ଔଷଧ ଦୋକାନ ସାମ୍ନାରେ ମହିଳା ଜଣେ ଚିଠା ଖଣ୍ଡିଏ ଧରି ଅନେକ ସମୟ ହେଲା ଛିଡ଼ା ହୋଇଥିଲେ। ଗରାଖଙ୍କ ଭିଡ଼ ଯୋଗୁଁ ବୋଧହୁଏ ସେ ଦୋକାନୀ ପାଖରେ ପହଞ୍ଚି ପାରୁ ନ ଥିଲେ କିନ୍ତୁ ଅାଶ୍ଚର୍ଯ୍ୟର କଥା ଯେ ଭିଡ଼ କମ୍ ହୋଇଯିବା ପରେ ମଧ୍ୟ ସେ ଦୋକାନୀଙ୍କ ପାଖକୁ ଅାସିବାକୁ କୁଣ୍ଠାବୋଧ କରୁଥିଲେ। ଦୋକାନୀ ଭାବିଲେ ସେ ନିଶ୍ଚୟ କୌଣସି ଗୁପ୍ତ ରୋଗର ଔଷଧ ଚିଠା ନେଇ ଅାସିଛନ୍ତି ତେଣୁ ନିରୋଳାରେ ଦେଖେଇବାକୁ ଚାହୁଛନ୍ତି। ଯେତେବେଳେ ଦୋକାନ ପୂରା ଗରାଖଶୂନ୍ୟ ହୋଇଗଲା ମହିଳାଜଣକ ଅାସି ଦୋକାନୀକୁ ଚିଠାଟି ଦେଖାଇଲେ। ଦୋକାନୀ ଦେଖିଲେ ସେଇଟି କୌଣସି ଔଷଧର ଚିଠା ନ ଥିଲା ବରଂ ଗୋଟିଏ ଲମ୍ବା ଚିଠି ଥିଲା। ଦୋକାନୀ ଟିକେ ଅାଶ୍ଚର୍ଯ୍ୟ ହେବାରୁ ମହିଳା ଜଣକ ଲାଜ କରି କହିଥିଲେ ‘ମୋ ସ୍ବାମୀ ଜଣେ ଡାକ୍ତର ଓ ସୁରତରେ ଚାକିରି କରୁଛନ୍ତି। ସେ ମୋତେ ଏହି ଚିଠିଟି ଡାକରେ ପଠେଇଛନ୍ତି। ମୁଁ ଶିକ୍ଷିତା ହୋଇଥିଲେ ବି ତାଙ୍କ ଚିଠିଟି ସ୍ପଷ୍ଟ ପଢ଼ି ପାରୁନାହିଁ। ଦୟାକରି ଅାପଣ ଟିକେ ଏଇଟିକୁ ପଢ଼ି ମୋତେ ଶୁଣେଇ ଦେବେ କି?’
