ଶୁଣିବା ମାତ୍ରେ ଅଣଓଡ଼ିଆମାନେ କୌତୂହଳ ପ୍ରକାଶ କରିଥାନ୍ତି, କିନ୍ତୁ ଥରେ ଏହାକୁ ଚାଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଓ ବାରମ୍ବାର ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ପଞ୍ଚତାରକା ଓ ସପ୍ତତାରକା ହୋଟେଲମାନଙ୍କର ପ୍ରତିଷ୍ଠିତ ରୋଷେଇକଳା ବିଶେଷଜ୍ଞମାନେ ମଧ୍ୟ ଏହାର ଅବିକଳ ନକଲ କରିପାରି ନାହାନ୍ତି। ଯିଏ ରଘୁ ମଉସାର ଦହିବରା ଆଳୁଦମ ଖାଇଛି ସିଏ ଏକଥା କହୁଛି। ନିକଟରେ ଓଡ଼ିଶା ଭ୍ରମଣରେ ଆସିଥିବା ପୃଥିବୀ ପ୍ରସିଦ୍ଧ ପାଚକ ବିକାଶ ଖାନ୍ନା ଏ କଥା ସ୍ୱୀକାର କରିଛନ୍ତି ଓ ଏହାକୁ ନେଇ ଦେଶ ବିଦେଶରେ ଲୋକପ୍ରିୟ କରେଇବେ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି।
ରଘୁଙ୍କ ଦହିବରା ଆଳୁଦମ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟର ବେରୋଜଗାର ଯୁବକମାନଙ୍କୁ ସ୍ୱାବଲମ୍ବନର ରାସ୍ତା ମଧ୍ୟ ଦେଖେଇଛି। ଆଜି ଓଡ଼ିଶାର ସହରଠୁ ନେଇ ପୁରପଲ୍ଲୀମାନଙ୍କରେ ହଜାର ହଜାର ପରିବାର ଦହିବରା ଆଳୁଦମ ବିକ୍ରି କରି ନିଜର ଗୁଜରାଣ ମେଣ୍ଟଉଛନ୍ତି। ଆଶ୍ଚର୍ଯ୍ୟ ଲାଗେ ଏହାକୁ ପ୍ରତିହତ କରିବା ଲାଗି ରଘୁ ମଉସା ତାଙ୍କ ଦହିବରା ଆଳୁଦମ ଯୋଡ଼ିର କୌଣସି ପେଟେଣ୍ଟ ଦାବି କରିନାହାନ୍ତି କି ଏଥିପାଇଁ କ୍ଷୋଭ ବି ପ୍ରକାଶ କରିନାହାନ୍ତି। ସେ ଦିନକୁ ମାତ୍ର ଦୁଇ ଶହ ଜଣଙ୍କ ନିମନ୍ତେ ଦହିବରା ପ୍ରସ୍ତୁତ କରିଥାନ୍ତି ଏବଂ ଦୁଇ ତିନି ଘଣ୍ଟା ଭିତରେ ଏହାକୁ ବିକ୍ରି କରିଦେଇ ଘରକୁ ଫେରିଯାଇଥାନ୍ତି। ରଘୁ ମଉସା ଫେରିଗଲା ପରେ ଯାଇ ଅନ୍ୟମାନଙ୍କର ଦହିବରା ଆଳୁଦମ ବିକ୍ରି ଆରମ୍ଭ ହୋଇଥାଏ। ଏଥିପାଇଁ ରଘୁଙ୍କର କୌଣସି ଅଭିଯୋଗ ନ ଥିଲା କି ଦିନକୁ ଅଧିକରୁ ଅଧିକ ଦହିବରା ପ୍ରସ୍ତୁତ କରି ଭିନ୍ନ ଭିନ୍ନ ସ୍ଥାନରେ ଦୋକାନ କରି ବିକ୍ରୟ କରିବା ପାଇଁ କୌଣସି ଲୋଭ ମଧ୍ୟ ନ ଥିଲା। 
ଏଇଥିପାଇଁ ବୋଧହୁଏ ରଘୁ ମଉସା ପଞ୍ଚସ୍ତରି ବର୍ଷ ଧରି ଦହିବରା ଆଳୁଦମ ବିକ୍ରି କରି ମଧ୍ୟ ହଳଦିରାମ, ଗାଙ୍ଗୁରାମ କିମ୍ବା ପ୍ରଭୁଜୀଙ୍କ ସଦୃଶ କୋଟିପତି ହୋଇପାରି ନ ଥିଲେ। ସେ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଠିଆ ହୋଇ ବିକ୍ରି କରୁଥିଲେ। ସେ ତାଙ୍କ ବ୍ୟବସାୟରେ କୌଣସି ଆଧୁନିକ କଳାକୌଶଳ ବ୍ୟବହାର କରୁ ନ ଥିଲେ। ସେ ଜଣେ ପରିବେଶବିତ୍ ଥିଲେ ତେଣୁ ଦହିବରା ଆଳୁଦମ ଖାଇବା ପାଇଁ କୌଣସି ପ୍ଲାଷ୍ଟିକ ଚାମଚ କି ପ୍ଲେଟ ଦେଉ ନ ଥିଲେ। ତାଳପତ୍ର ଦନାରେ ଗରାଖଙ୍କ ହାତକୁ ହସି ହସି ବଢ଼େଇ ଦେଉଥିଲେ ଏବଂ ଜୀବନ ସାରା ଖୋଲା ଆକାଶ ତଳେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। 
ବନ୍ଧୁଗଣ, କଳା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ରାଜ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରେ। ରନ୍ଧନ ଏକ ସୃଜନାତ୍ମକ କଳା ଅଟେ। ଯଦି ଜଣେ ବ୍ୟକ୍ତି ଗଳ୍ପ ଲେଖି, ଗୀତ ଗାଇ କିମ୍ବା ନୃତ୍ୟ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପାଉଛି ତେବେ ରଘୁଙ୍କୁ କାହିଁକି ନୁହେଁ? ଯଦି ଜଣେ କବି, ଗାଳ୍ପିକ କିମ୍ବା ନର୍ତ୍ତକୀଙ୍କ ବିୟୋଗରେ ରାଜ୍ୟ ସରକାର ସମ୍ମାନ ପ୍ରଦର୍ଶନ କରୁଛନ୍ତି ତେବେ ରଘୁଙ୍କ ପାଇଁ କାହିଁକି ନୁହେଁ? ରଘୁଙ୍କୁ ମାନ ସମ୍ମାନ ଦେବାରେ ଏଭଳି ପାନ୍ତରଅନ୍ତର ନୀତି କାହିଁକି? 
