‘ସେ ପିଉଛି କି?’ ବୋଲି ଯଦି କେହି ପଚାରିବା ଆପଣ ଶୁଣିଲେ ତ’ ଜାଣି ଯାଆନ୍ତୁ ଯେ ସେ ମଦ ପିଏ କି ନା; ତାହା ଜାଣିବାର ମହାନ ଉଦ୍ଦେଶ୍ୟରେ ହିଁ ଏଇ ପ୍ରଶ୍ନଟି ପଚରାଯାଇଥାଏ। ସତ କଥା, ଏବେ ପିଇବାର ଅର୍ଥ ହେଲୋ ‘ମଦ’ ପିଇବା! କିନ୍ତୁ ମଉଜିଆ ସତ୍ୟେନ୍ଦୁ ବର୍ଷର ବିଭିନ୍ନ ସମୟରେ ବେଳେ ବେଳେ ପଇଡ଼, ପଣା, ଆଖୁରସ, ଫଳରସ, ଲସି, ସୋଡା, ସରବତାଦି ସମେତ ପ୍ରତି ଦିନ ଅନବରତ ଚା’ ପାନ କରୁଥିବାରୁ କେହି ତାକୁ ଏଭଳି ପ୍ରଶ୍ନ କଲେ ସେ ପ୍ରାୟତଃ କହି ଉଠେ: ‘ହଁ, ମୁଁ ପିଏ; ମାନେ ଚା’! ଏବଂ ମୋର ଯେତେବେଳେ ଇଚ୍ଛା, ସେତେବେଳେ ପିଏ!’
ସତ୍ୟେନ୍ଦୁର ମନେ ପଡ଼େ ଯେ ତା’ର ଏହି ମହାର୍ଘ ପାନୀୟର ଅଭ୍ୟାସଟି ତା’ ମହୀୟସୀ ବୋଉଙ୍କ କୃପାରୁ ହିଁ ଆରମ୍ଭ ହୋଇଥିଲା। ପିଲା ଦିନେ ତା’ର ଅଭ୍ୟାସ ଥିଲା ଯେ ରାତିରେ ସଅଳ ଶୋଇ ପାହାନ୍ତାରୁ ଉଠିବ। କିନ୍ତୁ, ମାଟ୍ରିକ ପରୀକ୍ଷା ଆଗରୁ କ’ଣ ହେଲା କେଜାଣି ଅଭ୍ୟାସଟି ବଦଳି ଗଲା। ଏଣିକି ଡେରି ରାତି ଯାଏ ଚେଇଁ ପଢ଼ାପଢ଼ି କଲା, କେଇ ଘଣ୍ଟା ଶୋଇ ପୁଣି ପାହାନ୍ତାରୁ ଉଠି ପଢ଼ାପଢ଼ିରେ ଲାଗିଲା। ଏହା ଦେଖନ୍ତେ ତା’ ବୋଉ ସେ ଉଠିବା ଆଗରୁ ଉଠିପଡ଼ି ଚା’ ତିଆରି କରି କପେ ଗରମ ଚା’ ପୁଅ ହାତରେ ଧରାଇ ଦେଉଥିଲେ। ଓଃ, ଚା’ ତ ନୁହଁ, ପିଆଲାଏ ଅମୃତ!
ସତ୍ୟେନ୍ଦୁର ଚା’ ପିଆ ଅଭ୍ୟାସ ତା’ ପରେ ଯେଉଁ ରୂପ ନେଲା, ସେଥିରେ ଦିନ ହେଉ ଅବା ରାତି, ଯେ କୌଣସି ସମୟରେ ଚା’ ଯଚା ହେଲେ ବିନା ବାଧାରେ ସେ ତାକୁ ଗଳାଧଃକରଣ କରୁଥିଲା। ପରିସ୍ଥିତି ଏମିତି ହେଲା ଯେ ଚା’ କଥା ମନେ ପଡ଼ିଗଲେ ହିଁ କପେ ନ ପିଇବା ପର୍ଯ୍ୟନ୍ତ ତା’ ମୁଣ୍ଡ ଝିମିଝିମି କରୁଥିଲା ଓ ସଂସାର ଛିଃ ଲାଗି ଯାଉଥିଲା। ତା’ ଲାଗି ‘ଏନି ଟାଇମ୍’ ହୋଇଗଲା ‘ଟି ଟାଇମ୍’।
ଗୁଡ଼ାଏ ବର୍ଷ ବାହାରେ ବିତାଇବା ପରେ ଏବେ ସେ ଆସିଛି ନିଜ ସହରରେ ଥିବା ତା’ ବ୍ୟାଙ୍କର ମୁଖ୍ୟ ଶାଖାକୁ। ଶାଖାର ମ୍ୟାନେଜର ସେ। ହେଲେ ଦେଖୁଛି ଚା’ର ଘୋର ଅଭାବ। ଯେତେବେଳେ ଚାହିଁଲେ ଓ ଯେତେ ଇଚ୍ଛା ଚାହିଁଲେ ଚା’ ନାହିଁ! ଏଇ ଭିତରେ ତା’ ସହରରେ ଚା’ ଷ୍ଟଲ ସଂଖ୍ୟା କମି ଯାଇଛି! ଚା’ ଦୋକାନ ଥିବା ଜାଗାଗୁଡ଼ିକରେ ଅନ୍ୟ କୋଉ ଦୋକାନ ଖୋଲିଯାଇଛି! ପୁଣି ଦିନରାତି ଚବିଶ ଘଣ୍ଟା ଚାଲୁଥିବା ଷ୍ଟଲ୍‌ ତ ନାହିଁ କହିଲେ ଚଳେ!
