ତିନି ମହଲା ଘରର ଛାତ ଉପରୁ ଜଣେ ଭଦ୍ରବ୍ୟକ୍ତି ତଳେ ଛିଡ଼ା ହୋଇଥିବା ତାଙ୍କର ବନ୍ଧୁଙ୍କୁ ଡାକ ପକଉଥିଲେ କିନ୍ତୁ ବନ୍ଧୁ ଜଣକ ତାଙ୍କ ଡାକ ଶୁଣିପାରୁନଥିଲେ। ବାରମ୍ବାର ଡାକିବା ସତ୍ତ୍ବେ ସେ ନ ଶୁଣିବାରୁ ତାଙ୍କର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଭଦ୍ରବ୍ୟକ୍ତି ଜଣକ ତାଙ୍କ ପକେଟରୁ ଦଶ ଟଙ୍କିଆ ନୋଟଟିଏ ବାହାର କରି ତଳକୁ ପକେଇଦେଲେ। ସେ ଭାବିଲେ ଯେ ଦଶ ଟଙ୍କିଆ ନୋଟଟିଏ ପଡୁଥିବାର ଦେଖି ବନ୍ଧୁ ନିଶ୍ଚୟ ଉପରକୁ ଅନେଇବେ ଓ ସେ ଡାକୁଛନ୍ତି ବୋଲି ଜାଣିପାରିବେ କିନ୍ତୁ ବନ୍ଧୁ ଜଣକ ଦଶ ଟଙ୍କିଆ ନୋଟଟି ତଳେ ପଡ଼ିଥିବାର ଦେଖି ଖୁସି ହୋଇଗଲେ ଓ ସେଇଟିକୁ ସେ ପାଇଲେ ବୋଲି ଭାବି ତୁରନ୍ତ ତାଙ୍କ ପକେଟରେ ଭର୍ତ୍ତି କରିଦେଲେ। ଭଦ୍ରବ୍ୟକ୍ତି ଜଣକ ନିରାଶ ହୋଇ ପୁନର୍ବାର କୋଡ଼ିଏ ଟଙ୍କା ନୋଟଟିଏ ପକେଇଲେ କିନ୍ତୁ ତାକୁ ବି ବନ୍ଧୁ ଚୁପଚାପ ପକେଟସ୍ଥ କରିଦେଲେ। ଏଥରକ ଭଦ୍ର ବ୍ୟକ୍ତି ଜଣକ ବିରକ୍ତ ହୋଇ ଛୋଟିଆ ଗୋଡ଼ିଟିଏ ତାଙ୍କ ଉପରକୁ ଫିଙ୍ଗି ଦେଲେ। ଯେମିତି ଗୋଡ଼ିଟି ମୁଣ୍ଡରେ ବାଜିଛି ବନ୍ଧୁ ଜଣକ କିଏ ମାରିଲା ବୋଲି ଜାଣିବାକୁ ଉପରକୁ ଅନେଇଲେ।
ବନ୍ଧୁଗଣ, ଏହା ଆଧୁନିକ ଯୁଗ ମନୁଷ୍ୟର ଲକ୍ଷଣ ନୁହେଁ କି? ଚାକିରି ହେଉ କି ବ୍ୟବସାୟ ହେଉ, ଯେତେବେଳେ ଆମକୁ ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳୁଥାଏ ସେତେବେଳେ ଆମେ ଉପରକୁ ନ ଅନେଇ ତାକୁ ଆମ କର୍ମ ଓ ଭାଗ୍ୟ ବୋଲି ଭାବି ସବୁ ଗୋଟେଇ ଗାଟେଇ ପକେଟସ୍ଥ କରିବାରେ ଲାଗିଥାଉ, କିନ୍ତୁ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଯାଇଥାଏ ଓ ମୁଣ୍ଡକୁ ଦି’ଚାରିଟା ପଥରମାଡ଼ ହୁଏ ସେତେବେଳେ ଆମେ ଉପରକୁ ଅନେଇ ଠାକୁରଙ୍କୁ ଡାକିଥାଉ ଓ “ହେ ଭଗବାନ ମୋତେ ରକ୍ଷା କର” ବୋଲି ପ୍ରାର୍ଥନା କରିଥାଉ।