ଡାକ୍ତର ବନ୍ଧୁଗଣ, ଉପରୋକ୍ତ କଥାଟିକୁ ଦେହକୁ ନ ନେଇ ବର୍ତ୍ତମାନ କୋର୍ଟ କେଚରିରେ ଚାଲିଥିବା ଡାକ୍ତରଙ୍କ ସ୍ପଷ୍ଟ ହସ୍ତାକ୍ଷର ପାଇଁ ନିର୍ଦ୍ଦେଶ ଉପରେ ନିରୋଳା ହସ କଥାଟିଏ ବୋଲି ଭାବନ୍ତୁ। ଏହା ସବୁ ଡାକ୍ତରଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କିମ୍ବା କୌଣସି ଡାକ୍ତରଙ୍କୁ ସମାଲୋଚନା କରିବା ଏହାର ଉଦ୍ଦେଶ୍ୟ ନୁହେଁ। କଥାରେ ଅଛି ଭଗବାନଙ୍କୁ ସମାଲୋଚନା କଲେ ସେ ଅାପଣଙ୍କୁ ଡାକ୍ତରଙ୍କ ପାଖକୁ ପଠେଇ ଦିଅନ୍ତି କିନ୍ତୁ ଡାକ୍ତରଙ୍କୁ ସମାଲୋଚନା କଲେ ସେ ଅାପଣଙ୍କୁ ଭଗବାନଙ୍କ ପାଖକୁ ପଠେଇ ଦିଅନ୍ତି। ତେଣୁ ବ୍ୟକ୍ତିଗତ ଭାବରେ କଥାଟିକୁ ନ ନେଇ ହସ୍ତାକ୍ଷର ଉପରେ ଉପୁଜିଥିବା ସାମଗ୍ରିକ ସମସ୍ୟାଟିକୁ ଟିକେ ଗୁରୁତ୍ୱର ସହ ବିଚାର କରନ୍ତୁ। ସୁନ୍ଦର ହସ୍ତାକ୍ଷରର ଅାଧାର ହେଉଛି ଏକ ତ୍ରୁଟିଶୂନ୍ୟ ବୃତ୍ତ ଅାଙ୍କିବାର କଳା। ଯିଏ ଯେତେ ତ୍ରୁଟିଶୂନ୍ୟ ବୃତ୍ତଟିଏ ଅାଙ୍କି ପାରିଥାଏ ତାହାର ଅକ୍ଷର ସେତିକି ସୁନ୍ଦର ହୋଇଥାଏ। ତେଣୁ ଅାମ୍ଭମାନଙ୍କୁ ଚାଟଶାଳୀରେ ବର୍ଷେ ପର୍ଯ୍ୟନ୍ତ କଳା ସିଲଟ ଉପରେ ଧଳା ଚକ୍ ଦ୍ୱାରା ତିନିଟି ମୁଣ୍ଡଳା ଗାରେଇ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବୋଲି ଲେଖିବାକୁ ଶିଖା ଯାଇଥାଏ। ପ୍ରଥମେ ଏହି ବୃତ୍ତଗୁଡ଼ିକ ତେଢ଼ାମେଢ଼ା ହୋଇଥାଏ କିନ୍ତୁ ପରେ ତା’ ଉପରେ ବାରମ୍ବାର ଲେଖିବା ଫଳରେ ଏହା ଦିନକୁ ଦିନ ତ୍ରୁଟିଶୂନ୍ୟ ହେବାକୁ ଲାଗିଥାଏ। ଏହା ପରେ ଅାମ୍ଭମାନଙ୍କୁ କାଗଜ କଲମରେ ସୁନ୍ଦର ଅକ୍ଷର ଲେଖିବା ପାଇଁ ହସ୍ତାକ୍ଷର ଖାତା ଦିଆଯାଏ। ସେଥିରେ ଦୁଇ ତିନିଟି ନୀଳ ରଙ୍ଗର ଗାର ଛପା ହୋଇଥିବା ବେଳେ ଉପରେ ଏକ ନାଲି ରଙ୍ଗର ଗାର ଛପା ହୋଇଥାଏ ଯାହାକୁ ଅାଧାର କରି ଅାମେ ପ୍ରତ୍ୟେକ ଅକ୍ଷରର ନିମ୍ନଭାଗ ଓ ତାହାର ଉପରିସ୍ଥ ଅର୍ଦ୍ଧଚନ୍ଦ୍ର ଗାରମାନଙ୍କ ଭିତରେ ସୀମିତ ରଖି ଲେଖିବା ଶିଖିଥାଉ। ଏହା ଦ୍ୱାରା ହସ୍ତାକ୍ଷର ସୁନ୍ଦର ହେବା ସ୍ବାଭାବିକ।
