ସବୁଦିନ ଭଳି ସେଦିନ ସନ୍ଧ୍ୟାରେ ସେମାନେ ଟ୍ରାଫିକ ଛକରେ ଦଳ ହୋଇ ଛିଡ଼ା ହୋଇଥିଲେ। ସେମାନେ ଅର୍ଥାତ ନ-ଦଶ ବର୍ଷରୁ ସତର-ଅଠର ବର୍ଷର ମଇଳା କୋତରା ଲୁଗା ପିନ୍ଧିଥିବା କେତୋଟି ପୁଅ ଝିଅ। ଶୁଖିଲା ଆଲୁରୁ ବାଲୁରୁ ଚୁଟି ଦେଖି ଲାଗୁଥଲା ଢେର ଦିନ ହେବ ସେମାନେ ବୋଧହୁଏ ଗାଧୋଇ ନାହାନ୍ତି। କାହାରି ହାତରେ ଲମ୍ବା ଲମ୍ବା କଲମ ତ ପୁଣି କାହାରି ହାତରେ ବେଲୁନ। ସେମାନେ ସମସ୍ତେ ଗୋଟିଏ ପରିବାରର ନା ଭିନ୍ନ ଭିନ୍ନ ପରିବାରର- ତାହା ଜାଣିବା ସମ୍ଭବ ନଥିଲା। ଚାରି ଛକର ଟ୍ରାଫିକ। ସମସ୍ତଙ୍କର ଲକ୍ଷ୍ୟ ଟ୍ରାଫିକ ବତି ଉପରେ। କେତେବେଳେ କେଉଁ ପଟର ଟ୍ରାଫିକ ଲାଇଟ ଲାଲ ରଙ୍ଗହେବ। ଆଉ ସେମାନେ ଏକ ସାଙ୍ଗରେ ଘେରି ଯିବେ ଅଟକିଯାଇଥିବା ଗାଡ଼ି ମଟର ମାନଙ୍କୁ। ବନ୍ଦ କାଚ ଝରକା ଆର ପଟେ ଥିବା ବାବୁମାନଙ୍କୁ କଲମ କି ବେଲୁନ ଦେଖାଇ ନେହୁରା ହେବେ ଗୋଟେ ଦୁଇଟା କିଣିବାକୁ।

Advertisment

ଠିକ୍ ଆଜି ଯେମିତି ଘେରି ଯାଇଛନ୍ତି ମୋ ସରକାରୀ ଗାଡ଼ିକୁ। ସେମାନଙ୍କର ଆଖିର ଆତୁର ଭାଷାକୁ ବୁଝିବା ପୂର୍ବରୁ ପୁଲିସ ପୋଷାକ ପିନ୍ଧା ମୋ ଡ୍ରାଇଭର ଶୀତତାପ ନିୟନ୍ତ୍ରିତ କାର ଭିତରୁ ହାତ ଇସାରାରେ ସେମାନଙ୍କୁ ଚାଲି ଯିବାକୁ ଇଙ୍ଗିତ କଲା। ହୁଏ’ତ ପିଲାମାନଙ୍କର ପେଟର ଭୋକର ଜ୍ୱାଳାକୁ ବୁଝିବା ପାଇଁ ସେ ଥିଲା ଅସମର୍ଥ। ପୁଣି ପୁଲିସ ବିଭାଗର ଆଦବ କାଇଦାରେ ଅଭ୍ୟସ୍ତ ସେ ତ ପୁଣି ତା ପଛ ସିଟରେ ବସିଥିବା ସାହେବଙ୍କର ଗୁରୁତ୍ୱକୁ ବୁଝେ! ଝରକା କାଚକୁ ତଳକୁ କରି କିଛି ଗୋଟାଏ କିଣିବା ପୂର୍ବରୁ ଲାଲ ବତି ହଳଦିଆ ହୋଇ ସବୁଜ ରଙ୍ଗ ହୋଇଯାଇଥିଲା। ଗାଡ଼ିଗୁଡ଼ିକ ହର୍ନ ବଜାଇ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ। ରିକ୍ତ ହାତରେ ପୁଣି ଥରେ ପିଲାଗୁଡ଼ାକ ଆଉ ଏକ ପଟକୁ ଯିବା ପାଇଁ ବାହାରିଲେ। ଏଥର ନ ହେଲା ନାହିଁ; ଆର ପଟେ ହୁଏତ କିଛି ମିଳିଯାଇ ପାରେ। ସମସ୍ତେ ତ ଆଉ ଏପଟର ବାବୁମାନଙ୍କ ଭଳି ନିର୍ଦୟ ହୋଇ ନ ଥି‌େବ!

ମୋଡ଼ ବୁଲାଇବା ପରେ ମୁଁ ଡ୍ରାଇଭରକୁ କହିଲି- ଯେଉଁ ବୟସରେ ସେମାନେ ଖେଳିବା ପଢ଼ିବା କଥା, ସେମାନେ ପେଟ ପାଇଁ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ବିକୁଛନ୍ତି। ଦିନକୁ କେତେ ବିକି ପାରୁଥିବେ ଯେ ସେମାନଙ୍କର ପେଟ ପୂରିବ? ସେମାନଙ୍କର ବାପା ମା କାହିଁକି ଯେ ଏତେ ପିଲା ଜନ୍ମ କରନ୍ତି?
ଡ୍ରାଇଭର ଉତ୍ତର ଦେଲା- ନାଇଁ ସାରେ, ସେମାନେ ଭଲରେ ରହନ୍ତି। ସେମାନଙ୍କର ଆଶା ଆଉ କେତେ ଯେ ସେମାନେ ଦୁଃଖୀ ହେବେ?
କଥାଟା ମୋତେ ଭୀଷଣ ଦୋହଲେଇ ଦେଲା। ଏହା କ’ଣ ସମ୍ଭବ? ଭୋକିଲା ପେଟରେ କ’ଣ ସ୍ବପ୍ନ ଦେଖି ହୁଏ? ନୁଖୁରା ବାଳରେ କିମ୍ବା ମସିଆ ପୋଷାକରେ ଆଶାର ବୈତରଣୀ କ’ଣ ମରିଯାଏ? ଫ୍ଲାଇ ଓଭର ତଳେ ସର୍ବନିମ୍ନ ଆବଶ୍ୟକତାରେ ତୃଷା ଓ କ୍ଷୁଧା ମେଂଟାଉଥିବା ମଣିଷଗୁଡ଼ାଙ୍କର କ’ଣ କେବେ ଇଛା ହେଉ ନ ଥିବ ଯେ ସେମାନଙ୍କର ମଧ୍ୟ ଗୋଟାଏ ଛୋଟ ଘର ଥାନ୍ତା! ବର୍ଷା, ଖରା, ଶୀତ ଦାଉରୁ ସେମାନେ ମଧ୍ୟ ନିଜକୁ ସପରିବାର ରକ୍ଷା କରିପାରିଥାନ୍ତେ! ସେମାନେ ବି ବାବୁ ଭାୟାଙ୍କ ଭଳି ପିଲା ଛୁଆଙ୍କୁ ଧରି ଛୁଟି ଦିନମାନଙ୍କରେ ବୁଲି ବାହାରନ୍ତେ-ପାର୍କ, ମଲ, ସିନେମା, ଥିଏଟର କିମ୍ବା ହୋଟେଲ! ତାଙ୍କ ପିଲାମାନେ ଅଳି ଅଝଟ କଲେ ସେମାନଙ୍କୁ ତୁନି କରିବା ପାଇଁ କିଣି ଦିଅନ୍ତେ ଚକୋଲେଟ କିମ୍ବା କଣ୍ଢେଇ, କଲମ କିମ୍ବା ବେଲୁନ। କେଉଁ ନାମୀ ଦାମୀ ସ୍କୁଲରେ ପାଠ ପଢ଼ନ୍ତେ! ଡାକ୍ତର କିମ୍ବା ଇଂଜିନିୟର ହୁଅନ୍ତେ! ପଛକୁ ପଛ ସେମାନଙ୍କର ବାହାଘର- ପୁଣି ନାତିନାତୁଣୀ! ଓଃ- ସ୍ବପ୍ନ ବି ଏତେ ମଧୁର ହୋଇ ପାରେ!
