ଭାରତୀୟ ରାଷ୍ଟ୍ରବାଦ: ସହସ୍ର ଡ୍ରୋନ୍‌ର ଆକାଶ

ହରପ୍ରସାଦ ଦାସ

ଗତ ୨୯ ଜାନୁଆରି ସନ୍ଧ୍ୟାରେ ଦିଲ୍ଲୀର ବିଜୟ ଚୌକରେ ପତାକା ଅବତରଣ (ବିଟି˚ ଦ’ ରିଟ୍ରିଟ୍‌) ସମାରୋହର ସିଧା ପ୍ରସାରଣ ଟେଲିଭିଜନ୍‌ ପର୍ଦାରେ ଦେଖିଲି। ଭାରତ ସରକାରଙ୍କ ମନ୍ତ୍ରାଳୟରେ କାମ କଲା ବେଳେ ବିଜୟ ଚୌକରେ ଆମନ୍ତ୍ରିତ ଅତିଥିଙ୍କ ଗହଣରେ ବସି ଏ ଚିତ୍ତାକର୍ଷକ ସମାରୋହ ଅନେକ ଥର ଦେଖିଚି। ଧ୍ବଜାବତରଣ ପରେ ସହସ୍ର ପ୍ରଦୀପ ଜଳି ଉଠିବାର ସେ ଅପୂର୍ବ ଦୃଶ୍ୟ କିଏ ବା ଭୁଲିପାରିବ? ଏଥର ଦେଖିଲି ସତେ ବା ନୂଆ କିଛି। ଆକାଶରେ ଚମକି ଉଠିଲେ ସହସ୍ର ଡ୍ରୋନ୍‌। ଭବ୍ୟ ବହୁ ରଙ୍ଗୀ ପ୍ରଭାମଣ୍ତଳ ଭିତରେ ଦିଶିଗଲା ସତେ ବା ଗୋଟେ ନୂଆ ଦେଶର ମୁହଁ, ଗୋଟେ ନୂଆ ରାଷ୍ଟ୍ରର ରୂପରେଖ! ଗର୍ବ କଲି ମୋ ଦେଶ ପାଇଁ, ମୋ ରାଷ୍ଟ୍ର ପାଇଁ। ହଁ, ସାରେ ଜହାଁ ସେ ଅଚ୍ଛା! ବିଶ୍ବର ବିଶାଳତମ ଗଣତନ୍ତ୍ର! ସଗର୍ବେ, ସଯତ୍ନେ ଚଉତା ହେଉଚି ରାଷ୍ଟ୍ର ଧ୍ବଜ! ସମଗ୍ର ରାଷ୍ଟ୍ର ଏକାଠି ଗୋଟିଏ ଧ୍ବଜା ତଳେ!

ଏ ଉତ୍ସବ ଥିଲା ଭବ୍ୟ, ଅନନ୍ୟ; ଏଯାଏଁ ଏଭଳି ସମାରୋହର କଳ୍ପନା କରାଯାଇ ନ ଥିଲା। ଏ ଉତ୍ସବ ଥିଲା ଏକ ରାଷ୍ଟ୍ରର ଅସ୍ତିତ୍ବର ଉଦ୍‌ଘୋଷଣ। ପତାକା ଅବତରଣ ନୁହେଁ ତ ଏକ ଉତ୍ତିଷ୍ଠିତ ସାର୍ବଭୌମର ବିନମ୍ର ବିନୟ ସମ୍ଭାଷଣ ନିଜର ଅସ୍ତିତ୍ବ ସହିତ। ସନ୍ଧ୍ୟା ହେଲା, ଏଥର ବିରାମ, ସକାଳୁ ପୁଣି ଯୁଦ୍ଧ। ପତାକା ଅବତରଣ ଯୁଦ୍ଧଗ୍ରସ୍ତ ସାମ୍ରାଜ୍ୟବାଦରେ ଏକ ନୈତିକ ବିଚାର। ଦୁଇ ଶିବିର ଯୁଦ୍ଧ ଶ୍ରାନ୍ତ, ତେଣୁ ଦୁଇ ଶିବିରରେ ଯୁଦ୍ଧ କ୍ଷାନ୍ତ କ୍ଳାନ୍ତ ଅବସନ୍ନ ଶରୀରର ବିଶ୍ରାମ ରାତିକ ପାଇଁ। କିନ୍ତୁ ଏ କି ସମୟରେ ବାସ କରୁଚେ ଆମେ, ଯେତେବେଳେ ଯୁଦ୍ଧ ଆଉ ରଣଭୂମିରେ ଦୁଇ ପକ୍ଷ ଭିତରେ ନାହିଁ। ନା ଯୁଦ୍ଧ ବିରତି ଅଛି, ନା ବିଶ୍ରାମ ନା ମାନବୀୟ ସମ୍ବେଦନା। ଯୁଦ୍ଧ ଅହରହ। ଆମ ଅଲକ୍ଷ୍ୟରେ ଯୁଦ୍ଧର ଚକ୍ରାନ୍ତ, ରଣସଜ୍ଜା, ସମ୍ମୁଖ ସମର, ପଶ୍ଚାଦ୍‌ଘାତ, ଛଦ୍ମଘାତ, ନୈଶ ଆକ୍ରମଣ। ମହା ମହା ଯୁଦ୍ଧାସ୍ତ୍ରର ନିର୍ମାଣ, ପରୀକ୍ଷଣ ଓ ପ୍ରୟୋଗ ଚାଲିଚି। ଆତ୍ମରକ୍ଷା ପାଇଁ ନୁହେଁ, ଆକ୍ରମଣ ପାଇଁ। ଏ ସ୍ତମ୍ଭ ଲେଖିଲା ବେଳକୁ ରୁଷ ସୈନିକ ୟୁକ୍ରେନ୍‌ ସୀମାନ୍ତରେ। ନାର୍ଟୋର ଯୁଦ୍ଧପୋତ ଆଟଲାଣ୍ଟିକ ଓ ପାସିଫିକ୍‌ରେ। କ୍ଷେପଣାସ୍ତ୍ର ପ୍ରସ୍ତୁତ। ତେଣେ ୟୁକ୍ରେନ୍‌ର ନାଗରିକ ରୁଷ ସହିତ ସ˚ପର୍କ ଭାଙ୍ଗି ୟୁରୋପିଅନ୍‌ ୟୁନିଅନ୍‌ରେ ସାମିଲ ହେବାକୁ ବ୍ୟଗ୍ର; ନିଜ ରାଷ୍ଟ୍ରକୁ ନିଜର ଭାଷା, ସ˚ସ୍କାର ଓ ଅସ୍ତିତ୍ବର ଆଧାରରେ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ବ୍ୟାକୁଳ, ମରିବାକୁ ପ୍ରସ୍ତୁତ। ନାଟୋର ୟୁରୋ-ଆମେରିକାନ୍‌ ସଦସ୍ୟଗଣ ୟୁକ୍ରେନର ରାଷ୍ଟ୍ରୀୟତା ରକ୍ଷା କରିବାରେ ଆଗ୍ରହୀ ନା ରୁଷକୁ ପଦାନତ କରିବାରେ ଆଗ୍ରହୀ? ୟୁକ୍ରେନ୍‌କୁ ମାଡ଼ି ବସି ଗୋଟିଏ ରାଷ୍ଟ୍ରର ଜୀବନ ନିର୍ବାପିତ କରି ଦେବାରେ ରୁଷ୍‌ର କି ଲାଭ? ସତ୍ୟ କ’ଣ ଜଣାପଡ଼ିବ, କିନ୍ତୁ ଜଣା ନ ପଡୁଥିବା ସତ୍ୟ ଏହି ଯେ ସାମ୍ରାଜବାଦୀ ପର˚ପରାରୁ ଆସିଥିବା ୟୁରୋ-ଆମେରିକାନ୍‌ ରାଷ୍ଟ୍ରଗୁଡ଼ିକ ଏବେ ମଧୢ କ୍ଷୁଦ୍ର ରାଷ୍ଟ୍ରମାନଙ୍କୁ ପଦାନତ କରି ନିଜର ପ୍ରଭାବ କ୍ଷେତ୍ର ବିସ୍ତାର କରିବାରେ ଆଗ୍ରହୀ। ବିସ୍ମୟର କଥା ଯେ ଜାର‌୍‌ଙ୍କ ସମୟରୁ ନଷ୍ଟ ହୋଇ ସାରିଥିବା ସାମ୍ରାଜ୍ୟବାଦୀ ତତ୍ତ୍ବ ଏବେ ମଧୢ ସମାଜବାଦୀ-ସାମ୍ୟବାଦୀ ରୁଷରେ ବ˚ଚିଚି।

ଆମ ଦେଶ ଓ ଆମ ରାଷ୍ଟ୍ର ଭାରତର ସୀମା ଯୁଦ୍ଧ ତ ପାକିସ୍ତାନ ଓ ଚୀନ ସହିତ ଲାଗି ରହିଚି। କିନ୍ତୁ ଆମର ଅଦୃଶ୍ୟ ଶତ୍ରୁ ମଧୢ ସକ୍ରିୟ। ଏ ଅଦୃଶ୍ୟ ଶକ୍ତିଙ୍କ ରଣକୌଶଳ କ’ଣ? ସ˚କ୍ଷେପରେ ତାହା ହେଲା ବିଶ୍ବକୁ ତ୍ରାସ-ଚକିତ (ସକ୍‌) କରି ନିଜର ଇଚ୍ଛା ମୁତାବକ ବିଶ୍ବର ସ˚ରଚନାକୁ ସଜାଡ଼ିବା ବା ବିଗାଡ଼ିବା। ତ୍ରାସ-ଚକିତ କରିବାର ଉପାୟ ହେଉଚି ଆକସ୍ମିକତା, ଧକ୍‌କା, ଝଟ୍‌କା। ଏହାର ଭିତିରି ଅର୍ଥ ହେଲା ଏ ଯେଉଁ ବିଶ୍ବରେ ଆମେ ବାସ କରୁଚେ, ଏଠି ହଠାତ୍‌ କୋଉଠି