ଶ୍ୟାମସୁନ୍ଦର ଅଗ୍ରୱାଲା

Advertisment

ଓଡ଼ିଶାରେ ଗୋଟେ ଢଗ ଅଛି- “ଚାଷ ତରତର, ବଣିଜ ମଠ।” ଅର୍ଥାତ୍ ଚାଷବାଷ ଯେତିକି ତରବର ହୋଇ କରିବା କଥା ବେପାର ବଣିଜ ସେତିକି ଭାବିଚିନ୍ତି ସମୟ ନେଇକି କରିବା କଥା। ଚାଷରେ ଆପଣ ସମୟର ଋତୁଚକ୍ର ଅଧୀନରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି କିନ୍ତୁ ବେପାରରେ ସେମିତି କିଛି ବାଧ୍ୟବାଧକତା ନ ଥାଏ। ଚାଷବାଷରେ କୌଣସି ଭୁଲ୍ ନିଷ୍ପତ୍ତି ଆପଣଙ୍କୁ ଗୋଟିଏ ଋତୁ ପାଇଁ କ୍ଷତି ପହଞ୍ଚାଇଥାଏ କିନ୍ତୁ ବେପାର ବଣିଜରେ ଗୋଟିଏ ଭୁଲ୍ ନିଷ୍ପତ୍ତି ଆପଣଙ୍କୁ ଜୀବନସାରା କ୍ଷତି ପହଞ୍ଚାଇଥାଏ। ତେଣୁ ପଣ୍ଡିତମାନେ ଚାଷବାଷ ପାଇଁ ତରବରରେ ନିଷ୍ପତ୍ତି ନେବା ପାଇଁ କହିଥିଲାବେଳେ ବେପାର ବଣିଜ ପାଇଁ ଖୁବ୍ ଭାବିଚିନ୍ତି ନିଷ୍ପତ୍ତି ନେବା ପାଇଁ କହିଥାନ୍ତି। 
ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବୋଧହୁଏ ଏହି ଢଗର ଜ୍ଞାନ ସହିତ ପରିଚିତ ନୁହନ୍ତି ନଚେତ ବାରମ୍ବାର ଆମଦାନି ଟିକସ ଉପରେ ଏଭଳି ତରବରିଆ ନିଷ୍ପତ୍ତି ନେଇ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁ ନଥାନ୍ତେ। ପୃଥିବୀ ବାଣିଜ୍ୟ ବଜାରରେ ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ସର୍ବବୃହତ୍ ରାଷ୍ଟ୍ର ଯାହାର ମୁଦ୍ରାରେ ସାରା ବିଶ୍ୱର ବ୍ୟବସାୟ ପରିଚାଳିତ ହେଉଛି। ଏହି ସର୍ବବୃହତ୍ ଖାଉଟି ରାଷ୍ଟ୍ର ପୃଥିବୀର ଅନ୍ୟାନ୍ୟ ଛୋଟ, ମଧ୍ୟମ ଓ ବଡ଼ ବଡ଼ ରାଷ୍ଟ୍ରମାନଙ୍କଠାରୁ ପ୍ରଚୁର ଆମଦାନି କରିବାକୁ ବାଧ୍ୟ ହୋଇଥାଏ। ଗୋଟିଏ ବଡ଼ ଖାଉଟି ରାଷ୍ଟ୍ର ହୋଇ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ଉପରେ ଏଭଳି ଅତର୍କିତ ଟିକସ ଆକ୍ରମଣ ଭବିଷ୍ୟତରେ ଆତ୍ମଘାତୀ ହୋଇପାରେ। ଏହିଭଳି ‘ଯେସାକୁ-ତେସା’ ନୀତି ‘ଘଇତା ପଛେ ମରୁ କିନ୍ତୁ ସଉତୁଣୀ ବିଧବା ହେଉ’ ସହିତ ତୁଳନୀୟ, କିନ୍ତୁ ସେ ବୁଝିପାରୁ ନାହାନ୍ତି ଯେ ଏହାଦ୍ୱାରା ସଉତୁଣୀ ହୁଏତ ବିଧବା ନ ହୋଇପାରେ କିନ୍ତୁ ଘରେ ଘଇତାର ମୃତ୍ୟୁ ସୁନିଶ୍ଚିତ। 
