ଭାରତର ପ୍ରାଚୀନ ଇତିହାସ ରଚନାରେ ତତ୍କାଳୀନ ବିଦେଶୀ ପରିବ୍ରାଜକମାନଙ୍କର ବିବରଣୀ ଏକ ମହତ୍ତ୍ବପୂର୍ଣ୍ଣ ସାମଗ୍ରୀ ସ୍ରୋତ ହୋଇଥାଏ। ବିବରଣୀ ଶତ ପ୍ରତିଶତ ବସ୍ତୁନିଷ୍ଠ ହୋଇ ନ ପାରେ। ତା’ ସତ୍ତ୍ବେ ଏହି ପରିବ୍ରାଜକମାନେ ଭାରତୀୟ ସମାଜକୁ ବାହାରୁ ଦେଖିଥିବାରୁ ସେମାନଙ୍କ ବର୍ଣ୍ଣନା ଅନାସକ୍ତ ଓ ପ୍ରଭାବମୁକ୍ତ ହୋଇଥିବା ଲକ୍ଷ୍ୟ କରାଯାଏ। ବିବରଣୀରେ ଲେଖକ-ପରିବ୍ରାଜକଙ୍କର ବ୍ୟକ୍ତିତ୍ବ, ସାମାଜିକ ପରିବେଶ ଓ ବିଶ୍ବ ଦୃଷ୍ଟିର ମଧ୍ୟ ପ୍ରତିଫଳନ ରହିଥାଏ। ଏ ସବୁକୁ ଦୃଷ୍ଟିରେ ରଖି ଚୀନ୍ ପରିବ୍ରାଜକ ହୁଏନ୍ସାଂ (୬୦୨-୬୬୪ ଖ୍ରୀ.) ଏବଂ ତାଙ୍କ ରଚିତ ବିବରଣୀ ‘ସିୟୁକୀ’କୁ ନେଇ ଏହି ଚର୍ଚ୍ଚା।
ହୁଏନ୍ସାଂ ୬୨୯ ଖ୍ରୀଷ୍ଟାବ୍ଦରେ ଚୀନ୍ରୁ ଆଫଗାନିସ୍ତାନ ଦେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଭାରତର କୋଣ ଅନୁକୋଣକୁ ପରିଭ୍ରମଣ କରି ଦୀର୍ଘ ୧୫ ବର୍ଷ ପରେ ୬୪୫ ଖ୍ରୀଷ୍ଟାବ୍ଦରେ ସେ ଚୀନ୍ ପ୍ରତ୍ୟାବର୍ତ୍ତନ କରିଥିଲେ। ‘ସିୟୁକୀ’ର ରଚନା ତାଙ୍କର ଚୀନ୍ ଫେରିଲା ପରେ।
ହୁଏନ୍ସାଂଙ୍କ ଜନ୍ମ ଚୀନ୍ର ଜେନାନ ପ୍ରଦେଶେର; ଏକ ଅଭିଜାତ ‘ମାଣ୍ଡାରିନ୍’ ପରିବାରରେ। ପିତା ହୁଇଙ୍କର ସେ ଥିଲେ ଚତୁର୍ଥ ଓ କନିଷ୍ଠ ସନ୍ତାନ। ଦୁଇ ପରିବାର ପିଢ଼ି ପରେ ପିଢ଼ି ଉଚ୍ଚ ପ୍ରଶାସନିକ ପଦରେ ରହି ଆସୁଥିଲେ। ମାତ୍ର ବାଳକ ହୁଏନ୍ସାଂଙ୍କ ପ୍ରଶାସନିକ ପଦପଦବି ପ୍ରତି ଆଗ୍ରହ ନ ଥିଲା। ବାର ବର୍ଷ ବୟସରେ ସେ ବୌଦ୍ଧ ଭୀକ୍ଷୁ ଭାବରେ ଚେଙ୍ଗ୍-ତୁର ଏକ ବୌଦ୍ଧବିହାରରେ ଯୋଗ ଦେେଲ। ତାଙ୍କର ଏହି ନିରାଗ୍ରହ ପଛର କାରଣ ଭାବେ ସପ୍ତମ ଶତାବ୍ଦୀର ଚୀନ୍ର ରାଜନୈତିକ ଅସ୍ଥିରତା, ମାଣ୍ଡାରିନ୍ ବର୍ଗର ବିଳାସପୂର୍ଣ୍ଣ ଜୀବନଯାପନ ଏବଂ ସାଧାରଣ ଜନଙ୍କ ପ୍ରତି ସଂବେଦନଶୂନ୍ୟତାକୁ ଦେଖାଯାଇଥାଏ। ସେତେବେଳେ ଚୀନ୍ରେ ତାଙ୍ଗ ରାଜବଂଶର ଶାସନ ଏବଂ ତାକୁ ବିରୋଧ କରୁଥାନ୍ତି ଗୋକତୁର୍କ ଜନଜାତି। ପରିଣାମ ଯୁଦ୍ଧ, ହିଂସା ଓ ରକ୍ତପାତ! ଏହି ସ୍ଥିତିରେ ବ୍ୟଥିତ ହୋଇ ହୁଏନ୍ସାଂ, ଶାକ୍ୟ କୁମାର ଗୌତମଙ୍କ ଭଳି ଗୃହ ତ୍ୟାଗୀ ହେଲେ ଏବଂ ବୌଦ୍ଧ ଧର୍ମର ମହାଯାନ ପନ୍ଥା ପ୍ରତି ଆକୃଷ୍ଟ ହେଲେ। ମହାଯାନ ପନ୍ଥା ଓ ବୌଦ୍ଧ ଧର୍ମର ଜନ୍ମଭୂମି ଭାରତ ସମ୍ବନ୍ଧରେ ଅଧିକ ଅଧ୍ୟୟନ କରିବା ସକାଶେ ସେ ଭାରତ ପରିଭ୍ରମଣ କରିଥିଲେ।
ମହାଯାନ ପନ୍ଥାର ବୈଶିଷ୍ଟ୍ୟ ହେଲା ଏହା ଜନ୍ମ-ମୃତ୍ୟୁ ଚକ୍ରରୁ ବିମୁକ୍ତିକୁ ନିର୍ବାଣ ଆଖ୍ୟା ଦିଏ ନାହିଁ। ବରଂ ଜନ୍ମ ଜନ୍ମ ଧରି ବୌଦ୍ଧ ‘ଅର୍ହତ’କୁ ପରୋପକାର ନିମନ୍ତେ କଷ୍ଟ ବରଣ କରିବାକୁ ପ୍ରେରିତ କରେ। ନିଜେ ଗୌତମ ଜନ୍ମ ଜନ୍ମ ଧରି ‘ବୋଧିସତ୍ତ୍ବ’ ରୂପରେ ବାରମ୍ବାର ଅନ୍ୟ ପାଇଁ କଷ୍ଟ ସହ୍ୟ କରିଛନ୍ତି ବୋଲି ଏହି ପନ୍ଥା ବିଶ୍ବାସ କରେ। ମହାଯାନ ମତାନୁଯାୟୀ, ଅଧିକରୁ ଅଧିକ ଅଧ୍ୟୟନ କଲେ ଆତ୍ମଜ୍ଞାନ ପ୍ରାପ୍ତ ହୁଏ, ଯାହା ପରୋପକାରକୁ ଧ୍ୟେୟ କରିବାକୁ ପ୍ରେରଣା ଯୋଗାଏ। ହୁଏନ୍ସାଂ ଏହି ଲକ୍ଷ୍ୟରେ ନାଳନ୍ଦା ଠାରେ ଅଧ୍ୟୟନ କରିଥିଲେ; ଶୀଳଭଦ୍ର ଓ ମିତ୍ରସେନ ଆଦି ମହାଯାନପନ୍ଥୀ ଦାର୍ଶନିକଙ୍କ ପାଖରୁ ସଂସ୍କୃତ ଶିକ୍ଷା କରିଥିଲେ; ଏବଂ ସ୍ବ-ଦେଶକୁ ଫେରିଲା ପରେ ମଧ୍ୟ ଅଧ୍ୟୟନ ଅବ୍ୟାହତ ରଖିବାକୁ ଭାରତରୁ ପାଣ୍ଡୁଲିପିମାନ ସଂଗ୍ରହ କରିଥିଲେ। ମାତ୍ର, ଦୁର୍ଭାଗ୍ୟ, ଭାରତରୁ ଫେରିବା ବେଳେ ସିନ୍ଧୁ ନଦୀ ପାରି ହେବା ସମୟରେ ତାଙ୍କର ଅନେକ ପାଣ୍ଡୁଲିପି ନଦୀ ସ୍ରୋତରେ ଭାସିଯାଇଥିଲା। ଚୀନ୍କୁ ଫେରିଲା ପରେ ସେ ଉଚ୍ଚ ପଦରେ କାର୍ଯ୍ୟ କରିବାକୁ ଅନେକ ଆମନ୍ତ୍ରଣ ପାଇଥିଲେ। ମାତ୍ର ସେ ସବୁକୁ ପ୍ରତ୍ୟାଖ୍ୟାନ କରି ଏକ ବୌଦ୍ଧ ବିହାରକୁ ଫେରି ଶେଷ ଜୀବନ ‘ସିୟୁକୀ’ ରଚନାରେ ତଥା ଅନ୍ୟ ସଂସ୍କୃତ ପାଣ୍ଡୁଲିପିଗୁଡ଼ିକୁ ଚୀନ୍ ଭାଷାରେ ଅନୁବାଦ କରିବାରେ ଅତିବାହିତ କରିଥିଲେ।
ହୁଏନ୍ସାଂ ଭାରତ ରହଣି ଅବଧିରେ ନାଳନ୍ଦା ବ୍ୟତୀତ ଅନେକ ବର୍ଷ ହର୍ଷବର୍ଦ୍ଧନଙ୍କ ରାଜଧାନୀ କନୌଜରେ ଅତିବାହିତ କରିଥିଲେ। ଏହାଛଡ଼ା, ସେ କାଶ୍ମୀର, ବର୍ତ୍ତମାନର ଉତ୍ତରାଖଣ୍ଡ, କାମରୂପ ଆସାମ, ବଙ୍ଗ, ଆନ୍ଧ୍ର, ଉତ୍ତରପ୍ରଦେଶ ଓ ବିହାର ମଧ୍ୟ ପରିଭ୍ରମଣ କରିଥିଲେ। ୬୩୯ ମସିହାରେ ସେ ଓଡ଼ିଶାକୁ ମଧ୍ୟ ଆସିଥିଲେ। ତାଙ୍କ ବିବରଣୀରୁ ଜଣାପଡ଼େ ଯେ ସେତେବେଳେ ଓଡ଼ିଶାରେ ଓତ୍ର, କଙ୍ଗୋଜ, କଳିଙ୍ଗ ଓ କୋଶଳ ନାମରେ ରାଜ୍ୟମାନେ ରହିଥିଲେ ଏବଂ ସେଠାକାର ଭାଷାର ଏକ ସ୍ବାତନ୍ତ୍ର୍ୟ ରହିଥିଲା। ଏହି ଭାଷା କନୌଜ ଆଦି ଅଞ୍ଚଳରେ ପ୍ରଚଳିତ ଭାଷା ଠାରୁ ଭିନ୍ନ ଥିଲା। ଓଡ଼ିଶାରେ ବୌଦ୍ଧ ଧର୍ମର ଖୁବ୍ ଅଧିକ ପ୍ରସାର ଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଭାରତୀୟ ସମାଜ ସମ୍ବନ୍ଧରେ େସ ଲେଖିଛନ୍ତି ଯେ ପୂଜକ ଓ ଯୋଦ୍ଧାମାନଙ୍କୁ ବାଦ୍ ଦେଲେ ଅଧିକାଂଶ ବ୍ରାହ୍ମଣ ଓ କ୍ଷତ୍ରୀୟ ସେତେବେଳକୁ ମୁଖ୍ୟତଃ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ। ‘ଶୁଦ୍ର’ମାନେ କେବଳ ଯେ ଉଚ୍ଚ ବର୍ଣ୍ଣର ଲୋକଙ୍କ ସେବାରେ ହିଁ ନିୟୋଜିତ ଥିଲେ, ତାହା ନୁହେଁ, ସେମାନେ ସ୍ବତନ୍ତ୍ର ଭାବରେ କୃଷି ମଧ୍ୟ କରୁଥିଲେ। କନୌଜ ଏକ ବିଶାଳ ନଗରୀ ଥିଲା ଏବଂ ରାଜା ହର୍ଷ ସେଠାରେ ଅବସ୍ଥାନ କରୁଥିଲେ। ସାଧାରଣତଃ ଘାତକ, ମାଛଧରାଳୀ, ନଟ-ନଟୀ ଓ ମଇଳା ସଫା କରୁଥିବା ଲୋକଙ୍କୁ ‘ଅସ୍ପୃଶ୍ୟ’ ବୋଲି ମନେ କରାଯାଉଥିଲା। ହୁଏନ୍ସାଂଙ୍କ ବୌଦ୍ଧ ଧର୍ମ ପ୍ରତି ଗଭୀର ଆକର୍ଷଣ ସତ୍ତ୍ବେ ଭାରତର ରାଜନୀତିକ ଜୀବନ ସମ୍ବନ୍ଧରେ ସେ ଟିକିନିଖି ଉଲ୍ଲେଖ କରିବା ପଛରେ ତାଙ୍କର ‘ମାଣ୍ଡାରିନ୍’ ବଂଶଜ ହୋଇଥିବା ଏକ କାରଣ ବୋଲି ମନେ କରାଯାଏ। ‘ସିୟୁକୀ’ରେ ହର୍ଷବର୍ଦ୍ଧନଙ୍କୁ ଜଣେ ମହାନ ଦାନୀ ଓ ତ୍ୟାଗୀ ରାଜା ରୂପେ ଦର୍ଶାଯାଇଛି। ଚୀନ୍ର ଶାସକ ଓ ପ୍ରଶାସକ ବର୍ଗକୁ ଦୃଷ୍ଟିରେ ରଖି ହୁଏନ୍ସାଂ ଏ କଥା ଉଲ୍ଲେଖ କରିଛନ୍ତି। ମହାଯାନ ପନ୍ଥାର ତ୍ୟାଗ ଭାବରୁ ପ୍ରଶାସକ ବର୍ଗ ପ୍ରେରଣା ନେବେ ବୋଲି ହୁଏତ ତାଙ୍କ ବିଶ୍ବାସ ଥିଲା।
ସିୟୁକୀ ପଢ଼ିବାବେଳେ ହୁଏନ୍ସାଂଙ୍କ ସମ୍ବନ୍ଧରେ ନ ଜାଣିଲେ ଅନୁଧ୍ୟାନ ଓ ଅନୁଶୀଳନ ଅସଂପୂର୍ଣ୍ଣ ରହିଯିବ। ଯେ କୌଣସି ଅଧ୍ୟୟନ ଲାଗି ଏହା ପ୍ରଜୁଯ୍ୟ। ପୁସ୍ତକ ସହିତ ତା’ର ରଚୟିତାକୁ ମଧ୍ୟ ଜାଣିବା ସର୍ବଦା ଆବଶ୍ୟକ।
[email protected]
ସାମାନ୍ୟ କଥନ: ହୁଏନ୍ସାଂ ଓ ସିୟୁକୀ
ଭାରତର ପ୍ରାଚୀନ ଇତିହାସ ରଚନାରେ ତତ୍କାଳୀନ ବିଦେଶୀ ପରିବ୍ରାଜକମାନଙ୍କର ବିବରଣୀ ଏକ ମହତ୍ତ୍ବପୂର୍ଣ୍ଣ ସାମଗ୍ରୀ ସ୍ରୋତ ହୋଇଥାଏ। ବିବରଣୀ ଶତ ପ୍ରତିଶତ ବସ୍ତୁନିଷ୍ଠ ହୋଇ ନ ପାରେ। ତା’ ସତ୍ତ୍ବେ ଏହି ପରିବ୍ରାଜକମାନେ ଭାରତୀୟ ସମାଜକୁ ବାହାରୁ ଦେଖିଥିବାରୁ ସେମାନଙ୍କ ବର୍ଣ୍ଣନା