ଦିନେ ଏହି କଥାଟି ସତ୍ୟେନ୍ଦୁ କହି ପକାଇଲା ତା’ ବ୍ୟାଙ୍କର ସବୁଠୁ ସିନିଅର୍ ଦଫତରୀ ଗୋପାଳ ରାଜୁକୁ। ଏହା ଶୁଣୁଶୁଣୁ ମୁହଁ ଉଜ୍ଜ୍ୱଳ କରି ଗୋପାଳ କହି ଉଠିଲା: ଓଃ ସାର୍! ଆପଣ ତାହା ହେଲେ ଜାଣି ନାହାନ୍ତି ଆମ ଗଣି ନନାଙ୍କୁ!
ହେଲେ, ଗଣି ନନା କିଏ? ପ୍ରଶ୍ନଟି ଶୁଣି ଗୋପାଳ କିଛି ନ କହି ତା’ ମୋବାଇଲରେ କଲ୍ ଲଗାଇଲା ଓ କହିଲା, ସାର୍‌ ଦଶ ମିନିଟ ଅପେକ୍ଷା କରନ୍ତୁ, ସବୁ ଜାଣିଯିବେ। ଗୋପାଳର ମୁହଁରେ ଫୁଟି ଉଠୁଥିଲା ଆତ୍ମସନ୍ତୋଷର ହସ।
ଠିକ୍‌ ଦଶ ବାର ମିନିଟ ପରେ ଚାମ୍ବରକୁ ପଶି ଆସିଲେ ଜଣେ ମଧ୍ୟ-ବୟସ୍କ ଲମ୍ବା ଲୋକ। ହାତରେ ଗୋଟେ ଦଶ ଲିଟରିଆ ଚା’ କଣ୍ଟେନର୍। ପେପର ଗ୍ଲାସରେ ବାମ୍ଫ ଉଠା ଚା’ ଢାଳି ସେ ସତ୍ୟେନ୍ଦୁକୁ ଧରାଇଦେଲେ। ସତ୍ୟେନ୍ଦୁ ତାଙ୍କ ଅଳ୍ପ ମିଠା କଡ଼ା ଚା’ ପିଇ ସାରି ସତେଜ ହୋଇଗଲା।
ତେବେ କିଏ ଏହି ଗଣି ନନା?
ଗୋପାଳ ଉପକ୍ରମଣିକା କହିଲା, ‘ନନାଙ୍କ ଘର ପାଖ ଗାଁରେ। ସେ ଗୋଟିଏ ଚିନି କଳରେ ଥିବା କ୍ୟାଣ୍ଟିନ ଚଳାଉଥିଲେ। ସେ ଚିନି କଳ ବନ୍ଦ ହୋଇଗଲାରୁ କ୍ୟାଣ୍ଟିନ ବନ୍ଦ। ତେବେ ସେ କୌଣସିମତେ ଝିଅ ବାହାଘର କରି ଦେଲେ। ପୁଅ ବି ପାଠ ପଢ଼ି ବାହାସାହା ହୋଇ ମଣିଷ ହୋଇଯାଇଛି। ଚାକିରି କରିଛି ହାଇଦ୍ରାବାଦରେ। ଏବେ ନନାଙ୍କ ହାତରେ ବହୁତ ସମୟ। ଗାଁରେ ଚାଷ ଜମି କିଛି ଅଛି। ତେଣୁ ବଳକା ସମୟରେ ନନା ଏ କାରବାରଟି ଆରମ୍ଭ କଲେ।’
ଗୋପାଳ ମୁହଁରୁ ତାଙ୍କ ବିଷୟରେ ଏ ସବୁ ଶୁଣି ମନେ ମନେ ପ୍ରସନ୍ନ ହେଉଥିଲେ ଗଣି ନନା। ଏବେ ସେ କହିଲେ- ସାର୍‌, ମୁଣ୍ଡ ଖଟାଇ ଭାବିଲି ଯେ ଚା’ ପିଉଥିବା ଲୋକକୁ ଚା’ ଲାଗିଲେ ସେ ଦୋକାନ ଖୋଜିବାକୁ ବାଧ୍ୟ। ଶୋଷ ଲାଗିଲେ ମଣିଷ ତ କୂଅ ପାଖକୁ ଯିବ। ମୁଁ କିନ୍ତୁ ଭାବିଲି ଯେ କୂଅ ଯଦି ଶୋଷିଲା ପାଖରେ ପହଞ୍ଚେ, ତେବେ? ସେଇଠୁ ଆରମ୍ଭ ହେଲା ମୋ ସାଇକେଲରେ ଭ୍ରାମ୍ୟମାଣ ଚା’ ଦୋକାନ। ଯେଉଁ ଛକରେ ଛିଡ଼ା ହେଲି ଚା’ ବିକିଲି। ଲୋକେ ରାସ୍ତାରେ ଅଟକାଇ ଚା’ ପିଇଲେ। ‌େସମାନଙ୍କ ଭିତରୁ କେହି କେହି ମୋ ମୋବାଇଲ ନମ୍ବର ନେଲେ ଓ ମୋତେ ଚା’ ଲାଗି ଡାକିଲେ। ଏମିତି ବେପାର ବଢ଼ିଲା। ଖାଲି ଚା‌’ରୁ ଯେତିକି ପଇସା ହେଉଛି ସେତିକି‌େର ଆମେ ଦୁଇ ପ୍ରାଣୀ ଚଳିବାରେ କିଛି ଅସୁବିଧା ହେଉନି।
ନନାଙ୍କ କଥାକୁ ମନକର୍ଣ୍ଣ ଦେଇ ଶୁଣୁଥିବା ସତ୍ୟେନ୍ଦୁ ଏଥର ପଚାରିଲା: ଏମିତି କ’ଣ ଦିନ ସାରା ବେପାର ଚାଲେ?