ମାତ୍ର କ୍ରୂର ବାସ୍ତବତା ପୁଣି ଥରେ ସେମାନଙ୍କୁ ଫେରାଇ ଆଣୁଥିବ ବର୍ତ୍ତମାନକୁ। ଯେଉଁଠି ଦିନକୁ ଦୁଇ ଓଳି ପେଟ ପୂରା ନ ହେଲା ନାହିଁ ଅଧା ପେଟ ଖାଇବା ପାଇଁ ମଧ୍ୟ ବେଳେ ବେଳେ ଜୁଟେ ନାହିଁ। ରାତି ଅଧରେ ଛୋଟ ପିଲା ଗୁଡ଼ା ଭୋକରେ କାନ୍ଦି ଉଠିଲେ ମା ସେମାନଙ୍କୁ ଗାଳି ଦିଏ ସିନା, ଖାଇବାକୁ କିଛି ବି ଦେଇ ପାରେ ନାହିଁ। ପୁଣି ଅନ୍ଧକାରର ସୁଯୋଗ ନେଇ କେଉଁ ମାତାଲ ଅଥବା କାମୁକ ଆଖି ପକାଏ ତାର ରୁଗ୍‌ଣ ସ୍ତ୍ରୀ କିମ୍ବା ବଢ଼ିଲା ଝିଅ ଉପରେ! ଏଭଳି ପରିସ୍ଥିତିରେ ସେମାନେ ପୁଣି ସୁଖୀ ବୋଲି ଆମେ ଭାବିପାରୁ? କାହିଁକି ନୁହେଁ? ଜୀବନ ଆମକୁ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ବିଷୟରେ ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଶିଖାଇ ଦେଇଛି। ଦୁର୍ବଳ ଉପରେ ସବଳର ଅତ୍ୟାଚାର ବା ସତ୍ୟ ଉପରେ ଅସତ୍ୟର ବିଜୟକୁ ଆମେ କେତେ ସହଜରେ ଯଥାର୍ଥ ବୋଲି ପ୍ରମାଣିତ କରିପାରୁ ସତରେ!
ମୁଁ ଘରେ ପହଞ୍ଚିବା ବେଳକୁ କେହି ଜଣେ ଧନାଢ଼୍ୟ ବ୍ୟକ୍ତି ତାଙ୍କର ଦୁଇଟି ବିଦେଶୀ ପୋଷା କୁକୁରଙ୍କୁ ଶୀତ ବସ୍ତ୍ର ପିନ୍ଧାଇ ଦାମୀ ପାରମବୁଲେଟରରେ ବସାଇ ସାନ୍ଧ୍ୟ ଭ୍ରମଣରେ ବାହାରିଥାନ୍ତି। ମାଲିକର ଇଂରେଜୀ ଭାଷାକୁ ସେମାନେ ବୁଝୁଥିଲେ କି ନାହିଁ ଜଣା ନ ପଡୁଥିଲେ ବି ମାଲିକ ଜଣକ ଖୁବ ପ୍ରସନ୍ନ ଚିତ୍ତରେ ସେମାନଙ୍କୁ ଆଦର କରୁଥିଲେ। ଦେଖିଲି ଟିକିଏ ଦୂରରେ ଗୋଟିଏ ରୋଗିଣା ଦେଶୀ ମା’ କୁକୁର ତା ଇଛା ବିରୋଧରେ ଜନ୍ମ ଦେଇଥିବା ଛଅଟି ନିହାତି ଦୁର୍ବଳ ଛୁଆଙ୍କ ମେଳରୁ ଏହି ଦୃଶ୍ୟ ଦେଖୁଥିଲା।
ମୋ -୯୪୩୮୧୪୯୭୬୧
[email protected]