ପ୍ରକୃତ ବନ୍ଧୁ ଶୋଭନ

ଗୋପାଳବଲ୍ଲଭ ପଟନାୟକ

ମେ, ୨୫ ତାରିଖ ସକାଳ ୫ଟା ୩୦ ମିନିଟ୍‌। ମୁଣ୍ତ ପାଖରେ ଥିବା ମୋବାଇଲ ଫୋନ୍‌ ବାଜି ଉଠିଲା। ଆରପଟୁ ନୀଳମାଧବବାବୁଙ୍କର ଗମ୍ଭୀର କଣ୍ଠସ୍ବର- ‘‘ଶୋଭନବାବୁ ଚାଲିଗଲେ’’। ମୁଁ ପଚାରିଥିଲି, ମୀରା ଓ କୁନୁ କେମିତି ଅଛନ୍ତି? ସେ କହିଥିଲେ, ମୀରା ପିଇସୀ କାନ୍ଦୁଛନ୍ତି, କୁନୁ ଦେହ ଭଲ ଆଡ଼କୁ ଗତି କରୁଛି କିନ୍ତୁ ସେ ମଧୢ ବାପା କଥା ଭାବୁଛି। ତା’ର ପୂର୍ବଦିନ ମୁଁ ଜାଣିବାକୁ ପାଇଥିଲି ଯେ, ତାଙ୍କର ଦେହ ଭଲ ରହୁନାହିଁ ଏବ˚ ଡାକ୍ତର ମଧୢ କହୁଛନ୍ତି ଅବସ୍ଥା ସା˚ଘାତିକ। ତଥାପି ମୁଁ ଭଗବାନଙ୍କ ପାଖରେ ମୁଣ୍ତିଆ ମାରିଥିଲି। ସକାଳୁ ଜାଣିଲି ଭଗବାନ ମୋର ପ୍ରାର୍ଥନା ଶୁଣିଲେ ନାହିଁ। ‘ବିଧିର ବିଧାନ- କେ କରିବ ଆନ?’ ତା’ପରେ ବିଛଣାରେ ପଡ଼ିରହି ବିଗତ ପଞ୍ଚସ୍ତରି ବର୍ଷର ସ୍ମୃତିକୁ ଦୋହରାଇଲି- ମନେ ପଡ଼ିଲା ୧୯୪୫ ମସିହା ଜୁଲାଇ ମାସ, ଯେଉଁଦିନ ଖଦଡ଼ ପ୍ୟାଣ୍ଟସାର୍ଟପିନ୍ଧା ଜଣେ ପିଲା, ପିଏମ୍‌ ଏକାଡେମୀରେ ପଞ୍ଚମ ଶ୍ରେଣୀରେ ଭର୍ତ୍ତି ହେଲା। ସେ ଥିଲା ଶୋଭନ କାନୁନ୍‌ଗୋ। ଘର ବାଖରାବାଦ, ବାପା କ˚ଗ୍ରେସ ନେତା ଓ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ। ଅତି ବଡ଼ଲୋକର ପୁଅ, କିନ୍ତୁ ବଡ଼ଲୋକି ଢଙ୍ଗ ମୋଟେ ନ ଥିଲା। ପାଠପଢ଼ାରେ ଭଲ, କ୍ଲାସ୍‌ରେ ମନିଟର। ଯଦିଓ ମୁଁ ‘ଏ’ ସେକ୍‌ସନରେ ଥିଲି, ତଥାପି ଶୋଭନ ସହିତ ବନ୍ଧୁତ୍ବ ଗଢ଼ି ଉଠିଥିଲା। କାରଣ ଓଡ଼ିଆ ବଜାରରେ, ଯେଉଁଠାରେ ମୁଁ ରହୁଥିଲି, ସେଠାରେ ଅନ୍ୟ ଛାତ୍ରମାନେ ଯଥା ସୌରେନ୍ଦ୍ର, ଶକ୍ତି ଦାସ, କଲ୍ୟାଣ ଓ ଖେର ସମସ୍ତେ ‘ବି’ ସେକ୍‌ସନରେ ଥିଲେ। ସ୍କୁଲରୁ ଫେରି ମ୍ୟୁନିସିପାଲଟି ପଡ଼ିଆରେ କ୍ରିକେଟ୍‌ ଖେଳ ଓ ଶୋଭନର ବାଖରାବାଦ ଘରେ ବ୍ୟାଡ୍‌ମିଣ୍ଟନ ଖେଳ ଥିଲା ଏକାଠି ହେବାର ସୁଯୋଗ।