‘ହଁ ସାର୍‌ ଚାଲିଛି ତ! ଲୋଡ଼ା ପଡ଼ିଲେ ରାତିରେ ବି!’, କହିଲେ ଗଣି ନନା।
- ‘ହେଇ ତ ସାର୍, ଏବେ କିଛି ଦିନ ହେଲାଣି ଗୋଟେ ଘରର ଆଈ ଓ ନାତିଙ୍କୁ ପାହାନ୍ତାରୁ ଉଠେଇ ବେଡ୍‌ ଟି ଦେଉଛି! ଆଈଙ୍କ ପିଲାଏ ସବୁ ବାହାରେ। ଏବେ ସଂପର୍କୀୟ ନାତି ଟୋକା ପାଖରେ ରହି ମାଟ୍ରିକ ପରୀକ୍ଷା ଲାଗି ପଢୁଚି। ଦିନେ ଆଈ ମା’ କୋଉଠୁ କେଜାଣି ମୋ ନମ୍ବର ପାଇ ଫୋନ୍ କଲେ ଓ କହିଲେ- ପୁଅ, ଛୁଆଟା ସାରା ରାତି ପଢୁଛି। ତା’ ଲାଗି ଭୋର୍‌ରୁ ଚା’ ଦରକାର। ଆଣି ଦବୁ ତ! ତାକୁ ଟିକେ ତାଜା ଲାଗିବ!
ସେଇ ଦିନଠୁ ମୁଁ ପାହାନ୍ତାରୁ ନିତି ଯାଇ କଲିଂ ବେଲ୍ ଟିପି ଗରମାଗରମ ଚା’ ଦେଇ ଆସୁଛି!
ଗଣି ନନାଙ୍କ କଥା ଶୁଣିବା ଭିତରେ ସତେ ଅବା ନିଜ ଅତୀତରେ ବୁଡ଼ି ଯାଇଥିଲା ସତ୍ୟେନ୍ଦୁ। ଚା’ ପିଇବା ଓ ଚା’ ଦେବା ଭିତରେ କି ଅଦ୍ଭୁତ ସଂପର୍କଟିଏ ଗଢ଼ି ଉଠି ନ ଥାଏ ସତେ?
ସେ କହି ଉଠିଲା, ‘ଚା’ ଲୋଡୁଥିବା ବେଳେ ଏବଂ ତାହା ପାଉ ନ ଥିବା ସମୟରେ ତୁମେ ଚା’ ପିଆଇ ଦେଇ ଯାହା କରୁଛ, ଗଣି ନନା, ସେଥିରେ ତୁମେ ମୋ ଭଳି ଅନେକଙ୍କ ସକାଶେ ଆତ୍ମୀୟଙ୍କ ଠୁ ବି ବଳି! ତୁମ ହାତ ତିଆରି ଚା’ ଅମୃତୋପମ। ତା’ ସହିତ ତୁମ ସହ ସଦା ଭ୍ରାମ୍ୟମାଣ ଏକ ଅପୂର୍ବ ତାଜାପଣ!’
ଗଣି ନନାଙ୍କୁ ଉଚ୍ଛ୍ୱସିତ ହୋଇ ଏତିକି କହିଲା ବେଳେ ସତ୍ୟେନ୍ଦୁର ମନେ ପଡ଼ିଯାଉଥିଲା ଦୂର ଅତୀତର ଅଳସ ପାହାନ୍ତାରେ ବାଷ୍ବାୟିତ ଚା’ କପ୍‌ ହାତରେ ଧରି ଛିଡ଼ା ହୋଇଥିବା ବୋଉଙ୍କ ଚେହେରା। ମନେ ମନେ ସେ କହି ଉଠିଲା ‘ଜୀତେ ରହୋ ଗଣି ନନା!’
ମୋ: ୯୪୩୭୯୦୯୬୭୫