ଯୁଦ୍ଧ କିମ୍ବା ମହାମାରୀ ଆରମ୍ଭ ହୋଇଯିବା ବା ଆର୍ଥିକ ଦୁର୍ଗତି ଆସିବା, ସ୍ବାଭାବିକ ନ ହୋଇପାରେ; ସୁଚିନ୍ତିତ ଯୋଜନାର ପରିଣତି ହୋଇପାରେ। ତା’ ହେଲେ କ’ଣ କରୋନା ଭଳି ଗୋଟିଏ ମହାମାରୀ ଏକ ସୁପରିକଳ୍ପିତ ଷଡ୍‌ଯନ୍ତ୍ର ଦୁର୍ବଳ ଦେଶମାନଙ୍କର ବିରୋଧରେ? ଅସମ୍ଭବ ନୁହଁ। କାରଣ ଦୁର୍ବିପାକର ଅର୍ଥନୀତିରେ ବିଶ୍ବାସ କରୁଥିବା ଆମେରିକା ଓ ତା’ର ଅନୁଗାମୀମାନେ ଏଭଳି କାର୍ଯ୍ୟ କରିପାରନ୍ତି। ଏଭଳି ଏକ ସନ୍ଦେହ ବହୁ ଦିନରୁ ଥିଲା ମନ ଭିତରେ, କିନ୍ତୁ ପ୍ରମାଣ ନ ଥିଲା। ଉତ୍ତର-ବିଶ୍ବୀକରଣର ଯେଉଁ ପ୍ରତିକ୍ରିୟାତ୍ମକ ଦୃଷ୍ଟିକୋଣ ସହିତ ଆମେ ପରିଚିତ, ତା ଠାରୁ ସ˚ପୂର୍ଣ୍ଣ ଭିନ୍ନ ଏକ ଯୋଜନାବଦ୍ଧ ଆଧିପତ୍ୟ-ତତ୍ତ୍ବ(ଡକ୍‌ଟ୍ରିନ୍‌ ଅଫ୍‌ ହେଜିମୋନି)ର ସୂତ୍ର ନାଓମି କ୍ଲେଇନ୍‌ ନାମକ ଜଣେ କାନାଡିଆନ୍‌ ବିଦୂଷୀଙ୍କ ବକ୍ତବ୍ୟରୁ। ଗୋଟିଏ ଗ୍ଲୋବାଲ୍‌ ଟେଲିଭାଇଜ୍‌ଡ୍‌ ଡିବେଟ୍‌ରେ କ୍ଲେଇନ୍‌ ଅଳ୍ପ ସମୟ ଭିତରେ ଯାହା କହିଥିଲେ, ତାହା ଅନ୍ୟ ବକ୍ତାମାନଙ୍କ ପାଇଁ ଅସହଜ ପରିସ୍ଥିତି ସୃଷ୍ଟି କରିଥିଲା। ପରବର୍ତ୍ତୀ କାଳରେ ନାଓମି କ୍ଲେଇନ୍‌ଙ୍କ ‘ଦ ସକ୍‌ ଡକ୍‌ଟ୍ରିନ୍‌’ ବହି ପ୍ରକାଶିତ ହେଲା। ଏ ବହିରେ କ୍ଲେଇନ୍‌ ଆଧିପତ୍ୟ ତତ୍ତ୍ବର ପୂର୍ଣ୍ଣ ବ୍ୟାଖ୍ୟା ପ୍ରସ୍ତୁତ କଲେ। ଏତେଗୁଡ଼ାଏ କଥା ଏଠି କହିବାର ଆବଶ୍ୟକତା ନାହିଁ। ତାଙ୍କର ଉପପାଦ୍ୟକୁ ତାଙ୍କରି ଭାଷାରେ ପଢ଼ନ୍ତୁ:
“Believers in the shock doctrine are convinced that only a great rupture- a flood, a war, a terrorist attack- can generate the kind of vast clean canvases they crave. It is in these malleable moments, when we are psychologically unmoored and physically uprooted, that those artists of the real plunge in their hands and begin their work of remaking the world.”

