ଜିତଶତ୍ରୁ ମହାନ୍ତି
ଆମ ରାଜ୍ୟରେ ମହାବଳ ବାଘ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଓଡ଼ିଶା ବନ ବିଭାଗର ପାଦ ଚିହ୍ନ ଗଣତି ଅନୁସାରେ ୨୦୦୪ ମସିହାରେ ମୋଟ ୧୯୨ଟି ବାଘ ଥିଲେ, ଯାହା ୨୦୧୬ରେ ୪୦କୁ ଖସି ଆସିଥିଲା। ଏଣେ କେନ୍ଦ୍ର ସରକାରଙ୍କ ଅନୁସୃତ କ୍ୟାମେରା-ଫଟୋ ଭିତ୍ତିକ ଆକଳନ ପଦ୍ଧତିରେ ୨୦୦୬ ମସିହାର ସର୍ବ ଭାରତୀୟ ବିବରଣୀ ଅନୁସାରେ ଏହି ପରିସଂଖ୍ୟାନ ୪୫ ଥିଲା। ତେବେ କ୍ରମାଗତ ଭାବେ ନିମ୍ନଗାମୀ ହେଇ ୨୦୨୨ ମସିହାର ସର୍ବଶେଷ ଗଣନାରେ ଏହି ସଂଖ୍ୟା ମାତ୍ର ୨୦ ବୋଲି ଜଣାପଡ଼ିଛି। ଉପରୋକ୍ତ ଦୁଇ ପ୍ରକାର ପଦ୍ଧତିର ସଠିକତା ଓ ସମ୍ପୂର୍ଣ୍ଣତାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅସହମତି ଥିଲେ ମଧ୍ୟ ସ୍ବୀକାର କରିବାକୁ େହବ ଯେ ରାଜ୍ୟରେ ମହାବଳ ବାଘ ସଂଖ୍ୟା କମିବାରେ ଲାଗିଛି। ୨୦୨୩-୨୪ ମସିହାରେ ଆମ ରାଜ୍ୟରେ କ୍ୟାମେରା-ଫଟୋ ପଦ୍ଧତିରେ େହାଇଥିବା ଗଣତି ଅନୁସାରେ ଏ ସଂଖ୍ୟା ସର୍ବନିମ୍ନ ୨୭ ବୋଲି ଦର୍ଶାଯାଇଥିଲା। ତେଣୁ ଏହା ସ୍ବୀକାର୍ଯ୍ୟ ଯେ ଆମ ରାଜ୍ୟରେ ମହାବଳ ବାଘ ସଂଖ୍ୟା ବହୁତ କମ୍।
ବର୍ତ୍ତମାନ କଁା ଭଁା କିଛି ଅଂଚଳକୁ ଛାଡ଼ି ଦେଲେ ମହାବଳ ବାଘ ମୁଖ୍ୟତଃ ଶିମିଳିପାଳରେ ସୀମିତ; ଏପରି କି ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ରରେ ଗୋଟିଏ ବି ବାଘ ନାହାନ୍ତି। ରାଜ୍ୟର ସମୁଦାୟ ୨୭ଟି ବାଘରୁ ୨୪ଟି ଶିମିଳିପାଳରେ ଅଛନ୍ତି, ଯହିଁରୁ ୧୧ଟି ସାଧାରଣ ରଙ୍ଗର ଓ ୧୩ଟି ବିରଳ କଳା ବାଘ ଏବଂ ସେଥିରୁ ୧୪ଟି ମାଇ ଓ ୧୦ଟି ହେଉଛନ୍ତି ଅଣ୍ଡିରା। ଅବଶିଷ୍ଟ ୩ଟି କେନ୍ଦୁଝର, ହୀରାକୁଦ ଓ ପାରଳାଖେମୁଣ୍ଡି ଭଳି ବନଖଣ୍ଡରେ ଅଛନ୍ତି। ଉପରୋକ୍ତ ବନାଞ୍ଚଳଗୁଡ଼ିକରେ ବେଳେବେଳେ ଗୋଟିଏ ଗୋଟିଏ ଅଣ୍ଡିରା ବାଘ ଦେଖା ଦିଅନ୍ତି; ତେବେ ବିଶାରଦମାନଙ୍କ ମତରେ ସେଗୁଡ଼ିକ ହୁଏତ ଅନ୍ୟ ରାଜ୍ୟରୁ ସାମୟିକ ଭାବେ ଆସୁଥିବେ!
