ନିକଟରେ ଏକ ଦକ୍ଷିଣ ଭାରତୀୟ ସିନେମା ମୁକ୍ତିଲାଭ କରିଛି, ଯାହାର ନାମ ‘ଲାଇଗର୍‌’। ସିନେମାଟିର ନାମ ତାର ନାୟକର ନାମ ଅନୁସାରେ ହୋଇଛି, ଯାହା ହେଉଛି ‘ଲାଇଗର୍‌’। ସିନେମାରେ ସେ ଜଣେ ଅସମ୍ଭବ ଭାବେ ବଳଶାଳୀ ଯୁବକ ଚରିତ୍ରରେ ଅବତୀର୍ଣ୍ଣ ହୋଇଛି। ଏହି ନାମଟି ଆସିବା ପରେ ସହସା ଅନେକଙ୍କୁ ଅର୍ଥହୀନ ଭଳି ମନେ ହୋଇଥିଲା, ଯେମିତି ଆମ ପରିବାରରେ ଅନେକ ପିଲାଙ୍କ ଡାକ ନାମ- ବଣ୍ଟି ବା ପିଣ୍ଟୁ ବା ମଣ୍ଟୁ ଇତ୍ୟାଦି ଭଳି। କିନ୍ତୁ ଅନେକଙ୍କୁ ଏହି ନାମଟି କିଞ୍ଚିତ ପରିଚିତ ଭଳି ମଧ୍ୟ ଲାଗିଥିଲା। ମନେ ପଡ଼ିଯାଇଥିଲା ଯେ ସିଂହ ବା ‘ଲାୟନ’ ବାପ ଏବଂ ବାଘ ବା ‘ଟାଇଗର୍‌’ ମା’ର ମିଳନରେ ଜାତ ଏକ ସଂକର ପ୍ରାଣୀ ହେଉଛି ଲାଇଗର୍‌, ଯହିଁରେ ‘ଲାୟନ’ର ପ୍ରଥମ ଦୁଇ ଅକ୍ଷର ଏବଂ ‘ଟାଇଗର’ର ଶେଷ ଦୁଇ ଅକ୍ଷର ମିଶି ଏଭଳି ନାମ ହୋଇଛି।

Advertisment

ସିଂହ (କୁକୁର ଜାତିର ନିକଟତର) ଏବଂ ବାଘ (ବିରାଡ଼ି ଜାତିର ନିକଟତର) ଦୁଇ ଭିନ୍ନ ଜାତିର ଜନ୍ତୁ ହେଲେ ମଧ୍ୟ ଏ ଦୁହିଁଙ୍କ ମିଳନରେ ବଂଶ ବିସ୍ତାରର ଚିନ୍ତା ମଣିଷ ମନକୁ ବହୁ ଆଗରୁ ଆସିଥିଲା ବୋଲି ବିଶ୍ବାସ କରାଯାଏ। ୧୬୯୮ ମସିହାରେ ଏଟିନେ ଯେଫେ ହିଲାରୀ ନାମକ ଜଣେ ବ୍ୟକ୍ତି ପ୍ରଥମେ ‘ଲାଇଗର’ ଶବ୍ଦର ବ୍ୟବହାର କରି ଏଭଳି ଏକ ପ୍ରାଣୀର ଚିତ୍ରମାନ ଆଙ୍କିଥିଲେ, ଯାହା ସିଂହ ଓ ବାଘର ମିଶ୍ରଣରେ ଜାତ ଏକ ଜନ୍ତୁ ଭଳି ଦିଶୁଥିଲା। ପରେ ଏହି ଚିତ୍ରର ଅନୁସରଣରେ କେତେକ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରାଯାଇଥିଲା। କଥିତ ଅଛି ଯେ ୧୮୩୭ ମସିହା ବେଳକୁ ଦୁଇଟି ଲାଇଗର ଶାବକଙ୍କୁ ଇଂଲଣ୍ଡର ରାଜା ଉଇଲିଅମ୍‌ ଚତୁର୍ଥ ଓ ତାଙ୍କର ଉତ୍ତରାଧିକାରୀ ରାଣୀ ଭିକ୍ଟୋରିଆଙ୍କୁ ପ୍ରଦର୍ଶନ କରାଯାଇଥିଲା। ସେଗୁଡ଼ିକର ଅବସ୍ଥା ପରେ କ’ଣ ହେଲା, ସେ ବିଷୟରେ ପ୍ରାୟ ଆଉ କିଛି ଜଣା ନାହିଁ। ତେବେ, ଜନୈକ ବ୍ରିଟିସ ପ୍ରାଣୀ ବିଜ୍ଞାନୀ କାର୍ଲି ହେଗେନ ବେକ୍‌ ୧୮୯୭ରେ ହାମବର୍ଗ ଠାରେ ସିଂହ ଓ ବାଘୁଣୀର ମିଳନ ଘଟାଇ ଦୁଇଟି ଲାଇଗର ଶାବକ ଜନ୍ମ କରାଇଥିଲେ। ୧୯୦୨-୦୩ ମସିହାରେ ପ୍ରକାଶିତ ଆନିମଲ୍‌ ଲାଇଫ୍ ଆଣ୍ଡ୍‌ ଵାଇଲ୍‌ଡ ନେଚର୍‌ରେ ପ୍ରକାଶିତ ହୋଇଥିଲା କିଭଳି ହେଗେନ ଏଭଳି ଏକ ଚମତ୍କାର ଘଟାଇବା ସହିତ ସେହି ଶାବକମାନଙ୍କୁ ଲାଳନ ପାଳନ କରି ଯୁବ ଅବସ୍ଥା ପର୍ଯ୍ୟନ୍ତ ଆଣି ପାରିଥିଲେ। ଜଣାଯାଏ ଯେ ଏହି ଲାଇଗରଗୁଡ଼ିକର ଓଜନ ପାଞ୍ଚ ବର୍ଷ ବୟସରେ ପହଞ୍ଚିଥିବା ବେଳେ ହୋଇଥିଲା ୪୬୭ ପାଉଣ୍ଡ; ନାକ ଠାରୁ ଲାଞ୍ଜ ଶେଷ ଯାଏ ଲମ୍ବା ଥିଲା ଦଶ ଫୁଟ ଦୁଇ ଇଞ୍ଚ ଏବଂ କାନ୍ଧ ପାଖରେ ଉଚ୍ଚତା ଥିଲା ପ୍ରାୟ ୩ ଫୁଟ ୯ ଇଞ୍ଚ। ବର୍ତ୍ତମାନ ପୃଥିବୀର ଚିଡ଼ିଆଖାନାଗୁଡ଼ିକରେ ଥିବା ଲାଇଗରଗୁଡ଼ିକ ଭିତରୁ ବୃହତ୍ତମଟିର ନାମ ହେଉଛି ହରକ୍ୟୁଲେସ୍‌; ରୋମାନ ପୁରାଣର ଅଦ୍ବିତୀୟ ବୀର ହରକ୍ୟୁଲେସ୍‌ ନାମ ଅନୁସାରେ ତାହା ରଖାଯାଇଛି। କଲିକତା ଚିଡ଼ିଆଖାନାରେ ଥିବା ଲାଇଗରଟିଏ ୨୪ ବର୍ଷ ବଞ୍ଚିଥିବାର ରେକର୍ଡ ରହିଛି।

