ଜିତେନ୍ଦ୍ର କୁମାର ମହାନ୍ତି
ବର୍ତ୍ତମାନ ଆମ ଦେଶ ତଥା ରାଜ୍ୟକୁ ଯେତିକି ପର୍ଯ୍ୟଟକ ବିଦେଶରୁ ଆସୁଛନ୍ତି, ତାହାର ତିନିଗୁଣ ପର୍ଯ୍ୟଟକ ଏଠାରୁ ବିଦେଶକୁ ଯାଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଭାରତ ତଥା ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଭିତ୍ତିଭୂମିର ଅଭାବ। ଯେତେବେଳେ ଆମର ଭ୍ରମଣପ୍ରିୟ ଲୋକମାନେ ଦେଶ ବାହାରକୁ ଚାଲିଯାଉଛନ୍ତି, ସେତେବେଳେ ଆମେ ଆର୍ଥିକ ଦୃଷ୍ଟିରୁ ବହୁତ କ୍ଷତି ସହୁଛୁ। ନା ଆମର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି ନା ହୋଟେଲ୍ ଓ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ହୋଇପାରୁଛି। ‘ୱାର୍ଲଡ୍ ଟ୍ରାଭେଲ୍ ଆଣ୍ଡ୍ ଟୁରିଜିମ୍ କାଉନ୍ସିଲ୍’ର ରିପୋର୍ଟ ଅନୁଯାୟୀ ୨୦୨୩ରେ ୭୦ ଲକ୍ଷ ୨୦ ହଜାର ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗର ରିପୋର୍ଟ ଅନୁଯାୟୀ ଏହି ବର୍ଷ ଓଡ଼ିଶାକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୪୫,୧୭୩।
ଆମ ଦେଶର ଜିଡିପିକୁ ପର୍ଯ୍ୟଟନର ଅବଦାନ ପ୍ରାୟ ୬%। କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ର ଥାଇଲାଣ୍ଡରେ ଦେଶର ଜିଡିପିକୁ ପର୍ଯ୍ୟଟନ କ୍ଷେତ୍ରର ଅବଦାନ ୨୦% ଥିଲା ବେଳେ ତୁର୍କୀରେ ଏହି ପରିମାଣ ୧୫%। ପର୍ଯ୍ୟଟନ ଶିଳ୍ପ ୨୦୨୨-୨୩ରେ ୩୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଗତ ବର୍ଷ ଏଥିରେ ୮.୩% ଅଭିବୃଦ୍ଧି ହୋଇଛି। ଆସନ୍ତା ଦଶନ୍ଧିରେ ଏହା ବାର୍ଷିକ ୫୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଜିଡିପିରେ ପର୍ଯ୍ୟଟନ କ୍ଷେତ୍ରର ଭାଗକୁ ୬%ରୁ ୧୨%କୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଓଡ଼ିଶା ବି ଏଥିରୁ ଲାଭ ନେବାର ଆବଶ୍ୟକତା ରହିଛି। କହିବା ବାହୁଲ୍ୟ ଯେ ଏଥିପାଇଁ ଆନ୍ତର୍ଜାତିକ ମାନର ପର୍ଯ୍ୟଟନ ଭିତ୍ତିଭୂମି ଓ ହୋଟେଲ୍ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ। ଏଥି ପାଇଁ ରାଜ୍ୟ ସରକାର ୪୦% ପର୍ଯ୍ୟନ୍ତ ସବ୍ସିଡି ଦେଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଲ୍ୟାଣ୍ଡ୍ ବ୍ୟାଙ୍କ ସୃଷ୍ଟି କରାଯାଇ ଯୋଗ୍ୟ ପୁଞ୍ଜିନିବେଶକାରୀଙ୍କୁ ରିହାତି ଦରରେ ଜମି ଦେବା ଉଚିତ। ଏହା