ସମାନ ନାଗରିକ ସଂହିତା ପାଇଁ ଅଡ଼ି ବସିଥିବା ବିଜେପି ହଠାତ୍ ସତର୍କ ହୋଇଯାଇଛି: ତାହାକୁ ଆଦିବାସୀ ଅଞ୍ଚଳରେ ସତର୍କ ଘଣ୍ଟି ବାଜୁଥିବାର ଶୁଭୁଛି। ଭାରତରେ ବସବାସ କରୁଥିବା ୭୦୦ ପ୍ରକାର ଜନଜାତିମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କର ବିବାହ, ଛାଡ଼ପତ୍ର, ବଂଶାନୁକ୍ରମ ଓ ଉତ୍ତରାଧିକାର ଆଦିରେ ନିଜସ୍ବ ପାରମ୍ପରିକ ରୀତିନୀତି ରହିଛି। ସେମାନେ ସେଗୁଡ଼ିକ ପବିତ୍ର ଓ ଅଲଂଘନୀୟ ବୋଲି ବିବେଚନା କରନ୍ତି। ସେମାନଙ୍କୁ ସେମାନଙ୍କର ଜନଜାତି ସଂହିତା ପରିହାର କରି ସମାନ ନାଗରିକ ସଂହିତା ଗ୍ରହଣ କରିବାକୁ ବାଧ୍ୟ କରିବା ଦିଗରେ ବିଜେପିକୁ ବିରାଟ ବିପଦ ଦେଖାଦେଇଛି। ଏହା ଦ୍ବାରା ଦେଶରେ ଜାତିଗତ ହିଂସା, ଜାତୀୟ ଏକୀକରଣକୁ ଆଘାତ ଓ ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ପ୍ରକ୍ରିୟାରେ ବିଭ୍ରାଟ ଆଦି ବିପଦ ସୃଷ୍ଟି ହୋଇପାରେ। ଏହା ବିଜେପିର ରାଜନୈତିକ ଭବିଷ୍ୟତ ପାଇଁ ମଧ୍ୟ ବିପଦ ସାଜିପାରେ: ଆଦିବାସୀମାନଙ୍କ ମଧ୍ୟରେ ନିର୍ବାଚନ ଭିତ୍ତିଭୂମି ହ୍ରାସ, ଆଦିବାସୀ ନେତାଙ୍କ ସଦସ୍ୟତା ପ୍ରତ୍ୟାହାର, ସହଯୋଗୀମାନଙ୍କ ବର୍ଜନ ଏବଂ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ କ୍ଷମତା ହରାଇବା ଆଦି ବିପଦ ଦେଖାଦେବା ସ୍ବାଭାବିକ।
ଉତ୍ତର-ପୂର୍ବାଞ୍ଚଳର ଅନେକ ଆଞ୍ଚଳିକ ଦଳ, ସମ୍ପ୍ରଦାୟ ଓ ଧାର୍ମିକ ଗୋଷ୍ଠୀ ସମାନ ନାଗରିକ ସଂହିତା ବିରୋଧରେ ବାହାରିଛନ୍ତି। ନାଗାଲାଣ୍ଡ, ମେଘାଳୟ, ମିଜୋରାମ ଓ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଏହା ବିରୋଧରେ ବକ୍ତବ୍ୟ ଦେଇସାରିଛନ୍ତି। ଏହି ମୁଖ୍ୟମନ୍ତ୍ରୀମାନେ ବିଜେପିର ସହଯୋଗୀ ଦଳଗୁଡ଼ିକର ନେତୃତ୍ବ ନେଉଛନ୍ତି। ଏହା ସତ୍ତ୍ବେ ସେମାନେ ଏକ ସମାନ ସଂହିତା ବିରୋଧରେ ମୁହଁ ଖୋଲିଛନ୍ତି, କାରଣ ସେମାନେ ପ୍ରତିନିଧିତ୍ବ କରୁଥିବା ଜନଜାତି ଏହାକୁ ବିରୋଧ କରୁଛନ୍ତି। ଜୁଲାଇ ମାସ ପ୍ରାରମ୍ଭରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କ ନେତୃତ୍ବରେ ତାଙ୍କ ମନ୍ତ୍ରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ଏହି ଯୁକ୍ତି