ଭାରତୀୟ ସଂସ୍କୃତିରେ ପରାକ୍ରମର ପ୍ରମୁଖ ନିଦର୍ଶନ ହେଉଛି ବାଘ। ଏହା ଆମ ଜାତୀୟ ପଶୁ। ସୁଗଠିତ ଶରୀର, ସଶକ୍ତ ପନ୍ଝା, ସୁଦୃଢ଼ ମାଢ଼ି ଓ ମାଂସ ତନ୍ତୁକୁ ଭେଦ କରିବା ଲାଗି ବଙ୍କା, ଗୋଜିଆ ଓ ତୀକ୍ଷ୍ଣ ‘କାନାଇନ୍’ ଦାନ୍ତ ହେଉଛି ବ୍ୟାଘ୍ର ପରାକ୍ରମର ପରିଚୟ ଓ ପ୍ରତୀକ। ଜଙ୍ଗଲ ରାଜା ମହାବଳ ବାଘର ରଙ୍ଗ ମଧ୍ୟ ହେଉଛି ରାଜକୀୟ। ସାଧାରଣତଃ ତାହା କମଳା ମିଶା ସୁବର୍ଣ୍ଣ ରଙ୍ଗର ହୋଇଥାଏ, ଯହିଁରେ କଳା ରଙ୍ଗର ଗାରମାନ ପଡ଼ିଥାଏ। ସୁନା ଭଳି ଚିକଣିଆ ହଳଦିଆ ବାଘ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖାଯାଆନ୍ତି। ଏକଦା ବନରେ ତୁଷାର ଧବଳ ରଙ୍ଗଧାରୀ ବାଘ ମଧ୍ୟ ଥିଲେ, ଯେଉଁମାନେ ବର୍ତ୍ତମାନ ବିଲୁପ୍ତପ୍ରାୟ। ଅବଶ୍ୟ, ଏହି ରଙ୍ଗର କିଛି ବାଘ ଅରୁଣାଚଳ ପ୍ରଦେଶର ଦିବଙ୍ଗ ଉପତ୍ୟକାରେ ଅଛନ୍ତି। ତେବେ, ଅପ୍ରାକୃତିକ ଆବଦ୍ଧ ପରିବେଶରେ ମନୁଷ୍ୟ ପ୍ରାୟୋଜିତ ପ୍ରଜନନ ମାଧ୍ୟମରେ ଧଳା ବାଘର ବଂଶ ବୃଦ୍ଧି କରାଯାଉଛି। ଆମ ନନ୍ଦନକାନନରେ ୧୯୮୦ ମସିହାରେ ଦୀପକ ଓ ଗଙ୍ଗା ନାମକ ଦୁଇ ସାଧାରଣ ରଙ୍ଗର ବାଘଙ୍କ ମିଳନରୁ ତିନିଟି ଧଳା ଶାବକ ଜନ୍ମ ଲାଭ କରିଥିଲେ। ଏହି ପ୍ରକ୍ରିୟାକୁ ଆଗେଇ ନେଇ ସର୍ବାଧିକ ଧଳା ବାଘ ସୃଷ୍ଟିର ରେକର୍ଡ ସ୍ଥାପନ କରିଛି ଆମ ରାଜ୍ୟ।
ତେବେ ସବୁଠାରୁ ଦୁର୍ଲ୍ଲଭ ହେଉଛି କଳା ରଙ୍ଗର ମହାବଳ ବାଘ। ୧୯୭୫ ମସିହା ଶୀତ ଋତୁରେ କିଛି ବନ ଅଧିକାରୀ ଶିମିଳିପାଳରେ ଦୁଇଟି କୃଷ୍ଣକାୟ ବାଘକୁ ଦିବାଲୋକରେ ଦେଖିଥିଲେ ହେଁ ସେତେବେଳେ ଏହାକୁ ବିଶେଷଜ୍ଞମାନେ ଛାୟା ମିଶ୍ରିତ ସୂର୍ଯ୍ୟାଲୋକ ଜନିତ ରଙ୍ଗ ବୋଲି କହି ଅଣଦେଖା କରିଥିଲେ। ପରେ ୧୯୯୧ ମସିହାରେ ଉପର ବାରାହାକାମୁଡ଼ା ବନାଂଚଳରେ ଏହି ବିରଳ ରଙ୍ଗଧାରୀ ବାଘର ପରିବାରଟିଏ ପୁନଶ୍ଚ ଦୃଷ୍ଟିଗୋଚର ହେବା ଫଳରେ ବ୍ୟାଘ୍ର ପ୍ରକଳ୍ପ ଅଂଚଳରେ ଏଭଳି ବାଘର ଉପସ୍ଥିତି ବିଷୟ ସ୍ପଷ୍ଟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଅନେକ ପ୍ରତ୍ୟକ୍ଷଦର୍ଶୀ ବନଚାରୀ ଓ କର୍ମଚାରୀଙ୍କ ତଥ୍ୟ ଓ ଉତ୍ତୋଳିତ ଫଟୋରୁ ଏହା ସାବ୍ୟସ୍ତ ହୋଇଗଲା ଯେ ଶିମିଳପାଳ ହେଉଛି ପୃଥିବୀ ପୃଷ୍ଠରେ କଳାବାଘର ଏକମାତ୍ର ବାସସ୍ଥଳୀ। ୨୦୨୨ ମସିହାର ବାଘ ଆକଳନ ଅନୁଯାୟୀ ଏମାନଙ୍କ ସଂଖ୍ୟା ମାତ୍ର ୧୦, ଯାହା ମଧ୍ୟ ପୃଥିବୀରେ ଆତଯାତ ହେଉଥିବା ସର୍ବମୋଟ କଳାବାଘଙ୍କ ସଂଖ୍ୟା।
ମେଲାନୋସାଇଟିସ୍ ନାମକ ଜୀବକୋଷର ଗୁଣସୂତ୍ର ଶରୀରର ରଙ୍ଗକୁ ରୂପ ଦେଇଥାଏ, ଯହିଁରେ ପରିବର୍ତ୍ତନ ଘଟିଲେ ବିଭିନ୍ନ ରଙ୍ଗ ସୃଷ୍ଟି ହୋଇଥାଏ। ଏହା ଦୁଇ ପ୍ରକାରର: ଗୋଟିଏ ପ୍ରସ୍ଫୁଟିତ ଏବଂ ଅନ୍ୟଟି ପ୍ରଭାବହୀନ। କିନ୍ତୁ ବେଳେବେଳେ ବାପା ଓ ମା’ ପାଖରେ ଥିବା ପ୍ରଭାବହୀନ ବିଭାବଟି ସନ୍ତାନ ପାଖରେ ଅଧିକ ପ୍ରକଟିତ ହୋଇ ସନ୍ତାନର ରଙ୍ଗ ବା ଗୁଣକୁ ବାପା, ମା’ଠାରୁ ଭିନ୍ନ କରିଥାଏ। ତେଣୁ ଅନେକ ସମୟରେ ବାପା, ମା’ଠାରୁ ଭିନ୍ନ ବର୍ଣ୍ଣଧାରୀ ଓ ଗୁଣଧାରୀ ସନ୍ତାନ ସୃଷ୍ଟି ହୋଇଥାଆନ୍ତି।
କଳା ରଙ୍ଗକୁ ନେଇ ନାନା ମତ ଅଛି। କେତେକ ବିଶେଷଜ୍ଞ କହନ୍ତି ଏହି ବାଘମାନେ ପୂରାପୂରି କଳା ନୁହନ୍ତି, ବରଂ ଓସାରିଆ ଗାଢ଼ କଳା ପଟିଗୁଡ଼ିକ ଦେହରେ ଲାଗି ଲାଗି ରହି କାଳିଆ ଦେଖାଯାଆନ୍ତି। ଅନ୍ୟ କେତେକଙ୍କ ମତରେ ବାଘଟି କଳା ଏବଂ ଏହା ମେଲାନିନ୍ ନାମକ କଳା ରଙ୍ଗ କଣିକାର କମାଲ। ଏକ ବିଚ୍ଛିନ୍ନ ଓ ସୀମିତ ସ୍ଥାନର ସ୍ୱଳ୍ପ ସଂଖ୍ୟକ ବାଘ ଗୋଷ୍ଠୀ ମଧ୍ୟରେ ସଙ୍ଗମଜନିତ ପ୍ରଜନନ ଦ୍ୱାରା ପୂର୍ବ ବଂଶଜଙ୍କ ଠାରୁ ଆସିଥିବା ସୁପ୍ତ ଓ ଅପ୍ରକାଶିତ ଜିନ୍ ଅଧିକ ପ୍ରକାଶିତ ହୋଇଉଠିବା ହେଉଛି ଏହାର କାରଣ। ଏଭଳି ପ୍ରଜନନକୁ ‘ଇନ୍ ବ୍ରିଡିଙ୍ଗ’ ବା ‘ଆନ୍ତଃ ସଙ୍ଗମ’ ବୋଲି କୁହାଯାଏ। ବେଙ୍ଗାଲୁରୁସ୍ଥିତ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ଜାତୀୟ ଜୀବ ବିଜ୍ଞାନ କେନ୍ଦ୍ରର ତତ୍ତ୍ବାବଧାନରେ କାର୍ଯ୍ୟରତ ଅନେକ ଦେଶୀୟ ଓ ଆନ୍ତର୍ଦେଶୀୟ ଅନୁଷ୍ଠାନର ପ୍ରସିଦ୍ଧ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ଗବେଷଣାମୂଳକ ସଂଦର୍ଭରେ ଏହି ‘ଇନ୍ ବ୍ରିଡିଙ୍ଗ’ କଥା ସ୍ଥାନିତ ହୋଇଛି।
ଶିମିଳିପାଳ ଏକ ବିରଳ ସ୍ବାତନ୍ତ୍ରୢର ଅଧିକାରୀ। ଏଣୁ ସେଠାରେ କଳା ବାଘ ବଂଶର ଅଭିବୃଦ୍ଧି ଓ ସଂରକ୍ଷଣ ଏକ ବଡ଼ ଦାୟିତ୍ବ। ଅନ୍ୟ ପକ୍ଷରେ ଏହା ମଧ୍ୟ ଏକ ବିପଦର ସମ୍ଭାବନା ସୃଷ୍ଟି କରିଛି। କାରଣ ଆନ୍ତଃ ସଙ୍ଗମ ପ୍ରଜନନ ବଂଶ ଲୋପର ସତର୍କ ଘଂଟି ସଦୃଶ। କାରଣ ଏଭଳି ପ୍ରଜନନରେ ଜନ୍ମ ହାର, ଶାରୀରିକ ସୁସ୍ଥତା ଓ ସକ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଓ ଆୟୁଷ ଇତ୍ୟାଦି ହ୍ରାସ ପାଇଥାଏ। ଶାବକମାନେ ଅଧିକ ସଂଖ୍ୟାରେ ମୃତ୍ୟୁ ବରଣ କରନ୍ତି। ସେଥିପାଇଁ ଆନ୍ତଃ ସଙ୍ଗମକୁ ପସନ୍ଦ କରାଯାଇ ନ ଥାଏ। ବରଂ, ଭିନ୍ନ ଗୋଷ୍ଠୀ ସହିତ ମିଳନ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼େ। ଏଭଳି ବିରଳତମ ପ୍ରାକୃତିକ ବୈଚିତ୍ର୍ୟକୁ ବିପଦମୁକ୍ତ କରିବା, ସୁରକ୍ଷା ପ୍ରଦାନ ସହିତ ବଂଶବୃଦ୍ଧି ପାଇଁ ଅଧିକ ଯତ୍ନଶୀଳ ହେବା ଏକାନ୍ତ ଆବଶ୍ୟକ।
ମୋ: ୯୪୩୭୦୮୦୨୩୩
ବାଘର ରଙ୍ଗରୂପ
ଭାରତୀୟ ସଂସ୍କୃତିରେ ପରାକ୍ରମର ପ୍ରମୁଖ ନିଦର୍ଶନ ହେଉଛି ବାଘ। ଏହା ଆମ ଜାତୀୟ ପଶୁ। ସୁଗଠିତ ଶରୀର, ସଶକ୍ତ ପନ୍ଝା, ସୁଦୃଢ଼ ମାଢ଼ି ଓ ମାଂସ ତନ୍ତୁକୁ ଭେଦ କରିବା ଲାଗି ବଙ୍କା, ଗୋଜିଆ ଓ ତୀକ୍ଷ୍ଣ ‘କାନାଇନ୍’ ଦାନ୍ତ ହେଉଛି ବ୍ୟାଘ୍ର ପରାକ୍ରମର ପରିଚୟ ଓ ପ୍ରତୀକ।
/sambad/media/media_files/2024/10/17/BR6o4GYzppuUxU6XChB3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)