ବାଦ୍ ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତା ନିର୍ମାଣ ସହ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର, ପ୍ରସାରର ଆବଶ୍ୟକତା ରହିଛି। ଏବେ ବି ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ନଜର ଆଢୁଆଳରେ ରହିଯାଇଛି। ସେଠାକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ବିପୁଳ ସମ୍ଭାବନା ଥିଲେ ବି ତାହାକୁ ଆମେ ଉପଯୋଗ କରିପାରି ନାହୁଁ। ତେଣୁ ସେହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରି ସେହି ଦିଗରେ ଅଗ୍ରସର ହେବା ଆବଶ୍ୟକ।
ଏଠାରେ ପଶ୍ଚିମବଙ୍ଗର ଦୀଘାର ଉଦାହରଣ ନିଆଯାଇପାରେ। ସେଠକାର ସରକାର ଦୀଘାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଦ୍ବାରା ଲକ୍ଷାଧିକ ପର୍ଯ୍ୟଟକ ସେଠାକୁ ଯାଉଛନ୍ତି। କିନ୍ତୁ ସୀମା ଏପଟେ ଥିବା ଚାନ୍ଦିପୁର ବେଳାଭୂମିକୁ ଠିକ୍ ଭାବେ ବିକଶିତ କରାଯାଇପାରି ନାହିଁ। ସେମିତି ପର୍ଯ୍ୟଟନ କ୍ଷେତ୍ରରେ ଗୋଆ ଏବେ ଚମକୁଛି। ଏହାର ବଡ଼ କାରଣ ହେଲା ଉନ୍ନତ ମାନର ହୋଟେଲ୍ ଏଠାରେ ନିର୍ମାଣ ହୋଇଛି। ଗୋଆ ସରକାର ହୋଟେଲ୍ ଶିଳ୍ପକୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଉଥିବାରୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ହୋଟେଲ୍ ଚେନ୍ ଗୋଆରେ ନିର୍ମିତ ହୋଇପାରିଛି। ଗୋଆରେ କେବଳ ବେଳାଭୂମି ଅଛି। ତଥାପି ଏହା ସର୍ବାଧିକ ଦେଶୀୟ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ହୋଇପାରିଛି। ଯଦି ଆମ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅଗ୍ରାଧିକାର ଦେବେ, ତେବେ କେବଳ ଗୋଆ ନୁହେଁ, ଦେଶର ଯେ କୌଣସି ରାଜ୍ୟକୁ ଆମେ ପଛରେ ପକାଇପାରିବା।
ଆମ ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାବନା ଓ ସୁଯୋଗ ରହିଛି। ବେଳାଭୂମି, ପର୍ବତମାଳା, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ, ଆଦିବାସୀ ଅଞ୍ଚଳ, ହ୍ରଦ, ଅଭୟାରଣ୍ୟ, କଳା ଓ ସଂସ୍କୃତି ଆଦି ଅନେକ କ୍ଷେତ୍ର ରହିଛି, ଯାହା କି ସବୁ ବର୍ଗର ପର୍ଯ୍ୟଟକଙ୍କୁ ଆମ ରାଜ୍ୟକୁ ଆକୃଷ୍ଟ କରିପାରିବ। ଓଡ଼ିଶା ବିବିଧ ସଂସ୍କୃତିର ସମାହାର; ଭିନ୍ନ ଭିନ୍ନ ପାରମ୍ପରିକ ଲୋକକଳା, ପର୍ବପର୍ବାଣି ଓ ରୀତିନୀତି