ଗୌରଚନ୍ଦ୍ର ତ୍ରିପାଠୀ
‘ଜଗବନ୍ଧୁ ହେ ଗୋସାଇଁ/ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ/ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।’ କିଂବଦନ୍ତି କହେ, ଯବନ ଭକ୍ତ ସାଲବେଗ ରଥଯାତ୍ରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଇଚ୍ଛା କରିଥିଲେ। ଯାତ୍ରାରେ ପହଞ୍ଚିବାରେ ଡେରି ହେବାରୁ ସାଲବେଗଙ୍କ ଗୁହାରି ଶୁଣି ତାଙ୍କ ଅପେକ୍ଷାରେ ନନ୍ଦିଘୋଷ ବଡ଼ ଦାଣ୍ଡରେ ଅଟକିଯାଇଥିଲେ ଏବଂ ସାଲବେଗ ବଡ଼ ଦାଣ୍ଡରେ ପହଞ୍ଚି ରଥେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ହିଁ ରଥ ଗଡ଼ିଥିଲେ। ପ୍ରଭୁ ଜଗନ୍ନାଥ ଜଗତର ନାଥ। ସେ ଭକ୍ତର ଭଗବାନ; ଯବନ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ସମସ୍ତେ ତାଙ୍କରି ସନ୍ତାନ। ସଜୀବ, ନିର୍ଜୀବ କୀଟପତଙ୍ଗ ସ୍ଥାବରଜଙ୍ଗମ ସବୁରି ଦିହରେ ସେ ବିଦ୍ୟମାନ। ହିରଣ୍ୟ କଶିପୁର ସଂଶୟ ଦୂର କରିବାକୁ ପ୍ରଭୁ ପାଷାଣ ଦେହରୁ ନୃସିଂହ ଅବତାରରେ ଆବିର୍ଭାବ ହୋଇଛନ୍ତି। ଭାବରେ, ଆପଣାପଣରେ ଭଗବାନ; ଜନ୍ମରେ ନୁହନ୍ତି। ଏହା ହିଁ ହିନ୍ଦୁ ଦର୍ଶନ, ସନାତନ ଧର୍ମ। ସନାତନ ଧର୍ମ, ଯାହା ବର୍ତ୍ତମାନ ହିନ୍ଦୁ ଧର୍ମ ଭାବେ ପ୍ରଚଳିତ, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସମ୍ପ୍ରଦାୟ କିମ୍ବା ଏକକ ଦେବତାଙ୍କ ବିଶ୍ବାସ ମଧ୍ୟରେ ସୀମିତ ନୁହେଁ। ସନାତନ ଧର୍ମରେ ଈଶ୍ୱରଙ୍କ ଧାରଣା ମୁଖ୍ୟତଃ ଅଗ୍ନି, ବାୟୁ ଓ ଜଳ ପରି ପ୍ରାକୃତିକ ଶକ୍ତି ଉପରେ ପର୍ଯ୍ୟବସିତ। ଭଗବାନ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ନେଇ ଗଠିତ ‘ତ୍ରିମୂର୍ତ୍ତି’ର ଧାରଣା ଜନ୍ମ, ଜୀବନ ଓ ମୃତ୍ୟୁ ଏହି ତିନିଟି ପର୍ଯ୍ୟାୟ ସହିତ ଜଡ଼ିତ। ସନାତନ ଧର୍ମ ବ୍ୟକ୍ତିବିଶେଷଙ୍କୁ ଈଶ୍ବରଙ୍କ ସାନ୍ନିଧ୍ୟ ଲାଭ ପାଇଁ ଭକ୍ତି, ଜ୍ଞାନ, କିମ୍ବା କର୍ମ ଯେକୌଣସି ମାର୍ଗ ଚୟନ ପାଇଁ ଅନୁମତି ଦେଇଥାଏ। ହିନ୍ଦୁ ଦାର୍ଶନିକ ଧାରଣା ‘ଆତ୍ମା’ ଉପରେ ବିଶ୍ୱାସ ରଖେ, ସମଗ୍ର ମାନବ ସମାଜ ପ୍ରତି ସମ୍ମାନ ଓ ସମାନ ମନୋଭାବର ସଂସ୍କୃତିକୁ ପ୍ରୋତ୍ସାହିତ କରେ; ଏହା ‘ଜୀବେଦୟା’- ଦୟା, କ୍ଷମା, ମୈତ୍ରୀ, ପ୍ରୀତିର ବାର୍ତ୍ତା ବହନ କରେ ଯେଉଁଠି ହିଂସାର କୌଣସି ସ୍ଥାନ ନାହିଁ। ଋଗ୍ବେଦରେ ଉଲ୍ଲେଖ ଅଛି ‘ଏକମ ସତ୍ୟ ବିପ୍ରା ବହୁଧା ବଦନ୍ତୀ।’ ଅର୍ଥାତ୍, ଭଗବାନ କେବଳ ଜଣେ, କିନ୍ତୁ ଜ୍ଞାନୀ ବ୍ୟକ୍ତି ତାଙ୍କୁ ଅନେକ ନାମରେ ଡାକନ୍ତି। ବୈଦିକ ଚିନ୍ତାଧାରା ଜଗତର ସମସ୍ତ ପ୍ରାଣୀଙ୍କ ମଙ୍ଗଳ କାମନା କରେ। ଏଥିରେ ସାମ୍ପ୍ରଦାୟିକତାର କୌଣସି ଉଲ୍ଲେଖ ନାହିଁ। ‘ଲୋକଃ ସମସ୍ତଃ ସୁଖିନୋ ଭବନ୍ତୁ’ ବା ଜଗତର ସମସ୍ତ ପ୍ରାଣୀ ଖୁସିରେ ରହନ୍ତୁ- ଏହା ଥିଲା ମହାମନୀଷୀଙ୍କ ବାର୍ତ୍ତା।
ପ୍ରାଚୀନ ଭାରତୀୟ ସଂସ୍କୃତିର ଯଦି ଅନୁଶୀଳନ କରାଯାଏ, ସମ୍ରାଟ ଅଶୋକଙ୍କ ଧମ୍ମ ନୀତି, ହର୍ଷଙ୍କ ଧାର୍ମିକ ସହନଶୀଳତା ଓ ଆକବରଙ୍କ ‘ଦିନ୍ ଇ-ଇଲାହି’ ଘୋଷଣାନାମା ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ପ୍ରତି ରହିଥିବା ସହିଷ୍ଣୁତାର ବାର୍ତ୍ତା ଦିଏ। ପ୍ରାୟ ଖ୍ରୀଷ୍ଟପୂର୍ବ ୨୫୦ ମସିହାରେ ଦିଆଯାଇଥିବା ଅଶୋକଙ୍କ ଦ୍ବାଦଶ ପ୍ରସ୍ତର ନିର୍ଦ୍ଦେଶରେ ଲିଖିତ ଅଛି, ‘କୌଣସି ଆଧାର ବିନା ନିଜ ଧାର୍ମିକ ସମ୍ପ୍ରଦାୟର ସମ୍ମାନ ଓ ଅନ୍ୟମାନଙ୍କର ନିନ୍ଦା କରାଯିବା ଉଚିତ୍ ନୁହେଁ।’ ପଞ୍ଚମ ଓ ଦଶମ ଶତାବ୍ଦୀ ମଧ୍ୟରେ ଖୋଦିତ ଏଲୋରା ଗୁମ୍ଫାରେ ୧୨ଟି ବୌଦ୍ଧ ଗୁମ୍ଫା, ୧୭ଟି ହିନ୍ଦୁ ଗୁମ୍ଫା ଓ ୫ଟି ଜୈନ ଗୁମ୍ଫା ଅଛି, ଯାହା ଭାରତୀୟ ଇତିହାସର ପ୍ରଚଳିତ ସାମ୍ପ୍ରଦାୟିକ ବିବିଧତା, ଧାର୍ମିକ ସହାବସ୍ଥାନ ଓ ଧର୍ମନିରପେକ୍ଷ ଭାବନାକୁ ସୂଚିତ କରେ। ରାଜସ୍ଥାନର ଜୟପୁରରେ ଏକ ହିନ୍ଦୁ ମନ୍ଦିର ଅଛି, ଯାହା ହିନ୍ଦୁ ଧର୍ମର ପାରମ୍ପରିକ ସ୍ତରୀୟ ଟାୱାର, ବୌଦ୍ଧ ଧର୍ମର ପିରାମିଡ୍ ସ୍ତୂପ ଓ ଇସଲାମର ଗମ୍ବୁଜ ସ୍ଥାପତ୍ୟର ଏକ ସୁନ୍ଦର ସମ୍ମିଶ୍ରଣ। ମଧ୍ୟଯୁଗୀୟ ଭାରତରେ ସୁଫି ଓ ଭକ୍ତି ଆନ୍ଦୋଳନ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମନରେ ପ୍ରେମ ଓ ଶାନ୍ତି ଭାବନା ଉଦ୍ରେକ କରାଇଥିଲା। ଗୁରୁ ନାନକଙ୍କ ମନ୍ତବ୍ୟ- ‘ନା କେହି ହିନ୍ଦୁ, ନା କେହି ମୁସଲମାନ, କାରଣ ମଣିଷ-ମଣିଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ’ ହେଉଛି ମହାମାନବବାଦର ପରିଚାୟକ।
