ଶ୍ୟାମସୁନ୍ଦର ଅଗ୍ରୱାଲା
ଠାକୁର ଚଢ଼େଇଟିଏ ସୃଷ୍ଟି କରିଛନ୍ତି ଏବଂ ଚଢ଼େଇଟି ବଞ୍ଚି ରହିବା ପାଇଁ ଏହାର ଖାଦ୍ୟ ମଧ୍ୟ ସୃଷ୍ଟି କରିଛନ୍ତି, କିନ୍ତୁ ଏହି ଖାଦ୍ୟ ନେଇ ଠାକୁର ପ୍ରତିଦିନ ଚଢ଼େଇ ବସାରେ ଫିଙ୍ଗି ଦେଇ ଆସି ନଥାନ୍ତି। ଠାକୁର ଚଢ଼େଇକୁ ଦୁଇଟି ପକ୍ଷ ଦେଇଛନ୍ତି। ଚଢ଼େଇଟି ଯଦି ଏହି ପକ୍ଷ ଦୁଇଟିକୁ ବ୍ୟବହାର କରି ଖାଦ୍ୟ ଅନ୍ୱେଷଣରେ ଉଡ଼ି ନଥାଏ ଆଉ ଶେଷକୁ ତା’ ବସାରେ ନ ଖାଇ ନ ପିଇ ମରିଯାଏ ତେବେ ଏଥିପାଇଁ ଠାକୁର ନୁହନ୍ତି ଚଢ଼େଇ ହିଁ ଦାୟୀ ହୋଇଥାଏ। ଏହା ଠାକୁରଙ୍କ ଇଚ୍ଛା କହି ଚଢ଼େଇଟି ଖସିଯାଇପାରିବ ନାହିଁ।
ଲୋକଟିଏ ଶଗଡ଼ରେ ଶହ ଶହ ମହଣ ଗହମ ନେଇ ଯାଉଥିଲା। ବାଟରେ ଗୋଟେ ନାଳ ପଡ଼ିଲା। ନାଳର ଆବୁଡ଼ାଖାବୁଡ଼ା ପଥର ଉପରେ ଶଗଡ଼ର ଚକଟି ଫସିଗଲା ଆଉ ବାହାରିଲା ନାହିଁ। ଲୋକଟି ହତାଶ ହୋଇ ବସି ପଡ଼ିଲା ଆଉ ଠାକୁରଙ୍କୁ ଏହି ବିପଦରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲା। ଠାକୁର ତୁରନ୍ତ ହାଜର ହୋଇଗଲେ। ଲୋକଟି ଠାକୁରଙ୍କୁ ଦେଖି ଖୁସି ହୋଇଗଲା ଆଉ ଭାବିଲା ଏଣିକି ଆଉ ଚିନ୍ତା ନାହିଁ କାରଣ ଠାକୁର ଅନାୟାସରେ ଚକଟିକୁ ପଥର ଭିତରୁ ବାହାର କରିଦେବେ। ଠାକୁର କିନ୍ତୁ କିଛି ନ କରି ତା’ ପାଖରେ ବସି ପଡ଼ିଲେ। “ଆଜ୍ଞା, ଆପଣ ବସିଲେ କେମିତି ହେବ? ଦୟାକରି ମୋ ଶଗଡ଼ର ଚକଟିକୁ ଯାଇ ଉଠାନ୍ତୁ।” ଠାକୁର କହିଲେ, “ମୁଁ ତୋ ଶଗଡ଼ ଚକ ଉଠେଇବାକୁ ଆସି ନାହିଁ। ତୁ ଉଠେଇବୁ ଆଉ ମୁଁ ତୋତେ କେବଳ ଉଠେଇବାରେ ସାହାଯ୍ୟ କରିବାକୁ ଆସିଛି।”
ଠାକୁର କହିଲେ, “ମୁଁ ତତେ କାଠ ଦେଇଛି ଯେଉଁଥିରୁ ତୁ ଶଗଡ଼ ନିର୍ମାଣ କରିଛୁ। ମୁଁ ତତେ ବଳଦ ଦେଇଛି ଯାହାକୁ ଯୋଚି ତୁ ଶଗଡ଼ ଚଲାଉଛୁ। ଶଗଡ଼ ଚଲାଇବା ଦାୟିତ୍ୱ ହେଉଛି ତୋ’ର, ଆଉ ଏହାର ଚକ ଯଦି ଆବୁଡ଼ାଖାବୁଡ଼ା ପଥର ଭିତରେ ଫସିଗଲା ତାହା ମୋ ଇଚ୍ଛାରୁ ନୁହେଁ ତୋ’ର ଅସାବଧାନତାରୁ ହିଁ ହୋଇଛି। ତଥାପି ତୁ ଡାକିବାରୁ ମୁଁ ତତେ ସହାୟତା କରିବାକୁ ଆସିଛି। ଏବେ ତତେ ହିଁ ଚକ ଉଠେଇବାକୁ ପଡ଼ିବ। ମୋ’ ଇଚ୍ଛା ବୋଲି କହି ତୁ ତୋ’ ଦାୟିତ୍ୱରୁ ଖସି ଯାଇପାରିବୁ ନାହିଁ।”
