ଗୌରଚନ୍ଦ୍ର ତ୍ରିପାଠୀ

Advertisment

ଜୁନ୍ ୧୨, ୨୦୨୫ ତାରିଖ। ଲଣ୍ଡନ ଯାଉଥିବା ଏକ ବୋଇଂ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ମୁହୂର୍ତ୍ତ ମଧ୍ୟରେ ଅହମ୍ମଦାବାଦର ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଲା। ୧୦୦୦ ଡିଗ୍ରି ସେଲସିଅସର ଉତ୍ତପ୍ତ ବଳୟ ଭିତରୁ ୨୪୨ ଜଣ ସହଯାତ୍ରୀଙ୍କ ମଧ୍ୟରୁ ଏକାକୀ ରମେଶ ଆବିର୍ଭାବ ହେଲେ। ମୃତ୍ୟୁର କରାଳ ଗ୍ରାସରୁ ମୁକ୍ତ ହୋଇ ବିଶ୍ୱାସ କୁମାର ରମେଶ ବିଶ୍ବବାସୀଙ୍କୁ ବିଶ୍ବାସ ଦେଲେ ଯେ ଆଶା ଓ ଆତ୍ମ-ବିଶ୍ବାସ କଠିନରୁ କଠିନତର ବିପର୍ଯ୍ୟୟକୁ ମଧ୍ୟ ଜୟ କରିପାରିବ।
ଆଶଙ୍କା ଓ ସଂଶୟ ଗ୍ରସ୍ତ ବର୍ତ୍ତମାନ ଏବଂ ଅନିଶ୍ଚିତ ଭବିଷ୍ୟତକୁ ନେଇ ସମଗ୍ର ଜଗତ ସାମ୍ପ୍ରତିକ ସମୟରେ ନିରାଶାର ଘନ ଅନ୍ଧକାରରେ ଆଚ୍ଛାଦିତ। ବ୍ୟକ୍ତି ଜୀବନରେ ଶାନ୍ତି ନାହିଁ, ପରିବାରରେ ସରାଗ ନାହିଁ, ସମାଜରେ ସନ୍ତୁଳନ ନାହିଁ, ଦିଗ୍‌ବିଦିଗ୍‌ରେ ବିବାଦର ହୁଙ୍କାର, ଯୁଦ୍ଧର କୁହାଟ। ଏ ଦୁର୍ଦ୍ଦିନରେ ବାଟହୁଡ଼ା ପଥିକ ପାଇଁ ଆଶା ହିଁ ଏକମାତ୍ର ପଥ। ପ୍ରାଚୀନ ଭାରତୀୟ ଦର୍ଶନ କହେ, ‘ଆଶା’ ଏକ ଭବିଷ୍ୟତବାଦୀ ମନୋଭାବ। ‘ଜଗତେ ସୁଖିନୋ ଜନାଃ ଆଶାୟା ଜୀବନ୍ତି’, ଅର୍ଥାତ୍‌ ସଂସାରରେ ଆଶାବାଦୀ ବ୍ୟକ୍ତି ହିଁ ସୁଖରେ ରହନ୍ତି। ଋଗବେଦ ‘ଆଶା’କୁ ଏକ ଜୀବନ-ନିର୍ଭରଶୀଳ ଶକ୍ତି ଭାବରେ ଉପସ୍ଥାପନ କରେ। ଏହା ଉତ୍ତମ ଭବିଷ୍ୟତ, ଶାନ୍ତି, ଜ୍ଞାନ, ସମୃଦ୍ଧି ଓ ଏକତା ପାଇଁ ଇଚ୍ଛାର ଏକ ରୂପ। ଉପନିଷଦ ମତରେ ଆଶା ହେଉଛି ମାନବ ଆତ୍ମାର ମୋକ୍ଷ ପାଇଁ ଏକ ଅନ୍ୱେଷଣ। ପ୍ରାଚୀନ ପାଶ୍ଚାତ୍ୟ ଚିନ୍ତାଧାରା ମଧ୍ୟ ଆଶାକୁ ଏକ ପ୍ରମୁଖ ମାନସିକ ଅବସ୍ଥା ଭାବରେ ସ୍ୱୀକାର କରେ। ପ୍ଲାଟୋଙ୍କ ମତରେ ଆଶା ଏକ ଅଯୌକ୍ତିକ ଭାବନା କିନ୍ତୁ ଆରିଷ୍ଟୋଟଲ ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରି ତାଙ୍କ ‘ରେଟୋରିକ୍’ ପୁସ୍ତକରେ କୁହନ୍ତି, “ଏହା ଭବିଷ୍ୟତରେ କିଛି ଭଲ ହେବାର ସମ୍ଭାବନା, ଯାହା ହାସଲ କରାଯାଇପାରିବ।” 
ଦାର୍ଶନିକ ଦୃଷ୍ଟିକୋଣରେ, ଆଶା ଏକ ମନସ୍ତାତ୍ତ୍ୱିକ ଶକ୍ତି ଏବଂ ଦାୟିତ୍ୱବୋଧ। ଥମାସ ଆକ୍ୱିନାସ୍ ଓ ସୋରେନ୍ କିର୍କେଗାର୍ଡଙ୍କ ପରି ଦାର୍ଶନିକଙ୍କ ମତରେ ଆଶା ଏକ ସଦ୍‌ଗୁଣ, ଯାହା ଈଶ୍ୱରଙ୍କ ସହିତ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ କିନ୍ତୁ ରେନେ ଡେକାର୍ଟ ଓ ଫ୍ରେଡରିକ୍‌ ନିଚାଙ୍କ ପରି ଦାର୍ଶନିକଙ୍କ ଦୃଷ୍ଟିରେ ଏହା ଏକ ଅଯୌକ୍ତିକ ଓ ନିଷ୍ଫଳ ଭାବନା। ଚାର୍ଲସ ଆର. ସ୍ନାଇଡରଙ୍କ  ‘ଆଶା ତତ୍ତ୍ୱ’ ଆଶାକୁ ଲକ୍ଷ୍ୟ ପ୍ରାପ୍ତିର ଏକ ଉପାୟ ବୋଲି ବିବେଚନା କରେ, ଯାହା ପ୍ରତିବଦ୍ଧତା, ପ୍ରେରଣା ଓ ପ୍ରଗତିକୁ ସମର୍ଥନ କରିଥାଏ। ଠିକ୍‌ ସେହିପରି ଜର୍ମାନ ଦାର୍ଶନିକ ଅର୍ନଷ୍ଟ ବ୍ଲଚ୍‌ଙ୍କ ପୁସ୍ତକ ‘ଦି ପ୍ରିନ୍‌ସିପ୍‌ଲ ଅଫ୍ ହୋପ୍’ରେ ଆଶାକୁ ଏକ ଲକ୍ଷ୍ୟ-କୈନ୍ଦ୍ରିକ ଚିନ୍ତାଧାରା ଭାବରେ ବର୍ଣ୍ଣନା କରାଯାଇଛି।
ଆଶା ବିବିଧବର୍ଣ୍ଣା। ଧର୍ମଶାସ୍ତ୍ର, ସାହିତ୍ୟ କଳାରେ ଏହା ସ୍ପଷ୍ଟ ଭାବରେ ପ୍ରତିବିମ୍ବିତ। ଦାନ୍ତେଙ୍କ ‘ଇନଫେର୍ନୋ’ ପୁସ୍ତକରେ ନର୍କ ଦ୍ୱାରରେ ଆଗମନକାରୀମାନଙ୍କୁ ‘ଆଶା ପରିତ୍ୟାଗ କରିବାକୁ’ ନିର୍ଦ୍ଦେଶ ଦିଆଯାଇଛି। ମାର୍ଟିନ୍ ଲୁଥରଙ୍କ ପାଇଁ ‘ଏହି ଜଗତରେ ସବୁକିଛି ଆଶା ଦ୍ୱାରା ହାସଲ କରାଯାଇପାରେ’ ଏବଂ ଦୋସ୍ତୋଭସ୍କିଙ୍କ ମତରେ ‘ଆଶା ବିନା ବଞ୍ଚିବା ହେଉଛି ବଞ୍ଚିବା ଛାଡ଼ିଦେବା।’ ସେକ୍‌ସପିଅରଙ୍କ ‘ମେଜର ଫର୍ ମେଜର’ ନାଟକରେ କ୍ଲାଉଡିଓ କୁହନ୍ତି, ‘ଦୁଃଖୀଜନଙ୍କ ପାଇଁ କେବଳ ଆଶା ହିଁ ସମ୍ବଳ।’ ଆଶାବାଦୀ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିବାକୁ ଅନୁପ୍ରାଣିତ ହୁଅନ୍ତି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରନ୍ତି। ସମାଜବିଜ୍ଞାନୀ ଡୋରୋଟା ୱେଜିଆକ୍-ବାଏଲୋଓଲସ୍କାଙ୍କ ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ ଆଶାବାଦ, ଜୀବନ ପ୍ରତି ଆଗ୍ରହ, ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତାକୁ ପ୍ରଭାବିତ କରିପାରେ। 
ଇତିହାସ ଏପରି ବ୍ୟକ୍ତିଙ୍କ କାହାଣୀରେ ପରିପୂର୍ଣ୍ଣ, ଯେଉଁମାନେ କଠୋର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଶାକୁ ସମ୍ବଳ କରି, ଉନ୍ନତ ଭବିଷ୍ୟତ ସମ୍ଭବ ବୋଲି ଦୃଢ଼ ବିଶ୍ୱାସ ରଖିଥିଲେ। ଅବିଭକ୍ତ କୋରାପୁଟ ମାଟିର ସଂଗ୍ରାମୀ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ପୂର୍ବରୁ ଆଶାର ଶେଷ ସନ୍ଦେଶ ଥିଲା, ‘ଯଦି ଆକାଶେ ସୁରଜ ଆଚେ, ଚନ୍ଦର ଆଚେ, ଦେଖିବ ରଇଥା- ସ୍ବରାଜ୍ ଆଇବାଟା ଆଇସି। ଇକଥା ଫିଟିବାର ନାଇ।’ ଚର୍ଚ୍ଚିଲଙ୍କ ଅଭିହିତ ସେହି ‘ଅର୍ଦ୍ଧ ନଗ୍ନ ଭିକାରି’, ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଅଦମନୀୟ ଆଶା ଓ ଅକଳନୀୟ ବିଶ୍ବାସ ବଳରେ ହିଁ ଦେଶରୁ ବ୍ରିଟିସ ଶାସକଙ୍କୁ ବିତାଡ଼ିତ କରିଥିଲେ। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣଭେଦରୁ ମୁକ୍ତ ଭବିଷ୍ୟତ ଗଠନର ଆଶାକୁ ସାଧନ କରିବାରେ ନେଲସନ ମାଣ୍ଡେଲାଙ୍କୁ ୨୭ ବର୍ଷର କାରାଦଣ୍ଡ ବି ରୋକି ପାରି ନଥିଲା। ପାକିସ୍ତାନୀ ଝିଅ ମଲାଲା ୟୁସୁଫଜାଇଙ୍କ ବାଳିକା ଶିକ୍ଷା ପ୍ରସାରର ଆଶାପୂର୍ଣ୍ଣ ପଥରେ ତାଲିବାନର ଗୁଳି ବାଧକ ସାଜିବାରେ ସକ୍ଷମ ହୋଇପାରି ନଥିଲା। ‘ଲୋଗୋଥେରାପି’ର ପ୍ରତିଷ୍ଠାତା, ହଲୋକୋଷ୍ଟ ଫେରନ୍ତା ଭିକ୍ଟର ଫ୍ରାଙ୍କଲ ‘ଘେଟୋ’ର ଅକଳ୍ପନୀୟ ଯନ୍ତ୍ରଣା ମଧ୍ୟରେ ମୁକ୍ତିର ଆଶାକୁ ତ୍ୟାଗ କରିନଥିଲେ। ହେନରି ଫୋର୍ଡ, ଥମାସ ଏଡିସନ୍, ଆଇନଷ୍ଟାଇନ, ଷ୍ଟିଭ ଜବ୍‌ସଙ୍କ ଭଳି ବ୍ୟକ୍ତିଙ୍କ ଜୀବନ କାହାଣୀ ଆଶାର ଶକ୍ତିର ମୂକସାକ୍ଷୀ ଭାବରେ ଚିର ଦଣ୍ଡାୟମାନ। ଏକ ସୁସ୍ଥ ଆତ୍ମ-ପ୍ରତିଛବି, ସ୍ଥିର ଲକ୍ଷ୍ୟ, ଠିକ୍ ମନୋଭାବ, ଦୃଢ଼ ଇଚ୍ଛାଶକ୍ତି ଏବଂ ଏହାକୁ ହାସଲ କରିବା ପାଇଁ ନିରନ୍ତର ସାଧନ ଦ୍ବାରା ହିଁ ଆମେ ଆଶାର ବର୍ତ୍ତିକାରେ ଚିର ଉଦ୍ଭାସିତ ରହିପାରିବା। 
ନିରାଶାର ବେଦନାବିଧୂର ମୁହୂର୍ତ୍ତରେ ଭଗୀରଥ ଭାବରେ ଆଶାର ଅଭ୍ୟୁଦୟ ଘଟିଥାଏ। ଆଶା ହିଁ ହର୍ତ୍ତା, କର୍ତ୍ତା, ଭାଗ୍ୟବିଧାତା ଭାବେ ବେସାହାରାକୁ ସାହାରା ଦିଏ, ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ, ଉଡ଼ିବା ପାଇଁ ପକ୍ଷ ଓ ବଞ୍ଚିବାର ବାହାନା ଦିଏ, ସୃଷ୍ଟି କରେ ସମ୍ଭାବନାର ସହସ୍ର ସୁଯୋଗ। ଆଶା ସେହି ଦୃଢ଼ ବିଶ୍ୱାସ ଓ ଦୃଢ଼ ନିଷ୍ପତ୍ତି ନେବାର କ୍ଷମତା ଦିଏ, ଯାହା କେବଳ ପ୍ରତିକୂଳ ପରିସ୍ଥିତିରେ ସ୍ଥିର ରହିବା ଓ କଠିନ ଆହ୍ୱାନକୁ ସାମନା କରିବାରେ ନୁହଁ, ବରଂ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ଦିଗବାରିଣୀର ଭୂମିକା ନିର୍ବାହ କରେ। ଆଶାକୁ ଉଜ୍ଜୀବିତ ରଖନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