ଅାଧୁନିକ ଯୁଗରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅାଉ ମୁଣ୍ଡଳା ବୁଲାଯାଉ ନାହିଁ କି ହସ୍ତାକ୍ଷର ଖାତା ବ୍ୟବହାର କରାଯାଉ ନାହିଁ। ଟିପ ବାଡ଼େଇ ଦେଲେ ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟରମାନଙ୍କରୁ ସୁନ୍ଦର ସୁନ୍ଦର ଅକ୍ଷର ବାହାରି ଅାସୁଛି, ତେଣୁ ହସ୍ତାକ୍ଷର ସୁନ୍ଦର ହେବ କେମିତି? କେବଳ ଔଷଧର ନାମ ପଢ଼ିବା ନୁହେଁ, ଔଷଧ ଖାଇବାର ବିଧିବିଧାନ ମଧ୍ୟ ଅତ୍ୟନ୍ତ ଦୁର୍ବୋଧ୍ୟ ହୋଇପଡୁଛି। ଦିନକୁ ଥରେ ଔଷଧ ଖାଇବା ପାଇଁ ‘ଓଡି’ ଲେଖାଯାଉଛି, ଦୁଇଥର ଖାଇବା ପାଇଁ ‘ବିଡି’ ଓ ତିନିଥର ଖାଇବା ପାଇଁ ‘ଟିଡିଏସ’ ଲେଖାଯାଉଛି। ଖାଇବା ପରେ ଖାଇବା ପାଇଁ ‘ପିସି’ ଓ ଖାଇବା ପୂର୍ବରୁ ଖାଇବା ପାଇଁ ‘ଏସି’ ଲେଖାଯାଉଛି ଅାଉ ଅତି ଜରୁରୀ ହେଲେ ଖାଇବା ପାଇଁ ‘ଏସ୍ଓଏସ୍’ ଲେଖାଯାଉଛି। ସାଧାରଣ ଲୋକଟିକୁ ଏହା ବୁଝିବାକୁ କଷ୍ଟ ହେବା ସ୍ବାଭାବିକ। ତେଣୁ ଅନେକ ଦୋକାନୀଙ୍କୁ ପ୍ରତ୍ୟେକ ଔଷଧ ଡବା ଉପରେ କଳା ପେନ୍ରେ ଗୋଲ୍ ଗୋଲ୍ ଚିତ୍ର କରି ବୁଝେଇ ଦେବାକୁ ପଡୁଛି। ହେଲ୍ଥ ୱାର୍ଲଡ୍ ରିପୋର୍ଟ ଅନୁଯାୟୀ କେବଳ ଭାରତବର୍ଷ ନୁହେଁ, ଅତ୍ୟାଧୁନିକ ଶିକ୍ଷିତ ରାଜ୍ୟ ଯୁକ୍ତରାଷ୍ଟ୍ର ଅାମେରିକାରେ ମଧ୍ୟ ଏହି ସମସ୍ୟା ଅଛି ଯେଉଁଠି ବର୍ଷକୁ ସାତ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ହେଉଛି ବୋଲି ପ୍ରକାଶ ପାଇଛି। ଭାରତବର୍ଷ ଅାସାମର ଏକ ଉଦାହରଣ ଦେଇ ଏଥିରେ ପ୍ରକାଶ ପାଇଛି ଯେ ଥରେ ଜଣେ ଡାକ୍ତର ରୋଗୀକୁ ‘ଡିଓଡିଲ୍’ ନାମକ ଏକ ପୀଡ଼ାନାଶକ ଔଷଧ ଲେଖିଥିବା ବେଳେ ଅସ୍ପଷ୍ଟ ଅକ୍ଷର ଯୋଗୁଁ ରୋଗୀ ‘ଡାଉନିଲ୍’ ନାମକ ଏକ ମଧୁମେହ ରୋଗର ଔଷଧ ଖାଇଦେବାରୁ ତାହାର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଲା ଓ ଦୀର୍ଘ ଦିନ ଧରି ଚିକିତ୍ସିତ ହେବାକୁ ପଡ଼ିଥିଲା।