ବାଢ଼ିଥିଲେ ଯେ ସମାନ ନାଗରିକ ସଂହିତା ପାରମ୍ପରିକ ନିୟମ ଓ ନାଗାମାନଙ୍କର ରୀତିନୀତିର ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ସମ୍ବିଧାନର ଧାରା ୩୭୧(କ)ର ଉଲ୍ଲଂଘନ ହେବ। ଶାହଙ୍କ ସହ ସାକ୍ଷାତର କିଛି ଦିନ ପୂର୍ବରୁ ରିଓଙ୍କ ରାଜନୈତିକ ଦଳ ‘ଏନ୍ଡିପିପି’ (ନାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ନାଗାମାନଙ୍କୁ ଆଶ୍ବାସନା ଦେଇଥିଲା କି ‘ଆମର ପରିଚୟ, ରୀତିନୀତି, ପରମ୍ପରା ଓ ଅନନ୍ୟ ଇତିହାସକୁ ସୁରକ୍ଷିତ ରଖିବା ଲାଗି ଆମେ ଦୃଢ଼ସଂକଳ୍ପ।’
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଆଇନ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିବା ବିଜେପି ସାଂସଦ ସୁଶୀଲ ମୋଦୀ ପରାମର୍ଶ ଦେଇଛନ୍ତି ଯେ ସମାନ ନାଗରିକ ସଂହିତା ଜନଜାତିମାନଙ୍କ ଉପରେ ଲାଗୁ ହେବା ଅନୁଚିତ। ଆଦିବାସୀମାନଙ୍କ ଗହଣରେ କାମ କରୁଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅନ୍ୟତମ ସଂଗଠନ ବନବାସୀ କଲ୍ୟାଣ ଆଶ୍ରମ ସୁଶୀଲ ମୋଦୀଙ୍କୁ ସମର୍ଥନ କରି କହିଛି ଯେ ଆଇନ ଆୟୋଗ ସରକାରଙ୍କୁ କୌଣସି ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଦିବାସୀ ସମ୍ପ୍ରଦାୟର ବିବାହ, ଛାଡ଼ପତ୍ର, ପୋଷ୍ୟଗ୍ରହଣ ଓ ଉତ୍ତରାଧିକାର ସହ ଜଡ଼ିତ ପାରମ୍ପରିକ ପ୍ରଣାଳୀକୁ ଗଭୀର ଭାବରେ ବୁଝିବା ଲାଗି ଆଦିବାସୀ ଅଞ୍ଚଳ ପରିଦର୍ଶନ କରିବା ଉଚିତ। ନାଗାଲାଣ୍ଡର ସରକାରୀ ସୂତ୍ରରୁ ମିଳିଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି କି, ମୁଖ୍ୟମନ୍ତ୍ରୀ ନେତୃତ୍ବାଧୀନ ପ୍ରତିନିଧି ମଣ୍ଡଳକୁ ଆଶ୍ବାସନା ଦେଇ ଅମିତ ଶାହ କହିଛନ୍ତି ଯେ ପ୍ରସ୍ତାବିତ ସମାନ ନାଗରିକ ସଂହିତା ଦ୍ବାରା ଆଦିବାସୀମାନେ ପ୍ରଭାବିତ ହେବେନାହିଁ।
ସ୍ବାଧୀନ ଭାରତ ଆଦିବାସୀ କ୍ଷେତ୍ରକୁ ସ୍ବତନ୍ତ୍ର ଶାସନର କ୍ଷେତ୍ର ଭାବରେ ଚିହ୍ନିତ କରିଥିଲା, ଯେଉଁଠି ଆଦିବାସୀ ପରିଷଦର ସ୍ବାୟତ୍ତତାକୁ ଭାରତୀୟ ରାଷ୍ଟ୍ର ସମ୍ମାନ ଜଣାଇବ। ଏହା ଆଦିବାସୀମାନଙ୍କୁ ସେମାନଙ୍କର ଜୀବନଧାରାର ସଂରକ୍ଷଣ ତଥା ଅନୁସରଣ ପାଇଁ ବିଶେଷ ଅଧିକାର ଓ ସ୍ବାଧିକାର ପ୍ରଦାନ କରିଥିଲା। ସେମାନେ ମୁକ୍ତ ଭାବରେ ପାରିବାରିକ ପ୍ରସଙ୍ଗରେ ସେମାନଙ୍କର ପାରମ୍ପରିକ ନିୟମ ଅନୁସରଣ କରିପାରିବେ, ଆଦିବାସୀ ଗ୍ରାମ୍ୟ ପରିଷଦ ମାଧ୍ୟମରେ ପାରସ୍ପରିକ ବିବାଦର ସମାଧାନ କରିପାରିବେ, ଜଙ୍ଗଲ ଜମିକୁ ବ୍ୟବହାର କରିପାରିବେ ଏବଂ ପ୍ରାକୃତିକ ସମ୍ବଳର ପରିଚାଳନା ମଧ୍ୟ କରିପାରିବେ। ମାତ୍ର ବର୍ଷ ବର୍ଷ ଧରି ଆଦିବାସୀ ଅଞ୍ଚଳରେ ପ୍ରାକୃତିକ ସମ୍ବଳର ବିନିଯୋଗ ସମ୍ପର୍କରେ ନିଷ୍ପତ୍ତି ନେବାର ଜନଜାତି ସ୍ବାଧୀନତାକୁ ସରକାର ଛଡ଼େଇ ନେଇଛନ୍ତି। ଜନଜାତି ସ୍ବାଧୀନତା କେବଳ ପାରିବାରିକ ଓ ସାମାଜିକ ପ୍ରସଙ୍ଗରେ ସୀମିତ ରହିଛି। ଆଦିବାସୀମାନେ ଯଦି ସମାନ ନାଗରିକ ସଂହିତା ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତି, ତେବେ ସେମାନେ ଭୋଗ କରୁଥିବା ସ୍ବାଧୀନତାର ଶେଷ ଦ୍ବୀପ ମଧ୍ୟ ହରାଇ ବସିବେ।
କେନ୍ଦ୍ର ସରକାର ଆଦିବାସୀମାନଙ୍କର ସ୍ବାଧୀନତାର ଶେଷ ଦ୍ବୀପ ଉପରେ ଆକ୍ରମଣରୁ ନିବୃତ୍ତ ହେବା ଆବଶ୍ୟକ। ତା’ ସଙ୍ଗେ ସଙ୍ଗେ ଜନଜାତିମାନଙ୍କ ସହ ଆଲୋଚନା କରି ସେଥିରେ ଥିବା ଅସଂଗତି ଓ ଅସ୍ବାଭାବିକତାର ସଂଶୋଧନ ପାଇଁ ଧୀରେ ଧୀରେ ଆଗକୁ ବଢ଼ିବା ଆବଶ୍ୟକ। କାରଣ ପ୍ରତ୍ୟେକ ଅଧିବାସୀଙ୍କ ପାଇଁ ଏହି ଦ୍ବୀପ ସ୍ବର୍ଗର ଉଦ୍ୟାନ ନୁହେଁ। ମହିଳାମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ସ୍ବର୍ଗପୁରୀ ନୁହେଁ। ପୁରୁଷମାନେ ହିଁ ସବୁ ଫଳର ସ୍ବାଦ ଉପଭୋଗ କରନ୍ତି। ମହିଳାଙ୍କ ଭାଗ୍ୟରେ ଅବଶିଷ୍ଟାଂଶ ହିଁ ଥାଏ, ବେଳେ ବେଳେ ସେମାନଙ୍କୁ କିଛି ହେଲେ ମିଳେ ନାହିଁ।
ମିଜୋମାନଙ୍କର ପାରମ୍ପରିକ ନିୟମ ଅନୁସାରେ, ସବା ସାନପୁଅ ହେଉଛି ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ। ବାପାଙ୍କ ସମ୍ପତ୍ତିରେ କିଛି ବି ଅଂଶରେ କୌଣସି ଝିଅର ଭାଗ ନଥାଏ। ଅରୁଣାଚଳପ୍ରଦେଶର ଗିଲଙ୍ଗ ଓ ଵାଞ୍ଚୋସ ସମ୍ପ୍ରଦାୟରେ କେବଳ ପୁଅମାନେ ବାପାଙ୍କ ସମ୍ପତ୍ତି ପାଇଥା’ନ୍ତି। ନାଗାମାନଙ୍କ ମଧ୍ୟରେ ସାନପୁଅକୁ ହିଁ ପୈତୃକ ଗୃହ ସମେତ ପୈତୃକ ସମ୍ପତ୍ତିର ସିଂହଭାଗ ମିଳିଥାଏ। ଜମି ଭଳି ଅସ୍ଥାବର ସମ୍ପତ୍ତିକୁ ପୁଅମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ। ମାତ୍ର