ବର୍ତ୍ତମାନ ଏହିପରି ଏକ କଥା ଚୀନ ଦେଶରେ ଦେଖିବାକୁ ମିଳିଛି। ଚୀନ ଏକ କମ୍ୟୁନିଷ୍ଟ ରାଜ୍ୟ ଓ ଚୀନବାସୀ ମୁଖ୍ୟତଃ ନାସ୍ତିକ, କିନ୍ତୁ ବର୍ତ୍ତମାନ ଆମେରିକା ସହିତ ବାଣିଜ୍ୟ ଲଢ଼େଇ ଯୋଗୁଁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏମାନେ ହଠାତ୍ ଆସ୍ତିକ ହୋଇପଡ଼ି ଭାଗ୍ୟ ବଦଳେଇବା ନିମନ୍ତେ ଭଗବାନଙ୍କ ଶରଣରେ ପଶିବା ଆରମ୍ଭ କରିଦେଇଛନ୍ତି। ଗ୍ଲୋବାଲ ଟାଇମସ୍ର ଖବର ଅନୁଯାୟୀ ଏମାନେ ଲକ୍ଷଲକ୍ଷ ସଂଖ୍ୟାରେ ମନ୍ଦିରଗୁଡ଼ିକରେ ଆୟୋଜନ କରାଯାଉଥିବା ମେଳା ପରିଦର୍ଶନ କରୁଛନ୍ତି। ସାଂଘାଇ, ହାଙ୍ଗଝୁ, ଚେଙ୍ଗଡୁ ଓ ଫୋଝୁ ଭଳି ସ୍ଥାନମାନଙ୍କରେ ଲୋକମାନେ ମନ୍ଦିରରେ ପ୍ରବଳ ଭିଡ଼ ଲଗେଇଛନ୍ତି। ଧନର ଦେବତାଙ୍କୁ ଖୁସି କରିବା ନିମନ୍ତେ ଶ୍ରଦ୍ଧାଳୁମାନେ ରାତି ତିନିଟାରୁ ଉଠି ପୂଜାପାଠ କରୁଛନ୍ତି। ନିଯୁକ୍ତି ବଜାର ମାନ୍ଦା ହୋଇପଡ଼ିଥିବା ଯୋଗୁଁ ଯୁବପିଢ଼ି ମଧ୍ୟ ଭଗବାନଙ୍କ ଜରିଆରେ ନିଜ ଭାଗ୍ୟ ବଦଳେଇବା ପାଇଁ ଉଦ୍ୟମ କରୁଛନ୍ତି। ଫୋନ ଓ କମ୍ପ୍ୟୁଟରର ୱାଲ୍ପେପର୍କୁ ମଧ୍ୟ ବଦଳାଇ ଧନର ଦେବଦେବୀଙ୍କର ଫଟୋ ରଖିବା ଆରମ୍ଭ କରିଛନ୍ତି। ଗାଁ ଓ ସହର ସବୁଠି ବର୍ତ୍ତମାନ ଧନର ଦେବତାଙ୍କ ପୂଜାର୍ଚ୍ଚନା ଚାଲିଛି।
ମନୁଷ୍ୟ ଭଗବାନଙ୍କୁ ସାଧରଣତଃ ଭକ୍ତି କିମ୍ବା ଭୟରେ ସ୍ମରଣ କରିଥାଏ। ଭକ୍ତିରେ ଶ୍ରଦ୍ଧା ଥାଏ, ପ୍ରେମ ଥାଏ କିନ୍ତୁ ଭୟ ନ ଥାଏ। ଭୟରେ ଡର ଥାଏ ଲୋଭ ଥାଏ କିନ୍ତୁ ଭକ୍ତି କେବଳ ଉପର ଦେଖାଣିଆ ଥାଏ। କେବଳ ଚୀନ ନୁହେଁ ଭାରତବର୍ଷରେ ମଧ୍ୟ ଏ ଭଳି ଭୟରେ ଉପର ଦେଖାଣିଆ ଭକ୍ତି ପ୍ରଦର୍ଶନ କରାଯାଇଥାଏ। ବର୍ଷକୁ ତିନିଶହ ପଞ୍ଚଷଠି ଦିନ, କିନ୍ତୁ ନୂଆବର୍ଷ ଦିନ ପୁରୀ ବଡ଼ ଦାଣ୍ଡରେ ଏତେ ଭିଡ଼ ହୁଏ କାହିଁକି? ଏହା ନିରୋଳା ଭକ୍ତି ଭାବରୁ ନୁହେଁ, ବରଂ ଡର ଓ ଲୋଭରୁ ଏ ଭଳି ଭକ୍ତି ଭାବ ପ୍ରକାଶ ପାଇଥାଏ। “ହେ ପ୍ରଭୁ, ଗତବର୍ଷ ଯାହା ଯେମିତି ଗଲା କିନ୍ତୁ ଏ ବର୍ଷ ଯେମିତି ମୋ’ ଜୀବନରେ କିଛି ଅଘଟଣ ନ ଘଟୁ। ରୋଗ ବଇରାଗ ନ ହେଉ, ଚାକିରିରେ ପଦୋନ୍ନତି ହେଉ, ବେପାରରେ କ୍ଷତି ନ ହେଉ, ପୁଅକୁ ଚାକିରିଟିଏ ମିଳିଯାଉ ଆଉ ଝିଅଟିର ବାହାଘର କେମିତି ଭଲରେ ଭଲରେ ହେଇଯାଉ। ଏତିକି ମାଗୁଣୀ ମୋ’ର। ଏ ବର୍ଷ ମୋ କଥା ତୋତେ ଲାଗିଲା।”
