ଆଜିକୁ ପ୍ରାୟ ଦଶ ବର୍ଷ ତଳେ ଉତ୍ତରପ୍ରଦେଶ ସରକାରଙ୍କର ତିନି ଶହ ସତୁରିଟି ଚପରାସୀ ଚାକିରି ପାଇଁ ତେଇଶ ଲକ୍ଷରୁ ଅଧିକ ଦରଖାସ୍ତ ପଡ଼ିଥିଲା। ଏହା ଭିତରେ କର୍ମ ନିୟୋଜନ ଓ ନିଯୁକ୍ତି ବାବଦରେ ବହୁତ ବଡ଼ ବଡ଼ କଥା କରାଯାଇଛି ବୋଲି କୁହାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ, କାରଣ ଏବେ ଏହି ପ୍ରଦେଶରେ ପୁଲିସ ବିଭାଗର ମାତ୍ର ଷାଠିଏଟି ଚପରାସୀ ପଦ ପାଇଁ ଲକ୍ଷାଧିକ ଆଶାୟୀ ଦରଖାସ୍ତ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ ଏହାର ଯୋଗ୍ୟତା ମାତ୍ର ପଞ୍ଚମ ଶ୍ରେଣୀ ହୋଇଥିଲା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ସ୍ନାତ୍ତକ, ସ୍ନାତକୋତ୍ତର, ଏମ୍‌.ଫିଲ., ପିଏଚ୍‌.ଡି. ଓ ଇଞ୍ଜିନିଅରିଙ୍ଗ ଶିକ୍ଷାପ୍ରାପ୍ତ ଯୁବକଯୁବତୀ ମଧ୍ୟ ଦରଖାସ୍ତ କରିଛନ୍ତି।
କେବଳ ଉତ୍ତରପ୍ରଦେଶ ନୁହେଁ, ଭାରତବର୍ଷରେ ପ୍ରତ୍ୟେକ ପ୍ରଦେଶରେ ଊଣାଅଧିକେ ଏହିପରି ଅବସ୍ଥା ଜାରି ରହିଛି କିନ୍ତୁ ଏହି ପରିପ୍ରେକ୍ଷୀରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନିର ଚେଆର୍‌ମ୍ୟାନଙ୍କର କ୍ଷୋଭ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି ଯେ ତାଙ୍କ କମ୍ପାନିରେ ପଚିଶ ହଜାର ଶ୍ରମିକଙ୍କର ଆବଶ୍ୟକତା ଥିଲା ବେଳେ ତାଙ୍କୁ ବଡ଼ କଷ୍ଟରେ ମାତ୍ର ପାଞ୍ଚ ହଜାର ମିଳିଛନ୍ତି ଏବଂ ଏବେ ବି ତାଙ୍କ କମ୍ପାନିରେ କୋଡ଼ିଏ ହଜାର ଶ୍ରମିକଙ୍କର ଚାକିରି ଖାଲି ପଡ଼ିଛି।
ଏହାର ଅର୍ଥ ହେଉଛି ଆମ ଦେଶରେ ଚାକିରିର ଅଭାବ ନାହିଁ, ଅଭାବ କେବଳ ସରକାରୀ ଚାକିରିର ରହିଛି। ଥରେ ଗୋଟେ ସଭାରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ କେତୋଟି ପ୍ରଶ୍ନ ପଚାରି ହାତ ଉଠେଇବାକୁ ଅନୁରୋଧ କରାଗଲା। ପ୍ରଥମ ପ୍ରଶ୍ନ ପଚାରାଗଲା, “ଆଚ୍ଛା, କେଉଁମାନେ ସରକାରୀ ସ୍କୁଲରେ ପଢ଼ିବାକୁ ଚାହୁଁଛନ୍ତି?” ଲକ୍ଷ୍ୟ କରାଗଲା ଗୋଟିଏ ବି ହାତ ଉପରକୁ ଉଠିଲା ନାହିଁ। ଦ୍ୱିତୀୟ ପ୍ରଶ୍ନ କରାଗଲା, “କେଉଁମାନେ ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି?” ପୂର୍ବବତ୍ ସମସ୍ତଙ୍କର ହାତ ତଳକୁ ହିଁ ରହିଲା। ତୃତୀୟ ପ୍ରଶ୍ନ ପଚରାଗଲା, “କେଉଁମାନେ ସରକାରୀ ବସ୍‌ରେ ଯାତାୟାତ କରିବାକୁ ଚାହାଁନ୍ତି?” ହାତ ଉଠିବା ତ ଦୂରର କଥା, ଟିକେ ହଲିଲା ମଧ୍ୟ ନାହିଁ। ଶେଷ ପ୍ରଶ୍ନ, “କେଉଁମାନେ ସରକାରୀ ଚାକିରି କରିବାକୁ ଚାହାଁନ୍ତି?” ହଠାତ୍‌ ସମସ୍ତଙ୍କର ମୁହଁରେ ହସ ଫୁଟିବାକୁ ଲାଗିଲା ଓ ଶହ ଶହ ହାତ ଏକା ସହିତ ଉପରକୁ ଉଠିଯାଇ ଏକ ହସ୍ତମୟ ପରିବେଶ ସୃଷ୍ଟି କରିଥିଲା।
ବନ୍ଧୁଗଣ, ଏ କଥା ସତ ଯେ ଆମ ଦେଶର ଲୋକ ସରକାରୀ ସ୍କୁଲରେ ପଢ଼ିବାକୁ ଚାହୁଁନାହାନ୍ତି, ସରକାରୀ ବସ୍‌ରେ ଚଢ଼ିବାକୁ ଡରୁଛନ୍ତି, ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା ହେବାକୁ ନାକ ଟେକୁଛନ୍ତି କିନ୍ତୁ ସରକାରୀ ଚାକିରି ନାଁ ଶୁଣିଲେ ହେଣ୍ଡି ମାରି ଧାଉଁଛନ୍ତି। ଏହାର କାରଣ କ’ଣ ହୋଇପାରେ? ବୋଧହୁଏ ଏହା ଯେ ସରକାରୀ ଅଫିସରେ ବିଶେଷ କିଛି କାମ କରିବାକୁ ପଡ଼େ ନାହିଁ ଏବଂ ଯାହା ବି କାମ କରିବାକୁ ପଡ଼େ ତାକୁ ନ କଲେ ହୁଏତ ପ୍ରଶ୍ନ କରିବାକୁ କେହି ନାହାନ୍ତି। ଯଦିବା କିଏ ପ୍ରଶ୍ନ କରେ ହୁଏତ ଉତ୍ତର ଦେବାକୁ ପଡ଼େ ନାହିଁ। ଯଦିବା ଉତ୍ତର ଦେବାକୁ ପଡ଼େ ଆଉ ସେଥିରେ କିଏ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଏହା ଉପରେ ବର୍ଷ ବର୍ଷ ଧରି କୌଣସି କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ନାହିଁ। ୟା’ ସହିତ ମାସକୁ ମାସ ଦରମା ଗଣ୍ଡାକ ଥୁଆ। ସହଜରେ ଚାକିରି ଯିବାର ନାହିଁ କି ଦରମା ବନ୍ଦ ହେବାର ନାହିଁ। ଏ ସୁଯୋଗ ହାତଛଡ଼ା କରିବ କିଏ?
ପ୍ରଶ୍ନ ଉଠେ, ଯିଏ ବି ହେଉ ଏ ସୁଯୋଗ ହାତଛଡ଼ା କରିବ କାହିଁକି? ଯଦି ଏ ସୁଯୋଗ ହାତଛଡ଼ା କରିବ ତେବେ ସେ କରିବ କ’ଣ? ଆମ ଦେଶର ଦୁର୍ଭାଗ୍ୟ ଯେ ସରକାରୀ ଚାକିରିରେ ଯେଉଁ ସ୍ୱୀକୃତି, ସମ୍ମାନ ଓ ସୁରକ୍ଷା ରହିଛି ତାହା କୃଷି, ବ୍ୟବସାୟ କିମ୍ବା ଶିଳ୍ପ ଭଳି ସ୍ୱାବଲମ୍ବୀ ବୃତ୍ତିମାନଙ୍କରେ ନାହିଁ। ଏହି ବୃତ୍ତିଗୁଡ଼ିକରେ ଯଥେଷ୍ଟ ସାମାଜିକ ସମ୍ମାନ ମିଳେ ନାହିଁ, ଆଉ ଯଦି ବା କିଏ ସମ୍ମାନକୁ ଖାତିର ନ କରି ଏହି ବୃତ୍ତିଗୁଡ଼ିକ ଆବୋରିନିଏ ତେବେ ତାଙ୍କୁ ଯଥେଷ୍ଟ ସୁରକ୍ଷା ମିଳେ ନାହିଁ। ତା’ ନହେଲେ ରାସ୍ତାକଡ଼ରେ ତେଜରାତି ଦୋକାନଟିଏ କରି ମାସକୁ କୋଡ଼ିଏ ପଚିଶ ହଜାର ଟଙ୍କା ରୋଜଗାର କରୁଥିବା ଯୁବକକୁ ମାସକୁ ମାତ୍ର ଦଶପନ୍ଦର ହଜାର ଟଙ୍କା ପାଉଥିବା ସରକାରୀ ପିଅନଟିଏ ସାମ୍ନାରେ ହାର ମାନିବାକୁ ପଡ଼ନ୍ତା ନାହିଁ। ଥରେ ଆପଣ ଚିନ୍ତା କରି ଦେଖନ୍ତୁ ତ, ଆମ ସମାଜ ଏହି ଦୁଇଜଣଙ୍କୁ ସମାନ ସ୍ୱୀକୃତି ଓ ସୁରକ୍ଷା ଦେଉଛି କି? ଯଦି ଚିନ୍ତା କରିବାକୁ ସମୟ ନାହିଁ ତେବେ ବାହାଘର ବଜାରରେ ଗୋଟିଏ ଝିଅର ବାପକୁ ପଚାରିକି ଦେଖନ୍ତୁ।
କେବଳ ଛୋଟମୋଟ ତେଜରାତି କି ଲୁଗା ଦୋକାନୀ ନୁହନ୍ତି, ମଧ୍ୟମ ଓ ସାମାନ୍ୟ ଉଚ୍ଚ ଶ୍ରେଣୀର ବ୍ୟବସାୟୀମାନଙ୍କୁ ମଧ୍ୟ ସମାଜ ସ୍ୱୀକୃତି ଦେବାପାଇଁ କୁଣ୍ଠାବୋଧ କରୁଛି। ତେଣୁ ସେମାନେ ମଧ୍ୟ ତାଙ୍କର ଉତ୍ତର ପିଢ଼ିକୁ ଆଉ ବ୍ୟବସାୟ ନ କରି ସରକାରୀ ଚାକିରି କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଆଜିକାଲି ସରକାରୀ ଚାକିରିରେ ଯେଉଁ ସମ୍ମାନ, ସ୍ୱୀକୃତି ଓ ସୁରକ୍ଷା ମିଳୁଛି ଏବଂ ତା’ ସହିତ ଅଚଳାଚଳ ସମ୍ପତ୍ତିର ମାଲିକାନା ସମ୍ବନ୍ଧରେ ଖବରକାଗଜରେ ପ୍ରକାଶ ପାଉଛି ତାହା ଜଣେ ବ୍ୟବସାୟୀ ତା’ର ସାତ ପିଢ଼ି ରୋଜଗାର କରି ବି ହାସଲ କରିପାରିବ ନାହିଁ। ତେଣୁ ସେ କାହିଁକି ଅଯଥା ବ୍ୟବସାୟଟିଏ କରି ହଇରାଣ ହରକତ ହେବ?
ଗାଁର ଗରିବ ପିଲାଟିଏ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଖବରକାଗଜରୁ ନେଇ ଟେଲିଭିଜନ ଓଗେରା ହୁଲସ୍ତୁଲ ହୋଇଉଠୁଛି। ସରକାର ମଧ୍ୟ ତାକୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି। ଏହା ବହୁତ ଭଲ କଥା, କିନ୍ତୁ ଯେଉଁ ବାପଟି ଗାଁରେ ଲୁଗା ଦୋକାନଟିଏ କରି ତା’ ପୁଅକୁ ଏତେ ବାଟ ପର୍ଯ୍ୟନ୍ତ ନେଇ ଆସିପାରିଛି ତାକୁ ସମ୍ବର୍ଦ୍ଧନା ଦେବା ବିଷୟ କେହି କେବେ ଚିନ୍ତା କରିଛନ୍ତି କି? ଦୁର୍ଭାଗ୍ୟକୁ ଯଦି ଏହି ପିଲାଟି ଫକୀରମୋହନଙ୍କ ଡାକମୁନସୀ ହୋଇ ବାହାରେ ତେବେ ବୁଢ଼ା ବାପଟିର ଅବସ୍ଥା କ’ଣ ହେବ କେବେ ଭାବିଛନ୍ତି କି? ତେଣୁ କିଏ କାହିଁକି ଝାଳନାଳ ହୋଇ ବେପାର ବଣିଜ କରିବ? ହେଉ ପଛେ ଚପରାସୀ, ସରକାରୀ ଚାକିରିଟିଏ ମିଳିଗଲେ ଗଲା।
ମୋ: ୯୪୩୭୦୬୭୫୬୭