‘ହିନ୍ଦୁ‘ ହେଉଛି ଭାରତୀୟ ଉପମହାଦେଶ ଆକ୍ରମଣକାରୀଙ୍କ ଦ୍ୱାରା ବ୍ୟବହୃତ ଏକ ଶବ୍ଦ ଯାହା ସିନ୍ଧୁ ନଦୀର ଦକ୍ଷିଣରେ ବାସ କରୁଥିବା ଅଧିବାସୀଙ୍କ ସଂସ୍କୃତି ଓ ପରଂପରାକୁ ବର୍ଣ୍ଣନା କରିବା ପାଇଁ ବ୍ୟବହାର କରାଯାଉଥିଲା। ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ‘ହିନ୍ଦୁ ଧର୍ମ’ ଶବ୍ଦଟି ପାଶ୍ଚାତ୍ୟ ଓ ଭାରତୀୟ ସମାଜରେ ଏକ ସ୍ୱାଧୀନ ଧାର୍ମିକ ସତ୍ତାର ସୂଚକ ଭାବରେ ବ୍ୟବହୃତ ହୋଇ ନଥିଲା ଏବଂ ପ୍ରଚଳିତ ଅର୍ଥରେ ଏହାର ବ୍ୟବହାର ବ୍ରିଟିସ୍ ଶାସନ ସମୟରେ ଆରମ୍ଭ କରାଯାଇଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ବିନାୟକ ଦାମୋଦର ସାଭରକରଙ୍କ ଦ୍ୱାରା ଜାତୀୟତାବାଦୀ ଚିନ୍ତାଧାରା ଭାବେ ‘ହିନ୍ଦୁତ୍ୱ’ ଶବ୍ଦର ବ୍ୟବହାର ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା।
ଅସୀମର ଏବେ ସୀମା ନିର୍ଦ୍ଧାରଣ ଚାଲିଛି। ଏକ ପରିବ୍ୟାପ୍ତ କାୟାକଳ୍ପର କାଟଛାଟ କରି ‘ଟେଲର୍ ମେଡ୍’ ରୂପରେଖ ଦେବାର ଯୋଜନା କରାଯାଉଛି। ହିନ୍ଦୁ ଧର୍ମ ବିପଦରେ ଅଛି ବୋଲି ଜନମାନସରେ ଭୟ ସୃଷ୍ଟିର ଚେଷ୍ଟା ଚାଲିଛି। ଶହଶହ ବର୍ଷ ଧରି ହୁନ୍, ମଙ୍ଗୋଲିଆନ୍, ମୁସଲମାନ, ମୋଗଲ, ଗ୍ରିକ, ପର୍ସିଆନ୍ଙ୍କ ଭାରତ ଆକ୍ରମଣ ହିନ୍ଦୁ ଧର୍ମର ମୂଳଦୁଆକୁ ଦୋହଲାଇ ପାରିନି। ଦୀର୍ଘ ଦୁଇ ଶହ ବର୍ଷର ଇଂରେଜ ଶାସନ ସତ୍ତ୍ବେ ହିନ୍ଦୁ ଧର୍ମ ସୁରକ୍ଷିତ ରହିଛି। ସ୍ୱାଧୀନତାର ପରବର୍ତ୍ତୀ ସମୟରେ, ଦେଶରେ ମୁସଲମାନ ସମ୍ପ୍ରଦାୟରୁ ତିନି ଜଣ ରାଷ୍ଟ୍ରପତି ଓ ତିନି ଜଣ ଉପରାଷ୍ଟ୍ରପତି, ଶିଖ ସମ୍ପ୍ରଦାୟରୁ ଜଣେ ରାଷ୍ଟ୍ରପତି ଓ ଜଣେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ହିନ୍ଦୁ ଧର୍ମ ତଥାପି ବଞ୍ଚିଛି। ହିନ୍ଦୁ ଧର୍ମ ଜୀବନ ପ୍ରତି ଏକ ଦାର୍ଶନିକ ଦୃଷ୍ଟିକୋଣ; ସମଗ୍ର ସୃଷ୍ଟିକୁ ଅବୋରି ନେବାର ଏକ ଐଶ୍ବରିକ ପରିକଳ୍ପନା। ହିନ୍ଦୁତ୍ବର ନୂତନ ପରିଚୟ ସୃଷ୍ଟିର ସ୍ବପ୍ନକୁ ଶାନ୍ତି ଓ ମୈତ୍ରୀର ତପୋଭୂମି ଭାରତବର୍ଷ ଅସ୍ବୀକାର କରିବ। ଈଶାଭାସ୍ୟୋପନିଷଦର ଶାନ୍ତି ପାଠରେ ବ୍ୟାଖ୍ୟା କରାଯାଇଛି, ‘ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ।’ ଅର୍ଥାତ୍, ଯଦି ସମ୍ପୂର୍ଣ୍ଣକୁ ସମ୍ପୂର୍ଣ୍ଣରୁ ବାହାର କରିଦିଆଯାଏ, ତଥାପି ସମ୍ପୂର୍ଣ୍ଣ ରହିଥାଏ। ତେଣୁ ହିନ୍ଦୁତ୍ବର ଅସ୍ତିତ୍ବ ଅକ୍ଷୟ ଓ ଅବିନଶ୍ବର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