୧୯୫୨ ମସିହାରେ ମାଟ୍ରିକ୍‌ ପାସ୍‌ କଲାପରେ, ଶୋଭନ ପଢ଼ିବା ପାଇଁ ଦିଲ୍ଲୀ ଆସିଥିଲା। ତା’ର ବାପା ସେତେବେଳକୁ ପାର୍ଲାମେଣ୍ଟ ସଭ୍ୟ- ଫିରୋଜସାହା ରୋଡ୍‌ ଥିଲା ବାସସ୍ଥଳୀ। ଜଣେ ସାଙ୍ଗ ଓଡ଼ିଶା ଛାଡ଼ି ଦିଲ୍ଲୀ ପଢ଼ିବାକୁ ଯାଉଛି, ତେଣୁ ସାତ-ଆଠ ଜଣ ସହପାଠୀଙ୍କ ସହ ବିଦାୟ ସମ୍ବର୍ଦ୍ଧନା ଆୟୋଜନ କରିଥିଲି ଆମ ବସାଘର ଛାତ ଉପରେ। ସେ ନିର୍ମଳା କଲେଜରେ ବର୍ଷେ ପଢ଼ି, ସେଣ୍ଟ ଷ୍ଟିଫେନ୍‌ସ କଲେଜରୁ ଅର୍ଥନୀତିରେ ବିଏ କରି, ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍‌ସରୁ ସ୍ନାତକୋତ୍ତର କରିଥିଲା। ମୁଁ ରେଭେନ୍‌ସା କଲେଜରୁ ଆଇଏସ୍‌ସି, ଆଲ୍ଲାହାବାଦର ଇଵିଙ୍ଗ ଖ୍ରୀଷ୍ଟିଆନ କଲେଜରୁ ବିଏସ୍‌ସି ଓ ମଧୁସୂଦନ ଆଇନ କଲେଜରୁ ଏଲ୍‌ଏଲ୍‌ବି ଡିଗ୍ରୀ କରି ଓକିଲାତି ଜୀବନ ଆରମ୍ଭ କରିଥିଲି। ଏହି ଛଅସାତ ବର୍ଷ ଶୋଭନ ସହିତ ପତ୍ରାଳାପ ଦ୍ବାରା ଯୋଗାଯୋଗ ଥିଲା। ସେ ଦିଲ୍ଲୀରେ କଲେଜ ଜୀବନ ଓ ତାଙ୍କର ନୂଆ ସାଙ୍ଗମାନଙ୍କ ବିଷୟରେ ଧାରଣା ଦେଉଥିଲା ଏବ˚ ସ୍କୁଲ ବେଳର ସାଙ୍ଗମାନଙ୍କ କଥା ମଧୢ ପଚାରୁଥିଲା। ଛୁଟିରେ କଟକ ଆସିଲେ ସନ୍ଧ୍ୟାବେଳେ କାଠଯୋଡ଼ିକୂଳରେ ଟ୍ରେନି˚ କଲେଜ ସାମ୍ନାରେ ଏକାଠି ହେଉ। ପାଗ ଖରାପ ଥିଲେ ରମେଶ ରଥ ଘରେ ଏକତ୍ରିତ ହେଉ। ରମେଶ ଥିଲା ‘ସମାଜ’ ସମ୍ପାଦକ ରାଧାନାଥ ରଥଙ୍କର ସାନପୁଅ। ଅନେକ ଦିନରୁ ଆରପୁରକୁ ଗଲାଣି। ୧୯୬୦ ମସିହାରେ ଶୋଭନ ଆଇଏଏସ୍‌ରେ ଯୋଗ ଦେଲା। ମୁଁ ହାଇକୋର୍ଟରେ ଓକିଲାତି ପେସାରେ ରହିଗଲି। ଶୋଭନ ସହିତ ପତ୍ରାଳାପ ପ୍ରାୟ ନ ଥିଲା। ଅବଶ୍ୟ ତା’ ବାହାଘର ଭୋଜିରେ ଯୋଗ ଦେଇଥିଲି।

