ଯୋଗେନ୍ଦ୍ର ଯାଦବ
ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଘୋଷଣା ତ କରାଯାଇଛି, କିନ୍ତୁ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ସରକାରଙ୍କ ତଥାକଥିତ ସାବତ କର୍ମଚାରୀ, ଅସଂଗଠିତ କ୍ଷେତ୍ରର କର୍ମଚାରୀ ଏବଂ ଦେଶର ଶ୍ରମିକ ଓ କୃଷକମାନେ ସେମାନଙ୍କର ପ୍ରଥମ ବେତନ ଆୟୋଗ କିମ୍ବା ସର୍ବନିମ୍ନ ଆୟ ଆୟୋଗଙ୍କୁ ଅପେକ୍ଷା କରି ରହିଛନ୍ତି। ଗଣମାଧ୍ୟମ ଅଷ୍ଟମ ବେତନ ଆୟୋଗ ସଂପର୍କିତ ଘୋଷଣାକୁ ସ୍ବାଗତ କରୁଛି, ଏହାକୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଉପହାର ବୋଲି କହୁଛି। କିନ୍ତୁ ନିୟମିତ କର୍ମଚାରୀଙ୍କ ଏହି ଛୋଟ ଅଂଶ ବାହାରେ କାମ କରୁଥିବା ବହୁ ସଂଖ୍ୟକ ଲୋକଙ୍କ ସ୍ବର କେଉଁଠି ଉଠି ପାରୁନାହିଁ। ଏମିତି ଦେଶର ଅଧିକାଂଶ ଲୋକଙ୍କ ଆୟର ପ୍ରଶ୍ନ ବୁଡ଼ିଯାଏ।
ପ୍ରଥମେ ଦେଖିବା ଦେଶର କେତେ ଲୋକଙ୍କୁ ଅଷ୍ଟମ ବେତନ ଆୟୋଗର ଲାଭ ମିଳିବ? ସଂପ୍ରତି ଭାରତର ୧୪୨ କୋଟି ଜନସଂଖ୍ୟା ମଧ୍ୟରୁ ୬୦ କୋଟି ହେଉଛନ୍ତି ରୋଜଗାରକ୍ଷମ। ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତର ଅଧା, ଅର୍ଥାତ୍ ମାତ୍ର ୩୦ ଲକ୍ଷ ହେଉଛନ୍ତି କେନ୍ଦ୍ର ସରକାରଙ୍କ ନିୟମିତ କର୍ମଚାରୀ। ଯଦି ଆମେ ଏଥିରେ ସେନା, ଅନ୍ୟାନ୍ୟ ସରକାରୀ ସଂସ୍ଥା ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଯୋଡ଼ିବା, ଯେଉଁମାନେ ଅଷ୍ଟମ ବେତନ ଆୟୋଗର ଲାଭ ପାଇପାରିବେ, ତେବେ ମୋଟ ସଂଖ୍ୟା ପ୍ରାୟ ଦେଢ଼ କୋଟି ହେବ। ସରକାରୀ କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ୧୨ କୋଟି ଅନ୍ୟାନ୍ୟ କର୍ମଚାରୀ ଅଛନ୍ତି, ଯେଉଁମାନେ ନିୟମିତ ଦରମା ପାଆନ୍ତି, କିନ୍ତୁ ସେମାନଙ୍କୁ ଏହି ବେତନ ଆୟୋଗର କୌଣସି ଲାଭ ମିଳିବ ନାହିଁ। ସେମାନଙ୍କ ଭିତରୁ କେବଳ ୪ କୋଟିଙ୍କର ଚାକିରି ସ୍ଥାୟୀ, ବାକି ୮ କୋଟିଙ୍କର ଚାକିରି ଅସ୍ଥାୟୀ, ଯେଉଁଥିରେ ଲିଖିତ ଚୁକ୍ତି, ଛୁଟି ଓ ଭବିଷ୍ୟନିଧି ପାଣ୍ଠିର ସୁବିଧା ନାହିଁ। ତାତ୍ପର୍ଯ୍ୟର ବିଷୟ, ଦେଶର ମୋଟ ୬୦ କୋଟି ରୋଜଗାରକ୍ଷମ ଲୋକଙ୍କ ମଧ୍ୟରୁ ୫୮ କୋଟିରୁ ଅଧିକଙ୍କର ଏହି ବେତନ ଆୟୋଗ ସହିତ କୌଣସି ସମ୍ପର୍କ ନାହିଁ।
