ନିକଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ଦେଶବାସୀଙ୍କୁ କହିଲେ, ‘ଚାଲ, ଜାତିବାଦକୁ କବର ଦେଇଦେବା।’ ତେବେ ତାଙ୍କୁ ପଚରାଯିବା ଦରକାର, ‘ସତରେ କ’ଣ ଜାତିବାଦର ମୃତ୍ୟୁ ଘଟିଛି? କେବେ ତାହା ଘଟିଲା?’

Advertisment

ଜାତିବାଦର ମୃତ୍ୟୁ ସେତେବେଳେ ଘଟିଲା ବୋଲି ଆଶା କରାଯାଉଥିଲା ଯେତେବେଳେ ଅଷ୍ଟାଦଶ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଘୋଷଣା କରିଥିଲେ, ‘ପ୍ରତ୍ୟେକଙ୍କ ଠାରେ ସମାନ ଈଶ୍ବର ସତ୍ତା ରହିଛି ଏବଂ ସେହି ବାସ୍ତବତାର ଅଜ୍ଞତା ହିଁ ଜଣକ ବିରୋଧରେ ଅନ୍ୟ ଜଣକୁ ଛିଡ଼ା କରାଇ ସମସ୍ତ ଅପରାଧର କାରଣ ସାଜିଛି।’ ମାତ୍ର ଜାତିବାଦ ତିଷ୍ଠି ରହିଛି। ତ୍ରୟୋଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଏହା ଦୂରେଇଯିବ ବୋଲି ଆଶା କରାଯାଉଥିଲା ଯେତେବେଳେ ‘ଭକ୍ତି’ ସନ୍ଥମାନେ ଈଶ୍ବରଙ୍କ ସହିତ ମନୁଷ୍ୟ ଏକତାର ଭକ୍ତିସଂଗୀତ ଗାନ କରୁଥିଲେ। ତଥାପି ଏହା ବଞ୍ଚିରହିଲା।

ସେହିପରି ଊନବିଂଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ଜାତିବାଦ ଅପସରିଯିବ ବୋଲି ଆଶା କରାଯାଉଥିଲା ଯେତେବେଳେ ରାମମୋହନ ରାୟଙ୍କ ଠାରୁ ଆରମ୍ଭ କରି ଭୀମରାଓ ଆମ୍ବେଦକରଙ୍କ ଯାଏ ସମାଜ ସଂସ୍କାରକମାନେ ତାହାକୁ ଉତ୍ସାହ ଓ ଉଦ୍ଦୀପନାର ସହ ମୁକାବିଲା କରିଥିଲେ। ମାତ୍ର ଅତି ମାମୁଲି କ୍ଷତି ପରେ ଏହା ତିଷ୍ଠି ରହିଲା। ଏହା ପୁଣି ନାଶ ହୋଇଯିବ ବୋଲି ଆଶା କରାଯାଉଥିଲା ଯେତେବେଳେ ଆମ ସମ୍ବିଧାନ, ସମାନତାକୁ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଏବଂ ଜାତିଭିତ୍ତିକ ବାଛବିଚାରକୁ ବେଆଇନ ବୋଲି ଘୋଷଣା କରିଥିଲା। ତଥାପି ଏହା କୌଣସିମତେ ବର୍ତ୍ତିଗଲା।

ଆମେ ଜାତିବାଦକୁ କେମିତି କବର ଦେଇପାରିବା ଯେତେବେଳେ ଏହା ଆମ ଆଗରେ ଏକ ବିଶାଳ ଭୟଙ୍କର ରାକ୍ଷସ ଭାବେ ଛିଡ଼ା ହୋଇଛି? ତାକୁ ସମାଧିସ୍ଥଳକୁ ନେବା ଆଗକୁ ପ୍ରଥମେ ତାକୁ ମାରିବାକୁ ହେବ। ମାତ୍ର ପରିତାପର ବିଷୟ, ଭାଗବତଙ୍କ ସମେତ ଆମ ସମୟର କୌଣସି ନେତା ବା ସଂଗଠନ ଏବଂ ଏପରିକି ଆର୍‌ଏସ୍‌ଏସ୍‌ ମଧ୍ୟ ସଚ୍ଚୋଟତାର ସହ ଜାତିବାଦର ଛାତିକୁ ଭେଦ କରିବାକୁ ଚେଷ୍ଟା କରିନାହାନ୍ତି। ଅପରପକ୍ଷେ, ସେମାନେ ତାହାର ପିଆଲାରେ ଅଧିକ ଅମୃତ ଢାଳି ଚାଲିଛନ୍ତି।

ପ୍ରସଙ୍ଗକୁ ଗାନ୍ଧୀଙ୍କ ଠାରୁ ଆରମ୍ଭ କରିବା। ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ସେ ଜଣେ ମହାନ୍‌ ବିପ୍ଳବୀ ଥିଲେ, ମାତ୍ର ବର୍ଣ୍ଣାଶ୍ରମ ନେଇ ଅତ୍ୟନ୍ତ ରୁଢ଼ିବାଦୀ ଥିଲେ। ହିନ୍ଦୁ ସମାଜର ଏପରି ଚାରି ଶ୍ରେଣୀ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର)ରେ ବିଭକ୍ତୀକରଣ ଏକ ଆଦର୍ଶ ସାମାଜିକ ବ୍ୟବସ୍ଥା ବୋଲି ସେ ବିଶ୍ବାସ କରୁଥିଲେ। ଯେଉଁମାନେ ନିଜ ପିତାଙ୍କର କୌଳିକ ବୃତ୍ତିକୁ ଅନୁସରଣ କରୁଥିଲେ, ସେମାନଙ୍କର ଯାହା ଥିଲା ସେଥିରେ ସେମାନେ ସନ୍ତୁଷ୍ଟ ଥିଲେ। ଏହି ବ୍ୟବସ୍ଥାରେ ଲୋଭ, ପ୍ରତିଦ୍ବନ୍ଦ୍ବିତା କି ଈର୍ଷାର ସ୍ଥାନ ନଥିଲା। ବର୍ଣ୍ଣାଶ୍ରମ ଏକ ଆଦର୍ଶ ଯାହାକୁ ଅନ୍ୟ ରାଷ୍ଟ୍ରମାନେ ନିଜର ଫାଇଦା ପାଇଁ ଅନୁସରଣ କରିପାରିବେ ବୋଲି ସେ କହୁଥିଲେ!

ଅବଶ୍ୟ ସମସ୍ତ ଜାତିକୁ ସମ୍ମାନର ସହ ସମାନ ଦୃଷ୍ଟିରେ ଦେଖିବାକୁ ସେ ଚାହୁଁଥିଲେ। କୌଳିକ ବୃତ୍ତିକୁ ସେ ଉଚିତ ମଣୁଥିବା ବେଳେ କୌଣସି ପ୍ରକାର ପଦାନୁକ୍ରମକୁ ସେ ଅଗ୍ରାହ୍ୟ କରୁଥିଲେ। ତାଙ୍କ ଦୃଷ୍ଟିରେ ଜାତିଗତ ବୈଷମ୍ୟ ଓ ଅସ୍ପୃଶ୍ୟତା ବର୍ଣ୍ଣାଶ୍ରମ ତତ୍ତ୍ବର ଏକ ବିକୃତି ଥିଲା ଏବଂ ଆଦର୍ଶ ବ୍ୟବସ୍ଥାର ପୁନଃପ୍ରତିଷ୍ଠା ଲାଗି ତାହାର ବିଲୋପ ସେ ଚାହୁଁଥିଲେ। ସଂକ୍ଷେପରେ, ଗାନ୍ଧୀ ଜାତିବାଦର ମୂଳୋତ୍ପାଟନ ଚାହୁଁନଥିଲେ, ମାତ୍ର ସେଥିରେ ସଂସ୍କାର ଆଶା କରୁଥିଲେ।

