ଗୌରହରି ଦାସ
ଗତ ଫେବ୍ରୁଆରି ୯ ତାରିଖରେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟତା ପ୍ରସଙ୍ଗକୁ ନେଇ ଓଡ଼ିଶାର ଏକାଧିକ ସମ୍ବାଦପତ୍ରରେ ପ୍ରବନ୍ଧମାନ ପ୍ରକାଶିତ ହୋଇଥିଲା। ଓଡ଼ିଶୀ ନୃତ୍ୟ (୧୯୬୪) ଏବଂ ଓଡ଼ିଆ ଭାଷା (୨୦୧୪) ଉଭୟ ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଶୀ ସଂଗୀତ କାହିଁକି ଏ ପ୍ରକାର ମାନ୍ୟତା ପାଇନାହିଁ, ସେ ନେଇ ବିଭିନ୍ନ ବ୍ୟକ୍ତି ଉଦ୍ବେଗ ପ୍ରକାଶ କରିଥିଲେ। ଏହି ଲେଖକ ସେଦିନ ପ୍ରସଙ୍ଗଟିକୁ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିଥିଲା। ତାହାର ପ୍ରତିକ୍ରିୟାରେ ବିଶିଷ୍ଟ କବି ତଥା ରାଜ୍ୟର ପୂର୍ବତନ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ଉଲ୍ଲେଖ କରିଥିଲେ ଯେ, ‘‘ଲାସ୍ୟମୁଦ୍ରାର ତ୍ରିଭଂଗ/ଚୌଭଂଗ ଇତ୍ୟାଦି ବିଭାଗକୁ ନେଇ ଓଡ଼ିଶୀ ନୃତ୍ୟର ବିଦ୍ବାନମାନେ ଓ ଶିଳ୍ପୀମାନେ ଏକ ଗ୍ରହଣୀୟ ଧାରା ଉପସ୍ଥାପନ କଲେ; ମନ୍ଦିର ଭାସ୍କର୍ଯ୍ୟ ବି ସହାୟକ ହେଲା। ତେଣୁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଲା। ଓଡ଼ିଶାର ସଂଗୀତ ଶିଳ୍ପୀମାନେ ନିଜ ନିଜ ଭିତରେ ବିବାଦରେ ଅଟଳ ରହିଲେ। ପଣ୍ଡିତ ବାଳକୃଷ୍ଣ ଦାଶ ଓ ତାଙ୍କ ଶିଷ୍ୟମାନେ ଯେମିତି ଗାଇଲେ, ତାହା ହିନ୍ଦୁସ୍ଥାନୀ କ୍ଲାସିକାଲ ପ୍ରଭାବିତ ପରି ମନେହେଲା। ଯୋଉମାନେ ପୁରୀ ବା ଗଞ୍ଜାମୀ ପଦ୍ଧତିରେ ଗାୟନ କରୁଥିଲେ, ସେମାନେ ତାଙ୍କ ଧାରା ବଜାୟ ରଖିଲେ। ସଂସ୍କୃତି ବିଭାଗରେ ମୁଁ ଥିବାବେଳେ ଏକ ସର୍ବଗ୍ରାହ୍ୟ ମତ ସୃଷ୍ଟି କରିବା ପାଇଁ ଉଦ୍ୟମ ହୋଇଥିଲା, ତାହା ସଫଳ ହେଲାନାହିଁ। ଏବେ ବି ଅବକାଶ ଅଛି- ସେପରି ପ୍ରୟାସ ପାଇଁ। ମୁଁ ଜାଣେନା, ରାଜ୍ୟ ସରକାର ସେଥିପାଇଁ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି।’’