ଏବେ ଦେଖିବା ଏହି ଛୋଟ ବର୍ଗଙ୍କୁ କେତେ ଲାଭ ମିଳିବ? ଏବଂ ଏହା ସରକାରୀ ବଜେଟ୍ ଉପରେ କେତେ ବୋଝ ପକାଇବ? ଗତ ବର୍ଷର ବଜେଟ୍ ଅନୁଯାୟୀ, କେନ୍ଦ୍ର ସରକାର ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ହାରାହାରି ୭୬ ହଜାର ଟଙ୍କା ଖର୍ଚ୍ଚ କରନ୍ତି, ଯେଉଁଥିରେ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାରଙ୍କ ନିୟମିତ ଚାକିରିରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ପ୍ରାୟ ୩୨ ହଜାର ଟଙ୍କା, ଯେତେବେଳେ ସରକାରଙ୍କ ସର୍ବୋଚ୍ଚ ପଦରେ ଥିବା କର୍ମଚାରୀ ମାସିକ ପ୍ରାୟ ୪ ଲକ୍ଷ ୭୫ ହଜାର ଟଙ୍କା ଦରମା ପାଆନ୍ତି। ଆକଳନ ଅନୁଯାୟୀ, ଯଦି ଅଷ୍ଟମ ବେତନ ଆୟୋଗ ଲାଗୁ ହୁଏ, ତେବେ ମାସିକ ସର୍ବନିମ୍ନ ଦରମା ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇବ, ଯେତେବେଳେ ସର୍ବୋଚ୍ଚ ଅଧିକାରୀଙ୍କ ମାସିକ ଦରମା ୬ ଲକ୍ଷ ୨୫ ହଜାର ଟଙ୍କା ହେବ। ଯଦି ରାଜ୍ୟ ସରକାର ଏହାକୁ ଅଲଗା କାର୍ଯ୍ୟକାରୀ କରନ୍ତି, ତେବେ କର୍ମଚାରୀଙ୍କ ଦରମା ବାବଦରେ କେନ୍ଦ୍ର ସରକାରଙ୍କ ବାର୍ଷିକ ଖର୍ଚ୍ଚ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ବଢ଼ିଯିବ।
ନିୟମିତ କର୍ମଚାରୀଙ୍କ ତୁଳନାରେ ଅନିୟମିତ କର୍ମଚାରୀଙ୍କ ସଂଖ୍ୟା ଅଧିକ। ଥରେ ଚିନ୍ତା କରି କହନ୍ତୁ ଯେ ନୂଆ ବେତନ ଆୟୋଗର ଲାଭ ପ୍ରଥମେ କାହାକୁ ମିଳିବା ଉଚିତ? ମାସିକ ୪ ଲକ୍ଷ ଟଙ୍କାରୁ ଅଧିକ ବେତନ ପାଉଥିବା ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନା ମାସକୁ ମାତ୍ର ୧୦ ହଜାର ଟଙ୍କାରୁ ବି କମ୍ ପାଉଥିବା ଠିକା କର୍ମଚାରୀଙ୍କୁ? ସରକାର ନିୟମିତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରନ୍ତି, ସେଥିରେ ଆଶା ଓ ଅଙ୍ଗନଵାଡ଼ି କର୍ମୀଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦେଇପାରିବେ ଏବଂ ରୋଷେୟାଙ୍କୁ ଅତି କମ୍ରେ ୧୦ ହଜାର ଟଙ୍କାର ପାରିତୋଷିକ ଦେଇପାରିବେ।
ଏବେ ଦେଖିବା ସେମାନଙ୍କ ତୁଳନାରେ ଦେଶର ବାକି କର୍ମଜୀବୀମାନଙ୍କର ସ୍ଥିତି କେମିତି ରହିଛି? ପ୍ରଥମେ ସେମାନଙ୍କ କଥା ଦେଖିବା ଯେଉଁମାନଙ୍କୁ ସରକାରଙ୍କ ସାବତ କର୍ମଚାରୀ ବୋଲି କୁହାଯାଇପାରିବ; ଅର୍ଥାତ୍, ସେଭଳି ସମସ୍ତ କର୍ମଚାରୀ ଯେଉଁମାନେ ସରକାରଙ୍କ ପାଇଁ ନିୟମିତ କାମ କରନ୍ତି, ମାତ୍ର ସେମାନଙ୍କୁ ସରକାର ବେତନ ଆୟୋଗ ମୁତାବକ ନିୟମିତ ବେତନ ଦିଅନ୍ତି ନାହିଁ। ସେମାନଙ୍କ ଭିତରେ ଆଶା ଓ ଅଙ୍ଗନଵାଡ଼ି କର୍ମୀ ରହିଛନ୍ତି, ଯାହାଙ୍କ ସହାୟତାରେ ଶିଶୁ ଓ ସ୍ବାସ୍ଥ୍ୟଠୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟ କରାଯାଏ, କିନ୍ତୁ ସରକାର ସେମାନଙ୍କୁ ସ୍ବେଚ୍ଛାସେବୀ ବୋଲି କହୁଛନ୍ତି। କାମ ପୂରା ନେଉଛନ୍ତି, ଅଥଚ ନିୟମିତ ଦରମା ବଦଳରେ କେବଳ ପାରିତୋଷିକ ଦେଉଛନ୍ତି- ସଂପ୍ରତି