ଆଦିବାସୀ ଦିବସ ଏକ ପ୍ରହସନ!

ଗତ କାଲି ଅର୍ଥାତ୍‌ ଅଗଷ୍ଟ ୯ ତାରିଖକୁ ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ ରୂପେ ପାଳନ କରାଗଲା। ଏହା ଏକ ଆନନ୍ଦର ବିଷୟ। ସତ କହିଲେ ପୃଥିବୀ ପୃଷ୍ଠର ସର୍ବ ପ୍ରାଚୀନ ମାନବ ରୂପେ ଏହି ବନବାସୀମାନେ ଗଣାଯାଆନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରକୃତି ଅନୁକୂଳ ଜୀବନ ନିର୍ବାହ କରି ଚାଲିଛନ୍ତି। ସଭ୍ୟତାର କ୍ରମ ବିକାଶରେ ଅଧିକାଂଶ ମାନବ କ୍ରମେ ପ୍ରକୃତି ଠାରୁ ଦୂରେଇ ଯାଇ ଜୀବନ କାଟୁଛନ୍ତି ଓ ତାହାକୁ ମୁଖ୍ୟ ସ୍ରୋତୀୟ ଜୀବନ ବୋଲି ବିଚାର କରୁଛନ୍ତି।

କିନ୍ତୁ, ତାହା ଯେ ପୃଥିବୀର ବିନାଶ କରିବାରେ ଲାଗିଛି, ତାହା ଏବେ ସମସ୍ତେ ହୃଦୟଙ୍ଗମ କରୁଛନ୍ତି। ତଥାପି ବିଡ଼ମ୍ବନାର ବିଷୟ ହେଲା, ଏହି ତଥାକଥିତ ମୁଖ୍ୟ ସ୍ରୋତୀୟ ମଣିଷମାନେ ବନବାସୀ ଆଦିବାସୀମାନଙ୍କୁ ଅପାଂକ୍ତେୟ ବର୍ଗ ଭା‌େ‌ବ ଗଣନ୍ତି। ଆମ ଦେଶରେ ଆଦିବାସୀମାନେ ସର୍ବାଧିକ ଅବହେଳିତ ଏବଂ ବଞ୍ଚିତ ସଂପ୍ରଦାୟ ହୋଇ ରହିଛନ୍ତି। ଅବସ୍ଥା ଏମିତି ଯେ ସେମାନଙ୍କ ଅସ୍ତିତ୍ବ ଏବଂ ପରମ୍ପରା ବିଲୁପ୍ତ ପ୍ରାୟ ‌େହବାକୁ ବସିଲାଣି। କହିବା ଅନାବଶ୍ୟକ ଯେ ଭାରତ କିମ୍ବା ଓଡ଼ିଶା ସରକାର ଆଦିବାସୀମାନଙ୍କ ପାଇଁ ହାତକୁ ନେଇଥିବା ଯୋଜନାରୁ ଅଧିକାଂଶ ବିଫଳ ହୋଇଛନ୍ତି। ଏଥି ଲାଗି ଆସୁଥିବା ଅର୍ଥର ବିପୁଳ ବାଟମାରଣା ହେଉଛି।

ଏବେ ବି ଆ‌ଦିବାସୀମାନେ ସର୍ବାଧିକ ଦରିଦ୍ର, ଉନ୍ନତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରୁ ସଂପୂର୍ଣ୍ଣ ବଂଚିତ; ଏବେ ବି କାଶୀପୁର ଏବଂ କଲ୍ୟାଣସିଂପୁରରେ ଆଦିବାସୀ ଜୀବନ କଲେରା ଭଳି ରୋଗରେ ଯାଉଛି; ଏବେ ବି ସେମାନେ ସବୁଠାରୁ ଅଧିକ ସଂଖ୍ୟାରେ ବିସ୍ଥାପିତ ହେଉଛନ୍ତି। ଗୋଟିଏ ପଟେ ମାଓବାଦୀ ଏବଂ ଅନ୍ୟ ପଟେ ସୁରକ୍ଷା ବାହିନୀ ଏମାନଙ୍କୁ ସାନ୍ଧି ଦେଇଛନ୍ତି। ଏଭଳି ସ୍ଥଳେ ଆଦିବାସୀ ଦିବସ ପାଳନ କରିବା ଏକ ପ୍ରହସନ ଭଳି ମନେ ହୋଇଥାଏ। ଯେଉଁ ଦିନ ଆଦିବାସୀଙ୍କ ସ୍ବତନ୍ତ୍ର ଜୀବନଶୈଳୀ, ପରଂପରାକୁ ଗୁରୁତ୍ବ ଦେଇ ସେମାନଙ୍କ ଲାଗି ଆର୍ଥିକ ଓ ସାମାଜିକ ବିକାଶ କରାଯାଇପାରିବ, ‌େସହି ଦିନ ଆଦିବାସୀ ଦିବସ ପାଳନର ଗୁରୁତ୍ବ ରହିବ ବୋଲି ମୁଁ ମନେ କରେ।
ଗୋପାଳ ଚନ୍ଦ୍ର ବେଶ୍ରା
ବଡ଼ ନାରାୟନି, ତିରିଂ, ମୟୂରଭଞ୍ଜ

ସମ୍ବନ୍ଧିତ ଖବର