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଶ୍ରୀ ସାହୁ ଉଲ୍ଲେଖ କରିଥିଲେ, ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟତା ଲାଭ କରିବା ପରେ ଓଡ଼ିଶୀ ସଂଗୀତ ଶିଳ୍ପୀ ଓ ଗବେଷକମାନେ ସଂଗୀତର ଶାସ୍ତ୍ରୀୟତା ପାଇଁ ଦାବି ଉଠାଇଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ଓଡ଼ିଶୀ ନୃତ୍ୟ ସହ ଓଡ଼ିଶୀ ସଂଗୀତର ଅବିଚ୍ଛେଦ୍ୟ ସଂପର୍କ ଥିବାରୁ ଏହି ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆବଶ୍ୟକ। ମାତ୍ର କଥାଟି ଏତେ ସରଳ ନୁହେଁ। ଓଡ଼ିଶୀ ନାଚ ସହ ଓଡ଼ିଶୀ ସଂଗୀତ ପରିବେଷଣ କରାଯାଉଥିଲେ ମଧ୍ୟ ଏହି ନାଚ ସହ ଅନ୍ୟ ସଂଗୀତ ମଧ୍ୟ ପରିବେଷଣ କରାଯାଇପାରିବ। ସୁତରାଂ ସଂଗୀତର ଅନ୍ତରୀଣ ଗୁଣ ଭିତ୍ତିରେ ହିଁ ଶାସ୍ତ୍ରୀୟତା ମିଳିବ, ନିର୍ଦ୍ଦିଷ୍ଟ ନୃତ୍ୟ ସହ ସଂଶ୍ଳିଷ୍ଟ ହୋଇଥିବା ଯୋଗୁଁ ମାତ୍ର ନୁହେଁ। ସଂଗୀତ ଓ ନୃତ୍ୟ ଅନୁରାଗୀ ଶ୍ରୀ ନିତ୍ୟାନନ୍ଦ ମିଶ୍ର ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ‘‘ହିନ୍ଦୁସ୍ଥାନୀ ସଂଗୀତ ଗାଇ ଉତ୍ତର ଭାରତ ବ୍ୟତୀତ ଅନ୍ୟ ସ୍ଥାନରେ, କର୍ଣ୍ଣାଟକୀ ସଂଗୀତ ଗାଇ ଦକ୍ଷିଣ ଭାରତ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରାୟ ଦୁଇ ତିନିଘଣ୍ଟା ଶ୍ରୋତାମାନଙ୍କୁ ଅଭିଭୂତ କରି ରଖିବା ପରି ଶତାଧିକ ଉଚ୍ଚକୋଟୀର ଗାୟକ ଅଛନ୍ତି। କିନ୍ତୁ କେତେଜଣ ଓଡ଼ିଶୀ ଗାୟକ ଅଛନ୍ତି େଯଉଁମାନେ ଓଡ଼ିଶା ବାହାରେ ଓଡ଼ିଶୀ ଗାଇ ଶ୍ରୋତାମାନଙ୍କୁ ଘଣ୍ଟା ଘଣ୍ଟା ଧରି ମୋହିତ ରଖିପାରିବେ? ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ହେଲେ ଅତି କମ୍ରେ ପଚାଶ ଜଣ ଉଚ୍ଚକୋଟୀର ଦକ୍ଷ ଗାୟକ ଆବଶ୍ୟକ। ସେମାନଙ୍କର ଗୀତ ଶୁଣି ସମଗ୍ର ଦେଶ ପ୍ରଭାବିତ ହେବ ଓ ଏହାର ପ୍ରଭାବ ନିଶ୍ଚୟ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିବ। ତା’ ପରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ଦେଇ ସରକାର ରହିପାରିବେ ନାହିଁ।’’ ସୁପରିଚିତ ସ୍ତମ୍ଭକାର ଭାସ୍କର ପରିଚ୍ଛା ଦର୍ଶାଇଥିଲେ ଯେ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବାର କେତୋଟି ମାପକାଠି ଅଛି। ଯଥା (୧) ଏହି ନିର୍ଦ୍ଦିଷ୍ଟ ଗାୟନ ପରମ୍ପରା ଅନ୍ତତଃ ଶହେ ବର୍ଷର ପୁରୁଣା ହୋଇଥିବ, (୨) ଏହି ଶୈଳୀ ଏକ ବା ଏକାଧିକ ଶାସ୍ତ୍ର ଆଧାରିତ ହୋଇଥିବ, (୩) ଏହି ଗାୟନ ଶୈଳୀ ନିମନ୍ତେ ଏକାଧିକ ରାଗ ରହିଥିବ, (୪) ସର୍ବୋପରି ଏହି ପଦ୍ଧତିର ଏକ ସ୍ପଷ୍ଟ ନିର୍ଦ୍ଦିଷ୍ଟ ଶୈଳୀ ରହିଥିବ। ଏତକ ପ୍ରମାଣିତ କରିପାରିଲେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଶ୍ରୀ ପରିଚ୍ଛା ଦର୍ଶାଇଥିଲେ ଯେ ୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେରିଟେଜ କ୍ୟାବିନେଟ ବୈଠକରେ ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୨୦୦୮ରୁ ଓଡ଼ିଶା ସରକାର ଏହି ମାନ୍ୟତା ଦେଇସାରିଛନ୍ତି। ଏବେ ଗୋଟିଏ ଦଳର ସରକାର କେନ୍ଦ୍ର ଓ ରାଜ୍ୟରେ ଥିବା ଦୃଷ୍ଟିରୁ ଶୀଘ୍ର ଓଡ଼ିଶୀ ସଂଗୀତ ସର୍ବଭାରତୀୟ ମାନ୍ୟତା ପାଇବା ଆଶା କରାଯାଏ।
ଶ୍ରୀ ପରିଚ୍ଛାଙ୍କ ଏହି ମତ ଭିତରେ ପ୍ରଚୁର ଆଶା ରହିଛି। ବାସ୍ତବରେ ଆଗରୁ କୌଣସି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାବେଳେ ଯୋଉ କଡ଼ା କଟକଣା ଥିଲା ଏବେ ତାହା ନାହିଁ। ତାମିଲ, କନ୍ନଡ଼ ଏପରିକି ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇବାବେଳେ ଯୋଉ ଧରଣର ସମସ୍ୟାର ସମ୍ମୁଖୀନ ହୋଇଥିଲା ଗତ ବର୍ଷ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ବଙ୍ଗଳା, ଅହମିୟା ବା ମରାଠୀ ପରି ଭାଷା ସେପରି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି। ବର୍ତ୍ତମାନ ଓଡ଼ିଶୀ ସଂଗୀତ ପ୍ରସଙ୍ଗକୁ ଆସିବା। ଉପର୍ଯ୍ୟୁକ୍ତ ପ୍ରଶାସକ, କବି ଓ ବୁଦ୍ଧିଜୀବୀମାନେ ଏହି କଥାରେ ଉଦ୍ବେଗ ଓ ଆଗ୍ରହ ପ୍ରକାଶ କରିବାର କାରଣ ହେଲା, ଯେତେବେଳେ ଓଡ଼ିଶାର ଜନସାଧାରଣ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟତା ନେଇ କିଛି ଅନୁକୂଳ ବାର୍ତ୍ତାର ଅପେକ୍ଷା ରଖୁଛନ୍ତି ସେମାନେ ସରକାରଙ୍କ ଠାରୁ ଓଲଟା ବାର୍ତ୍ତା ପାଉଛନ୍ତି। ଗତ ବଜେଟ ଅଧିବେଶନରେ ସରକାର ଉତ୍ତର ଦେଇଥିଲେ ଯେ ‘‘ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଏଥି ନିମନ୍ତେ କୌଣସି ବିଧିବଦ୍ଧ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। କୌଣସି ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରାବଧାନ ନାହିଁ।’’ କିନ୍ତୁ ପ୍ରଶ୍ନ ହେଉଛି ପ୍ରଶାସକମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଉତ୍ତର ଯଦି ଠିକ୍, ତାହା ହେଲେ ଭାରତର କଥକ, କୁଚିପୁଡ଼ୀ, ଓଡ଼ିଶୀ, କଥକଳି, ସତ୍ରିୟା, ମଣିପୁରୀ ଓ ମୋହିନୀଆଟମକୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଶାସ୍ତ୍ରୀୟ ନୃତ୍ୟ ଭାବେ ଘୋଷଣା କରିଛି କିଭଳି? ସଂଗୀତ କ୍ଷେତ୍ରରେ ଭାରତରେ ଦୁଇଟି ପଦ୍ଧତିକୁ ଶାସ୍ତ୍ରୀୟ କୁହାଯାଉଛି କାହିଁକି? ଗୋଟିଏ ହେଲା ହିନ୍ଦୁସ୍ଥାନୀ ପଦ୍ଧତି ଓ ଆରଟି କର୍ଣ୍ଣାଟକ ପଦ୍ଧତି। କର୍ଣ୍ଣାଟକ ପଦ୍ଧତି ଭାରତର ଚାରିଟି ଦକ୍ଷିଣ ରାଜ୍ୟରେ ଲୋକପ୍ରିୟ ହୋଇଥିବାବେଳେ ହିନ୍ଦୁସ୍ଥାନୀ ହିନ୍ଦୀ, ଉର୍ଦ୍ଦୁ, ବ୍ରଜ, ଅବଧି, ଭୋଜପୁରୀ, ବଙ୍ଗଳା, ରାଜସ୍ତାନୀ, ମରାଠୀ ଓ ପଞ୍ଜବୀ ଭାଷାରେ ଅନୁସୃତ ହୋଇଥାଏ। କୌତୂହଳର କଥା, ହିନ୍ଦୁସ୍ଥାନୀ ଶୈଳୀ ଯୋଉ ଭାଷାଗୁଡ଼ିକୁ ଗ୍ରହଣ କରିଛି ତାହା ମଧ୍ୟରେ ଓଡ଼ିଶୀ ବା ଓଡ଼ିଆ ଭାଷା ଅନ୍ତର୍ଭୁକ୍ତ ନୁହେଁ। ଗୋଟେ ସମୟରେ ଆମ ଦେଶରେ ଅଳ୍ପ କେତୋଟି ଶାସ୍ତ୍ରୀୟ ଭାଷା ଥିଲା। ଆଜି ସେ କଥା ନାହିଁ। ସ୍ବାଧୀନ ଦେଶ ଭାରତର ସଂସ୍କୃତିରେ ଜନସାଧାରଣଙ୍କ ପରମ୍ପରା, ଆବେଗ, ଆଗ୍ରହ ଓ ଐତିହ୍ୟର ପ୍ରତିଫଳନ ଦେଖାଯିବା ସ୍ବାଭାବିକ। ସବୁଦିନେ ଯେ ଭାରତରେ କେବଳ ଏହି ଦୁଇ ପ୍ରକାର ଗାୟନ ଶୈଳୀ ଶାସ୍ତ୍ରୀୟ ମାନ୍ୟତା ଉପଭୋଗ କରୁଥିବେ, ଆଉ କେହି ତାହା ପାଇବେ ନାହିଁ ସେ କଥା କଦାପି ଯୁକ୍ତିଯୁକ୍ତ ନୁହେଁ।