ଅଙ୍ଗନଵାଡ଼ି କର୍ମୀଙ୍କୁ ଭାରତ ସରକାର ମାସକୁ କେବଳ ୪,୫୦୦ ଟଙ୍କା ଦେଉଛନ୍ତି ଏବଂ ସହାୟକଙ୍କୁ ୨,୨୫୦ ଟଙ୍କା ଦେଉଛନ୍ତି। ସେହିପରି ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ମାସିକ ୨,୦୦୦ ଟଙ୍କା ଦିଅନ୍ତି। ଯଦି ଏଥିରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ଯୋଡ଼ାଯାଏ, ତେବେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ଏକ ପ୍ରମୁଖ ସ୍ତମ୍ଭ ସେହି ଆଶା କର୍ମୀଙ୍କୁ ମାସିକ ୧୦ ହଜାର ଟଙ୍କା ବି ମିଳୁନି। ସବୁଠୁ ଦୟନୀୟ ଅବସ୍ଥା ହେଉଛି ବିଦ୍ୟାଳୟଗୁଡ଼ିକରେ ଥିବା ମଧ୍ୟାହ୍ନ ଭୋଜନ ରୋଷେୟାମାନଙ୍କର, ଯେଉଁମାନେ ସପ୍ତାହକ ଛଅ ଦିନ ୪ରୁ ୬ ଘଣ୍ଟା କାମ କରନ୍ତି, କିନ୍ତୁ ସରକାର ସେମାନଙ୍କୁ ଦିନ ମଜୁରିଆଙ୍କଠୁ ବି ଖରାପ ଅବସ୍ଥାରେ ରଖିଛନ୍ତି। ସେମାନେ ଭାରତ ସରକାରଙ୍କ ଠାରୁ ମାସିକ ମାତ୍ର ୧,୦୦୦ ଟଙ୍କା ପାଆନ୍ତି; ରାଜ୍ୟ ସରକାରଙ୍କ ଅବଦାନକୁ ସାମିଲ କରିବା ପରେ ସେମାନଙ୍କୁ ପାଖାପାଖି ୩,୦୦୦ ଟଙ୍କା ମିଳିଥାଏ।
ଏହା ବ୍ୟତୀତ, ପ୍ରତ୍ୟେକ ସରକାରୀ ବିଭାଗରେ ଠିକା କର୍ମଚାରୀ କାମ କରୁଛନ୍ତି, ଯାହାଙ୍କ ସଂଖ୍ୟା ଏବେ ନିୟମିତ କର୍ମଚାରୀଙ୍କ ତୁଳନାରେ ଟିକେ କମ୍ ହେବ। ସେମାନଙ୍କୁ ମନଇଚ୍ଛା ଦରମା ଦିଆଯାଏ- ଜଣେ ନିୟମିତ କର୍ମଚାରୀଙ୍କୁ ୬୦,୦୦୦ ଟଙ୍କା ମିଳୁଥିବା ବେଳେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସମାନ କାମ ପାଇଁ ଦିଆଯାଉଛି ୧୦,୦୦୦ ଟଙ୍କା। ସୁପ୍ରିମ୍ କୋର୍ଟ “ସମାନ କାର୍ଯ୍ୟ ପାଇଁ ସମାନ ଦରମା’’ ନୀତିକୁ ମାନ୍ୟତା ଦେଇଛନ୍ତି ଏବଂ ନିୟମିତ କାମ ପାଇଁ ଠିକା ନିଯୁକ୍ତିକୁ ବେଆଇନ ଘୋଷଣା କରିଛନ୍ତି, କିନ୍ତୁ ଏ ପ୍ରଥା ନିରନ୍ତର ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ସାବତ କର୍ମଚାରୀଙ୍କ ସଂଖ୍ୟା କୋଟିଏରୁ ଅଧିକ ହେବ। ଏହାର ଅର୍ଥ ହେଉଛି, ନିୟମିତ କର୍ମଚାରୀଙ୍କ ତୁଳନାରେ ଅନିୟମିତ କର୍ମଚାରୀଙ୍କ ସଂଖ୍ୟା ଅଧିକ। ଥରେ ଚିନ୍ତା କରି କହନ୍ତୁ ଯେ ନୂଆ ବେତନ ଆୟୋଗର ଲାଭ ପ୍ରଥମେ କାହାକୁ ମିଳିବା ଉଚିତ? ମାସିକ ୪ ଲକ୍ଷ ଟଙ୍କାରୁ ଅଧିକ ବେତନ ପାଉଥିବା ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନା ମାସକୁ ମାତ୍ର ୧୦ ହଜାର ଟଙ୍କାରୁ ବି କମ୍ ପାଉଥିବା ଠିକା କର୍ମଚାରୀଙ୍କୁ? ସରକାର ନିୟମିତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରନ୍ତି, ସେଥିରେ ଆଶା ଓ ଅଙ୍ଗନଵାଡ଼ି କର୍ମୀଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦେଇପାରିବେ ଏବଂ ରୋଷେୟାଙ୍କୁ ଅତି କମ୍ରେ ୧୦ ହଜାର ଟଙ୍କାର ପାରିତୋଷିକ ଦେଇପାରିବେ।