ଏହି ସବୁ ପ୍ରଶ୍ନର ଉତ୍ତର ଭାବିଲା ବେଳେ ଜଣେ ପଣ୍ଡିତ ଓ ତାଙ୍କ ତିନି ପୁଅଙ୍କ କଥା ମନେ ପଡୁଛି। ଥରେ ପଣ୍ଡିତ ମହାଶୟ ତାଙ୍କ ବାଲ୍ୟବନ୍ଧୁଙ୍କୁ ତାଙ୍କ ତିନି ପୁଅଙ୍କ ବିଷୟରେ କହୁଥିଲେ। ବଡ଼ ପୁଅ ଡାକ୍ତର। ଏକ ସୁପ୍ରସିଦ୍ଧ ହସ୍‌ପିଟାଲରେ ଚାକିରି କରୁଛି। ମଝିଅଁା ପୁଅ ଇଂଜିନିଅର। ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଯୋଗ ଦେଇଛି। ଦୁଇ ପୁଅଙ୍କ ବିଷୟ ଗର୍ବରେ ବର୍ଣ୍ଣନା କରି ପଣ୍ଡିତେ ଚୁପ୍ ହୋଇଗଲେ। ବନ୍ଧୁ ପଣ୍ଡିତଙ୍କ ସାନ ପୁଅ ବିଷୟ ଜାଣିବାକୁ ଚାହିଁବାରୁ ସେ କହିଲେ, “ଛାଡ଼ନ୍ତୁୁ ଆଜ୍ଞା, ସେଇଟା କୁଳାଙ୍ଗାରଟିଏ। ପାଠଶାଠ ପଢ଼ିଲା ନାହିଁ। ତା’ କଥା ଆଉ କ’ଣ କହିବି?” କିଛି ସମୟ ପରେ ବନ୍ଧୁ ଜାଣିପାରିଲେ ଯେ ବଡ଼ ଓ ମଝିଅଁା ଦୁହେଁ ସେମାନଙ୍କ ପରିବାର ନେଇ ଅଲଗା ରହୁଛନ୍ତି। ତେଣୁ ପଣ୍ଡିତଙ୍କ ଘର ଖର୍ଚ୍ଚବାଚ କେମିତି ଉଠୁଛି ବୋଲି ବନ୍ଧୁ ପଚାରିଲେ। ପଣ୍ଡିତେ କହିଲେ, “ସେ ସାନଟା ବସ୍‌ଷ୍ଟାଣ୍ଡରେ ଗୋଟେ ଦହିବରା ଆଳୁଦମ ଠେଲା ଲଗେଇଛି। ଭଲ ଦୁଇ ପଇସା ରୋଜଗାର କରୁଛି। ସେଇଥିରୁ ଆମେ ଛଅ ପ୍ରାଣୀ କୁଟୁମ୍ବ ଖାଇପିଇ ଚଳିଯାଉଛୁ।”
ଦେଖିଲେ ତ ଆଜ୍ଞା, ଯାହାର ଦହିବରା ଆଳୁଦମ ଦୋକାନର ଆମଦାନିରୁ ପଣ୍ଡିତ ଓ ପଣ୍ଡିତାଣୀଙ୍କ ସମେତ ଘରର ସବୁ ଖର୍ଚ୍ଚବାଚ ଉଠୁଛି ସେ ହେଉଛି ‘କୁଳାଙ୍ଗାର’ ଆଉ ଯେଉଁ ବଡ଼ ବଡ଼ ନଁାକରା ପୁଅମାନେ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନେ ହେଉଛନ୍ତି ‘କୁଳଦୀପକ’। ବଡ଼ ଓ ମଝିଅଁାଙ୍କ ପାଇଁ ପଣ୍ଡିତଙ୍କ ଛାତି ଗର୍ବରେ ଫାଟିଯାଉଛି ଅଥଚ ସାନ ଯିଏ ପାଠଶାଠ ନ ପଢ଼ିଲେ ମଧ୍ୟ ଦି’ପଇସା ରୋଜଗାର କରି ଘର ଚଳାଉଛି, ତା’ ପାଇଁ ତାଙ୍କର ମୁହଁ କୁଆଡ଼େ ତଳକୁ ହୋଇଯାଉଛି। ରଘୁ ହେଉଛନ୍ତି ଏହି ପଣ୍ଡିତଙ୍କ ସାନ ପୁଅ ସଦୃଶ, ଯିଏ କି ବଡ଼ ଓ ମଝିଅଁାଙ୍କ ଆଢୁଆଳରେ ଦୃଶ୍ୟମାନ ହେଲେ ନାହିଁ କି ହେବା ପାଇଁ ଚେଷ୍ଟା ବି କଲେ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