୧୯୭୧ ମସିହାରେ ମୁଁ ହାଇକୋର୍ଟରେ ସରକାରୀ ଓକିଲ ହେବା ଦିନଠାରୁ ଶୋଭନ ସହିତ ଯୋଗାଯୋଗ ଆହୁରି ବଢ଼ିଗଲା। ସେ ସେକ୍ରେଟାରିଏଟ୍‌ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିଲା। କିନ୍ତୁ ଅର୍ଥ ବିଭାଗରେ ବେଶୀ ସମୟ କଟାଇଥିଲା। ଏପରି ଏକ ସମୟ ଥିଲା, ଯେତେବେଳେ ସରକାରୀ କଳ ଭାବୁଥିଲେ ଶୋଭନ କାନୁନ୍‌ଗୋ ଅର୍ଥ ବିଭାଗରୁ ଚାଲିଗଲେ, ଆଉ କେହି ସମ୍ଭାଳି ପାରିବେ ନାହିଁ। ସେ ଓଡ଼ିଶାରୁ ଦିଲ୍ଲୀ ଆସି ଉଦ୍ୟୋଗ ଭବନରେ ଯୋଗ ଦେଲା ଓ ସେତେବେଳେ ମଧୢ ମୁଁ ଦିଲ୍ଲୀ ଆସିଲେ ତା’ ସହିତ ଦେଖା ଓ ଫୋନ୍‌ରେ କଥାବାର୍ତ୍ତା ନିଶ୍ଚିତ। ୧୯୭୯ ମସିହାରେ ମୋର ହାଇକୋର୍ଟର ବିଚାରପତି ହେବା କାଟ ଖାଇଗଲା ଓ ସେ ଅନେକ ଦୁଃଖ ପ୍ରକାଶ କରିଥିଲା। ମୋର ବୋଉଙ୍କର ମୃତ୍ୟୁ ବେଳେ ସେ ସକାଳୁ ଆସି କାଫଲା ଘରେ ହାଜର ହୋଇଥିଲା। ମନେ ପଡ଼ିଲା- ‘‘ରାଜଦ୍ବାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ।’’ ସେ ଥିଲା ପ୍ରକୃତ ବନ୍ଧୁ। ଦୁଃଖସୁଖର ସାଥୀ। ମୁଁ ୧୯୯୫ ମସିହା ସେପ୍‌ଟେମ୍ବର ମାସରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବରେ ଯୋଗ ଦେଲାବେଳେ ସେ ଥିଲା ବେସାମରିକ ବିମାନ ଚଳାଚଳ ବିଭାଗର ସେକ୍ରେଟାରି। ସାହାଜାହାନ ରୋଡ଼ ଘରେ ରହୁଥିଲା। ମୁଁ ଏକୁଟିଆ ଥିବାରୁ ଅନେକ ଶନିବାର ବା ରବିବାର ତାଙ୍କ ଘରକୁ ଗପ କରିବାକୁ ଯାଇଛି।

୧୯୯୬ ମସିହାରେ ସେ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ର ଚେଆରମ୍ୟାନ୍‌ ଭାବରେ ନିଯୁକ୍ତି ପାଇଲା। ସେ ଦିଲ୍ଲୀ ଛାଡ଼ିବା ପୂର୍ବରୁ ମୁଁ ଏକ ବନ୍ଧୁମିଳନର ବନ୍ଦୋବସ୍ତ କରିଥିଲି। ପ୍ରାୟ ୫୦/୬୦ ଜଣ ସାଙ୍ଗ ଥିଲେ। ପରିହାସ ଛଳରେ ସେ କହିଥିଲା, ‘‘ତୁ ମତେ କଟକରୁ ଦିଲ୍ଲୀ ବିଦା କରିଥିଲୁ ୧୯୫୨ ମସିହାରେ ଓ ଆଜି ଦିଲ୍ଲୀରୁ କଟକ ବିଦା କରୁଛୁ।’’ ସେ ଦିଲ୍ଲୀ ଛାଡ଼ି ଭୁବନେଶ୍ବର ଆସିଲା ପରେ ମୁଁ ଯେତେ ଥର ଓଡ଼ିଶା ଯାଇଛି, ତା’ ସହିତ ନିଶ୍ଚୟ ଦେଖା ହୋଇଛି। ଶେଷ ଦେଖା ହୋଇଥିଲା ମାର୍ଚ୍ଚମାସ ଛବିଶ ତାରିଖରେ। ଅବଶ୍ୟ ବହୁତ ଅଳ୍ପ ସମୟ ପାଇଁ। ବହୁ ଜିଦ୍‌ କରୁଥିଲା କ୍ଲବ୍‌ରେ ମିଶିବା ପାଇଁ କିନ୍ତୁ ମୋର ସ୍ତ୍ରୀ ରାଜି ନ ହେବାରୁ ତାହା ସ୍ଥଗିତ ରହିଲା। ମୁଁ କହିଥିଲି, ପୁଣି ଓଡ଼ିଶା ଆସିଲେ ନିଶ୍ଚୟ ଭୁବନେଶ୍ବର କ୍ଲବ୍‌ରେ ବନ୍ଧୁମିଳନ ହେବ। ସେସବୁ ଅଧୁରା ରହିଗଲା। ଶୋଭନ ଥିଲା ପିଏମ୍‌ ଏକାଡେମୀ ୧୯୫୨ ମସିହା ମାଟ୍ରିକ୍ୟୁଲେସନ୍‌ ବ୍ୟାଚ୍‍ର ମେରୁଦଣ୍ତ ସଦୃଶ। ସେ ମେରୁଦଣ୍ତ ଭାଙ୍ଗିଗଲା। ଆଜି ସେହି ସବୁଠାରୁ ପୁରୁଣା ଅନ୍ତରଙ୍ଗ ବନ୍ଧୁର ଦଶାହରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ତା’ ଆତ୍ମା ଚିରଶାନ୍ତିରେ ରହୁ। ତା’ର ଝିଅ କୁନୁକୁ ଭଗବାନ ମନୋବଳ ଦିଅନ୍ତୁ। ସେ ତା’ର ମା’ ମୀରା ଓ ଝିଅ ରିଲୁର ଦାୟିତ୍ବ ତୁଲାଇବାରେ ସକ୍ଷମ ହେଉ।

ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି

ସମ୍ବନ୍ଧିତ ଖବର