ଏହିଭଳି ସ୍ୱାର୍ଥ ସାଧନ ନିମନ୍ତେ ଠାକୁର ବର୍ତ୍ତମାନ ଆମ ସମସ୍ତଙ୍କର ଏକ ନିତ୍ୟ ବ୍ୟବହୃତ ବସ୍ତୁରେ ପରିଣିତ ହୋଇ ପଡ଼ିଛନ୍ତି। ରାଜନୈତିକ ବ୍ୟକ୍ତିମାନଙ୍କଠୁ ନେଇ ଅଧିକାଂଶ ଜନସାଧାରଣ, ସମସ୍ତେ ନିଜ ନିଜର ଫାଇଦା ନେବା ପାଇଁ ଠାକୁରଙ୍କୁ ଆରାଧାନା କରିବାରେ ବ୍ୟସ୍ତ ଅଛନ୍ତି। ସବୁଠି ବର୍ତ୍ତମାନ ଶ୍ରୀରାମ ଓ ଜଗନ୍ନାଥଙ୍କ ଜୟ ଜୟକାର ଧ୍ୱନି ଶୁଣାଯାଉଛି। ସମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରତ୍ୟହ ଶହ ଶହ ଠାକୁରଙ୍କ ଚିତ୍ର ଏ ହାତକୁ ସେ ହାତ ଡେଇଁବାକୁ ଲାଗିଛି। ସକାଳୁ ଉଠି ହ୍ୱାଟ୍ସଆପ୍ରେ ଦୁଇ ତିନି ଠାକୁରଙ୍କ ଚିତ୍ର ପଠେଇଦେଲେ ଦିନ ଯାକ ଆଉ କିଛି ଅଘଟଣ ଘଟିବ ନାହିଁ ବୋଲି ଭାବି ବ୍ୟକ୍ତି ଜଣେ ସାନ୍ତ୍ୱନା ଅନୁଭବ କରୁଛି।
ଥରେ ରାମାୟଣର ଏକ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ହଜାର ହଜାର ସଂଖ୍ୟାରେ ଜନସାଧାରଣ ରାମାୟଣ କଥା ଉପଭୋଗ କରୁଥିଲେ। ଆୟୋଜକ ଘୋଷଣା କଲେ ଯେ ପ୍ରବଚନ ସମାପ୍ତ ହେବା ପରେ ସମସ୍ତଙ୍କୁ ରାମାୟଣ ଚରିତ୍ରମାନଙ୍କର ଗୋଟିଏ ଗୋଟିଏ ଛୋଟ ମୂର୍ତ୍ତି ଉପହାର ଦିଆଯିବ। ଦର୍ଶକମାନେ ନିଜ ନିଜ ପସନ୍ଦର ଗୋଟିଏ ମୂର୍ତ୍ତି ବାହାରେ ଥିବା କାର୍ଯ୍ୟାଳୟରୁ ନେଇପାରିବେ। ରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ଏପରିକି ଖଳନାୟକ ରାବଣର ମଧ୍ୟ ସୁନ୍ଦର ରଙ୍ଗିନ ମୂର୍ତ୍ତି ସବୁ ରଖାଯାଇଥିଲା। ଦର୍ଶକମାନେ ସମସ୍ତେ ଭକ୍ତିରେ ରାମ, ଲକ୍ଷ୍ମଣ, ସୀତା କିମ୍ବା ହନୁମାନଙ୍କ ମୂର୍ତ୍ତି ନେଇଯାଉଥିଲେ କିନ୍ତୁ ଭୟରେ ରାବଣର ମୂର୍ତ୍ତିକୁ କେହି ଛୁଉଁ ନ ଥିଲେ। ହଠାତ୍ ଆୟୋଜକ ଘୋଷଣା କଲେ ଯେ ସବୁ ମୂର୍ତ୍ତି କାଠରୁ ନିର୍ମିତ ହୋଇଛି କିନ୍ତୁ ରାବଣର ମୂର୍ତ୍ତିଟି ଚବିଶ କ୍ୟାରଟ୍ ସୁନାରୁ ପ୍ରସ୍ତୁତ କରାଯାଇଛି। ଏକଥା ଲେଖିବା ନିଷ୍ପ୍ରୟୋଜନ ଯେ ଏହା ପରେ ସବୁ ଭକ୍ତି ଦୂରେଇ ଯାଇଥିଲା ଓ ରାବଣର ସମସ୍ତ ମୂର୍ତ୍ତି ଦେଖୁ ଦେଖୁ ଉଭେଇ ଯାଇଥିଲା।
ମୋ: ୯୪୩୭୦୬୭୫୬୭
ସତ କହୁଛି: ଠୋକର ଖାଇଲେ ଠାକୁର ମନେ ପଡ଼ନ୍ତି
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2024/02/dgjdjgddjgdjgdgj.jpg)