କୋଭିଡ୍‌ ପରେ ପୁଣି ପର୍ଯ୍ୟଟନ

ଜିତେନ୍ଦ୍ର କୁମାର ମହାନ୍ତି

କୋଭିଡ୍‌ ମହାମାରୀ ଯୋଗୁ ସାରା ପୃଥିବୀରେ କେଉଁ ଗୋଟିଏ କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି ବୋଲି ଯଦି କୁହାଯିବ, ତେବେ ଅନାୟାସରେ ତାହା ହେବ ପର୍ଯ୍ୟଟନ କ୍ଷେତ୍ର। ଏହି ସମୟରେ ସମଗ୍ର ପୃଥିବୀ ଲକ୍‌ଡାଉନ୍‌ ଅଧୀନକୁ ଚାଲିଯାଇ ପରିବ୍ରାଜକଶୂନ୍ୟ ହୋଇ ପଡ଼ିଥିଲା। ଏବେ ପ୍ରାୟ ଦୁଇ ବର୍ଷ ପରେ ପୁଣି ଏହି କ୍ଷେତ୍ରରେ ଚଳଚଞ୍ଚଳତା ଦେଖା ଦେଇଛି। ସେହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଚିନ୍ତନ ସମ୍ବଳିତ ଏହା ହେଉଛି ଏକ କ୍ଷୁଦ୍ର ଆଲୋଚନା।

କହିବାର ଆବଶ୍ୟକତା ନାହିଁ ଯେ ଓଡ଼ିଶା ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର, ଯାହା ପ୍ରତି ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ। ସମୁଦ୍ର ବେଳାଭୂମି ହେଉ ଅବା ପ୍ରାଚୀନ ମନ୍ଦିର ଓ କାରୁକାର୍ଯ୍ୟମୟ କୀର୍ତ୍ତିରାଜି; ଘଞ୍ଚ ସବୁଜ ଅରଣ୍ୟ ହେଉ ବା ବନ୍ୟ ଜନ୍ତୁଙ୍କ ବିବିଧତା; ହସ୍ତଶିଳ୍ପ ହେଉ ଅଥବା ହସ୍ତକଳା; ଚିଲିକା ଭଳି ମନୋରମ ହ୍ରଦ ହେଉ କି ଭିତରକନିକା ଭଳି ହେନ୍ତାଳ ବଣ ଅବା ହେଉ ପ୍ରାଚୀନ ବୌଦ୍ଧ ବିହାର; ଏ ସବୁ କିଛି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ଯଥେଷ୍ଟ। ସୁତରାଂ, ଏଠାରେ ପର୍ଯ୍ୟଟନର ସମ୍ଭାବନା ଅତ୍ୟନ୍ତ ବିସ୍ତୃତ।

ନିକଟରେ ଅନୁଷ୍ଠିତ ହୋଇଥିବା ‘ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ’ରେ ଅଂଶ ଗ୍ରହଣକାରୀ ବିଶେଷଜ୍ଞଙ୍କ ଦ୍ବାରା ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ଓ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଡ଼କୁ ଆକୃଷ୍ଟ କରିବା ନେଇ ରାଜ୍ୟ ସରକାରଙ୍କୁ ଅନେକ ପରାମର୍ଶ ଦିଆଯାଇଥିଲା। ସରକାର କେତେକ ପରାମର୍ଶକୁ ଗ୍ରହଣ କରିଛନ୍ତି। କିନ୍ତୁ ଗୁଣାତ୍ମକ ପର୍ଯ୍ୟଟନ ଲାଗି ଆହୁରି ଅନେକ ପଦକ୍ଷେପର ଆବଶ୍ୟକତା ରହିଛି। ରାଜ୍ୟ ସରକାର ପ୍ରତି ବର୍ଷ ପର୍ଯ୍ୟଟନ ବିଭାଗର ବଜେଟ୍‌କୁ ବୃଦ୍ଧି କରୁଛନ୍ତି। ସେହି ଦୃଷ୍ଟିରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଂଶୀଦାରମାନଙ୍କ ସହଭାଗିତା ଓ ପରାମର୍ଶ କ୍ରମେ ୩ ବର୍ଷର ସ୍ୱଳ୍ପମିଆଦୀ ଏବଂ ୬-୭ ବର୍ଷର ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ‘ପର୍ଯ୍ୟଟନ ପରାମର୍ଶଦାତା କମିଟି’ ଏବଂ ‘ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ’ ଗଠନ କରାଯାଇଛି, ଗତ ଦୁଇ ବର୍ଷ ଧରି ଏହି କମିଟି କିମ୍ବା ପରିଷଦର ବୈଠକ ଅନୁଷ୍ଠିତ ହୋଇନାହିଁ। ସମ୍ଭବତଃ, କୋଭିଡ୍‌ ଏହାର ଏକ କାରଣ ହୋଇପାରେ। କିନ୍ତୁ ପୂର୍ବରୁ ଏଭଳି ବୈଠକରେ ନିଆଯାଇଥିବା କେତେକ ନିଷ୍ପତ୍ତି ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସୁତରାଂ, ଏ ଦିଗରେ ଯେ ଅଧିକ ଦୃଷ୍ଟି ଦିଆଯିବା ଉଚିତ ତାହା ନିଃସନ୍ଦେହ।