ତେବେ ଏହି ଧାରାର ଓଲଟା ହୋଇ ଶାବକ ଜାତ କରାଯାଇଛି, ଯାହାର ନାମ ଟାଇଗନ୍‌। ଏଥିରେ ବାଘ ହେଉଛି ବାପ ଏବଂ ସିଂହୀ ହେଉଛି ମା’। କଲିକତାର ଆଲିପୁର ଚିଡ଼ିଆଖାନାରେ ଟାଇଗନ୍‌ଟିଏ ଅଛି, ଯାହାର ନାମ କୁବାନାକାନ। ଏହାର ଓଜନ ପ୍ରାୟ ୩୬୩ କିଲୋଗ୍ରାମ। ଏବେ ପୃଥିବୀରେ ଥିବା ଟାଇଗନ୍‌ଙ୍କ ସଂଖ୍ୟା ପ୍ରାୟ ଏକ ଶହ।
ପ୍ରକୃତିରେ ଭିନ୍ନ ଭିନ୍ନ ଜାତିର ପ୍ରାଣୀଙ୍କ ମିଶ୍ରଣରେ ନୂଆ ସଂକର ପ୍ରାଣୀ ଜାତ ହେବାର ଉଦାହରଣ ରହିଛି। ଖଚର ହେଉଛି ଗଧ ଓ ଘୋଡ଼ାଙ୍କ ସନ୍ତାନ। ଏହି ପଦ୍ଧତିରେ ତ ପ୍ରାକୃତିକ ଭାବେ ପ୍ରାଣୀ ଜଗତ୍‌ର ବିସ୍ତାର ଘଟିଛି। କିନ୍ତୁ ଲାଇଗର୍‌ ବା ଟାଇଗନ୍‌ ଭଳି ପ୍ରାଣୀଙ୍କ ସୃଷ୍ଟି ପ୍ରକୃତି କରି ପାରି ନ ଥିଲା, ଯାହା ମନୁଷ୍ୟ କରିଛି। ସ୍ପିନର୍‌ ଓ ଷ୍ଟ୍ରିପ୍‌ଡ ଡଲ୍‌ଫିନ୍‌ଙ୍କ ମିଶ୍ରଣରେ କ୍ଲାଇମିନ୍ ଡଲ୍‌ଫିନ୍, ବେଲୁଗା ଓ ନାରହ୍ବାଲ୍ ତିମିର ମିଶ୍ରଣରେ ନାର୍ଲୁଗା ତିମି, ୟୁରୋପିଆନ୍ ଓ ଆଫ୍ରିକାନ୍ ମହୁମାଛିର ମିଶ୍ରଣରେ କିଲର୍‌ ମହୁମାଛି, ଜେବ୍ରା ଓ ଗଧ ବା ‘ଡଙ୍କି’ର ମିଶ୍ରଣରେ ଜଙ୍ଗି ଆଦି ଜନ୍ମ ନେବା ଦେଖାଯାଇଛି। ଏ ଦିଗରେ ମଣିଷର ଅନୁସନ୍ଧିତ୍ସା ଆଗକୁ ଜାରି ରହିଲେ ଏଭଳି ଆହୁରି ସମ୍ଭାବନା ସୃଷ୍ଟି ହେବ। ତେଣୁ ଏଥିରେ ସଫଳତା ସ୍ବରୂପ ଯଦି କେବେ କିଛି ବିଚିତ୍ର ପ୍ରାଣୀ ପୃଥିବୀରେ ବିଚରଣ କରିବେ, ତେବେ ବିସ୍ମିତ ହେବାର ବିଶେଷ କାରଣ ନାହିଁ।
ମୋ: ୯୯୩୭୮୬୩୫୨୮