ଆଦିରେ ପରିପୂର୍ଣ୍ଣ। ଏସବୁର ବ୍ୟାପକ ପ୍ରଚାର, ପ୍ରସାର ଆବଶ୍ୟକ। ଭାରତର ବିବିଧ ଭୌଗୋଳିକ ସ୍ଥିତି ଯୋଗୁଁ ଏଠାରେ ଦିନକୁ ଦିନ ଦୁଃସାହସିକ ପର୍ଯ୍ୟଟନର ସ୍ଥିତି ସୁଦୃଢ଼ ହେବାରେ ଲାଗିଛି। ବିଶେଷ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଆଣ୍ଡାମାନ ଆଦି ସ୍ଥାନରେ ଟ୍ରେକିଂଠାରୁ ଆରମ୍ଭ କରି ହ୍ବାଇଟ ୱାଟର ରାଫ୍ଟିଂ, ପାରାଗ୍ଲାଇଡିଂ ଓ ସ୍କୁବା ଡାଇଭିଂ ଭଳି ପର୍ଯ୍ୟଟନ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଓଡ଼ିଶା କଥା ବିଚାର କଲେ ଦେଖାଯାଏ, ଏଠାରେ ଦୁଃସାହସିକ ପର୍ଯ୍ୟଟନ ପାଇଁ ଅପୂର୍ବ ସମ୍ଭାବନା ରହିଛି। ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବାକୁ ହେଲେ ଆମକୁ ତ୍ବରିତ ପ୍ରଚାରପ୍ରସାରର ଆବଶ୍ୟକତା ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ପ୍ରକାରର ଦୁଃସାହସିକ ପର୍ଯ୍ୟଟନ ସମ୍ଭବ। ଯେପରିକି କୋରାପୁଟ ଓ ଶିମିଳିପାଳ ଭଳି ପାହାଡ଼ରେ ଟ୍ରେକିଂ, ପୁରୀ ଓ ଗୋପାଳପୁର ଭଳି ସମୁଦ୍ରକୂଳ ବେଳାଭୂମି ପରିଭ୍ରମଣ, ଭିତରକନିକା ଓ ଶିମିଳିପାଳ ଭଳି ଜାତୀୟ ଉଦ୍ୟାନରେ ବନ୍ୟଜନ୍ତୁ ସଫାରିର ମଜା ନେଇହେବ।
ଗାଁଗହଳିର ଲୋକମାନଙ୍କ ଜୀବନଶୈଳୀ ଦେଖିବା ଓ ଅନୁଭବ କରିବାର ସୁଯୋଗ ଦେଇଥାଏ ‘ଗ୍ରାମାଞ୍ଚଳ ପର୍ଯ୍ୟଟନ’। ଗାଁ ଗହଳିରେ ରହୁଥିବା ଲୋକଙ୍କର ପରମ୍ପରା, ସଂସ୍କୃତି, ଖାଦ୍ୟପେୟ, ପର୍ବପର୍ବାଣି ଓ ଗ୍ରାମାଞ୍ଚଳ କୁଟୀର ସମ୍ପର୍କରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଜ୍ଞାନ ଆହରଣରେ ସାହାଯ୍ୟ କରିଥାଏ। ଗ୍ରାମୀଣ ପର୍ଯ୍ୟଟନ ଏବେ ପର୍ଯ୍ୟଟନର ନୂଆ ମନ୍ତ୍ର ପାଲଟିଛି। ବିକଶିତ ଦେଶଗୁଡ଼ିକରେ ଗ୍ରାମୀଣ ପର୍ଯ୍ୟଟନ ଧୀରେଧୀରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ସ୍ପେନ ନେତୃତ୍ବରେ ଆରମ୍ଭ ହୋଇଥିବା ଗ୍ରାମୀଣ ପର୍ଯ୍ୟଟନ ଏବେ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ସହ ଭାରତରେ ମଧ୍ୟ ଗ୍ରହଣୀୟ ହେଲାଣି। ଓଡ଼ିଶାରେ ଗ୍ରାମୀଣ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ସୁଯୋଗ କରିଛି। ଏହାକୁ ଉପଯୋଗ କରିବା ପାଇଁ ଦୂରଦୃଷ୍ଟିସମ୍ପନ୍ନ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି।
(ମତାମତ ଲେଖକଙ୍କ ନିଜସ୍ବ)
[email protected]