ଝିଅମାନଙ୍କୁ କିଛି ମିଳେନାହିଁ। ଏପରିକି କୌଣସି କ୍ଷେତ୍ରରେ ପୁଅ ନଥିଲେ ମଧ୍ୟ ଝିଅମାନେ କିଛି ପାଆନ୍ତି ନାହିଁ। ଏଭଳି ସ୍ଥିତିରେ ପୈତୃକ ସମ୍ପତ୍ତିକୁ ପିତାଙ୍କ ଭାଇ କିମ୍ବା ତାଙ୍କ ପୁଅ ପରି ଘନିଷ୍ଠ ପୁରୁଷ ସମ୍ପର୍କୀୟଙ୍କ ହାତରେ ଟେକି ଦିଆଯାଇଥାଏ। ସେହିପରି ଝାଡ଼ଖଣ୍ଡର ସାନ୍ତାଳ ଓ ଓରାଓଁ, ତ୍ରିପୁରାର ଜମାତିୟା ଓ ହଲମ ଏବଂ ଓଡ଼ିଶାର ଡଙ୍ଗରିଆ କନ୍ଧ ଓ ପାଉଡ଼ି-ଭୂୟାଁଙ୍କ ମଧ୍ୟରେ ମଧ୍ୟ ଅନୁରୂପ ସମ୍ପତ୍ତି ବଣ୍ଟନ ହୋଇଥାଏ। ଆଦିବାସୀମାନଙ୍କ ଭିତରେ ଜଣେ ପିତା ତାଙ୍କ ଝିଅକୁ ଉପହାର ସ୍ବରୂପ ଖଣ୍ଡେ ଛୋଟ ଜମି ଦେଇପାରିବେ, ମାତ୍ର ଏଭଳି ଘଟଣା ବିରଳ। ସେ କ୍ଷେତ୍ରରେ ଝିଅଟିଏ ତାହା ଅନୁଗ୍ରହ ସ୍ବରୂପ ପାଇଥାଏ, କୌଣସି ଅଧିକାର ସାବ୍ୟସ୍ତ କରି ନୁହେଁ।
ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ଅବସ୍ଥା ଝିଅମାନଙ୍କ ତୁଳନାରେ ଆହୁରି ଦୟନୀୟ। ମିଜୋମାନଙ୍କର ପାରମ୍ପରିକ ନୀତିନିୟମ ଅନୁଯାୟୀ, ଜଣେ ପୁରୁଷ କେବଳ ‘କା ମା ଚା’ (ମୁଁ ତୋତେ ଛାଡ଼ପତ୍ର ଦେଉଛି) କହିଦେଇ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବେ ଏବଂ ତାଙ୍କୁ ପରିବାର ସମ୍ପତ୍ତିରୁ କାଣିଚାଏ ଦେବାକୁ ମନା କରିପାରିବେ। ମୁସଲମାନ ପୁରୁଷମାନେ ସେମାନଙ୍କ ପତ୍ନୀଙ୍କୁ ତ୍ୟାଜ୍ୟ କରିବା ପାଇଁ ପୂର୍ବରୁ ବ୍ୟବହାର କରୁଥିବା ‘ତିନି ତଲାକ’ ଆଇନଠୁ ବି ଏହା ଆହୁରି ଖରାପ।
ଆଦିବାସୀମାନଙ୍କ ଭିତରେ ବିବାହିତା ମହିଳାମାନେ ମଧ୍ୟ ସୁଖରେ କାଳାତିପାତ କରନ୍ତି ନାହିଁ। ବହୁ ଧନୀ ପରିବାରରେ ବହୁବିବାହ ପ୍ରଥା ଏକ ସାଧାରଣ କଥା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (୨୦୧୯-୨୦)ର ତଥ୍ୟ ମୁତାବକ, ଉତ୍ତର-ପୂର୍ବାଞ୍ଚଳର ଜନଜାତିମାନଙ୍କ ମଧ୍ୟରେ ବହୁବିବାହ ପ୍ରଥା ସର୍ବାଧିକ ପ୍ରସାର ପାଇଛି। ପତ୍ନୀମାନଙ୍କୁ ଉଭୟ ଘରେ ଓ ଜମିରେ କାମ କରିବାକୁ ପଡ଼ିଥାଏ। ସେମାନେ ଯେ କେବଳ ସମ୍ପତ୍ତିର ମାଲିକାନା ଓ ପରିଚାଳନାରୁ ବାଦ୍ ପଡ଼ିଥା’ନ୍ତି, ତାହା ନୁହେଁ; ଏଥି ସହିତ ପରିବାର, ଗାଁ ଓ ସମ୍ପ୍ରଦାୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ମଧ୍ୟ ସେମାନେ ବଞ୍ଚିତ। ତେଣୁ ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଓ ଅରୁଣାଚଳପ୍ରଦେଶ ବିଧାନସଭାକୁ ମହିଳା ସଦସ୍ୟ ନିର୍ବାଚିତ ହେବା ହେଉଛି ଏକ ବିରଳ ଘଟଣା।