ଅପରପକ୍ଷେ, ନେହରୁ ବୈଚାରିକ ଭାବରେ ଜାତିପ୍ରଥା ଉଠିଯିବାଟା ଚାହୁଥିଲେ, ମାତ୍ର ପ୍ରଧାନମନ୍ତ୍ରୀ ହିସାବରେ ଜାତିଭିତ୍ତିକ ଆରକ୍ଷଣ ସୁବିଧା ଯୋଗାଇବା ଲାଗି ତାଙ୍କୁ ସାଲିସ କରିବାକୁ ପଡ଼ିଥିଲା। ଆର୍ଥିକ ମାନଦଣ୍ଡକୁ ଆଧାର କରି ଆରକ୍ଷଣ ପ୍ରଦାନ କରିବାକୁ ଉଦାରବାଦୀ ବୁଦ୍ଧିଜୀବୀମାନେ ଚାହୁଁଥିଲେ, ମାତ୍ର ନେହରୁ ସେ ବାବଦରେ ଅସ୍ପଷ୍ଟ ରହିଥିଲେ। ତେବେ ଲୋହିଆଙ୍କର ‘ସୈକଡ଼େ ସାଥ୍‌’ ପ୍ରଚାର ଅଭିଯାନ ଦ୍ବାରା ସେ ଅଡୁଆରେ ପଡ଼ିଗଲେ, ଯାହାର ମର୍ମ ଥିଲା - ‘ସବୁ କ୍ଷେତ୍ରରେ ପଛୁଆବର୍ଗଙ୍କୁ ଷାଠିଏ ଭାଗ ଆରକ୍ଷଣ ଦିଅ’- ଯେଉଁ ଅଭିଯାନର ସମାପନ ମଣ୍ଡଳ ରାଜନୀତିରେ ଘଟିଥିଲା ଏବଂ ସମାଜଶାସ୍ତ୍ରୀ ଜି. ଏସ୍‌. ଘୂର୍ଯେଙ୍କ ମତରେ ତାହା ‘ଜାତି ଦେଶଭକ୍ତି’କୁ ଜନ୍ମ ଦେଇଥିଲା।

ଆଜିକାଲି ଶ୍ରମିକ ସଂଗଠନ ଭଳି ବିଭିନ୍ନ ଜାତି ନିଜର ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଏଥିରୁ ଜାତିପ୍ରଥା ହଟାଇବା ଅସମ୍ଭବ ମନେହେଉଛି। ଆମ୍ବେଦକରବାଦୀ ଏବଂ ମଣ୍ଡଳବାଦୀ ଦଳମାନଙ୍କର ଜୀବନରେଖା ହେଉଛି ଜାତି ସମର୍ଥନ। ସେମାନେ କୌଣସି ବି ପରିସ୍ଥିତିରେ ଜାତିଭିତ୍ତିକ ଆରକ୍ଷଣର ପରିସମାପ୍ତି ଚାହାଁନ୍ତିନାହିଁ। ଏ ବାବଦରେ ମୋହନ ଭାଗବତଙ୍କର ଏକ ଭୟଙ୍କର ଅନୁଭୂତି ହୋଇଛି। ୨୦୧୫ ବିହାର ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ‘ଆରକ୍ଷଣ ବ୍ୟବସ୍ଥା ହଟିଯିବାର ସମୟ ଆସିଯାଇଛି’ ବୋଲି ସେ କହିଥିଲେ। ପରିଣତି ସ୍ବରୂପ, ବିଜେପି ବିରୋଧୀ ଭୋଟସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ଦେଖାଦେଇଥିଲା।

ମୋହନ ଭାଗବତ ଓ ଆର୍‌ଏସ୍‌ଏସ୍‌ର ଅସୁବିଧା ଏଇଆ କି, ସେମାନେ ଯେତେବେଳେ ଜାତିପ୍ରଥାର ଅନ୍ତ କଥା ଉଠାଉଛନ୍ତି, ସେତେବେଳେ ତାହା ନିହାତି ପକ୍ଷେ ନିମ୍ନ ବର୍ଗଙ୍କୁ ଲକ୍ଷ୍ୟ କରି କହୁଛନ୍ତି। ସେମାନେ କେବେ ଉଚ୍ଚବର୍ଗଙ୍କୁ ସମ୍ବୋଧିତ କରୁନାହାନ୍ତି। କାରଣ ନିମ୍ନ ଜାତିର ଲୋକମାନେ ଉଚ୍ଚ ଜାତି ବିରୋଧରେ ମୋର୍ଚ୍ଚା ଛିଡ଼ା କରୁଥିବା ସେମାନେ ଦେଖି ପାରୁଛନ୍ତି। ହିନ୍ଦୁ ପରିବାରରେ ବିଭାଜନ ହେବା ସେମାନେ ଅନୁଭବ କରୁଛନ୍ତି। ସର୍ବୋପରି ହିନ୍ଦୁ ପରିବାର ପୁଣି ଥରେ ଏକଜୁଟ ହେବା ସେମାନେ ଚାହାଁନ୍ତି।

ଭାଗବତଙ୍କ କହିବାନୁସାରେ, ଜାତିବାଦକୁ କବର ଦେବାର ମାନେ ହେଉଛି- ଦଳିତ ଏବଂ ପଛୁଆବର୍ଗମାନେ ହିନ୍ଦୁ ପରିବାରକୁ ପ୍ରତ୍ୟାବର୍ତ୍ତନ କରିବା ଉଚିତ। ଅସମାନତାବାଦୀ ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ନଷ୍ଟ କରିବା କେବେ ଆର୍‌ଏସ୍‌ଏସ୍‌ର ଉଦ୍ଦେଶ୍ୟ ନୁହେଁ, ବରଂ ଏହାକୁ ଏକ ସମାନତାବାଦୀ ବ୍ୟବସ୍ଥା ରୂପରେ ପୁନଃନିର୍ମାଣ କରିବା ଲାଗି ହିନ୍ଦୁ ସମାଜରେ ସୁଧାର ଦରକାର। ଗାନ୍ଧୀଜୀଙ୍କ ପରି ସାମାଜିକ ପୃଥକୀକରଣ ଓ ଅସ୍ପୃଶ୍ୟତାକୁ ସେମାନେ ବିକୃତି ବୋଲି ବିଚାରୁଛନ୍ତି। ଗାନ୍ଧୀଜୀଙ୍କ ପରି ସେମାନେ ମଧ୍ୟ ସେଭଳି ବିକୃତିକୁ ଶେଷ କରିବାକୁ ଚାହାଁନ୍ତି। ମାତ୍ର ଗାନ୍ଧୀଜୀ, ମନୁଷ୍ୟ ମନୁଷ୍ୟ ଭିତରେ ସମାନତା ପ୍ରତିଷ୍ଠା କରିବାକୁ ଚାହୁଁଥିବା ବେଳେ ଆର୍‌ଏସ୍‌ଏସ୍‌ ହିନ୍ଦୁ ଭ୍ରାତୃଭାବ ସ୍ଥାପନ କଥା ଚାହୁଁଛି ଯାହା ଇସଲାମୀୟ ଓ ଖ୍ରୀଷ୍ଟୀୟ ସଂଗଠନ ଦ୍ବାରା ହେଉଥିବା ଧର୍ମାନ୍ତରୀକରଣ ବିରୋଧରେ ମଜଭୁତ ହୋଇପାରିବ।

ଦଳିତମାନଙ୍କୁ ‘ହିନ୍ଦୁ ପରିବାର’ରେ ସାମିଲ କରିବା ଲାଗି ଆର୍‌ଏସ୍‌ଏସ୍‌ ପକ୍ଷରୁ ଗଣମାଧ୍ୟମର ନଜର ଆଢୁଆଳରେ ଦଶନ୍ଧି ଦଶନ୍ଧି ଧରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ସ୍ବାଧୀନତା ପୂର୍ବରୁ ଆମ୍ବେଦକରଙ୍କ ଉତ୍‌ପ୍ରେରିତ ଦଳିତ ଏକତ୍ରୀକରଣର ପ୍ରତିକ୍ରିୟା ସ୍ବରୂପ ଏହି କାର୍ଯ୍ୟକ୍ରମ ଦେଖା ଦେଇଥିଲା। ଏହାର ସ୍ଥାନୀୟ ଶାଖାଗୁଡ଼ିକ ଦଳିତମାନଙ୍କୁ ହିନ୍ଦୁମନ୍ଦିରରେ ପ୍ରବେଶ ପାଇଁ ସୁବିଧା ଉପଲବ୍‌ଧ କରାଉଥିଲେ। ୧୯୩୧ରେ ସାବରକର ରତ୍ନଗିରି ଠାରେ ଏକ ମନ୍ଦିର (ପତିତପାବନ ମନ୍ଦିର) ନିର୍ମାଣ କରାଇଥିଲେ ଯୋଉଠି ଅନ୍ୟମାନଙ୍କ ସହ ଦଳିତମାନେ ମଧ୍ୟ ପୂଜାର୍ଚ୍ଚନା କରିପାରୁଥିଲେ। ଆର୍‌ଏସ୍‌ଏସ୍‌ ମଧ୍ୟ ଦଳିତଙ୍କ ସହିତ ଅନ୍ତର୍ଜାତି ଭୋଜନକୁ ପ୍ରୋତ୍ସାହିତ କରୁଛି।

ଭାଗବତ ନିଜକୁ ନିଜେ ପ୍ରଶ୍ନ ପଚାରିବାର ଅଛି କି, ଦୀର୍ଘ ଶହେ ବର୍ଷ ହେଲା ଆର୍‌ଏସ୍‌ଏସ୍‌ ଯୋଉ କାର୍ଯ୍ୟକ୍ରମ ଚଳାଇ ଆସିଛି, ତାହା ଦ୍ବାରା ଜାତିବାଦ ମରିବା ତ ଦୂରର କଥା, ତାହା ଦୁର୍ବଳ ହୋଇପାରିଛି କି? ଯଦି ହୋଇପାରିନି, ତେବେ କାହିଁକି? ଏ ବାବଦରେ ଆମେ ଆମର ଆକଳନ ଦ୍ବାରା ଭାଗବତଙ୍କୁ ସାହାଯ୍ୟ କରିବାର ପ୍ରୟାସ ତ କରିପାରିବା।
ମୁଖ୍ୟତଃ ଚାରିଟି କାରଣରୁ ତାହା ସମ୍ଭବ ହୋଇପାରିନାହିଁ। ପ୍ରଥମତଃ ଆର୍‌ଏସ୍‌ଏସ୍‌ କେବେ ଜାତିପ୍ରଥାର ପିଣ୍ଡକୁ ଆକ୍ରମଣ କରିପାରିନାହିଁ। ଏହାର ମୂଳ, ପବିତ୍ର ମନେ ହେଉଥିବା କିଛି ହିନ୍ଦୁ ଗ୍ରନ୍ଥରେ ପ୍ରଦତ୍ତ ଦୈବୀୟ ସ୍ବୀକୃତିରେ ନିହିତ ଅଛି ଯାହାକୁ ଆର୍‌ଏସ୍‌ଏସ୍‌ କେବେ ଅଗ୍ରାହ୍ୟ କରିନାହିଁ।

ଦ୍ବିତୀୟରେ, ସେଇ ଐଶ୍ବରୀୟ ସ୍ବୀକୃତି ଦ୍ବାରା କେବଳ ବ୍ରାହ୍ମଣମାନେ ହିଁ ପୂଜାରୀ ବା ପୁରୋହିତ ହୋଇପାରିବେ। ତେବେ ଅନ୍ୟ ସାର୍ବଜନୀନ ସେବା ପରି ପୂଜାପାଠକୁ ମଧ୍ୟ ଏକ ସେବା ରୂପେ ଆମ୍ବେଦକର ବିଚାର କରୁଥିଲେ ଏବଂ ଅନ୍ୟ ଜାତିର ଲୋକେ ମଧ୍ୟ ସେଥିରେ ଯୋଗ ଦେଇ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେ ଚାହୁଁଥିଲେ। ଜାତି ବ୍ୟବସ୍ଥାର ମୂଳରେ ବ୍ରାହ୍ମଣ ପୁରୋହିତବାଦ ହିଁ ରହିଛି ବୋଲି ଆମ୍ବେଦକର ବିଚାରୁଥିଲେ। ଯଦି ପୁରୋହିତବାଦର ଗଣତନ୍ତ୍ରୀକରଣ ହୋଇପାରିବ, ତେବେ ସେଇ ମୂଳଟି ତରଳିଯିବ ଏବଂ ଜାତିବାଦ ଭୁଶୁଡ଼ିପଡ଼ିବ। ଏ ପ୍ରକାର ବିଚାରଧାରାକୁ ଆର୍‌ଏସ୍‌ଏସ୍‌ କେବେ ସମର୍ଥନ କରିନାହିଁ।

ତୃତୀୟରେ, ‘ହିନ୍ଦୁ ପରିବାର’ରୁ ନିମ୍ନ ଜାତିର ଲୋକେ କାହିଁକି ଦୂରେଇ ଯାଉଛନ୍ତି ତାହା ଆର୍‌ଏସ୍‌ଏସ୍‌ କେବେ ନିଜର ଧାର୍ମିକ ରଙ୍ଗିନ ଚଷମା ଖୋଲି ଦେଖିପାରିନାହିଁ। ସେମାନେ ଏପରି ଦୂରେଇଯିବା ପଛର କାରଣ ହେଲା, ନିୟମିତ ଭାବେ ସେମାନେ ଉଚ୍ଚ ଜାତି ଦ୍ବାରା ଭୋଗି ଆସୁଥିବା ଉତ୍ପୀଡ଼ନ, କ୍ରୂରତା, ଭେଦଭାବ, ହିଂସା ଓ ବଳାତ୍କାର। ଯୁଗ ଯୁଗ ଧରି ଦଳିତ ଓ ପଛୁଆ ଜାତି ଉପରେ ଉଚ୍ଚ ଜାତିମାନେ ପ୍ରଭୁତ୍ବ ଦେଖାଇ ଆସିଛନ୍ତି। ସେମାନେ ଯଦି ଭ୍ରାତୃଭାବ ଦେଖାଇ ଥାଆନ୍ତେ, ଜାତିବାଦ ଆଉ ତିଷ୍ଠି ରହିନଥା’ନ୍ତା।

ଚତୁର୍ଥରେ, ଆମ୍ବେଦକରବାଦୀ ଓ ମଣ୍ଡଳବାଦୀ ଦଳମାନଙ୍କର ‘ଜାତିବାଦ’ ହେଉଛି ଉଚ୍ଚ ଜାତିମାନଙ୍କ ଦ୍ବାରା ପ୍ରଦର୍ଶିତ ଜାତିବାଦର ପ୍ରତିକ୍ରିୟା। ଯେ ପର୍ଯ୍ୟନ୍ତ ଉଚ୍ଚ ଜାତି ଦ୍ବାରା ନିମ୍ନ ଜାତି ପ୍ରତି ହେଉଥିବା ଉତ୍ପୀଡ଼ନ ଓ ହିଂସାକୁ ସମାପ୍ତ କରିବା ଲାଗି ଆର୍‌ଏସ୍‌ଏସ୍‌ ନିଜର ସମସ୍ତ ସଂଗଠନାତ୍ମକ ଶକ୍ତି ଖଟାଇ ଲଢ଼େଇ ନ କରିଛି, ସେ ପର୍ଯ୍ୟନ୍ତ ଏହାର ଜାତିବାଦ ଅନ୍ତର ଆହ୍ବାନ ଛଳନାତ୍ମକ ବୋଲି ମନେ ହେଉଥିବ। ଅଧିକନ୍ତୁ ତାହା ଉଚ୍ଚ ଜାତି ପକ୍ଷରୁ ବିଦ୍ରୋହୀ ନିମ୍ନ ଜାତିକୁ ଭଣ୍ଡାଇବା ଏବଂ ସେମାନଙ୍କ ରାଜନୈତିକ ତରବାରିର ଧାରକୁ ଦନ୍ଥରା କରିବାର ଛଦ୍ମ ପ୍ରୟାସ ରୂପେ ଦେଖାଯିବ।
[email protected]