ଏହି ସମସ୍ୟା ଦୂରୀକରଣର ସର୍ବଶ୍ରେଷ୍ଠ ଉପାୟ ହେଉଛି ପ୍ରତ୍ୟେକ ଔଷଧର ନାମ ଓ ସେବନ ବିଧି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ଏକ କମ୍ପ୍ୟୁଟର ଚିଠା ରୋଗୀମାନଙ୍କୁ ଦେବା ଯାହା ଅାଜିକାଲି ଅନେକ ବଡ଼ ବଡ଼ ଡାକ୍ତରମାନେ ପ୍ରସ୍ତୁତ କରି ଦେଉଛନ୍ତି। କିନ୍ତୁ ଗାଁ ଗହଳିରେ ଯେଉଁଠି ଗୋଟିଏ ଡାକ୍ତରଙ୍କୁ ହଜାର ହଜାର ରୋଗୀ ଓ ଦିନକୁ ଏକ ସୀମିତ ସମୟ ଭିତରେ ଶହଶହ ଚିଠା ପ୍ରସ୍ତୁତ କରିବାକୁ ପଡୁଛି ସେଇଠି ଏହା ସମ୍ଭବପର ନୁହେଁ। ତେଣୁ ଭିତ୍ତିଭୂମିକୁ ନ ସଜାଡ଼ି କେବଳ ଡାକ୍ତରମାନଙ୍କୁ ଦୋଷ ଦେଲେ ଲାଭ ନାହିଁ। ମନେ ପକାନ୍ତୁ ଅାପଣମାନେ ଯେତେବେଳେ ବାର୍ଷିକ ପରୀକ୍ଷା ଦେଉଥିଲେ ଓ ଏକ ସୀମିତ ସମୟ ଭିତରେ ଦଶଟି ପ୍ରଶ୍ନର ଉତ୍ତର ଦେଉଥିଲେ ସେତେବେଳେ ଅାପଣଙ୍କର ପ୍ରଥମ ପୃଷ୍ଠାର ସ୍ପଷ୍ଟତା ଶେଷ ପୃଷ୍ଠାରେ ଥିଲା କି? ଯଦି ନ ଥିଲା ତେବେ ଅଯଥା ଏହି ସମସ୍ୟା କେବଳ ଡାକ୍ତରମାନଙ୍କ ମୁଣ୍ଡରେ ବୋଳି ଦେଉଛନ୍ତି କାହିଁକି? ଅାଜିକାଲି ମଧ୍ୟ ଏମିତି ଅନେକ ରୋଗୀ ଅଛନ୍ତି ଯିଏ କି ଡାକ୍ତରଙ୍କ ନିର୍ଦ୍ଦେଶକୁ ଭଲକରି ନ ବୁଝି ନ ସୁଝି ଅନେକ ସମୟରେ ଲୋକହସାର ପାତ୍ର ହେଉଛନ୍ତି। ଏହା ଉପରେ ହସକଥାଟିଏ କହୁଛି। ଥରେ ଜଣେ ଡାକ୍ତର ଅତ୍ୟଧିକ ମୋଟା ହୋଇଯାଇଥିବା ରୋଗୀକୁ କହିଲେ ‘ତୁମର ମେଦ ବୃଦ୍ଧି କମ୍ କରିବାକୁ ହେଲେ ତୁମେ ଦିନକୁ ନିୟମିତ ପାଞ୍ଚ କିଲୋମିଟର ଚାଲ ଅାଉ ଅନ୍ତତଃ ଦୁଇ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କ୍ରମାଗତ ଜାରି ରଖ।’ ଦୁଇ ମାସ ପରେ ରୋଗୀ ଜଣକ ଡାକ୍ତରଙ୍କୁ ଫୋନ୍ କରି ପଚାରିଲେ, ‘ଅାଜ୍ଞା, ଅାପଣଙ୍କ କଥା ଅନୁଯାୟୀ ମୁଁ ଦୁଇ ମାସ ପର୍ଯ୍ୟନ୍ତ କ୍ରମାଗତ ଦିନକୁ ପାଞ୍ଚ କିଲୋମିଟର ଚାଲିଚାଲି ପ୍ରାୟ ତିନି ଶହ କିଲୋମିଟର ଚାଲି ଅାସିଲିଣି। ଏଣିକି ଅାଉ ଅାଗକୁ ଚାଲିବି ନା ଘରକୁ ଫେରିଯିବି?’
ମୋ: ୯୪୩୭୦୬୭୫୬୭