ଗଁାରେ ଗୋଟେ ବହୁତ ବଡ଼ ଦୋକାନ ଖୋଲିଲା। ସେହି ବଡ଼ ଦୋକାନ ପାଖରେ ଗୋଟେ ଛୋଟିଆ ଦୋକାନ ଥିଲା। ବଡ଼ ଦୋକାନୀ ତାହାର ବ୍ୟବସାୟକୁ ଧୀରେ ଧୀରେ ଅକ୍ତିଆର କରିନେବାକୁ ଚାହିଁଲା, ତେଣୁ ସେ ତା’ ଦୋକାନ ସାମ୍ନାରେ ଗୋଟେ ବୋର୍ଡ ମାରିଦେଲା ଯେ ସୋରିଷ ତେଲ ଲିଟର ମାତ୍ର ଶହେ ଟଙ୍କା। ଛୋଟ ଦୋକାନୀଟି କରିବ କ’ଣ? ସେ ମଧ୍ୟ ତା’ ଦୋକାନ ସାମ୍ନାରେ ବୋର୍ଡ ମାରିଦେଲା ଯେ ସୋରିଷ ତେଲ ଲିଟର ମାତ୍ର ନବେ ଟଙ୍କା। ବଡ଼ ଦୋକାନୀ କ୍ରୋଧାନ୍ୱିତ ହୋଇ ଲେଖିଲା ସୋରିଷ ତେଲ ଲିଟର ଅଶି ଟଙ୍କା। ଛୋଟ ଦୋକାନୀ ଲେଖିଲା ସତୁରି ଟଙ୍କା। ବଡ଼ ଦୋକାନୀ ଷାଠିଏ କରିଦେଲା ତ ଛୋଟ ଦୋକାନୀ କରିଦେଲା ପଚାଶ। ଥରେ ଜଣେ ଗ୍ରାହକ ଛୋଟ ଦୋକାନୀକୁ ଉପଦେଶ ଦେଇ କହିଲେ, “ତୁମେ କାହିଁକି ତା’ ସହିତ ପ୍ରତିଯୋଗିତା କରୁଛ? ସିଏ ବଡ଼ ଦୋକାନୀ କ୍ଷତି ସହିପାରେ କିନ୍ତୁ ତୁମେ ନୁହଁ।” ଛୋଟ ଦୋକାନୀ କହିଲା, “ଆଜ୍ଞା, ସେ ବୁଝୁନି, ତା’ର ଏହା ଭିତରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇସାରିଲାଣି କିନ୍ତୁ ମୋ’ର ଟଙ୍କାଟିଏ ବି କ୍ଷତି ହୋଇନାହିଁ।” ଗ୍ରାହକ “କେମିତି?” ବୋଲି ପଚାରିବାରୁ ସେ ହସି ହସି କହିଲା, “ମୁଁ ମୋ ଦୋକାନରେ ସୋରିଷ ତେଲ ରଖୁନାହିଁ। ଖାଲି ବୋର୍ଡଟା ଝୁଲୁଛି, ଯାହାକୁ ଦେଖିକି ସେ ବାରମ୍ବାର ଦର କମେଇ ନିଜର କେବଳ କ୍ଷତି କରି ଚାଲିଛି।”
ଆମେରିକା ରାଷ୍ଟ୍ରପତି ଡୋନାଲ‌୍ଡ ଟ୍ରମ୍ପ କେବଳ ତାଙ୍କର ଜିଦ୍‌ରେ ରହି କିଛି ନ ବୁଝି ନ ସୁଝି ଏଭଲି ତରବାରିଆ ନିଷ୍ପତ୍ତି ସବୁ ନେଉଛନ୍ତି। ସେ ବୁଝୁନାହାନ୍ତି ଯେ ଆମେରିକା ଏକ ବୃହତ୍ ଖାଉଟି ରାଷ୍ଟ୍ର ଯିଏ କି ଚୀନ, ଭାରତ, ସିଙ୍ଗାପୁର, ଜାପାନ, ବାଂଲାଦେଶ, ଭିଏତନାମ ଓ ଅନ୍ୟାନ୍ୟ ଛୋଟଠୁ ନେଇ ବଡ଼ ରାଷ୍ଟ୍ରମାନଙ୍କରେ ଉତ୍ପାଦିତ ଶସ୍ତା ପଦାର୍ଥମାନଙ୍କୁ ଆମଦାନି କରି ତାଙ୍କ ଦେଶରେ ଶସ୍ତାରେ ବିକ୍ରୟ କରୁଛନ୍ତି। ଆମେରିକାରେ ଶ୍ରମିକ ଓ ଉତ୍ପାଦନ ଖର୍ଚ୍ଚ ଖୁବ୍ ଅଧିକ ହୋଇଥିବାରୁ ତାହାର ଉତ୍ପାଦନ ବାହାର ଦେଶର ପଦାର୍ଥମାନଙ୍କ ସହିତ ମୁକାବିଲା କରିପାରିବ ନାହିଁ ଏବଂ ଏହି ଟିକସ ଯୁଦ୍ଧରେ ସେହି ଆମେରିକାବାସୀ ହିଁ ଅଯଥା ଅତ୍ୟଧିକ ଦରଦାମ ବୃଦ୍ଧିର ଶିକାର ହେଉଛନ୍ତି। 