(ଯେଉଁମାନେ ବିଶ୍ବକୁ ତ୍ରାସ-ଚକିତ କରିବାର ତତ୍ତ୍ବରେ ବିଶ୍ବାସ କରନ୍ତି ସେମାନେ ନିଶ୍ଚିତ ଯେ ଗୋଟିଏ ବଡ଼ ଦୁର୍ବିପାକ ଯେମିତିକି ପ୍ଳାବନ, ଯୁଦ୍ଧ ବା ଆତଙ୍କୀ ହମ୍‌ଲା ହିଁ ସେମାନଙ୍କ କଳ୍ପିତ ସାଦା କାନଭାସ ସୃଷ୍ଟି କରିପାରେ। ଦୁର୍ବିପାକର ନମନୀୟ ମୁହୂର୍ତ୍ତରେ, ଯେତେବେଳେ ଆମେ ମାନସିକ ସ୍ତରରେ ନିଆଶ୍ରା ପଥହରା ଓ ଶାରୀରିକ ସ୍ତରରେ ଉତ୍ପାଟିତ, ସେତିକିବେଳେ ଏ ବାସ୍ତବତାର କଳାକାରମାନେ ସେ ସାଦା କାନ୍‌ଭାସ୍‌ ଉପରେ ପୃଥିବୀର ପୁନନିର୍ମାଣ କାମ ଆରମ୍ଭ କରିବେ।) ଭାବିଲେ ରକ୍ତ ଶୀତଳ ହୋଇଯାଉଚି। ଅଜଣା ଭୟରେ ନିଦ ହଜି ଯାଉଚି। ତା’ହେଲେ କ’ଣ ପୃଥିବୀର ସବୁ ଦୁର୍ବିପାକ ପଛରେ ପୃଥିବୀକୁ କରାୟତ୍ତ କରିବାର ଏଭଳି ଗୋଟେ ଯୋଜନା କାର୍ଯ୍ୟକାରୀ କରୁଚନ୍ତି ବିଶ୍ବର ଶକ୍ତିଶାଳୀ ଦେଶମାନେ। ସେ ଆମେରିକା ହେଉ ବା ୟୁରୋପ ଅଥବା ଚୀନ! ତାହେଲେ କ’ଣ ସାରା ବିଶ୍ବରେ ବିପୁଳ ଲୋକ କ୍ଷୟର କାରଣ ହୋଇଥିବା ଯୁଦ୍ଧ ଓ ମହାମାରୀ ଆଦି ସାଦା କାନ୍‌ଭାସ୍‌ରେ ନିଜର ଆଧିପତ୍ୟର ରଙ୍ଗ ଭରିବା ପାଇଁ? ତରଙ୍ଗ ପରେ ତରଙ୍ଗ ବ୍ୟାଧି ଯେ ମାଡ଼ି ଆସୁଚି ଏ କ’ଣ ପ୍ରାକୃତିକ ଦୁର୍ବିପାକ ନା ଆମକୁ ରୁଗ୍‌ଣ, ଦୁର୍ବଳ, ସ˚କଳ୍ପହୀନ, ଆଶାହୀନ, ସ୍ବପ୍ନହୀନ ବୃହତ୍ତମ ଲୋକ ସ˚ପ୍ରଦାୟରେ ପରିଣତ କରି ଆମର ଭବିଷ୍ୟତ ଲେଖିବେ ସେମାନେ ତାଙ୍କ ନିଜ ମର୍ଜିରେ? ଭାବି ଦେଖନ୍ତୁ ଲାଟିନ୍‌ ଆମେରିକା, ଆଫ୍ରିକା, ମଧୢପ୍ରାଚ୍ୟ ଓ ଦକ୍ଷିଣପ୍ରାଚ୍ୟ ତଥା ସୁଦୂର ପ୍ରାଚ୍ୟ, ପୃଥିବୀ ତିନି ଚତୁର୍ଥାଂଶରୁ ଅଧିକ କ୍ଷେତ୍ର ଉପରେ ୟୁରୋ-ଆମେରିକାନ୍‌-ରୁଷ-ଚୀନ୍‌ଙ୍କର କର୍ତ୍ତୃତ୍ବ ବିଶ୍ବ ପାଇଁ ଏକ ପଣ୍ୟ ବଜାର ଓ ଶ୍ରମ ବଜାର ସୃଷ୍ଟି କରିବ। ରକ୍ଷା ହେଇଚି ଏ ପର୍ଯ୍ୟନ୍ତ ଆମେରିକା ଓ ୟୁରୋପ ସହିତ ରୁଷ ଓ ଚୀନ୍‌ ନ ମିଶି ବରଂ ପରସ୍ପର ବିରୋଧରେ ବୈକଳ୍ପିକ ଶକ୍ତିତନ୍ତ୍ର ଠିଆ କରାଇଚନ୍ତି। କିନ୍ତୁ ଯେଉଁଦିନ ଏ ଚେକ୍‌ ଆଣ୍ତ ବାଲାନ୍‌ସର କୂଟନୀତି ବଦଳିବ, ସେଦିନ ବିଶ୍ବ ଯୁଦ୍ଧରେ ନୁହେଁ ସୁପରିକଳ୍ପିତ ଦୁର୍ବିପାକରେ ପଡ଼ି ନଷ୍ଟ ହୋଇଯିବ।