ଏ କଥା ନିଃସନ୍ଦେହ ଯେ ଓଡ଼ିଶୀ ସଂଗୀତର ଏକ ପ୍ରାଚୀନ ଓ ନିରବଚ୍ଛିନ୍ନ ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ସହ ଏହାର ସମ୍ବନ୍ଧ ରହିଥିବାରୁ ଏଥିସହ ଏକ ହଜାର ବର୍ଷର ପ୍ରାଚୀନତା ପ୍ରସଙ୍ଗ ପ୍ରମାଣିତ। ଏହି ସଂଗୀତ ମଧ୍ୟରୁ ଅଧିକାଂଶ ଆଧ୍ୟାତ୍ମିକତା ଆଧାରିତ। ଓଡ଼ିଆ ସାହିତ୍ୟରେ ଏଭଳି ଅନେକ ଗୀତ ରହିଛି ଯାହା ଶହ ଶହ ବର୍ଷ ଧରି ଗାନ କରାଯାଇ ଆସୁଛି। ଓଡ଼ିଶୀ ଗାୟନର ସ୍ବତନ୍ତ୍ର ଶୈଳୀ ରହିଛି ଏବଂ ଏହାର ତାଳ ମଧ୍ୟ ନିର୍ଦ୍ଦିଷ୍ଟ। ଓଡ଼ିଶୀ ସଂଗୀତ ସହ ମର୍ଦ୍ଦଳ ବାଦ୍ୟଯନ୍ତ୍ରର ଘନିଷ୍ଠ ସମ୍ବନ୍ଧ। ଓଡ଼ିଶୀ ସଂଗୀତ ଭାବରେ ଯେଉଁ ଗୀତସବୁ ଆମେ ଶୁଣି ଆସୁଛନ୍ତି ସେ ସବୁ ହେଲା ଛାନ୍ଦ, ଚମ୍ପୁ, ଚଉତିଶା, ଜଣାଣ, ଭଜନ, ଚଉପଦୀ ଇତ୍ୟାଦି। ସେହିଭଳି ଓଡ଼ିଶୀ ରାଗର ମଧ୍ୟ ନିର୍ଦ୍ଦିଷ୍ଟତା ରହିଛି। ଡକ୍ଟର ପବିତ୍ର ମୋହନ ନାୟକଙ୍କ ମତରେ ଓଡ଼ିଶୀ ଗୀତଗୁଡ଼ିକରେ ଆବୃତ୍ତି, ଅଭିନୟ ଓ ସଂଗୀତାୟନ ତିନିଟିର ଅବକାଶ ରହିଛି। ଏହା ଭିନ୍ନ ଓଡ଼ିଶୀ ସଂଗୀତରେ ଯୋଉ ଭାବ, ରସ, ହାସ୍ୟ ଫୁଟିଉଠେ ତାହା ସ୍ବତନ୍ତ୍ର। ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାରେ ଯେତେ ଭଜନ, ଜଣାଣ ଇତ୍ୟାଦି ରଚନା ହୋଇଛି ସେଭଳି ଆଉ କୋଉଠାରେ ନାହିଁ। ବହୁ ବିଖ୍ୟାତ ଗାୟକଗଣ ଏହାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବାରେ ସମର୍ଥ ହୋଇଛନ୍ତି। ସିଂହାରି ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, ନିମାଇଁ ହରିଚନ୍ଦନ, ରଘୁନାଥ ପାଣିଗ୍ରାହୀ, ବାଳକୃଷ୍ଣ ଦାସ, ଦାମୋଦର ହୋତା, ଭୁବନେଶ୍ବରୀ ମିଶ୍ର, ଶ୍ୟାମାମଣି