ତଟୀୟ ଓଡ଼ିଶାର ଦୈର୍ଘ୍ୟ ହେଉଛି ୪୮୦ କିଲୋମିଟର, ଦେଶର ସମୁଦ୍ର ସୀମାର ୬ ପ୍ରତିଶତ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖ ଓ ଋଷିକୁଲ୍ୟା ଭଳି ଛଅଟି ନଦୀର ତ୍ରିକୋଣ ଭୂମି ଦ୍ୱାରା ଗଠିତ ଆମ ତଟ ଅଂଚଳ ପ୍ରସ୍ଥରେ ୧୦ କିଲୋମିଟରରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ, ଯାହାର ୭୦% ବାଲୁକା ହୋଇଥିବା ବେଳେ ୧୫% ହେନ୍ତାଳ ବନାଞ୍ଚଳ, ୧୦% କାଦୁଆ ସମତଳ ଭୂମି ଓ ଅବଶିଷ୍ଟ ୫% ମୁହାଣ ଅଞ୍ଚଳ। ଏହା ଧୂସର ସବୁଜ ଦରିଆ ଅଲିଭ ରିଡ୍ଲେ କଇଁଛର ପସନ୍ଦଯୋଗ୍ୟ ପ୍ରଜନନ ସ୍ଥଳ ସକାଶେ ପୃଥିବୀ ସାରା ପ୍ରସିଦ୍ଧି ଲାଭ କରିଛି।
ସମୁଦ୍ର କଇଁଛ ମୁଖ୍ୟତଃ ସାତଟି ଜାତିରେ ବିଦ୍ୟମାନ, ଯେମତିକି ଲଢୁଆ ବା ଫାଇଟର, ସବୁଜ ବା ଗ୍ରିନ୍, ଛଞ୍ଚାଣ ଇଣ୍ଟିଆ ବା ହକ୍ସ ବିଲ୍, ଚମଡ଼ା ପିଠିଆ ବା ଲେଦର ବ୍ୟାକ୍, ସିଲପଟ୍ ପିଠିଆ ବା ପ୍ଲେନ୍ ବ୍ୟାକ୍, କେମ୍ପ୍ ରିଡ୍ଲେ ଓ ଅଲିଭ୍ ରିଡ୍ଲେ। ଲଢୁଆ କଇଁଛ ଓଜନରେ ତିନିରୁ ଛଅ କ୍ବିଣ୍ଟାଲ ଓ ଆକାରରେ ପ୍ରାୟ ୬ ଫୁଟି ଲମ୍ବ ବିଶିଷ୍ଟ ହୋଇଥାଏ, ଯାହା ସର୍ବବୃହତ୍ ଏବଂ କ୍ଷୁଦ୍ରତମ ହେଉଛି କେମ୍ପ୍ ରିଡ୍ଲେ, ଯାହାର ଓଜନ ମାତ୍ର ୩୩ରୁ ୪୫ କିଲୋଗ୍ରାମ ଓ ଲମ୍ବ ୨ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ତା’ ଉପରକୁ ଅଲିଭ୍ ରିଡ୍ଲେ, ଯାହାର ଲମ୍ବ ୨.୫ ଫୁଟ ଓ ଓଜନ ୩୬ରୁ ୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ତେବେ ଅଲିଭ୍ ରିଡ୍ଲେ ହେଉଛି ସଂଖ୍ୟାରେ ସର୍ବାଧିକ। ଏବଂ ଅଲିଭ୍ ରିଡ୍ଲେ ହେଉଛି ଓଡ଼ିଶା ଉପକୂଳ ଲାଗି ପରିବ୍ରାଜକ ସାଗର କଇଁଛ।