ଗୋଟିଏ ବକ୍ତୃତା କାର୍ଯ୍ୟକ୍ରମରେ ଜଣେ ବୁଦ୍ଧିମାନ ଯୁବକ ମୋତେ ପଚାରିଲେ, ବିଶ୍ବର ଦୁର୍ବିପାକ କଳ୍ପନା କଲା ବେଳେ ଏହି ସ୍ବାର୍ଥୀ ଦେଶମାନଙ୍କର ନାଗରିକ ବି ତ ମରନ୍ତି! ହଁ, ମରନ୍ତି କାରଣ ଏମାନଙ୍କ ଦୃଷ୍ଟିରେ ମୃତ୍ୟୁ ଏକ ଅର୍ଥନୈତିକ ସୁଯୋଗ। ଥରେ ଏହି ସ୍ତମ୍ଭରେ କହିଥିଲି କିପରି ସିକାଗୋ ବିଶ୍ବବିଦ୍ୟାଳୟର ସୋସିଆଲ ସାଇନ୍‌ସ ବିଭାଗର ବେସ୍‌ମେଣ୍ଟରେ ମିଲ୍‌ଟନ୍‌ ଫ୍ରିଡ୍‌ମ୍ୟାନ ଓ ତାଙ୍କ ଶିଷ୍ୟମାନେ ଦୁର୍ବିପାକ ଅର୍ଥନୀତି ଦ୍ବାରା ବିଶ୍ବକୁ ନିୟନ୍ତ୍ରଣ କରିବାର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ଓ କିପରି ଫ୍ରିଡ୍‌ମ୍ୟାନ୍‌ ଓ ତାଙ୍କ ଶିଷ୍ୟମାନେ ବିଶ୍ବର ସୁବୃହତ ଗଣତନ୍ତ୍ରମାନଙ୍କର ଅନ୍ତଃସ୍ଥଳରେ ପ୍ରବେଶ କରି ନିର୍ମମ ଅମାନୁଷିକତାର ‘ବାସ୍ତବତା’ ପ୍ରଚଳିତ କରାଇଥିଲେ। ଆମେରିକାରେ ଗୋଟିଏ ଧ୍ବସ୍ତ ନଗରୀର ଶବମାନଙ୍କ ମଝିରେ ଠିଆ ହୋଇ ଏମାନେ ଯଦି ଭାବିପାରନ୍ତି ଯେ ଯାହା ହେଉ କଫିନ୍‌ ଶିଳ୍ପ ସୁଧୁରିଯିବ, ତେବେ ଏମାନଙ୍କ ଆସୁରିକ କଳ୍ପନାକୁ ସନ୍ଦେହ କହିବାର ଅବକାଶ କାହିଁ?

ମୋର ତିଳେ ମାତ୍ର ସନ୍ଦେହ ନାହିଁ ଯେ ଏଭଳି ସ୍ଥିତିରେ ବର୍ତ୍ତମାନର ଭାରତ ସରକାର ବୁଦ୍ଧିମତ୍ତା, ଦୂରଦୃଷ୍ଟି, ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଚନ୍ତି। ଶାସନ ଆରମ୍ଭର ପ୍ରଥମ ଦୁଇ ବର୍ଷରେ ମୋଦୀଙ୍କ ବିଦେଶ ଗସ୍ତର ପ୍ରକୃତ ମର୍ମ ଏବେ ବୁଝାପଡୁଛି। ମୋଦୀ, ଭାରତର ପ୍ରଧାନମନ୍ତ୍ରୀ ଭାବରେ କଳିବାକୁ ଚାହୁଥିଲେ ବିଶ୍ବର ଶକ୍ତିତନ୍ତ୍ର କିଭଳି ପରିଚାଳିତ ହୁଏ! ପର ଦୁଇ ବର୍ଷର ବିଦେଶ ନୀତିରେ ରାଷ୍ଟ୍ରବାଦୀ ଚିନ୍ତନ ଏକ ସୁଚିନ୍ତିତ ଆକଳନର ପରିଣତି। ବର୍ତ୍ତମାନ ଭାରତର ଯୁବ ପିଢ଼ିର ରାଜନେତା, ବ୍ୟୁରୋକ୍ରାଟ, ବୁଦ୍ଧିଜୀବୀ ଓ ସମାଜଚିନ୍ତକ ସମସ୍ତଙ୍କ ହୃଦୟରେ ରାଷ୍ଟ୍ରବୋଧ। ଏଭଳି କେହି ନାହିଁ ଯିଏ ନିଜ ରାଷ୍ଟ୍ର ପ୍ରତି ସମର୍ପିତ ନୁହେଁ। ଯେଉଁମାନେ ମୋଦୀଙ୍କ ରାଷ୍ଟ୍ରବାଦୀ ଚିନ୍ତନକୁ ଫାସିଷ୍ଟ୍‌ ବୋଲି ଭର୍ତ୍ସନା କରୁଥିଲେ ସେମାନେ ଆପେ ମଉଳି ଗଲେଣି, କାରଣ ୟୁରୋ-ଆମେରିକାନ୍‌ ବୌଦ୍ଧିକ-ଅସ୍ତ୍ରାଗାର ଏବେ ପ୍ରାୟ ଉଜୁଡ଼ି ଗଲାଣି। ଏକଦା ଗୋଟିଏ ବିଶ୍ବବିଦ୍ୟାଳୟର ଗୋଟିଏ ବିଭାଗର ବେସ୍‌ମେଣ୍ଟରେ ପୃଥିବୀ-ଅପହରଣର ଦୁଶ୍ଚିନ୍ତାକୁ ମହାଚିନ୍ତନର ନାମ ଦେଇ ଚଳେଇ ନିଆଯାଇପାରୁଥିଲା। ଏବେ ତାହା ଅସମ୍ଭବ।

ଅଭ୍ୟାସବଶତଃ ପ୍ରୟାସ କରିପାରନ୍ତି ଏ ମହାବଳୀ ରାଷ୍ଟ୍ରମାନେ, କିନ୍ତୁ ବିଫଳତାର ଭୂତଗ୍ରାସରେ ତାଙ୍କର ବୌଦ୍ଧିକ ଅନୁଷ୍ଠାନମାନ! ଏଇ ଯେଉଁ ନାଓମି କ୍ଲେଇନ୍‌ଙ୍କ ‘ସକ୍‌ ଡକ୍‌ଟ୍ରିନ୍‌’ ବହି ବିଷୟରେ କହିଲି, ସେ ବହି କିଭଳି ସମ୍ଭବ ହେଲା? ଏ ବହି ପଛରେ ଅଛି ସମଗ୍ର ବିଶ୍ବର ସବୁ କେନ୍ଦ୍ରଚ୍ୟୁତ ଦରିଦ୍ର ଅବିକଶିତ ଜନବହୁଳ ରାଷ୍ଟ୍ରମାନଙ୍କର ସାମୂହିକ ଚିନ୍ତନ। ମହାବଳୀମାନେ ଆଉ ଉପାୟ ନ ପାଇ ଏବେ ଇତିହାସ ସରିଗଲା, ଆଧୁନିକତା ସରିଗଲା, ବିଜ୍ଞାନ ସରିଗଲା ଓ ସଭ୍ୟତା ସରିଗଲା ବୋଲି ମହାବିପର୍ଯ୍ୟୟର ବୌଦ୍ଧିକ ଘୋଷଣାର ହାଵା ସୃଷ୍ଟି କରି ଚାଲିଚନ୍ତି। କିନ୍ତୁ ବିଶ୍ବର ନୂଆପିଢ଼ିର ବିଦ୍ବାନ୍‌, ଚିନ୍ତକ, ରାଜନେତା ବା ଯୁବ ପ୍ରତିଭା କେହି ତହିଁରେ ବିଶ୍ବାସ କରନ୍ତି ନାହିଁ। କ୍ଲେଇନ୍‌ ତାଙ୍କ ବହିରେ ବିଭିନ୍ନ ଉଦାହରଣ ଦେଇ ପ୍ରମାଣ କରିଚନ୍ତି କିପରି ଦୁର୍ବଳ ଓ ଅବିକଶିତ ଦେଶମାନଙ୍କର ଲୋକଶକ୍ତିର ବିକାଶ ମହାବଳୀମାନଙ୍କର ଯୋଜନାକୁ ପଣ୍ତ କରି ଦେଇଚି। ସେ ତର୍କକୁ ଟିକେ ଆଗକୁ ବଢ଼େଇ ନେଲେ ଆମେ ‘ରାଷ୍ଟ୍ରବାଦ’ରେ ହିଁ ପହଁଚିବା। ଲୋକ ଶକ୍ତିର ଉଦୟ ଆର୍ଥିକ ପ୍ରଗତି ଠାରୁ ଭିନ୍ନ। ଲୋକ ଶକ୍ତି ଏକ ଆବେଗିକ ବ୍ୟାପାର, ଦେଶାତ୍ମବୋଧ ସହିତ ଆତ୍ମ ଶକ୍ତିର ବିକାଶ ତାର ଭାଷା, ଜିଡିପି ନୁହେଁ। ବିକାଶର ଦର ସ୍ଥିର କରିବାର ପ୍ରକ୍ରିୟାରେ ପରିସ˚ଖ୍ୟାନଗତ ବିଭ୍ରାନ୍ତିଗୁଡ଼ିକ ଖଞ୍ଜା ଯାଇଚନ୍ତି ଅର୍ଥନୀତିକୁ ମାନବତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କରିବା ପାଇଁ। ସେ ଖେଳ ସରିଯାଇଚି। ଭାରତୀୟଙ୍କ ଭାରତ ଏକ ଭିନ୍ନ ରାଷ୍ଟ୍ରବାଦ। ଇଏ ଇଟାଲୀ ଓ ଜର୍ମାନୀର ନରସ˚ହାର ଆଧାରିତ ଭୟାତୁର ରାଷ୍ଟ୍ରବାଦ ନୁହେଁ। ଇଏ ଅଗ୍ରସରୀ ଆତ୍ମ ପରିଚୟର ରାଷ୍ଟ୍ରବାଦ।

ରାଜନୀତି ବିଜ୍ଞାନରେ ପଢ଼ା ଯାଉଥିବା ‘ରାଷ୍ଟ୍ରବାଦ’ର ପୁନର୍ବ୍ୟାଖ୍ୟାନ ଲୋଡ଼ା। ବର୍ତ୍ତମାନ ଭାରତର ରାଷ୍ଟ୍ରବାଦୀ ସରକାର କାହାରି ବିକଳ୍ପ ନୁହେଁ। ଏ ଏକ ଅବଶ୍ୟମ୍ଭାବୀ ରାଜନୈତିକ ପରିଣତି। କହିବାରେ ଦ୍ବିଧା ନାହିଁ ଯେ ବିଶ୍ବକୁ କଳି ନେଲା ପରେ ଭାରତର ରାଷ୍ଟ୍ରବାଦୀ ସରକାର ଏବେ ସବୁ ମହାବଳୀଙ୍କୁ ଆଡ଼ ଦୃଷ୍ଟିରେ ଦେଖିଲେଣି। ଭାରତ ଆଉ ଭୟଭୀତ ନୁହେଁ। ଏ କ’ଣ ବିଶ୍ବର ବୃହତ୍ତମ ଗଣତନ୍ତ୍ର ପାଇଁ ଏକ କ୍ଷୁଦ୍ର ଉପଲବ୍‌ଧି? ମୁଁ ତ ଭାବେ ଭାରତର ସବୁ ରାଜନୈତିକ ଦଳଙ୍କ ଆଜେଣ୍ତାରେ ରାଷ୍ଟ୍ରବାଦ ଗୁପ୍ତ ହୋଇ ଅଛି। ରାଜନୈତିକ କାରଣରୁ ବିଭିନ୍ନ ରାଜନୈତିକ ଦଳ ବା ରାଜନେତା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରବାଦୀ ଆଜେଣ୍ତାକୁ ସମାଲୋଚନା କରିପାରୁଥାନ୍ତି। ଅନ୍ୟ ସବୁ ଦଳର ନୂଆ ପିଢ଼ି ରାଷ୍ଟ୍ରବାଦୀ ଭାରତ ଚାହାନ୍ତି, କିନ୍ତୁ ପୂର୍ବ ପିଢ଼ିର ନେତୃତ୍ବ-ପର˚ପରା ଏବେ ରାଷ୍ଟ୍ରବାଦ-ବିରୋଧୀ ଉଦାରବାଦୀ। ୟାର ଲାଭ ଯିବ ଭାରତୀୟ ଜନତା ପାର୍ଟିକୁ, କାରଣ ଏ ଦଳ ମୁକ୍ତ କଣ୍ଠରେ ଘୋଷଣା କରିଚାଲିଚି ଯେ ତାଙ୍କ ଦଳ ‘ଭାରତୀୟଙ୍କ ଭାରତ’ର ରାଷ୍ଟ୍ରବାଦ ଚାହେଁ। ହିନ୍ଦୁ ରାଷ୍ଟ୍ରବାଦ ଭାରତର ଶାସକ ଦଳକୁ ନିନ୍ଦିତ କରିବାର ଏକ ବ୍ୟାଖ୍ୟାନ, ଯାହାର ଚିହ୍ନ ବର୍ଣ୍ଣ ବର୍ତ୍ତମାନର ଶାସକ ଦଳର ଆଜେଣ୍ତା ବା କର୍ମକ୍ଷେତ୍ରରେ ନାହିଁ। ମୋଦୀ ବୋଧହୁଏ ବିଶ୍ବର ପ୍ରଥମ ବଡ଼ ଅନୁଭବୀ ନେତା ଯିଏ ଆନ୍ତର୍ଜାତିକ ମ˚ଚରେ ଶକ୍ତି ତନ୍ତ୍ରର ଖେଳକୁ ଅତି ନିକଟରୁ ଦେଖି ତାଙ୍କର