ଆଜିକାଲି ପୁରୀ ରଥଯାତ୍ରାର ସମସ୍ତ ଅଘଟଣକୁ ଠାକୁରଙ୍କ ଇଚ୍ଛା ବୋଲି କହି କାର୍ଯ୍ୟକର୍ତ୍ତାମାନେ ନିଜକୁ ଦୋଷମୁକ୍ତ କରିଦେଉଛନ୍ତି। ଆଜ୍ଞା, କୁହନ୍ତୁ ତ, ମାମୁ କି ମାଉସୀ ଘରକୁ ଜଲଦି ଜଲଦି ଯିବା ପାଇଁ କାହାର ଇଚ୍ଛା ନ ହେବ? ମନେ ପକାନ୍ତୁ ପିଲା ଦିନେ ଯେତେବେଳେ ଛୁଟି କଟେଇବା ପାଇଁ ଆମେ ମାମୁ କି ମାଉସୀ ଘରକୁ ଯାଉଥିଲୁ ସେତେବେଳେ ଯିବା ପାଇଁ କେମିତି ଆମର ତର ସହୁ ନଥିଲା। ଗାଡ଼ିରେ ଗଲାବେଳେ ମାମୁ କି ମାଉସୀ ଘର କାହିଁକି ଶୀଘ୍ର ଆସୁନାହିଁ ବୋଲି ମନ ଅସ୍ଥିର ହୋଇପଡୁଥିଲା। କିଏ ଚାହିଁବ ନଅ ଦିନ ଛୁଟିରୁ ଦୁଇଚାରି ଦିନ ବାଟରେ କଟିଯାଉ ବୋଲି? କିଏ ଚାହିଁବ ରାସ୍ତାରେ ଗାଡ଼ିର ତେଲ ସରିଯାଉ କି ଟ୍ରାଫିକ ଜାମ ହୋଇ ରାସ୍ତା ବନ୍ଦ ହୋଇଯାଉ? ତେଣୁ ମଣିଷ ହେଉ କି ଠାକୁର, ଯିଏ ମାଉସୀ ଘରକୁ ଯିବା ପାଇଁ ଥରେ ଗାଡ଼ିରେ ବସିପଡ଼ିଲାଣି ତା’ର ନ ଯିବା ପାଇଁ କାହିଁକି ବା ଇଚ୍ଛା ହେବ ବୁଝାପଡ଼େନା। ଗାଡ଼ି ଆଗରେ ଟ୍ରାଫିକ ଜାମ କରି ଯିବାକୁ ରାସ୍ତା ଦେବେ ନାହିଁ ଆଉ କହିବେ କ’ଣ ନା ଠାକୁରଙ୍କର ଯିବାକୁ ଇଚ୍ଛା ନାହିଁ। ଏହା ହାସ୍ୟାସ୍ପଦ ନୁହେଁ କି?
ଠାକୁର ଉଦ୍ଭିଦ ତିଆରି କରିଛନ୍ତି। ଚାଉଳ, ଡାଲି, ଆଳୁ, ବାଇଗଣ ଓଗେରା ଶସ୍ୟ ଓ ପନିପରିବା ତିଆରି କରିଛନ୍ତି। ନିଆଁ ପାଣି ମଧ୍ୟ ଯୋଗେଇଛନ୍ତି। ଏହାକୁ ନେଇ ସ୍ୱାଦିଷ୍ଠ ଭୋଜନ ପ୍ରସ୍ତୁତ କରିବା କାର୍ଯ୍ୟ ଆପଣଙ୍କର। ରୋଷେଇରେ ଯାବତୀୟ ବିଭ୍ରାଟ କରି ଏହାକୁ ଠାକୁରଙ୍କ ଇଚ୍ଛା ବୋଲି ଆପଣ କହିପାରିବେ କି? ଠାକୁର ତୁଳା ସୃଷ୍ଟି କରିଛନ୍ତି। ଏହାକୁ କାଟିକୁଟି ସୁନ୍ଦର ବସ୍ତ୍ର ପ୍ରସ୍ତୁତ କରିବା ଆପଣଙ୍କର କାର୍ଯ୍ୟ। ଭଲ ଲୁଗାଟିଏ ନ ବୁଣି ଏହା ଠାକୁରଙ୍କ ଇଚ୍ଛା ବୋଲି ଆପଣ କହିପାରିବେ କି? ପୃଥ୍ୱୀ, ଜଳ, ବାୟୁ ଓ ଆକାଶ ଠାକୁର ସୃଷ୍ଟି କରିଛନ୍ତି। ଏହାକୁ ନେଇ ଯଦି ଆପଣ ଶସ୍ୟ ଉତ୍ପାଦନ କରି ନ ପାରୁଛନ୍ତି ତେବେ ଏହା ଠାକୁରଙ୍କ ଇଚ୍ଛା ବୋଲି କହି ଆପଣ ଖସି ଯାଇପାରିବେ କି?