ପର୍ଯ୍ୟଟନ ସଂକ୍ରାନ୍ତ ସଂସଦୀୟ କାର୍ଯ୍ୟକାରୀ ଗ୍ରୁପ୍‌ର ରିପୋର୍ଟ ଅନୁସାରେ ଭାରତରେ ହୋଟେଲ ପ୍ରକୋ‌ଷ୍ଠର ଅଭାବ ରହିଛି। ସେମିତି ପର୍ଯ୍ୟଟନ ଏବଂ ସଂସ୍କୃତି ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ମଧ୍ୟ ଭାରତରେ ହୋଟେଲ ପ୍ରକୋଷ୍ଠ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରିଥାଏ। ଏହି କ୍ରମରେ ଓଡ଼ିଶାର ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନରେ ଉନ୍ନତ ମାନର ହୋଟେଲ ପ୍ରକୋଷ୍ଠର ଆବଶ୍ୟକତା ରହିଛି। ଓଡ଼ିଶାରେ ଏହି କ୍ଷମତା ଅତି କମ୍‌ରେ ୫୦୦୦କୁ ବୃଦ୍ଧି ପାଇବା ଦରକାର। ଏଥି ପାଇଁ ସେଭଳି ସ୍ଥାନରେ ହୋଟେଲ ଶିଳ୍ପ ଲାଗି ଭିତ୍ତିଭୂମି ବିକାଶ ପ୍ରୋତ୍ସାହନ ପାଇବା ଉଚିତ।
ପର୍ଯ୍ୟଟନର ବିକାଶ ପାଇଁ ‘ଅତୁଳନୀୟ ଭାରତ ଅଭିଯାନ’ରେ ଓଡ଼ିଶାର ସର୍ବାଧିକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳକୁ ଯୋଡ଼ା ଯିବା ଜରୁରୀ। ଭାରତର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ବାରା ପ୍ରଚାରିତ ବୌଦ୍ଧ ପର୍ଯ୍ୟଟନ ସର୍କିଟ୍‌ରେ ଓଡ଼ିଶା ସମେତ ବିହାର ଓ ଝାଡ଼ଖଣ୍ଡର ବୌଦ୍ଧ କ୍ଷେତ୍ର ସ୍ଥାନ ପାଇ ନାହିଁ, ଯାହା ଦୁଃଖଦାୟକ। ଏଥି ସହ ଓଡ଼ିଶାରୁ ବୋଧଗୟା, ପୁଣେ, ଉଦୟପୁର ଓ ଅହମ୍ମଦାବାଦକୁ ସିଧାସଳଖ ବିମାନ ସଂଯୋଗ କରାଯିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। କେବଳ ସେତିକି ନୁହେଁ ପ୍ରସ୍ତାବିତ ‘ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’କୁ ଅତ୍ୟାଧୁନିକ ଭାବେ ଗଢ଼ିବା ତଥା କୋରାପୁଟର ଜୟପୁରକୁ କେନ୍ଦ୍ର ସରକାରଙ୍କ ‘ଉଡ଼ାନ’ ଯୋଜନାରେ ଅନ୍ତର୍ଭୁକ୍ତ କରି ସେଠାରେ ବିମାନବନ୍ଦର ବିକଶିତ କରିବା ଆବଶ୍ୟକ।

ପୁରୀକୁ ଏକ ଅନ୍ତର୍ଜାତୀୟ କେନ୍ଦ୍ରରେ ପରିଣତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ବପ୍ନ ରହିଛି। ଏହା କେବଳ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ପୁରୀକୁ ପୂର୍ବ ଭାରତର ଏକ ପ୍ରମୁଖ ଆକର୍ଷଣରେ ପରିଣତ କରିବାକୁ ସେ ଚାହାନ୍ତି। ସତ କହିଲେ ପୁରୀର ବିକାଶ ଆମ ରାଜ୍ୟର ପର୍ଯ୍ୟଟନ-ଭାଗ୍ୟ ବଦଳାଇ ଦେବାରେ ସାହାଯ୍ୟ କରିବ।

ଭାରତର ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ପୁଂଜିନିବେଶ ପାଇଁ ଆଗାମୀ ଦୁଇ-ଚାରି ବର୍ଷ ସକାଶେ ଉଭୟ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଏଥି ଲାଗି ଭାରତ ସରକାରଙ୍କୁ ଦିଆଯାଇଥିବା ପରାମର୍ଶ ଉପରେ ଦୃଷ୍ଟି ଦିଆଯିବା ଉଚିତ। ବେସରକାରୀ କ୍ଷେତ୍ର ଏହାର ଜ୍ଞାନ-କୌଶଳ ବିସ୍ତାର କରିବାରେ ଅଧିକ ସକ୍ଷମ। କିନ୍ତୁ ନିର୍ମାଣ ପାଇଁ ଆବଶ୍ୟକ ଶସ୍ତା ସୁଧ ହାରରେ ଦୀର୍ଘକାଳୀନ ଅର୍ଥ ପ୍ରବାହ। ଯଦି ସରକାର ସହଜ ଋଣ, ଦୀର୍ଘକାଳୀନ ଆର୍ଥିକ ସୁବିଧା, ସୁବିଧା ଦରରେ ଜମି ଇତ୍ୟାଦିର ବ୍ୟବସ୍ଥା କରିବା ସହିତ ପୁଂଜିନିବେଶରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକୁ ଦୂର କରାଯିବାର ବ୍ୟବସ୍ଥା କରନ୍ତେ, ତେବେ ବେସରକାରୀ କ୍ଷେତ୍ର ନିଶ୍ଚିତ ଭାବରେ ଆତିଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଓହ୍ଲାନ୍ତେ ଓ ଏହି କ୍ଷେତ୍ରକୁ ଚଳଚଞ୍ଚଳ କରି ପାରନ୍ତେ। ଏକ ଉଦାହରଣ ସ୍ବରୂପ ହୋଟେଲଗୁଡ଼ିକ ନିର୍ମାଣ ଆରମ୍ଭରୁ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବିଭିନ୍ନ ବିଭାଗରୁ ୩୨ରୁ ଅଧିକ ‘କ୍ଲିୟରାନ୍‌ସ’ ଆବଶ୍ୟକ କରନ୍ତି। ଏହା ଅତ୍ୟନ୍ତ ସମୟସାପେକ୍ଷ ଏବଂ ଅନେକ ନୂତନ ଉଦ୍ୟୋଗୀଙ୍କୁ ନିରୁତ୍ସାହିତ କରିଥାଏ। ଏହି ଭଳି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆମ ରାଜ୍ୟର ଅର୍ଥନୀତିକୁ ଖୁବ୍‌ ଦୃଢ଼ କରିପାରିବ। ଆମ ରାଜ୍ୟ କେବଳ ମାଟି ତଳର ସଂପଦରେ ଧନୀ ନୁହେଁ; ବରଂ ଭୂପୃଷ୍ଠରେ ଥିବା ବିଭବ ଲାଗି ସମତୁଲ ଭାବେ ଧନୀ; ତାହା ପ୍ରମାଣ କରିପାରିବ ଏକ ବିକଶିତ ପର୍ଯ୍ୟଟନ ଶିଳ୍ପ।
[email protected]

ସମ୍ବନ୍ଧିତ ଖବର