ସୁଦୂର ଅତୀତ ଉପରେ ଦୃଷ୍ଟିପାତ କଲେ ଦେଖାଯାଏ ଯେ ଆମ ରାଜ୍ୟରେ ଗୋଟିଏ ସମୟରେ ଘରପୋଡ଼ି ବା ଅଗ୍ନିକାଣ୍ଡକୁ ସବୁଠାରୁ ବଡ଼ ବିପର୍ଯ୍ୟୟ ରୂପେ ଗଣାଯାଉଥିଲା। ଆଧୁନିକ ଅଗ୍ନିଶମ ବିଭାଗର ସୃଷ୍ଟି ହୋଇନଥିବାରୁ ଓ ଅଧିକ ସଂଖ୍ୟାରେ ଦମକଳ ଗାଡ଼ିର ସୁବିଧା ନଥିବାରୁ ଗ୍ରାମ ବା ସହରରେ ଗୋଟିଏ ସ୍ଥାନରେ ନିଆଁ ଲାଗିଲେ ତାହା ଚାରିଆଡ଼କୁ ମାଡ଼ି ଯାଉଥିଲା। ଫଳରେ ବିପୁଳ ପରିମାଣର ଧନ ସମ୍ପତ୍ତି ଓ ଘରଦ୍ୱାର ନିମିଷକ ଭିତରେ ଭସ୍ମୀଭୂତ ହୋଇଯାଉଥିଲେ ଏବଂ ଅନେକ ଲୋକ ଜୀବନ୍ତ ଦଗ୍ଧ ହେଉଥିଲେ। ସେଥିପାଇଁ ଲୋକମୁଖରୁ ଏକ ଉକ୍ତି ଶୁଣିବାକୁ ମିଳୁଥିଲା- ‘ଘରପୋଡ଼ି ଠାରୁ ବିପତ୍ତି ନାହିଁ, ଘୋଡ଼ାଚଢ଼ା ଠାରୁ ସମ୍ପତ୍ତି ନାହିଁ।’ ପରବର୍ତ୍ତୀ ସମୟରେ ଘରପୋଡ଼ି ଆଉ ସେପରି ବଡ଼ ବିପଦ ହୋଇ ରହିଲା ନାହିଁ ଏବଂ ତା’ ସ୍ଥାନରେ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନର ଅଶେଷ କ୍ଷତି ସାଧନ କରିବାକୁ ଲାଗିଲା। ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବାକୁ ପ୍ରଶାସନ ଜାଗତିଆର ରହିବା ସଙ୍ଗେ ସଙ୍ଗେ ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହୟତା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ଭୂମିକମ୍ପଜନିତ ବିପର୍ଯ୍ୟୟର ସେଭଳି କୌଣସି ଦୃଷ୍ଟାନ୍ତ ନଥିବା ବେଳେ ବନ୍ୟା ଓ ବାତ୍ୟା ରାଜ୍ୟର ଚିର ସହଚର ହୋଇଆସିଛି ଏବଂ ପ୍ରାୟ ପ୍ରତି ବର୍ଷ ଆମକୁ ଏହି ଦୁଇ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି। ୧୯୯୮ ମସିହାର ମଇ ଶେଷ ଓ ଜୁନ୍ର ଆଦ୍ୟଭାଗ ବେଳକୁ ଆମ ରାଜ୍ୟରେ ଅଂଶୁଘାତ କରାଳ ରୂପରେ ମାଡ଼ି ଆସିବା ଫଳରେ ସପ୍ତାହକ ମଧ୍ୟରେ ତିନି ହଜାର ଲୋକଙ୍କ ଜୀବନହାନି ଘଟିଥିଲା। ତେବେ ପରବର୍ତ୍ତୀ ସମୟରେ ଜନସଚେତନତା ସୃଷ୍ଟି ଓ ପ୍ରଶାସନର ସତର୍କତା ଯୋଗୁଁ ଅଂଶୁଘାତଜନିତ ବିପଦକୁ ଏଡ଼ାଇ ଦିଆଯାଇପାରିଛି।
ତେବେ ଏଇ କିଛି ବର୍ଷ ହେଲା ଓଡ଼ିଶାରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଜୀବନହାନିର ମୁଖ୍ୟ କାରଣ ହୋଇଛି, ଆଉ ତା’ ହେଉଛି ବଜ୍ରପାତ। ପ୍ରତିଦିନ ଖବରକାଗଜ ପୃଷ୍ଠା ଓଲଟାଇଲେ ବଜ୍ରପାତଜନିତ ପ୍ରାଣହାନିର ଏକାଧିକ ସମ୍ବାଦ ନଜରକୁ ଆସୁଛି। ବର୍ଷା ସମୟରେ ବିଲରେ ଚାଷ କରୁଥିବା କୃଷକ, ପଡ଼ିଆରେ କ୍ରିକେଟ୍ ବା ଫୁଟ୍ବଲ୍ ଖେଳୁଥିବା ଖେଳାଳି, ଗଛ ତଳେ ଆଶ୍ରୟ ନେଇଥିବା ପଥଚାରୀ, ଏପରିକି କୁଡ଼ିଆ ଘର ଭିତରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକ ଅଚାନକ ବଜ୍ରପାତରେ ଟଳି ପଡୁଥିବାର ଦେଖାଯାଉଛି। ବର୍ତ୍ତମାନ ଏହି ବିଭୀଷିକା ଏତେ ଭୟଙ୍କର ହୋଇଛି ଯେ, ଲାଗୁଛି ସତେ ଯେପରି ଶୂନ୍ୟରୁ ମରଣ ମାଡ଼ି ଆସୁଛି। କେହି କିଛି ବୁଝିବା ପୂର୍ବରୁ ସେହିଠାରେ ଟଳିପଡ଼ି ଜୀବନ ଚାଲିଯାଉଛି। ଗତ ଜୁଲାଇ ମାସରେ ଲଘୁଚାପ ପ୍ରଭାବରେ ଗୋଟିଏ ଦିନ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବାଦଲଫଟା ବର୍ଷା ପ୍ରଳୟ ସୃଷ୍ଟି କରିଥିଲା। ସେ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ୧୮ ଜଣଙ୍କର ଜୀବନ ନେଇଥିଲା। ତା’ ପରଦିନ ବର୍ଷାରେ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତ ଶନିବାର ଦିନ ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ବଜ୍ରପାତ ଘାତକ ସାଜି ଅନେକ ନିରୀହ ଜୀବନ ଲୁଟି ନେଉଛି। ଚଳିତ ବର୍ଷ ମୌସୁମୀ ପ୍ରବାହ ଆରମ୍ଭ ହେବା ପରେ ଏଯାବତ୍ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ଘଟିବା କିଛି କମ୍ କଥା ନୁହେଁ। ପ୍ରଶାସନ ଏହାକୁ ହାଲୁକା ଭାବରେ ବିଚାର କରିପାରିବ ନାହିଁ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୦୦୦ରୁ ୨୦୨୨ ମସିହା ମଧ୍ୟରେ ୬ ହଜାର ୭୫ ଜଣଙ୍କ ଜୀବନ ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅକାଳରେ ଝଡ଼ିପଡ଼ିଛି। ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସମଗ୍ର ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଆମ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଲୋକଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଛି। ଗତ ୨୦୧୧-୧୨ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ବଜ୍ରପାତ ମୋଟ୍ ୩ ହଜାର ୨୧୮ ଜଣଙ୍କର ଜୀବନ ନେଇଥିବା ବେଳେ କେବଳ ମୟୂରଭଞ୍ଜରେ ସର୍ବାଧିକ ୩୪୦ ଲୋକ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ କେନ୍ଦୁଝର ଓ ଗଞ୍ଜାମରେ ୨୦୯ ଲେଖାଏଁ, ସୁନ୍ଦରଗଡ଼ରେ ୧୯୧, ବାଲେଶ୍ୱରରେ ୧୮୫, ନବରଙ୍ଗପୁରରେ ୧୩୩, କଟକରେ ୧୭୭ ଓ ଢେଙ୍କାନାଳରେ ୧୫୪ ଜଣଙ୍କର ପ୍ରାଣହାନି ଘଟିଥିଲା। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ବର୍ଷର ତିନିଟି ସମୟ ଯଥା- ମୌସୁମୀ ପୂର୍ବବର୍ତ୍ତୀ ସମୟ, ମୌସୁମୀ ସକ୍ରିୟ ଥିବା ସମୟ ଏବଂ ମୌସୁମୀ ବର୍ଷାର ବିଦାୟ ସମୟରେ ଅଧିକ ବଜ୍ରପାତଜନିତ ମୃତ୍ୟୁ ଘଟିଥାଏ। ଗଛ ତଳେ ଆଶ୍ରୟ ନେବା ହିଁ କାଳବୈଶାଖୀ ସମୟରେ ହେଉଥିବା ୮୫ ପ୍ରତିଶତ ବଜ୍ରପାତ ମୃତ୍ୟୁର ପ୍ରଧାନ କାରଣ। ତେବେ ଗୋଟିଏ ବିଷୟ ସ୍ପଷ୍ଟ ଯେ, ପ୍ରକୃତିର ପ୍ରକୋପକୁ ନିୟନ୍ତ୍ରଣ କରିବା ମନୁଷ୍ୟ ପକ୍ଷରେ ଆଦୌ ସମ୍ଭବ ନୁହେଁ। ବଜ୍ରପାତକୁ ରୋକିବାର ଶକ୍ତି କାହାରି ପାଖରେ ନାହିଁ। ମାତ୍ର ଏହି ବିପର୍ଯ୍ୟୟ ସମ୍ପର୍କରେ ଲୋକଙ୍କ ଭିତରେ ଉପଯୁକ୍ତ ସଚେତନତା ସୃଷ୍ଟି କରାଗଲେ ମୃତ୍ୟୁ ସଂଖ୍ୟା ଯେ ଯଥେଷ୍ଟ ହ୍ରାସ ପାଇବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ମୋ: ୯୮୬୧୦୨୬୬୪୦
ବଜ୍ରପାତର ବିଭୀଷିକା
ପ୍ରଦୋଷ ପଟ୍ଟନାୟକ