ସାରା ପୃଥିବୀରେ କଳା ମହାବଳ ବାଘର ଏକମାତ୍ର ବାସସ୍ଥଳୀ ହେଉଛି ଶିମିଳିପାଳ। ଶିମଳିପାଳ ବାଘଙ୍କ ସକାଶେ ଏକ ଉତ୍କୃଷ୍ଟ ସ୍ଥାନ ହୋଇଥିଲେ ହେଁ ଅନ୍ୟ ବ୍ୟାଘ୍ର ବନାଞ୍ଚଳରୁ ଏହା ବିଚ୍ଛିନ୍ନ, ଯାହା ବାଘ ବଂଶ ବୃଦ୍ଧି ଲାଗି ଅନୁକୂଳ ନୁହେଁ। ଏହି କାରଣରୁ ଆନ୍ତଃ ପ୍ରଜଜନ ହେଉଛି, ଯାହା ବ୍ୟାଘ୍ର କୁଳ ରକ୍ଷା ଦିଗରେ ଏକ ବିପଦ ହୋଇ ଛିଡ଼ା ହେଲାଣି। କାରଣ ଏଭଳି ଭାବେ ଜନ୍ମିତ ଶିଶୁ ଦୁର୍ବଳ, ବ୍ୟାଧିପ୍ରବଣ ଓ ସ୍ବଳ୍ପାୟୁଷୀ ହୁଅନ୍ତି। ଆଉ ଏକ ଚିନ୍ତାର କାରଣ ହେଉଛି ଓଡ଼ିଶା ବାଘଙ୍କ ଭିତରେ ଲିଙ୍ଗଗତ ଅସମାନୁପାତିକତା। ଗୋଟିଏ ଅଣ୍ଡିରା ବାଘକୁ ୩ଟି ମାଈ ବାଘ ହେଉଛି ଏକ ସୁସ୍ଥ ଅନୁପାତ; ଯାହା ବର୍ତ୍ତମାନ ହେଉଛି ୧:୧.୪, ଅର୍ଥାତ୍ ୧୦ଟି ଅଣ୍ଡିରାରେ ୧୪ଟି ମାଈ ବାଘ। ଉଭୟଙ୍କ ସଂଖ୍ୟା ପାଖାପାଖି ସମାନ ହୋଇଥିବାରୁ ଏହା ଆନ୍ତଃ ପ୍ରଜନନର କାରଣ ହୋଇଛି। ଏଭଳି ସ୍ଥଳେ ପ୍ରତିକାର ସ୍ବରୂପ ‘ଆର୍ନ୍ତଜାତିକ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସଂଘ’ ଦ୍ୱାରା ଅନୁମୋଦିତ ପଦ୍ଧତି ଅନୁସାରେ ଲିଙ୍ଗଗତ ଅନୁପାତକୁ ସହନୀୟ ସ୍ଥିତିକୁ ଆଣିବା ଲାଗି ବାହାରୁ ବାଘ ଆଣି ଛଡ଼ାଯିବା ଜରୁରି। ପୂର୍ବରୁ ଏଭଳି ଉଦ୍ୟମ ଫଳପ୍ରଦ ହୋଇଛି; ଯେମିତି କି ରାଜସ୍ଥାନର ସରିସ୍କା ବ୍ୟାଘ୍ର ପ୍ରକଳ୍ପ ଓ ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ବନାଞ୍ଚଳ। ଉଲ୍ଲେଖ ଥାଉ କି ସାରିସ୍କା ଏକଦା ବାଘ ଶୂନ୍ୟ ହୋଇଯାଇଥିଲା।
ତେବେ କୌଣସି ଅଞ୍ଚଳରୁ ବାଘ ଆଣି ଅନ୍ୟ ବନାଞ୍ଚଳରେ ଛାଡ଼ିଲା ବେଳେ ଉଭୟ ଅଞ୍ଚଳ ମଧ୍ୟରେ ଜଳବାୟୁ, ବୃକ୍ଷଲତା ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିରେ ସାମଞ୍ଜସ୍ୟ ଗୁରୁତ୍ବ ପାଇବା ଉଚିତ। ଓଡ଼ିଶା ହେଉଛି କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ ପାର୍ବତ୍ୟମାଳା ଭୌଗୋଳିକ କ୍ଷେତ୍ରର ଅର୍ନ୍ତଭୁକ୍ତ, ଯହିଁରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଇତ୍ୟାଦି ରାଜ୍ୟର ଅନେକ ବ୍ୟାଘ୍ର କ୍ଷେତ୍ର ସାମିଲ। ଏହି କ୍ଷେତ୍ରରେ ଗୁଣସୂତ୍ରର ବିବିଧତା ମଧ୍ୟ ଅଧିକ। ତେଣୁ ପୂର୍ବରୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଓ ଏବେ ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରୀ ସଂରକ୍ଷଣ ଅଂଚଳରୁ ଦୁଇଟି ବାଘୁଣୀ ଅଣାଯାଇ ଶିମିଳିପାଳରେ ଛଡ଼ା ଯାଇଛି; ତହିଁରୁ ଗୋଟିଏ ଯମୁନା ଓ ଅନ୍ୟଟି ଜୀନତ୍। ଏଭଳି