ଅଲିଭ କଇଁଛ ପ୍ରାୟ ୮୦ଟି ଦେଶର ଜଳଭାଗରେ ଦେଖା ଯାଆନ୍ତି। ଭାରତ ସମେତ କୋଷ୍ଟାରିକା, ମେକ୍ସିକୋ, ଜାପାନ, ସୁରିନାମ୍, ଭେନେଜୁଆଲା, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ନିଉଜିଲାଣ୍ଡ୍, ଚିଲି, ନିକାରାଗୁଆ, ବ୍ରାଜିଲ, ଗବନ, ଗୁଆନା ଇତ୍ୟାଦି ଦେଶର ଉପକୂଳରେ ଏମାନେ ବିଚରଣ କରନ୍ତି। ପଚାଶ ବର୍ଷର ଜୀବନକାଳରେ ଏହି ଶୀତଳ ରକ୍ତଧାରୀ ପ୍ରାଣୀ ପରିସ୍ଥିତି ଅନୁସାରେ ଆଶ୍ରୟ ସ୍ଥଳ ବଦଳାନ୍ତି। ଆବଶ୍ୟକ ଖାଦ୍ୟ ପାଇଁ ସେମାନେ ସାଗରରେ ଯାଯାବର ଜୀବନ କାଟନ୍ତି। କୂଳଠାରୁ ୧୫ କିଲୋମିଟର ମଧ୍ୟରେ ଓ ୨୨ରୁ ୫୫ ମିଟର ଗଭୀର ପାଣିରେ ଏମାନେ ବିଚରଣ କରନ୍ତି। ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଗେଣ୍ଡା, ଶାମୁକା, ତାରକା ମାଛ ବା ଷ୍ଟାର୍ ଫିସ୍, ଜେଲି ମାଛ ଓ ଅଣ୍ଡା ଏବଂ ଅଭାବ ସମୟରେ ଲାଞ୍ଜିଆ ଶୈବାଳ ଏମାନଙ୍କ ଆହାର ହୋଇଥାଏ।
୧୫ ବର୍ଷରେ ପ୍ରଜନନକ୍ଷମ ହେଉଥିବା ଅଲିଭ କଇଁଛ ବାସସ୍ଥାନଠାରୁ ହଜାରହଜାର କିଲୋମିଟର ଦୂରତା ଅତିକ୍ରମ କରି ଅଣ୍ଡା ଦେବା ସ୍ଥାନକୁ ଆସନ୍ତି।
କେତେକ ଅନୁଧ୍ୟାନ କହିଥାଏ ଯେ ନିଜର ବାସସ୍ଥାନରେ ଏମାନେ ହୁଏତ ଅଣ୍ଡା ଦିଅନ୍ତେ, କିନ୍ତୁ ସୁରକ୍ଷିତ ଏନ୍ତୁଡ଼ିଶାଳର ସନ୍ଧାନରେ ଶାନ୍ତ ଉପକୂଳକୁ ଗମନ କରନ୍ତି। ସେଥିପାଇଁ ଆମ ରାଜ୍ୟରେ ଗହୀରମଥାର ଏକକୂଳ ନାସି ସେମାନଙ୍କର ସର୍ବାଧିକ ପସନ୍ଦଯୋଗ୍ୟ ଅଣ୍ଡାଦିଆ ସ୍ଥାନ ଭାବେ ପ୍ରସିଦ୍ଧି ଲାଭ କରିଛି।
ଜାନୁଆରି ଶେଷ ସପ୍ତାହରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ମଧ୍ୟରେ ଅନୁକୂଳ ପାଣିପାଗକୁ ଦେଖି ମାଳମାଳ କଇଁଛ ଏକ ସାଙ୍ଗରେ ବାଲି ଶଯ୍ୟା ଉପରକୁ ଉଠିଆସି ଅଣ୍ଡା ଦିଅନ୍ତି। ଏହି ପର୍ଯ୍ୟାୟକୁ ‘ଆଡ଼ିବାଡ଼ା’ କୁହାଯାଏ। ଏହା ଏକ ସ୍ପେନୀୟ ଶବ୍ଦ, ଯାହାର ଅର୍ଥ ଆଗମନ। ସୁତରାଂ, ଆଗନ୍ତୁକ ଅଲିଭ୍ ରିଡ୍ଲେ ଉପକୂଳର ସଫାସୁତୁରା ସମତଳ ଅଞ୍ଚଳ ବାଛି ତହିଁରେ ଫୁଟେରୁ ଦେଢ଼ ଫୁଟ ଗଭୀର ଗାତ ଖୋଳି ୬୦ରୁ ୧୨୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇ ଗାତକୁ ପୋତି ପକାନ୍ତି। ତା’ ପରେ ପାଣିକୁ ଫେରିଯାଇ ଛୁଆ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହନ୍ତି। ଅଲିଭ୍ ରିଡ୍ଲେଙ୍କ ଅଣ୍ଡା ଦାନ ହେଉଛି ମୋଟାମୋଟି ଭାବେ ଏକ ରାତ୍ରିକାଳୀନ ନିଭୃତ କାର୍ଯ୍ୟ, ଯଦିଓ ପରିବେଶ ଓ ପରିସ୍ଥିତି ଅନୁସାରେ ବ୍ୟତିକ୍ରମ ହୋଇପାରେ। ଅଣ୍ଡା ଦେଇସାରି କଇଁଛ ଗାତକୁ ପୋତି ଏମିତି ସମତଳ କରି ଦିଅନ୍ତି ଯେ କେଉଁଠି ଅଣ୍ଡା ଅଛି ତାହା ଠଉରାଇବା ଅସମ୍ଭବ ହୋଇପଡ଼େ। ୪୫ରୁ ୫୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଆପେ ଆପେ ବାଲି ଉପରକୁ ଆସନ୍ତି। ଶାବକର ଲିଙ୍ଗ ନିର୍ଦ୍ଧାରଣରେ ତାପମାତ୍ରାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଅର୍ଥାତ୍ ୨୮ ଡିଗ୍ରି ସେଲ୍ସିଅସ୍ କିମ୍ବା କମ୍ ତାପମାତ୍ରାରେ ଅଣ୍ଡିରା ଓ ୩୧ରୁ ୩୨ ଡିଗ୍ରି ସେଲ୍ସିଅସ୍ ମଧ୍ୟରେ ମାଈ ଏବଂ ୨୯ରୁ ୩୦ ଡିଗ୍ରି ସେଲ୍ସିଅସ୍ରେ ‘ମିଶ୍ରଲିଙ୍ଗୀ’ ଶାବକ ଜନ୍ମ ହୁଅନ୍ତି। ପ୍ରଜନନ ସଫଳତାର ହାର ମଧ୍ୟ ଖୁବ୍ କମ୍; ମାତ୍ର ୧ରୁ ୮ ପ୍ରତିଶତ। ବାଲିରୁ ବାହାରି କଇଁଛ ଛୁଆ ସାଗରମୁହାଁ ହୋଇ ଅବଶେଷରେ ମା’ ସହିତ ମିଶନ୍ତି।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହିତ ଋଷିକୁଲ୍ୟା ନଦୀ ମୁହାଣ ମଧ୍ୟ ଅଲିଭ୍ କଇଁଛର ଅଣ୍ଡାଦାନ ସ୍ଥାନ ଭାବରେ ଖ୍ୟାତି ଲାଭ କଲାଣି। ଏହି ଦୁଇଟି ସ୍ଥାନରେ ୨୦୨୧ ଓ ୨୦୨୨ ମସିହାରେ ଯଥାକ୍ରମେ ୧୦.୫୧ ଓ ୧୧.୪୯ ଲକ୍ଷ କଇଁଛ ଅଣ୍ଡା ଦେଇଛନ୍ତି। ପୁଣି ଦେଖିବାକୁ ମିଳିଛି ଯେ ଗହୀରମଥା ଅପେକ୍ଷା ଋଷିକୁଲ୍ୟା ମୁହାଣରେ ଏ ସଂଖ୍ୟା ଅଧିକ। ଏହାଛଡ଼ା ଦେବୀ, ବାହୁଦା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ମୁହାଣରେ ମଧ୍ୟ ଏହି ପରିବ୍ରାଜକ କଇଁଛ ଅଣ୍ଡା ଦେବା ଆରମ୍ଭ କଲେଣି। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶା ଉପକୂଳକୁ ସେମାନେ ପସନ୍ଦ କରି ସାରିଛନ୍ତି।