ରାଷ୍ଟ୍ରବାଦୀ ଚିନ୍ତନକୁ ରୂପ ଦେବାରେ ସମର୍ଥ ହୋଇଚନ୍ତି। ସମଗ୍ର ଯୁବପିଢ଼ି, ଶ୍ରମିକ ଶ୍ରେଣୀ, ଉଦ୍ୟୋଗୀ, ରାଜନୈତିକ କର୍ମୀ ଓ ନାଗରିକ ‘ଭାରତୀୟ ରାଷ୍ଟ୍ରବାଦ’ରେ ବିଶ୍ବାସ କରନ୍ତି। ସ୍ବାଧୀନତା ପରେ ଭାରତର ସାର୍ବଭୌମତା ଓ ସ୍ବାୟତ୍ତତାର ଏ ଆବେଗିକ, ବୌଦ୍ଧିକ ଓ ବାସ୍ତବବାଦୀ ପରିପ୍ରକାଶ ଏ ଯାବତ୍‌ ସମ୍ଭବ ହୋଇନଥିଲା। ସରକାର ପରିଚାଳନାରେ ଦକ୍ଷତା ଯେଉଁ ଶାସନତନ୍ତ୍ର ଗଢ଼ଣ ଉପରେ ନିର୍ଭର କରେ, ତହିଁରେ ଶତକଡ଼ା ଶହେ ଏବେ ‘ଦେଶୀ’ ମାନସିକତାର ବ୍ୟକ୍ତି। ଏମାନେ କେହି ଇ˚ରେଜୀରେ ସ୍ବପ୍ନ ଦେଖନ୍ତି ନାହିଁ। ଇ˚ରେଜଙ୍କ ଔପନିବେଶିକ ମଡେଲର ସେକ୍ରେଟାରୀ-କିରାଣି ଦନ୍ତକଥା ଶୁଣି ଯେଉଁମାନେ ତାଙ୍କ ପିଲାଙ୍କୁ ସାହେବ ବନାଇ ଥିଲେ, ସେମାନେ ଆଉ ନାହାନ୍ତି। ସମୟ ବଦଳିଚି। ଲକ୍ଷ୍ୟ କଲେ ଆପଣ ଦେଖିବେ ଆମର ନୂଆ ପିଢ଼ିର ଶାସକ, ରାଜନେତା ଓ ଜନନେତା କେହି ଆଉ ପ୍ରେରଣା ପାଇଁ ପଶ୍ଚିମକୁ ଚାହୁଁନାହାନ୍ତି। ପୂର୍ବର ସୂର୍ଯ୍ୟୋଦୟ ଭାରତରେ ତା’ର ପ୍ରଥମ ଆଲୋକ ସ˚ପାତ କରିସାରିଚି।

ପତାକା ଅବତରଣର ଭବ୍ୟ ଦୃଶ୍ୟ ଦେଖି ଭାବୁଥିଲି ସତେ ଅବା ଅସ˚ଖ୍ୟ ନକ୍ଷତ୍ର ଖଚିତ ବ୍ୟୋମରୁ ମୋ ଦେଶର ଖଣ୍ତିଏ ତାର ନିଜ ମହିମାରେ ଆଲୋକିତ ହୋଇ ପଡ଼ିଚି ଆମର ଦେଖିବା ପାଇଁ। ଆମ ନିଜ ଦେଶର ତରୁଣ ବୈଜ୍ଞାନିକଙ୍କ ହାତ ତିଆରି ସହସ୍ର ଡ୍ରୋନ୍‌ ସେ ଯେଉଁ ବ୍ୟୋମ ଖଣ୍ତକର ନିର୍ମାଣ କରିଚନ୍ତି ସିଏ ଆରମ୍ଭ ମାତ୍ର। ଲୋକସ˚କଳ୍ପରେ ଭାରତୀୟ ରାଷ୍ଟ୍ରବାଦ ପ୍ରବେଶ କରିବ ସେତିକି ବେଳେ, ଯେତେବେଳେ ଆବେଗର ଅଶ୍ରୁ ସି˚ଚିତ ହୃଦୟରେ ଭାରତର ମାଟି ନବ ଜନ୍ମ ପାଇଁ ପ୍ରସ୍ତୁତ ହେବ। ସେ ସମୟ ଉପଗତ। ରାଜନୀତି ଆଉ ବ୍ୟକ୍ତିରେ ନାହିଁ, ରାଜନୀତି ଲୋକଦର୍ଶନରେ। ନେତୃତ୍ବ ଆଉ ଶକ୍ତିରେ ନାହିଁ, ଆଦର୍ଶରେ। ବିଶ୍ବ ଆଉ ବିଶ୍ବରେ ନାହିଁ, ଅଛି ସ୍ଥାନୀୟତାର ବିଶ୍ବ ଦୃଷ୍ଟିରେ।
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର