ସହଜେ ତ ଖରା କାଳ! ତହିଁକି ଫେର୍ ଖରା ହେଉଚି, ଖରା ହେଉଚି ବୋଲି ଗାଇ ଚାଲିଲେ ହେବ କି? ଆମେ ବି ପିଲା ଦିନୁ ପଢ଼ି ଓ ଦେଖି ଆସିଛୁ, ‘ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ।’ ତୁମେ ପୁଣି କୋଉ ନୂଆ କଥା କହୁଛ?
ହଁ ମହାଭାଗେ, ତୁମକୁ ଏମନ୍ତ କହୁ କହୁ ପିଲା ଦିନର ଖରା କାଳ ମନେ ପଡ଼ିଗଲା ହେ! ସେ କାଳେ ଖରା କାଳର ଆରମ୍ଭ ହେଉ ନ ହେଉଣୁ ଆମ ପରୀକ୍ଷା ଫଳ ବାହାରି ଯାଉଥିଲା ଓ ଗୋଟେ ଲମ୍ବା ଖରା ଛୁଟି ଆଲିଙ୍ଗନ କରିବାକୁ ଆସି ଯାଉଥିଲା। ବୁଝିଲ କି, ସେତେବେଳେ ଆଜିକାଲି ପରି କଂକ୍ରିଟାରଣ୍ୟ ନ ଥିଲା। ପ୍ରତି ସାହି ବସ୍ତି ଗଳି କନ୍ଦି ସବୁଠି ଝଙ୍କାଳିଆ ଗଛମାନ ଛିଡ଼ା ହୋଇ ରହିଥିଲେ। ସେମାନଙ୍କ ଛାଇରେ ରହି ଯାବତ ମଉଜ କରିବା ବେଳେ ଖରାର ତାତି ଜଣା ଇ ପଡୁ ନ ଥିଲା। ଆଉ ଗୋଟେ କଥା କହିବି କି? ସେତେବେଳେ ଆମର ଖରା ଛୁଟି ମାନେ ଥିଲା ପୂରା ଛୁଟି, ତୁମ ଭଳି ଛୁଟିରେ ପାଠ ପଢ଼ା କି ଟୁଇସନ କି କୋଚିଂ ନ ଥିଲା। ଘରେ କୁଣିଆ ମଇତ୍ର ଭରି ଯାଉଥିଲେ। ମାନେ ଯାହାକୁ କହନ୍ତି ଛୁଟିର ଗମାତ!
ଦି ପହର ଆଗରୁ ସକାଳୁଆ ଅଫିସ ସାରି ବାପା ଘରକୁ ଫେରି ଆସନ୍ତେ ଘରେ ଜମିଥିବା ତାସ୍ ଲୁଡୁର ଗହଳି ଭାଙ୍ଗୁଥିଲା। ମା’ ସେ କାଳର ଆମ୍ବିଳା ତୋରାଣି ମିଶା ପଖାଳ କଂସାଏ, କେତେ କେତେ ଶାଗଙ୍କ ଖରଡ଼ା, ବଡ଼ି ଚୂରାଦି ସହ ନାନା ଚଟଣି ଓ ଭଜା ଏମିତି ପରଷି ଦେଉଥିଲେ ଯେ ଖାଉ ଖାଉ ହେଉଡ଼ି ଓ ଖିଆ ସରିବାର କେଇ କ୍ଷଣ ମଧ୍ୟରେ ନିଘୋଡ଼ ନିଦର ଘୁଙ୍ଗୁଡ଼ି ଶୁଣା ଯାଉଥିଲା।
ଆପଣେ ପୁଣି ପଚାରିଲେଣି: ସେତେବେଳେ କ’ଣ ଏମିତି ଗୁଳୁଗୁଳି ହେଉ ନ ଥିଲା?
ହେଉ ନ ଥିଲା କିଆଁ? ଅଲବତ୍ ହେଉଥିଲା। ସେଥି ପାଇଁ ତ ଆମ ଜେଜେ ପତଳା ଓଦା ଗାମୁଛା ଖୋଲା ଦେହରେ ଗୁଡ଼େଇ ହୋଇ ଚନ୍ଦନ ଲେପନ ସହ ତାଳପତ୍ର ବିଞ୍ଚଣା ଘୂରାଉଥିଲେ। ମନେ ପଡୁଛି ଚତୁର୍ଥ ଶ୍ରେଣୀରେ ଇଂରେଜୀ ଅକ୍ଷର ଚିହ୍ନିବା ଆରମ୍ଭ କରୁଥିବା ବେଳେ ‘ଏଫ୍’ ଅକ୍ଷର ଲାଗି ‘ଫ୍ୟାନ’ ବୋଲି ଲେଖାଯାଇ ଯାହାର ଚିତ୍ର ଦିଆଯାଇଥିଲା, ତାହା ଥିଲା ଏଇ ବିଞ୍ଚଣା।
ଏବେ ତାତି ସହି ହେଉନାହିଁ, ସହି ହେଉନାହିଁ ବୋଲି କହୁଛ ଯେ ହେଲେ କରିବା କ’ଣ? ଆଗରୁ ବି ତାତି ଥିଲା, ଦିନର ତାତି କାଟିବା ଲାଗି ଛାଇ ଥିଲା, ପବନ ଭରା ରାତି ଥିଲା। ସେମିତି ଆଉ ନାହିଁ। ଏବେ ସେ ସବୁ ଖୋଜିଲେ ହବ କି? ତୁମ ଜାଣତରେ ତୁମେ ନିଜେ ତ ‘ବବୁଲ’ ଗଛ ରୋଇଲ, ଏବେ ତହିଁରୁ ଆମ୍ବ ଫଳୁ ବୋଲି ଇଚ୍ଛା କଲେ ହେବ କି?
ତ ବିଞ୍ଚଣା, ଓଦା ବାଲିରେ ଥୁଆ ସୁରେଇ ଓ ଗଛର ଛାଇ: ଏଇ ତିନିଙ୍କ ସାହାରାରେ କଟୁଥିଲା ଆମ ଖରା କାଳ।
ହଁ , ଭୁଲି ଯାଇଥିଲି! ସେତେବେଳେ ବି ଆଇସକ୍ରିମ୍ ବାଲା ଦିପହରିଆ ବେଳ ଦେଖି ‘କୁଲଫି ନିଅ କୁଲଫି’ ଭଳି ରଡ଼ିମାନ ଛାଡୁଥିଲା। ଆମ ମନ ଚହଟି ଯାଉଥିଲା। ଗୋଟେ କାଠିରେ ଲାଖିଥିବା ରଙ୍ଗନି ଓ ମିଠା ବରଫ ଖଣ୍ଡ ଆମ ପାଟିରେ ମିଳାଇ ଯାଉଥିବା ବେଳେ ଆମକୁ ଲାଗୁଥିଲା ଖରାକୁ ଦେଇଛୁ ପାନେ!
ବୁଝିଲ କି ମହାଭାଗ, ସେତେବେଳେ ସଞ୍ଜ ହେଉ ହେଉ ପବନ ଉଡ଼ାଇ ନେଉଥିଲା ସବୁ ଗରମ। ପିଣ୍ଡା ଓ ଚଉତରା ଉପରେ ବସିଗଲେ ପବନ ଯେମିତି ତନୁମନ ଛୁଇଁ ଆତ୍ମାକୁ ଶୀତଳ କରି ଦେଉଥିଲା, ଏବେ ସେମିତି ଆଉ କାହିଁ?
ଏବେ ରାତି କଥା କହୁଛି। ଦଉଡ଼ିଆ ଖଟରେ, ବେଳେ ବେଳେ ମଶାରିଟାଏ ଟାଙ୍ଗି, ଛାତରେ ବା ବାରଣ୍ଡାରେ ଶୋଇଗଲେ ଏକା ବେଳେକେ ନିଦ ଭାଙ୍ଗୁଥିଲା ପାହାନ୍ତାରେ, କୁକୁଡ଼ା ରାବରେ!
ଏବେ ତ ଆଉ ବନ୍ଧ ପୋଖରୀରେ ଖରା ଦିନିଆ ଗାଧୁଆ ଓ ମନ ଭରା ବୁଡ଼ା ପହଁରା ନାହିଁ। ‘ଏୟାର କଣ୍ଡିସନର’ ଲଗାଇ ଦେଇ ତମେ ଆପଣେ ଦେହ ମନକୁ ଶୀତଳ କରି ଦେଉ ଦେଉ ବାହାର ଯେ ତାତି ପାଚି ନାଲ ପଡ଼ିଗଲାଣି, ସେ କଥା ହେଜକୁ ଆଣୁନାହିଁ। ଯେଉଁ ଗଛରେ ଆମେ ଦୋଳି ବାନ୍ଧୁଥିଲୁ, ଝୁଲୁଥିଲୁ ଓ ଡାଳି ମାଙ୍କୁଡ଼ି ଖେଳୁଥିଲୁ, ତୁମେ ତ ତାକୁ କାଟି ପକାଇ ରାସ୍ତା, ଆପର୍ଟମେଣ୍ଟ ଆଉ ମଲ୍ମାନ ଗଢ଼ି ପକାଇଲ! କୋଠାବାଡ଼ିର ଏମିତି ଜଙ୍ଗଲ ତିଆରି କଲ ଯେ ପବନର ନିଃଶ୍ବାସ ବି ରୁନ୍ଧି ହୋଇଗଲା! କରିବ କ’ଣ?
ଏବେ ତାତି ସହି ହେଉନାହିଁ, ସହି ହେଉନାହିଁ ବୋଲି କହୁଛ ଯେ ହେଲେ କରିବା କ’ଣ? ଆଗରୁ ବି ତାତି ଥିଲା, ଦିନର ତାତି କାଟିବା ଲାଗି ଛାଇ ଥିଲା, ପବନ ଭରା ରାତି ଥିଲା। ସେମିତି ଆଉ ନାହିଁ। ଏବେ ସେ ସବୁ ଖୋଜିଲେ ହବ କି? ତୁମ ଜାଣତରେ ତୁମେ ନିଜେ ତ ‘ବବୁଲ’ ଗଛ ରୋଇଲ, ଏବେ ତହିଁରୁ ଆମ୍ବ ଫଳୁ ବୋଲି ଇଚ୍ଛା କଲେ ହେବ କି?
ମୋ: ୯୪୩୭୯୦୯୬୭୫