ଶେଷରେ, ଆସନ୍ତୁ ଦେଶର ସେହି ଜନସଂଖ୍ୟା ଉପରେ ନଜର ପକାଇବା, ଯେଉଁମାନେ କର୍ମଚାରୀ ନୁହନ୍ତି, ଦରମା ବି ପାଆନ୍ତି ନାହିଁ। ସରକାର ସେମାନଙ୍କ ପାଇଁ ସର୍ବନିମ୍ନ ମଜୁରି ସ୍ଥିର କରନ୍ତି ଏବଂ ସେଇଠି ସେମାନଙ୍କ ମାମଲାକୁ ସାରି ଦିଅନ୍ତି। ଭାରତ ସରକାରଙ୍କ ଦ୍ବାରା ଘୋଷିତ ଜଣେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରି ୫୨୬ ଟଙ୍କା ହୋଇଥିବା ବେଳେ ଜଣେ ଉଚ୍ଚ କୁଶଳୀ କର୍ମଜୀବୀ ପାଇଁ ତାହା ୯୧୨ ଟଙ୍କା ରହିଛି। ଅନ୍ୟମାନଙ୍କ ଉପରେ ଏହାକୁ ଲାଗୁ କରିବା କଥା ଭୁଲିଯାଆନ୍ତୁ, ଭାରତ ସରକାର ନିଜର ଆଶା, ଅଙ୍ଗନଵାଡ଼ି ଓ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ଏତେ ଟଙ୍କା ଦିଅନ୍ତି ନାହିଁ। ଭାରତ ସରକାରଙ୍କ ଅନୁଯାୟୀ, ଜଣେ ଶ୍ରମିକଙ୍କ ହାରାହାରି ଦୈନିକ ମଜୁରି ମାତ୍ର ୪୩୩ ଟଙ୍କା। ଅଷ୍ଟମ ବେତନ ଆୟୋଗରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମାକୁ କ’ଣ ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ସର୍ବନିମ୍ନ ପାରିଶ୍ରମିକ ସହିତ ଯୋଡ଼ିବା ଉଚିତ ନୁହେଁ? ବାକି ରହିଲେ ଚାଷୀ, ଯେଉଁମାନଙ୍କର ମାସିକ ରୋଜଗାର ପ୍ରାୟ ୭ ହଜାର ଟଙ୍କା। ଯଦି ସରକାର ୧୪ କୋଟି ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଦାବିକୁ ଗ୍ରହଣ କରନ୍ତି ଏବଂ ତାହାକୁ ବର୍ତ୍ତମାନର ଦର ଅନୁସାରେ କାର୍ଯ୍ୟକାରୀ କରନ୍ତି, ତେବେ ସେ ବାବଦରେ ବାର୍ଷିକ ଖର୍ଚ୍ଚ ହେବ ୨୬ ହଜାର କୋଟି ଟଙ୍କା, ଯେତିକି ବେଳେ କେନ୍ଦ୍ର ସରକାରଙ୍କ ୩୦ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ବାବଦରେ ଖର୍ଚ୍ଚ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବ। ସେହିପରି ପ୍ରତି ବର୍ଷ କମ୍ପାନିଗୁଡ଼ିକୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଛାଡ଼ ମିଳିଥାଏ। ଏହାର ଅର୍ଥ ନୁହେଁ ଯେ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଅଧିକାର ମିଳିବ ନାହିଁ। କିନ୍ତୁ ତା’ ପୂର୍ବରୁ କିମ୍ବା ତାହା ସହିତ ସେହି ସମସ୍ତ କଠିନ ପରିଶ୍ରମୀ ଲୋକଙ୍କୁ ସେମାନଙ୍କର ସର୍ବନିମ୍ନ ଅଧିକାର ମଧ୍ୟ ମିଳିବା ଉଚିତ, ଯାହାକୁ ଦେଶ ଆଖି ବୁଜି ଦେଉଛି।
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ,
ଭାରତ ଯୋଡ଼ୋ ଅଭିଯାନ