ବାଣିଜ୍ୟରେ ‘ଯେସାକୁ-ତେସା’ ନୀତି ଚଳେ ନାହିଁ। ଏହିଭଳି ନୀତି ଏକ ପାଗଳର ପ୍ରଳାପ ସଦୃଶ ମନେ ହୁଏ। ଏହାର ପ୍ରତିଫଳନ ଆମେରିକାର ସମାଜ ଓ ବଜାର ଉପରେ ଦିଶିବାକୁ ଆରମ୍ଭ କଲାଣି, ଯେଉଁଥିପାଇଁ ସେ ବର୍ତ୍ତମାନ ଚତୁର୍ଦିଗରୁ ପ୍ରବଳ ବିରୋଧର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ “ହେଇଟି ଦେଖ, ରାଷ୍ଟ୍ରମାନେ କେମିତି ମୋ ପାଦ ଚାଟିବାକୁ ବ୍ୟସ୍ତ ହୋଇପଡ଼ିଲେଣି କହି” ଏହି ଟିକସ ସମୟକୁ ଆଉ ତିନି ମାସ ଘୁଞ୍ଚେଇ ଦେଇଛନ୍ତି। 
ତେବେ ଯେତେ ଯାହା ସେ ଫୁଟାଣି ମାରି କଥାବାର୍ତ୍ତା କରନ୍ତୁ ପଛେ ଏ କଥା ସତ ଯେ ଆମେରିକା ଅନ୍ୟ ଦେଶରୁ ଆମଦାନି ନ କରି ଚଳିପାରିବ ନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୋଟିଏ କଥା ଲେଖିବାକୁ ଚାହୁଛି। ଥରେ ଆମେରିକାର ଜଣେ ସିନେଟର ଘରକୁ ଫୋନ କରି ତାଙ୍କ ପତ୍ନୀଙ୍କୁ କହିଲେ, “ଆଜି ମୁଁ ଦୁଇ ଜଣ ରିପବ୍ଲିକାନ ବନ୍ଧୁଙ୍କୁ ନେଇ ଘରକୁ ଆସିବି ତେଣୁ ମୁଁ ଆସିବା ପୂର୍ବରୁ ତୁମେ ଆମ ଘରୁ ଚୀନ, ବାଂଲାଦେଶ, ଭାରତ ଓ ଭିଏତନାମର ଯେତେ ଜିନିଷ ଅଛି ସବୁ ବାହାର କରିଦେବ। ସେମାନେ ଦେଖି ଖୁସି ହେବେ।” ରାତିକୁ ସ୍ୱାମୀ ଦୁଇ ବନ୍ଧୁଙ୍କ ସହ ଘରକୁ ଆସି ଦେଖିଲେ ଘରର କବାଟ ନାହିଁ, ଝରକା ନାହିଁ, ଡାଇନିଂ ଟେବୁଲ ନାହିଁ କି ଚଉକି ନାହିଁ। ରୋଷେଇ ଘରେ ଫ୍ରିଜ ନାହିଁ କି ମାଇକ୍ରୋ ଓଭେନ ନାହିଁ କି ମିକ୍‌ସର ନାହିଁ। ପ୍ରବଳ ଗରମ ହେଉଛି, ଏସି ନାହିଁ। ବାହାରୁ ସବୁ ଦିଶୁଛି, ଗୋଟେ ପରଦା ମଧ୍ୟ ନାହିଁ। ରିପବ୍ଲିକାନ ବନ୍ଧୁମାନେ ଏହା ଦେଖି ବହୁତ ଖୁସି ହେଲେ, ଆଉ ସବୁଠୁ ବେଶୀ ଖୁସି ହେଲେ ଯେତେବେଳେ ବନ୍ଧୁଙ୍କ ପତ୍ନୀଙ୍କୁ ଦେଖିଲେ କାରଣ ତାଙ୍କ ଦେହରେ ଖଣ୍ଡେ ଲୁଗା ବି ନଥିଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