ଏହି ଯାଯାବର ପ୍ରାଣୀଙ୍କ ଲାଗି ବିପଦର କାରଣ ହେଲେ ମାଛଧରା ଡଙ୍ଗା, ଟ୍ରଲର୍ ଓ ଜାହାଜ। ମାଛଧରା ଜାଲରେ ଛନ୍ଦି ହୋଇ ବା ଟ୍ରଲର୍ର ପଙ୍ଖା ମାଡ଼ରେ ଏମାନଙ୍କ ମୃତ୍ୟୁ ହୋଇଥାଏ। ପୁଣି ବିଲୁଆ, କୁକୁର ଓ ଘୁଷୁରୀ ଇତ୍ୟାଦି ଜନ୍ତୁ ବାଲି ଖୋଳି ଅଣ୍ଡାକୁ ଖାଇଯାଆନ୍ତି। ପୁଣି କେତେକ ସ୍ଥାନରେ ଲୋକେ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି। ତା’ ଛଡ଼ା ଅନେକ ପଶୁପକ୍ଷୀ ଓ ବଡ଼ ମାଛ ବା କୁମ୍ଭୀର ଏମାନଙ୍କର ଶତ୍ରୁ। ପୁଣି ତଟୀୟ ପର୍ଯ୍ୟଟନ ସକାଶେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ଏମାନଙ୍କୁ ଅଥୟ କରି ପକାଉଛି।
ସ୍ୱଚ୍ଛ, ସୁସ୍ଥ ଓ ସମୃଦ୍ଧ ସମୁଦ୍ର ପାଇଁ ତଟ ଦେଶରେ କଚ୍ଛପର ଉପସ୍ଥିତି ସର୍ବାଦୌ କାମ୍ୟ। ଏମାନେ ପ୍ରବାଳ ସମୁଦ୍ର ଘାସର ରକ୍ଷକ, ଯାହା ସାଗାର ପରିବେଶ ଲାଗି ଅତି ଅନୁକୂଳ ଓ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳର ପ୍ରମୁଖ ଅଂଶବିଶେଷ।
ଏହି ଅତିଥି ପ୍ରାଣୀଙ୍କ ପସନ୍ଦ କାରଣରୁ ଆମ ଉପକୂଳ ସୁଖ୍ୟାତି ହାସଲ କରିଛି। ତେଣୁ ଏମାନଙ୍କ ଆଗମନରେ ଯେମିତି ବାଧା ନ ପହଞ୍ଚେ ତାହା ଆମ ଧ୍ୟାନରେ ରହିବା ଦରକାର। ଜାତୀୟ ତଟ ସୁରକ୍ଷା ବଳ ୨୦୧୪ ମସିହାରୁ ‘ଅପରେସନ୍ ଅଲିଭ୍’ କାର୍ଯ୍ୟକ୍ରମ ମାଧ୍ୟମରେ କଇଁଛ ସୁରକ୍ଷା କରୁଛନ୍ତି। ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ତଦାରଖ କରୁଛନ୍ତି। ଆମର ଏ ପ୍ରୟାସ ପୃଥିବୀ ଲାଗି ଏକ ଦୃଷ୍ଟାନ୍ତ ହେଉ।
ମୋ: ୯୪୩୭୦୮୦୨୩୩
ଆମ ତଟର ପରିବ୍ରାଜକ କଇଁଛ
ତଟୀୟ ଓଡ଼ିଶାର ଦୈର୍ଘ୍ୟ ହେଉଛି ୪୮୦ କିଲୋମିଟର, ଦେଶର ସମୁଦ୍ର ସୀମାର ୬ ପ୍ରତିଶତ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖ ଓ ଋଷିକୁଲ୍ୟା ଭଳି ଛଅଟି ନଦୀର ତ୍ରିକୋଣ ଭୂମି ଦ୍ୱାରା ଗଠିତ ଆମ ତଟ ଅଂଚଳ ପ୍ରସ୍ଥରେ ୧୦ କିଲୋମିଟରରୁ...
/sambad/media/media_files/zHJRw5cCQc131EQsUDZP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)