ଦେବୀ, ଗୋପାଳ ଚନ୍ଦ୍ର ପଣ୍ଡା, ରାମହରି ଦାସ ପ୍ରମୁଖ ଖୁବ୍ ପ୍ରତିଷ୍ଠିତ ନାମ, ଯେଉଁମାନେ ନିଜ ନିଜର ଶିଷ୍ୟଶିଷ୍ୟା ସୃଷ୍ଟି କରିପାରିଛନ୍ତି। ଓଡ଼ିଶୀ ସଂଗୀତ ପରିବେଷଣ ସମୟରେ ରାଗାଙ୍ଗ, ଭାବନାଙ୍ଗ, ନାଟ୍ୟାଙ୍ଗ ଓ ଧ୍ରୁବପଦାଙ୍ଗ ଉପରେ ଗୁରୁତ୍ବ ଦିଆଯାଇଥାଏ।
ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟତା ପାଇଁ ଯେଉଁ ତଥ୍ୟରାଜିର ପ୍ରୟୋଜନ ସେ ସବୁ ଅନେକ ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଛି। କନିକା ରାଜା ପ୍ରଣୀତ ‘ସଂଗୀତ ମୁକ୍ତାବଳୀ’ (୧୬୯୦), କୃଷ୍ଣଦାସ ବଡ଼ଜେନାଙ୍କ ପ୍ରଣୀତ ‘ଗୀତ ପ୍ରକାଶମ୍’, ପଣ୍ଡିତ ପୁରୁଷୋତ୍ତମ ମିଶ୍ରଙ୍କ ‘ସଂଗୀତ ନାରାୟଣ’ (୧୬୫୦), ଗଦାଧର ଦାସଙ୍କ ‘ଗୀତ ପ୍ରକାଶ’, ଯଦୁମଣି ରାଉତରାୟଙ୍କ ‘କବି କଳ୍ପଦ୍ରୁମ’, ରଘୁନାଥ ରଥଙ୍କ ‘ସଂଗୀତାର୍ଣବ ଚନ୍ଦ୍ରିକା’, କମଳ ଲୋଚନଙ୍କ ‘ସଂଗୀତ ଚିନ୍ତାମଣି’, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ‘ସଂଗୀତ ସଦାନନ୍ଦ’ ଓ ପଦ୍ମନାଭ ଦେବଙ୍କ ପ୍ରଣୀତ ‘ତାଳ ସର୍ବସାର ସଂଗ୍ରହ’ ଏହା ମଧ୍ୟରୁ କେତୋଟି ଉଦାହରଣ। ଓଡ଼ିଶାର କବିମାନେ ମଧ୍ୟ ବିଭିନ୍ନ ରାଗ ରାଗିଣୀରେ ଓଡ଼ିଶୀ ଗୀତମାନ ରଚନା କରିଛନ୍ତି। କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ବାରା ପ୍ରକାଶିତ ‘ସଂଗୀତର ସ୍ବର’ରେ ଏହାର ଦୃଷ୍ଟାନ୍ତମାନ ଉଲ୍ଲେଖ କରାଯାଇଅଛି।
ଓଡ଼ିଶୀ ସଂଗୀତର ବୈଶିଷ୍ଟ୍ୟ ସମ୍ବନ୍ଧରେ ଆମେ ଅନେକ କଥା ଏ ପର୍ଯ୍ୟନ୍ତ ବାହାର ଲୋକଙ୍କୁ ଜଣେଇ ପାରିନାହୁଁ। ଏଭଳି ଗୋଟିଏ କଥା ‘ମମତା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ତାଙ୍କର ଜୀବନସ୍ମୃତି (ମାଟି ଲୋ, ‘ପକ୍ଷୀଘର’ ପୂଜା ୨୦୨୪ ବିଶେଷାଙ୍କ)ରେ ଲେଖିଛନ୍ତି ଯାହାକୁ ପଢ଼ିଲେ ଆମର ଗର୍ବ ହେବ। ମାଡ୍ରାସକୁ ସେ ଗୀତ ରେକର୍ଡିଂ ପାଇଁ ଯାଇଥିଲେ। େସଥିରେ ଗୋଟିଏ ଗୀତ ଗାଇଛନ୍ତି ବିଶିଷ୍ଟ ଗାୟକ ଶ୍ରୀ ଚିତ୍ତ ଜେନା- ‘‘ଦେଖି ସେ ବଣମଲ୍ଲୀ, ରାଧା ହେଲେ ବାତୁଳି।’’ ସେ ଗୀତ ସାଙ୍ଗରେ ମାଡ୍ରାସର ତବଲା ବାଦକ ତାଳ ଦେଇ ବଜାଇ ପାରିଲେ ନାହିଁ। ସେ ଗୀତର ତାଳ ହେଉଛି ଆଠ ତାଳି। ଏହି ତାଳ ସଂପୂର୍ଣ୍ଣ ଭାବେ ଓଡ଼ିଶାର। ଅଗତ୍ୟା ପ୍ରଶାନ୍ତ ନନ୍ଦ ସମସ୍ତଙ୍କୁ ବିଦା କରି ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଓ ଗାୟକ ଚିତ୍ତ ଜେନାଙ୍କ ସହ ମାଡ୍ରାସରେ ରହିଲେ। କଟକରେ ରହୁଥିବା ଧୀର ବିଶ୍ବାଳଙ୍କୁ ସେ କହିଲେ, ତମେ ଯେମିତି ହେଲେ ଶ୍ରୀବତ୍ସ ପଟ୍ଟନାୟକ (ଉଚ୍ଚକୋଟୀର ଓଡ଼ିଆ ତବଲା ବାଦକ)ଙ୍କୁ ଏଠାକୁ ପଠାଅ। ସିଏ ତିନି ଦିନ ପରେ ମାଡ୍ରାସରେ ଯାଇ ପହଞ୍ଚିଲେ। ସେଦିନ ରେକର୍ଡିଂକୁ ଏଇ ତାଳ ଶୁଣିବାକୁ ମାଡ୍ରାସର ପ୍ରାୟ ପଚାଶ ଜଣ ତବଲା ବାଦକ ଆସିଥିଲେ। ସେମାନେ ପ୍ରଫୁଲ୍ଲ କର ଆଉ ଶ୍ରୀବତ୍ସ ପଟ୍ଟନାୟକଙ୍କ ପାଦ ଛୁଇଁ ଫୁଲମାଳ ଦେଇଥିଲେ। ଜଗନ୍ନାଥଙ୍କ ଚମ୍ପୁର ତାଳ ଆଗରେ ମାଡ୍ରାସର ତବଲା ବାଦକମାନେ ମୁଣ୍ଡ ନୁଅଁାଇ ଥିଲେ।
ଏହି ପରିପ୍ରେକ୍ଷୀରେ, ଆମର ନମ୍ର ନିବେଦନ ହେଉଛି ଉଦାସୀନତା ଓ ସ୍ଥାଣୁତ୍ବ ତ୍ୟାଗ କରି ଓଡ଼ିଶା ତା’ର ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ଉଦ୍ୟମ କରିବା ଦରକାର। ଏ ସଂପର୍କରେ ତଥ୍ୟ ସଂଗ୍ରହ ସହ କେମିତି ଓଡ଼ିଶୀ ସଂଗୀତ କର୍ଣ୍ଣାଟକ ଓ ହିନ୍ଦୁସ୍ଥାନୀ ଶୈଳୀଠାରୁ ଭିନ୍ନ ସେ କଥା ପ୍ରମାଣ କରିବା ଲାଗି ଗବେଷକ, ଶିଳ୍ପୀ ଓ ଐତିହାସିକମାନଙ୍କୁ ନେଇ ଏକ ମାନସମନ୍ଥନ ହେବା ପ୍ରୟୋଜନ। ଭାଷା ବେଳକୁ ଯେମିତି ତଥ୍ୟ ସଂଗ୍ରହ ହୋଇଥିଲା ସଂଗୀତ ବେଳକୁ ସେହିପରି ତଥ୍ୟ ସହ ‘ସଂଗୀତ ଆସର’ର ଭିଡିଓ ମଧ୍ୟ ଉପସ୍ଥାପନ କରିବାକୁ ପଡ଼ିବ। ହାତଛନ୍ଦି ବସିରହିଲେ ବା ଅନ୍ୟମାନଙ୍କ ନିରୁତ୍ସାହକୁ ଶେଷ ସତ ବୋଲି ଧରିନେଲେ ଏ ଜାତୀୟ କାର୍ଯ୍ୟ କେମିତି ସମ୍ଭବ ହେବ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