ଠାକୁର ମନୁଷ୍ୟ ସୃଷ୍ଟି କରିଛନ୍ତି। ବୃକ୍ଷ ତିଆରି କରିଛନ୍ତି। କତା ତିଆରି କରିଛନ୍ତି। ମନୁଷ୍ୟ ଯଦି ନିଜର ବୁଦ୍ଧି ଓ ବଳ ଖର୍ଚ୍ଚ କରି ବୃକ୍ଷର କାଠରେ ଠାକୁରଙ୍କ ବସିବା ପାଇଁ ରଥ ଓ ତାଙ୍କ ରଥକୁ ଟାଣିବା ପାଇଁ କତାରୁ ଦଉଡ଼ି ପ୍ରସ୍ତୁତ ନ କରେ ଆଉ ଯଦି ବାଟରେ ରଥର ଚକଟିଏ ଭାଙ୍ଗିଯାଏ କି ଦଉଡ଼ିଟି ଛିଣ୍ଡିଯାଏ ତେବେ ଏହାକୁ ଠାକୁରଙ୍କ ଇଚ୍ଛା ବୋଲି କୁହାଯିବ କି? ଠାକୁରଙ୍କ ନନ୍ଦିଘୋଷ ରଥ ଗଡ଼ିଲା ନାହିଁ। ପ୍ରଶ୍ନ ଉଠେ ଠାକୁରଙ୍କ କାଠର କିଛି ଭୁଲ୍ ଥିଲା କି? ଠାକୁରଙ୍କ କତାର କିଛି ଭୁଲ୍ ଥିଲା କି? ଠାକୁରଙ୍କ ବାହୁକ ନଥିଲେ କି? ତେବେ ଠାକୁରଙ୍କ ରଥ ଗଡ଼ିଲା ନାହିଁ କାହିଁକି? ଏହାର କାରଣ ଅନୁସନ୍ଧାନ ନ କରି ଠାକୁରଙ୍କ ଇଚ୍ଛା ନଥିଲା ବୋଲି କହିଲେ ଠାକୁର ମଧ୍ୟ କ୍ଷମା ଦେବେ ନାହିଁ।
ବନ୍ଧୁଗଣ, ଠାକୁର ଏ ସଂସାରକୁ ସୃଷ୍ଟି କରିଛନ୍ତି ଓ ତା’ ସହିତ ଆପଣଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି କିନ୍ତୁ ଏ ସଂସାରକୁ ଆପଣ କେମିତି ଚଳେଇବେ ତାହା ଠାକୁରଙ୍କର ଇଚ୍ଛା ନୁହେଁ ଆପଣଙ୍କ ଇଚ୍ଛା ଓ କର୍ମ ଉପରେ ନିର୍ଭର କରିଥାଏ। ରଥଯାତ୍ରାରେ ପ୍ରବଳ ଭିଡ଼ ହୋଇଥାଏ। ଏହି ଭିଡ଼ର ନିୟନ୍ତ୍ରଣ ଠାକୁର ନୁହେଁ ଆପଣ ହିଁ କରିଥାନ୍ତି। ଯଦି ଏହି ଭିଡ଼ରେ ଯାତ୍ରୀମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ ତେବେ ତାହା ଠାକୁରଙ୍କ ଇଚ୍ଛାରୁ ନୁହେଁ ଆପଣଙ୍କ ଦାୟିତ୍ୱହୀନ କର୍ମରୁ ହିଁ ହୋଇଥାଏ। ଯେମିତି ଆମେ ପିଲାଦିନୁ ଶୁଣିଆସିଛୁ, “ଆପଣା କଲା କର୍ମ ମାନ, ବେଳ ହୁଁ ହେବ ସାବଧାନ। କର୍ମ କରଣେ ଫଳ ପାଇ, ପ୍ରାଣୀ ତା’ ଅବଶ୍ୟ ଭୁଞ୍ଜଇ।” ଠାକୁର ଆପଣଙ୍କୁ ବଳ, ବିଦ୍ୟା, ବୁଦ୍ଧି ଓ ବିବେକ ଦେଇଛନ୍ତି। ଏହାକୁ ପ୍ରୟୋଗ କରି ଆପଣଙ୍କ ଇଚ୍ଛା ଅନୁଯାୟୀ କର୍ମ କରନ୍ତୁ, କିନ୍ତୁ ଏହାର ଫଳାଫଳ ପାଇଁ ଠାକୁରଙ୍କର ଇଚ୍ଛା ନୁହେଁ, ଆପଣଙ୍କ ଇଚ୍ଛାକୁ ହିଁ ଦାୟୀ କରନ୍ତୁ। ଜୟ ଜଗନ୍ନାଥ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