ମୋଟାମୋଟି ଭାବେ କହିବାକୁ ଗଲେ, ଆଦିବାସୀମାନଙ୍କ ଉପରେ ସମାନ ନାଗରିକ ସଂହିତା ଲାଗୁ କରିବା ଏକ ଅତ୍ୟନ୍ତ ଖାମଖିଆଲି, ଅହଂକାରପୂର୍ଣ୍ଣ ଓ ସ୍ବେଚ୍ଛାଚାରୀ ନିଷ୍ପତ୍ତି ହେବ। ସେମାନଙ୍କୁ ସେମାନଙ୍କର ସ୍ବାଧୀନତାର ଶେଷ ଦ୍ବୀପକୁ ବଜାୟ ରଖିବା ଲାଗି ଅନୁମତି ଦିଆଯିବା ଆବଶ୍ୟକ। ତେବେ ମହିଳାମାନଙ୍କ ପ୍ରତି ହେଉଥିବା ଭେଦଭାବକୁ ଦୂର କରିବା ଉଦ୍ଦେଶ୍ୟରେ ସେମାନଙ୍କ ପାରମ୍ପରିକ ନିୟମରେ ସଂଶୋଧନ ଆଣିବା ଲାଗି କେନ୍ଦ୍ର ସରକାର ସେମାନଙ୍କ ସହ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିବା ଉଚିତ ହେବ। ପିତାମାତାଙ୍କ ସମ୍ପତ୍ତିରେ ଝିଅମାନଙ୍କୁ ସମାନ ଅଧିକାର ମିଳିବା ଉଚିତ। ସେହିପରି ଛାଡ଼ପତ୍ର ପାଉଥିବା ମହିଳାମାନେ ପରିବାର ସମ୍ପତ୍ତିର ଯଥେଷ୍ଟ ଭାଗ ପାଇବା ଦରକାର। ଏଥି ସହିତ ବହୁବିବାହ ପ୍ରଥା ଓ ଛାଡ଼ପତ୍ର ପାଉଥିବା ପତ୍ନୀଙ୍କ ପାଇଁ ପୂର୍ବ ସ୍ବାମୀଙ୍କ ଭରଣପୋଷଣ ବିଧିକୁ ଉଚ୍ଛେଦ କରିବା ଦରକାର। ୨୦୧୪ରେ ପାରମ୍ପରିକ ନିୟମରେ ସଂସ୍କାର ଆଣିବା ଲାଗି ମିଜୋରାମ ବିଧାନସଭାରେ ଏକ ଆଇନ (ମିଜୋ ବିବାହ, ଛାଡ଼ପତ୍ର, ସମ୍ପତ୍ତି ଉତ୍ତରାଧିକାର ଆଇନ) ପାରିତ ହୋଇଥିଲା। ଏଭଳି ଘଟଣା ବିବର୍ତ୍ତନକୁ ସୂଚାଏ। ସେମାନଙ୍କର ପୁରାତନ ପରିବାର ନିୟମଗୁଡ଼ିକର ପୁନର୍ଗଠନ ଲାଗି କେନ୍ଦ୍ର ସରକାର ଆଲୋଚନା ମାଧ୍ୟମରେ ଅନ୍ୟ ଆଦିବାସୀମାନଙ୍କ ମଧ୍ୟରେ ଏକ ଅନୁରୂପ ପରିବେଶ ସୃଷ୍ଟି କରିବା ବାଞ୍ଛନୀୟ। ତେବେ ଗୋଟିଏ ଦିନରେ ତାହା ସମ୍ଭବ ନୁହେଁ। ଏଥିପାଇଁ ଦଶନ୍ଧି ଦଶନ୍ଧି ମଧ୍ୟ ଲାଗିପାରେ। ମାତ୍ର ଏ ଦିଗରେ ଆଲୋଚନା ଆରମ୍ଭ ହେବା ଜରୁରୀ। ଆଦିବାସୀ ମହିଳାମାନେ ଏଥିପାଇଁ ବ୍ୟାକୁଳ ଭାବେ ଅପେକ୍ଷା କରିଛନ୍ତି।
[email protected]
ସମାନ ନାଗରିକ ସଂହିତାରୁ ବାଦ୍ ପଡ଼ନ୍ତୁ ଆଦିବାସୀ
ଅରୁଣ ସିହ୍ନା
/sambad/media/post_attachments/wp-content/uploads/2023/08/65s4h6f5sh465fhfhfhs.jpg)