ସ୍ଥଳେ ବୟସ, ଶାରୀରିକ ସକ୍ରିୟତା, ସୁସ୍ବାସ୍ଥ୍ୟ, ସ୍ୱଭାବ, ଚାଲିଚଳଣ ଓ ଶିକାର ଦକ୍ଷତା ଇତ୍ୟାଦି ଆଧାରରେ ବାଘୁଣୀର ଚୟନ କରାଯାଇଥାଏ। ଅଢ଼େଇ ବର୍ଷ ବୟସ୍କା ଯମୁନାକୁ ପ୍ରଥମେ ଶିମିଳିପାଳର ଏକ ଆବଦ୍ଧ ଅଂଚଳରେ ଗଲା ଅକ୍ଟୋବର ୨୮ ତରିଖରେ ଛଡ଼ା ଯାଇ ନୂତନ ପରିବେଶ ସହିତ ଅଭ୍ୟସ୍ତ କରାଯାଇଥିଲା। ତା’ ପରେ ନଭେମ୍ବର ୯ ତାରିଖରେ ତାକୁ ବାଘ ସଂରକ୍ଷଣ କ୍ଷେତ୍ରର ଦକ୍ଷିଣ ଭାଗସ୍ଥ ଆଭ୍ୟନ୍ତରୀଣ ଅଂଚଳରେ ଛଡ଼ାଯାଇଛି। ସେହିପରି ୩ ବର୍ଷ ବୟସ୍କା ଜିନତ୍କୁ ନଭେମ୍ବର ୨୪ ତାରିଖରେ ଉତ୍ତର ଭାଗରେ ଛଡ଼ା ଯାଇଛି। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ବାଘୁଣୀଦ୍ବୟ ନିଜ ଇଲାକା ନିର୍ଦ୍ଧାରଣ କରି ଅବାଧ ବିଚରଣ କରିବା ସହିତ ସ୍ୱାଧୀନ ଭାବେ ଶିକାର କରିବା କଥା ଓ ଅବଲୀଳା କ୍ରମେ ପସନ୍ଦର ବାଘ ସହିତ ମିଳିତ ହୋଇ ବଂଶ ବୃଦ୍ଧି କରିବା କଥା। କିନ୍ତୁ ଖବରରୁ ଯାହା ଜଣାପଡୁଛି, ଦୁଇ ବାଘୁଣୀ ଏ ପର୍ଯ୍ୟନ୍ତ ସ୍ୱକୀୟ କ୍ଷେତ୍ର ଚିହ୍ନଟ କରି ନାହାନ୍ତି; ଯମୁନା ନିକଟସ୍ଥ କୁଲଡ଼ିହା ଅଭୟାରଣ୍ୟ ବୁଲି ଆସି ସାରିଲାଣି ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ବୁଲୁଥିବା ଜୀନତ୍କୁ ଫେରାଇ ଆଣି ପୁଣି ଆବଦ୍ଧ ଅଞ୍ଚଳରେ ରଖାଗଲାଣି। ପ୍ରକାଶ ଥାଉ କି କୌଣସି ଏକ ନୂତନ ସ୍ଥାନକୁ ଆପଣାଇବା ସେମାନଙ୍କ ଲାଗି ସମୟସାପେକ୍ଷ ହେବ। ତେଣୁ ସେମାନଙ୍କ ଉପରେ ଦୀର୍ଘକାଳୀନ ଦୃଷ୍ଟି ରଖାଯିବା ଆବଶ୍ୟକ ହୋଇଥାଏ। ସୁତରାଂ, ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବା ଜରୁରି। ଏହି କ୍ରମରେ ଶିମିଳିପାଳ, ସାତକୋଶିଆ, ଦେବ୍ରିଗଡ଼ ଓ ସୁନାବେଡ଼ା ମଧ୍ୟରେ ସଂଯୋଗ ପଥର ବିକାଶ ଏକାନ୍ତ ଆବଶ୍ୟକ। ୨୦୨୦ ମସିହାରେ ‘ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ’ ନାମକ ଏକ ସଂସ୍ଥା ପକ୍ଷରୁ କିଛି ଅଭିଜ୍ଞ ବନାଧିକାରୀ, ବୈଜ୍ଞାନିକ ଓ ଗବେଷକମାନଙ୍କ ମାଧ୍ୟମରେ ଅନୁଧ୍ୟାନ କରାଯାଇ ଶିମିଳିପାଳ ଓ ସାତକୋଶିଆ ମଧ୍ୟବର୍ତ୍ତୀ ସଂଯୋଗ ପଥର ପୁନରୁଦ୍ଧାର ଓ ବିକାଶ ପାଇଁ କେତେକ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ସବୁ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ଆମ ରାଜ୍ୟରେ ମହାବଳ ବାଘ ବଂଶ ସୁରକ୍ଷା ଲାଗି ଆମକୁ ଖୁବ୍ ଯତ୍ନବାନ ହେବାକୁ ପଡ଼ିବ; ଯେଉଁଥି ଲାଗି ଧୈର୍ଯ୍ୟ ଓ ନିଷ୍ଠା ଆବଶ୍ୟକ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